ଆଜିର ଭାରତ ଏକ ଅତ୍ୟନ୍ତ ସମ୍ବେଦନଶୀଳ ଓ ନିର୍ଣ୍ଣାୟକ ଆନ୍ତର୍ଜାତିକ ପରିସ୍ଥିତି ମଧ୍ୟ ଦେଇ ଗତି କରୁଛି। ଗୋଟିଏ ପଟେ ବିଶ୍ୱବ୍ୟାପୀ ଆର୍ଥିକ ମନ୍ଦାବସ୍ଥା, ବୃଦ୍ଧି ପାଉଥିବା ଭୂ-ରାଜନୈତିକ ଉତ୍ତେଜନା, ଏବଂ ବିଭିନ୍ନ ଦେଶ ମଧ୍ୟରେ ଚାଲିଥିବା ପ୍ରତ୍ୟକ୍ଷ ଓ ପରୋକ୍ଷ ଯୁଦ୍ଧର କଳାବାଦଲ ରହିଛି,। ଅନ୍ୟପଟେ, ଆମର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକରେ କ୍ରମାଗତ ରାଜନୈତିକ ଓ ଅର୍ଥନୈତିକ ଅସ୍ଥିରତା ଏବଂ ବିଶ୍ୱର ମହାଶକ୍ତିମାନଙ୍କର ସୂକ୍ଷ୍ମ କୂଟନୈତିକ ଚାପ ବୃଦ୍ଧି ପାଇବାରେ ଲାଗିଛି। ଏପରି ଏକ ଜଟିଳ ଘନଘଟା ମଧ୍ୟରେ, ଭାରତ ନିଜକୁ ଆର୍ଥିକ, ବୈଷୟିକ ଓ ସାମରିକ ଦୃଷ୍ଟିକୋଣରୁ ଶକ୍ତିଶାଳୀ କରିବା ସହ ବିଶ୍ୱ ଅର୍ଥନୀତିର ଏକ ପ୍ରମୁଖ ‘ଗ୍ରୋଥ୍ ଇଞ୍ଜିନ୍’ ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଛି। ଆନ୍ତର୍ଜାତିକ ସ୍ତରରେ ଆମର ବିକାଶ ଇଞ୍ଜିନ୍ ସବୁଠାରୁ ଆଗୁଆ ଚାଲୁଛି। ଆନ୍ତର୍ଜାତିକ ମୂଦ୍ରା ପାଣ୍ଠି ଏହାକୁ ସ୍ୱୀକାର କରି ଭାରତର ବିକାଶ ହାର ୭%ରେ ଗତି କରିବାର ସମ୍ଭାବନାକୁ ବ୍ୟକ୍ତ କରିଛି। ଏହା ଆମ ପାଇଁ ଯେତିକି ଆନନ୍ଦର ବିଷୟ ସେତିକି ସତର୍କ ଓ ସମ୍ବେଦନଶୀଳ ମଧ୍ୟ।
କିନ୍ତୁ, ଏହି ଦାୟିତ୍ୱପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ ସମୟରେ, ଦେଶର ରାଜଧାନୀରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଓ ୧୦ ବିରୋଧି ଦଳଙ୍କ ସହଭାଗୀ ନେତୃତ୍ୱରେ ଦେଖିବାକୁ ମିଳୁଥିବା କ୍ରମାଗତ ଘେରାଉ, ଧାରଣା, ଏବଂ ରାସ୍ତାରୋକୋ ଭଳି ଅସ୍ଥିରତା ସୃଷ୍ଟିକାରୀ ଆନ୍ଦୋଳନ ଗଭୀର ଚିନ୍ତାର ବିଷୟ। କେବଳ ତତ୍କାଳୀନ ରାଜନୈତିକ ଫାଇଦା ଏବଂ କ୍ଷମତା ପାଇଁ ନିର୍ବାଚନ ଆୟୋଗ ଓ ଅନ୍ୟାନ୍ୟ ସାମ୍ବିଧାନିକ ଅନୁଷ୍ଠାନଗୁଡ଼ିକ ବିରୋଧରେ କରାଯାଉଥିବା ଏହି ଅବିରତ ସଂଗ୍ରାମ ଭାରତର ଆଭ୍ୟନ୍ତରୀଣ ସ୍ଥିରତା, ନିବେଶକଙ୍କ ଆସ୍ଥା ଏବଂ ପ୍ରଗତିର ବେଗକୁ ବାଧାପ୍ରାପ୍ତ କରୁଛି।
ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନଆନ୍ଦୋଳନ, ବିକ୍ଷୋଭ ଓ ସତ୍ୟାଗ୍ରହ ଭାରତ ପାଇଁ ଆଦୌ ନୂଆ ନୁହେଁ। ବାସ୍ତବରେ, ଏହିସବୁ ଆନ୍ଦୋଳନ ହିଁ ସେହି ମହାନ ଭିତ୍ତିଭୂମି ଥିଲା, ଯାହା ଉପରେ ଛିଡ଼ା ହୋଇ ଆମେ ପରାଧୀନତାର ଶୃଙ୍ଖଳ ଅତିକ୍ରମ କରିଲୁ, ସ୍ୱାଧୀନତା ହାସଲ କରିଲୁ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ‘ଅସହଯୋଗ’, ‘ଲବଣ ସତ୍ୟାଗ୍ରହ’ ଏବଂ ୧୯୪୨ର ‘ଭାରତ ଛାଡ଼’ ଆନ୍ଦୋଳନ ସେହି ସମୟର ପରିସ୍ଥିତି ଓ ଦାବି ଥିଲା। ସେତେବେଳେ ଭାରତୀୟଙ୍କ ପାଖରେ ନିଜର ନିର୍ବାଚିତ ସଂସଦ, ସାମ୍ବିଧାନିକ ଅଧିକାର, ସ୍ୱାଧୀନ ନିର୍ବାଚନ ଆୟୋଗ କିମ୍ବା ନିରପେକ୍ଷ ଉଚ୍ଚତମ ନ୍ୟାୟାଳୟ ନଥିଲେ। ଶୋଷଣକାରୀ ଓ ଅତ୍ୟାଚାରୀ ବ୍ରିଟିଶ ଶାସନକୁ ଦେଶରୁ ତଡ଼ିବା ପାଇଁ ରାଜପଥର ସଂଗ୍ରାମ ଓ ଅସହଯୋଗ ହିଁ ଏକମାତ୍ର ବୈଧ ଓ ପ୍ରଭାବଶାଳୀ ବିକଳ୍ପ ଥିଲା।
ମାତ୍ର ଆଜିର ସ୍ୱାଧୀନ, ଗଣତାନ୍ତ୍ରିକ ଓ ସାର୍ବଭୌମ ଭାରତରେ ସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ। ଆଜି ଆମ ପାଖରେ ଆଇନ ପ୍ରଣୟନ ପାଇଁ ସଂସଦ ଓ ବିଧାନସଭା ରହିଛି, ନାଗରିକଙ୍କ ମୌଳିକ ଅଧିକାର ସୁରକ୍ଷା ପାଇଁ ସୁପ୍ରିମ୍ କୋର୍ଟ ରହିଛି ଏବଂ ବିଶାଳ ସାମ୍ବିଧାନିକ ଆଇନଗତ ବ୍ୟବସ୍ଥା ରହିଛି। ସର୍ବୋପରି ଏକ ପ୍ରତିଷ୍ଠିତ ଓ ବହୁ ପରୀକ୍ଷିତ ଗଣତନ୍ତ୍ର ରହିଛି।
ଯେତେବେଳେ ପ୍ରତ୍ୟେକ ପ୍ରଶ୍ନ ଓ ଅଭିଯୋଗର ସମାଧାନ ପାଇଁ ଆଇନଗତ, ସାମ୍ବିଧାନିକ ଓ ସାଂସଦୀୟ ବାଟ ସମ୍ପୂର୍ଣ୍ଣ ଖୋଲା ଅଛି, ସେତେବେଳେ ସଂସଦକୁ ଚାଲିବାକୁ ନଦେବା, ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିବା ଏବଂ ରାଜପଥରେ ନିରନ୍ତର ସଙ୍କଟ ସୃଷ୍ଟି କରିବା ଗଣତନ୍ତ୍ରର ଶୁଭଲକ୍ଷଣ ନୁହେଁ। ଏହା ଦେଶପ୍ରେମ ନୁହେଁ, ବରଂ କ୍ଷମତା ପାଇଁ ଏକ ସଙ୍କୀର୍ଣ୍ଣ ପ୍ରୟାସ ହୋଇପାରେ। ଏହା ଲୋକଙ୍କୁ ବିଭ୍ରାନ୍ତି ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ ହୋଇପାରେ।
ବିରୋଧୀ ଦଳ ନେତା ଭାବରେ ରାହୁଲ ଗାନ୍ଧିଙ୍କର ଅଧିକ ଦୂରଦୃଷ୍ଟିସମ୍ପନ୍ନ, ସୃଜନଶୀଳ, ଓ ଗଠନମୂଳକ ହେବା ଆବଶ୍ୟକ। କେବଳ ତତ୍କାଳୀନ କ୍ଷମତା ଦଖଲର ଆଶା ନରଖି, ସରକାରଙ୍କ ନୀତି ଓ କାର୍ଯ୍ୟକ୍ରମର ଗଠନମୂଳକ ସମାଲୋଚନା କରିବା ଏବଂ ସଂସଦ ଗୃହ ମଧ୍ୟରେ ତଥ୍ୟପୂର୍ଣ୍ଣ ତର୍କ ମାଧ୍ୟମରେ ଦେଶକୁ ସଠିକ୍ ଦିଗଦର୍ଶନ ଦେବା ଜଣେ ପରିପକ୍ୱ ବିରୋଧୀ ନେତାଙ୍କ ପ୍ରାଥମିକ କର୍ତ୍ତବ୍ୟ। ଏହାକୁ ଗୁରୁତ୍ୱ ଦେଇ ରାହୁଲ ଗାନ୍ଧି ନିଜର ପୂର୍ବସୂରୀଙ୍କୁ ଅନୁସରଣ କରିବା ଆବଶ୍ୟକ। ଯେତେବେଳେ ତାଙ୍କରି ପଦବୀରେ ତାଙ୍କ ବାପା ରାଜୀବ ଗାନ୍ଧି ଥିଲେ, ସେ କିପରି ଆଚରଣ କରୁଥିଲେ ତାହାକୁ ସେ ଅନୁଧ୍ୟାନ କରିବା ଆବଶ୍ୟକ। ୧୯୮୯ ମସିହାରେ ନିଜ ପାଖରେ ସର୍ବାଧିକ ଜନମତ ଥାଇ ମଧ୍ୟ ସେ ଭିପି ସିଂହଙ୍କୁ ମେଣ୍ଟ ସରକାର ଗଠନ କରିବାକୁ ରାସ୍ତା ଉନ୍ମୁକ୍ତ କରିଥିଲେ। କିନ୍ତୁ ନିଜର ଦୀର୍ଘ ଭାଷଣ ମାଧ୍ୟମରେ ସେ ଦେଶରେ ସାମ୍ପ୍ରଦାୟିକତା, ଜାତିଗତ ଭେଦଭାବ, କଶ୍ମୀର ପଣ୍ଡିତଙ୍କ ନର ସଂହାର ପ୍ରସଙ୍ଗକୁ ଉଠାଇଥିଲେ। ସେ କଶ୍ମୀର ଯାଇ ସରକାରଙ୍କ କଶ୍ମୀର ନୀତି ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ କିନ୍ତୁ ସଂସଦକୁ ଅଚଳ କରିବାକୁ ଉଚିତ ମଣୁନ ଥିଲେ।
ଦେଶର ସୀମା ବାହାରେ ଥିବା ଶତ୍ରୁ ଭାବପନ୍ନ ପ୍ରତିବେଶୀ ରାଷ୍ଟ୍ର ଓ ଆମର ବିକାଶରେ ପ୍ରତିବନ୍ଧକ ସାଜିବାକୁ ଚାହୁଁଥିବା ବହିଃଶକ୍ତିମାନଙ୍କ ଆଗରେ ଭାରତର ଆଭ୍ୟନ୍ତରୀଣ କନ୍ଦଳ ଓ ଅସ୍ଥିରତା ପ୍ରଦର୍ଶନ କରିବା ଦେଶର ସୁରକ୍ଷା ପାଇଁ କ୍ଷତିକାରକ। ବିରୋଧୀ ଦଳଗୁଡ଼ିକ ସରକାରଙ୍କ ଶାସନରେ ଥିବା ତ୍ରୁଟିକୁ ନିଶ୍ଚୟ ଆଙ୍ଗୁଠି ଦେଖାନ୍ତୁ, କିନ୍ତୁ ତାହା ଆଇନ, ଆଲୋଚନା ଓ ସମ୍ବିଧାନର ପରିସର ଭିତରେ ହେବା ଉଚିତ୍। ଦେଶର ଅଗ୍ରଗତି ଓ ଗ୍ରୋଥ୍ ଇଞ୍ଜିନ୍କୁ ଆଗେଇ ନେବା ପାଇଁ ଶାସକ ଓ ବିରୋଧୀ ଉଭୟଙ୍କର ମିଳିତ ଦାୟିତ୍ୱ ରହିଛି।






