Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ବଦଳିବେ ପୁଲିସ ଡିଜି; ଓଡ଼ିଆ ନା ଅଣ ଓଡ଼ିଆ

ଭୁବନେଶ୍ୱର: ରାଜ୍ୟପୁଲିସର ସର୍ବୋଚ୍ଚ ଅଧିକାରୀ ବଦଳିବେ। ଆଇପିଏସ୍‍ ଅଧିକାରୀ ତଥା ବର୍ତ୍ତମାନର ଡିଜି ପୁଲିସ ଯୋଗେଶ ବାହାଦୂର ଖୁରାନିଆଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ତାଙ୍କ ବଦଳରେ ନୂଆ ଅଧିକାରୀଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏ ଭିତରେ ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ଆଇପିଏସ୍‍ଙ୍କ ନାମ ୟୁପିଏସ୍‍ସିକୁ ପଠାଇଛନ୍ତି। ଏଥିରୁ ତିନିଜଣଙ୍କ ନାମକୁ ୟୁପିଏସ୍‍ସିର ସ୍ୱତନ୍ତ୍ର ଚୟନ କମିଟି ରାଜ୍ୟ ସରକାରଙ୍କୁ ପଠାଇବା ବରେ କିଏ ଡିଜି ହେବେ ତାହା ରାଜ୍ୟ ସରକାର ନିଷ୍ପତ୍ତି ନେବେ। ଏଥିନେଇ ୟୁପିଏସ୍‍ସି ପକ୍ଷରୁ ଅଗଷ୍ଟ ୭ ତାରିଖରେ ଏକ ସ୍ୱତନ୍ତ୍ର ବୈଠକ ବସିବାକୁ ରହିଛି।

ସାଧାରଣତଃ ରାଜ୍ୟ କ୍ୟାଡର ଅଧିକାରୀଙ୍କୁ ଏହି କ୍ଷେତ୍ରରେ ନିଯୁକ୍ତି ଦିଆଯାଇଥାଏ। କିନ୍ତୁ ରାଜ୍ୟ ସରକାର ଚାହିଁଲେ ଅଣରାଜ୍ୟ କ୍ୟାଡର ଅଧିକାରୀଙ୍କୁ ମଧ୍ୟ ନିଯୁକ୍ତି ଦେଇପାରିବେ। ତେବେ ବରିଷ୍ଠତା ଦୃଷ୍ଟିରୁ ଏହି ପଦବୀ ପାଇଁ ଉପଯୁକ୍ତ ପ୍ରାର୍ଥୀ ଚୟନ କରାଯାଇଥାଏ।

ମୋହନ ମାଝିଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଶ୍ରୀ ଖୁରାନିଆଙ୍କୁ ଡିଜି ପୁଲିସ ଭାବେ ସୁଯୋଗ ମିଳିଥିଲା। ସେତେବେଳେ ଉଭୟ ମୁଖ୍ୟ ସଚିବ ଏବଂ ପୁଲିସ ମୁଖିଆ ଅଣ ଓଡ଼ିଆ ହୋଇଥିବାରୁ ମୋହନଙ୍କ ‘ଓଡ଼ିଆ ଅସ୍ମିତା’ ଡାକରାକୁ ନେଇ ଅଙ୍ଗୁଳି ନିର୍ଦ୍ଦେଶ ହୋଇଥିଲା। ଏବେ ମଧ୍ୟ ସମାନ ଆହ୍ୱାନ ଜୀବୀତ ରହିଛି।

ଏବେ ଡିଜି ଦୌଡ଼ରେ ବରିଷ୍ଠତା ଦୃଷ୍ଟିରୁ ଯେଉଁ ତିନିଜଣ ଆଇପିଏସ୍‍ ଅଧିକାରୀ ରହିଛନ୍ତି ସେମାନେ ହେଲେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, କାରାଗାର ଡିଜି ସୁଶାନ୍ତ ନାଥ ଏବଂ ଗୁଇନ୍ଦା ଡିଜି ଆରପି କୋଚେ। ପୂର୍ବରୁ ସୁଧାଂଶୁଙ୍କ ନାମ ଡିଜି ପଦବୀ ପାଇଁ ମଧ୍ୟ ଚୟନ କରାଯାଇଥିଲା। ହେଲେ ତାଙ୍କୁ ଏହି ପଦବୀ ମିଳି ପାରି ନଥିଲା। ଏବେ ଯଦି ସମୀକରଣରେ ପରିବର୍ତ୍ତନ ହୋଇଥିବା ତେବେ ବରିଷ୍ଂତା ଦୃଷ୍ଟିରୁ ସୁଧାଂଶୁ ହିଁ ପରବର୍ତ୍ତୀ ଡିଜି ହୋଇପାରନ୍ତି। କିନ୍ତୁ ରାଜ୍ୟ ସରକାର ନିଜର ପ୍ରାଧାନ୍ୟତାକୁ ଏଠାରେ ଉପଯୋଗ କରି ନାମ ବଦଳାଇପାରନ୍ତି। ଏ କ୍ଷେତ୍ରରେ ଆସନ୍ତା ୭ ତାରିଖରେ ବସିବାକୁ ଥିବା ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରହିବ।

ଏହି ବୈଠକରେ ୟୁପିଏସ୍‍ସି ଅଧ୍ୟକ୍ଷଙ୍କ ସମେତ ଓଡ଼ିଶାର ବିଦାୟକାଳୀନ ଡିଜି ଏବଂ ମୁଖ୍ୟ ସଚିବ ମଧ୍ୟ ସଦସ୍ୟ ରହିବେ। ସେମାନେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ଏହି ବୈଠକରେ ରଖିପାରନ୍ତି। ଏହାଫଳରେ ୟୁପିଏସ୍‍ସି ଯେଉଁ ତିନି ନାଁକୁ ବିଧି ଅନୁସାରେ ପ୍ରସ୍ତାବ କରିବେ ସେଥିରେ ରାଜ୍ୟ ସରକାରଙ୍କ ଇଚ୍ଛା ମଧ୍ୟ ସାମିଲ ରହିବା ସମ୍ଭାବନା ରହିଛି।

ଶ୍ରୀ ଖୁରାନିଆଙ୍କ ସମୟରେ ରାଜ୍ୟ ପୁଲିସର ଡ୍ରଗ୍ସ ଓ ନାର୍କୋଟିକ୍ସ ଧରପଗଡ଼ ବେଶ୍‍ ଚର୍ଚ୍ଚିତ ହୋଇଥିଲା। କିନ୍ତୁ ଭିଡ଼ ହିଂସା, ସଂଗଠିତ ଅପରାଧ, ରଥଯାତ୍ରା ସମୟରେ ବିପର୍ଯ୍ୟସ୍ତ ପରିସ୍ଥିତିର ଅନେକ ଘଟଣା ପୁଲିସ ବିଭାଗକୁ ହରଡ଼ଘଣାରେ ପକାଇଥିଲା।

LEAVE A REPLY

Please enter your comment!
Please enter your name here

Popular Articles