ଗାଁ ପୋଖରୀରେ ଅମାନିଆ ଭାବେ ବ୍ୟାପୁଥିବା ପାଣି ଦଳ ବା ପାଣି ମେଟକା ଦିନେ ସମସ୍ୟା ଭାବେ ଗଣାଯାଉଥିଲା। ଏହାର ମୋଟା ମୋଟା ପତ୍ର ପୋଖରୀର ପାଣି ଉପରେ ଏକ ସବୁଜ ଆସ୍ତରଣ ପକାଇ ସୂର୍ଯ୍ୟ କିରଣକୁ ପାଣି ଭିତରକୁ ଯିବାକୁ ଦେଉ ନଥିଲା। ଏଣୁ ମାଛ ଓ ଅନ୍ୟ ଜଳଜୀବ ବଢ଼ିବା ବି କଷ୍ଟକର ହେଉଥିଲା। ହେଲେ ଆଜି ସେହି ପାଣି ମେଟକା ଆସାମର ମହିଳାମାନଙ୍କ ପାଇଁ ରୋଜଗାରର ଉତ୍ସ ପାଲଟିଛି। ସେମାନଙ୍କ ନିଜ କୌଶଳ ଓ ସୃଜନଶୀଳତା ପ୍ରଦର୍ଶନ କରାଇବାର ସୁଯୋଗ ଦେଇଛି। ଖାଲି ସେତିକି ନୁହେଁ, ପାଣି ମେଟକାକୁ ଜୀବିକା ପାଇଁ ସଂଗ୍ରହ କରାଯାଉଥିବାରୁ ତାହା ନିୟମିତ ଭାବେ ପୋଖରି ପାଣିରେ ଅମ୍ଳଜାନସ୍ତରକୁ ସ୍ୱଭାବିକ କରୁଛି।
ଆସାମ ରାଜ୍ୟ ଗ୍ରାମୀଣ ଜୀବିକା ମିଶନ ସହାୟତାରେ ଗ୍ରାମାଞ୍ଚଳର ମହିଳା ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଏହି ପ୍ରକାର ସୃଜନଶୀଳତାକୁ ବ୍ୟବସାୟରେ ପରିଣତ କରିଛନ୍ତି। ପୋଖରୀରୁ ପାଣି ମେଟକା କାଣ୍ଡକୁ ସଂଗ୍ରହ କରି ତାହାକୁ ସେମାନେ ଭଲ ଭାବେ ଶୁଖାଇ ଦିଅନ୍ତି। ପରେ ମହିଳାମାନେ ଅନେକ ଶୁଖିଲା କାଣ୍ଡକୁ ଦଉଡ଼ି ଆକୃତିରେ ବୁଣିଥାନ୍ତି। ପରବର୍ତ୍ତୀ ସମୟରେ ଆବଶ୍ୟକତାକୁ ଦେଖି ସେମାନେ ଏଥିରୁ ଝୁଡ଼ି, ହ୍ୟାଣ୍ଡବ୍ୟାଗ୍, ସ୍ଲିଙ୍ଗ୍ ବ୍ୟାଗ୍, ଟେବୁଲ୍ ମ୍ୟାଟ୍, କୋଷ୍ଟର, ଟିସୁ ବାକ୍ସ, ଲ୍ୟାମ୍ପ୍ ସେଡ୍ ଏବଂ ଅନ୍ୟାନ୍ୟ ଗୃହ ସଜ୍ଜା ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ତିଆରି କରିଥାଆନ୍ତି। ପ୍ରକୃତିକ, ହାତତିଆରି, ପରିବେଶ ଯୋଗ୍ୟ ଏବଂ ଆକର୍ଷଣୀୟ ହୋଇଥିବାରୁ ଏପ୍ରକାର ସାମଗ୍ରୀର ଚାହିଦା ଦିନକୁ ଦିନ ବଢ଼ୁଛି। ଆଉ ପାଣିମେଟକା ଆସାମର ମହିଳା ତଥା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ପାଇଁ ଏକ ସ୍ଥାୟୀ ଜୀବିକା ଭାବେ ବିକାଶିତ ହୋଇଛି।
ପ୍ରାରମ୍ଭିକ ପର୍ଯ୍ୟାୟରେ ଏନ୍ଇଡିଏଫଆଇ ବୈଷୟିକ ସହାୟତାରେ ଛଅଟି କ୍ଲଷ୍ଟରରେ ଏହି କାର୍ଯ୍ୟକ୍ରମକୁ ପାଇଲଟ୍ ପ୍ରକଳ୍ପ ଭାବରେ ଆରମ୍ଭ କରାଯାଇଥିଲା, ଯାହା ଦକ୍ଷତା ବିକାଶ ତାଲିମ ସହିତ କଞ୍ଚାମାଲ ସହାୟତା, ପ୍ରକ୍ରିୟାକରଣ, ଏକତ୍ରୀକରଣ ଏବଂ ଉତ୍ପାଦନ ପାଇଁ କମନ୍ ଫ୍ୟାସିଲିଟି ସେଣ୍ଟରର ସୁବିଧା ଯୋଗାଉଥିଲା।
ରାଜ୍ୟ ଗ୍ରାମୀଣ ଜୀବିକା ମିଶନର ଏହି ପଦକ୍ଷେପ ସାଧାରଣ ଗ୍ରାମୀଣ ମହିଳାମାନଙ୍କ ପାଇଁ ଜୀବିକା ସୃଷ୍ଟି ସହ ପରିବେଶ ପରିଚାଳନା ମଧ୍ୟରେ ଏକ ସୁଯୋଗ ସୃଷ୍ଟି କରୁଛି। ପାଣିମେଟକାର ଘନ ଆସ୍ତରଣ ପୋଖରୀରୁ ନିୟମିତ କଢ଼ାଯିବା ଦ୍ୱାରା ଏବେ ପୋଖରୀ ଭିତରକୁ ସୂର୍ଯ୍ୟକିରଣ ପ୍ରବେଶ ହୋଇପାରୁଛି। ଅର୍ଥାତ୍ ଜଳରେ ଅମ୍ଳଜାନର ସ୍ତର ବଜାୟ ରଖିବାରେ ଏପ୍ରକାର ଉଦ୍ୟମ ପରୋକ୍ଷରେ ସହାୟକ ହୋଇଛି। ଫଳରେ ଗଭୀର ପୁଷ୍କରିଣୀରେ ଜୈବସମ୍ପଦ ବୃଦ୍ଧିରେ ଏହା ସହାୟକ ହେଉଛି।
ପିଆଇବି






