ଭାରତୀୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଚେହେରା ଭାବେ ୫୬ ବର୍ଷୀୟ ରାହୁଲ ଗାନ୍ଧି ଆଜି ଲୋକସଭାର ବିରୋଧୀ ଦଳ ନେତା ଏବଂ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପଦର ପ୍ରମୁଖ ଦାବିଦାର ଭାବେ ଦେଖାଯାଉଛନ୍ତି। ନେହେରୁ-ଗାନ୍ଧି ପରିବାରର ଐତିହ୍ୟ ଏବଂ ମନମୋହନ ସିଂହଙ୍କ ସମୟରୁ ଦେଶର ଶାସନ ଓ ଅର୍ଥନୀତିକୁ ଅତି ନିକଟରୁ ଦେଖିବାର ସୁଯୋଗ ପାଇଥିବା ଏହି ନେତାଙ୍କ ପାଖରେ ଅଭିଜ୍ଞତାର ଅଭାବ ନାହିଁ। ତଥାପି ତାଙ୍କର ବିବାଦୀୟ ବୟାନଗୁଡ଼ିକ ଅନେକ ସମୟରେ ସମର୍ଥକଙ୍କୁ ଅଡ଼ୁଆ ପରିସ୍ଥିତିରେ ପକାଉଛି।
ଭାରତୀୟ ରାଜନୀତିର ସବୁଠାରୁ ଚର୍ଚ୍ଚିତ ଏବଂ ବିବାଦୀୟ ଚେହେରା ଭାବେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ସର୍ବଦା ଆଲୋଚନାର କେନ୍ଦ୍ରରେ ରହିଆସିଛନ୍ତି। ୫୬ ବର୍ଷ ବୟସରେ ପଦାର୍ପଣ କରିଥିବା ରାହୁଲ ଗାନ୍ଧି ଏପରି ଏକ ରାଜନୈତିକ ପରିବାରରୁ ଆସିଛନ୍ତି, ଯେଉଁଠାରେ ତାଙ୍କ ଜେଜେବାପା ଜବାହରଲାଲ ନେହେରୁ, ଜେଜେମାଆ ଇନ୍ଦିରା ଗାନ୍ଧି, ପିତା ରାଜୀବ ଗାନ୍ଧି ଏବଂ ପରବର୍ତ୍ତୀ ସମୟରେ ଡକ୍ଟର ମନମୋହନ ସିଂହଙ୍କ ଭଳି ପ୍ରଧାନମନ୍ତ୍ରୀମାନଙ୍କୁ ସେ ଅତି ନିକଟରୁ ଦେଖିଛନ୍ତି, ତାଙ୍କ ସହ ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ବିଶ୍ଳେଷଣ କରିବାର ବିରଳ ସୁଯୋଗ ପାଇଛନ୍ତି। ଭାରତୀୟ ରାଜନୀତିର ସବୁଠାରୁ ବଡ଼ ଟର୍ନିଂ ପଏଣ୍ଟଗୁଡ଼ିକୁ ସେ ଦେଖିଛନ୍ତି, ଅନୁଭବ କରିଛନ୍ତି। ପୁଣି ସେଥିରୁ ବର୍ତ୍ତିବା ଲାଗି ତାଙ୍କୁ ଗୋପନରେ, ନାମ ବଦଳାଇ ପାଠ ପଢ଼ିବାକୁ ପଡ଼ିଛି..।
୨୦୦୪ ମସିହାରୁ ଭାରତୀୟ ରାଜନୀତିରେ ପ୍ରତ୍ୟକ୍ଷ ଭାବେ ପ୍ରବେଶ କରିବା ପରେ ତାଙ୍କୁ ନେଇ କଂଗ୍ରେସ ଅନେକ ସ୍ୱପ୍ନ ଦେଖିଛି। ତାଙ୍କୁ ନେଇ କଂଗ୍ରେସକୁ ସବଳ କରିବାକୁ ଅନେକ ପ୍ରଚେଷ୍ଟା ହୋଇଛି। ଆଉ ସେହି ହେତୁ ଆଜି ସେ ଦେଶର ବିରୋଧୀ ଦଳ ନେତା ଏବଂ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପଦର ପ୍ରମୁଖ ଦାବିଦାର।
ତଥାପି ରାଜନୈତିକ ମହଲରେ ବାରମ୍ବାର ଏହି ପ୍ରଶ୍ନ ଉଠୁଛି ଯେ, ଏତେ ବଡ଼ ଐତିହ୍ୟ ଓ ଅଭିଜ୍ଞତା ସତ୍ତ୍ୱେ କେବେ ସୁଧୁରିବେ ରାହୁଲ ଗାନ୍ଧି? ତାଙ୍କର ବିବାଦୀୟ ବୟାନଗୁଡ଼ିକ କ’ଣ ତାଙ୍କୁ ପ୍ରଧାନମନ୍ତ୍ରୀ ଆସନ ପର୍ଯ୍ୟନ୍ତ ପହଞ୍ଚାଇବାରେ ସହାୟକ ହେବ ନା କଂଗ୍ରେସ ପାଇଁ ଆତ୍ମଘାତୀ ସାବ୍ୟସ୍ତ ହେବ।
ସୁଟ-ବୁଟ କି ସରକାର
ରାହୁଲ ଗାନ୍ଧିଙ୍କ ବିବାଦୀୟ ବୟାନ ଓ ଭାଷଣଗୁଡ଼ିକର ସମୟାନୁକ୍ରମିକ ଧାରାକୁ ଦେଖିଲେ ଏକ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସେ। ୨୦୧୫ ମସିହା ଏପ୍ରିଲ ୨୦ ତାରିଖରେ ଲୋକସଭାରେ କୃଷି ସଙ୍କଟ ଉପରେ ଆଲୋଚନା ସମୟରେ ସେ ‘ସୁଟ୍-ବୁଟ୍ କି ସରକାର’ ଶବ୍ଦ ବ୍ୟବହାର କରି ସରକାରଙ୍କୁ କର୍ପୋରେଟ୍-ପନ୍ଥୀ ଭାବେ ସମାଲୋଚନା କରିଥିଲେ, ଯାହାକୁ ପରବର୍ତ୍ତୀ ସମୟରେ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଦୋହରାଯାଇଛି। ସୋଶାଲ୍ ମିଡିଆରୁ ଆରମ୍ଭ କରି ମେନ୍ଷ୍ଟ୍ରୀମ୍ ପର୍ଯ୍ୟନ୍ତ ତାଙ୍କର ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ହୋଇଛି। ଏଥିଲାଗି ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ଫଟୋ ଭାଇରାଲ୍ ହୋଇଛି, ତାଙ୍କ ପୋଷାକର ଦାମକୁ ନେଇ ଚର୍ଚ୍ଚା କରାଯାଇଛି।
ବାକ୍ ସ୍ୱାଧୀନତାର ଉଲ୍ଲଂଘନ
ସେହିପରି ୨୦୨୧ ମସିହା ମାର୍ଚ୍ଚ ୧୬-୧୭ ତାରିଖରେ ବ୍ରାଉନ୍ ୟୁନିଭର୍ସିଟିର ପ୍ରଫେସର ଆଶୁତୋଷ ବର୍ଷାଣେଙ୍କ ସହ ଭର୍ଚୁଆଲ୍ ଆଲୋଚନା ବେଳେ ସେ ଇରାକ ଓ ଲିବିଆର ଉଦାହରଣ ଦେଇ ସଦ୍ଦାମ ହୁସେନ ଓ ଗଦ୍ଦାଫିଙ୍କ
ସମୟର ନିର୍ବାଚନ ସହ ଭାରତର ସାମ୍ବିଧାନିକ ପରିବେଶକୁ ତୁଳନା କରିଥିଲେ। ଖାଲି ସେତିକି ନୁହେଁ ଭାରତର ଗଣତାନ୍ତ୍ରିକ ସ୍ଥିତି ଅତ୍ୟନ୍ତ ଖରାପ ବୋଲି ବି ଚିତ୍ରଣ କରିବା ସହ ଏଠାରେ କଥା କହିବାର ଅଧିକାର କ୍ଷୁର୍ଣ୍ଣ ହୋଇଥିବା କହିଥିଲେ। ଖାଲି ବିରୋଧୀ ଦଳ ନୁହଁନ୍ତି, ଶାସକ ବିଜେପିର ସଦସ୍ୟମାନଙ୍କୁ ବି କହିବା ପାଇଁ ସ୍ୱାଧୀନତା ମିଳୁ ନଥିବା ବିଷୟରେ ସେ କହିଥିଲେ। ଏପରିକି ଏ ବିଷୟରେ ବିଜେପିର ସଦସ୍ୟମାନେ ତାଙ୍କୁ ଗୋପନରେ ସଂସଦ ଭିତରେ ଏ କଥା କହିଥିବା ସେ ଉଲ୍ଲେଖ କରିଥିଲେ।
ଏହି ମନ୍ତବ୍ୟକୁ ନେଇ ବିଜେପି ଓ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ଭାରତୀୟ ଭୋଟରଙ୍କ ରାୟକୁ ଅପମାନ କରାଯାଇଥିବା ଅଭିଯୋଗ ଆଣିଥିଲେ।
ଏହାପରେ ୨୦୨୫ ଏପ୍ରିଲ ୨୧ ତାରିଖରେ ସେହି ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ପ୍ରଫେସର ବର୍ଷାଣେଙ୍କ ସହ ସେ ବ୍ରାଉନ ବିଶ୍ୱବିଦ୍ୟାଳୟର ଓ୍ୱାଟସନ ଇନ୍ଷ୍ଟିଚ୍ୟୁଟଠାରେ ଭାରତର ଧର୍ମ ନିରପେକ୍ଷ ବ୍ୟବସ୍ଥାକୁ ସମାଲୋଚନା କରିଥିଲେ। ଭଗବାନ ଶ୍ରୀ ରାମଙ୍କୁ ‘ଏକ ପୌରାଣିକ ଚରିତ୍ର’ ବୋଲି ଉଲ୍ଲେଖ କରିଥିଲେ। ୧୯୮୪ ମସିହାର ଶିଖ ବିରୋଧୀ ଦଙ୍ଗା ବାବଦରେ ମଧ୍ୟ ସେ ଦେଇଥିବା ପ୍ରତିଶୃତିକୁ ନେଇ ଶିଖ୍ ସମ୍ପ୍ରଦାୟ ସମାଲୋଚନା କରିଥିଲେ।
ୟୁନିଅନ୍ ଅଫ୍ ଷ୍ଟେଟ୍ସ
୨୦୨୨ ମସିହା ଫେବୃଆରୀ ୨ ତାରିଖରେ ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ସମୟରେ ରାହୁଲ ଗାନ୍ଧି ଭାରତକୁ ଏକ ‘ୟୁନିଅନ୍ ଅଫ୍ ଷ୍ଟେଟ୍ସ’ ବା ରାଜ୍ୟମାନଙ୍କର ସଂଘ ଭାବେ ବର୍ଣ୍ଣନା କରିବା ସହ ଦେଶରେ ‘ଦୁଇ ଭାରତ’ -ଅର୍ଥାତ୍ ମୁଷ୍ଟିମେୟ କୋଟିପତି ଓ ଅନ୍ୟପଟେ ଗରିବ, ବେକାର ଓ କୃଷକ—ସୃଷ୍ଟି ହୋଇଥିବା ଅଭିଯୋଗ କରିଥିଲେ। ଚୀନ-ପାକିସ୍ତାନ ସହ ଭାରତର ସମ୍ପର୍କକୁ ନେଇ ବୈଦେଶିକ ନୀତି ଉପରେ ପ୍ରଶ୍ନ ଉଠାଇଥିଲେ। ଏହାର ଜବାବରେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ୧୯୬୩ ଓ ୧୯୭୦ ଦଶକର ଐତିହାସିକ ଘଟଣା ମନେ ପକାଇ ଇତିହାସର ପାଠ ପଢ଼ାଇଥିଲେ, ଅନ୍ୟପକ୍ଷରେ ସମ୍ବିଧାନର ପ୍ରଥମ ଅନୁଚ୍ଛେଦରେ ‘ୟୁନିୟନ ଅଫ ଷ୍ଟେଟ୍ସ’ ଲେଖାଥିବା କଥାକୁ ନେଇ ବିତର୍କ ସୃଷ୍ଟି ହୋଇଥିଲା ଏବଂ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ୍ ରାହୁଲଙ୍କ ସଂଘୀୟ ବ୍ୟବସ୍ଥା ବକ୍ତବ୍ୟକୁ ସମର୍ଥନ କରିଥିଲେ।
‘ପେଗାସସ୍ ସର୍ଭିଲାନ୍ସ’
ସେହି ବର୍ଷ ମେ ମାସରେ ଲଣ୍ଡନ ଓ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ସେ ପୁଣିଥରେ ‘ୟୁନିଅନ୍ ଅଫ୍ ଷ୍ଟେଟ୍ସ’ ବିଚାରକୁ ଦୋହରାଇଥିଲେ ଏବଂ ପ୍ରଶ୍ନୋତ୍ତର ପର୍ଯ୍ୟାୟରେ ଉପସ୍ଥିତ ଶ୍ରୋତାଙ୍କ ପ୍ରତିକ୍ରିୟାର ସମ୍ମୁଖୀନ ହୋଇଥିଲେ। ୨୦୨୩ ମସିହା ମାର୍ଚ୍ଚ ମାସରେ କେମ୍ବ୍ରିଜ୍ ଜଜ୍ ବିଜିନେସ୍ ସ୍କୁଲ୍ ଓ ଲଣ୍ଡନରେ ପ୍ରବାସୀ ଭାରତୀୟ ଓ ଗଣମାଧ୍ୟମ ସହ ଆଲୋଚନା ବେଳେ ସେ ଭାରତୀୟ ଗଣତନ୍ତ୍ର ଉପରେ ଆକ୍ରମଣ, ପେଗାସସ୍ ସର୍ଭିଲାନ୍ସ ଏବଂ ବିରୋଧୀଙ୍କ ସ୍ୱର ଦବାଇବା ଭଳି ଅଭିଯୋଗ ଆଣିଥିଲେ।
‘ପକ୍ଷପାତୀ ନିର୍ବାଚନ ଆୟୋଗ’
୨୦୨୪ ମସିହା ସେପ୍ଟେମ୍ବର ମାସରେ ଆମେରିକାର ଡାଲାସ୍ ଓ ୱାଶିଂଟନ ଡି.ସି. ଗସ୍ତ ସମୟରେ ସେ ଆରଏସ୍ଏସ୍ ଉପରେ ନିର୍ଦ୍ଦିଷ୍ଟ ଧର୍ମ, ଭାଷା ଓ ସମ୍ପ୍ରଦାୟକୁ ହୀନ ଦୃଷ୍ଟିରେ ଦେଖିବାର ଅଭିଯୋଗ ଆଣିବା ସହ ସଂଖ୍ୟାଲଘୁଙ୍କ ସ୍ଥିତି ଉପରେ ପ୍ରଶ୍ନ ଉଠାଇଥିଲେ। ୨୦୨୫ ମସିହା ଏପ୍ରିଲ ୨୦ ତାରିଖରେ ବୋଷ୍ଟନ୍ ଗସ୍ତ ସମୟରେ ସେ ଭାରତର ନିର୍ବାଚନ ଆୟୋଗଙ୍କ ନିରପେକ୍ଷତା ଓ ନିର୍ବାଚନୀ ପ୍ରକ୍ରିୟାରେ ବ୍ୟବସ୍ଥାଗତ ତ୍ରୁଟି ଥିବା ଅଭିଯୋଗ କରିଥିଲେ।
କଂଗ୍ରେସର ଆନ୍ଦୋଳନ ନୀଳକଂଣ୍ଠଙ୍କ ଭଳି
ଏସବୁ ମନ୍ତବ୍ୟ ଅନେକ ସମୟରେ ଜନମତକୁ ତାଙ୍କ ବିରୋଧରେ ନେଇଛି। ନିର୍ବାଚନରେ ଏହା ପ୍ରମାଣିତ ହୋଇଛି। ତଥାପି ଏଥିରୁ ବିରତ ହୋଇ ନାହାନ୍ତି ରାହୁଲ। ଚଳିତ ବର୍ଷ ମଧ୍ୟ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ, ମେଣ୍ଟ ରଣନୀତି ଓ କାର୍ଯ୍ୟକଳାପ ନେଇ ବ୍ୟାପକ ଚର୍ଚ୍ଚା ହୋଇଛି। ୨୦୨୬ ମସିହା ଜୁନ୍ ୮ ତାରିଖରେ ଇଣ୍ଡିଆ ମେଣ୍ଟ ବୈଠକରେ ସେ କଂଗ୍ରେସକୁ ଏକ ପ୍ରତିରୋଧ ଆନ୍ଦୋଳନ ଭାବେ ବର୍ଣ୍ଣନା କରିବା ସହ ଶୈବ ପରମ୍ପରାର ନୀଳକଣ୍ଠଙ୍କ ଭଳି ସମାଲୋଚନା ଓ ଅପମାନକୁ ଗ୍ରହଣ କରି ମେଣ୍ଟକୁ ଏକଜୁଟ ରଖିବାର କଥା କହିଥିଲେ।
ନଭେମ୍ବର ୧୪ ତାରିଖରେ ହାଇଦ୍ରାବାଦର ‘ଭାରତ ସମ୍ମିଳନୀ ୨୦୨୬’ ରେ ସେ ଶାସକ ଦଳ ବିରୋଧରେ କଡ଼ା ସମାଲୋଚନା କରିବା ସହ ରାଜନୀତିରେ ଫାସିବାଦୀ ପ୍ରବୃତ୍ତିର ଅଭିଯୋଗ ଆଣିଥିଲେ, ଯାହାକୁ ନେଇ ବିଜେପି ତୀବ୍ର ବିରୋଧ କରିଥିଲା।
ପାପା କୋଳରେ ମାମା
ନଭେମ୍ବର ୧୬ ତାରିଖରେ ନୂଆଦିଲ୍ଲୀଠାରେ ସୋନିଆ ଗାନ୍ଧିଙ୍କ ଆତ୍ମଜୀବନୀ ‘ବିଲଙ୍ଗିଙ୍ଗ: ଏ ଜର୍ଣ୍ଣି ଅଫ୍ ଲଭ୍’ ଉନ୍ମୋଚନ ଉତ୍ସବରେ ସୋନିଆ ଗାନ୍ଧିଙ୍କ ଉପସ୍ଥିତିରେ ସେ ନିଜ ପିତାମାତାଙ୍କ ପ୍ରେମ ଓ ନିଜର ପୂର୍ବ ସମ୍ପର୍କ ଭଳି ବ୍ୟକ୍ତିଗତ ପ୍ରସଙ୍ଗ ସହ ରାଜନୈତିକ ସଂଘର୍ଷ ଓ ‘ଆପଣତ୍ୱ’ ବିଷୟରେ କହିଥିଲେ, ଯାହା ଆନୁଷ୍ଠାନିକ ସାହିତ୍ୟିକ କାର୍ଯ୍ୟକ୍ରମରେ ତାଙ୍କର ଭାଷଣର ଶୈଳୀ ଓ ଉପଯୁକ୍ତତାକୁ ନେଇ ଗଣମାଧ୍ୟମ ଓ ରାଜନୈତିକ ମହଲରେ ଆଲୋଚନା ସୃଷ୍ଟି କରିଥିଲା। ଏଠାରେ ସେ କହିଥିଲେ, ତାଙ୍କ ଘରେ ସେ ତାଙ୍କ ମା’ଙ୍କୁ ତାଙ୍କ ବାପାଙ୍କ କୋଳରେ ବସିଥିବା ଦେଖନ୍ତି କିନ୍ତୁ ଅନ୍ୟମାନଙ୍କ ଘରେ ଏହା ଦେଖାଯାଏ ନାହିଁ।
ପରଦିନ ଅର୍ଥାତ୍ ନଭେମ୍ବର ୧୭ ତାରିଖରେ ଆମେରିକାର ନ୍ୟୁୟର୍କ ସ୍ଥିତ କଲମ୍ବିଆ ବିଶ୍ୱବିଦ୍ୟାଳୟରେ ସେ ଭାରତୀୟ ଅର୍ଥନୀତିକୁ ‘ବିପର୍ଯ୍ୟୟ’ ଭାବେ ଦର୍ଶାଇ ବେକାରୀ, ଶିକ୍ଷା ସଙ୍କଟ ଓ ସମ୍ପତ୍ତିର କେନ୍ଦ୍ରୀକରଣକୁ ସମାଲୋଚନା କରିଥିଲେ।
ପରିବର୍ତ୍ତିତ ନାରେଟିଭ୍
୨୦୨୧-୨୦୨୨ରୁ ୨୦୨୪-୨୦୨୬ ମଧ୍ୟରେ ରାହୁଲ ଗାନ୍ଧିଙ୍କ ରାଜନୈତିକ ବାର୍ତ୍ତାରେ ଏକ ଗୁରୁତ୍ୱପୂର୍ଣ୍ଣ ରୂପାନ୍ତର ଦେଖାଯାଇଛି। ପୂର୍ବରୁ ‘ୟୁନିଅନ୍ ଅଫ୍ ଷ୍ଟେଟ୍ସ’ ଓ ‘ଟୁ ଇଣ୍ଡିଆସ୍’ ଭଳି ତତ୍ତ୍ୱଗତ ଓ ସଂରଚନାଗତ ସମାଲୋଚନା କରୁଥିବା ରାହୁଲ, ୨୦୨୪ ପରେ ସଭା ଓ ସଂସଦରେ ସମ୍ବିଧାନର ଲାଲ୍ କପି ଧରି ‘ସମ୍ବିଧାନ ରକ୍ଷା’କୁ ପ୍ରମୁଖ ପ୍ରସଙ୍ଗ କରିଛନ୍ତି। ପୂର୍ବର ‘ସୁଟ୍-ବୁଟ୍ କି ସରକାର’ ଓ ‘ଦୁଇ ଭାରତ’ ଅର୍ଥନୈତିକ ସମାଲୋଚନା ବର୍ତ୍ତମାନ ‘ଜିତନି ଆବାଦୀ, ଉତନା ହକ୍’ ନାରା ସହ ଜାତିଗତ ଜନଗଣନା, ଓବିସି, ଦଳିତ ଓ ଆଦିବାସୀଙ୍କ ପ୍ରତିନିଧିତ୍ୱ ଏବଂ ୫୦% ସଂରକ୍ଷଣ ସୀମା ହଟାଇବା ଦାବିରେ ପରିଣତ ହୋଇଛି। ସେହିପରି ୨୦୨୧ର ଇରାକ-ଲିବିଆ ତୁଳନା ଓ ୨୦୨୨-୨୩ର ପେଗାସସ୍ ଅଭିଯୋଗ ୨୦୨୫-୨୦୨୬ ବେଳକୁ ନିର୍ବାଚନ ଆୟୋଗ, ଭୋଟର ତାଲିକା ସଂଶୋଧନ ଓ ନିର୍ବାଚନୀ ସ୍ୱଚ୍ଛତା ଉପରେ ସିଧାସଳଖ ପ୍ରହରରେ ବଦଳିଯାଇଛି।
ଏହି ଭଳି ବିବାଦୀୟ ବୟାନ, ବାରମ୍ବାର ପରିବର୍ତ୍ତିତ ବିଚାର ପ୍ରଭୃତି ରାହୁଲଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବାରେ କେତେ ସହାୟକ ହେବ, ସେନେଇ ଦୁଇଟି ଭିନ୍ନ ମତ ରହିଛି। ସମାଲୋଚକ ଓ ବିଜେପି ନେତାଙ୍କ ମତରେ ବିଦେଶ ମାଟିରେ ଦେଶର ସଂସ୍ଥା, ନିର୍ବାଚନ ପ୍ରକ୍ରିୟା ଓ ଅର୍ଥନୀତିକୁ ସମାଲୋଚନା କରିବା ଦ୍ୱାରା ଭୋଟରଙ୍କ ନିକଟରେ ତାଙ୍କର ରାଷ୍ଟ୍ରନେତା ଛବି ଦୁର୍ବଳ ହୁଏ ଏବଂ ବିରୋଧୀଙ୍କୁ ରାଜନୈତିକ ଅସ୍ତ୍ର ମିଳେ। ଅନ୍ୟପକ୍ଷରେ କଂଗ୍ରେସ ସମର୍ଥକ ଓ କେତେକ ବିଶ୍ଳେଷକଙ୍କ ମତରେ ଆକ୍ରମଣାତ୍ମକ ଓ ଚର୍ଚ୍ଚିତ ବୟାନ ଦ୍ୱାରା ସେ ଗଣମାଧ୍ୟମର ଶିରୋନାମାରେ ରୁହନ୍ତି ଏବଂ ସରକାର ବିରୋଧୀ ସ୍ୱରକୁ ତୀବ୍ର କରିପାରନ୍ତି।
ଗାନ୍ଧି ପରିବାର, ବିଶେଷ କରି ସୋନିଆ ଗାନ୍ଧି ରାହୁଲ ଗାନ୍ଧିଙ୍କ ଉପରେ ବାରମ୍ବାର ନିବେଶ କରିଚାଲିଥିବା ଏବଂ ସେ ନିର୍ବାଚନୀ ସଫଳତା ଦୃଷ୍ଟିରୁ ଏକ ‘ନନ୍-ପରଫର୍ମିଂ ଆସେଟ୍’ (ଏନପିଏ) ସାବ୍ୟସ୍ତ ହେଉଥିବା ନେଇ ରାଜନୈତିକ ମହଲରେ କଟାକ୍ଷ କରାଯାଏ। କାରଣ ୨୦୧୪, ୨୦୧୯ ଓ ୨୦୨୪—ଲଗାତାର ତିନୋଟି ଲୋକସଭା ନିର୍ବାଚନରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ପାଇପାରିନାହିଁ। ଏହି ସମୟରେ ରାହୁଲଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଅନେକ ବରିଷ୍ଠ ନେତା ଦଳ ଛାଡ଼ିଛନ୍ତି। କେବଳ ସେତିକି ନୁହେଁ, କଂଗ୍ରେସ ବିଭିନ୍ନ ରାଜ୍ୟରୁ ନିଜର ଭୋଟବ୍ୟାଙ୍କ ହରାଇ ବିଭିନ୍ନ ଆଞ୍ଚଳିକ ଦଳ ଉପରେ ନିର୍ଭରଶୀଳତା ବଢ଼ାଇଥିବା ଅଭିଯୋଗ ହୋଇଛି। କର୍ପୋରେଟ୍ ଢାଞ୍ଚାରେ ଏଭଳି ଲଗାତାର ବିଫଳତା ପରେ ନେତୃତ୍ୱ ବଦଳିଥାନ୍ତା ବୋଲି ସମାଲୋଚକମାନେ ଯୁକ୍ତି ବାଢ଼ନ୍ତି।
ଅପରପକ୍ଷେ, କଂଗ୍ରେସ ନେତାମାନେ ଏହି ‘ଏନପିଏ’ ଧାରଣାକୁ ଅସ୍ୱୀକାର କରି କୁହନ୍ତି ଯେ ଭାରତ ଯୋଡ଼ୋ ଯାତ୍ରା ଓ ୨୦୨୪ରେ ଆସନ ବୃଦ୍ଧି ତାଙ୍କର ନେତୃତ୍ୱର ସଫଳତା ଏବଂ ସୋନିଆ ଗାନ୍ଧିଙ୍କ ଦୃଷ୍ଟିରେ ସେ ହିଁ ଦଳକୁ ଏକଜୁଟ ରଖି ବିଚାରଧାରାଗତ ଲଢ଼େଇ ଲଢ଼ିପାରିବେ।
୨୦୧୪ରୁ ୨୦୨୪ ମଧ୍ୟରେ କଂଗ୍ରେସର ଲୋକସଭା ନିର୍ବାଚନ ପରିସଂଖ୍ୟାନ ଦେଖିଲେ ଦଳର ସ୍ଥିତି ଓ ସୀମାବଦ୍ଧତା ସ୍ପଷ୍ଟ ହୁଏ। ୧୬ତମ ଲୋକସଭା ନିର୍ବାଚନ ଅର୍ଥାତ୍ ୨୦୧୪ରେ କଂଗ୍ରେସ ୪୬୪ଟି ଆସନରେ ଲଢ଼ି ମାତ୍ର ୪୪ଟି ଆସନ ଓ ୧୯.୩୧% ଜାତୀୟ ଭୋଟ୍ ପାଇଥିଲା, ଯାହା ଦଳର ଇତିହାସରେ ସର୍ବନିମ୍ନ ଥିଲା ଏବଂ ଆନୁଷ୍ଠାନିକ ବିରୋଧୀ ଦଳ ନେତା ପଦ ପାଇଁ ଆବଶ୍ୟକ ୧୦% (୫୫ ଆସନ) ହାସଲ କରିପାରିନଥିଲା। ୨୦୧୯ (୧୭ତମ ଲୋକସଭା) ରେ ୪୨୧ଟି ଆସନରେ ଲଢ଼ି ଦଳ ୫୨ଟି ଆସନ ଓ ୧୯.୫% ଭୋଟ୍ ପାଇଥିଲା। ୨୦୨୪ (୧୮ତମ ଲୋକସଭା) ରେ କଂଗ୍ରେସ ୩୨୮ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି ୯୯ଟି ଆସନ (ପରେ ଜଣେ ସ୍ୱାଧୀନ ସାଂସଦଙ୍କ ସମର୍ଥନରେ ୧୦୦) ଓ ୨୧.୧୯% ଭୋଟ୍ ପାଇ ଦଶ ବର୍ଷ ପରେ ବିରୋଧୀ ଦଳ ନେତା ପଦ ଫେରିପାଇଥିଲା, ଯେଉଁଠାରେ କମ୍ ଆସନରେ ଲଢ଼ିବା ଯୋଗୁଁ ଷ୍ଟ୍ରାଇକ୍ ରେଟ୍ ପ୍ରାୟ ୩୦%କୁ ବୃଦ୍ଧି ପାଇଥିଲା।
୨୦୨୪ ନିର୍ବାଚନରେ କଂଗ୍ରେସର ରାଜ୍ୟୱାରୀ ପ୍ରଦର୍ଶନ ଅତ୍ୟନ୍ତ ଅସମାନ ରହିଥିଲା। କେରଳରେ ୧୬ଟିରୁ ୧୪ଟି, ମହାରାଷ୍ଟ୍ରରେ ୧୭ଟିରୁ ୧୩ଟି, କର୍ଣ୍ଣାଟକରେ ୨୮ଟିରୁ ୯ଟି, ତାମିଲନାଡ଼ୁରେ ଡିଏମକେ ମେଣ୍ଟ ସହ ୯ଟିରୁ ସମସ୍ତ ୯ଟି (୧୦୦% ଷ୍ଟ୍ରାଇକ୍ ରେଟ୍), ରାଜସ୍ଥାନରେ ୨୨ଟିରୁ ୮ଟି, ତେଲେଙ୍ଗାନାରେ ୧୭ଟିରୁ ୮ଟି, ପଞ୍ଜାବରେ ୧୩ଟିରୁ ୭ଟି, ଉତ୍ତର ପ୍ରଦେଶରେ ସମାଜବାଦୀ ପାର୍ଟି ମେଣ୍ଟ ସହ ୧୭ଟିରୁ ୬ଟି ଏବଂ ହରିୟାଣାରେ ୯ଟିରୁ ୫ଟି ଆସନ ଜିତି ଦଳ ଭଲ ପ୍ରଦର୍ଶନ କରିଥିଲା।
ଅନ୍ୟପକ୍ଷରେ ମଧ୍ୟପ୍ରଦେଶରେ ୨୭ଟିରେ ଲଢ଼ି ଶୂନ (୦) ଆସନ ଓ ଛିନ୍ଦୱାଡ଼ା ପରାଜୟ, ଆନ୍ଧ୍ର ପ୍ରଦେଶରେ ୨୩ଟିରେ ଲଢ଼ି ଶୂନ (୦) ଆସନ, ଦିଲ୍ଲୀରେ ୩ଟିରେ ଲଢ଼ି ଶୂନ (୦) ଆସନ, ଉତ୍ତରାଖଣ୍ଡ (୫) ଓ ହିମାଚଳ ପ୍ରଦେଶ (୪) ରେ ଶୂନ (୦) ଆସନ, ଏବଂ ଗୁଜରାଟରେ ୨୩ଟିରୁ ମାତ୍ର ୧ଟି (ବନାସକାଣ୍ଠା), ଓଡ଼ିଶାରେ ୨୦ଟିରୁ ମାତ୍ର ୧ଟି (କୋରାପୁଟ), ଛତିଶଗଡ଼ରେ ୧୧ଟିରୁ ମାତ୍ର ୧ଟି (କୋରବା) ଓ ପଶ୍ଚିମବଙ୍ଗରେ ୧୨ଟିରୁ ମାତ୍ର ୧ଟି ଆସନ ପାଇ ଦଳ ବଡ଼ ରାଜ୍ୟଗୁଡ଼ିକରେ ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଥିଲା।
ଏହି ପରିପ୍ରେକ୍ଷୀରେ କଂଗ୍ରେସ ଏକକ ସଂଖ୍ୟାଗରିଷ୍ଠତା ହରାଇ ମେଣ୍ଟ ନିର୍ଭରଶୀଳ ସ୍ଥିତିରେ ଥିବା ବେଳେ ୨୦୨୯ରେ ଦଳର ପୁନରୁତ୍ଥାନ ସମ୍ଭବ କି ନାହିଁ, ତାହା ରାହୁଲଙ୍କ ଆଗାମୀ ପଦକ୍ଷେପ ଉପରେ ନିର୍ଭର କରେ। କେବଳ ବିବାଦୀୟ ବୟାନ ବା ନିର୍ବାଚନ ଆୟୋଗଙ୍କୁ ସମାଲୋଚନା କରିବା ପରିବର୍ତ୍ତେ ୨୦୨୯ ପାଇଁ କଂଗ୍ରେସକୁ ପୁଣିଥରେ ମଜବୁତ କରିବାକୁ ହେଲେ ତୃଣମୂଳ ସ୍ତରରେ ସଂଗଠନର ପୁନର୍ଗଠନ, ଅର୍ଥନୀତି-ବେକାରୀ-କୃଷି ପାଇଁ ଏକ ସ୍ପଷ୍ଟ ବିକଳ୍ପ ବିକାଶ ରୂପରେଖ ପ୍ରସ୍ତୁତି ଏବଂ ବିଦେଶ ଓ ଦେଶରେ ବକ୍ତବ୍ୟରେ ଦାୟିତ୍ୱ ସନ୍ତୁଳନ ରକ୍ଷା କରିବା ଜରୁରୀ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦିଅନ୍ତି।






