ଓଡ଼ିଶାରେ ଶାସନ ଗାଦିକୁ ଆସିବା ପରଠାରୁ ଭାରତୀୟ ଜନତା ପାର୍ଟି ନିଜର ସାଂଗଠନିକ କଳକୁ ମଜବୁତ କରିବା ନାଁରେ କେବଳ କେନ୍ଦ୍ରୀୟ ରାଜନୈତିକ ଦାଦାଗିରି ଏବଂ ଦଳୀୟ ଅଙ୍କକଷାରେ ବ୍ୟସ୍ତ ରହିଛି। ଶାସନକୁ ଆସିବା ପରଠାରୁ ଦଳକୁ ନିୟନ୍ତ୍ରଣ କରିବା ଲାଗି ଦୁଇଥର କେନ୍ଦ୍ରୀୟ ସଂଗଠନ ପକ୍ଷରୁ ନିଜର ଏଜେଣ୍ଟ ବା ପ୍ରଭାରୀଙ୍କୁ ବଦଳାଯାଇ ସାରିଲାଣି। ୨୦୨୪ ଜୁଲାଇ ମାସରେ ବିଜୟପାଲ ସିଂହ ତୋମାରଙ୍କୁ ରାଜ୍ୟ ପ୍ରଭାରୀ ଭାବେ ନିଯୁକ୍ତ ମିଳିଥିଲା। ଯେଉଁ ସୁନୀଲ ବଂଶଲଙ୍କ ନେତୃତ୍ୱରେ ଦଳ ନିର୍ବାଚନ ଜିତିଥିଲା ତାଙ୍କୁ ତୁରନ୍ତ ସରକାର ଗଠନ ପରେ ହଟାଯାଇଥିଲା। ନୂଆ ଟିମ ଦୁଇବର୍ଷରୁ ଅଧିକ ସମୟ କାର୍ଯ୍ୟ କରିଲା। ଏବେ ବିଜୟପାଲଙ୍କ ଟିମକୁ ବଦଳାଇ ଦଳ ଡି ପୁରନ୍ଦେଶ୍ୱରୀଙ୍କୁ ପ୍ରଭାରୀ ଭାବେ ନିଯୁକ୍ତ କରିଛନ୍ତି। ପୁରନ୍ଦେଶ୍ୱରୀ ଓଡ଼ିଶା ପାଇଁ ନୂଆ ନୁହନ୍ତି। ଜଣେ ସିଧାସିଧା କହୁଥିବା ସ୍ପଷ୍ଟ ବିଜେପି ନେତ୍ରୀ ଯିଏ ୨୦୨୨ ରେ ରାଜ୍ୟ ବିଜେପିର ପ୍ରଭାରୀ ଥିଲେ। ଏଣୁ ତାଙ୍କର ରିଟର୍ଣ ରାଜ୍ୟ ରାଜନୀତିରେ ଉତ୍ସାହ ଆଣିବ ବୋଲି କିଛି ବିଜେପି କର୍ମୀ କହୁଛନ୍ତି। ହେଲେ ଜନତାଙ୍କୁ କି ଲାଭ ମିଳିବ?
ଅସଲ କଥା ହେଉଛି, କେନ୍ଦ୍ରୀୟ ସ୍ତରରେ ନେତାଙ୍କୁ ଦାୟିତ୍ବ ବାଣ୍ଟିବାରେ ବିଜେପି ଯେତିକି ତତ୍ପରତା ଦେଖାଉଛି, ତୃଣମୂଳ ସ୍ତରର ଅସଲ କର୍ମୀ, ନେତା ଓ ସାଧାରଣ ଜନତାଙ୍କୁ ସେତିକି ଅବହେଳା କରାଯାଉଛି। ଯେଉଁ ତୃଣମୂଳ ନେତାମାନେ ଦିନରାତି ଏକ କରି ଦଳକୁ ଗାଁ ଗାଁରେ ପହଞ୍ଚାଇଲେ, ସେମାନଙ୍କୁ ଆଜି ପର୍ଯ୍ୟନ୍ତ ଉଚିତ ସ୍ଥାନ କିମ୍ବା ଯୋଗ୍ୟ ଦାୟିତ୍ବ ମିଳିପାରି ନାହିଁ। କେବଳ ସେତିକି ନୁହେଁ, ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଓ ଅଦଳବଦଳ ଦୀର୍ଘ ଦିନରୁ ଅଟକି ରହିଛି। ସରକାରୀ କାର୍ଯ୍ୟଦକ୍ଷତା ବଢ଼ାଇବା ପାଇଁ ଯେଉଁ ମନ୍ତ୍ରିମଣ୍ଡଳ ପୁନର୍ଗଠନ ଜରୁରୀ ଥିଲା, ତାହା ଦଳୀୟ ଗୋଷ୍ଠୀକନ୍ଦଳ ଓ କେନ୍ଦ୍ରୀୟ ନିଷ୍ପତ୍ତିର ବିଳମ୍ବ ଯୋଗୁଁ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯାଇଛି।
ସେହିପରି, ରାଜ୍ୟର ସାମ୍ବିଧାନିକ ମୁଖିଆ ଅର୍ଥାତ୍ ରାଜ୍ୟପାଳଙ୍କ ପଦବୀକୁ ନେଇ ମଧ୍ୟ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଗତ ତିନି ମାସ ହେଲାଣି ରାଜ୍ୟପାଳ ନିଜ କାର୍ଯ୍ୟକାଳ ବୃଦ୍ଧି କିମ୍ବା ନୂତନ ନିଯୁକ୍ତି ନେଇ କିଛି ବି କଥା ସାମ୍ନାକୁ ଆସୁ ନାହିଁ । କେନ୍ଦ୍ର ସରକାରଙ୍କ ଏହି ଉଦାସୀନତା ରାଜ୍ୟର ସାମ୍ବିଧାନିକ ଶୃଙ୍ଖଳା ପ୍ରତି ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ ପ୍ରଭାରୀଙ୍କ ଦାୟିତ୍ୱ ବଡ଼ । କାରଣ ରାଜ୍ୟପାଳ ଯେମିତି କେନ୍ଦ୍ର ସରକାରଙ୍କ ସାମ୍ବିଧାନିକ ଏଜେଣ୍ଟ ହୋଇ ରାଜ୍ୟରେ କାର୍ଯ୍ୟ କରନ୍ତି ଠିକ୍ ସେହିଭଳି ରାଜ୍ୟ ପ୍ରଭାରୀମାନେ ରାଜ୍ୟର ହାଲଚାଲକୁ କେନ୍ଦ୍ରୀୟ ନେତୃତ୍ୱଙ୍କୁ ବୁଝାଇଥାଆନ୍ତି। ହେଲେ ପୂର୍ବର ତୋମାରଙ୍କ ପ୍ରଭାରୀତ୍ୱକୁ ଦେଖିଲେ ଏ ବିଷୟ ବଡ଼ ଜଟିଳଜଣାପଡ଼ୁଥିଲା। କାରଣ ରାଜ୍ୟର ସଂଗଠନ ଭିତରେ ଏତେ ଅସନ୍ତୋଷ ଥାଇ ସୁଦ୍ଧା ତାହାର ସମାଧାନର ବାଟ ଫିଟୁ ନଥିଲା। ଫଳରେ ନା କର୍ମୀ ନା ନେତା ଏପରିକି ମନ୍ତ୍ରୀମାନେ ମଧ୍ୟ ଦ୍ୱନ୍ଦ୍ୱ ଭିତରେ କାଳ କାଟୁଥିବା ଆଲୋଚନା ହେଉଥିଲା, ଏବେ ବି ତାହା ଜାରି ରହିଛି। ମନ୍ତ୍ରୀ, ନେତାଙ୍କ ଅସହାୟତାକୁ ଦେଖି ଜନତା ବି ବଡ଼ ଅସହାୟ ହେଉଥିଲେ। ଖାଲି ସେତିକି ନୁହେଁ, ସେମାନେ ଏହି ପରିପ୍ରେକ୍ଷୀରେ ପୂର୍ବତନ ସରକାରର ଭଲ ସମୟକୁ ବି ମନେ ପକାଇବା ଆରମ୍ଭ କରୁଥିଲେ।
ପୂର୍ବ ସରକାରରେ ବିପର୍ଯ୍ୟୟ ପରିଚାଳନା, ଭିତ୍ତିଭୂମି ବିକାଶ ଏବଂ ସରକାରରେ ରାଜନୀତିକ ଭାଗିଦାରୀ କଥାକୁ ନେଇ ଆଲୋଚନା ହେଉଛି। ସରକାରୀ ସ୍କୁଲଗୁଡ଼ିକର ଅବସ୍ଥାରେ ଆସିଥିବା ଉନ୍ନତି ଏବେ କେମିତି ରସାତଳଗାମୀ ହେବାରେ ଲାଗିଛି ତାହାକୁ ନେଇ ଲୋକେ ନବୀନ ସରକାରଙ୍କୁ ମନେ ପକାଉଛନ୍ତି। ସେତେବେଳେ ପାଣ୍ଡିଆନ୍ ବଳୀୟାନ ଥିଲେ ବି ରାଜ୍ୟରେ ଏକ ସରକାର ଥିଲା କିନ୍ତୁ ଏବେ କିଏ ସେ ସରକାର ତାହା ଦ୍ୱନ୍ଦ୍ୱ ସୃଷ୍ଟି ବିଭିନ୍ନ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।
ଆମେ ଏଥର କଭର ଷ୍ଟୋରୀରେ ଏହି ଅନିଶ୍ଚିତତାର େଗାଟିଏ ଅଧ୍ୟାୟକୁ ଆପଣଙ୍କ ନଜରକୁ ଆଣିଛୁ। ଯେଉଁଥିରେ ରାଜ୍ୟ ସରକାରର ଦୁଇଟି ପ୍ରମୁଖ ସାମ୍ବିଧାନିକ ସଂସ୍ଥା କିପରି ଅସହାୟ ତାହା ସାମ୍ନାକୁ ଅଣାଯାଇଛି। ଏହିପରି ଅନେକ ବିଷୟ ରହିଛି, ଯାହା ଅନେକ କଭର ଷ୍ଟୋରୀ କରାଗଲେ ବି ସମ୍ପୂର୍ଣ୍ଣ କହିବାକୁ ସାମର୍ଥ୍ୟ ହୋଇ ନପାରେ।
ପ୍ରଶ୍ନ ହେଉଛି ପରିବର୍ତ୍ତନ ପାଇଁ ବିଜେଡିଠୁ ମୁହଁ ମୋଡ଼ିଥିବା ଜନତାଙ୍କୁ କ’ଣ ଏଇ ଫଳ ମିଳିବା ଯୋଗ୍ୟ? ଏହା କ’ଣ ଡବଲ ଇଞ୍ଜିନ୍ ସରକାରର ଗୁଣ? ଏହା କ’ଣ ପୟଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ବାଚନ ପ୍ରତିଶୃତି ପୂରଣ?
କେବଳ ସୁଭଦ୍ରା ଯୋଜନା ବା ପିଏମ୍ କିସାନ ଯୋଜନା ବା ଧାରନ କିଣା ଯୋଜନା ମାଧ୍ୟମରେ ଟଙ୍କା ବାଣ୍ଟିଦେଲେ ସରକାର ହୋଇ ଯାଏ ନାହିଁ। ପ୍ରତିଶୃତି ଏକ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନର ହେବା ଉଚିତ। କେନ୍ଦ୍ର ଉପରେ ସମ୍ପୂର୍ଣ୍ଣ ନିର୍ଭର ହୋଇ ଚାଲିବା ଦ୍ୱାରା କେମିତି ଓଡ଼ିଶାର ସ୍ୱାର୍ଥ ସାଧନ ହେବ? ଯେଉଁ ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଏ ସରକାର କ୍ଷମତାକୁ ଆସିଛି, ସେବେଠୁ ରାସ୍ତାକଡ଼ ଦୋକାନରେ ଓଡ଼ିଆ ନାମ ଫଳକ ଲଖିବା କଥା ଛାଡନ୍ତୁ ସରକାରୀ ବିଜ୍ଞାପନରେ ଅଧିକ ହିନ୍ଦି ଶବ୍ଦ ପ୍ରବେଶ କରିଥିବା ଦେଖାଯାଉଛି। ଏଥିପାଇଁ କିଏ ଦାୟୀ ରହିବ?
ସମ୍ପାଦକୀୟ: ଜନତା ଛେଳି






