Saturday, October 31, 2026
spot_imgspot_img

Top 5 This Week

spot_img

Related Posts

ସଞ୍ଜୟଙ୍କ ରାସ୍ତାରେ ରାହୁଲ!: ବ୍ୟାକୁଳ ନେତା, ଦ୍ୱନ୍ଦ୍ୱରେ ସମର୍ଥକ

ଭାରତୀୟ ଗଣତାନ୍ତ୍ରିକ ପରମ୍ପରାରେ ବିରୋଧି ଦଳ ନେତା ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯିଏ ସରକାରଙ୍କୁ ଠିକଣା ରାସ୍ତା ଦେଖାଇବା, ଗଠନମୂଳକ ପରାମର୍ଶ ଦେବା ଏବଂ ସରକାରଙ୍କ ଭୁଲ ନୀତିକୁ ସମାଲୋଚନା କରିବାର ଅଗ୍ରଦୂତ ହୋଇଥାନ୍ତି। ସମ୍ବିଧାନ ବିଶାରଦ ସାର୍‍ ଆଇଭର ଜେନିଂଗ୍‍ସଙ୍କ ଭାଷାରେ ବିରୋଧୀ ଦଳ ନେତା ହେଉଛନ୍ତି ‘ବିକଳ୍ପ ପ୍ରଧାନମନ୍ତ୍ରୀ’। କିନ୍ତୁ ଆଜି ବିରୋଧୀ ଦଳ ନେତା ଯେଉଁଭଳି ଭାବେ ସଂସଦ ଛାଡ଼ି ରାଜ ରାସ୍ତାକୁ ଆପଣାଇଛନ୍ତି; ବିକ୍ଷୋଭ, ଆନ୍ଦୋଳନ, ଉତ୍ତେଜନାକୁ ପ୍ରଶ୍ରୟ ଦେଉଛନ୍ତି ତାହା ୧୯୭୦ ଦଶକର ସଞ୍ଜୟ ଗାନ୍ଧିଙ୍କୁ ମନେ ପକାଇ ଦେଉଛି…।

ଭାରତୀୟ ଗଣତନ୍ତ୍ରରେ ୟଶୱନ୍ତ ରାଓ ଚଭନ, ସିଏମ୍‍ ଷ୍ଟିଫେନ, ଜଗଜ୍ଜୀବନ ରାମ, ରାଜୀବ ଗାନ୍ଧି, ଲାଲ କୃଷ୍ଣ ଆଡଭାନୀ, ଅଟଳ ବିହାରୀ ବାଜପେୟୀ, ପିଭି ନରସିଂହ ରାଓ, ଶରଦ ପାୱାର, ସୋନିଆ ଗାନ୍ଧି, ସୁଷମା ସ୍ୱରାଜଙ୍କ ଭଳି ଦିଗ୍ଗଜ ନେତା ଲୋକସଭାରେ ବିରୋଧୀ ଦଳ ନେତା ପଦବୀ ମଣ୍ଡନ କରିଛନ୍ତି। ଏମାନଙ୍କ ଭିତରୁ ରାଜୀବ ଗାନ୍ଧି, ନରସିଂହ ରାଓ ଏବଂ ବାଜପେୟୀ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆସନ ବି ଅଳଂକୃତ କରିଛନ୍ତି।
ହେଲେ, ଚଳିତ ଲୋକସଭାରେ ବିରୋଧି ଦଳ ନେତା ଭୂମିକା ନିର୍ବାହ କରୁଥିବା ରାହୁଲ ଗାନ୍ଧି ଏ ସନ୍ଦର୍ଭରେ ପୂରା ଅଲଗା। ବିରୋଧୀ ଦଳ ନେତା ପଦବୀରେ ବସିବା ଦିନଠାରୁ ସେ ଅସ୍ଥିର, ବ୍ୟାକୁଳ ରହୁଥିବା ପ୍ରତୀତ ହୋଇଆସିଛି। ସଂସଦୀୟ ଆଲୋଚନା ଅପେକ୍ଷା ରାଜରାସ୍ତାରେ ଆନ୍ଦୋଳନକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଅନେକ ସମୟରେ ସଂସଦୀୟ ଆଲୋଚନା ବେଳେ ଅନୁପସ୍ଥିତ ରହିବା, ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିବା, ପ୍ରସଙ୍ଗଠାରୁ ଚ୍ୟୁତ ହୋଇ ନିଜ ଭାଷଣ ରଖିବା ଆଦି ଅଭିଯୋଗ ତାଙ୍କ ନାମରେ ରହିଛି। ଏଥିଲାଗି ଅନେକଥର ଗୃହ ମୁଲତବୀ ହୋଇଛି, ସାମ୍ବିଧାନିକ କାର୍ଯ୍ୟ ବ୍ୟାହତ ହୋଇଛି। ତଥାପି ତାଙ୍କୁ କହିବାକୁ ସୁଯୋଗ ମିଳୁନାହିଁ ବୋଲି ସେ ଅଭିଯୋଗ କରି ସଂସଦ ଗେଟ ସାମ୍ନାରେ ମିଡିଆକୁ କହିଛନ୍ତି, ସେଠି ବି ବିକ୍ଷୋଭ କରିଛନ୍ତି…। ତାଙ୍କର ଏହିସବୁ ପଦକ୍ଷେପ ଦେଶର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା ଲାଗି ଉଦ୍ଦିଷ୍ଟ ହେଉଥିବା ଅଭିଯୋଗ ହୋଇଛି।। କେବଳ ସେତିକି ନୁହେଁ, ଯେତେବେଳେ ବୈଦେଶିକ ପ୍ରତିନିଧି ଭାରତରେ ବ୍ୟବସାୟ ଓ ପ୍ରଗତି ବିଷୟ ଆଲୋଚନା କରୁଛନ୍ତି ସେତେବେଳେ ଛଦ୍ମ ବେଶରେତାଙ୍କ ସମର୍ଥକ ପହଞ୍ଚି ସେହି କାର୍ଯ୍ୟକ୍ରମକୁ ହାଇଜାକ୍‍ କରିବାକୁ ଚାହିଁଛନ୍ତି, ଯହା ୭୦ ଦଶକରେ ରାହୁଲଙ୍କ ଚାଚା ସଞ୍ଜୟ ଗାନ୍ଧି କରୁଥିଲେ।


ପଳାୟନ ପନ୍ଥୀବିରୋଧୀ ଦଳ ନେତା!

ବିରୋଧୀ ଦଳ ନେତା ସଂସଦ ଛାଡ଼ି ରାଜରାସ୍ତାକୁ ଓହ୍ଲାଇବା ଏକ ଗୁରୁତ୍ୱପୂର୍ଣ୍ଣ, ସମ୍ବେଦନଶୀଳ ପ୍ରସଙ୍ଗ। ସଂସଦରେ ସେ ଉଠାଉଥିବା ପ୍ରସଙ୍ଗ ଆଲୋଚନାର ବିଷୟ ପାଲଟୁ ନଥିବା ଏହା ଦର୍ଶାଉଛି। ଅର୍ଥାତ୍‍ ଅନ୍ୟୋନପାୟ ନପାଇ ସେ ଏହି ପନ୍ଥା ଆପଣାଉଥିବା ଏହା ଦର୍ଶାଉଛି। କିନ୍ତୁ ପିଆର୍‍ଏସ୍‍ ଲେଜିସଲେଟିଭ ସର୍ଭେ ରିପୋର୍ଟ ଅନୁସାରେ ରାହୁଲଙ୍କୁ ଲୋକସଭାରେ ବିଭିନ୍ନ ପ୍ରସଙ୍ଗରେ କହିବା ପାଇଁ ଯଥେଷ୍ଟ ସୁଯୋଗ ମିଳିଛି। ଏପରିକି ତାଙ୍କ ଭାଷଣ ୩୭ ମିନିଟରୁ ଆରମ୍ଭ କରି ୧ ଘଣ୍ଟା ୪୦ ମିନିଟ ସମୟ ଯାଏ ବ୍ୟାପିଛି। ତଥାପି ପରବର୍ତ୍ତୀ ସମୟରେ ତାଙ୍କୁ କହିବାକୁ ସୁଯୋଗ ନ ମିଳିବା, ତାଙ୍କ ଭାଷଣ ସମୟରେ କ୍ୟାମେରା ଧ୍ୟାନ ଦିଆ ନଯିବା ଆଦି ଅଭିଯୋଗ ହୋଇଛି। ଆଉ ଏହି ଆଧାରରେ ସେ ଏବଂ ତାଙ୍କ ଦଳ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛି, ଗଣମାଧ୍ୟମର ଧ୍ୟାନ ଆକର୍ଷଣ କରିଛି।
ସେ ଆରମ୍ଭ କରିଥିବା ‘ଭୋଟ ଚୋରି’ ଅଭିଯାନ ଏ ପ୍ରସଙ୍ଗରେ ଉଲ୍ଲେଖ ଯୋଗ୍ୟ। ନିର୍ବାଚନ କମିଶନଙ୍କଦ୍ୱାରା ଚଳାଯାଇଥିବା ନିର୍ବାଚନ ସଂସ୍କାର ପ୍ରକ୍ରିୟା ତଥା ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମରେ ୧୩ କୋଟି ଭୋଟରଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନାମ ତାଲିକାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ବେଲା ଇଷ୍ଟେଟ, କର୍ଣ୍ଣାଟକାର ଆଲାଣ୍ଡ ନିର୍ବାଚନ ମଣ୍ଡଳୀ, ବାଙ୍ଗାଲୋର ସେଣ୍ଟ୍ରାଲ, ହରିୟାଣା ପ୍ରଭୃତିରେ ଏହି ଅଭିଯୋଗର ପ୍ରମାଣ ବିରୋଧି ଦଳ ନେତା ରାହୁଲ ଗାନ୍ଧି ଧାରଣ କରିଥିବା ପ୍ରଚାର ପ୍ରସାର କରୁଛନ୍ତି କିନ୍ତୁ ଯେତେବେଳେ ନିର୍ବାଚନ କମିଶନ ନିୟମ ଅନୁସାରେ ଏହି ଅଭିଯୋଗର ସତ୍ୟପାଠ ଦାଖଲ କରିବାକୁ କହୁଛନ୍ତି ସେଥିରୁ ରାହୁଲ ପଳାୟନ କରିଛନ୍ତି।
ଦେଶର ବିଭିନ୍ନ ସ୍ଥାନରେ କଂଗ୍ରେସ ଦ୍ୱାରା ‘ ଭୋଟ ଚୋର, ଗାଦି ଛାଡ଼’ ଆହ୍‍ୱାନ ଦେଇ ସେ ଆନ୍ଦୋଳନ କରିଛନ୍ତି। ସଂସଦରେ ମଧ୍ୟ ପ୍ରଦର୍ଶନ କରିଛନ୍ତି। ନିକଟରେ ଫର୍ମ-୬ ଏବଂ ଫର୍ମ ୭ ବିଷୟରେ ଅନିୟମିତତା, ବେଆଇନ ଯୋଡ଼କୁ ନେଇ ଆପତ୍ତି ଉଠାଇବା ସହ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏଥିଲାଗି ଏକ ବିଶାଳ ଶୋଭାଯାତ୍ରା ଆୟୋଜନ କରି ସାରା ଦେଶର ଧ୍ୟାନ ଆକର୍ଷଣ କରିଛନ୍ତି। ହେଲେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବା ବଦଳରେ ରାଜରାସ୍ତାକୁ ଗୁରୁତ୍ୱ ଦେଇ ଲଗାତାର ଏକ ଅସ୍ଥିରତା ସୃଷ୍ଟି କରିବାକୁ ସେ ଚାହିଁଛନ୍ତି। ଏପରିକି ଏହିଭଳି ନିରନ୍ତର ଆକ୍ରମଣଦ୍ୱାରା ସେ ସହଜରେ ଲକ୍ଷ୍ୟ ହାସଲ କରିପାରିବେ ବୋଲି ତାଙ୍କର ବିଶ୍ୱାସ।

‘ଭୋଟ ଚୋରି’ର କ୍ରମ ବିକାଶ


ଅଗଷ୍ଟ ୨୦୨୫ ମସିହାରେ ସେ ଆଣିଥିବା ଭୋଟ ଚୋରି ପ୍ରସଙ୍ଗ ଯେତେବଳେ ସାରା ଦେଶରେ ସମ୍ବେଦନଶୀଳ ଆଲୋଚନାର ମଞ୍ଜି ବୁଣିଲା ସେତେବେଳେ ଖୋଦ ନିର୍ବାଚନ କମିଶନ ଏହାକୁ ଖଣ୍ଡନ କରି ରାହୁଲଙ୍କୁ ଏଥିନେଇ ସତ୍ୟପାଠ ଦାଖଲ କରିବାକୁ କହିଲେ। କୌଣସି ଅଭିଯୋଗର ତଦନ୍ତ ଲାଗି ସତ୍ୟପାଠର ଆବଶ୍ୟକତା ହୋଇଥାଏ, ଏହା ସାମ୍ବିଧାନିକ ବ୍ୟବସ୍ଥା। କିନ୍ତୁ ରାହୁଲ ନିଜର ସାଂସଦ ହେବାର କ୍ଷମତାକୁ ଦର୍ଶାଇବାକୁ ଆଗଭର ହୋଇଥିଲେ ବି ସତ୍ୟପାଠ ଦାଖଲ କରି ନଥିଲେ। ଯଦି ସେ ନିଜେ ନ କରିପାରିଲେ ତାହାକୁ ଦଳର ଅନ୍ୟ କୌଣସି ନେତାଙ୍କ ମାଧ୍ୟମରେ କରାଯାଇପାରିଥାନ୍ତା! ହେଲେ ତାହା ନକରିବା ଦ୍ୱାରା ରାହୁଲ ସ୍ୱୟଂ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଅଭିଯୋଗରେ ସତ୍ୟତା ନାହିଁ।

ରାହୁଲଙ୍କ ପୋର୍ଟାଲକୁ ପ୍ରତ୍ୟାଖ୍ୟାନ

ସେଥିଲାଗି ଭୋଟ ଚୋରି ପ୍ରସଙ୍ଗରେ ରାହୁଲ ମଧ୍ୟ ଦେଶବାସୀଙ୍କ ଧ୍ୟାନ ଆକର୍ଷଣ କରିବାରେ ପଛରେ ପଡ଼ିଛନ୍ତି। ଏହି ଅଭିଯାନରେ ଲୋକଙ୍କ ମତ ସଂଗ୍ରହ କରିବା ଲାଗି ସେ ଏକ ୱେବସାଇଟ ଉନ୍ମୋଚନ କରିଛନ୍ତି। ଏହି ୱେବସାଇଟରେ ଲୋକଙ୍କୁ ୩ଟି ପ୍ରସଙ୍ଗରେ ମତ ଦେବାକୁ କୁହାଯାଇଛି। ପ୍ରଥମଟି ହେଉଛି ଭୋଟ ଚୋରିର ପ୍ରମାଣ ଦାଖଲ କରିବା; ଦ୍ୱିତୀୟରେ, ନିର୍ବାଚନ କମିଶନଙ୍କ ଉତ୍ତର ଦାୟିତ୍ୱକୁ ଦାବି କରିବା ଏବଂ ତୃତୀୟରେ ଭୋଟ ଚୋରି ରିପୋର୍ଟ କରିବା।
କିନ୍ତୁ ଏହି ଅତ୍ୟନ୍ତ ବ୍ୟୟ ବହୁଳ କାର୍ଯ୍ୟକ୍ରମରେ ଭୋଟ ଚୋରିର ପ୍ରାମଣ କେତେଜଣ ଦାଖଲ କରିଲେ ବା କେତେଜଣ ଭୋଟ ଚୋରି ହୋଇଛି ବୋଲି ଅଭିଯୋଗ କରିଛନ୍ତି ତାହାକୁ ସାଇଟରେ ସ୍ଥାନୀତ କରାଯାଇ ନାହିଁ। କେବଳ ନିର୍ବାଚନ କମିଶନଙ୍କ ଉତ୍ତରଦାୟିତ୍ୱ ପାଇଁ ଯେଉଁ ଆହ୍ୱାନ ଦିଆଯାଇଛି ତାହାକୁ ୨୯ ଲକ୍ଷ ୩୭ ହଜାର ୧୨୬ ଜଣ ସମର୍ଥନ କରିଛନ୍ତି।
ଦେଶରେ ୧୩ କୋଟି ଲୋକଙ୍କ ଭୋଟ ଚୋରି ହୋଇଛି ବା ଏମାନଙ୍କୁ ଭୋଟର ତାଲିକାରୁ ବାଦ ଦିଆଯାଇଛି ବୋଲି ଅଭିଯୋଗ ହୋଇଥିବା ବେଳେ କଂଗ୍ରେସ ଦ୍ୱାରା ସ୍ଥାପନ କରାଯାଇଥିବା ଓ୍ୱେବସାଇଟରେ କେହି ଅଭିଯୋଗ ନରଖିବା ରାହୁଲଙ୍କ ଯୁକ୍ତିରେ ଥିବା ଅସଙ୍ଗତିକୁ ପ୍ରମାଣିତ କରୁଛି। ପୁଣି ସାଢ଼େ ୨୯ ଲକ୍ଷରୁ କମ୍‍ ବ୍ୟକ୍ତି ନିର୍ବାଚନ କମିଶନଙ୍କ ବିରୋଧରେ ଅନାସ୍ଥା ପ୍ରକଟ କରିବା କେବଳ ରାହୁଲଙ୍କୁ ଖୁସି କରିବା ଲାଗି କିଛି କଂଗ୍ରେସ କର୍ମୀଙ୍କ ଉଦ୍ୟମ ବୋଲି ଅଭିଯୋଗ ହେଉଛି।

ସଞ୍ଜୟଙ୍କ ରାସ୍ତାରେ ରାହୁଲ

କଂଗ୍ରେସ ରାଜନୀତିରେ ସଂସଦୀୟ ଚର୍ଚ୍ଚା ଅପେକ୍ଷା ରାଜରାସ୍ତାର ବିକ୍ଷୋଭ ଓ ଧାରଣା ତଥା ଉତ୍ତେଜନାକୁ ଗୁରୁତ୍ୱ ଦେଇଥିବା ପ୍ରଥମ ରାଜନେତା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତୀୟ ରାଜନୀତିରେ ଲୌହମାନବୀ ଭାବେ ପରିଚିତ ଇନ୍ଦିରା ଗାନ୍ଧିଙ୍କ ଅନ୍ୟତମ ପୁତ୍ର ସଞ୍ଜୟ ଗାନ୍ଧି। ୧୯୭୦ ଦଶକରେ ଭାରତୀୟ ଯୁବ କଂଗ୍ରେସକୁ ଏକ ଶୁପ୍ତ ସଂଗଠନରୁ ଉଗ୍ର ସଂଗଠନରେ ପରିଣତ କରିଥିବା ନେତା ହେଉଛନ୍ତି ସଞ୍ଜୟ। ମା’ ପ୍ରଧାନମନ୍ତ୍ରୀ ଥିବା ବେଳେ ବଳପୂର୍ବକୁ କ୍ଷମତାକୁ ପ୍ରୟୋଗ କରିବା ଏବଂ ନିଜର ମନ ମୁତାବକ ଶାସନ କରିବାର ଧାରା ସେ ପ୍ରବର୍ତ୍ତନ କରିଥିବା ଅଭିଯୋଗ ହୁଏ। ଏଥିଲାଗି କଂଗ୍ରେସର ଅନେକ ତୁଙ୍ଗ ନେତା ତାହାକୁ ବିରୋଧ କରିଥିଲେ। ଏପରିକି କ୍ୟାବିନେଟ ମନ୍ତ୍ରୀ ଥିବା ଇନ୍ଦ୍ର କୁମାର ଗୁଜରାଲ, ସଞ୍ଜୟଙ୍କ ଏପରି ଆଚରଣକୁ ପ୍ରତ୍ୟକ୍ଷ ନିନ୍ଦା କରିଥିବା ଜଣାଯାଏ। କେବଳ ସେତିକି ନୁହେଁ, ଜରୁରୀକାଳୀନ ପରିସ୍ଥିତି ସମୟରେ ସଞ୍ଜୟ ଅତିରିକ୍ତ ପୁଲିସ କ୍ଷମତାକୁ ବ୍ୟବହାର କରି ଲୋକମତକୁ ଚାପିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୁଏ। ଯେତେବେଳେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଲୋକସଭାରୁ ବହିଷ୍କୃତ ହୋଇ ସ୍‍ୱାଧିକାର ଭଙ୍ଗ ପ୍ରସଙ୍ଗରେ ଜେଲ ଗଲେ ସେତେବେଳେ ତାଙ୍କୁ ମୁକୁଳାଇବା ପାଇଁ ଯୁବ କଂଗ୍ରେସର ଦୁଇ କର୍ମୀ ଯେଉଁ କାଣ୍ଡ କରିଥିଲେ ତାହା ଆଜି ବି କଂଗ୍ରେସର ଅହଙ୍କାରକୁ ବର୍ଣ୍ଣନା କରେ।
ଦି ପ୍ରିଣ୍ଟରେ ପ୍ରକାଶିତ ସନ୍ଦର୍ଭ ଅନୁସାରେ ଭୋଳାନାଥ ପାଣ୍ଡେ ଏବଂ ଦେବେନ୍ଦ୍ର ପାଣ୍ଡେ ନାମକ ଦୁଇଜଣ ଯୁବକ, ଇନ୍ଦିରାଙ୍କ ଗିରଫ ହେବାର ଠିକ୍‍ ପରଦିନ ଏକ ଅପରିକଳ୍ପିତ କାଣ୍ଡ କରିଲେ, ଯାହା ସାରା ଦେଶକୁ ଚକିତ କରିଥିଲା। ଏକ ଖେଳନା ବନ୍ଧୁକ ଦ୍ୱାରା ଏହି ଦୁଇ ଯୁବକ ଦିଲ୍ଲୀ ଯାଉଥିବା ଏକ ବିମାନକୁ ଅପହରଣ କରିଥିଲେ। ନିଜକୁ ଯୁବ କଂଗଅେସର ସଦସ୍ୟ କହିବା ସହ ଇନ୍ଦିରାଙ୍କୁ ମୁକୁଳାଇବା ପାଇଁ ଦାବି କରିଥିଲେ।
ସେତେବେଳେ ଏହା ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା। ଯୁବ କଂଗ୍ରେସର ଶକ୍ତିକୁ ତାହା ପ୍ରଦର୍ଶନ କରୁଥିଲା। ହେଲେ ପରବର୍ତ୍ତୀ ସମୟରେ ତାହା ହିଁ କଂଗ୍ରେସପତନର ପ୍ରାଥମିକ କାରଣ ହୋଇଥିଲା। ଏହା ସତ୍ୟ ଯେ, ସଞ୍ଜୟଙ୍କ ଉଦ୍ୟମରେ ଯୁବ କଂଗ୍ରେସ ଶକ୍ତ ହୋଇଥିଲା। ପ୍ରାୟ ୫ କୋଟି ସଦସ୍ୟ ଏହା ହାସଲ କରିଥିଲା। ସେହି ସମୟର ଛାତ୍ର ଆନ୍ଦୋଳନରୁ ଅନେକ ନେତାଙ୍କ ଆବିର୍ଭାବ ହୋଇଥିଲା, ଯେଉଁମାନେ ପରବର୍ତ୍ତୀ ସମୟରେ କଂଗ୍ରେସର ସମ୍ପତ୍ତି ହୋଇଥିଲେ, କିନ୍ତୁ ଦେଶ ଆଉ କଂଗ୍ରେସକୁ ପସନ୍ଦ କରିଲା ନାହିଁ। ଧିରେ ଧିରେ କଂଗ୍ରେସ ଉପରୁ ଆସ୍ଥା ତୁଟିଥିଲା ଆଉ କ୍ଷମତା ଅଳିନ୍ଦରୁ ଗାନ୍ଧି ପରିବାରକୁ ବାହାରେ ରଖିଥିଲା। ଯଦିଓ ଏହା ପରେ ଇନ୍ଦିରା ପୁତ୍ର ରାଜୀବ ଗାନ୍ଧି ଭାରତ ଶାସନରେ ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଥିଲେ କିନ୍ତୁ ତାଙ୍କ ପରେ ଆଉ ଗାନ୍ଧି ପରିବାର ଏ ପଦବୀରେ ବସିବା ସମ୍ଭବ ହୋଇ ପାରି ନାହିଁ।
ଆଜି ରାହୁଲ ଗାନ୍ଧିଙ୍କ ଆକ୍ରମଣାତ୍ମକ ଭୂମିକା, ସଂସଦୀୟ ବିତର୍କ ଅପେକ୍ଷା ରାଜରାସ୍ତାରେ ଶକ୍ତି ପ୍ରଦର୍ଶନ ୭୦ ଦଶକର ସଞ୍ଜୟ ଗାନ୍ଧିଙ୍କୁ ସ୍ମରଣ କରାଉଛି। ଯଦିଓ ରାହୁଲ ଦେଶରେ କଂଗ୍ରେସ ଶାସନକୁ କଳେ ବଳେ କୌଶଳେ ପୁଣିଥରେ ପ୍ରତିଷ୍ଠା କରିବାକୁ ଚାହୁଁଛନ୍ତି କିନ୍ତୁ ତାଙ୍କୁ ପରିସ୍ଥିତି ସୁଯୋଗ ଦେଉ ନାହିଁ। ବ୍ୟତିବ୍ୟସ୍ତ ହେଉଥିବା ବିବ୍ରତ ରାହୁଲଙ୍କର ଏହି ଆକ୍ରମଣାତ୍ମକ ଭୂମିକା କ’ଣ ତାଙ୍କ ଲକ୍ଷ୍ୟ ପଥରେ ସହାୟକ ହେବ?
ଏ ପ୍ରଶ୍ନ ପୁଣିଥରେ ସଦ୍‍ଗୁରୁଙ୍କ କଥାକୁ ସ୍ମରଣ କରାଇ ଦିଏ। ଜୁନ୍‍ ୨ ତାରିଖ ୨୦୧୪ ମସିହାରେ ସଦ୍‍ଗୁରୁଏକ କାର୍ଯ୍ୟକ୍ରମରେ ‘ଦେଶ ଗଠନ ଓ ବନ୍ଦ ଡାକରା’ ବିଷୟରେ କହିବା ବେଳେ କହିଥିଲେ: ଆମେ ସେହି ଭଳି ବ୍ୟକ୍ତିଙ୍କୁ ଆମର ନେତା ଭାବେ ବାଛିବା ଉଚିତ ନୁହେଁ ଯିଏ ରାଷ୍ଟ୍ରର ଗତିକୁ ଅବରୋଧ କରୁଛି, ବନ୍ଦ କରୁଛି। ବରଂ ତାଙ୍କୁ ଆମର ନେତା ଭାବେ ଗ୍ରହଣ କରିବା ଦରକାର ଯେଉଁମାନେ ରାଷ୍ଟ୍ରର ଗତିକୁ ପ୍ରୋତ୍ସାହିତ କରୁଛନ୍ତି। ବିକାଶ ପଥର ସାରଥୀ ହେଉଛନ୍ତି।

LEAVE A REPLY

Please enter your comment!
Please enter your name here

Popular Articles