ରାଜନୀତି ଏବଂ ସମାଲୋଚନା – ଏ ଦୁଇଟି ଗୋଟିଏ ମୁଦ୍ରାର ଦୁଇଟି ପାଖ। ପ୍ରଜାତନ୍ତ୍ରରେ ବିରୋଧୀ ଦଳ ସରକାରଙ୍କ ଗୋଡ଼ ଟାଣିବା, ନୀତିକୁ ନେଇ ପ୍ରଶ୍ନ ଉଠାଇବା ଏବଂ ଗମ୍ଭୀର ଚର୍ଚ୍ଚା କରିବା ଏକ ସ୍ୱାଭାବିକ କଥା। ମାତ୍ର ଆଜିକାଲିର ରାଜନୀତିକୁ ଦେଖିଲେ ଲାଗୁଛି, ସମାଲୋଚନା ଏବେ ଗମ୍ଭୀର ନୀତି ନିର୍ଦ୍ଧାରଣରୁ ହଟି ଆସି ଖାଇବା ଥାଳି, ପୋଷାକ ଆଉ ସୋସିଆଲ ମିଡିଆର ‘ରିଲ୍ସ’ ଭିତରେ ସୀମିତ ହୋଇଯାଇଛି। ଖାସକରି ନିକଟରେ ଶେଷ ହୋଇଥିବା ବ୍ରିକ୍ସ ସମ୍ମିଳନୀକୁ ନେଇ ବିରୋଧୀ ଦଳଙ୍କ ସମାଲୋଚନା ଦେଖିଲେ ଯେକୌଣସି ସାଧାରଣ ନାଗରିକଙ୍କ ମୁହଁରେ ହସ ଚାଲିଆସିବ।
ବ୍ରିକ୍ସ ଭଳି ଏକ ବଡ଼ ଆନ୍ତର୍ଜାତିକ ମଞ୍ଚରେ ଭୂ-ରାଜନୀତି, ଅର୍ଥନୀତି, ବାଣିଜ୍ୟ ଏବଂ ବିଶ୍ୱ ଶାନ୍ତି ଭଳି ଜଟିଳ ବିଷୟରେ ଆଲୋଚନା ହୁଏ। ସରକାରଙ୍କ ବୈଦେଶିକ ନୀତିରେ କ’ଣ ତ୍ରୁଟି ରହିଲା, ଭାରତ କେଉଁଠି ଅଧିକ ଭଲ ସୌଦା କରିପାରିଥାନ୍ତା – ଏହା ଉପରେ ଏକ ବଳିଷ୍ଠ ଆକ୍ରମଣ ଆଶା କରାଯାଉଥିଲା। ମାତ୍ର ବିରୋଧର ଚେହେରା ବାହାରିଲା ସମ୍ପୂର୍ଣ୍ଣ ଅଲଗା!
କଂଗ୍ରେସ ନେତା ରାହୁଲ ଗାନ୍ଧି ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ହାତ ତିଆରି ସ୍ୱାଦିଷ୍ଟ ‘ଛୋଲେ ଭତୁରେ’ର ଫଟୋ ସେୟାର କରି କହିଲେ ଯେ ଭାରତର ୮୦ ପ୍ରତିଶତ ଲୋକ ନନ୍-ଭେଜ୍ ଖାଆନ୍ତି। ଏତିକି ନୁହେଁ, କଂଗ୍ରେସର ଏକ ସମ୍ବେଦନଶୀଳ ଅଭିଯୋଗ ଥିଲା ଯେ ବିଦେଶୀ ଅତିଥିଙ୍କୁ କେବଳ ଶାକାହାରୀ (ଭେଜ୍) ଖାଦ୍ୟ ଖାଇବାକୁ ବାଧ୍ୟ କରାଯାଇଛି, ଯେଉଁଥିପାଇଁ ବିଶ୍ୱ ଦରବାରରେ ଭାରତର ଛବି ଧୂମିଳ ହୋଇଛି! ଅନ୍ୟପଟେ କିଛି ନେତା ଓ ସୋସିଆଲ ମିଡିଆ ବିଶ୍ଲେଷକ ଭାରତୀୟ ଡିପ୍ଲୋମାଟ୍ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକ ବେଳେ ବାଦାମ ଖାଉଥିବାର ଭିଡିଓ କ୍ଲିପ୍ ଶେୟାର କରି ସରକାରଙ୍କୁ ଘେରିବାକୁ ଚେଷ୍ଟା କଲେ।
ଏବେ ପ୍ରଶ୍ନ ଉଠୁଛି, ଖାଇବା ଥାଳିରେ ‘ଭେଜ୍’ ବନାମ ‘ନନ୍-ଭେଜ୍’ର ଏହି ଡ୍ରାମା ସତରେ କ’ଣ ଭାରତର ଆନ୍ତର୍ଜାତିକ ଛବି ଉପରେ କିଛି ପ୍ରଭାବ ପକାଏ?
ସତ କହିବାକୁ ଗଲେ, କୂଟନୀତି ଏବଂ ଦେଶର ଛବି ସମ୍ମିଳନୀର ମେନୁ କାର୍ଡ ଉପରେ ନୁହେଁ, ବରଂ ଦେଶର ଅର୍ଥନୀତି, ସୁରକ୍ଷା ନୀତି ଏବଂ ଭୂ-ରାଜନୈତିକ ସ୍ଥିରତା ଉପରେ ନିର୍ଭର କରେ। ବିଶ୍ୱର ବଡ଼ ବଡ଼ ନେତାମାନେ ବ୍ରିକ୍ସ ଭଳି ମଞ୍ଚକୁ ଖାଦ୍ୟର ସ୍ୱାଦ ନେବାକୁ ଆସନ୍ତି ନାହିଁ, ବରଂ ବାଣିଜ୍ୟ ଓ ଆନ୍ତର୍ଜାତିକ ଚୁକ୍ତି କରିବାକୁ ଆସନ୍ତି। ପ୍ରତ୍ୟେକ ଦେଶ ଆୟୋଜନ ସମୟରେ ନିଜ ସଂସ୍କୃତି ଓ ପାରମ୍ପରିକ ଆତିଥେୟତା ପ୍ରଦର୍ଶନ କରିଥାଏ, ଯାହା ବିଶ୍ୱ କୂଟନୀତିରେ ସାଧାରଣ କଥା। ତେଣୁ “ଅତିଥିଙ୍କୁ ଭେଜ୍ ଖାଇବାକୁ ବାଧ୍ୟ କରାଯାଇ ଛବି ନଷ୍ଟ ହେଲା” ବୋଲି କହିବା କେବଳ ଏକ ଲାଇଟ୍-ହାର୍ଟେଡ୍ ବା ହାଲୁକା ରାଜନୈତିକ ବକ୍ତବ୍ୟ ପରି ମନେହୁଏ, ଯାହାର ବାସ୍ତବ ପ୍ରଭାବ ଶୂନ୍ୟ।
ଭାବନ୍ତୁ ଥରେ! ଗୋଟିଏ ପଟେ ବିଶ୍ୱର ବଡ଼ ବଡ଼ ନେତାମାନେ ବସି ଭବିଷ୍ୟତର ଭୂ-ରାଜନୀତି ଆଙ୍କୁଛନ୍ତି, ଆଉ ଅନ୍ୟପଟେ ଆମ ଦେଶର ବିରୋଧୀ ଦଳ ହିସାବ କରୁଛନ୍ତି – କିଏ କେତେଟା ବାଦାମ ଚୋବାଇଲା, ଆଉ ସିଜର ସାଲାଡ୍ ବଦଳରେ ପନୀର ଟିକ୍କା କାହିଁକି ଦିଆଗଲା!
ଏହା କୌଣସି ପ୍ରଥମ ଘଟଣା ନୁହେଁ। ଭାରତୀୟ ରାଜନୀତିରେ ‘ବିରୋଧ ନାମରେ ବିରୋଧ’ କରିବାର ଏକ ରୋଚକ ଓ ପୁରୁଣା ଇତିହାସ ରହିଛି, ଯେଉଁଠି ମୂଳ ପ୍ରସଙ୍ଗ ଗାଏବ ହୋଇଯାଏ ଏବଂ ଅନାବଶ୍ୟକ କଥା ଶୀର୍ଷକ ସାଜେ।
ପୁରୁଣା ଘଟଣାର କିଛି ରୋଚକ ଝଲକ:
(୧) ସୁଟ୍-ବୁଟ୍ ଏବଂ କୁର୍ତ୍ତା ରାଜନୀତି: କିଛି ବର୍ଷ ତଳେ ଆମେ ଦେଖିଥିଲେ, ସରକାରଙ୍କ ଆର୍ଥିକ ନୀତି କିମ୍ବା ବଜେଟ୍କୁ ସମାଲୋଚନା କରିବା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ପିନ୍ଧିଥିବା କୋଟ୍ର ଦାମ୍ ଏବଂ ତାଙ୍କ କୁର୍ତ୍ତାର ଇସ୍ତ୍ରୀକୁ ନେଇ ସଂସଦରୁ ରାସ୍ତା ପର୍ଯ୍ୟନ୍ତ ହଙ୍ଗାମା ହୋଇଥିଲା।
(୨) ମାୟାବତୀଙ୍କ ହ୍ୟାଣ୍ଡବ୍ୟାଗ ପ୍ରସଙ୍ଗ: ଉତ୍ତରପ୍ରଦେଶ ରାଜନୀତିରେ ଥରେ ବିରୋଧୀ ଦଳ ମାୟାବତୀଙ୍କ ଉନ୍ନୟନମୂଳକ କାର୍ଯ୍ୟକୁ ଘେରିବା ବଦଳରେ, ତାଙ୍କ ସଭାରେ ସେ କିପରି ନିଜ ହ୍ୟାଣ୍ଡବ୍ୟାଗ ଧରିଥିଲେ ଏବଂ ତାହା କେଉଁ ବ୍ରାଣ୍ଡର ଥିଲା, ସେଥିରେ ଅଧିକ ସମୟ ନଷ୍ଟ କରିଥିଲେ।
(୩) ଖାଇବା ଥାଳିର ସେଲଫି: ଯେବେ ବି କୌଣସି ନେତା ଗରିବଙ୍କ ଘରେ ଖାଇବାକୁ ଯାଆନ୍ତି, ସେତେବେଳେ ମୁଖ୍ୟ ପ୍ରଶ୍ନ ହେବା କଥା ଯେ ସେହି ଗ୍ରାମୀଣ ଅଞ୍ଚଳରେ ଯୋଜନା ପହଞ୍ଚିଛି କି ନାହିଁ। ମାତ୍ର ବିରୋଧୀ ଦଳଙ୍କ ସମାଲୋଚନା ହୁଏ – “ଷ୍ଟିଲ୍ ଥାଳି କେଉଁଠୁ ଆସିଲା?”, “ମିନେରାଲ୍ ୱାଟର ବୋତଲ କାହିଁକି ରଖାଯାଇଛି?”
ଯଦି ଆମେ ଗଣତନ୍ତ୍ରର ସୌନ୍ଦର୍ଯ୍ୟକୁ ଦେଖିବା, ବିରୋଧୀ ଦଳର କାମ ହେଉଛି ସରକାରଙ୍କୁ ଆଇନା ଦେଖାଇବା। ବ୍ରିକ୍ସ ସମ୍ମିଳନୀରେ ସୀମା ସୁରକ୍ଷା, ଚୀନ୍ ସହ ସମ୍ପର୍କ, କିମ୍ବା ବାଣିଜ୍ୟିକ ଘାଟା ଭଳି ସମ୍ବେଦନଶୀଳ ବିଷୟରେ ସରକାରଙ୍କୁ ପ୍ରଶ୍ନ କରାଯାଇପାରିଥାନ୍ତା। ମାତ୍ର ଯେତେବେଳେ ପ୍ରଶ୍ନ “ଛୋଲେ ଭତୁରେ ବନାମ ନନ୍-ଭେଜ୍” କିମ୍ବା “ବୈଠକରେ ବାଦାମ” ଉପରେ ଅଟକିଯାଏ, ସେତେବେଳେ ଜନସାଧାରଣ ସମାଲୋଚନାକୁ ଗମ୍ଭୀରତାର ସହ ନେବା ଛାଡ଼ିଦିଅନ୍ତି।
ରାଜନୀତିରେ ରସଗୋଲା, ଛୋଲେ ଭତୁରେ, ଆଉ ବାଦାମର ପ୍ରବେଶ ହୁଏତ ସୋସିଆଲ ମିଡିଆରେ ଭଲ ମିମ୍ସ ତିଆରି କରିପାରେ, ଲୋକଙ୍କୁ ହସାଇ ପାରେ, ମାତ୍ର ଏହା ଦେଶର ଗମ୍ଭୀର ରାଜନୈତିକ ଚିନ୍ତନକୁ ହାଲୁକା କରିଦିଏ।
ଶେଷରେ ଏତିକି କୁହାଯାଇପାରେ – ବିରୋଧୀ ଦଳଙ୍କ ଏହି ଲାଇଟ୍ହାଟେଡ୍ ଆକ୍ରମଣ ସରକାରଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବା ପରିବର୍ତ୍ତେ, ଆମ ବିଶ୍ୱ କୂଟନୀତିର ଏକ ନୂଆ ସ୍ୱାଦ ଚଖାଇ ଦେଇଛି। ସରକାର ଯାହା ନୀତି କରନ୍ତୁ ନା କାହିଁକି, ବିରୋଧୀଙ୍କ ନଜର ଏବେ ନୀତି ଉପରେ ନୁହେଁ, ମେଜ୍ ଉପରେ ଥିବା ସ୍ନାକ୍ସ ବାସ୍କେଟ୍ ଉପରେ ରହିବ!






