ଆପଣଙ୍କୁ ୧୯୫୨ ମସିହାକୁ ଫେରାଇ ନେଉଛି। ଯେଉଁଠାରୁ ବାସ୍ତବରେ ଭାରତରେ ଗଣତନ୍ତ୍ରର ନିଅଁ ପଡ଼ିଥିଲା। ଆମର ସମ୍ବିଧାନ ଅନୁସାରେ ଆମେ ପ୍ରଥମ ସରକାର ଗଢ଼ିଥିଲୁ। ଦେଶରେ ଓ ରାଜ୍ୟରେ। ପ୍ରଥମ ଥର ପାଇଁ ୧୪୦ ଆସନରେ ରାଜ୍ୟ ବିଧାନସଭାର ନିର୍ବାଚନ ହୋଇଥିଲା… କିନ୍ତୁ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିଲା ନାହିଁ। ଅର୍ଥାତ୍ ସାରା ଦେଶରେ କଂଗ୍ରେସର କ୍ରେଜ୍ ଲୋକଙ୍କୁ ଆକର୍ଷିତ କରୁଥିବା ବେଳେ ଏଠାରେ କଂଗ୍ରେସ ସରକାର ଗଢ଼ୁ ବୋଲି ଅନେକ ଲୋକ ଚାହୁଁ ନଥିଲେ…। ଆଉ ସେଇଠୁ ଆରମ୍ଭ ହୋଇଥିଲା କଂଗ୍ରେସର ଚୌକି ନିଶା..। ଏଠି କଂଗ୍ରେସର ଅର୍ଥ ସ୍ୱାଧୀନତା ଆଣିଥିବା ଗାନ୍ଧିଜୀଙ୍କ କଂଗ୍ରେସ ନୁହେଁ। ବରଂ ଦେଶକୁ ଶାସନ କରିବା ପାଇଁ ଗଢ଼ା ହୋଇଥିବା ରାଜନୀତିକ ପାର୍ଟି….। ନେହରୁ, ପଟେଲଙ୍କ ପାର୍ଟି, ଯେଉଁ ପାର୍ଟି ଆଜି ଅନେକ ସ୍ଥାନରେ ଲୋକଙ୍କ ଦ୍ୱାରା ପ୍ରତ୍ୟାଖ୍ୟାନ ହୋଇଛି ବୋଲି ଚର୍ଚ୍ଚା ହେଉଛି।
ଛାଡ଼ନ୍ତୁ, ସେ କଥା ଆଗକୁ ଅନ୍ୟ କୌଣସି ଅଧ୍ୟାୟରେ ଏ ବିଷୟରେ ଅଧିକ କହିବି। ଆଜି କହୁଛି ପ୍ରଥମ ନିର୍ବାଚିତ ବିଧାନସଭାରେ କ୍ଷମତା ପାଇଁ କିପରି ନିଜର ସଂଖ୍ୟା ବଢ଼ାଇଥିଲା କଂଗ୍ରେସ। ନିଜ ଦଳର ଟିକଟରେ ନିର୍ବାଚିତ ହୋଇଥିଲେ, ୬୭ ବିଧାୟକ। ସରକାର ପାଇଁ ଦରକାର ଥିଲା ୭୧ ସଂଖ୍ୟା। ଆଉ ଏ ସଂଖ୍ୟାକୁ ଅକ୍ତିଆର କରିବା ଲାଗି ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ଗ୍ରହଣ କରିଥିଲା କଂଗ୍ରେସ। ଅର୍ଥାତ୍ ଏ ଯେଉଁ ମେଣ୍ଟ ବା ଭଙ୍ଗାଯୋଡ଼ା ସରକାରର ଚିନ୍ତାଧାରା ଭିତ୍ତି ପଡ଼ିବା ଦିନରୁ ହିଁ ଓଡ଼ିଶାରେ ପରୀକ୍ଷଣ କରାଯାଇଥିଲା। ଆଉ ଏ ପରୀକ୍ଷଣରେ ସଫଳ ହୋଇ ରାଜ୍ୟରେ ଗଢ଼ା ହୋଇଥିଲା ପ୍ରଥମ ସରକାର। ବିରୋଧୀ ଦଳରେ ବସିଥିଲେ ରଜା ମହାରାଜାଙ୍କ ଦଳ ଗଣତନ୍ତ୍ର ପରିଷଦ।
ଏ ସରକାର ସେତେବଳେ ଅନେକ ଆହ୍ୱାନ ସମ୍ମୁଖୀନ ହୋଇଥିଲା। ଭାଷା ଅସ୍ମିତା ଠୁ ଆରମ୍ଭ କରି ଭୂଦାନ ଆନ୍ଦୋଳନ, ଭାଗଚାଷୀ ଓ ବିଚ୍ଛିନ୍ନତାବାଦ ପ୍ରଭୃତି ରାଜନୀତିକୁ ବଡ଼ ଜଟିଳ କରି ରଖିଥିଲା। ଶେଷ ଆଡ଼କୁ ଏମିତି ପରିସ୍ଥିତି ଉପୁଜିଥିଲା ଯେ, ମୁଖ୍ୟମନ୍ତ୍ରୀ ପଦରୁ ନବକୃଷ୍ଣ ଚୌଧୁରୀ ଇସ୍ତଫା ଦେବାକୁ ମନ ବଳାଇଥିଲେ। ଏହାକୁ ଏକ ସୁଯୋଗ ବୋଲି ଗ୍ରହଣ କରିଥିଲେ ତତ୍କାଳୀନ ବମ୍ବେରାଜ୍ୟପାଳ ହରେକୃଷ୍ଣ ମହତାବ। କଂଗ୍ରେସର ଜାତୀୟ ନେତାମାନଙ୍କ ସହ ଥିବା ସମ୍ପର୍କକୁ ବ୍ୟବହାର କରି ସେ ନିର୍ବାଚନର ୬ ମାସ ପୂର୍ବରୁ ସରକାରର ମଙ୍ଗ ଧରିଥିଲେ। ଅର୍ଥାତ୍ ଅଳ୍ପ କିଛିଦିନ ରହିଯାଇଥିଲା ନବକୃଷ୍ଣ ପୂରା କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରିଥାଆନ୍ତେ ହେଲେ ତାହା ହୋଇ ପାରି ନଥିଲା। ଏଥିରେ କିଏ ଦାୟୀ ବା ନ ଦାୟୀ ତାହା ଦୂରର କଥା କିନ୍ତୁ ଓଡ଼ିଶା ଫେରିବା ପାଇଁ ମହତାବଙ୍କ ବ୍ୟାକୁଳତା ଭିତରେ ତାଙ୍କର ଗୋଟି ଚାଳନା ବଡ଼ ସହାୟକ ହୋଇଥିଲା।
ଦିଲ୍ଲୀ କଂଗ୍ରେସରେ ବଡ଼ ପ୍ରଭାବ ଥିଲା ମହତାବଙ୍କର। ସେଥିଲାଗି ସେ ୧୯୫୨ରେ ଓଡ଼ିଶା ବିଧାନସଭା ପାଇଁ ନଲଢ଼ି ଲୋକସଭା ପାଇଁ ଲଢ଼ିଥିଲେ। ବିଜୟୀ ହୋଇଥିଲେ କିନ୍ତୁ କିଛି ବର୍ଷ ପରେ ତାଙ୍କୁ କଂଗ୍ରେସ ବମ୍ବେ ପ୍ରଦେଶର ରାଜ୍ୟପାଳ ଭାବେ ପଠାଇଥିଲା। ରାଜ୍ୟବାସୀଙ୍କ ପାଇଁ ଏହା ଅତ୍ୟନ୍ତ ଗର୍ବର ବିଷୟ ଥିଲା କିନ୍ତୁ ମହତାବଙ୍କ ମନ ଭିତରେ ଗଭୀର କ୍ଷୋଭ ଓ ଅସନ୍ତୋଷ ଥିଲା।
ଶ୍ରୀ ମହତାବ ରାଜ୍ୟପାଳ ଥିଲେ ବି ମନ ଭିତରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚେୟାରରେ ବସିବାକୁ ଆଉଟୁପାଉଟୁ ହେଉଥାଏ। କାରଣ ଏହା ପୂର୍ବରୁ ସେ ସ୍ୱାଧୀନତା ପୂର୍ବ ରାଜ୍ୟ ବିଧାନ ପରିଷଦର ନେତା ଥିଲେ। ରାଜ୍ୟର ପ୍ରଧାନମନ୍ତ୍ରୀ ବି ଥିଲେ। ହେଲେ ଯେତେବେଳେ ସମ୍ବିଧାନ ପ୍ରଣୟନ ସଭା ତିଆରି ହେଲା ସେତେବେଳେ ମହତାବ ରାଜ୍ୟର ୧୮ ଜଣ ପ୍ରତିନିଧିଙ୍କ ଭିତରେ ରହିଥିଲା। ତାଙ୍କର ଅଗାଧ ରାଜନୀତିକ ଦକ୍ଷତା, ଅଭିଜ୍ଞତା ତାଙ୍କୁ ଏଥିଲାଗି ଯୋଗ୍ୟ କରିଥିଲା ଏଥିରେ ସନ୍ଦେହ ନାହିଁ। ଏଣୁ କେନ୍ଦ୍ରୀୟ ନେତାଙ୍କ ପରାମର୍ଶରେ ସେ ଓଡ଼ିଶାକୁ ନବକୃଷ୍ଣଙ୍କ ହାତରେ ଟେକିବାକୁ ବାଧ୍ୟ ହୋଇ ଦିଲ୍ଲୀ ଚାଲିଥିଲେ।
ଆପଣ ଭାବୁଥିବେ ନବକୃଷ୍ଣଙ୍କୁ କ୍ଷମତା ଟେକି ଦେବାର ମୂଳରେ କେବଳ ତାଙ୍କ ଦକ୍ଷତାକୁ ଏକ ସ୍ୱିକୃତୀ ପ୍ରଦାନ ବୋଲି କିନ୍ତୁ ତାହା ନଥିଲା। ଅନେକ ରାଜନୀତିକ ସମାଲୋଚକ ଏହାକୁ ମହତାବଙ୍କୁ ତୀକ୍ଷଣ ଗୋଟି ଚାଳନା ବୋଲି କହନ୍ତି।
ଆପଣଙ୍କ ମନେ ଥିବ ୨୦୨୪ ମସିହାରେ ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଜେଲ ଯିବା ପୂର୍ବରୁ ଚମ୍ପାଇ ସୋରେନ୍ଙ୍କୁ ଦାୟିତ୍ୱ ଦେଇଥିଲେ। ସେହିପରି ଜେଲ ଯିବା ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଆତିସିଙ୍କୁ ପ୍ରଦାନ କରିଥିଲେ। ୧୯୯୭ ମସିହାରେ ଲାଲୁ ଯାଦବ ବିହାର ଦାୟିତ୍ୱ ତାଙ୍କ ପତ୍ନୀ ରାବ୍ରୀଙ୍କୁ ପ୍ରଦାନ କରିଥିଲେ। ୨୦୧୪ ମସିହାରେ ଜେ ଜୟ ଲଳିତା ରାଜ୍ୟ କ୍ଷମତା ଓ’ ପନିରସେଲଭମ୍ଙ୍କୁ ପ୍ରଦାନ କରିଥିଲେ। ଏ ସମସ୍ତେ ସେତେବେଳେ ମୁଖ୍ୟମନ୍ତ୍ରୀମାନଙ୍କ ଅତ୍ୟନ୍ତ ବିଶ୍ୱସ୍ତ ଥିଲେ। ସେମାନେ ଫେରିଲେ ବିନା ଆପତ୍ତିରେ ଏହି ବ୍ୟକ୍ତିମାନେ ଆସନ ଛାଡ଼ିଦେବେ ବୋଲି ବିଶ୍ୱାସ ରହିଥିଲା।
ସେହିପରି ସେତେବେଳେ କେନ୍ଦ୍ରରେ ମନ୍ତ୍ରୀ ବା ପ୍ରଧାନମନ୍ତ୍ରୀ ହେବା ପାଇଁ ଏଚଡି ଦେବେଗୌଡ଼ା, ସର୍ବଣାନନ୍ଦ ସୋନଓ୍ୱାଲ, ମନୋହରଲାଲ୍ ଖଟର ପ୍ରମୁଖ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି କେନ୍ଦ୍ରକୁ ଯାଇଥିବାର ନଜୀର ରହିଛି। ସେମିତି ହରେକୃଷ୍ଣ ମହତାବ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ଦାସଙ୍କୁ ନ ବାଛି ଚୌକିର ନିଶା ନଥିବା ନଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ ବାଛିଥିଲେ। ଆଉ ଯେତେବେଳେ ହରେକୃଷ୍ଣ ନିର୍ବାଚନ ପୂର୍ବରୁ ରାଜ୍ୟକୁ ଫେରିଥିଲେ ବିନା କୌଣସି ପ୍ରତିବନ୍ଧକରେ ନବକୃଷ୍ଣ ପଦବୀ ଛାଡ଼ିବା ସହ ରାଜନୀତି ଛାଡ଼ି ଅନୁଗୁଳ ଆଶ୍ରମରେ ରହିବାକୁ ଉଚିତ ଭାବିଥିଲେ।
ନବକୃଷ୍ଣ ଚୌଧୁରୀ ଜଣେ ବିଶିଷ୍ଟ ଜନନାୟକ। ଗାନ୍ଧିଜୀଙ୍କ ମାର୍ଗରେ ଚାଲୁଥିବା ନବକୃଷ୍ଣ ରଚନାତ୍ମକ କାର୍ଯ୍ୟ ପ୍ରତି ଗୁରୁତ୍ୱ ଦେଉଥିଲେ। ପିଲାମାନଙ୍କୁ ଶାରିରୀକ ପରିଶ୍ରମ ପାଇଁ ଉତ୍ସାହିତ କରୁଥିଲେ। କିନ୍ତୁ ତାଙ୍କ ପୁଅର ଅକାଳ ବିୟୋଗ ନବକୃଷ୍ଣଙ୍କୁ ବହୁତ ମାନସିକ ଯନ୍ତ୍ରଣା ଦେଇଥିଲା। ଏବଂ ରାଜନୀତିରୁ ବିରତି ନେଇ ସେ ଅନେକ ଦିନ ସନ୍ନ୍ୟାସ ଯାଇଥିଲେ। ହେଲେ ଦେଶ ସ୍ୱାଧୀନ ହେବା ପରେ ୧୯୫୦ ମସିହାରେ ହରେକୃଷ୍ଣ ଦିଲ୍ଲୀ ଯିବା ପୂର୍ବରୁ ତାଙ୍କୁ ମନେ ପକାଇ ପୁଣି ରାଜନୀତିକୁ ଆଣିଥିଲେ। ଆଉ ୧୯୫୬ରେ କଂଗ୍ରେସକୁ ଦୃଢ଼ କରିବା ପାଇଁ ମହତାବ ଦିଲ୍ଲୀରୁ ଫେରି ପୁଣି ମୁଖ୍ୟମନ୍ତ୍ରୀ ଚୌକିକୁ ବିନା ନିର୍ବାଚନରେ ଦଖଲ କରିଥିଲେ। ୧୯୫୭ରେ ନିର୍ବାଚନ ହୋଇଥିଲା। ପୁଣି ମହତାବ ମୁଖ୍ୟମନ୍ତ୍ରୀ ହୋଇଥିଲେ… କିନ୍ତୁ ତାଙ୍କ ଶକ୍ତି କ’ଣ ସେମିତି ଅକ୍ଷୁର୍ଣ୍ଣ ରହିଥିଲା?
ଓଡ଼ିଶା ରାଜନୀତିର ଏମିତି କିଛି ସୂତ୍ରଧର ଅଧ୍ୟାୟକୁ ଆପଣଙ୍କୁ ପୁଣିଥରେ ମନେ ପକାଇବାକୁ ଚେଷ୍ଟା କରିବି ଏଇ ସିରିଜ ‘ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଅଧ୍ୟାୟ ଚୌକିର ନିଶାରେ। ଦେଖୁଥାଆନ୍ତୁ, ଉତ୍ସାହିତ କରିବାକୁ ଆମକୁ ମତାମତ ଦେଉଥାଆନ୍ତୁ।
କ୍ଷମତା ପାଇଁ କିପରି ସଂଖ୍ୟା ବଢ଼ାଇଥିଲା କଂଗ୍ରେସ





