ବିଭିନ୍ନ ବିକଳ୍ପ ଉପାଦାନ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ପନିରକୁ ‘ଆନାଲଗ୍ ପନିର’ କୁହାଯାଏ।
ଦେଶର ଶାକାହାରୀଙ୍କ ଏକ ପ୍ରିୟ ଖାଦ୍ୟ ପନିର ବିଗତ କିଛି ଦିନ ହେଲା ବେଶ ଚର୍ଚ୍ଚାରେ ରହିଛି। କାରଣ ହେଉଛି ‘ଆନାଲଗ୍ ପନିର’ ର ବ୍ୟାପକ କାରବାର। ଏହାକୁ ନେଇ ଓଡ଼ିଶା ସମେତ ସାରା ଦେଶରେ ଚଢଉ ଚାଲିଛି। ଏବେ ସରକାର ଆଉ ଏକ କଡା ପଦକ୍ଷେପ ନେବାକୁ ଯାଉଛନ୍ତି- ସାରା ଦେଶରେ ନିଷିଦ୍ଧ ହୋଇପାରେ ଆନାଲଗ୍ ପନିର।
ଦୁଗ୍ଧରୁ ପ୍ରସ୍ତୁତ ପାରମ୍ପରିକ ପନିର ବଦଳରେ ବିଭିନ୍ନ ବିକଳ୍ପ ଉପାଦାନ ବ୍ୟବହାର କରି ପ୍ରସ୍ତୁତ ହେଉଥିବା ପନିରକୁ ‘ଆନାଲଗ୍ ପନିର’ କୁହାଯାଏ। ଏହା ବିଭିନ୍ନ ରେସ୍ତୋରାଁ କି ହୋଟେଲରେ ଚାହିଦାକୁ ତ ପୂରଣ କରିପାରେ କିନ୍ତୁ ଅସଲି ପନିରର ଗୁଣବତ୍ତା ଓ ପୋଷଣର ବିକଳ୍ପ ହୋଇପାରେ ନାହିଁ।
ଏବେ ଏହି ନକଲି ପନିର ଦେଶର ଖାଦ୍ୟ ସୁରକ୍ଷା ନିୟନ୍ତ୍ରକଙ୍କ ନଜରରେ ରହିଛି। ଏହି ଉତ୍ପାଦ ଉପରେ ଦେଶବ୍ୟାପୀ ନିଷେଧ ଲାଗୁ କରାଯିବ କି ନାହିଁ, ସେନେଇ ଆସନ୍ତା ସେପ୍ଟେମ୍ବର ୨୪ରେ ରାଜ୍ୟଗୁଡ଼ିକ ସହ ଆଲୋଚନା କରିବ ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (FSSAI)। ଏହାରର ମୁଖ୍ୟ ରାଜିତ ପୁନହାନି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।
ପୁନହାନିଙ୍କ କହିବା ଅନୁସାରେ, ଏବେ ସୁଦ୍ଧା ୮ଟି ରାଜ୍ୟ ଆନାଲଗ୍ ପନିର ଉପରେ ନିଷେଧ ଲାଗୁ କରିସାରିଛନ୍ତି। ଏଥିରେ ମହାରାଷ୍ଟ୍ର, ଛତିଶଗଡ଼, ମଧ୍ୟପ୍ରଦେଶ, ଗୁଜରାଟ ଓ କର୍ଣ୍ଣାଟକ ସମେତ ଅନ୍ୟ ରାଜ୍ୟ ରହିଛନ୍ତି। ଏବେ କେନ୍ଦ୍ରୀୟ ସ୍ତରରେ ଏକ ସମାନ ନୀତି ଆଣିବା ନେଇ ଆଲୋଚନା ଚାଲିଛି।
ସାଧାରଣ ପନିର ମୁଖ୍ୟତଃ ଦୁଗ୍ଧରୁ ପ୍ରସ୍ତୁତ ହୁଏ। ଅନ୍ୟପକ୍ଷରେ, ଆନାଲଗ୍ ପନିରରେ ଦୁଗ୍ଧ ଛେନା ବଦଳରେ ବନସ୍ପତି ଘିଅ, ଦୁଗ୍ଧଗୁଣ୍ଡ, ସୋୟା ପ୍ରୋଟିନ କିମ୍ବା ଅନ୍ୟ ବିକଳ୍ପ ଉପାଦାନ ବ୍ୟବହାର ହୋଇପାରେ। କେତେକ କ୍ଷେତ୍ରରେ ସ୍ବାସ୍ଥ୍ୟ ପାଇଁ ହାନୀକାରକ ପଦାର୍ଥ ମଧ୍ୟ ବ୍ୟବହାର ହେଉଛି। ଏହାର ରୂପ ଓ ବ୍ୟବହାର ପ୍ରକୃତ ପନିର ସହ ସମାନ ହୋଇଥିବାରୁ ଉପଭୋକ୍ତାଙ୍କ ପାଇଁ ଦୁଇଟିକୁ ଅଲଗା କରିବା ସବୁବେଳେ ସହଜ ହୁଏନାହିଁ।
୨୪ ସେପ୍ଟେମ୍ବରକୁ ଅପେକ୍ଷା
୨୪ ସେପ୍ଟେମ୍ବରରେ ବସୁଥିବା ବୈଠକରେ ରାଜ୍ୟଗୁଡ଼ିକର ମତାମତ ଏହି ପ୍ରସଙ୍ଗରେ ନିର୍ଣ୍ଣାୟକ ହୋଇପାରେ। ସମସ୍ତ ରାଜ୍ୟରୁ ମତାମତ ନେବା ପରେ ଯଦି ନିଷେଧ ସପକ୍ଷରେ ସହମତି ସୃଷ୍ଟି ହୁଏ, ତେବେ ଆନାଲଗ୍ ପନିର ବିରୋଧରେ ଦେଶବ୍ୟାପୀ ପଦକ୍ଷେପ ନେବାର ରାସ୍ତା ଖୋଲିପାରେ। ଯଦି ଏପରି ହୁଏ ତେବେ ସାରା ଦେଶର ଖାଦ୍ୟ ବଜାର ଉପରେ ତାହାର ପ୍ରଭାବ ପଡିବ। ଆଗକୁ ପାର୍ବଣ ଥିବାବେଳେ ଦରଦାମ ବି ବଢିପାରେ। କିନ୍ତୁ ଏହା ସତ ଯେ ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଏକ ଭଲ ପଦକ୍ଷେପ ହେବ।






