Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ସମ୍ପାଦକୀୟ: କିଏ ରୋକିବ ଏଆଇକୁ?

ମାନବ ସଭ୍ୟତାର ସମ୍ପୂର୍ଣ୍ଣ ଇତିହାସକୁ ଲକ୍ଷ୍ୟ କଲେ ଜଣାପଡ଼େ ଯେ, ପ୍ରଯୁକ୍ତିବିଦ୍ୟା ସଦାସର୍ବଦା ମଣିଷର ଦାସ ଓ ସହାୟକ ଭାବରେ କାର୍ଯ୍ୟ କରିଆସିଛି। ଚକର ଆବିଷ୍କାରଠାରୁ ଆରମ୍ଭ କରି କମ୍ପ୍ୟୁଟର ଓ ଇଣ୍ଟରନେଟ୍ ପର୍ଯ୍ୟନ୍ତ, ସବୁକିଛି ମଣିଷର ଦକ୍ଷତା ବୃଦ୍ଧି କରିବାରେ ବ୍ୟବହୃତ ହୋଇଛି। କିନ୍ତୁ ଆଜିର ଆଧୁନିକ କୃତ୍ରିମ ବୁଦ୍ଧିମତ୍ତା ଯାହା ଲୋକମୁଖରେ ଏଆଇ ଭାବେ ପରିଚିତ, ଆମକୁ ଏପରି ଏକ ଜଟିଳ ଓ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚାଇ ଦେଇଛି, ଯେଉଁଠି ମଣିଷର ନିଜର ବୁଦ୍ଧି, ସୃଜନଶୀଳତା ଏବଂ ସମାଜ ଉପରେ ଥିବା ପ୍ରଭୁତ୍ୱ ପ୍ରତି ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯେଉଁ ଅଭୂତପୂର୍ବ ବେଗରେ ଏଆଇ ନିଜର ଶକ୍ତି ଓ କ୍ଷମତା ବୃଦ୍ଧି କରିଚାଲିଛି, ତାହା ଦେଖି ବିଶ୍ୱବ୍ୟାପୀ ବିଜ୍ଞାନୀ ଓ ନୀତି ନିର୍ଦ୍ଧାରକମାନଙ୍କ ମଧ୍ୟରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଲାଣି। ଆଜି ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି— ଏହି ଅନିୟନ୍ତ୍ରିତ କୃତ୍ରିମ ବୁଦ୍ଧିକୁ ରୋକିବ କିଏ? ଆମେ ଅଜାଣତରେ ଏପରି ଏକ ମହାଶକ୍ତିଶାଳୀ ପ୍ରଯୁକ୍ତି ଗଢ଼ିବାରେ ଲାଗିନାହୁଁ ତ, ଯାହା ଶେଷରେ ସମଗ୍ର ମାନବ ଜାତିକୁ ନିଜ ଆୟତ୍ତକୁ ନେଇ ଶାସନ କରିବାକୁ ଚେଷ୍ଟା କରିବ?

ନିକଟରେ ଏଆଇ ଗବେଷଣା ଓ ବିକାଶ କରୁଥିବା ଆନ୍ଥ୍ରୋପିକ୍ କମ୍ପାନୀର ମୁଖ୍ୟ ନିର୍ବାହୀ ଅଧିକାରୀ ଦାରିଓ ଅମୋଦେଇ ଏବେ ଯେଉଁଭଳି ଭାବେ ଏଆଇ ବିକାଶ ପାଇଁ ଗବେଷଣା ଓ ଅନିୟନ୍ତ୍ରିତ କାର୍ଯ୍ୟ ଚାଲିଛି ତାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି। ତାଙ୍କ ଆଶଙ୍କା ଯେ ଐପରି ଅନିୟନ୍ତ୍ରିତ ଦ୍ରୁୂତ ଗତି ବୈଜ୍ଞାନିକଙ୍କୁ ଅନିୟନ୍ତ୍ରିତ କରିଦେଇପାରେ। ଫଳରେ ଏମିତି ଏକ ପରିସ୍ଥିତି ସୃଷ୍ଟି ହେବ ଯାହା ସ୍ୱୟଂ ମଣିଷକୁ ଧ୍ୱଂସ କରିଦେବାର କ୍ଷମତା ରକିଚି। ଏଣୁ ଏଆଇ ଗବେଷଣାର ଅସମ୍ଭବ ବେଗକୁ ଟିକିଏ ଧୀର କରିବା ପାଇଁ ଏକ ସ୍ପଷ୍ଟ ଆହ୍ୱାନ ଦେଇଛନ୍ତି। ସେ ଚେତାବନୀ ଦେଇଛନ୍ତି ଯେ, ଯଦି ସୁରକ୍ଷା ନିୟମାବଳୀ ଓ ନୈତିକ ସୀମାରେଖାଠାରୁ ଏଆଇର ଗବେଷଣା ଅଧିକ ଆଗକୁ ନାଚିଯାଏ, ତେବେ ଏହା ସମ୍ପୂର୍ଣ୍ଣ ଅନିୟନ୍ତ୍ରିତ ହୋଇପଡ଼ିବ।

ଏହି ଚିନ୍ତାଧାରାକୁ ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଉଦ୍ୟୋଗୀ ଇଲନ୍ ମସ୍କ ଏବଂ ଓପନ୍-ଏଆଇର ସାମ୍ ଆଲ୍ଟମ୍ୟାନ୍‌ଙ୍କ ପରି ଶୀର୍ଷ ବିଜ୍ଞାନୀ ଓ ବ୍ୟବସାୟୀମାନେ ମଧ୍ୟ ସମର୍ଥନ କରିଛନ୍ତି। ଏହି ପ୍ରଯୁକ୍ତିବିତ୍‌ମାନଙ୍କ ମତରେ, ପ୍ରତ୍ୟେକ ନୂତନ ଓ ଶକ୍ତିଶାଳୀ ଏଆଇ ସିଷ୍ଟମରେ ଏକ ନିର୍ଭରଯୋଗ୍ୟ ‘କିଲ୍ ସ୍ୱିଚ୍’ ବା ଜରୁରୀକାଳୀନ ବିଚ୍ଛିନ୍ନ ନିୟନ୍ତ୍ରଣ ବ୍ୟବସ୍ଥା ରହିବା ଅତ୍ୟନ୍ତ ବାଧ୍ୟତାମୂଳକ। ଏହାଦ୍ୱାରା ଯଦି କୌଣସି ଏଆଇ ସିଷ୍ଟମ ଆତ୍ମ-ସଚେତନ ହୋଇ ମାନବ ସଭ୍ୟତା ବା ଆଇନ ଶୃଙ୍ଖଳା ପାଇଁ ବିପଦ ସୃଷ୍ଟି କରେ, ତେବେ ଗୋଟିଏ କ୍ଲିକ୍‌ରେ ତାକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇପାରିବ।

କିନ୍ତୁ ଭୂ-ରାଜନୀତିର ବାସ୍ତବତା ଏହି ସୁରକ୍ଷାମୂଳକ ବିଚାରଠାରୁ ବହୁ ଦୂରରେ। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଆଇର ବେଗ କମାଇବା ନେଇ ଦିଆଯାଉଥିବା ସାବଧାନବାଣୀକୁ ବିଶେଷ ଗୁରୁତ୍ୱ ଦେଇନାହାନ୍ତି। ତାଙ୍କର ସ୍ପଷ୍ଟ ଯୁକ୍ତି ହେଉଛି— ଯଦି ଆମେରିକା ଗବେଷଣାକୁ ଧୀର କରେ, ତେବେ ଚୀନ୍ ଏହି ରେସ୍‌ରେ ଆଗେଇଯାଇ ବିଶ୍ୱ ପ୍ରଭୁତ୍ୱ ହାସଲ କରିବ। ଆଜି ଆମେରିକା ଏବଂ ଚୀନ୍ ମଧ୍ୟରେ ଏଆଇ କ୍ଷେତ୍ରରେ ସାମରିକ ଓ ଅର୍ଥନୈତିକ କ୍ଷମତା ହାସଲ କରିବା ପାଇଁ ଏକ ନୂତନ ‘ଶୀତଳ ଯୁଦ୍ଧ’ ଆରମ୍ଭ ହୋଇସାରିଛି। ପ୍ରତ୍ୟେକ ଶକ୍ତିଶାଳୀ ଦେଶ ପ୍ରକାଶ୍ୟରେ ହେଉ କିମ୍ବା ଅପ୍ରକାଶ୍ୟରେ, ଏଆଇ ପ୍ରଯୁକ୍ତିକୁ ନିଜ ଆୟତ୍ତରେ ରଖି ସମଗ୍ର ବିଶ୍ୱକୁ ଶାସନ କରିବାକୁ ଚାହୁଁଛନ୍ତି। ଫଳରେ, ମାନବ ଜାତିର ସୁରକ୍ଷା ପଛରେ ପଡ଼ିଯାଉଛି ଏବଂ କ୍ଷମତା ଦଖଲର ଅନ୍ଧ ପ୍ରତିଯୋଗିତା ଆଗକୁ ବଢ଼ୁଛି।

ଏସବୁକୁ ଦେଖିଲେ, ଏଆଇକୁ କଦାପି ମଣିଷ ଉପରେ ନିୟନ୍ତ୍ରଣ ଜାହିର କରିବାର ସୁଯୋଗ ଦିଆଯିବା ଉଚିତ୍ ନୁହେଁ। ଯେତେ ବଡ଼ କୃତ୍ରିମ ବୁଦ୍ଧିମତ୍ତା ହେଉନା କାହିଁକି, ମାନବ ସମାଜ, ମାନବିକ ମୂଲ୍ୟବୋଧ ଏବଂ ଜୀବନର ସୁରକ୍ଷା ସଦାସର୍ବଦା ପ୍ରଥମ ସ୍ଥାନରେ ରହିବା ଦରକାର। ଗବେଷଣା ଓ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ମଣିଷକୁ ସର୍ବଦା ଆଗରେ ରଖିବାକୁ ପଡ଼ିବ।

ଯେପରି ଅତୀତରେ ମାନବ କ୍ଲୋନିଂ ବା ଜୈବିକ ଅସ୍ତ୍ରଶସ୍ତ୍ରର ଅନିୟନ୍ତ୍ରିତ ପ୍ରସାରକୁ ରୋକିବା ପାଇଁ ସମଗ୍ର ବିଶ୍ୱ ଏକାଠି ହୋଇ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଥିଲା, ଠିକ୍ ସେହିପରି ଆଜି ବିଶ୍ୱ ସମୁଦାୟ ଏକାଠି ହେବାର ସମୟ ଆସିପହଞ୍ଚିଛି। ଏଆଇ ଗବେଷଣା ଏବଂ ନିର୍ମାଣ ପାଇଁ ସାରା ବିଶ୍ୱରେ ଏକ ନିୟମ-ଆଧାରିତ ବ୍ୟବସ୍ଥା ପ୍ରଣୟନ ହେବା ଅତ୍ୟନ୍ତ ଯୁଗୋପଯୋଗୀ।

କୌଣସି ଗୋଟିଏ ଦେଶ ବା ବ୍ୟକ୍ତିଗତ କମ୍ପାନୀକୁ ଅସୀମିତ ଓ ଅନିୟନ୍ତ୍ରିତ ଏଆଇ କ୍ଷମତା ହାସଲ କରିବାକୁ ଦିଆଯିବା ଉଚିତ୍ ନୁହେଁ। ପ୍ରଯୁକ୍ତି ଆମର ଜୀବନକୁ ସହଜ, ସୁନ୍ଦର ଓ ସମୃଦ୍ଧ କରିବା ପାଇଁ ଉଦ୍ଦିଷ୍ଟ, ଆମର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି କରିବା ପାଇଁ ନୁହେଁ। ଏଆଇର ଅସୀମ ଶକ୍ତିକୁ ସଠିକ୍ ଦିଗଦର୍ଶନ ଦେବା ପାଇଁ ବିଶ୍ୱର ନେତାମାନଙ୍କୁ ନିଜର ସଂଙ୍କୁଚିତ ରାଜନୈତିକ ଓ ଅର୍ଥନୈତିକ ସ୍ୱାର୍ଥରୁ ଊର୍ଦ୍ଧ୍ବକୁ ଉଠିବାକୁ ପଡ଼ିବ। ମଣିଷ ନିଜ ହାତରେ ସୃଷ୍ଟି କରିଥିବା ଯନ୍ତ୍ର ଯେପରି କାଲି ସକାଳେ ମଣିଷର ମାଲିକ ହୋଇ ନ ବସେ, ତାହା ସୁନିଶ୍ଚିତ କରିବା ଆଜିର ସବୁଠାରୁ ବଡ଼ ଦାୟିତ୍ୱ।

LEAVE A REPLY

Please enter your comment!
Please enter your name here

Popular Articles