ନୂଆଦିଲ୍ଲୀ: ଡିସେମ୍ବର ପ୍ରଥମ ସପ୍ତାହରେ ହିଁ ସଂସଦର ଅଧ଼ିବେଶନ ଡକାଯିବ। ଏହା ଡିସେମ୍ବର ୭ ତାରିଖକୁ ସ୍ଥିର ହୋଇପାରେ। ଏ ନେଇ ଆସନ୍ତା ସପ୍ତାହରେ ବିଧିବଦ୍ଧ ଘୋଷଣା କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ଖବର ମିଳିଛି। ତେବେ ଏହା ସ୍ୱତନ୍ତ୍ର ଅଧିବେଶନ ହେବ ନାହିଁ। ବରଂ, ନିୟମିତ ଶୀତକାଳୀନ ଅଧିବେଶନ ଭାବେ ଗ୍ରହଣ କରାଯିବ। ଏହା ପୂର୍ବରୁ ମୌସୁମୀ ଅଧିବେଶନର ସତ୍ରାବସାନ ପାଇଁ ବ୍ୟବସ୍ଥା ଗ୍ରହଣ କରାଯିବ।
ନିୟମିତ ଭାବେ ଅଧିବେଶନ ଡାକିବା ଲାଗି ସରକାରଙ୍କୁ ପୂର୍ବରୁ ୧୪ ଦିନର ନୋଟିସ ଦେବାକୁ ହୋଇଥାଏ। ଏହିକ୍ରମରେ ଦେଖିବାକୁ ଗଲେ ଡିସେମ୍ବର ୭ ତାରିଖ ହିଁ ଉପଯୁକ୍ତ ତାରିଖ ହୋଇପାରେ। ପୁଣି ଏହି ଅଧିବେଶନରେ ପୂର୍ବର ଶୀତ ଅଧିବେଶନଠାରୁ କମ୍ କାର୍ଯ୍ୟଦିବସ ରହିବ। ପ୍ରଥା ଅନୁସାରେ ସରକାର ଡିସେମ୍ବର ୨୫ ପୂର୍ବରୁ ଅଧିବେଶନକୁ ମୁଲତବୀ କରିଥାନ୍ତି। ଏହି ସମୟରେ ଉତ୍ସବର ଋତୁ ରହିଥିବାରୁ ଡିସେମ୍ବର ଶେଷ ସପ୍ତାହରେ କୌଣସି ବିଶେଷ ସରକାରୀ କାର୍ଯ୍ୟ ରଖାଯାଇ ନଥାଏ।





