Saturday, November 28, 2026
spot_imgspot_img

Top 5 This Week

spot_img

Related Posts

ଓଡ଼ିଶା ସରକାରରେ ସ୍ଥାଣୁ ଆଇନ ବିଭାଗ; ଜାଣିଶୁଣି ଅଜଣା ସରକାର

ରାଜନୀତିକ ଅଂହଙ୍କାର କିପରି ଜନ ସାଧାରଣଙ୍କ ଅର୍ଥ, କୋର୍ଟଙ୍କ ସମୟ ନଷ୍ଟ କରି ଜଣେ ଅଭିଯୁକ୍ତ ସରକାରୀ କର୍ମଚାରୀଙ୍କୁ ପୁଣିଥରେ ଚାକିରି ପାଇବାରେ ସହାୟକ ହୁଏ ତାହା ରାଜ୍ୟରେ ବାରମ୍ବାର ପ୍ରମାଣିତ ହୋଇଛି। ତଥାପି ପରିବର୍ତ୍ତିତ ଓଡ଼ିଶା ସରକାର ଏଥିରୁ ବିରତ ହୋଇପାରୁ ନାହାନ୍ତି। ବିଗତ ଏକ ଦଶନ୍ଧି ଭିତରେ ଏମିତି ଏକ ଡଜନ ମାମଲାରେ ସରକାର ହାରିଥିଲେ ବି ଆଇନକୁ ପଛକୁ ଠେଲି ସ୍ୱଭାବିକ ଅଧିକାରକୁ ଉଲ୍ଲଂଘନ କରି କାର୍ଯ୍ୟାନୁଷ୍ଠାନ ନେବାକୁ ପଛାଉ ନାହାନ୍ତି।

ନଭେମ୍ବର ୬, ୨୦୨୬। ଦୁର୍ନୀତି ପ୍ରତିରୋଧ ଆଇନ ୨୦୧୮ର ଧାରା ୭ ଅନୁସାରେ ବାଲେଶ୍ୱର ସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ମାମଲା ରୁଜୁ ହେଲା। ଏହି ମାମଲା ବଳରେ ଭିଜିଲାନ୍ସର ଏକ ଟିମ୍‍ ବାଲିଆପାଳ ଉପ ନିବନ୍ଧକଙ୍କର କାର୍ଯ୍ୟାଳୟରେ ଚଢ଼ାଉ କରି ୨୦୨୨ ବ୍ୟାଚ୍‍ ଓଡ଼ିଶା ରାଜସ୍ୱ ସେବା ଅଧିକାରୀ ମନୀଷା ମିଶ୍ରଙ୍କୁ ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା। ଏହାପରେ ଚିରା ଚରିତ ପ୍ରଥା ଅନୁସାରେ ତାଙ୍କର ବିଭିନ୍ନ ଆସ୍ଥାନରେ ଚଢ଼ାଉ କରାଯାଇ ନଭେମ୍ବର ୭ ତାରିଖରେ ଏକ ମାମଲା ରୁଜୁ ହେଲା, ଯାହା ବଳରେ ମନୀଷାଙ୍କୁ ଗିରଫ କରାଯାଇଥିଲା। ଘଟଣାର ତିନିଦିନ ପରେ ଓଡ଼ିଶା ରାଜସ୍ୱ ବିଭାଗ ତାଙ୍କୁ ଚାକିରିରୁ ବହିଷ୍କୃତ କରିଲା। ଓଡ଼ିଶା ରାଜସ୍ୱ ସେବା ଆଇନ ୨୦୧୬ ଏବଂ ସରକାରୀ କର୍ମଚାରୀ ଆଚରଣ ବିଧି ୧୯୫୯ ଅନୁସାରେ ତାଙ୍କୁ ଚାକିରି ହରାଇବାକୁ ପଡ଼ିଥିବା ରାଜ୍ୟ ସରକାରଙ୍କ ବିଜ୍ଞପ୍ତିରେ ସ୍ପଷ୍ଟ କରାଗଲା।
ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ, ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ଏବଂ ତ୍ୱରିତ କାର୍ଯ୍ୟାନୁଷ୍ଠାନର ଏକ ଉଦାହରଣ ବୋଲି ସରକାରୀ ଦଳ ପ୍ରଚାର କରୁଛି। ଅନ୍ୟ ପକ୍ଷରେ ସୋଶାଲ୍‍ ମିଡିଆ ଠାରୁ ଆରମ୍ଭ କରି କିଛି ସ୍ୱାଧୀନ ମିଡିଆରେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରାଯାଇଛି। ଏପରିକି ଏହା ପୂର୍ବରୁ ଅନେକ ଅଧିକାରୀ ଭିଜିଲାନ୍ସ ଜାଲରେ ଧରାପଡ଼ିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କାହିଁକି ସମାନ କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ ତାହାକୁ ନେଇ ପ୍ରଶ୍ନ ଉଠାଯାଇଛି। ଖାଲି ସେତିକି ନୁହେଁ, ସରକାରୀ ଆଇଏଏସ୍‍ ଏବଂ ଓଏଏସ୍‍ ଅଧିକାରୀଙ୍କ ବିରୋଧରେ ସମାନ ଦୁର୍ନୀତି ଅଭିଯୋଗ ପାଇଁ ଭିନ୍ନ ଭିନ୍ନ କାର୍ଯ୍ୟାନୁଷ୍ଠାନ ନେଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ର ଉପ ଜିଲ୍ଲାପାଳ ଭାବେ ଅଧିଷ୍ଠିତ ଥିବା ୨୦୨୧ ବ୍ୟାଚ୍‍ ଆଇଏଏସ୍‍ ଅଧିକାରୀଙ୍କୁ ଜୁନ୍‍ ୮ ୨୦୨୫ ମସିହାରେ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା। ସେତେବେଳେ ସମାନ ସରକାର କ୍ଷମତାରେ ଥିଲେ। କିନ୍ତୁ ସରକାର ତାଙ୍କୁ ଚାକିରିରୁ ବହିଷ୍କୃତ ନ କରି ନିଲମ୍ବନ କରିଥିଲେ। ପ୍ରାୟ ୧ ବର୍ଷ ପରେ ସେ ପୁଣିଥରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ଉପସଚିବ ଭାବେ ଯୋଗ ଦେଲେ। ଏବେ ସେ କାର୍ଯ୍ୟରତ।
ଖାଲି ସେତିକି ନୁହେଁ ରାଜ୍ୟ ସରକାରଙ୍କ ଭିଜିଲାନ୍ସ ବିଭାଗ ଗଲା ଅଢ଼େଇ ବର୍ଷ ଭିତରେ ଜୁନ୍‍ ୨୦୨୪ରୁ ଆଜି ଯାଏ ପ୍ରାୟ ୫୧୬ଜଣ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସେମାନଙ୍କ ସହ ସମ୍ପୃକ୍ ୧୧୯୦ ସ୍ଥାନରେ ଚଢ଼ାଉ ମଧ୍ୟ କରିଛି। ଏହି ମାମଲାରେ ୫୭୩ ଜଣ ଗିରଫ ହୋଇଥିବା ଖବର ମିଳିଛି। ଏହି ମାମଲାଗୁଡ଼ିକ ଭିତରେ ୧୪୪ଟି ମାମଲାରେ ବେଆଇନ ସମ୍ପତ୍ତି ହଡ଼ପ ପ୍ରଶ୍ନ ଉଠିଛି ଆଉ ଅଭିଯୁକ୍ତଙ୍କ ନାମରେ ଥିବା ୨୨୮୧ଟି ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରାଯାଇଛି। ୪୨ ଜଣଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି ଏବଂ ୯୧ ଜଣଙ୍କ (ପୃଷ୍ଠା ୨)
ପେନ୍‍ସନ୍‍ ରଦ୍ଦ କରାଯାଇଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡ଼ିଛି, ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ନିଜ ବକ୍ତବ୍ୟରେ ଅକ୍ଟୋବର ୨୭, ୨୦୨୬ରେ ସାମିଲ କରିଥିଲେ। ସେହିପରି ୯୧ଜଣଙ୍କ ପେନସନ୍‍ ବନ୍ଦ କରାଯାଇଛି।
ଦୁର୍ନୀତି ବିରୋଧରେ ସରକାରଙ୍କ ଏହି କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ଭାବେ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ। କିନ୍ତୁ ଆଇନର ଧାରାଗୁଡ଼ିକୁ ପାଳନ ନ କରି ସରକାର ରାଜନୀତିକ ଫାଇଦା ପାଇଁ ଏପରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେଉଥିବାରୁ ଅନେକ ସମୟରେ ବେଇଜ୍ଜତ ହୋଇଛନ୍ତି। ଖାଲି ସେତିକି ନୁହେଁ, ନିକଟ ଅତୀତରେ ସରକାରୀ ଦଳ କିପରି ଅଫିସରଙ୍କୁ ଚାକିରିରୁ ବହିଷ୍କାର କରି ହଟହଟା ହୋଇଛନ୍ତି ଏବଂ କୋର୍ଟ ଆଦେଶରେ ପୁଣିଥରେ ଛେପ ଢୋକିଛନ୍ତି ସେମିତି କିଛି ଘଟଣାକୁ ଉଲ୍ଲେଖ କରାଯାଇପାରେ।
ପ୍ରଥମେ ରାଜ୍ୟରେ ମୋହନ ମାଝିଙ୍କ ନେତୃତ୍ୱରେ ବିଜେପି ସରକାରର କ୍ଷମତାସୀନ ପରବର୍ତ୍ତୀ ଉଦାହରଣକୁ ଦୃଷ୍ଟି ଦେବା। ଶ୍ରୀ ମାଝି କ୍ଷମତାପନ୍ନ ହେବା ପରେ ପ୍ରଥମ ଘଟଣା ଭାବେ ବିନା କୌଣସି ଠିକଣା ତଦନ୍ତରେ ମନୀଷା ମିଶ୍ରଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ମାମଲାକୁ ନେଇ ଏଯାଏ କୌଣସି କୋର୍ଟରେ ମାମଲା ଦାୟର କରାଯାଇ ନାହିଁ। ହେଲେ ଏହି ମାମଲାରେ ମନିଷାଙ୍କ ସ୍ୱଭାବିକ ଅଧିକାର କ୍ଷୁର୍ଣ୍ଣ ହୋଇଥିବା ଅଭିଯୋଗ ହୋଇପାରେ, କାରଣ ସରକାର ଭିଜିଲାନ୍ସ ଦାଖଲ କରିଥିବା ଅଭିଯୋଗକୁ ନେଇ ଆଇନ ଅନୁସାରେ ତଦନ୍ତ କରି ନାହାନ୍ତି।

ଘାସିରାମ ବେହେରା

ଏହିପରି ଭାବେ ବିନା ତଦନ୍ତରେ ଚାକିରିରୁ ବହିଷ୍କାର ହୋଇଥିବା କନିଷ୍ଠ ଟ୍ରେଜରି ସହାୟକ ଘାସିରାମ ବେହେରାଙ୍କୁ ଶ୍ରୀ ମାଝିଙ୍କ ସରକାର ସେପ୍ଟେମ୍ବର ୩, ୨୦୨୪ରେ ପୁଣିଥରେ ଚାକିରି ଦେବାକୁ ବାଧ୍ୟହୋଇଥିଲେ। ବିଜେଡି ସରକାର ସମୟରେ ଏମିତି ଏକ ଭିଜିଲାନ୍ସ ମାମଲାରେ ତାଙ୍କୁ ଗିରଫ କରାଯାଇଥିଲା। ପରେ ଅକ୍ଟୋବର ୨୦, ୨୦୧୭ମସିହାରେ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଓଡ଼ିଶା ହାଇକୋର୍ଟ ଏ ମାମଲାର ଶୁଣାଣି କରି ରାଜ୍ୟ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଏବଂ ପିଛିଲା ଭାବେ ସମସ୍ତ ଦରମା, ଭତ୍ତା ଦେବାକୁ ଆଦେଶ ଦେଇଥିଲେ। ଖାଲି ସେତିକି ନୁହେଁ ୭ ବର୍ଷ ପରେ ସମ୍ପୃକ୍ତ ସରକାରୀ କର୍ମଚାରୀ ପୁଣିଥରେ ଚାକିରି ଓ ସରକାରୀ ଲାଭ ଫେରିପାଇଲେ।

ସାଗରିକା ପରିଡ଼ା

ସେହିପରି ମହିଳା ସବ୍ଇନ୍ସପେକ୍ଟର ସାଗରିକା ପରିଡ଼ା ବ୍ୟକ୍ତିଗତ ସ୍ତରରେ ଏକ ମାମଲାକୁ ଲୁଚାଇଥିବା ଅଭିଯୋଗରେ ତତ୍‍କାଳୀନ ଡିଜି ଅଭୟ ଡିସେମ୍ବର ୨୦୨୦ରେ ତାଙ୍କୁ ବହିଷ୍କାର କରିଥିଲେ। କୋର୍ଟ ଏହାକୁ ନ୍ୟାୟ ସଙ୍ଗତ ନୁହେଁ ବୋଲି କହି ରାଜ୍ୟ ସରକାରଙ୍କୁ ତାଙ୍କର ପୁନଃ ନିଯୁକ୍ତି ଆଦେଶ ଦେଇଥିଲେ। ତାହାକୁ ମାନିବାକୁ ବାଧ୍ୟ ହୋଇଥିଲେ ରାଜ୍ୟ ସରକାର। ଚଳିତ ବର୍ଷ ଏହି ଆଦେଶକୁ ସରକାର କାର୍ଯ୍ୟକାରୀ କରିଛନ୍ତି।

ତ୍ରିନାଥ ମିଶ୍ର

ଅନ୍ୟ ଏକ ମାମଲାରେ ପୁଲିସ ଇନ୍ସପେକ୍ଟର ତ୍ରିନାଥ ମିଶ୍ରଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଥିବାରୁ ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ ରାଜ୍ୟ ସରକାର। ଏହା ବିରୋଧରେ ୨୦୨୧ ମସିହାରେ ତ୍ରିନାଥ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ରିଭ୍ୟୁ କମିଟି ପ୍ରକ୍ରିୟାକୁ ବେଆଇନ େବାଲି କହି ରାଜ୍ୟ ସରକାରଙ୍କୁ ତୁରନ୍ତ ବାଧ୍ୟତାମୂଳକ ଅବସର ଆଦେଶକୁ ଉଠାରଇବା ପାଇଁ ଆଦେଶ ଦେଇଥିଲେ। ଏହା ମଧ୍ୟ ୨୦୨୫ ମସିହାରେ ମୋହନ ମାଝିଙ୍କ ସରକାର ଲାଗୁ କରିଥିଲେ।
ଉପରସ୍ଥ ତିନୋଟି ଉଦାହରଣ ସ୍ପଷ୍ଟ କରୁଛି ଯେ, ପୂର୍ବ ସରକାରର ବେପରୁଆ ଆଚରଣ ତଥା ଅତ୍ୟଧିକ ଆତ୍ମବିଶ୍ୱାସ ଏବଂ ଅହଙ୍କାର କୋର୍ଟଙ୍କ ଦ୍ୱାରା ଖାରଜ ହୋଇଛି। ଆଉ ଏହାର କ୍ଷତିଭରଣା ମଧ୍ୟ ମୋହନ ମାଝିଙ୍କ ସରକାର କରିଛନ୍ତି। ତଥାପି ଏଥିରୁ ଶିକ୍ଷା ନପାଇ ପୁଣିଥରେ ବିନା କୌଣସି ତଦନ୍ତରେ ସରକାର କର୍ମଚାରୀଙ୍କୁ ବହିଷ୍କାର କରିଛନ୍ତି।
ସମ୍ବିଧାନର ଧାରା ୩୧୧ (୨) ଅନୁସାରେ ସମ୍ବିଧାନ ପ୍ରତିଟି ସରକାରୀ କର୍ମଚାରୀଙ୍କୁ କୌଣସି ଅଭିଯୋଗର ତଦନ୍ତରେ ଭାଗ ନେବାକୁ ସୁଯୋଗ ଦେବେ। ସେମାନଙ୍କ ବିରୋଧରେ ଯେଉଁ ବହିଷ୍କାର କାର୍ଯ୍ୟାନୁଷ୍ଠାନ ହେବାକୁ ଯାଉଛି ତାହା ବିରୋଧରେ ନିଜର ପକ୍ଷ ରଖିବାକୁ ସୁଯୋଗ ଦେବେ। ଅର୍ଥାତ୍‍ ସରକାର ଯଦି ମନ ଇଚ୍ଛା କୌଣସି କର୍ମଚାରୀଙ୍କ ସ୍ୱଭାବିକ ଅଧିକାରକୁ କ୍ଷୁର୍ଣ୍ଣ କରି ଅଥବା ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷ ରଖିବାକୁ ସୁଯୋଗ ନ ଦେଇ କାର୍ଯ୍ୟାନୁଷ୍ଠାନ ନେବେ ତାହା ବେଆଇନ ହେବ। ପୁଣି ଧାରା ୩୧୧ (୩) ଅନୁସାରେ ସରକାର ନେଇଥିବା କାର୍ଯ୍ୟାନୁଷ୍ଠାନକୁ କୋର୍ଟ ଶୁଣିପାରିବେ। ଯଦି ବହିଷ୍କାର ପଛରେ ମିଥ୍ୟା, କପୋଳ କଳ୍ପିତତ, ଉଦ୍ଦେଶ୍ୟମୂଳକ କାରଣ ଥାଏ ତେବେ ତାହାକୁ ମଧ୍‍ୟ କୋର୍ଟ ଖାରଜ କରିଦେଇପାରିବେ।
ଏହି କାରଣରୁ ସରକାର ନେଉଥିବା ଅନେକ କାର୍ଯ୍ୟାନୁଷ୍ଠାନ ପରବର୍ତ୍ତୀ ସମୟରେ ବୁମେରାଂ ହୋଇଛି। ଷାଠିଏ ଦଶକରେ ପ୍ରୋବେସନରେ ଥିବା ପୁଲିସ ସବ୍‍ଇନ୍ସପେକ୍ଟର ରାମନାରାୟଣଙ୍କୁ ଏହିପରି ଭାବେ ଚାକିରିରୁ ବାହାର କରାଯାଇଥିଲା। ଯାହାକୁ ନେଇ ସେ କେର୍ଟଙ୍କଦ୍ୱାରସ୍ଥ ହୋଇଥିଲେ। ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ପୁଣିଥରେ ଚାକିରିକୁ ଫେରାଇ ନିଆଯାଇଥିଲା।
ଜରୁରୀକାଳୀନ ପରିସ୍ଥିତିରେ ସରକାର ଏମିତି ଅନେକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଯେଉଁମାନେ ସରକାରୀ ଆଦେଶ ମାନିଲେ ନାହିଁ ସେମାନଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ଯେତେବଳେ ଜରୁରୀକାଳୀନ ପରିସ୍ଥିତି ଶେଷ ହୋଇଥିଲା, ସେତେବଳେ କୋର୍ଟ ସେମାନଙ୍କୁ ପୁଣିଥରେ ଚାକିରିରେ ଅଧିଷ୍ଠିତ କରାଇବାକୁ ସରକାରଙ୍କୁ ଆଦେଶ ଦେଇଥିଲେ।

୧୯୮୦ ଦଶକ

୧୯୮୦ ଦଶକରେ ଏମିତି ଏକ ଉଦାହରଣ ଦେଖିବାକୁ ମିଳିଥିଲା ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମରେ। ସେତେବଳେ ସୁବାସ ଚନ୍ଦ୍ର ଦାସ ସହକାରୀ ପରିଚାଳକ ଥାଆନ୍ତି। ଆଉ ସେ ସମୟରେ ଏହିପରି ସରକାରୀ ନିଗମରେ ନେତାଙ୍କ ପ୍ରାଦୁର୍ଭାବ ଅଧିକ ଥାଏ। ଏହି ସମୟରେ ନିଗମ ଶ୍ରୀ ଦାସଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ନଭେମ୍ବର ୧୯୮୩ ମସିହାରେ ଏହିପରି ଏକ କାର୍ଯ୍ୟାନୁଷ୍ଠାନ ଚର୍ଚ୍ଚାର ବିଷୟ ପାଲଟିଥିଲା। ନିଗମ ଗୁଡ଼ିକୁ ସରକାରୀ ଅଫିସରୁ ଅଲଗା ବୋଲି ଦର୍ଶାଇ କାର୍ଯ୍ୟାନୁଷ୍ଠାନ ଲାଗି ତଦନ୍ତର ଆବଶ୍ୟକତା ନଥିବା କେହି କେହିଁ ଯୁକ୍ତି ବାଢ଼ିଲେ। କିନ୍ତୁ ଓଡ଼ିଶା ହାଇକୋର୍ଟ ଏଥିରେ ଭିନ୍ନ ରାୟ ଦେଇ ଧାରା ୧୪ ଅନୁସାରେ ସରକାରୀ ଉଦ୍ୟୋଗଗୁଡ଼ିକୁ ସରକାରୀ ନିୟମ ମାନିବାକୁ ଆଦେଶ ଦେଇଥିଲେ ଏବଂ ଶ୍ରୀ ଦାସଙ୍କୁ ଚାକିରି ଫେରାଇବାକୁ ଆଦେଶ ଦେଇଥିଲେ।

୧୯୯୦ ଦଶକ

୯୦ ଦଶକରେ ରାଜ୍ୟରେ ଦେଖାଦେଇଥିବା ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡ଼ିକରେ କଲେଜ ଗଭର୍ଣ୍ଶିଂ ବଡିର କ୍ଷମତାକୁ ନେଇ ଚର୍ଚ୍ଚା ହେଉଥିଲା। ସେତେବେଳେ ଶିକ୍ଷକଙ୍କୁ ନିଯୁକ୍ତି କରିବା ତାଙ୍କୁ ବହିଷ୍କାର କରିବା ଏକ ସାଧାରଣ କଥା ଥିଲା। ହେଲେ ଜଣେ କଲେଜ ଅଧ୍ୟାପିକା ମଧୁସ୍ମିତା ଦତ୍ତ ଏହି ବିଷୟକୁ ନେଇ କୋର୍ଟଙ୍କ ଦୃଷ୍ଟି ଆକର୍ତଷଣ କରିଲେ। ତାଙ୍କୁ ସେପ୍ଟେମ୍ବର ୧୯୯୫ ମସିହାରେ ଚାକିରିରୁ ବହିଷ୍କାର କରାଯାଇଥିଲା।

ନବୀନଙ୍କ ଅଢ଼େଇ ଦଶନ୍ଧି

୨୦୦୦ ମସିହାରେ ରାଜ୍ୟରେ ନୂଆ ସରକାର ଆସିଥିଲା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏ ସରକାର ପ୍ରାୟ ୨୪ ବର୍ଷ ଶାସନ କରିଥିଲା। ଏହି ସମୟରେ ଅନେକ ଘଟଣା ଏହିପରି ଭାବେ ଘଟିଥିଲା ଯାହାକୁ ନେଇ ଓଡ଼ିଶା ସରକାରଙ୍କ ବାରମ୍ବାର କୋର୍ଟ ସାମ୍ନାରେ ବେଇଜତି ହୋଇଥିଲା।
ପିପିଲି ଥାନା ଅଧିକାରୀ ଅମୂଲ୍ୟ ଚମ୍ପତ୍ତିରାୟ, ୧୯୮୭ ବ୍ୟାଚ୍‍ ଆଇଏଫ୍‍ଏସ୍‍ ଅଧିକାରୀ ଅଭୟକାନ୍ତ ପାଠକ, ବିଡିଏ ଷ୍ଟାଫ କୈଳାସ ଚନ୍ଦ୍ର ଦାସ, ପୁଲିସ ଇନ୍ସପେକ୍ଟର ତ୍ରିନାଥ ମିଶ୍ର, ସାଗରିକା ପରିଡ଼ା, ଘାସିରାମ ବେହେରା, ଆରଟିଓ ସୁବାସ ଚନ୍ଦ୍ର ଦେସଙ୍କ ମାମଲା ଏଠାରେ ଉଲ୍ଲେଖ ଯୋଗ୍ୟ। ଖାଲି ସେତିକି ନୁହେଁ, ତତ୍‍କାଳୀନ ଗୋପାଳପୁର ବିଧାୟକ ତଥା ବର୍ତ୍ତମାନର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମଧ୍ୟ ଅନେକ ଅଭିଯୋଗ ଦର୍ଶାଇ ତାଙ୍କ ସଭ୍ୟପଦକୁ ରଦ୍ଦ କରାଯାଇଥିଲା। ଅନେକ ବର୍ଷ ର ଆଇନଗତ ଲଢ଼େଇ ପରେ ସେ ତାଙ୍କ ପଦବୀ ଫେରି ପାଇଥିଲେ।
ଅର୍ଥାତ୍‍ ଯେଉଁଠି ବି ଅଭିଯୋଗର ତଦନ୍ତ କକରା ନଯାଇଛି ବା ତଦନ୍ତ ପ୍ରକ୍ରିୟାରେ ଉପଯୁକ୍ତ ଭାବେ ଅଭିଯୁକ୍ତଙ୍କ ମତ ରଖିବାକୁ ସୁଯୋଗ ଦିଆଯାଇ ନାହିଁ ସେଠାରେ ସରକାରଙ୍କ ଦଣ୍ଡାଦେଶକୁ ପ୍ରତ୍ୟାହାର କରିଛନ୍ତି କୋର୍ଟ। ଏଣୁ ସରକାରଙ୍କ ପ୍ରଥମ ଲକ୍ଷ୍ୟ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରିବା। ଏହି ପ୍ରକ୍ରିୟାରେ ଅଭିଯୁକ୍ତ ଅଧିକାରୀଙ୍କୁ ସୁଯୋଗ ଦେବା। ଏହାପରେ ଯାଇ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା। ଏହା ନହେଲେ ଅଭିଯୁକ୍ତଙ୍କ ସ୍ୱଭାବିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ଯାହା ଏକ ସାମ୍ବିଧାନିକ ଗ୍ୟାରେଣ୍ଟି ଭାବେ ପ୍ରତି ନାଗରିକଙ୍କୁ ସୁରକ୍ଷା ଦେଇଥାଏ। ପ୍ରଶ୍ନ ଉଠୁଛି ମୋହନ ମାଝିଙ୍କ ସରକାର କ’ଣ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ତଦନ୍ତ କରିଛନ୍ତି? ଘଟଣାର ୪ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କେବଳ ରାଜନୀତି ଆକ୍ରୋଶ ତଥା ପ୍ରଚାର ବହୁଳତାକୁ ଦର୍ଶାଉ ନାହିଁକି? ଏସବୁ ପ୍ରଶ୍ନ ସେତେବେଳେ ସାମତନାକୁ ଆସିବ ଯେତେବେଳେ ଅଭିଯୁକ୍ତ ଅଧିକାରୀ କାର୍ଟଙ୍କ ଦ୍ୱାରସ୍ଥ ହେବେ…।

LEAVE A REPLY

Please enter your comment!
Please enter your name here

Popular Articles