Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ଏଥର ବଦଳିଯିବ ବିଜେଡି! ବିଜେପିକୁ ପୁଣି ସମର୍ଥନ କରିପାରେ

ଏଥର ସଂସଦରେ ବିଜୁ ଜନତା ଦଳର ସ୍ଥିତି କେମିତି ରହିବ? ଦଳର ନେତାମାନେ କ’ଣ କରିବେ? ରାଜ୍ୟରେ ବିଜେଡି-ବିଜେପି ସମ୍ପର୍କରେ ପରିବର୍ତ୍ତନ ଆସିବ କି? ଯଦିଓ କିଛିଦିନ ପୂର୍ବରୁ ନବଚୟନିତ ରାଜ୍ୟସଭା ନେତା ବିଗତଥର ଅପେକ୍ଷା ଏହା ଆଉ ବିଭାଜିତ ବା କଠୋର ହେବ ନାହିଁ ବୋଲି ଆଶା କରାଯାଉଛି। ଏହାର କାରଣ ପଛରେ ବିଜେଡିର ଅସ୍ତିତ୍ୱ ଭୟ, ଯାହା ତାକୁ ପୁଣିଥରେ ମନେ ପକାଇ ଦେଇଛି ମିଠା ବିରୋଧୀ ହେବାର ଫାଇଦା..।

ବିଜୁ ବାବୁଙ୍କ ଦେହାନ୍ତ ପରେ ତାଙ୍କ ନାଁରେ ଥିବା ରାଜନୀତିକ ଶକ୍ତିକୁ ସମ୍ମାନ ଦେଇ ବିଜେପିର ତତ୍କାସଳୀନ ନେତୃତ୍ୱ ରାଜ୍ୟରେ ଏକ ଶକ୍ତ ଆଞ୍ଚଳିକ ଦଳ ଗଠନ ପାଇଁ ଚାହିଁଥିଲେ। ଯାହା କଂଗ୍ରେସର ଗଡ଼ ଭାଙ୍ଗି ବିଜେପିକୁ ପରୋକ୍ଷ ସମର୍ଥନ କରିବ ବୋଲି ଏକ ଦୂର ଦୃଷ୍ଟି ସମ୍ପନ୍ନ ରାଜନୀତିକ ଚିନ୍ତାଧାରା ଥିଲା। ପରବର୍ତ୍ତୀ ସମୟରେ ଏହା ସାକାର ରୂପ ଗ୍ରହଣ କରିଲା ଏବଂ ୧୯୯୭ ମସିହାରେ ବିଜୁ ଜନତା ଦଳ ଭାବେ ପରିଚିତ ହୋଇଥିଲା। କଂଗ୍ରେସକୁ ବାରମ୍ବାର ପରାଜିତ କରି ରାଜ୍ୟରେ ଦଳର ଗଡ଼କୁ ଏହା ଗତ ୨୫ ବର୍ଷରେ ଧୂଳିସାତ କରିଦେଲା। ପ୍ରାରମ୍ଭିକ ଅବସ୍ଥାରେ ଦୀର୍ଘଦିନ ଧରି ବିଜେପିର ଭାଗିଦାର ହୋଇ ରହିଥିଲା ଏହି ଦଳ। କିନ୍ତୁ କେନ୍ଦ୍ରରେ କଂଗ୍ରେସର ନେତୃତ୍ୱ ବଳଶାଳୀ ହେବା ସମୟରେ ରାଜ୍ୟରେ ବିଜେପି-ବିଜେଡି ମେଣ୍ଟ ଭିତରେ ଫାଟ ହେଲା। ୨୦୦୯ ନିର୍ବାଚନରେ ଦୁଇ ଦଳ ଅଲଗା ଅଲଗା ଲଢ଼ିଲେ। ବିଜେପି ରାଜ୍ୟରେ ଧରାଶାୟୀ ହୋଇଗଲା ଆଉ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଏକାକୀ ସରକାର ଗଢ଼ିଲା। ଏହି ପରମ୍ପରା ୨୦୧୪ ଯାଏ ଚାଲିଥିଲା, ଯେତେବେଳଯାଏ କେନ୍ଦ୍ରରେ କଂଗ୍ରେସ ସରକାର ଥିଲା। ହେଲେ ୨୦୧୪ ପରେ ମୋଦୀଙ୍କ ଆଗମନ ପରେ ସବୁକିଛି ବଦଳିଗଲା। କେନ୍ଦ୍ରରେ ବିଜେଡିର ଭୂମିକା ଗରିମାମୟ ବଦଳରେ ବାଧ୍ୟବାଧକତାରେ ପରିଣତ ହେଲା। ଏକ ଅଘୋଷିତ ଡୀଲ ଦ୍ୱାରା ବିଜେପି-ବିଜେଡି ପରସ୍ପରର ମିଠା ଶତ୍ରୁ ହେଲେ। ୨୦୨୪ ନିର୍ବାଚନର କିଛିଦିନ ପୂର୍ବଯାଏ ଏହିଭଳି ବନ୍ଧନ ଚାଲିଥିଲା। ଚର୍ଚ୍ଚା ହୋଇଥିଲା ଦୁଇ ଦଳ ପୁଣି ଏକାଠି ହେବେ। ୨୦୦୮ ପୂର୍ବ ମେଣ୍ଟ ପୁଣି ଫେରିବ। କିନ୍ତୁ ୨୦୧୪ ଜୁନ୍‍ ପ୍ରଥମ ସପ୍ତାହରେ ନିର୍ବାଚନ କମିଶନଙ୍କ ଘୋଷଣା ସବୁକିଛି ଓଲଟାଇ ଦେଇଥିଲା। ବିଜେଡି ଲୋକଙ୍କ ପ୍ରତ୍ୟାଖ୍ୟାନ ଦେଖିଥିଲା।
ପ୍ରଥମଥର ପାଇଁ ନବୀନ ପଟ୍ଟନାୟକ ପରାଜୟ ମୁହଁ ଦେଖିଲେ। ଲୋକ ମୁହଁ ଫେରାଇବା ପରେ ପ୍ରତିଦିନ ଏଠାରୁ ନେତାଙ୍କ ମୁହଁ ଫେରିବାକୁ ଲାଗିଲା। ନବୀନ-ପାଣ୍ଡିଆନ ଏକୁଟିଆ ହେବା ଭଳି ଅନୁଭବ ହେଲା। ୨୦୨୪ ନିର୍ବାଚନ ଦଳ ପାଇଁ ଏକ ଅଭିଶାପ ସଦୃଶ ସାବ୍ୟସ୍ତ ହୋଇଛି। ଏଭଳି ଦୁର୍ଦ୍ଦଶା ଦଳ କେବେ ଆଗରୁ ଦେଖି ନଥିଲା, ହେଲେ ଆଗକୁ କ’ଣ ହେବ, ଏ ଚିନ୍ତାରେ ପୁଣିଥରେ ପୂର୍ବ ପରିସ୍ଥିତିକୁ ଉଦ୍ଧାର କରିବାକୁ ଦଳ ବ୍ୟାକୁଳ ହେଉଛି। ଏ ବ୍ୟାକୁଳତା ପଛରେ ଅନେକ ଆହ୍ୱା ବି ରହିଛି।

ଅସ୍ତିତ୍ୱ ଆହ୍ୱାନ

କୁହାଯାଏ ସାମ୍ପ୍ରତିକ ରାଜନୀତିରେ ଆଦର୍ଶ ନୁହେଁ ଅସ୍ତିତ୍ୱ ହେଉଛି ସବୁଠାରୁ ବଡ଼ ଆହ୍ୱାନ। ‘ଆପେ ବଞ୍ଚିଲେ ବାପାର ନାଁ’ ଭଳି ରାଜ୍ୟରେ ବିଜୁ ଜନତା ଦଳର ଅସ୍ତିତ୍ୱ ପାଇଁ ଡହଳ ବିକଳ ହେଉଛି। ଏହାପଛରେ ଅନେକ କାରଣ ରହିଛି। ସେ ଭିତରୁ ପ୍ରମୁଖ କାରଣ ଭିତରେ ରହିଛି ୨୦୨୪ ନିର୍ବାଚନରେ ଦଳର ଅହେତୁକ ପରାଜୟ। ଏହି ପରାଜୟ ଏବେ ଦଳକୁ ବିଭାଜିତ କରିଛି। ଦଳର ନେତାମାନେ ନବୀନଙ୍କ ମୁଖ୍ୟ ସହଯୋଗୀଙ୍କୁ ବିରୋଧ କରିଛନ୍ତି। କିନ୍ତୁ ନବୀନ ପାଣ୍ଡିଆନ୍ଙ୍କୁ ଛାଡ଼ିବାକୁ ନାରାଜ। ଏହି ପରସ୍ପର ବିରୋଧୀ ତତ୍ତ୍ୱ ଭିତରୁ ଫାଇଦା ନେଉଛି ବିଜେପି। ଏପରିକି ୧୯୯୭ରେ ଦଳ ଗଠନ ହେବା ପରେ ଯେଉଁ ଅଙ୍କୁଶ ବିଜେପି ରକ୍ଷା କରୁଥିଲା, ଠିକ୍‍ ସେହି ଅଙ୍କୁଶ ପୁଣିଥରେ ଲଗାଇବାକୁ ଚେଷ୍ଟା କରୁଛି। ଆଉ ତାହା ନହେଲେ ପଶ୍ଚିମବଙ୍ଗର ଟିଏମ୍ସିି ଓ ମହାରାଷ୍ଟ୍ରରେ ଶିବସେନା, ଏନ୍ସିରପି ଭଳି ପରିସ୍ଥିତି ସୃଷ୍ଟି କରିବା ଲାଗି ମଧ୍ୟ ଇଙ୍ଗିତ କରିଛି। ଏଭଳି ପରିସ୍ଥିତି ନିକଟ ଅତୀତର ସ୍ୱରକୁ ବଦଳାଇ ନବୀନ-ପାଣ୍ଡିଆନ୍‍ ଦଳକୁ ବଞ୍ଚାଇବା ଲାଗି ବିଜେପିକୁ ରାଜ୍ୟସଭାରେ ସମର୍ଥନ କରିପାରନ୍ତି।
ନବୀନଙ୍କ ଦିଲ୍ଲୀଗସ୍ତ
ନିକଟ ଅତୀତରେ କିଛି ଘଟଣା ଏହାକୁ ପ୍ରମାଣିତ କରୁଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକ ମୌସୁମୀ ଅଧିବେଶନ ଆରମ୍ଭ ହେବାର କିଛିଦିନ ପୂର୍ବରୁ ଦିଲ୍ଲୀଗସ୍ତରେ ରହିବା ଏହି ସମୀକରଣର ସମ୍ଭାବନାକୁ ବଢ଼ାଇଛି। ସଂଖ୍ୟାଗଣିତରେ ପଛରେ ପଡ଼ିଥିବା ବିଜେପି ପାଇଁ କୁଟାଖିଅ ଭଳି ସହାୟ ହେବ ବୋଲି ଭରସା ଦେଇଛି।

ନବୀନଙ୍କ ନୀରବତା

ଦିଲ୍ଲୀରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ପ୍ରଥମେ ସମର୍ଥନ କରି ସେମାନଙ୍କୁ ଦେଶର ଭବିଷ୍ୟତ ଓ ସରକାର ସେମାନଙ୍କ ସହ ଆଲୋଚନା କରିବାକୁ ଆହ୍ୱାନ ଦେଇଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ଜୁଲାଇ ୨୦ ତାରିଖ ସଂସଦର ବର୍ଷାକାଳୀନ ଅଧିବେଶନ ଆରମ୍ଭ ଦିନକୁ ଟାର୍ଟେଟ କରି ନବୀନ ସୋଶାଲ୍‍ ମିଡିଆ ହ୍ୟାଣ୍ଡଲରେ ଏ ବିଷୟ ଉଲ୍ଲେଖ କରିଥିଲେ। କିନ୍ତୁ ଯେତେବେଳେ ପୁଲିସ ଛାତ୍ରଙ୍କ ଉପରେ ଲାଠି ଚାର୍ଜ କଲା, ଲୁହବୁହା ଗ୍ୟାସ ମାଡ଼ କଲା ତାହାକୁ ନେଇ ନବୀନ ଗୋଟିଏ ଶବ୍ଦ ବି ଉଲ୍ଲେଖ କରିଲେ ନାହିଁ। ଅପରପକ୍ଷେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏ ବିଷୟକୁ ସୋଶାଲ୍‍ ମିଡିଆରେ ଉଠାଇ ନିଜ ମତବ୍ୟକ୍ତ କରିଥିଲା। ଶୁଣାଯାଏ ଦିଲ୍ଲୀରେ ସିଜେପି ଦ୍ୱାରା ଆହୁତ ସଂସଦ ଚାଲ ରାଲିରେ ଭାଗ ନେବାକୁ ବିଜେଡିର ଦୁଇ ଛାତ୍ର ନେତାଙ୍କୁ ଦିଲ୍ଲୀ ପଠାଯାଇଥିଲା। ନବୀନ ଖୋଦ ଦିଲ୍ଲୀରେ ଥାଇ ଏ ବିଷୟକୁ ଅନୁଧ୍ୟାନ କରୁଥିଲେ। କିନ୍ତୁ ଠିକଣା ସମୟରେ ଏ ଦୁଇ ଛାତ୍ର ନେତାଙ୍କୁ ଦେଖିବାକୁ ମିଳି ନଥିଲା। କଥା ସେତିକିରେ ଅଟକି ନାହିଁ ଦିଲ୍ଲୀରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମଧ୍ୟ ବିଜେଡିର ଆଭିମୁଖ୍ୟ ଓଲଟା ଦେଖିବାକୁ ମିଳିଥିଲା। ରାଜ୍ୟସଭା ନେତା ମାନସ ମଙ୍ଗରାଜ ଏକ ଗଣ ମାଧ୍ୟମକୁ ସଂସଦ କାର୍ଯ୍ୟକୁ ଆରାମରେ ଅତିବାହିତ କରିବା ପାଇଁ ସହଯୋଗ କରାଯିବ ବୋଲି ବୟାନ ଦେଲେ। ଏହା ସ୍ପଷ୍ଟ କରିଛି ଯେ ବିଜେଡି ଆଉ ବଜେଟ୍‍ ଅଧିବେଶନର ବିଜେଡି ହୋଇ ନାହିଁ। ଯେଉଁ ରାଜନୀତିକ ପରିବର୍ତ୍ତନର ହାଓ୍ୱା ପ୍ରବାହିତ ହେଉଛି ସେଥିରେ ବଦଳି ଯାଇଛି ବିଜେଡି। ଖାଲି ସେତିକି ନୁହେଁ, ଦଳ ଏବେ ୟୁଟର୍ନ ନେଇଛି। ନିର୍ବାଚନ ପୂର୍ବରୁ ଯେମିତି ରାଜ୍ୟରେ ବିରୋଧୀ ଓ କେନ୍ଦ୍ରରେ ସମର୍ଥକ ଭାବେ ଦଳ କାର୍ଯ୍ୟ କରୁଥିଲା, ଠିକ୍‍ ସେମିତି କାର୍ଯ୍ୟ କରିବ। ଏହା ଦଳର ଅସ୍ତିତ୍ୱ ରକ୍ଷା ସହ ସାଂସଦଙ୍କ ସମ୍ମାନ ଓ ଭବିଷ୍ୟତକୁ ରକ୍ଷା କରିବ ବୋଲି ଆା କରାଯାଉଛି।

ମହିଳା ନେତ୍ରୀଙ୍କୁ ଭେଟିବା

ନିକଟ ଅତୀତରେ ନବୀନ ତାଙ୍କ ବାସଭବନରେ ରାଜ୍ୟର କିଛିମ ହିଳା ସଂଗଠନ ନେତୃତ୍ୱଙ୍କୁ ଭେଟିବା ଏହାର ପ୍ରମାଣ ଦେଉଛି। ଏହି ନେତୃ୍ତ୍ୱ ମଣ୍ଡଳୀରେ ବାମପନ୍ଥୀ ମହିଳା ସଂଗଠନ ଏଆଇଡିଡବ୍ଲୁଏର ଓଡ଼ିଶା ପ୍ରତିନିଧି ତାପସୀ ପ୍ରହରାଜଙ୍କଠାରୁ ଆରମ୍ଭ କରି ମହିଳା ଶିକ୍ଷାବିତ ପ୍ରଫେସର ଆଶା ହନ୍ସ ଉପସ୍ଥିତ ଥିଲେ। ସେମାନେ ମହିଳା ସଂରକ୍ଷଣ ବିଧେୟକର ଆବଶ୍ୟକତାକୁ ଉପସ୍ଥାପନ କରିଥିଲେ। ଏହା ପ୍ରମାଣିତ କରୁଛି ଯେ, ଏନ୍ଡିେଏର ଫ୍ଲାଗଶିପ ଯୋଜନା ମହିଳା ବିଧେୟକକୁ ଦଳ ଏଥର ନିଶ୍ଚିତ ସମର୍ଥନ କରିବ। ଯଦିଓ ଅତୀତରେ ମହିଳା ବିଧେୟକକୁ ନବୀନ ସମର୍ଥନ କରିଛନ୍ତି କିନ୍ତୁ ଏହା ଯେତେବଳେ ସୀମା ପୁନଃନିର୍ଦ୍ଧାରଣ ବିଧେୟକ ସହ ଏକାଠି ଆସୁଛି ତାହାକୁ ନେଇ ନିଜର ସ୍ଥିତିକୁ ସ୍ପଷ୍ଟ କରି ନାହିଁ ବିଜେଡି।

ସୁଜାତାଙ୍କୁ ବିରୋଧ ନାହିଁ

ରାଜ୍ୟରେ କ୍ଷମତାରେ ଥାଇ ମଧ୍ୟ ନିଜର ସମର୍ଥିତ ବିରୋଧୀ ଦଳଟିଏ ସୃଷ୍ଟି କରିବାକୁ ଯାଇ ବିଜେଡିକୁ ସହାୟକ ହେଉଛି ବିଜେପି। ସେଥିଲାଗି ରାଜ୍ୟର ନେତାମାନେ ବିଜେଡିରେ ସୁଜାତାଙ୍କ ପ୍ରବେଶକୁ ନେଇ ମୁହଁ ଖୋଲୁ ନାହାନ୍ତି। ଓଡ଼ିଆ ଅସ୍ମିତାରର ନାରା ଦେଇ ଭିକେ ପାଣ୍ଡିଆନଙ୍କୁ ଭିଲେନ୍‍ କରିଥିବା ବିଜେପିର ନେତାମାନେ ତାଙ୍କ ପତ୍ନୀଙ୍କ ଦଳରେ ସାମିଲ ହେବା, ବିଭିନ୍ନ ସମୟରେ ଦଳୀୟ ନେତାରମାନଙ୍କ ସହ ବୈଠକରେ ବସିବାକୁ ନେଇ କୌଣସି ଟିପ୍ପଣୀ କରୁନାହିଁ ଦଳ। ଖାଲି ସେତିକି ନୁହେଁ, ସରକାରଙ୍କୁ ସୁଜାତା ସୋଶାଲ୍‍ ମିଡିଆରେ କଡ଼ା ସମାଲୋଚନା କରୁଥିଲେ ମଧ୍ୟ ବିଜେପି ଚୁପ୍‍ ରହିଛି।

ବିଜେପିର ଅଙ୍କୁଶ

ଦିନ ଥିଲା ଦୁଇ ଦଳ ଭିତରେ ଭାଇ-ଭାଇ ସମ୍ପର୍କ ରହିଥିଲା। ବିଜେଡି ରାଜ୍ୟରେ ବିଜେପିର ବଡ଼ଭାଇ ଥିଲା। ଏବେ ସେ ସମ୍ପର୍କ ନାହିଁ। ବିଜେପି ଭାଇକୁ ଆଘାତ ଦେବାକୁ ଚାହୁଁ ନାହିଁ ହେଲେ ଦଳକୁ ନିଜ ନିୟନ୍ତ୍ରଣରେ ରଖି ବଡ଼ଭାଇର ଭୂମିକା ନିର୍ବାହ କରୁଛି। ଏଭଳି ପରିସ୍ଥିତିରେ ରାଜ୍ୟ ରାଜନୀତିର ଗଣିତ ପୁଣିଥରେ ବଦଳିବାକୁ ଯାଉଛି। ଏହି ସମୀକରଣ ମାଧ୍ୟମରେ ବିରୋଧୀ ଦଳରେ ଥାଇ ବି ବିଜେଡି ସରକାରର ଅଘୋଷିତ ଅଙ୍ଗ ହେବ ଏବଂ କିଛି ନଥାଇବି ବିଜେପି ମାଧ୍ୟମରେ ନିୟନ୍ତ୍ରଣ ହେବ ବିଜେପିର ଆଭ୍ୟନ୍ତରୀଣ ବ୍ୟାପାର। ଯଦିଓ ଏହା ଏବେବି ଘଟୁଛି କିନ୍ତୁ ମୌସୁମୀ ଅଧିବେଶନ ଏହାକୁ ଅଧିକ ସ୍ପଷ୍ଟ କରିବ।

LEAVE A REPLY

Please enter your comment!
Please enter your name here

Popular Articles