ଭୁବନେଶ୍ୱର: ଶୁକ୍ରବାର ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପାଳନ ହେବ। ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିରକୁ ପ୍ରଭୁ ଫେରିବେ। ବାଟରେ ମାଉସୀ ମା’ଙ୍କ ପୋଡ଼ପିଠା ଭୋଗ ଏବଂ ମହାଲକ୍ଷ୍ମୀ ଠାକୁରାଣୀଙ୍କ ସହ ଭେଟ କରିବାର ଅପୂର୍ବ ନୀତି ରହିଛି। ପୂଣି ଏଥର ବାହୁଡ଼ା ପରଦିନ ସୁନାବେଶ ନୀତି ନିର୍ଦ୍ଧାରିତ ଥିବାରୁ ଭକ୍ତଙ୍କ ଗହଳି ପୁରୀରେ ଅଦ୍ଭୁତ ହେବାର ଆଶା ରହିଛି। ଏଭଳି ପରିସ୍ଥିତିରେପ୍ରଶାସନ ପାଇଁ ଆହ୍ୱାନ ହୋଇଛି ପ୍ରତିକୂଳ ପାଗ, ବଢ଼ୁଥିବା ଗହଳି ଏବଂ ନିର୍ଦ୍ଧାରିତ ନୀତିକାନ୍ତିର ସୁପରିଚାଳନା। ଏସବୁ କ୍ଷେତ୍ରରେ ପ୍ରଶାସନ ଓ ପୁଲିସକୁ ସଜାଗ ଓ ସଚେତନ ରହି କାର୍ଯ୍ୟ କରିବା ଲାଗି ଆଜି ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
ରଥଯାତ୍ରା ସମୟରେ ଭିଡ଼ ପରିଚାଳନା କ୍ଷେତ୍ରରେ ସୃଷ୍ଟି ହୋଇଥିବା ତ୍ରୁଟି ସାରା ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ପ୍ରଶାସନ ଏଠାରେ ଦଳାଚକଟା ହୋଇଥିବା ଆରୋପକୁ ଅସ୍ୱୀକାର କରିଥିଲେ ସୁଦ୍ଧା ଦୁଇଜଣଙ୍କ ମୃତ୍ୟୁ ରଥଯାତ୍ରା ଉତ୍ସବରେ କଳଙ୍କ ପାଲଟିଥିଲା। ଏହାଛଡ଼ା ମହାପ୍ରଭୁଙ୍କ ପହଣ୍ଡି ସମୟରେ ଟାହିଆ ନ ରହିବା, ରଥ ଚାଲିବାରେ ଅହେତୁକ ବିଳମ୍ବ ହେବା ଆଦି ସମାଲୋଚନା ରାଜ୍ୟ ସରକାରଙ୍କୁ ଭକ୍ତଙ୍କ କାଠଗଡ଼ାକୁ ଆଣିଥିଲା। ଏଭଳି ପରିସ୍ଥିତି ଯେପରି ଆଉଥରେ ନହେବ ସେଥିଲାଗି ଧ୍ୟାନ ଦେବାକୁ ମତ ପ୍ରକାଶ ପାଇଛି।
ବିଶେଷ କରି ଭିଡ଼ ପରିଚାଳନା ପାଇଁ ସିସିଟିଭି ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝି କହିଛନ୍ତି। ନିରନ୍ତର ସୂଚନା ସଞ୍ଚାର ଉପରେ ଅଧିକ ଗୁରୁତ୍ୱ ଦେଇ ଜନଗହଳିକୁ ବୈଜ୍ଞାନିକ ପଦ୍ଧତିରେ ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ସିସିଟିଭିରୁ ମିଳୁଥିବା ସୂଚନାକୁ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ବ୍ୟବସ୍ଥା ଜରିଆରେ ସମସ୍ୟା ଥିବା ସ୍ଥାନକୁ ତୁରନ୍ତ ପ୍ରଦାନ କରାଗଲେ, ସମସ୍ୟାର ସମାଧାନ ହୋଇପାରିବ।
ରଥଯାତ୍ରାରେ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ, ଦୁଇଜଣ ଶ୍ରଦ୍ଧାଳୁଙ୍କ ଜୀବନହାନି ଯୋଗୁ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ପ୍ରଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମୃତ ଶ୍ରଦ୍ଧାଳୁଙ୍କ ପରିବାରବର୍ଗଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି।
ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ ଅରବିନ୍ଦ ପାଢୀ ରଥଯାତ୍ରା ପରିଚାଳନା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପୋଲିସ ମହାନିର୍ଦ୍ଦେଶକ ୱାଇ.ବି ଖୁରାନିଆ, ଅଗ୍ନିଶମ ପୋଲିସ ମହାନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡଙ୍ଗୀ, ପୋଲିସ ମଡର୍ଣ୍ଣାଇଜେସନ୍ର ଅତିରିକ୍ତ ମହାନିର୍ଦ୍ଦେଶକ ଶ୍ରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପୋଲିସ ପ୍ରଶାସନର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ।
ବୈଠକରେ ଆଇନ ଓ ପୂର୍ତ୍ତ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ଶ୍ରୀ ଡି.କେ ସିଂ ପ୍ରମୁଖ ଉପସ୍ଥିତ ରହି ବାହୁଡା ଓ ସୁନାବେଶ ପରିଚାଳନା ସମ୍ପର୍କରେ ମତାମତ ରଖିଥିଲେ।





