ତପନ ମହାରଣା
ପାର୍ବଣ ଋତୁରେ ‘ଅନଲାଇନ୍ ସେଲ୍’ ବିଗତ କିଛି ବର୍ଷ ହେଲା ଏକ ପରମ୍ପରାରେ ପରିଣତ ହୋଇଛି। ପାର୍ବଣରେ କିଣା କିଣି କରିବାକୁ ଗ୍ରାହକମାନେ ଫ୍ଲିପକାର୍ଟର ‘ବିଗ୍ବିଲିୟନ ସେଲ’, ଆମାଜନର ‘ଗ୍ରେଟ ଇଣ୍ଡିଆନ ସେଲ’କୁ ଅପେକ୍ଷା କରିଥାନ୍ତି। ଏସବୁ ସେଲର ମୁକୁଟମଣି ହେଉଛି ‘ସ୍ମାର୍ଟଫୋନ’। କାରଣ ଫୋନ ବିକ୍ରି ହିଁ ଏସବୁ ସେଲ୍ର ସଫଳତା ନିର୍ଦ୍ଧାରଣ କରିଥାଏ। କିନ୍ତୁ ଏଥରର ସେଲ୍କୁ ନେଇ ଲୋକେ ସେତେଟା ଉତ୍ସାହିତ ନ ଥିବା ଭଳି ଲାଗିଥିଲା। କାରଣ ସ୍ମାର୍ଟଫୋନ ସେଲ୍ ଗତ ପ୍ରାୟ ଏକ ଦଶନ୍ଧିରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହାକୁ ଦେଖି ଉଭୟ ଅନଲାଇନ ଓ ଅଫଲାଇନ ଦୋକାନୀମାନେ ମୁଣ୍ଡରେ ହାତ ଦେଇଛନ୍ତି।
ବଜାର ଗବେଷଣା ସଂସ୍ଥା ଓମ୍ଡିଆର ତଥ୍ୟ ଅନୁଯାୟୀ, ୨୦୨୬ ଜୁଲାଇରୁ ସେପ୍ଟେମ୍ବର ତ୍ରୈମାସିକରେ ବଜାରକୁ ସ୍ମାର୍ଟଫୋନ୍ ଯୋଗାଣ ବାର୍ଷିକ ଭିତ୍ତିରେ ୨୬ ପ୍ରତିଶତ ହ୍ରାସ ପାଇ ୩ କୋଟି ୫୮ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ୨୦୧୬ ପରଠାରୁ ତୃତୀୟ ତ୍ରୈମାସିକରେ ଏହା ସର୍ବନିମ୍ନ ଯୋଗାଣ ସ୍ତର। ୨୦୨୫ରେ ଏହି ତିନିମାସରେ କମ୍ପାନିମାନେ ୪୮.୪ ନିୟୁତ ସଂଖ୍ୟକ ସ୍ମାର୍ଟଫୋନ ଛାଡ଼ିଥିବାବେଳେ ଏବର୍ଷ ତାହା ୩୫.୮ ନିୟୁତକୁ ହ୍ରାସ ପାଇଛି। ଯାହାକି ଗ୍ରାହକଙ୍କ ଚାହିଦା ହ୍ରାସକୁ ଦର୍ଶାଉଛି।
ସ୍ମାର୍ଟଫୋନ୍ ବଜାରରେ ଏହି ମାନ୍ଦାବସ୍ଥାର ପ୍ରମୁଖ କାରଣ ହେଉଛି ଫୋନ୍ର ଦାମ୍ ବୃଦ୍ଧି। ଦାମ୍ ବଢ଼ିବା ଯୋଗୁଁ ଗ୍ରାହକମାନେ ନୂଆ ଫୋନ୍ କିଣିବା ପୂର୍ବରୁ ଅଧିକ ଚିନ୍ତା କରୁଛନ୍ତି। ଅନେକ ଗ୍ରାହକ ପୁରୁଣା ଫୋନ୍ ବଦଳାଇବା ନିଷ୍ପତ୍ତିକୁ ଘୁଞ୍ଚାଇ ଦେଉଛନ୍ତି। ଏହା ସହିତ ବଜାରରେ ଚାହିଦା କମିବା ଆଶଙ୍କାରେ ଫୋନ୍ ନିର୍ମାତା ଓ ବିକ୍ରେତାମାନେ ମଧ୍ୟ ନିଜ ମହଜୁଦ୍ ପରିମାଣକୁ ନିୟନ୍ତ୍ରଣରେ ରଖୁଛନ୍ତି। ଚଳିତ ବର୍ଷ ଦୀପାବଳି ବିଳମ୍ବରେ ପଡ଼ୁଥିବାରୁ ମଧ୍ୟ ବଜାର ଉପରେ ପ୍ରଭାବ ପଡ଼ିଛି। ସାଧାରଣତଃ ସେପ୍ଟେମ୍ବରରେ ଖୁଚୁରା ବିକ୍ରେତାଙ୍କ ନିକଟକୁ ପଠାଯାଉଥିବା କିଛି ଫୋନ୍ର ଯୋଗାଣ ଏଥର ଅକ୍ଟୋବର ଓ ନଭେମ୍ବରକୁ ଘୁଞ୍ଚିଛି।
ଶୀର୍ଷ ସ୍ଥାନରେ ସାମସଙ୍ଗ
ପ୍ରମୁଖ ପାଞ୍ଚଟି ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ମଧ୍ୟରୁ ଚାରିଟିର ଯୋଗାଣରେ ଦୁଇ ଅଙ୍କ ବିଶିଷ୍ଟ ହ୍ରାସ ହୋଇଛି। ତେବେ ସାମସଙ୍ଗ ତୁଳନାତ୍ମକ ଭାବେ ଭଲ ପ୍ରଦର୍ଶନ କରିଛି। କମ୍ପାନିର ଯୋଗାଣ ମାତ୍ର ୧ ପ୍ରତିଶତ ହ୍ରାସ ପାଇ ୬୭ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ଏହା ସହିତ ୨୦୨୪ର ପ୍ରଥମ ତ୍ରୈମାସିକ ପରେ ପ୍ରଥମ ଥର ପାଇଁ ସାମସଙ୍ଗ ପୁଣି ଶୀର୍ଷ ସ୍ଥାନ ଦଖଲ କରିଛି। ବଜାରରେ କମ୍ପାନିର ଅଂଶଧନ ଗତବର୍ଷର ସମାନ ତ୍ରୈମାସିକର ୧୪ ପ୍ରତିଶତରୁ ବୃଦ୍ଧି ପାଇ ୧୯ ପ୍ରତିଶତ ହୋଇଛି। ଏହାର ଗାଲାକ୍ସି ଏ-ସିରିଜ୍ ଫୋନ୍ ସହିତ କ୍ୟାସ୍ବ୍ୟାକ୍, ପୁରୁଣା ଫୋନ୍ ବଦଳରେ ରିହାତି ଓ କିସ୍ତିରେ ଅର୍ଥ ପୈଠ ସୁବିଧା ଗ୍ରାହକଙ୍କୁ ଆକର୍ଷିତ କରିଛି। ଅନ୍ୟପକ୍ଷରେ, ପୂର୍ବରୁ ଅନେକ ତ୍ରୈମାସିକରେ ଶୀର୍ଷରେ ରହିଥିବା ଭିଭୋ ଦ୍ୱିତୀୟ ସ୍ଥାନକୁ ଖସିଛି। ଏହାର ଯୋଗାଣ ୩୪ ପ୍ରତିଶତ ହ୍ରାସ ପାଇ ୬୪ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ଶୀର୍ଷ ପାଞ୍ଚଟି ବ୍ରାଣ୍ଡ୍ ମଧ୍ୟରେ ଭିଭୋର ହ୍ରାସ ସର୍ବାଧିକ। ସେହିପରି ଓପୋର ଯୋଗାଣ ୨୪ ପ୍ରତିଶତ ହ୍ରାସ ପାଇ ୪୯ ଲକ୍ଷ ୟୁନିଟ୍ ହୋଇଥିବାବେଳେ ସାଓମିର ଯୋଗାଣ ୨୮ ପ୍ରତିଶତ କମି ୪୭ ଲକ୍ଷ ୟୁନିଟ୍ରେ ପହଞ୍ଚିଛି। ମୋଟାମୋଟି ଭାବେ, ଫୋନ୍ର ବର୍ଦ୍ଧିତ ମୂଲ୍ୟ, ଗ୍ରାହକଙ୍କ ସତର୍କ ଖର୍ଚ୍ଚ ଓ ବିକ୍ରେତାଙ୍କ ସୀମିତ ମହଜୁଦ୍ ଭାରତୀୟ ସ୍ମାର୍ଟଫୋନ୍ ବଜାରକୁ ପ୍ରଭାବିତ କରିଛି। ପାର୍ବଣ ଋତୁରେ ଚାହିଦା ବଢ଼ାଇବା ପାଇଁ ଆଗାମୀ ଦିନରେ କମ୍ପାନିଗୁଡ଼ିକର ରିହାତି ଓ ଅର୍ଥ ପୈଠ ସୁବିଧା କେତେ ପ୍ରଭାବଶାଳୀ ହେଉଛି, ତାହା ଉପରେ ବଜାରର ନଜର ରହିବ।






