କଟକ ଜିଲ୍ଲାର ନରାଜଠାରେ ମହାନଦୀ କୂଳରେ ଆଦାନୀ ଗ୍ରୁପ୍ର ସହଯୋଗୀ ସଂସ୍ଥା ‘ହାଇ ଡେନ୍ସିଟି ଡାଟା ସେଣ୍ଟର ଲିମିଟେଡ୍’ ଦ୍ୱାରା ପ୍ରସ୍ତାବିତ ୧ ଗିଗାୱାଟ୍ କ୍ଷମତା ବିଶିଷ୍ଟ ବିଶାଳ ଡାଟା ସେଣ୍ଟରକୁ ନେଇ ଓଡ଼ିଶା ବିଧାନସଭାରେ ରାଜନୈତିକ ଉଷ୍ମତା ଚରମ ସୀମାରେ ପହଞ୍ଚିଛି। ନଭେମ୍ବର ୨୫ ତାରିଖରେ ବିଧାନସଭାର ଶୂନ୍ୟକାଳରେ ବିରୋଧୀ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଏହି ୧.୦୪ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ନେଇ ପ୍ରବଳ ହଟ୍ଟଗୋଳ କରାଯାଇଛି। ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଏବଂ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅଭିଯୋଗ କରିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଦୈନିକ ପ୍ରାୟ ୩ କୋଟି ଲିଟର ଜଳ ଆବଶ୍ୟକ ହେବ, ଯାହା ଫଳରେ ଭୁବନେଶ୍ୱର, କଟକ ଏବଂ ପୁରୀ ସହରରେ ପାନୀୟ ଜଳ ସଙ୍କଟ ଦେଖାଦେବ ଏବଂ ୨୫ କିଲୋମିଟର ପରିଧି ମଧ୍ୟରେ ବିକିରଣ ଓ ତାପମାତ୍ରା ବୃଦ୍ଧିର ବିପଦ ସୃଷ୍ଟି ହେବ। କିନ୍ତୁ ବାସ୍ତବତା କ’ଣ? ଡାଟା ସେଣ୍ଟର କ’ଣ, ଏହା କାହିଁକି ଜରୁରୀ, ଏବଂ ଏହି ବିବାଦ ପଛରେ ଥିବା ବୈଷୟିକ ଓ ରାଜନୈତିକ ଦିଗଗୁଡ଼ିକ କ’ଣ—ତାହାର ଏକ ବିସ୍ତୃତ ସମୀକ୍ଷା…।
ଆମେ ବ୍ୟବହାର କରୁଥିବା ୟୁପିଆଇ ପେମେଣ୍ଟ, ଯେ କୌଣସି ମୋବାଇଲ୍ ଆପ୍, ସୋସିଆଲ୍ ମିଡିଆ, ସରକାରୀ ପୋର୍ଟାଲ୍ ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କୌଣସି ଅଦୃଶ୍ୟ ‘କ୍ଲାଉଡ୍’ରେ ନୁହେଁ, ବରଂ ଡାଟା ସେଣ୍ଟର ଭିତରେ ଥିବା ହଜାର ହଜାର ଶକ୍ତିଶାଳୀ କମ୍ପ୍ୟୁଟର ସର୍ଭରରେ ସଂରକ୍ଷିତ ଓ ପରିଚାଳିତ ହୁଏ। ଅଧିକାଂଶ ସମୟରେ ଏହା ଭାରତ ବାହାରେ ଥିବା କମ୍ପ୍ୟୁଟର ସର୍ଭର ରୁମରୁ ହିଁ ଆମର ଗୋଟିଏ କମାଣ୍ଡରେ ହାତରେ ଥିବା ମୋବାଇଲ ବା କମ୍ପ୍ୟୁଟରକୁ ଆସେ। ଅତଳ ସମୁଦ୍ର ମଧ୍ୟରେ ବିଛା ଯାଇଥିବା ଅପ୍ଟିକ୍ ଫାଇବର କେବଲ ଜରିଆରେ ଏହି ଡାଟା ସ୍ଥାନାନ୍ତରୀତ ହୋଇଥାଏ। ଏଣୁ ଏଥିଲାଗି ଆମକୁ କିଛି ସମୟ ଅପେକ୍ଷା କରିବାକୁ ବି ପଡ଼ିଥାଏ। ଯାହାକୁ ଆମେ ଟେକ୍ନିକାଲ ଭାଷାରେ ଲାଟେନ୍ସୀ ବୋଲି କହିଥାଉ। ଅର୍ଥାତ୍ ଡାଟା ସେଣ୍ଟର ଯେତିକି ପାଖରେ ରହିବ ତଥ୍ୟ ସେତେ ଯଲ୍ଦି ଆମ ପାଖରେ ପହଞ୍ଚିପାରିବ। ପୁଣି ଯଦି ଆମ ଦେଶରେ ଡାଟା ସେଣ୍ଟର ରହିବ, ତେବେ ତାହା ଦେଶର ଆଇନ ଦ୍ୱାରା ନାଗରିକଙ୍କ ଗୋପନୀୟତା ପ୍ରତି ଅଧିକ ସମ୍ବେଦନଶୀଳ ହୋଇପାରିବ। ଅର୍ଥାତ୍ କ୍ଷୀପ୍ରତା ଓ ଗୋପନୀୟତା ରକ୍ଷା ପାଇଁ ଡାଟା ସେଣ୍ଟର ବର୍ତ୍ତମାନ ସମୟର ଏକ ବହୁତ ବଡ଼ ଆବଶ୍ୟକତା।
ପୁଣି କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂର ଦ୍ରୁତ ପ୍ରସାର ଯୋଗୁଁ ଏହି ଆବଶ୍ୟକତା ଦିନକୁ ଦିନ ବଢ଼ୁଛି। ବିଶ୍ୱରେ ବର୍ତ୍ତମାନ ୧୨,୦୦୦ରୁ ଅଧିକ ଡାଟା ସେଣ୍ଟର ରହିଛି, ତଥାପି କମ୍ପ୍ୟୁଟ୍ ଶକ୍ତିର ଅଭାବ ଦେଖାଦେଇଛି। ଭାରତର ସ୍ଥିତିକୁ ଦେଖିଲେ ବଡ଼ ବିଚିତ୍ର ସ୍ଥିତି ସାମ୍ନାକୁ ଆସେ। ଭାରତ ବିଶ୍ୱର ପ୍ରାୟ ୨୦ ପ୍ରତିଶତ ଡିଜିଟାଲ୍ ଡାଟା ସୃଷ୍ଟି କରୁଥିବା ବେଳେ, ବିଶ୍ୱର ମୋଟ ଡାଟା ସେଣ୍ଟର କ୍ଷମତାର ମାତ୍ର ୩ ପ୍ରତିଶତ ଭାରତ ପାଖରେ ଅଛି। ଅର୍ଥାତ୍ ବର୍ତ୍ତମାନର ଡିଜିଟାଲ ଅର୍ଥନୀତିରେ ଭାରତ ଅନ୍ୟ ଉପରେ ନିର୍ଭରଶୀଳତା ବଢ଼ାଉଛି। ନିଜ ଦେଶରେ ଡାଟା ରହିଲେ ଇଣ୍ଟରନେଟ୍ ସ୍ପିଡ୍ ବଢ଼ିବା ସହ ବିଦେଶୀ ସର୍ଭର ଉପରୁ ନିର୍ଭରଶୀଳତା କମିବ।
ଏବେ ଆସନ୍ତୁ ସଂକ୍ଷେପରେ ଓଡ଼ିଶା କଥାକୁ ଟିକେ ନଜର ପକାଇବା। ଓଡ଼ିଶାରେ ବଳକା ବିଦ୍ୟୁତ୍ ଶକ୍ତି ଏବଂ ସମୁଦ୍ର କୂଳ ଦେଇ ସବ୍-ସି କେବୁଲ୍ ସଂଯୋଗର ସୁଯୋଗ ରହିଛି। ଅର୍ଥାତ୍ ରାଜ୍ୟ ପୂର୍ବ ଭାରତର ଏକ ପ୍ରମୁଖ ‘ଡିଜିଟାଲ୍ ହବ୍’ ହେବାର କ୍ଷମତା ରଖିଛି। ଏହାଦ୍ୱାରା ଆଇଟି, ସେମିକଣ୍ଡକ୍ଟର ଓ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ମଜବୁତ ହେବ ବୋଲି ଆକଳନ କରାଯାଇଛି। ସେଥିଲାଗି ଭାରତ ସରକାର ଓଡ଼ିଶାକୁ ପୂର୍ବ ଭାରତର ପ୍ରବେଶ ଦ୍ୱାର ବୋଲି ଅଭିହିତ କରନ୍ତି। ଆଉ ଏହି ମୁହୂର୍ତ୍ତରେ ଆମର ଆବଶ୍ୟକତା ହେଉଛି ଏହି ସୁଯୋଗକୁ ହାତଛଡ଼ା ନକରି ସମୃଦ୍ଧି ଅର୍ଜନ କରିବା। ତେବେ ଏ ବାବଦରେ ଆମ ରାଜ୍ୟ କେତେ ସଚେତନ? ଏ ବିଷୟରେ ଅନୁଶୀଳନ କରିବା ପୂର୍ବରୁ ଆସନ୍ତୁ ଭାରତରେ ଡାଟା ସେଣ୍ଟରର ଇତିହାସ ଓ ଭୂଗୋଳ ବାବଦରେ ଟିକେ ନଜର ପକାଇବା।
ଭାରତରେ ଇଣ୍ଟରନେଟ୍ ସେବା ୧୯୯୫ରେ ବିଦେଶ ସଞ୍ଚାର ନିଗମ ଲିମିଟେଡ (ଭିଏସ୍ଏନ୍ଏଲ୍) ଦ୍ୱାରା ଆରମ୍ଭ ହୋଇଥିବା ବେଳେ, ଦେଶର ପ୍ରଥମ ବାଣିଜ୍ୟିକ ଡାଟା ସେଣ୍ଟର ୨୦୦୦ ମସିହାରେ ନଭି ମୁମ୍ବାଇର ଭାସିଠାରେ ‘ସିଫି ଟେକ୍ନୋଲୋଜିସ୍’ ଦ୍ୱାରା ସ୍ଥାପିତ ହୋଇଥିଲା।
୨୦୨୬ ସୁଦ୍ଧା ଭାରତରେ ପ୍ରାୟ ୧୫୦ରୁ ୧୬୫ଟି ବୃହତ୍ ବାଣିଜ୍ୟିକ ଡାଟା ସେଣ୍ଟର କାର୍ଯ୍ୟକ୍ଷମ ଅଛି । ଛୋଟ ଏଣ୍ଟରପ୍ରାଇଜ୍ ସେଣ୍ଟରଗୁଡ଼ିକୁ ମିଶାଇଲେ ଏହି ସଂଖ୍ୟା ୩୦୦ରୁ ଅଧିକ ହେବ। ଏସବୁର ମୋଟ ଆଇଟି କ୍ଷମତା ପ୍ରାୟ ୧.୬ ରୁ ୧.୮ ଗିଗାୱାଟ୍ ରହିଛି। ଏଥିମଧ୍ୟରୁ କେବଳ ମୁମ୍ବାଇ ଓ ନଭି ମୁମ୍ବାଇରେ ପ୍ରାୟ ୫୦ ପ୍ରତିଶତ କ୍ଷମତା କେନ୍ଦ୍ରୀଭୂତ ହୋଇଛି, ଏବଂ ଏହା ପଛକୁ ଚେନ୍ନାଇ, ଦିଲ୍ଲୀ-ଏନ୍ସିଆର୍, ବେଙ୍ଗାଲୁରୁ, ହାଇଦ୍ରାବାଦ ଓ ପୁଣେ ରହିଛି।
ଆବଶ୍ୟକତାକୁ ଅନୁଭବ କରି ଭାରତ ୨୦୩୦ ସୁଦ୍ଧା ସମୁଦାୟ ଡାଟା ସେଣ୍ଟର କ୍ଷମତା ୫.୬ରୁ ୮ ଗିଗାଓ୍ୱାଟକୁ ବୃଦ୍ଧି କରିବା ଲାଗି ଲକ୍ଷ୍ୟ ରଖିଛି। ଓଡ଼ିଶା, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା ଏବଂ ଉତ୍ତର ପ୍ରଦେଶ ସମେତ ଦେଶର ୧୧ଟି ରାଜ୍ୟରେ ଏହି ଡାଟା ସେଣ୍ଟର ନିର୍ମାଣ ଲାଗି ସ୍ୱତନ୍ତ୍ର ନୀତି ଆପଣାଇଛନ୍ତି। ଏଥିରେ ଭୂମି ଅଧିଗ୍ରହଣ ପାଇଁ ସବ୍ସିଡି, ବିଜୁଳି ଟିକସ ରିହାତି ଏବଂ ନିବେଶ ଲାଗି ଟିକସ ଛାଡ଼ ଭଳିବ ବ୍ୟବସ୍ଥା ଆପଣାଯାଇଛି। ଏପରିକି ଏହି କ୍ଷେତ୍ରୟଗୁଡ଼ିକରେ ବିଦେଶୀ ପୁଞ୍ଜି ନିବେଶ ଲାଗି ସରକାର ୨୦୨୬-୨୭ ଆର୍ଥିକ ବର୍ଷରେ ଦୀର୍ଘ କାଳୀନ ଟିକସ ଛାଡ଼ ବ୍ୟବସ୍ଥାକୁ ବି ଆପଣାଇଛନ୍ତି।
‘ଡାଟା ସାର୍ବଭୌମତ୍ୱ’
‘ଡାଟା ସାର୍ବଭୌମତ୍ୱ’ର ଅର୍ଥ ହେଉଛି କୌଣସି ଦେଶର ନାଗରିକ ଓ ସରକାରୀ ତଥ୍ୟ ସେହି ଦେଶର ଭୌଗୋଳିକ ସୀମା ଏବଂ ଆଇନ ପରିସର ମଧ୍ୟରେ ସୁରକ୍ଷିତ ରହିବା। ଭାରତ ସରକାରଙ୍କ ଡିଜିଟାଲ୍ ପର୍ସନାଲ୍ ଡାଟା ପ୍ରୋଟେକ୍ସନ୍ (ଡିପିଡିପି) ଆଇନ, ୨୦୨୩ ଅନୁଯାୟୀ, ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟର ସୁରକ୍ଷା ବାଧ୍ୟତାମୂଳକ ଏବଂ ନିୟମ ଉଲ୍ଲଂଘନ କଲେ ୨୫୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ବ୍ୟବସ୍ଥା ରହିଛି। ଯଦିଓ ଏହି ଆଇନର ଧାରା-୧୬ କିଛି ସର୍ତ୍ତ ସହ ବିଦେଶକୁ ଡାଟା ପଠାଇବାକୁ ଅନୁମତି ଦିଏ, ତଥାପି ସରକାରୀ ବିଜ୍ଞପ୍ତି ଅନୁସାରେ ‘ଗୁରୁତ୍ୱପୂର୍ଣ୍ଣ ଡାଟା ଫିଡୁସିଆରୀ’ ଏବଂ ଆର୍ବିଆଇ, ସେବି ଓ ସର୍ଟ-ଇନ୍ (CERT-In) ନିୟମ ଅନୁଯାୟୀ ଆର୍ଥିକ ଓ ସମ୍ବେଦନଶୀଳ ଡାଟାକୁ ଭାରତ ଭିତରେ ହିଁ ସଂରକ୍ଷଣ କରିବାକୁ ପଡ଼ିବ। ତେଣୁ ଦେଶ ଭିତରେ ବୃହତ୍ ଡାଟା ସେଣ୍ଟର ନିର୍ମାଣ ଅପରିହାର୍ଯ୍ୟ ହୋଇପଡ଼ିଛି।
ଏହିକ୍ରମରେ କେନ୍ଦ୍ର ସରକାରଙ୍କ ‘ମେଘରାଜ’ କ୍ଲାଉଡ୍, ରିଜର୍ଭ ବ୍ୟାଙ୍କର ଡାଟା ସେଣ୍ଟର ଏବଂ ଓଡ଼ିଶା ସରକାରଙ୍କ ଓକାକ୍ ଅଧୀନରେ ଥିବା ‘ଷ୍ଟେଟ୍ ଡାଟା ସେଣ୍ଟର’ ନାଗରିକଙ୍କ ଆଧାର, ବ୍ୟାଙ୍କିଙ୍ଗ୍, ଜମିଜମା ରେକର୍ଡ ଓ ସ୍ୱାସ୍ଥ୍ୟ ତଥ୍ୟକୁ ଦେଶ ଭିତରେ ରଖି ବିଦେଶୀ ଗୁଇନ୍ଦାଗିରି ବା ସାଇବର ଆକ୍ରମଣରୁ ସୁରକ୍ଷା ଦିଅନ୍ତି।
ଓଡ଼ିଶାର ସ୍ଥିତି ଏବଂ ବିଧାନସଭାରେ ହଟ୍ଟଗୋଳ
ସେପ୍ଟେମ୍ବର ୨୦୨୬ରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇ-ଲେଭଲ୍ କ୍ଲିୟରାନ୍ସ ଅଥରିଟି ବୈଠକରେ କଟକର ନରାଜଠାରେ ୨୫୦ ଏକର ଜମିରେ ଆଦାନୀ ସଂସ୍ଥାର ୧ ଗିଗାୱାଟ୍ ଡାଟା ସେଣ୍ଟରକୁ ମଞ୍ଜୁରୀ ଦେଇଛନ୍ତି। ଏହାପରେ ବିଭିନ୍ନ ସ୍ଥାନରେ ଏହି ଡାଟା ସେଣ୍ଟରକୁ ନେଇ ଅନେକ ତମ୍ବିତୋଫାନ ଦେଖିବାକୁ ମିଳିଛି। ବିଶେଷକରି ଏହା ଆମର ପାଣି ଓ ବିଜୁଳି ଖାଇବ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି। ବିଧାନସଭାରେ ବିରୋଧୀ ଦଳଗୁଡ଼ିକ ମୁଖ୍ୟତଃ ତିନୋଟି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଛନ୍ତି। ପ୍ରଥମ ହେଉଛି ଜଳ ସଙ୍କଟ। ମହାନଦୀରୁ ଦୈନିକ ୩ କୋଟି ଲିଟର ପାଣି ନିଆଗଲେ କଟକ, ଭୁବନେଶ୍ୱର ଓ ପୁରୀରେ ପାନୀୟ ଜଳ ଅଭାବ ହେବ ବୋଲି ଆଶଙ୍କା କରିଛନ୍ତି ବିରୋଧୀ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇ ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି।
ଦ୍ୱିତୀୟ ଆଶଙ୍କାଟି ହେଉଛି ବିକିରଣ ଓ ତାପମାତ୍ରା ବୃଦ୍ଧି। ପ୍ରସନ୍ନ ଆଚାର୍ଯ୍ୟ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ୨୫ କିମି ପରିଧି ମଧ୍ୟରେ ବିକିରଣ ଏବଂ କଂଗ୍ରେସ ପକ୍ଷରୁ ସ୍ଥାନୀୟ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବାର ଆଶଙ୍କା ପ୍ରକାଶ କରାଯାଇଛି। ବୈଷୟିକ ବିଶେଷଜ୍ଞଙ୍କ ମତରେ ଡାଟା ସେଣ୍ଟର କୌଣସି ମୋବାଇଲ୍ ଟାୱାର ନୁହେଁ, ତେଣୁ ଏଥିରୁ କ୍ଷତିକାରକ ବିକିରଣ ହୁଏ ନାହିଁ, କିନ୍ତୁ ଅତ୍ୟଧିକ ଉତ୍ତାପ ନିଷ୍କାସନ, ଜଳ ଖର୍ଚ୍ଚ ପ୍ରଭୃତି ଦୁଇଟି ସମ୍ବେଦନଶୀଳ ବୈଷୟିକ ବିଷୟ।
ତୃତୀୟଟି ହେଉଛି ଚୁକ୍ତିରେ ସ୍ୱଚ୍ଛତାର ଅଭାବ। ଯେଉଁ ଏମ୍ଓୟୁ, ଜଳ ଓ ବିଦ୍ୟୁତ୍ ଯୋଗାଣ ଚୁକ୍ତି ଏବଂ ଟିକସ ରିହାତି ପାଇଁ ସରକାର ଚୁକ୍ତିବଦ୍ଧ ହୋଇଛନ୍ତି ସେ ବାବଦୀୟ ସମସ୍ତ ତଥ୍ୟ ସାର୍ବଜନୀନ କରିବାକୁ ବିରୋଧୀ ଦାବି କରିଛନ୍ତି।
ବିରୋଧୀଙ୍କ ଯୁକ୍ତି ଏବଂ ଦାବି ମଧ୍ୟ ଅକାଟ୍ୟ ଏବଂ ସମ୍ବେଦନଶୀଳ। ଏହାକୁ ସରକାର ଧ୍ୟାନ ଦେବା ଉଚିତ। ଏସବୁ ଭିତରେ ଯେଉଁ ମୂଳ ପ୍ରଶ୍ନଟି ଲୁକ୍କାୟିତ ତାହା ହେଲା, ଭାରତରେ ଆଦାନୀ ଯେଉଁସବୁ ଡାଟା ସେଣ୍ଟରର କରିଛି ତାହା କେମିତି ସର୍ଭରକୁ ଶୀତଳତା ଦେଉଛି। ୱାଟର କୁଲିଂ ପ୍ରକ୍ରିୟାରେ ନା ଏୟାର କୁଲିଂ ପ୍ରକ୍ରିୟାରେ?
ଆଦାନୀ ଗ୍ରୁପ୍ ଆମେରିକୀୟ କମ୍ପାନୀ ‘ଏଜ୍କନେକ୍ସ’ ସହ ମିଶି ‘ଆଦାନୀକନେକ୍ସ’ ନାମରେ ଭାରତରେ ଡାଟା ସେଣ୍ଟର ବ୍ୟବସାୟ ପରିଚାଳନା କରୁଛି। ଭାରତରେ ଆଦାନୀକନେକ୍ସର ୪ଟି କାର୍ଯ୍ୟକ୍ଷମ କ୍ୟାମ୍ପସ୍ କାର୍ଯ୍ୟକ୍ଷମ। ଏଗୁଡ଼ିକ ଭିତରେ ହାଇଦ୍ରାବାଦରେ ୬୦୦ ମେଗାଓ୍ୱାଟ, ପୁଣେରେ ୨୫୦ ମେଗାଓ୍ୱାଟ, ନୋଏଡା-୧୫୦ ମେଗାଓ୍ୱାଟ, ଏବଂ ଚେନ୍ନାରେ ୩୩ ମେଗା୍ୱାଟ ଡାଟା ସେଣ୍ଟର ରହିଛି। ଏସବୁର ମୋଟ ଡିଜାଇନ୍ କ୍ଷମତା ୧,୦୩୩ ମେଗାୱାଟ୍। ଏହାଛଡ଼ା ବିଶାଖାପାଟଣାରେ ଗୁଗଲ୍ ସହ ମିଶି ୧ ଗିଗାୱାଟ୍ ଏବଂ ନଭି ମୁମ୍ବାଇରେ ୧ ଗିଗାୱାଟ୍ କ୍ୟାମ୍ପସ୍ ନିର୍ମାଣାଧୀନ ରହିଛି।
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଦାନୀକନେକ୍ସ ଭାରତରେ ପାରମ୍ପରିକ ବାଷ୍ପୀଭବନ ବା ଏଭୋପୋରେଟିଭ୍ ୱାଟର କୁଲିଂ ଟାଓ୍ୱାର ବଦଳରେ ‘ଏୟାର-କୁଲ୍ଡ ଚିଲର୍’ ଏବଂ ଏଆଇ ସର୍ଭର ପାଇଁ ‘କ୍ଲୋଜ୍ଡ-ଲୁପ୍ ଲିକ୍ୱିଡ୍ କୁଲିଂ’ ବ୍ୟବହାର କରେ। ଏପରିକି ବିଶାଖାପାଟଣା ପ୍ରକଳ୍ପରେ ଜଳ ବିବାଦ ଉଠିବା ପରେ ଅକ୍ଟୋବର ୨୦୨୬ରେ ଆଦାନୀ ଓ ଗୁଗଲ୍ ସ୍ପଷ୍ଟ କରିଥିଲେ ଯେ ସେମାନେ ସେଠାରେ ପାଣି ବଦଳରେ ସମ୍ପୂର୍ଣ୍ଣ ଏୟାର-କୁଲିଂ ପ୍ରଯୁକ୍ତି ବ୍ୟବହାର କରିବେ।
ତେଣୁ ନରାଜ ପ୍ରକଳ୍ପରେ ଆଦାନୀ ସଂସ୍ଥା କେଉଁ କୁଲିଂ ଟେକ୍ନୋଲୋଜି ବ୍ୟବହାର କରିବ ଏବଂ ପ୍ରକୃତରେ କେତେ ପାଣି ନେବ—ସେ ନେଇ ରାଜ୍ୟ ସରକାର ବିଧାନସଭାରେ ସ୍ପଷ୍ଟ ଶ୍ୱେତପତ୍ର ପ୍ରକାଶ କଲେ ହିଁ ଏହି ରାଜନୈତିକ ବିବାଦର ଅବସାନ ଘଟିବ। ରାଜ୍ୟ ସରକାର ମଧ୍ୟ ଏ ବାବଦରେ ଧ୍ୟାନ ନିବେଶ କରିବା ଆବଶ୍ୟକତା ରହିଛି।






