Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ଆଇଆରସିଟିସି ୱେବସାଇଟରୁ ହଟିଲା କ୍ୟାପ୍‍ଚା, ପପ୍‍ଅପ ଏବଂ ଫ୍ଲାଶ୍‍

ନୂଆଦିଲ୍ଲୀ: ଭାରତୀୟ ରେଳପାଇଁ ଅନଲାଇନ ଟିକେଟ୍‍ ବୁକିଂ କରାଉଥିବା ଆଇଆର୍‍ସିଟିସି ଓ୍ୱେବ୍‍ସାଇଟ୍‍ର ନୂତନ ସଂସ୍କରଣ ଆଜିଠାରୁ ଉପଲବ୍ଧ ହେବ। ରାତି ୯ଟାରୁ ଏହା ଲାଭ୍‍ ହୋଇ ବ୍ୟବହାରକାରୀଙ୍କ ପାଇଁ ସରଣ, ସ୍ୱଚ୍ଛ ଓ୍ୱେବପେଜ୍‍ ଉପଲବ୍ଧ କରାଇବ। ଯେଉଁଥିରେ ବିରକ୍ତିକର କ୍ୟାପଚାର ରହିବ ନାହିଁ ବୋଲି ରେଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।  

ନୂତନ ଓ୍ୱେବସାଇଟ୍‍ର ଠିକଣା ରହିଛି: https://www.irctc.co.in/eticket/ । ଏହାର ଏକ ଲିଙ୍କ୍ ବର୍ତ୍ତମାନ କାର୍ଯ୍ୟକ୍ଷମ ୱେବସାଇଟର ହୋମପେଜ୍‌ରେ ମଧ୍ୟ ଉପଲବ୍ଧ କରାଯାଇଛି। ବଦଳାଯାଇଥିବା ମୁଖ୍ୟ ବିଷୟଟି ହେଉଛି ବିରକ୍ତିକର କ୍ୟାପଚା। ଯାହା ବାରମ୍ବାରା କୌଣସି ଟିକଟ କ୍ରେତାଙ୍କୁ ହଇରାଣ କରୁଥିଲା। ଲଗଇନ୍‍ଠାରୁ ଆରମ୍ଭ କରି ଟିକଟ ବୁକିଂ ଯାଏ ଏହି କ୍ୟାପ୍‍ଚା ଦେଖିବାକୁ ମିଳୁଥିଲା। ଯାହାକୁ ନେଇ ସୋଶାଲ୍‍ ମିଡିଆରେ ରୋଳବିଭାଗକୁ ଅନେକ ଟ୍ରୋଲ କରାଯାଇଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ନୂତନ ଓ୍ୱେବସାଇଟରେ କୌଣସି ଅନାବଶ୍ୟକ କ୍ୟାପଚା ନାହିଁ। ଖାଲି ସେତିକି ନୁହେଁ, କୌଣସି ଅନାବଶ୍ୟକ ପପ୍-ଅପ୍ ରହିନାହିଁ କି କୌଣସି ଫ୍ଲାସିଂ ଗ୍ରାଫିକ୍ସ ନାହିଁ। କୌଣସି ଦୃଷ୍ଟି ଆକର୍ଷଣକାରୀ ବିଭ୍ରାନ୍ତକାରୀ ଉପାଦାନ ନୂଆ ଓ୍ୱେବସାଇଟରେ ନାହିଁ ବୋଲି ବିଭାଗ କହିଛି।

ସେହିପରି ସମସ୍ତ ଶ୍ରେଣୀରେ ସିଟ୍‍ ଏଣିକି ଦୃଶ୍ୟମାନ ହେବ। ତା’ ସହ ଦ୍ରୁତ ଚେକଆଉଟ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଅର୍ଥାତ ଟିକେଟ୍ ବୁକିଂ ପାଇଁ ଆବଶ୍ୟକ ପଦକ୍ଷେପ ସଂଖ୍ୟା ହ୍ରାସ ପାଇଛି। ସହଜରେ ପୁନଃ-ବୁକିଂ କରିବା ଲାଗି ଯାତ୍ରୀଙ୍କ ବିବରଣୀ ସୁରକ୍ଷିତ ରଖିବା ବ୍ୟବସ୍ଥା କରାଯାଇଛି।।

ମାଲବ୍ୟ ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଛାତ୍ରଛାତ୍ରୀମାନେ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ଆଲୋଚନା ସମୟରେ ଏହି ସବୁ ସୁଧାର ପାଇଁ ପରାମର୍ଶ ଦେଇଥିଲେ। ଏହାକୁ ଆଧାର କରି ସମସ୍ତ ପରିବର୍ତ୍ତନ କରାଯାଇଛି। ଆଇଆରସିଟିସି ୱେବସାଇଟ୍ ପ୍ରଥମେ ୨୦୦୨ ମସିହାରେ ଲଞ୍ଚ କରାଯାଇଥିଲା ଏବଂ ବର୍ତ୍ତମାନ ଏହା ଦୈନିକ ହାରାହାରି ପ୍ରାୟ ୧୪.୫ ଲକ୍ଷ ଟିକେଟ୍ ପରିଚାଳନା କରୁଛି। ନୂତନ ୱେବସାଇଟରେ ଏକ ସ୍ୱଚ୍ଛ ୟୁଜର୍ ଇଣ୍ଟରଫେସ୍ ଏବଂ ସରଳୀକୃତ ବ୍ୟବହାରକାରୀ ଅନୁଭୂତି ରହିଛି।

ବିଟା ସଂସ୍କରଣ ପରବର୍ତ୍ତୀ ସୁଧାର ପାଇଁ ବ୍ୟବହାରକାରୀଙ୍କ ମତାମତକୁ ସହଜ କରିବ, ଯାହା ଗ୍ରାହକଙ୍କ ସନ୍ତୋଷ ବୃଦ୍ଧି କରିବା ପାଇଁ ଆଗାମୀ ସଂସ୍କରଣଗୁଡ଼ିକରେ ଅନ୍ତର୍ଭୁକ୍ତ କରାଯିବ। ଖୁବ୍ ଶୀଘ୍ର, ଆଇଆରସିଟିସି ୱେବସାଇଟକୁ ଆଗାମୀ ନୂତନ ପାସେଞ୍ଜର ରିଜରଭେସନ ଇଞ୍ଜିନ ସହିତ ମଧ୍ୟ ଯୋଡ଼ାଯିବ। ଯେହେତୁ ପାସେଞ୍ଜର ରିଜରଭେସନ ଇଞ୍ଜିନକୁ ମଧ୍ୟ ସମାନ୍ତରାଳ ଭାବେ ନବୀକରଣ କରାଯାଉଛି, ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ନୂତନ ଆଇଆରସିଟିସି ପୋର୍ଟାଲ୍ କିଛି ସପ୍ତାହ ମଧ୍ୟରେ ଉପଲବ୍ଧ ହେବ।

ଏହା ସହିତ ସମାନ୍ତରାଳ ଭାବେ, ଆଇଆରସିଟିସି ଦଶନ୍ଧି ପୁରୁଣା ପାସେଞ୍ଜର ରିଜରଭେସନ ଇଞ୍ଜିନର ନବୀକରଣ କରୁଛି ଯାହା ବିଭିନ୍ନ ଟ୍ରେନ୍ ବୁକିଂ ଆପ୍ସକୁ ପରିଚାଳିତ କରେ। ଏଥିପାଇଁ ବ୍ୟାପକ କାର୍ଯ୍ୟର ଆବଶ୍ୟକତା ଥିଲା କାରଣ ସମଗ୍ର ନବୀକରଣ ପ୍ରକ୍ରିୟା ମଧ୍ୟରେ ସିଷ୍ଟମକୁ କାର୍ଯ୍ୟକ୍ଷମ ରଖିବାକୁ ପଡ଼ିଥିଲା। ନୂତନ ପାସେଞ୍ଜର ରିଜରଭେସନ ଇଞ୍ଜିନ ଖୁବ୍ ଶୀଘ୍ର ଲଞ୍ଚ କରାଯିବ।

ଏହି ନୂତନ ଡିଜାଇନ୍ ଉପରେ ଗ୍ରାହକମାନେ ସେମାନଙ୍କର ମୂଲ୍ୟବାନ ପରାମର୍ଶ ଏବଂ ମତାମତ ପ୍ରଦାନ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି, ଯାହାକୁ ଭିତ୍ତିକରି ଆଇଆରସିଟିସି ୱେବସାଇଟ୍‌କୁ ଆହୁରି ସୁଧାରିବା ସହାୟକ ହେବ ବୋଲି ଆଶା କରାଯାଇଛି।

LEAVE A REPLY

Please enter your comment!
Please enter your name here

Popular Articles