ଛାତ୍ରଙ୍କ ଉପରେ ଆକ୍ରମଣକୁ ନିନ୍ଦା
ଭୁବନେଶ୍ୱର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଧାନସଭାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦେବି କରିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ନଜରରେ ରଖି ସେ ଇସ୍ତଫା ଦେବା ଉଚିତ ବୋଲି ଗଣମାଧ୍ୟମକୁ କହିଛନ୍ତି।
ଆଜି ଅପରାହ୍ଣରେ ସେ ବିଜୁ ଜନତା ଦଳର ସାଂସଦମାନଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗ ଦେଇଥିଲେ। ନୂଆଦିଲ୍ଲୀ ଗସ୍ତରେ ଥିବା ନବୀନ ଏହି ସମୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ସମୟରେ ଛାତ୍ର ଆନ୍ଦୋଳନ ଏବଂ ତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲେ। ଏହି ଆକ୍ରମଣଦ୍ୱାରା ଅନେକ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି ବୋଲି କହିବା ସହ ସେମାନଙ୍କୁ ହସ୍ପିଟାଲ୍ରେ ବିଜେଡି ନେତୃମଣ୍ଡଳୀ ଭେଟି ତାଙ୍କୁ ସମବେଦନା ଜଣାଇବା କଥା ନବୀନ କହିଛନ୍ତି।
ଗଣମାଧ୍ୟମକୁ ସାକ୍ଷାତ ଦେଇ ଶ୍ରୀ ପଟ୍ଟନାୟକ କହିଛନ୍ତି, ‘ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ରହିଛି। ଅନେକ ଛାତ୍ରଙ୍କୁ ଆକ୍ରମଣ କରାଯାଇଛି। ସେମାନେ ଆହତ ଅଛନ୍ତି। ବିଜେଡିସାଂସଦମାନେ ଆହତଙ୍କୁ ଭେଟିଛନ୍ତି। ଦିଲ୍ଲୀରେ ଏହା ଏବେ ଆଉ ସୀମିତ ହୋଇ ରହି ନାହିଁ। ଅନେକ ସହରରେ ଏବଂ ଆନ୍ତର୍ଜାତିକ ସ୍ତରରେ ଏହି ଘଟଣାକୁ ନେଇ ଉଦ୍ବେଗ ପ୍ରସ୍ତାବ ପାଇଛି। ମୋତେ ପଚରାଯାଇଥିଲା ଯେ, ଶିକ୍ଷାମନ୍ତ୍ରୀ ଏ ପ୍ରସଙ୍ଗରେ ଇସ୍ତଫା ଦେବା ଉଚିତ କି ନା? ଅନେକ ପାର୍ଟି ଏବଂ ନେତା ଏହି ଦାବି କରିଛନ୍ତି। ଏହି ଛାତ୍ରଛାତ୍ରୀଙ୍କ ଆହତକୁ ନଜରରେ ରଖି ମୁଁ ଭାବୁଛି ସେ ଇସ୍ତଫା ଦେବା ଉଚିତ।’
ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଆନ୍ଦୋଳନରତ କକ୍ରୋଚ ଜନତା ପାର୍ଟିର ସଦସ୍ୟମାନେ ‘ଚଲୋ ସଂସଦ’ ଅଭିଯାନ ଆରମ୍ଭ କରିଥିଲେ। ପୁଲିସ ବାରଣ ସତ୍ତ୍ୱେ ଏଥିରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ ଯୋଗ ଦେବାରୁ ଦିଲ୍ଲୀରେ ଚକାଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାକୁ ନିୟନ୍ତ୍ରଣ କରିବାକୁ ଯାଇ ପୁଲିସ ଏବଂ ଅର୍ଦ୍ଧସାମରିକ ବଳ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ କରାଯାଇଥିଲା। ବିଭିନ୍ନ ସ୍ଥାନରେ ଲାଠିମାଡ଼ ଯୋଗୁ ଅନେକ ଛାତ୍ର ଆହତ ହୋଇଥିଲେ। ଏହାପରେ ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଠାଙ୍କ ସହ ସିଜେପି ପ୍ରତିନିଧି ଆଲୋଚନା କରିଥିଲେ। କିନ୍ତୁ ଛାତ୍ରଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣମାଧ୍ୟମକୁ କହିଥିଲା ସିଜେପି।
ଆଜି ଅଧିବେଶନର ଦ୍ୱିତୀୟ ଦିନରେ ମଧ୍ୟ ପରିସ୍ଥିତି ଅପରିବର୍ତ୍ତିତ ରହିଥିଲା। ଗୃହ ବାରମ୍ବାର ମୁଲତବୀ ରହିଥିଲା। କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଘେରଉ କରାଯାଇଥିଲା। ଏ ପ୍ରସଙ୍ଗକୁ ସଂସଦରେ ଆଲୋଚନା ଲାଗି ଦଳ ଦାବି କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ଦାୟୀ ଥିବା ଅଭିଯୋଗ କରି ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି କଂଗ୍ରେସ।
ସରକାରଙ୍କ ପକ୍ଷରୁ ନିଟ ପ୍ରଶ୍ନପତ୍ର ଲିକ୍ ସମ୍ପର୍କରେ ଉଭୟ ଗୃହରେ ଆଲଷାଚନା ଲାଗି ସହମତି ପ୍ରକାଶ କରାଯାଇଥିବା ସୂଚନା ମିଳିଛି।





