ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରହିବାର ୧୦୪ ଦିନ ପରେ କେନ୍ଦ୍ର ସରକାର ସଂସଦର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବା ଭାରତୀୟ ରାଜନୀତିକୁ ପୁଣିଥରେ ଚଳଚଞ୍ଚଳ କରିଛି। ଦିଲ୍ଲୀରୁ ପଲ୍ଲୀ ଯାଏ ଏବେ ସୀମା ପୁନନିର୍ଦ୍ଧାରଣ ବିଲକୁ ନେଇ ଚର୍ଚ୍ଚା ହେଉଛି। ତା’ ଭିତରେ ଉଠୁଛି ମୋଦୀ-ଶାହ ମେଣ୍ଟର ବର୍ଦ୍ଧିତ ଶକ୍ତି। ପ୍ରଶ୍ନ ଉଠୁଛି ଛଅ ମାସ ଭିତରେ ଏହି ଯୋଡ଼ିଙ୍କୁ ଏତେ ଶକ୍ତି କିଏ ଦେଲା, ଯାହା ସଂସଦରେ ଅଧିକ ପ୍ରତିନିଧିତ୍ୱ ପାଇଁ ବାଟ ଖୋଲିବାର ସ୍ୱପ୍ନକୁ ସାକାର କରିବ? କେମିତି ଦୁର୍ବଳ ହେଲା ଇଣ୍ଡିଆ ମେଣ୍ଟ?
ଲୋକସଭାର ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତା ୩୦ ତାରିଖ ଦିନ ଲୋକସଭାର ସ୍ୱତନ୍ତ୍ର ଅଧିବେଶନ ବସିବ। ଏହା ୪ ଦିନ ଚାଲିବ। ଏହି ଅଧିବେଶନରେ କୌଣସି ପ୍ରଶ୍ନକାଳ, ଶୂନ୍ୟକାଳ ରହିବ ନାହିଁ। ଏପରିକି ବେସରକାରୀ ବିଧେୟକ ଆଣିବାର କୌଣସି ସୁଯୋଗ ନାହିଁ। ଯଦିଓ ଏହି ଅଧିବେଶନରେ କ’ଣ କାର୍ଯ୍ୟକ୍ରମ ରହିବ ତାହା ସ୍ପଷ୍ଟ ହୋଇ ନାହିଁ କିନ୍ତୁ ଗଣମାଧ୍ୟମର ଚର୍ଚ୍ଚା ଓ କିଛି ସରକାରୀ ନିଷ୍ପତ୍ତି ଏଥିରେ ସୀମା ପୁନନିର୍ଦ୍ଧାରଣ ବିଧେୟକର ପୁନଃ ଆଗମନକୁ ବାଟ ଦେଖାଉଛି। ଏହି ବିଧେୟକ ୧୩୧ତମ ସମ୍ବିଧାନସ ସଂଶୋଧନ ବିଧେୟକ ଭାବେ ଗଲା ଏପ୍ରିଲ ୧୬ ତାରିଖରେ ଉପସ୍ଥାପନ ହୋଇଥିଲା। ସେତେବେଳେ ଆବଶ୍ୟକ ସଂଖ୍ୟା ନଥିବାରୁ ବିଧେୟକ କାଟ ଖାଇଥିଲା। ଏହା ସରକାରଙ୍କ ପାଇଁ ଏକ ଶକ୍ତ ଧକ୍କା ଥିଲା ଓ ବିରୋଧୀ ଦଳ ପାଇଁ ବିଜୟର ଉତ୍ସବ। କିନ୍ତୁ ଏହାପରେ ଚୁପ୍ ବସି ନଥିଲେ ସରକାର। ବିଧେୟକ ବାବଦରେ ବିଭିନ୍ନ ଦଳ ସହ ଆଲୋଚନା ଜାରି ରହିଲା। ସ୍ୱତନ୍ତ୍ର ଅଧିବେଶନ ମାଧ୍ୟମରେ ଏହି ବିଧେୟକକୁ ପାରିତ କରିବା ପାଇଁ ଯୋଜନା ହେଲା। ଗୃହର ମୌସୁମୀ ଅଧିବେଶନ ପାଇଁ ସତ୍ରାବସାନ ଘୋଷଣା କରାଗଲା ନାହିଁ। ଆଉ ଯେତେବେଳେ ଶୀତକାଳୀନ ଅଧିବେଶନ ପାଇଁ ଦିନ ଗଡ଼ିଲା, ସେତେବେଳେ ଏ ବାବଦରେ ଚର୍ଚ୍ଚା ଆହୁରି ଜମାଟ ବାନ୍ଧିଲା। ହେଲେ ଠିକ୍ ସମୟରେ ଠିକ୍ ନିଷ୍ପତ୍ତି ନେବାରେ ଆଗଧାଡ଼ି ଗ୍ରହଣ କରିଥିବା ନରେନ୍ଦ୍ର ମୋଦୀଙ୍କ ସରକାର ସମ୍ବିଧାନ ଦିବସ ଅବସରରେ ସ୍ୱତନ୍ତ୍ର ଅଧିବେଶନ ପାଇଁ ଘୋଷଣା କରିଛନ୍ତି। ଖାଲି ସେତିକି ନୁହେଁ ୨୭ ତାରିଖ ଦିନ କ୍ୟାବିନେଟ ବୈଠକରେ ସବୁ ରାଜ୍ୟପାଇଁ ନିର୍ଦ୍ଧାରଣ ହୋଇଥିବା ସଂସଦୀୟ ପ୍ରତିନିଧିତ୍ୱକୁ ୫୦ ପ୍ରତିଶତ ବଢ଼ାଇବା ପାଇଁ ପ୍ରସ୍ତାବ ପାରିତ କରିଛନ୍ତି। ଏହି ପ୍ରସ୍ତାବ ସଂସଦର ଅନୁମୋଦନ ପାଇଲେ ୨୫ ବର୍ଷ ଯାଏ ଏହି ବ୍ୟବସ୍ଥା ଲାଗୁ ହେବ। ଯାହା ସ୍ପଷ୍ଟ କରୁଛି ଯେ, ଦେଶରେ ସୀମା ପୁନଃ ନିର୍ଦ୍ଧାରଣ ବିଧେୟକ ହିଁ ଏହି ସ୍ୱତନ୍ତ୍ର ଅଧିବେଶନର ପ୍ରମୁଖ ଅଂଶ ବିଶେଷ ହେବ।
କାହିଁକି ଏ ବିଧେୟକ ଗୁରୁତ୍ୱପୂର୍ଣ୍ଣ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାର ଦେଶରେ ଅଧିକ ଲୋକ ପ୍ରତିନିଧିଙ୍କୁ ସଂସଦରେ ଦେଖିବାକୁ ଚାହୁଁଛି। ଏହିକ୍ରମରେ ଲୋକସଭା ଓ ରାଜ୍ୟସଭାରେ ଆସନ ସଂଖ୍ୟାକୁ ବୃଦ୍ଧି କରିବା ବିଜେପି ଏଜେଣ୍ଡାରେ ରହିଛି। ଏଥିଲାଗି ନୂଆ ସଂସଦଭବନ ନିର୍ମାଣ ହୋଇଛି। ଯାହାର ଲୋକସଭାରେ ୮୫୦ ଜଣ ସାଂସଦ ବସିବାର ସୁବିଧା କରାଯାଇଛି। ପୁଣି ଏହି ଆସନ ବୃଦ୍ଧି ଘଟିଲେ ମହିଳାଙ୍କ ପାଇଁ ସ୍ଥାନ ଆରକ୍ଷଣ ଲାଗି ପ୍ରତିବନ୍ଧକ ରହିବ ନାହିଁ।
୨୦୨୩ର ମହିଳା ସଂରକ୍ଷଣ ଆଇନ ବା ନାରୀ ଶକ୍ତି ବନ୍ଦନ ଅଧିନିୟମ ଅନୁଯାୟୀ, ସୀମା ପୁନନିର୍ଦ୍ଧାରଣ ପ୍ରକ୍ରିୟା ଶେଷ ହେବା ପରେ ହିଁ ସଂସଦ ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ଲାଗୁ ହୋଇପାରିବ । ୨୦୨୯ ଲୋକସଭା ନିର୍ବାଚନ ପୂର୍ବରୁ ଏହାକୁ କାର୍ଯ୍ୟକାରୀ କରି ମହିଳା ଭୋଟରଙ୍କ ମଧ୍ୟରେ ବିଜେପି ନିଜର ପ୍ରଭାବ ଆହୁରି ମଜବୁତ କରିବାକୁ ଲକ୍ଷ୍ୟ ରଖିଛି ।
ଏହି ବିଲ ମାଧ୍ୟମରେ ଲୋକସଭାର ସର୍ବାଧିକ ଆସନ ସଂଖ୍ୟା ୫୫୦ରୁ ବଢ଼ାଇ ୮୫୦ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିରେ ରାଜ୍ୟଗୁଡ଼ିକରୁ ୮୧୫ ଏବଂ କେନ୍ଦ୍ରଶାସିତ ଅଞ୍ଚଳରୁ ୩୫ ଜଣ ନିର୍ବାଚିତ ହୋଇ ଆସିବେ। ଏହାଦ୍ୱାରା ସଂସଦର ଆକାର ବଢ଼ିବା ସହ ଆଗାମୀ ରାଜନୈତିକ ରଣନୀତିରେ ନୂଆ ସମୀକରଣ ସୃଷ୍ଟି ହେବ। କିନ୍ତୁ ଏଥିପାଇଁ ସଂସଦରେ ଏକ ଶକ୍ତିଶାଳୀ ସମର୍ଥନର ଆବଶ୍ୟକତା ରହିଛି।
ସଂସଦରେ କାହାର କେତେ ଶକ୍ତି
ସମ୍ବିଧାନ ସଂଶୋଧନ ବିଲ ପାରିତ କରିବା ପାଇଁ ଉଭୟ ଗୃହରେ ଦୁଇ-ତୃତୀୟାଂଶ (two-thirds) ସଂଖ୍ୟାଗରିଷ୍ଠତା ଆବଶ୍ୟକ ହୁଏ, ଯାହା ଏନଡିଏ ପାଖରେ ନାହିଁ । ଲୋକସଭାର ସର୍ବାଧିକ ସ୍ୱୀକୃତ ଆସନ ସଂଖ୍ୟା ୫୪୩ ଥିବା ବେଳେ, ବର୍ତ୍ତମାନ ୩ଟି ଖାଲି ପଦ ଯୋଗୁଁ ପ୍ରଭାବୀ ସଦସ୍ୟ ସଂଖ୍ୟା ୫୪୦ ରହିଛି । ସମସ୍ତ ୫୪୦ ସଦସ୍ୟ ଭୋଟ ଦେଲେ ବିଲ ପାରିତ ପାଇଁ ୩୬୦ ଭୋଟ ଆବଶ୍ୟକ, ଯେତେବେଳେ କି ଏନଡିଏ ପାଖରେ ପ୍ରାୟ ୩୨୦ ସାଂସଦ ଅଛନ୍ତି । ପୂର୍ବରୁ ଏପ୍ରିଲ ୧୬-୧୭, ୨୦୨୬ରେ ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ସମ୍ବିଧାନର ୧୩୧ତମ ସଂଶୋଧନ ବିଲ ସପକ୍ଷରେ ୨୯୮ ଭୋଟ ଏବଂ ବିପକ୍ଷରେ ୨୩୦ ଭୋଟ ପଡ଼ିଥିଲା । ଅର୍ଥାତ୍ ଅନେକ ଏନ୍ଡିଏ ସଦସ୍ୟ ବି ଅନୁପସ୍ଥିତ ଥିଲେ। ସେତେବେଳେ ଉପସ୍ଥିତ ୫୨୮ ସଦସ୍ୟଙ୍କ ମଧ୍ୟରୁ ୩୫୨ ଭୋଟ ଆବଶ୍ୟକ ଥିଲା, କିନ୍ତୁ ସଂଖ୍ୟା ଅଭାବରୁ ବିଲଟି ଲୋକସଭାରେ ପ୍ରତ୍ୟାଖ୍ୟାନ ହୋଇଥିଲା ।
ରାଜ୍ୟସଭାର ସର୍ବାଧିକ ସୀମା ୨୫୦ ହୋଇଥିବା ବେଳେ ବର୍ତ୍ତମାନ ପ୍ରଭାବୀ ସଂଖ୍ୟା ପ୍ରାୟ ୨୪୪ ରହିଛି । ଏଠାରେ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ପାଇଁ ପ୍ରାୟ ୧୬୪ ଭୋଟ ଆବଶ୍ୟକ, ଯେଉଁଠାରେ ଏନଡିଏ ପାଖରେ ୧୫୪ରୁ ଅଧିକ ସଦସ୍ୟ ରହିଛନ୍ତି ।
ଅର୍ଥାତ୍ ଏ ବିଧେୟକ ପାରିତ କରିବା ପାଇଁ ବିରୋଧୀ ଦଳକୁ ନିଜ ପକ୍ଷଭୁକ୍ତ କରିବାର ଆବଶ୍ୟକତା ରହିଛି। ଏହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଆଉ ଏ ଚ୍ୟାଲେଞ୍ଜକୁ ଦଳ ବି ଗ୍ରହଣ କରିଛି।
ଡିଏମକେର ସମର୍ଥନ
ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ମୁଖ୍ୟ ଏମ.କେ. ଷ୍ଟାଲିନ ସୋସିଆଲ ମିଡିଆରେ ଏକ କଡ଼ା ବାର୍ତ୍ତା ଦେଇ ସ୍ପଷ୍ଟ କରିଛନ୍ତି ଯେ, ତାମିଲନାଡୁର ସ୍ୱାର୍ଥ ସହ କୌଣସି ପ୍ରକାର ସାଲିସ କରାଯିବ ନାହିଁ। ତାଙ୍କ ଟ୍ୱିଟରେ ସେ ଦୁଇଟି ସ୍ପଷ୍ଟ ସର୍ତ୍ତ ରଖିଛନ୍ତି। ସେହି ଟ୍ୱିଟ୍ ଅନୁସାରେ ତାଙକ୍ ମତ ସ୍ପଷ୍ଟ ତାହା ହେଲା: ତାମିଲନାଡୁର ଆସନ ଅନୁପାତ ଅପରିବର୍ତ୍ତିତ ରହୁ। ଅର୍ଥାତ୍ ଲୋକସଭାରେ ମୋଟ ଆସନ ସଂଖ୍ୟା ବଢ଼ିଲେ ମଧ୍ୟ କୌଣସି ପରିସ୍ଥିତିରେ ତାମିଲନାଡୁର ବର୍ତ୍ତମାନର ୭.୧୮ ପ୍ରତିଶତ ଆସନ ଅନୁପାତ କମ୍ କରାଯିବା ଉଚିତ ନୁହେଁ । ଏହା ସହ ୧୯୭୧ ଜନଗଣନା ଆଧାରରେ ରାଜ୍ୟଗୁଡ଼ିକ ମଧ୍ୟରେ ନିର୍ଦ୍ଧାରିତ ସଂସଦୀୟ ପ୍ରତିନିଧିତ୍ୱର ଅନୁପାତକୁ ଆସନ୍ତା ୨୫ ବର୍ଷ ସ୍ଥିର ରଖାଯାଉ ।
ଡିଏମକେର ଦାବି ଅନୁସାରେ କେନ୍ଦ୍ର କ୍ୟାବିନେଟ ବୈଠକରେ ସୀମା ପୁନନିର୍ଦ୍ଧାରଣ ଏବଂ ମହିଳା ସଂରକ୍ଷଣ ସହ ଜଡ଼ିତ ସମ୍ବିଧାନ ସଂଶୋଧନ ବିଲର ସଂଶୋଧିତ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଅର୍ଥାତ୍ ୨୦୨୭ ଜନସଂଖ୍ୟା ଆଧାରରେ ଆସନ ବଢ଼ିବ ନାହିଁ ବରଂ ବର୍ତ୍ତମାନର ପ୍ରତିନିଧିତ୍ୱ ଅନୁପାତକୁ ଦୃଷ୍ଟିରେ ରଖି ସମସ୍ତ ରାଜ୍ୟରେ ସମାନ ଅନୁପାତରେ ଲୋକସଭା ଆସନ ସଂଖ୍ୟା ୫୦ ପ୍ରତିଶତ ବୃଦ୍ଧି କରାଯିବ। ରାଜ୍ୟଗୁଡ଼ିକର ବର୍ତ୍ତମାନର ଆସନ ଅନୁପାତକୁ ୨୫ ବର୍ଷ ଅର୍ଥାତ୍ ୨୦୫୧ ପର୍ଯ୍ୟନ୍ତ ସ୍ଥିର ରଖିବାର ପ୍ରାବଧାନ ସାମିଲ କରାଯାଇଛି ।
କେମିତି ବଦଳିଲା ସମୀକରଣ
ଏପ୍ରିଲ ୨୦୨୬ରେ ବିଲଟି ବିଫଳ ହେବା ପରେ ଗତ ୬ ମାସରୁ କମ୍ ସମୟ ମଧ୍ୟରେ ବିଜେପି ନେତୃତ୍ୱାଧୀନ ସରକାର ରାଜନୈତିକ ସମୀକରଣକୁ ନିଜ ସପକ୍ଷରେ ଆଣିବା ପାଇଁ କୂଟନୀତି ଓ ଆଲୋଚନା ଜୋରଦାର କରିଥିଲେ । ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକୁ ଆସନ ଅନୁପାତ ନ କମିବାର ଲିଖିତ ଓ ଆଇନଗତ ଭରସା ଦେବା, ସଂଶୋଧିତ ବିଲରେ ସମାନ ୫୦% ଆସନ ବୃଦ୍ଧି ଓ ୨୫ ବର୍ଷର ଫ୍ରିଜ୍ ବ୍ୟବସ୍ଥା ଯୋଡ଼ିବା ଏବଂ ବିଭିନ୍ନ ଦଳ ମଧ୍ୟରେ ବଦଳୁଥିବା ସମୀକରଣକୁ ଆଧାର କରି ସରକାର ନିଜର ସଂଖ୍ୟାଗରିଷ୍ଠତା ଜୁଟାଇବା ନେଇ ଆତ୍ମବିଶ୍ୱାସୀ ହୋଇଛନ୍ତି । ଡିଏମକେ ପାଖରେ ୨୨ ଲୋକ ସଭା ସାଂସଦ ଓ ୮ ରାଜ୍ୟସଭା ସାଂସଦ ରହିଛନ୍ତି। ଅର୍ଥାତ୍ ଏହି ଆଞ୍ଚଳିକ ଦଳ ଏବଂ ଅନ୍ୟ ସମ ଚିନ୍ତାଧାରା ବହନ କରୁଥିବା ଦଳର ଭୋଟ ବା ଅନୁପସ୍ଥିତି ମତଦାନର ହିସାବକୁ ବଦଳାଇ ଦେଇପାରେ, ଯାହାକୁ ନେଇ ବିଜେପି ଆଗାମୀ ୬ ମାସର ରାଜନୈତିକ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିବା ପାଇଁ ପ୍ରସ୍ତୁତ ବୋଲି ଦାବି କରୁଛି ।
ଏନଡିଏର ବରିଷ୍ଠ ନେତାମାନଙ୍କ ଦାବି ଅନୁଯାୟୀ, ଲୋକସଭାରେ ସରକାରଙ୍କ ପାଖରେ ବର୍ତ୍ତମାନ ପ୍ରାୟ ୩୫୮ ଭୋଟ ରହିଛି, ଯାହା ୩୬୦ ମ୍ୟାଜିକ ନମ୍ବରର ଅତି ନିକଟତର । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଶନିବାର ଅର୍ଥାତ ନଭେମ୍ବର ୨୮ ଦିନ ସମସ୍ତ ବିରୋଧୀ ଦଳର ନେତାମାନଙ୍କର ଏକ ବୈଠକ ଡାକିଛନ୍ତି । ଏଥିରେ ଡିଏମକେ, ବିଜେଡି ଏବଂ ଆପ୍ ବି ରହିଛନ୍ତି। କଂଗ୍ରେସ ଏବଂ ସମାଜବାଦୀ ପାର୍ଟି ମହିଳା ସଂରକ୍ଷଣକୁ ସୀମା ପୁନନିର୍ଦ୍ଧାରଣ ସହ ଯୋଡ଼ିବା ପ୍ରକ୍ରିୟାକୁ ବିରୋଧ କରୁଛନ୍ତି। ଏହି ବୈଠକ ପରେ ସମୀକରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
କେଉଁ ଦଳଗୁଡ଼ିକ ସମର୍ଥନ କରିପାରନ୍ତି?
ଲୋକସଭାରେ ଏନଡିଏକୁ ପ୍ରାୟ ୪୦ଟି ଏବଂ ରାଜ୍ୟସଭାରେ ପ୍ରାୟ ୧୦ଟି ଅତିରିକ୍ତ ଭୋଟ ଦରକାର ଥିବାରୁ ଆଞ୍ଚଳିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଏହି କ୍ରମରେବାହାରୁ ଥାଇ ସରକାରଙ୍କ ସମର୍ଥନ କରୁଥିବା ଦଳଗୁଡ଼ିଗର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହେବ। ଏଥିରେ ୱାଇଏସଆରସିପିର ୪ ଲୋକସଭା ସାଂସଦଙ୍କ ଭୂମିକା ସ୍ପଷ୍ଟ ହେବ। ଦଳୀୟ ସୂତ୍ର ଅନୁଯାୟୀ, ଆଞ୍ଚଳିକ ସନ୍ତୁଳନ ରକ୍ଷା କରାଗଲେ ଦଳ ଏହି ବିଲକୁ ସମର୍ଥନ କରିବାକୁ ସଙ୍କେତ ଦେଇଛି । ସେହିପରି ଏନସିପି – ଶରଦଚନ୍ଦ୍ର ପାୱାର ପାଖରେ ରହିଛି ୮ ଲୋକସଭା ସାଂସଦ। ସାଂସଦ ସୁପ୍ରିୟା ସୁଲେ କହିଛନ୍ତି ଯେ ଯଦି ଲୋକସଭା ଆସନରେ ୫୦% ବୃଦ୍ଧି ସୁନିଶ୍ଚିତ ହୁଏ, ତେବେ ତାଙ୍କ ଦଳ ବିଲକୁ ସମର୍ଥନ କରିବା ବିଷୟରେ ବିଚାର କରିପାରେ। ଅର୍ଥାତ୍ ଡିଏମକେ ଏବେ ଏନ୍ସିପି- ଶରଦ ପାଓ୍ୱାର ଦଳର ସମର୍ଥନ ମିଳିବା ସ୍ପଷ୍ଟ ହେଉଛି। ଏବେ ଶିରୋମଣି ଅକାଳି ଦଳ ପଞ୍ଜାବରେ ଏନ୍ଡିଏର ଅଂଶୀଦାର ହୋଇଛି। ଏହିକ୍ରମରେ ଲୋକସଭାରେ ଏହି ଦଳର ଜଣେ ସାଂସଦଙ୍କ ଭୋଟ ବି ମିଳିପାରେ।
ରାଜ୍ୟସଭାରେ ବିଜେଡି ଭୋଟ ଅନେକ ସହାୟକ ହେବ। ଯେଉୋ ୧୦ ଭୋଟ କମ୍ ହେଉଛି ସେଥିରେ ଡିଏମକେ ଓ ବିଜେଡି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ବିଜେଡି ସାଂସଦ ସନ୍ତୃପ୍ତ ମିଶ୍ର ସୂଚନା ଦେଇଛନ୍ତି ଯେ ଯଦି ଓଡ଼ିଶାର ଆନୁପାତିକ ପ୍ରତିନିଧିତ୍ୱ ସୁରକ୍ଷିତ ରହେ, ତେବେ ଦଳ ରାଜ୍ୟସଭାରେ ବିଲକୁ ସମର୍ଥନ କରିପାରେ।
ସଂଖ୍ୟାଗରିଷ୍ଠତାର ଗଣିତ
ରାଜନୈତିକ ବିଶ୍ଳେଷକ ଏବଂ ସଂସଦୀୟ ହିସାବ ଅନୁଯାୟୀ, ଏପ୍ରିଲର ପରାଜୟ ପରେ ଗତ ୬ ମାସରେ ବଦଳିଥିବା ପରିସ୍ଥିତିରେ ସରକାର ବିଭିନ୍ନ ଉପାୟରେ ମ୍ୟାଜିକ ସଂଖ୍ୟା ହାସଲ କରିପାରନ୍ତି:
ଏପ୍ରିଲ ପରଠାରୁ ୨୦ ଜଣ ଟିଏମସି ସାଂସଦ ‘ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ’ ରେ ଯୋଗ ଦେଇଛନ୍ତି ଏବଂ ୬ ଜଣ ଶିବସେନା ସାଂସଦ ଏକନାଥ ସିନ୍ଦେ ଗୋଷ୍ଠୀରେ ସାମିଲ ହୋଇଛନ୍ତି । ଏହି ୨୦ ଜଣ ସାଂସଦଙ୍କ ସଭ୍ୟପଦ ରଦ୍ଦ ଆବେଦନ ବାଚସ୍ପତି ଓମ ବିର୍ଲାଙ୍କ ପାଖରେ ବିଚାରାଧୀନ ଅଛି । ବିରୋଧୀ ଦଳ (ଟିଏମସି ଓ କଂଗ୍ରେସ) ଅଭିଯୋଗ କରିଛନ୍ତି ଯେ ଏହି ୨୦ ସାଂସଦଙ୍କୁ ଭୋଟ ଦେବାକୁ ଅନୁମତି ମିଳିବା ଉପରେ ସରକାର ନିର୍ଭର କରୁଛନ୍ତି ।
ଆଞ୍ଚଳିକ ଦଳଙ୍କ ସିଧାସଳଖ ସମର୍ଥନ: ଯଦି ଏନଡିଏ ( ପ୍ରାୟ ୩୨୦) କୁ ଡିଏମକେ (୨୨), ଏନସିପି-ଏସପି (୮) ଏବଂ ୱାଇଏସଆରସିପି (୪) ର ସମର୍ଥନ ମିଳେ, ତେବେ ମୋଟ ଭୋଟ ସଂଖ୍ୟା ୩୫୪ ରେ ପହଞ୍ଚିବ । ଏହାପରେ ଶତପ୍ରତିଶତ ଉପସ୍ଥିତି ଥିଲେ ମଧ୍ୟ ୩୬୦ ଛୁଇଁବାକୁ ମାତ୍ର ୬ଟି ଅତିରିକ୍ତ ଭୋଟ ଦରକାର ପଡ଼ିବ, ଯାହା ସ୍ୱାଧୀନ ଓ ଛୋଟ ଦଳଙ୍କଠାରୁ ମିଳିପାରେ ।
ଭୋଟଦାନରୁ ବିରତ ରହିବା ବା କକ୍ଷତ୍ୟାଗ: ସମ୍ବିଧାନ ଅନୁଯାୟୀ “ଉପସ୍ଥିତ ରହି ଭୋଟ ଦେଉଥିବା” ସଦସ୍ୟଙ୍କ ଦୁଇ-ତୃତୀୟାଂଶ ଭୋଟ ଆବଶ୍ୟକ ହେଉଥିବାରୁ, କୌଣସି ଦଳ ଭୋଟଦାନରୁ ବିରତ ରହିଲେ ଆବଶ୍ୟକୀୟ ସଂଖ୍ୟା କମିଯାଏ। ଯଦି ଡିଏମକେ (୨୨) ଏବଂ ୱାଇଏସଆରସିପି (୪) ବିପକ୍ଷରେ ଭୋଟ ନ ଦେଇ ଅନୁପସ୍ଥିତ ରୁହନ୍ତି, ତେବେ ମୋଟ ଭୋଟଦାତାଙ୍କ ସଂଖ୍ୟା ୫୧୪ କୁ ଖସିଆସିବ ଏବଂ ୨/୩ ବହୁମତ ପାଇଁ ମାତ୍ର ୩୪୩ ଭୋଟ ଆବଶ୍ୟକ ହେବ ।
ଯଦି ୩୭ ସାଂସଦ ଥିବା ସମାଜବାଦୀ ପାର୍ଟି ଭଳି କୌଣସି ବଡ଼ ଦଳ କକ୍ଷତ୍ୟାଗ କରନ୍ତି, ତେବେ ଆବଶ୍ୟକୀୟ ଲକ୍ଷ୍ୟ ୩୩୬କୁ ଖସିଆସିବ, ଯାହାକୁ ସରକାର ସହଜରେ ପାର କରିପାରିବେ ।
ଏ ସମସ୍ତ କେବଳ ସମୀକରଣ ଓ ଆକଳନ। ସବୁକିଛି ଡିସେମ୍ବର ୨ ତାରିଖରେ ସ୍ପଷ୍ଟ ହୋଇଯିବ ଯେତେବେଳେ ବିଧେୟକ ପାଇଁ ଭୋଟ ଗ୍ରହଣ କରାଯିବ। ଆଉ ଯଦି ବିଜେପି ନିଜ ଲକ୍ଷ୍ୟରେ ସଫଳ ହୁଏ ତେବେ ତାହା ଐତିିହାସିକ ନିଷ୍ପତ୍ତିରେ ପରିଣତ ହେବ। ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରରେ ଯେତେବେଳେ ସଂଖ୍ୟା ଗଣିତର ସଙ୍କଟ ଆସେ ସେତେବେଳେ କିପରି ଆପୋଷ ଆଲୋଚନା ମାଧ୍ୟମରେ ଲକ୍ଷ୍ୟ ହାସଲ କରାଯାଏ ତାହା ଉଦାହରଣ ହୋଇ ରହିବ।
ଅପରପକ୍ଷେ, ଯଦି ସ୍ୱତନ୍ତ୍ର ଅଧିବେଶନରେ ମୋଦୀ ସରକାର ଏହି ବିଧେୟକ ପାରିତ କରିବାରେ ଅସମର୍ଥ ହୁଅନ୍ତି ତେବେ ତାହା ମୋଦୀ-ଶାହ ଯୋଡ଼ିର ପତନ ପାଇଁ ଏକ ବଳିଷ୍ଠ କାରଣ ସାଜିବ। ରାଜନୀତିରେ ସବୁ କିଛି ସମ୍ଭବ। ଏଣୁ ପୂର୍ବରୁ କିଛି ବି କୁହାଯାଇ ନପାରେ। ୩୦ ତାରିଖ ଅଧିବେଶନ ଆରମ୍ଭରେ ଏହାର ସୁରାକ ମିଳିବା ସ୍ପଷ୍ଟ ହେବ ହେଲେ ସବୁକିଛି ନିର୍ଭର କରିବ ସାଂସଦଙ୍କ ଭୋଟଦାନ ଉପରେ। ଆଉ ଏହି ଭୋଟଦାନ ଆଗାମୀ ସମୟରେ ଭାରତ ରାଜନୀତିର ଦିଗ ପରିବର୍ତ୍ତନ କରିବ। ପୂର୍ବରୁ ଯେତେଥର ବି ସୀମା ନିର୍ଦ୍ଧାରଣ ହୋଇଛି ସେ ସମୟରେ ସରକାରରେ ଥିବା ଦଳ ଲାଭ ପାଇଛି। ଏଥର ୨୦୨୯ରେ ଏହି ଲାଭ ବିଜେପିକୁ ଯାଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। କିନ୍ତୁ ଏ ଭିତରେ ଅନେକ ତୁଙ୍ଗ ନେତାଙ୍କ ଭବିଷ୍ୟତ ନଷ୍ଟ ହୋଇଛି। ଯେଉଁ ନେତାମାନେ ଏ କ୍ଷେତ୍ରରେ ସରକାରଙ୍କ ସହାୟକ ହୋଇଥିବେ ହୁଏତ ସେମାନଙ୍କୁ ଏ କ୍ଷେତ୍ରରେ ରିହାତି ମିଳିପାରେ!






