Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ନା ଆମେରିକା ନା ଋଷ: ଭାରତର ‘ଏକଲା ଚଲୋ’ ନୀତି

“ଏକ ରାଷ୍ଟ୍ରର ବୈଦେଶିକ ନୀତି କୌଣସି ଆବେଗ, ଭାବପ୍ରବଣତା କିମ୍ବା ଐତିହାସିକ ଆନୁଗତ୍ୟ ବଦଳରେ କେବଳ ଜାତୀୟ ସ୍ୱାର୍ଥ ଏବଂ ଆତ୍ମରକ୍ଷା ଦ୍ୱାରା ହିଁ ପରିଚାଳିତ ହେବା ଉଚିତ। ଯେତେବେଳେ କୌଣସି ପଦକ୍ଷେପ ରାଷ୍ଟ୍ରର ପ୍ରଗତିକୁ ସୁନିଶ୍ଚିତ କରୁଥାଏ, ସେତେବେଳେ ଜଣେ ରାଜା ‘ଯାନ’ (ସାମରିକ ଅଭିଯାନ କିମ୍ବା ଆଗକୁ ବଢ଼ିବା) ନୀତି ଆପଣାଇବା ଉଚିତ; ଏବଂ ଯେତେବେଳେ କୌଣସି ମେଣ୍ଟ ବା ବନ୍ଧୁତା ଦ୍ୱାରା ରାଷ୍ଟ୍ରର କୌଣସି କୌଶଳଗତ ଫାଇଦା ହୁଏନାହିଁ, ସେତେବେଳେ ‘ଆସନ’ (ନିରପେକ୍ଷତା ବା ନୀରବ ରହିବା) ନୀତି ଅବଲମ୍ବନ କରିବା ଉଚିତ କିମ୍ବା ସେହି ମେଣ୍ଟକୁ ଭାଙ୍ଗିଦେବା ଉଚିତ।”
— ଆଚାର୍ଯ୍ୟ ଚାଣକ୍ୟ (ଅର୍ଥଶାସ୍ତ୍ର)

ପାଖାପାଖି ଅଢ଼େଇ ହଜାର ବର୍ଷ ତଳେ ଚାଣକ୍ୟ ଲେଖିଥିବା ଏହି କୂଟନୈତିକ ଦର୍ଶନ ଏବଂ ୧୮୪୮ରେ ବ୍ରିଟିଶ ରାଜନୀତିଜ୍ଞ ଲୋର୍ଡ ପାମରଷ୍ଟନ୍‌ଙ୍କ ପ୍ରସିଦ୍ଧ ଉକ୍ତି—”International relations have no permanent allies, only permanent interests” (ଅନ୍ତର୍ଜାତୀୟ ସମ୍ପର୍କରେ କୌଣସି ସ୍ଥାୟୀ ମିତ୍ର କିମ୍ବା ସ୍ଥାୟୀ ଶତ୍ରୁ ନଥାନ୍ତି, କେବଳ ସ୍ଥାୟୀ ସ୍ୱାର୍ଥ ଥାଏ)—ଆଜିର ଭାରତୀୟ ବୈଦେଶିକ ନୀତି ପାଇଁ ସବୁଠାରୁ ବଡ଼ ସତ୍ୟ ପାଲଟିଛି।
ଗୋଟିଏ ସମୟ ଥିଲା ଯେତେବେଳେ ଭାରତୀୟ କୂଟନୀତି କେବଳ ସୀମିତ ପରିସର ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ଶ୍ରେୟସ୍କର ମଣୁଥିଲା। କିନ୍ତୁ ଆଜିର ଭାରତ ନିଜର ଆତ୍ମବିଶ୍ୱାସ, ଆଞ୍ଚଳିକ ପ୍ରଭାବ ଏବଂ ନିର୍ଭୀକ ନିଷ୍ପତ୍ତି ପାଇଁ ବିଶ୍ୱରେ ଏକ ନୂତନ ପରିଚୟ ସୃଷ୍ଟି କରିଛି। ଏହା ହେଉଛି ‘ନୂଆ ଭାରତ’—ଯିଏ ନିଜର ସ୍ୱାଧୀନ ବୈଦେଶିକ ନୀତିକୁ କୌଣସି ଶକ୍ତିଶାଳୀ ଦେଶର ଚାପରେ ନୁହେଁ, ବରଂ ନିଜର କଠୋର ରାଷ୍ଟ୍ରୀୟ ହିତ ଉଦ୍ଦଶ୍ୟ ଓ ବାସ୍ତବବାଦକୁ ଆଧାରଶୀଳା ଭାବେ ଗ୍ରହଣ କରିଛି।

ପରିବର୍ତ୍ତିତ ଭାରତୀୟ କୂଟନୀତି:

ବିଶ୍ୱ ଭୂ-ରାଜନୀତିରେ ଭାରତର ସ୍ଥାନ ଆଜି ସମ୍ପୂର୍ଣ୍ଣ ବଦଳିଯାଇଛି । ଭାରତ ଆଉ ବିଶ୍ୱ ଘଟଣାବଳୀର ଏକ ନିଷ୍କ୍ରିୟ ଦର୍ଶକ ହୋଇ ରହିନାହିଁ, ବରଂ ନିୟମ ନିର୍ଦ୍ଧାରଣ କରୁଥିବା ଏକ ପ୍ରମୁଖ ବିଶ୍ୱଶକ୍ତି ଭାବେ ଉଭା ହୋଇଛି।
ସ୍ବାଧୀନତା ପରବର୍ତ୍ତୀ ସମୟରେ ଭାରତର ଆଚରଣ ପ୍ରାୟତଃ ଆତ୍ମ-ରକ୍ଷାତ୍ମକ ଏବଂ ବିଶ୍ୱ ଗୋଷ୍ଠୀଗୁଡ଼ିକଠାରୁ ଦୂରତାରେ ରହିବା ଭଳି ଥିଲା। ଆଜି ଭାରତ ବିଶ୍ୱର ସମସ୍ତ ପ୍ରମୁଖ ଗୋଷ୍ଠୀ ସହ ସମ୍ପୃକ୍ତ ରହି ମଧ୍ୟ ନିଜର ନିର୍ଣ୍ଣାୟକ ସ୍ୱର ପ୍ରକାଶ କରୁଛି। ଭାରତ କୌଣସି ବିଶ୍ୱ ଶକ୍ତିର ‘ଅନୁଗାମୀ’ ନୁହେଁ, ବରଂ ନିଜେ ଏକ ସ୍ବତନ୍ତ୍ର ଶକ୍ତି କେନ୍ଦ୍ର।
ଭାରତର ବୈଦେଶିକ ନୀତି ବିଭିନ୍ନ ଦଶନ୍ଧିରେ ଭିନ୍ନ ଭିନ୍ନ ଦୂରଦୃଷ୍ଟି ଦେଇ ଗତି କରିଛି, ଯାହା ମୋଦି ଶାସନ କାଳରେ ଶୀର୍ଷରେ ପହଞ୍ଚିଛି।
ଜବାହରଲାଲ ନେହେରୁଙ୍କ ସମୟରେ ଅନୁପ୍ରାଣୀତ ନୀତି ଗୋଷ୍ଠୀ ନିରପେକ୍ଷତା ବା ନନ୍‍ ଆଲାଏନ୍‍ଡ ଥିଲା। ତତ୍‍କାଳୀନ ଶୀତଳ ଯୁଦ୍ଧ ସମୟରେ ଆମେରିକା ଓ ସୋଭିଏତ୍ ୟୁନିଅନ୍ ଗୋଷ୍ଠୀଠାରୁ ଦୂରେଇ ରହିବା ପାଇଁ ‘ଗୋଷ୍ଠୀ ନିରପେକ୍ଷ’ (ନାମ୍‍) ନୀତି ଗ୍ରହଣ କରାଯାଇଥିଲା। ଏହା ନୈତିକ ଓ ଆଦର୍ଶବାଦୀ ଥିଲା ସତ, କିନ୍ତୁ କେତେକ ସମୟରେ ସାମରିକ ଓ ରଣନୈତିକ ସ୍ୱାର୍ଥ ରକ୍ଷାରେ ଏହା ସୀମିତ ପ୍ରମାଣିତ ହେଉଥିଲା।
ଅନେକ ବର୍ଷ ଏହି ନୀତିକୁ ଆଦର୍ଶ କରି ଭାରତ ଏହାର ବୈଦେଶିକ ନୀତି ଓ କାର୍ଯ୍ୟକ୍ରମ ସ୍ଥିର କରୁଥିଲା। ହେଲେ ମନମୋନ ସିଂହ ପ୍ରଧାନମନ୍ତ୍ରୀ ହେବା ପରେ ଏ ନୀତିରେ ପରିବର୍ତ୍ତନ ଆସିଲା। ଉଦାରୀକରଣ ପରବର୍ତ୍ତୀ ସମୟରେ ଡ. ମନମୋହନ ସିଂହ ବୈଦେଶିକ ନୀତିକୁ ଆର୍ଥିକ ପ୍ରଗତି ସହ ଯୋଡ଼ିଥିଲେ। ଆମେରିକା ସହ ଐତିହାସିକ ବେସାମରିକ ଆଣବିକ ଚୁକ୍ତି ଏହାର ବଡ଼ ଉଦାହରଣ। ତଥାପି, ଏହି ସମୟରେ ଭାରତର ପଦକ୍ଷେପ ପ୍ରାୟତଃ ସତର୍କ ଏବଂ କୋମଳ ଥିଲା।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧୀନରେ ଭାରତ ‘ଗୋଷ୍ଠୀ ନିରପେକ୍ଷ’ ବା ନନ୍‍ ଆଲାଏନ୍‍ମେଣ୍ଟ ଆଦର୍ଶବାଦରୁ ବାହାରି ‘ବହୁ-ସଂଲଗ୍ନତା’ ମଲ୍ଟି ଆଲାଏନ୍‍ମେଣ୍ଟକୁ ଆପଣେଇଛି। ଭାରତ ଏବେ ସମସ୍ତ ଶକ୍ତିଶାଳୀ ଦେଶ ସହ ସମାନ ଭାବେ ଆଲୋଚନା କରୁଛି। ସୀମା ସୁରକ୍ଷା ହେଉ କିମ୍ବା ବାଣିଜ୍ୟ, ଆକ୍ରାମକ ଭାବେ ନିଜର ଦାବି ଉପସ୍ଥାପନ କରୁଛି।
ଗ୍ଲୋବାଲ ମିଡିଆ ଏବଂ ବିଶ୍ୱସ୍ତରୀୟ ଥିଙ୍କ-ଟ୍ୟାଙ୍କଗୁଡ଼ିକ ଭାରତର ଏହି ନୂତନ ରୂପକୁ ଅତି ଗମ୍ଭୀରତାର ସହ ନେଉଛନ୍ତି। ପାକିସ୍ତାନୀ ନେତା ଓ ମିଡିଆ ଭଳି ପାଶ୍ଚାତ୍ୟ ରାଷ୍ଟ୍ରର ମିଡିଆ ମଧ୍ୟ ଭାରତର ନୂଆ ବୈଦେଶିକ ନୀତିକୁ ତର୍ଜମା କରୁଛନ୍ତି, ଯେଉଁଥିରେ ଭାରତ ସ୍ୱତନ୍ତ୍ର ନିଷ୍ପତ୍ତି ନେଉଥିବା ସ୍ପଷ୍ଟ ଦିଶୁଛି।

‘ନ୍ୟୁୟର୍କ ଟାଇମ୍ସ’, ‘ୱାଶିଂଟନ୍ ପୋଷ୍ଟ’ ଏବଂ ‘ଦି ଇକୋନୋମିଷ୍ଟ’ ଭଳି ଗଣମାଧ୍ୟମ ଦର୍ଶାଉଛନ୍ତି ଯେ ଭାରତ ଆଜି ଆଉ ପାଶ୍ଚାତ୍ୟ ଦେଶମାନଙ୍କର ନିର୍ଦ୍ଦେଶ ମାନିବାକୁ ବାଧ୍ୟ ନୁହେଁ। ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ବ୍ୟାବହାରିକ ଏବଂ ସ୍ପଷ୍ଟବାଦୀ ବିବୃତ୍ତିଗୁଡ଼ିକୁ ବିଶ୍ୱ ମିଡିଆରେ ଭାରତର ବୃଦ୍ଧିପାଉଥିବା ଆତ୍ମବିଶ୍ୱାସର ପ୍ରତୀକ ଭାବେ ଚିତ୍ରିତ କରାଯାଉଛି।
ଆମେରିକାର ପ୍ରସିଦ୍ଧ ଗବେଷଣା ସଂସ୍ଥା ‘ସେଣ୍ଟର ଫର୍ ଷ୍ଟ୍ରାଟେଜିକ୍ ଆଣ୍ଡ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍’ (ସିଏସ୍‍ଆଇଏସ୍‍) ଏବଂ ‘କାର୍ନେଗି ଏଣ୍ଡୋମେଣ୍ଟ’ ର ବିଶ୍ଳେଷଣ ଅନୁଯାୟୀ, ଭାରତ ଆଜି ବିଶ୍ୱର ଏକ ପ୍ରମୁଖ “ସ୍ୱିୟିଂ ଷ୍ଟେଟ” କିମ୍ବା “ବ୍ରିଜିଂ ପାଓ୍ୱାର” ଭାବେ ସ୍ୱୀକୃତି ପାଇଛି। ଏହି ସଂସ୍ଥାଗୁଡ଼ିକର ରିପୋର୍ଟ ଦର୍ଶାଏ ଯେ ଗ୍ଲୋବାଲ ସାଉଥ୍ (ବିକାଶଶୀଳ ଦେଶ) ଏବଂ ବିକଶିତ ପାଶ୍ଚାତ୍ୟ ଜଗତ ମଧ୍ୟରେ ସଂଯୋଗ ସ୍ଥାପନ କରିବାରେ ଭାରତ ହେଉଛି ଏକମାତ୍ର ଗ୍ରହଣୀୟ ଦେଶ।

ଭାରତର ବୈଦେଶିକ ନୀତି କେବଳ ବୃହତ୍ ଶକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନରେ ସୀମିତ ନୁହେଁ, ବରଂ ଅବହେଳିତ ଓ ବିକାଶଶୀଳ ରାଷ୍ଟ୍ରଗୁଡ଼ିକର ସ୍ୱର ପାଲଟିବାରେ ଏହା ସଫଳ ହୋଇଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ୟୁନିଅନ୍କୁ ଏହାର ସ୍ଥାୟୀ ସଦସ୍ୟତା ଦେବାରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଥିଲା। ଏହା ଭାରତକୁ ‘ଗ୍ଲୋବାଲ ସାଉଥ୍’ର ନିଃସନ୍ଦେହ ନେତା ଭାବେ ପ୍ରତିଷ୍ଠିତ କରିଛି।
ସ୍ୱିଡେନ୍‌ର ପ୍ରସିଦ୍ଧ ପ୍ରତିରକ୍ଷା ଗବେଷଣା ସଂସ୍ଥା ସିପ୍ରି ( ଷ୍ଟକହୋମ ଆନ୍ତର୍ଜାତିକ ଶାନ୍ତି ଗବେଷଣା ପ୍ରତିଷ୍ଠାନ)ର ତଥ୍ୟ ଅନୁଯାୟୀ, ଭାରତ କେବଳ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ର ଆମଦାନୀକାରୀ ଦେଶ ହୋଇ ରହିନାହିଁ, ବରଂ ଏବେ ନିଜର ‘ଆତ୍ମନିର୍ଭର ଭାରତ’ ନୀତି ମାଧ୍ୟମରେ ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରି କୂଟନୈତିକ ବାର୍ଗେନିଂ କ୍ଷମତା ବୃଦ୍ଧି କରିଛି।

ଏହା ପ୍ରମାଣିତ କରୁଛି ଯେ, ଆଜିର ଭାରତ କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଦାସ ନୁହେଁ, ପୁଣି ପୁରୁଣା ‘ଗୋଷ୍ଠୀ ନିରପେକ୍ଷ’ ନୀତିର ନିଷ୍କ୍ରିୟତାରେ ବନ୍ଧା ନୁହେଁ।
ଭାରତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ ସହ ‘କ୍ୱାଡ୍’ରେ ରହି ଚୀନ୍‌କୁ ସମୁଦ୍ରରେ ଘେରୁଛି। ଅନ୍ୟପଟେ, ‘ବ୍ରିକ୍ସ’ ଓ ଏସ୍‍ସିଓ ମଞ୍ଚରେ ଋଷ ଓ ଚୀନ୍‌ ସହ ବସି ଆମେରିକୀୟ ଆଧିପତ୍ୟକୁ ସନ୍ତୁଳିତ କରୁଛି, ଯାହା ଆମେରିକାର ଚିନ୍ତା ବଢ଼ାଉଛି।

ଆଗାମୀ ବାଟ ଓ ନିଷ୍କର୍ଷ

ଆଜିର ଭାରତ ଆଉ କୌଣସି ମେଣ୍ଟର ନିଷ୍କ୍ରିୟ ଅଂଶୀଦାର ନୁହେଁ। ନେହେରୁଙ୍କ ‘ଗୋଷ୍ଠୀ ନିରପେକ୍ଷତା’ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଆଜି ମୋଦିଙ୍କ ‘ବହୁ-ସଂଲଗ୍ନତା’ ଓ ‘ରାଷ୍ଟ୍ରୀୟ ହିତ ସର୍ବୋପରି’ ନୀତିରେ ପହଞ୍ଚିଛି। ନୂଆ ଭାରତ ଆମେରିକା ସହ କ୍ୱାଡ୍‌ରେ ବସୁଛି, ଋଷଠାରୁ ତେଲ କିଣୁଛି, ଇସଲାମିକ ଦେଶ ସହ ବନ୍ଧୁତା ରଖୁଛି ଏବଂ ଶତ୍ରୁ ଦେଶମାନଙ୍କୁ ତାଙ୍କ ନିଜ ଭୂମି ପାଖରେ ଘେରୁଛି।
ବର୍ତ୍ତମାନ ଭାରତ କେବଳ ନିଜ ସୀମା ଭିତରେ ସୀମିତ ନରହି ବିଶ୍ୱ ଶାନ୍ତି, ଶକ୍ତି ସୁରକ୍ଷା, ଏବଂ ବାଣିଜ୍ୟିକ ସ୍ଥିରତା ପାଇଁ ନିଜର ଦାୟିତ୍ୱ ନିର୍ବାହ କରୁଛି। ଏହା ହିଁ ଆତ୍ମବିଶ୍ୱାସୀ, ସ୍ୱାଧୀନ, ବାସ୍ତବବାଦୀ ଏବଂ ପ୍ରାଗମାଟିକ୍ ‘ନୂଆ ଭାରତ’ର ବୈଦେଶିକ ନୀତି।

LEAVE A REPLY

Please enter your comment!
Please enter your name here

Popular Articles