…ସୋମବାର ସକାଳେ ବିଶ୍ୱ ଚୌଧୁରୀ ଟ୍ରମ୍ପ ଚାଚା ଟୁଇଟ୍ କରି କହନ୍ତି, “ଯୁଦ୍ଧ ସରିଗଲା, ଇରାନ ଆମ ଆଗରେ ଆତ୍ମସମର୍ପଣ କରିବାକୁ ଲାଇନରେ ଛିଡ଼ା ହୋଇଛି।” ମଙ୍ଗଳବାର ସଞ୍ଜ ହେଉ ହେଉ ତାଙ୍କର ସ୍ୱର ବଦଳିଯାଏ— “ଇରାନ ଯଦି ଆମ କଥା ନଶୁଣେ, ତେବେ ଆମେ ତାକୁ ମାରି ପିଟି ପ୍ରସ୍ତର ଯୁଗକୁ ଫେରାଇ ନେବୁ।” ଏମିତି ବିରୋଧାଭାସୀ ବୟାନ ଶୁଣି ହସିବେ ନା କାନ୍ଦିବେ,ତାହା ବୁଝିହୁଏନି।
ସତ କଥା ହେଲା, ଆମେରିକାର ମହାଶକ୍ତିଶାଳୀ ରୂପ ଆଜି ସେହି ବିଶାଳକାୟ ହାତୀ ଭଳି ଦିଶୁଛି, ଯାହା ଶରୀରରେ ପିମ୍ପୁଡି ଆକ୍ରମଣ ସମ୍ଭାଳିବା ପାଇଁ ଅସ୍ତବ୍ୟସ୍ତ। ସେପଟେ ମସ୍କୁଲାର ମହାମହୀମ ପୁତିନଙ୍କ ବଳିଷ୍ଠ ଶରୀର ଓ ବିଶାଳ ସୈନ୍ୟବାହିନୀ ଆଗରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ନିଜକୁ ଗୋଟିଏ ‘ଜୋକର’ ଭାବେ ଛିଡ଼ା କରିଛନ୍ତି— ଠିକ୍ ବ୍ୟାଟମ୍ୟାନ୍ ଚଳଚ୍ଚିତ୍ରର ସେହି ଅପ୍ରତ୍ୟାଶିତ ‘ଜୋକର’ ।
ପୁରୁଣା ଯୁଦ୍ଧ ଓ ଆଜିର ଅସମ୍ଭବ ପ୍ରତିରୋଧ
ଇତିହାସର ପୁରୁଣା ପୃଷ୍ଠା ଓଲଟାଇ ଦେଖିଲେ ମନେପଡ଼େ, ୨୦୦୩ ମସିହାରେ ଆମେରିକୀୟ ସେନା ଇରାକରେ ପାଦ ଥାପିବା ମାତ୍ରେ ସଦ୍ଦାମ ହୁସେନଙ୍କ ଶକ୍ତିଶାଳୀ ବୋଲାଉଥିବା ବାହିନୀ କେତେ ଶୀଘ୍ର ମୈଦାନ ଛାଡ଼ି ପଳାୟନ କରିଥିଲା। ସେହିପରି ୨୦୦୧ ମସିହାରେ ଆଫଗାନିସ୍ତାନ ଉପରେ ଆକ୍ରମଣ ବେଳେ ମାତ୍ର କେଇ ଦିନ ମଧ୍ୟରେ ତାଲିବାନ ନିଜର ଗଡ଼ ଛାଡ଼ି ଆତ୍ମସମର୍ପଣ କଲା ଭଳି ଛତ୍ରଭଙ୍ଗ ଦେଇଥିଲା। ସେତେବେଳେ ମହାଶକ୍ତି ଆମେରିକା ପାଇଁ ବିଜୟ ମାତ୍ର କେଇ ଦିନର ଖେଳ ଥିଲା। କିନ୍ତୁ ଆଜି ସମୟ ସମ୍ପୂର୍ଣ୍ଣ ବଦଳିଯାଇଛି।
୧୬୦୦ ଦିନରୁ ଅଧିକ ସମୟ ହେଲାଣି ଲଢ଼ି ଲଢ଼ି ଋଷ ସେନା ନୟାନ୍ତ ହୋଇସାରିଲେଣି, ତଥାପି ୟୁକ୍ରେନକୁ ସମ୍ପୂର୍ଣ୍ଣ ନୁଆଁଇ ପାରିନାହାନ୍ତି। ଆଉ ସେପଟେ ଆମେରିକା ମଧ୍ୟ ମାସ ମାସ ଧରି ଲଢୁଛି, କିନ୍ତୁ ଇରାନ ଆତ୍ମସମର୍ପଣ କରିବା ପରିବର୍ତ୍ତେ ନୂଆ ନୂଆ ଚ୍ୟାଲେଞ୍ଜ ଛିଡ଼ା କରୁଛି। ଏହିପରି ଅବିରତ ପ୍ରତିରୋଧ ଦେଖି ମହାଶକ୍ତିମାନଙ୍କର ସେହି ପୁରୁଣା ଆକଳନ ସମ୍ପୂର୍ଣ୍ଣ ଫେଲ୍ ମାରିଛି।
ବିଶ୍ୱ ଯୁଦ୍ଧର ଇତିହାସ କହେ, ଯେତେବେଳେ କୌଣସି ମହାଶକ୍ତି ଗୋଟିଏ ଛୋଟ ଦେଶ ଉପରେ ଆକ୍ରମଣ କରେ, ସେତେବେଳେ ଯୁଦ୍ଧ କେଇ ଦିନ କିମ୍ବା କେଇ ସପ୍ତାହ ମଧ୍ୟରେ ଶେଷ ହୋଇଯାଏ। କିନ୍ତୁ ଦୁଇଟିଯାକ ମୈଦାନରେ ବାସ୍ତବତା ସମ୍ପୂର୍ଣ୍ଣ ଓଲଟା ସାବ୍ୟସ୍ତ ହୋଇଛି। ଆଜି ଛୋଟ ଛୋଟ ଦେଶଗୁଡ଼ିକ ବିଶାଳ ସୈନ୍ୟବାହିନୀ ଆଗରେ ଆଣ୍ଠେଇବା ପରିବର୍ତ୍ତେ ଦୀର୍ଘମିଆଦୀ ଯୁଦ୍ଧ ଲଢ଼ିବାର ସାହସ ଓ କୌଶଳ ଦେଖାଉଛନ୍ତି।
ଆଧୁନିକ ଯୁଗରେ ଦେଶର ଆକାର ନୁହେଁ, ବରଂ ଯୁଦ୍ଧର ନୂଆ ଶୈଳୀ ସମ୍ପୂର୍ଣ୍ଣ ପରିଣାମକୁ ବଦଳାଇ ଦେଉଛି।
ଶସ୍ତା ଟେକ୍ନୋଲୋଜି ଓ ଡ୍ରୋନ୍ର ପ୍ରଭାବ
ଆଜିର ଯୁଦ୍ଧକ୍ଷେତ୍ରରେ ସବୁଠାରୁ ବଡ଼ ପରିବର୍ତ୍ତନ ଆଣିଛି ଆଧୁନିକ ଟେକ୍ନୋଲୋଜି, ବିଶେଷକରି ଶସ୍ତା କାମିକାଜି ଡ୍ରୋନ୍ ଏବଂ ସାଇବର ପ୍ରଯୁକ୍ତି। କୋଟି କୋଟି ଡଲାର ମୂଲ୍ୟର ଆମେରିକୀୟ ବା ରୁଷୀୟ ଟ୍ୟାଙ୍କ, ଯୁଦ୍ଧପୋତ ଓ କ୍ଷେପଣାସ୍ତ୍ରଗୁଡ଼ିକୁ ମାତ୍ର କେଇ ହଜାର ଡଲାରର ଡ୍ରୋନ୍ ସହଜରେ ଧ୍ୱଂସ କରିଦେଉଛି। ଇରାନ ନିଜର ଶସ୍ତା ‘ଶାହେଦ’ ଡ୍ରୋନ୍ ପ୍ରଯୁକ୍ତି ଜରିଆରେ ଏକ ବୃହତ୍ ସାମରିକ ସନ୍ତୁଳନ ସୃଷ୍ଟି କରିପାରିଛି, ଯାହା ବିଶ୍ୱର ସବୁଠାରୁ ଦାମୀ ଆକାଶ ସୁରକ୍ଷା ବ୍ୟବସ୍ଥାକୁ ବି ଚ୍ୟାଲେଞ୍ଜ କରୁଛି। ୟୁକ୍ରେନ୍ ମଧ୍ୟ ସାଧାରଣ ବାଣିଜ୍ୟିକ ଡ୍ରୋନ୍କୁ ସାମରିକ ରୂପ ଦେଇ ରୁଷୀୟ ସେନାକୁ ନାକେଦମ୍ କରିସାରିଲାଣି। ଏହି ଶସ୍ତା ଅସ୍ତ୍ରଶସ୍ତ୍ର ଯୋଗୁଁ ମହାଶକ୍ତିମାନଙ୍କର ଅନେକ ଅର୍ଥ ଓ ସାମରିକ ବଳ ନଷ୍ଟ ହେଉଛି, ଯାହା ସେମାନଙ୍କ ପାଇଁ ବଡ଼ ଚିନ୍ତାର କାରଣ ହୋଇଛି।
ଅସୀମିତ ଯୁଦ୍ଧ ଓ ଗରିଲା କୌଶଳର ନୂଆ ରୂପ
ସାମ୍ପ୍ରତିକ ସମୟରେ ଯୁଦ୍ଧ କେବଳ ସୀମାନ୍ତରେ ଦୁଇ ଦେଶର ସୈନ୍ୟମାନଙ୍କ ମଧ୍ୟରେ ସୀମିତ ହୋଇ ରହିନାହିଁ। ଏହା ଏବେ ‘ଅସୀମିତ ଯୁଦ୍ଧ’ର ରୂପ ନେଇଛି। ଛୋଟ ଦେଶଗୁଡ଼ିକ ମହାଶକ୍ତିମାନଙ୍କ ସହ ସାମ୍ନାସାମ୍ନି ଲଢ଼ିବା ପରିବର୍ତ୍ତେ ନୂଆ ଧରଣର ଗରିଲା କୌଶଳ, ସାଇବର ଆକ୍ରମଣ, ଏବଂ ଗୁପ୍ତ ସୂଚନା ଆଧାରିତ ସଠିକ୍ ଆକ୍ରମଣ ଉପରେ ନିର୍ଭର କରୁଛନ୍ତି। ୟୁକ୍ରେନ ପଛରେ ପଶ୍ଚିମାଞ୍ଚଳ ଦେଶଗୁଡ଼ିକର ସାଟେଲାଇଟ୍ ସୂଚନା ଓ ନିରନ୍ତର ସାମରିକ ସହାୟତା ରହିଛି, ଯାହା ରୁଷର ପ୍ରତ୍ୟେକ ଗତିବିଧିକୁ ପାଣିଫୋଟକା ପ୍ରମାଣିତ କରୁଛି। ଅପରପକ୍ଷରେ, ଇରାନ ଆଞ୍ଚଳିକ ପ୍ରକ୍ସି ଗୋଷ୍ଠୀଗୁଡ଼ିକୁ ବ୍ୟବହାର କରି ଆମେରିକା ଓ ତା’ର ସହଯୋଗୀମାନଙ୍କୁ ବିଭିନ୍ନ ମୋର୍ଚ୍ଚାରେ ବ୍ୟସ୍ତ ରଖିପାରିଛି।
ଆଞ୍ଚଳିକ ସମର୍ଥନ ଓ ଜନସାଧାରଣଙ୍କ ମନୋବଳ
ଗୋଟିଏ ଦେଶକୁ ଜିତିବା ପାଇଁ କେବଳ ଭୂଖଣ୍ଡ ଉପରେ କବଜା କରିବା ଯଥେଷ୍ଟ ନୁହେଁ, ସେଠାକାର ଜନସାଧାରଣଙ୍କ ମନୋବଳକୁ ଭାଙ୍ଗିବା ଆବଶ୍ୟକ। ୟୁକ୍ରେନର ନାଗରିକମାନେ ନିଜ ଦେଶର ସାର୍ବଭୌମତ୍ୱ ରକ୍ଷା ପାଇଁ ଯେଉଁ ଜାତୀୟତାବାଦୀ ସଂକଳ୍ପ ଦେଖାଇଛନ୍ତି, ତାହା ରୁଷ ପାଇଁ ଏକ ଅତିକ୍ରମ କରିବା ଅସମ୍ଭବ ପ୍ରତିବନ୍ଧକ ସାଜିଛି। ସେହିପରି ଇରାନ ଭଳି ଦେଶଗୁଡ଼ିକରେ ବାହ୍ୟ ଶକ୍ତିର ଆକ୍ରମଣ ଭୟ ଆଭ୍ୟନ୍ତରୀଣ ଜନସାଧାରଣଙ୍କୁ ସରକାରଙ୍କ ସହ ଯୋଡ଼ିବାରେ ସାହାଯ୍ୟ କରୁଛି। ଯେତେବେଳେ ଗୋଟିଏ ଛୋଟ ଦେଶର ନାଗରିକମାନେ ନିଜର ଆସ୍ତିତ୍ୱ ପାଇଁ ଲଢ଼ିବାକୁ ପ୍ରସ୍ତୁତ ହୋଇଯାନ୍ତି, ସେତେବେଳେ କୌଣସି ବଡ଼ ମହାଶକ୍ତିର ସୈନ୍ୟବଳ ସେମାନଙ୍କୁ ସହଜରେ ନୁଆଁଇ ପାରିବ ନାହିଁ।
ଯୁଦ୍ଧର ଭବିଷ୍ୟତ ଓ ଅନିଶ୍ଚିତତାର କୁହୁଡ଼ି
ଏହିସବୁ ଘଟଣାବଳୀକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୁଏ ଯେ, ଆଜିର ଆଧୁନିକ ଯୁଗରେ “ଯୁଦ୍ଧ କେବେ ସରିବ” ସେକଥା କହିବା ଅତ୍ୟନ୍ତ କଠିନ। ମହାଶକ୍ତିମାନଙ୍କର ଗର୍ବ ଓ ଅହଂକାର ଆଜି ଶସ୍ତା ଡ୍ରୋନ୍, ସାଇବର ଯୁଦ୍ଧ ଏବଂ ଦୃଢ଼ ଜାତୀୟତାବାଦ ଆଗରେ ଧୂଳିସାତ୍ ହେବାରେ ଲାଗିଛି। ଟ୍ରମ୍ପ ଚାଚାଙ୍କ ଭଳି ନେତାମାନେ ଯେତେ ବଡ଼ ବଡ଼ ଦାବି କଲେ ବି, ବାସ୍ତବତା ହେଉଛି ଆଜିର ନୂଆ ଧରଣର ଯୁଦ୍ଧରେ କେହି ଜିତୁନାହାନ୍ତି କି କେହି ସହଜରେ ହାରୁନାହାନ୍ତି। ବିଶ୍ୱ ଚୌଧୁରୀମାନେ ଅସହାୟ ଭାବେ ଏହି ସଙ୍ଘର୍ଷର ଜାଲରେ ଛନ୍ଦି ହୋଇ ରହିଛନ୍ତି, ଏବଂ ଏହି ଅସମାପ୍ତ ଯୁଦ୍ଧ ସମଗ୍ର ବିଶ୍ୱର ଅର୍ଥନୀତି ଓ ଶାନ୍ତି ପାଇଁ ଗୋଟିଏ ଅସମାହିତ ପ୍ରଶ୍ନବାଚୀ ହୋଇ ରହିଯାଇଛି।






