Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ସମ୍ପାଦକୀୟ: ଓଡ଼ିଆ ଅସ୍ମିତାର ବଳାତ୍କାର!

ଗଣତନ୍ତ୍ରରେ ସ୍ୱାଭିମାନ, ସଂସ୍କୃତି ଓ ମାତୃଭାଷା ହେଉଛି ଏକ ଜାତିର ନିଜସ୍ୱ ପରିଚୟ। ଏହାକୁ ଆଧାର କରି ନିର୍ବାଚନ ମଇଦାନରେ ‘ଓଡ଼ିଆ ଅସ୍ମିତା’କୁ ମୁଖ୍ୟ ସ୍ଲୋଗାନ କରିଥିଲା ଭାରତୀୟ ଜନତା ପାର୍ଟି। ଓଡ଼ିଶାର ଜନସାଧାରଣ ମଧ୍ୟ ନିଜ ମାତୃଭାଷାର ସୁରକ୍ଷା ଓ ଅଭିବୃଦ୍ଧି ଆଶାରେ ଶାସନ ବଦଳାଇବାରେ କୌଣସି ପଛଘୁଞ୍ଚା ଦେଇନଥିଲେ। ମାତ୍ର ଆଜି ଦୀର୍ଘ ଦୁଇ ବର୍ଷରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ହେଁ ‘ଓଡ଼ିଆ’ ଭାଷାର ଉତ୍‍ଥାନ, ପ୍ରସାର କିମ୍ବା ସଂରକ୍ଷଣ ପାଇଁ ସରକାରଙ୍କ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଦୃଶ୍ୟମାନ ହେଉନାହିଁ। ଓଲଟି, ରାଜ୍ୟସାରା ଓଡ଼ିଆ ଭାଷାକୁ ଜାଣିଶୁଣି ଅବମାନନା ଓ ଅବହେଳା କରାଯାଉଥିବାର ଦୁର୍ଭାଗ୍ୟଜନକ ଚିତ୍ର ସାମ୍ନାକୁ ଆସୁଛି, ଯାହା ପ୍ରତ୍ୟେକ ଓଡ଼ିଆ ପ୍ରାଣକୁ ଗଭୀର ଆଘାତ ପହଞ୍ଚାଉଛି।
ଆଜି ରାସ୍ତାକଡ଼ର ବଡ଼ ବଡ଼ ହୋର୍ଡିଂ, ସରକାରୀ ବିଲବୋର୍ଡ ଏବଂ ଟେଲିଭିଜନ୍ ବିଜ୍ଞାପନଗୁଡ଼ିକରେ ଓଡ଼ିଆ ଭାଷାର ବିକୃତ ଓ କଦର୍ଯ୍ୟ ରୂପ ଦେଖିବାକୁ ମିଳୁଛି। ଓଡ଼ିଆ ଅକ୍ଷରରେ ହିନ୍ଦୀ ଶବ୍ଦର ବେଧଡ଼କ ପ୍ରୟୋଗ ଏବଂ ଭୁଲ୍ ଅନୁବାଦକୁ ସରକାରୀ ପ୍ରୋତ୍ସାହନ ମିଳୁଥିବା ପରି ମନେହୁଏ। ଛାତ ଉପରେ ସୌର ଶକ୍ତି ବ୍ୟବସ୍ଥା ସ୍ଥାପନ ପାଇଁ ଉଦ୍ଦିଷ୍ଟ ଯୋଜନାର ପ୍ରଚାର ବୋର୍ଡଗୁଡ଼ିକରେ ‘ପ୍ରଧାନମନ୍ତ୍ରୀ ମୁଫ୍ତ ବିଜ୍‍ଲି ଯୋଜନା’ ଲେଖାଯିବା ଏହାର ପ୍ରତ୍ୟକ୍ଷ ପ୍ରମାଣ। ଓଡ଼ିଆରେ ‘ମୁଫ୍ତ’ କିମ୍ବା ‘ବିଜ୍‍ଲି’ ଶବ୍ଦର ସ୍ଥାନରେ ‘ମାଗଣା’ ଓ ‘ବିଜୁଳି/ବିଦ୍ୟୁତ୍’ ଭଳି ନିଜସ୍ୱ ସମୃଦ୍ଧ ଶବ୍ଦ ଥାଉ ଥାଉ, ହିନ୍ଦୀ ଶବ୍ଦକୁ ଏଭଳି ବାଧ୍ୟତାମୂଳକ ଭାବେ ଲଦିଦେବା ଅନିୟନ୍ତ୍ରିତ ଏବଂ ଭାଷାପ୍ରୀତି ବିହୀନ ଅନୁବାଦକୁ ସୂଚିତ କରୁଛି।
ଠିକ୍ ସେହିପରି, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ‘ଆଙ୍ଗନ ଉତ୍ସବ’ ବୋଲି ଓଡ଼ିଆରେ ନାମିତ କରାଯିବା ସରକାରଙ୍କ ଓଡ଼ିଆ ଭାଷା ପ୍ରତି ଥିବା ବୈମାତୃକ ମନୋଭାବକୁ ଦର୍ଶାଉଛି। ବିଶେଷକରି ଯେତେବଳେ ରାଜ୍ୟର ମୁଖ୍ୟମନ୍ତ୍ରୀ କୌଣସି ଉତ୍ସବର ଅତିଥି ରହୁଛନ୍ତି ଅତିକମ୍‍ରେ ତାହାକୁ ଓଡ଼ିଆ ସ୍‍ୱାଭିମାନରେ ସଜ୍ଜିତ କରାଯିବାର ଆବଶ୍ୟକତା ରହିଛି।
ଓଡ଼ିଶାର ଆଞ୍ଚଳିକ ଶବ୍ଦକୋଷ ଓ ବ୍ୟାକରଣକୁ ଏଡ଼ାଇ ଦେଇ ଦିଲ୍ଲୀରେ ବସୁଥିବା ନିଜର ହିନ୍ଦୀ ବସ୍‍ମାନଙ୍କୁ ପ୍ରସନ୍ନ କରିବା ପାଇଁ ରାଜ୍ୟର ନେତା ଓ ଅଫିସରମାନେ ଏପରି କରୁଥିବା ବୋଲି ଚର୍ଚ୍ଚା ହେଉଛି। ଏହା କେବଳ ରାଜନୈତିକ ଚାଟୁକାରିତା ନୁହେଁ, ବରଂ ନିଜ ମାତୃଭାଷା ପ୍ରତି ନେତୃବୃନ୍ଦଙ୍କ ପରମ ଅଜ୍ଞତାକୁ ପରିପ୍ରକାଶ କରୁଛି।
ସରକାରୀ ସ୍ତରରେ ହେଉଥିବା ଏହି ଭୁଲ ପ୍ରଚାର ଓ ଭାଷାଗତ ଶୋଷଣ ଆଗାମୀ ପିଢ଼ିକୁ ନିଜର ଶୁଦ୍ଧ ଭାଷାରୁ ବଞ୍ଚିତ କରି ଗୋଟିଏ ସମ୍ପୂର୍ଣ୍ଣ ପିଢ଼ିକୁ ଭାଷାଗତ ଭାବେ ପଙ୍ଗୁ କରିଦେବାର ଆଶଙ୍କା ସୃଷ୍ଟି କରୁଛି।
ଖାଲି ବିଜ୍ଞାପନ ବୋର୍ଡରେ ଭୁଲ ଲେଖିବାରେ ଏହି ଆଭିମୁଖ୍ୟ ସୀମିତ ନୁହେଁ, ସରକାରୀ ଦପ୍ତରଗୁଡ଼ିକରେ ଓଡ଼ିଆ ଭାଷାର ବାଧ୍ୟତାମୂଳକ ବ୍ୟବହାର ନିୟମ ପ୍ରତି ମଧ୍ୟ ସମ୍ପୂର୍ଣ୍ଣ ଆଖିବୁଜି ଦିଆଯାଇଛି। ସରକାରୀ ନଥିପତ୍ର, ଚିଠିପତ୍ର ଓ ଆଦେଶନାମାରେ ଓଡ଼ିଆ ପ୍ରତି ପ୍ରଦର୍ଶିତ ହେଉଥିବା ଅବହେଳା ସାଧାରଣ ନାଗରିକଙ୍କୁ ନିଜର ସାମ୍ବିଧାନିକ ଅଧିକାରରୁ ବଞ୍ଚିତ କରୁଛି। ଅନ୍ୟପଟେ, ଭାଷା, ସଂସ୍କୃତି ଓ ସିନେମାର ବିକାଶ ପାଇଁ ଗଠିତ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନଗୁଡ଼ିକ ପ୍ରତି ସରକାରଙ୍କ ଆଭିମୁଖ୍ୟ ଅତ୍ୟନ୍ତ ନିରାଶାଜନକ।
ପୂର୍ବ ସରକାରଙ୍କ ସମୟରେ ସତ୍ୟବାଦୀଠାରେ ସ୍ଥାପିତ ଓଡ଼ିଆ ବିଶ୍ୱବିଦ୍ୟାଳୟକୁ ବର୍ତ୍ତମାନର ସରକାର ସମ୍ପୂର୍ଣ୍ଣ ଅଣଦେଖା କରି ଚାଲିଛନ୍ତି। ଆଜି ପର୍ଯ୍ୟନ୍ତ ଓଡ଼ିଆ ଭାଷା ପ୍ରତିଷ୍ଠାନ ପାଇଁ ଠିକଣା ଜମିଟିଏ ବ୍ୟବସ୍ଥା କରିବାରେ ମଧ୍ୟ ସରକାର ବିଫଳ ହୋଇଛନ୍ତି, ଯାହା ଅନୁଷ୍ଠାନର ଭବିଷ୍ୟତକୁ ଅନ୍ଧକାର ଆଡ଼କୁ ଠେଲିଦେଉଛି।
ସେହିପରି ଓଡ଼ିଶାର ସିନେମା, କଳା, ଗଣମାଧ୍ୟମ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଚ୍ଚମାନର ମାନବ ସମ୍ବଳ ସୃଷ୍ଟି କରୁଥିବା ‘ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେକ୍ନୋଲୋଜି ପ୍ରତିଷ୍ଠାନ’ର ସମ୍ପ୍ରସାରଣ ପାଇଁ ମଧ୍ୟ ଜମି ଅଧିଗ୍ରହଣ ପ୍ରକ୍ରିୟାରେ ଅଯଥା ବିଳମ୍ବ କରାଯାଉଛି। ଏହା ରାଜ୍ୟର କଳାତ୍ମକ ଓ ସାଂସ୍କୃତିକ ପ୍ରଗତିକୁ ରୋକିବା ପାଇଁ ଏକ ଚକ୍ରାନ୍ତ ପରି ପ୍ରତୀୟମାନ ହେଉଛି।
ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନେବାରେ ଶିଥିଳତା ଏବଂ ଭାଷାଭିତ୍ତିକ ଭିତ୍ତିଭୂମିର ସମ୍ପ୍ରସାରଣରେ ଏଭଳି ନୀତି ସରକାରଙ୍କ ଆନ୍ତରିକତା ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଯେଉଁ ଶାସକମାନେ ନିର୍ବାଚନ ଜିତିବା ପାଇଁ ଓଡ଼ିଆ ଅସ୍ମିତାର ଦାହି ଦେଇ କ୍ଷମତାସୀନ ହୋଇଥିଲେ, ସେମାନଙ୍କ ଶାସନକାଳରେ ମାତୃଭାଷା ଏଭଳି ଅବହେଳିତ, ସଙ୍କୁଚିତ ଓ ବିକୃତ ହେବା ଦେଖିବା ଅତ୍ୟନ୍ତ ଶୋଚନୀୟ। ଏହା କୌଣସି ପରିସ୍ଥିତିରେ ଭାଷାପ୍ରୀତି କିମ୍ବା ରାଜ୍ୟହିତ ପାଇଁ ନୁହେଁ, ବରଂ ଓଡ଼ିଆ ଜାତିର ସ୍ୱାଭିମାନ, ସଂସ୍କୃତି ଓ ଅସ୍ମିତାର ନିଷ୍ଠୁର ବଳାତ୍କାର। ସରକାର ତୁରନ୍ତ ଏ ପ୍ରସଙ୍ଗରେ ଚେତିବା ସହ ସରକାରୀ କାର୍ଯ୍ୟକ୍ରମରେ ଶୁଦ୍ଧ ଓଡ଼ିଆ ଭାଷାର ବ୍ୟବହାର, ବିଶ୍ୱବିଦ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସମୁଚିତ ବିକାଶ ପାଇଁ ଦୃଢ଼ ପଦକ୍ଷେପ ନେବା ଆବଶ୍ୟକ; ନଚେତ୍ ଆଗାମୀ ଇତିହାସ ଏହି ଭାଷାଗତ ଅବମାନନା ଓ ବିଶ୍ୱାସଘାତକତା ପାଇଁ କାହାକୁ କ୍ଷମା ଦେବନାହିଁ।

LEAVE A REPLY

Please enter your comment!
Please enter your name here

Popular Articles