ଯେଉଁ ଅଧିକାରୀଙ୍କ ଅଧୀନରେ ଏହି ବଡ଼ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି, ସରକାର ତାଙ୍କୁ ହିଁ ତୁରନ୍ତ ଅନ୍ୟତ୍ର ବଦଳି କରିଦେଲେ, କାହିଁକି? ଯଦି ଆମେ ଏହି ପୂରା ଘଟଣାକ୍ରମକୁ ଦେଖିବା ତେବେ ମାମଲାଟି କେବଳ ଦୁଇ-ତିନି ଜଣ କର୍ମଚାରୀଙ୍କ ମଧ୍ୟରେ ସୀମିତ ଥିବା ଭଳି ଲାଗୁନାହିଁ। ଏହା ପଛରେ ସରକାରଙ୍କର ବଡ଼ ବଡ଼ ହସ୍ତୀ ନଥିବେ ବୋଲି ବି କହିହେବ ନାହିଁ।
ଅରବିନ୍ଦ ମହାପାତ୍ର
ରାଜ୍ୟ ନିର୍ମାଣ ବିଭାଗରେ ଏକ ଅଭିନବ ଠକେଇ ହୋଇଥିବା ଅଭିଯୋଗ ହୋଇଛି। ପୁଣି ଏ ଅଭିଯୋଗ କରିଛନ୍ତି ଖୋଦ ବିଭାଗୀୟ ନିରୀକ୍ଷଣ ଯନ୍ତ୍ରୀ। ଥାନାରେ ସେ ଦେଇଥିବା ଏତଲା ଅନୁସାରେ ଡିଜିଟାଲ୍ ଓ ସାଧାରଣ ବ୍ୟବସ୍ଥା ଭିତରେ ଥିବା ଫାଙ୍କରୁ କିଛି କର୍ମଚାରୀ ସରକାରୀ ଅର୍ଥ ଲୁଟିଛନ୍ତି। ଏହି ଅର୍ଥର ପରିମାଣ ୮ କୋଟି ଟଙ୍କା ହେବ।
ଭୁବନେଶ୍ୱର ନିର୍ମାଣ ବିଭାଗ ଡିଭିଜନ୍-୧ରେ ଏହି ଠକେଇ ହୋଇଥିବା ଅଭିଯେଗା ହୋଇଛି। କିଛି ସରକାରୀ ଆର୍ଥିକ କାରବାର ଏବଂ କର୍ମଚାରୀଙ୍କ ଅବସରଜନିତ ସୁବିଧା ପ୍ରୋସେସିଂ ଏପରି ଠକେଇ ହୋଇଥିବାର ସାଙ୍ଘାତିକ ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ସରକାରୀ ଆଇଡି, ପାସୱାର୍ଡ ଓ ଜାଲି ଡିଜିଟାଲ୍ ଦସ୍ତଖତ ବ୍ୟବହାର ହୋଇ ପ୍ରାୟ ଆଠ କୋଟି ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଏହି ଘଟଣାକୁ ବୁଝିବା ପୂର୍ବରୁ, ପ୍ରଥମେ ଜାଣିବା ଏଚଆର୍ଏମ୍ଏସ୍ ଓ ଆଇଏଫ୍ଏମ୍ଏସ୍ ଭଳି ସରକାରୀ ଡିଜିଟାଲ ସିଷ୍ଟମ କ’ଣ? ଏଚଆରଏମ୍ଏସ୍ ହେଉଛି ମାନବ ସମ୍ବଳ ପରିଚାଳନା ଲାଗି ଉଦ୍ଦିଷ୍ଟ ସଫ୍ଟୱେର ବ୍ୟବସ୍ଥା।
ସରକାରୀ କର୍ମଚାରୀଙ୍କ ବେତନ, ଛୁଟି, ସର୍ଭିସ୍ ରେକର୍ଡ, ଅବସରଜନିତ ସୁବିଧା ଭଳି କର୍ମଚାରୀ ସମ୍ପର୍କିତ ବିଭିନ୍ନ ତଥ୍ୟ ଓ ପ୍ରକ୍ରିୟା ପାଇଁ ଏହା ବ୍ୟବହୃତ ହୁଏ। ଆଉ ଆଇଏଫ୍ଏମ୍ଏସ୍ ହେଉଛି ସମନ୍ୱିତ ଆର୍ଥିକ ପରିଚାଳନା ବ୍ୟବସ୍ଥା। ଏହା ସରକାରୀ ଆର୍ଥିକ ପରିଚାଳନା ସହ ଜଡ଼ିତ ଏକ ଡିଜିଟାଲ୍ ବ୍ୟବସ୍ଥା। ବିଲ୍, ପେମେଣ୍ଟ, ସରକାରୀ ଆର୍ଥିକ କାରବାର ଓ ରେକର୍ଡ ପରିଚାଳନାରେ ଭଳି କାର୍ଯ୍ୟ ଏଥିରେ ହୁଏ । ଅର୍ଥାତ୍, ଏହି ଦୁଇଟି ସିଷ୍ଟମ୍ରେ କର୍ମଚାରୀ ଓ ସରକାରୀ ଅର୍ଥ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଏବଂ କାରବାର ରହିଥାଏ। କିନ୍ତୁ ଏବେ ଏହି ସିଷ୍ଟମ୍ ହିଁ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଯେଉଁ ଡିଜିଟାଲ୍ ବ୍ୟବସ୍ଥା ମାଧ୍ୟମରେ ସରକାରୀ କାମକୁ ଆହୁରି ସହଜ ଓ ସ୍ୱଚ୍ଛ କରିବାର ଲକ୍ଷ୍ୟ ରହିଛି, ସେହି ସିଷ୍ଟମ୍ର ବ୍ୟବହାର ହୋଇ ଲୁଟ ହୋଇଛି କୋଟି କୋଟି ଟଙ୍କା।
ଘଟଣାଟି ସାମ୍ନାକୁ ଆସିଛି ଏକ ପୋଲିସ ଅଭିଯୋଗରୁ। ଭୁବନେଶ୍ୱର ନିର୍ମାଣ ବିଭାଗ ଡିଭିଜନ୍-୧ର ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ବିଭୁଦତ୍ତ ପ୍ରଧାନ କ୍ୟାପିଟାଲ ଥାନାରେ ଏହି ଅଭଯୋଗଟି ଆଣିଛନ୍ତି। ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ଅବସରଜନିତ ସୁବିଧା ପ୍ରୋସେସିଂକୁ ନେଇ ଏକ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ କୁହାଯାଇଛି ଯେ, କିଛି ଅବସରପ୍ରାପ୍ତ କର୍ମଚାରୀଙ୍କ ଅବ୍ୟବହୃତ ଛୁଟି ବେତନ ବା ଲିଭ୍ ଏନ୍କ୍ୟାଶ୍ମେଣ୍ଟ ଏବଂ ଗ୍ରାଚୁଇଟି ବେନିଫିଟ୍ସ ପୂର୍ବରୁ ପ୍ରୋସେସ୍ ହୋଇଥିବା ସତ୍ତ୍ୱେ ପୁଣି ଏକାଧିକ ଥର ପ୍ରୋସେସ୍ କରାଯାଇଛି। ଏହା ଫଳରେ ସରକାରୀ ଅର୍ଥର ଅଧିକ କିମ୍ବା ଅତିରିକ୍ତ ଉଠାଣ ହୋଇଥିବା ଅଭିଯୋଗ କରାଯାଇଛି। ସରଳ ଭାବେ କହିଲେ, ଅବସର ପରେ ଯେଉଁ କର୍ମଚାରୀଙ୍କ ଲିଭ୍ ଏନ୍କ୍ୟାଶ୍ମେଣ୍ଟ ଓ ଗ୍ରାଚୁଇଟି ବେନିଫିଟ୍ସର ଟଙ୍କା ପୂର୍ବରୁ ଦିଆସରିଥିଲା, ସେହି ଟଙ୍କାକୁ ପୁଣିଥରେ ସିଷ୍ଟମ୍ରେ ପ୍ରୋସେସ୍ କରାଯାଇ ହରିଲୁଟ ହୋଇଛି । ଏଠାରେ ଆଉ ଗୋଟିଏ ବଡ଼ ପ୍ରଶ୍ନ ଉଠୁଛି ଏହି ଟ୍ରାଞ୍ଜାକ୍ସନ୍ଗୁଡ଼ିକ କେଉଁ ଆଇଡିରୁ ପ୍ରୋସେସ୍ ହେଲା ? ଅଭିଯୋଗରେ କୁହାଯାଇଛି ଯେ, ସରକାରୀ ଆଇଏଫ୍ଏମ୍ଏସ୍ ଆଇଡି ପାସ୍ୱର୍ଡ ଓ ଡିଜିଟାଲ୍ ଦସ୍ତଖତ ବ୍ୟବହାର ହୋଇ ଏସବୁ ଟ୍ରାଞ୍ଜାକ୍ସନ୍ ହୋଇଛି।
ଆଉ ଅଭିଯୋଗରେ ବିଭୁଦତ୍ତ ନାୟକ, ଜୁନିୟର ଆସିଷ୍ଟାଣ୍ଟ, ଓ ବନଲତା ମହାନ୍ତି, ସେକ୍ସନ ଅଫିସରଙ୍କ ନାଁ ରହିଛି। ଏହି ଦୁଇ ଅଧିକାରୀ କର୍ମଚାରୀଙ୍କ ବେତନ, ଅବସରଜନିତ ସୁବିଧା, ଛୁଟି ବେତନ, ଗ୍ରାଚୁଇଟି ଓ ଏଚଆରଏମ୍ଏସ୍ ସମ୍ପର୍କିତ ସବୁ କାର୍ଯ୍ୟ ତୁଲାଉଥିଲେ। ଏହି ଅଭିଯୋଗ ପରେ ଏହି ଦୁଇଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ଏବଂ ଭୁବନେଶ୍ୱର ନିର୍ମାଣ ବିଭାଗ ଡିଭିଜନ-୧ ନୀରୀକ୍ଷଣ ଯନ୍ତ୍ରୀ ବିଭୁଦତ୍ତ ପ୍ରଧାନଙ୍କୁ ମଧ୍ୟ ପ୍ରତ୍ୟାହାର କରାଯାଇ ନୂଆ ଅଧିକାରୀଙ୍କୁଙ୍କୁ ସମ୍ପୂର୍ଣ୍ଣ କ୍ଷମତା ସହିତ ଦାୟିତ୍ୱ ଦିଆଯାଇଛି।
ପ୍ରଶ୍ନ ହେଉଛି, ଯେଉଁ ଅଧିକାରୀଙ୍କ ଅଧୀନରେ ଏହି ବଡ଼ ଆର୍ଥିକ ଅନିୟମିତତା ସାମ୍ନାକୁ ଆସିଛି, ସରକାର ତାଙ୍କୁ ହିଁ ତୁରନ୍ତ ଅନ୍ୟତ୍ର ବଦଳି କରିଦେଲେ, କାହିଁକି? ଯଦି ଆମେ ଏହି ପୂରା ଘଟଣାକ୍ରମକୁ ଦେଖିବା ତେବେ ମାମଲାଟି କେବଳ ଦୁଇ-ତିନି ଜଣ କର୍ମଚାରୀଙ୍କ ମଧ୍ୟରେ ସୀମିତ ଥିବା ଭଳି ଲାଗୁନାହିଁ। ଏହା ପଛରେ ସରକାରଙ୍କର ବଡ ବଡ ହସ୍ତୀ ନଥିବେ ବୋଲି ବି କହିହେବ ନାହିଁ। ଯାହାକୁ ସରକାର ଲୁଚାଇବାକୁ ଚାହୁଁଥିବେ।
ଏବେ ଏହି ଅଭିଯୋଗରେ ପ୍ରାୟ ୮ କୋଟି ଟଙ୍କାର ସରକାରୀ ଅର୍ଥର ଅନିୟମିତତା କଥା ସାମ୍ନାକୁ ଆସିଛି। କିନ୍ତୁ ଏହାର ପ୍ରକୃତ ପରିସର କେତେ ବଡ଼ ତାହା ଇଓଡବ୍ଲୁ କିମ୍ବା କୌଣସି ଉଚ୍ଚସ୍ତରୀୟ ତଦନ୍ତ ପରେ ହିଁ ସ୍ପଷ୍ଟ ହୋଇପାରିବ।
ଯଦି ଏହି ଡିଜିଟାଲ୍ ଅନିୟମିତତାର ସୂତ୍ର ଇଞ୍ଜିନିୟର-ଇନ୍-ଚିଫ୍ ଅଫିସ୍ କିମ୍ବା ନିର୍ମାଣ ବିଭାଗର ନିର୍ମାଣ ସୌଧ ପର୍ଯ୍ୟନ୍ତ ଲମ୍ବିଥାଏ, ତେବେ ତଦନ୍ତର ପରିସର ନିଶ୍ଚିତ ଭାବେ ଆହୁରି ବଡ଼ ହେବ। ତେଣୁ ଏବେ ଆବଶ୍ୟକ ହେଉଛି ଏହି ୮ କୋଟିର ହିସାବ ସହ ଡିଜିଟାଲ୍ ଟ୍ରେଲ୍ର ପୂରା ଯାଞ୍ଚ। ଏଠି କଥା ହେଉଛି ଜନତାଙ୍କ ଟଙ୍କାର। ଯେଉଁ ଟଙ୍କା ଲୋକଙ୍କ ଟିକସରୁ, ସରକାରୀ ରାଜସ୍ୱରୁ ସରକାରଙ୍କ ପାଖକୁ ଆସୁଛି, ସେହି ଟଙ୍କା ଯଦି ସରକାରୀ ବ୍ୟବସ୍ଥା ଭିତରେ ଡିଜିଟାଲ୍ ଅନିୟମିତତା ମାଧ୍ୟମରେ ହେରଫେର ହେଉଥିବା ଅଭିଯୋଗ ଆସୁଛି, ତେବେ ଏହାଠାରୁ ବଡ଼ ଚିନ୍ତାର ବିଷୟ ଆଉ କଣ ହୋଇପାରେ ?
ପୂର୍ବରୁ ଅନୁଗୁଳର ସ୍ୱାସ୍ଥ୍ୟ ବିଭାଗରେ ମଧ୍ୟ ଏପରି ଏକ ସ୍କାମ ସାମ୍ନାକୁ ଆସିଥିଲା ଆଉ ଏବେ ଏହି ଗନ୍ଧ ନିର୍ମାଣ ବିଭାଗରେ ବାରି ହୋଇଛି । ଜନତାଙ୍କ ଟଙ୍କା କେମିତି, କାହା ମାଧ୍ୟମରେ ଏବଂ କେଉଁ ସିଷ୍ଟମ୍ର ଦୁରୁପଯୋଗ କରି ହେରଫେର ହେଉଛି ତାହାର ପୂରା ହିସାବ ସାମ୍ନାକୁ ଆସିବା ଦରକାର। କାରଣ ସରକାରୀ ଟଙ୍କା କାହାର ବ୍ୟକ୍ତିଗତ ଟଙ୍କା ନୁହେଁ ଏହା ଜନତାଙ୍କ ଟଙ୍କା। ଆଉ ଏହି ଟଙ୍କାର ପ୍ରତିଟି ହିସାବ ରହିବା ଜରୁରୀ ।






