ଏ ବର୍ଷ ମୌସୁମୀ ଋତୁରେ ସ୍ୱଭାବିକଠାରୁ ଅଧିକ ବର୍ଷା ହୋଇଛି। ଜୁନ ୧ ତାରିଖରୁ ଅଗଷ୍ଟ ୨୪ ତାରିଖ ଯାଏ ହିସାବ କଲେ ଏହି ପରିମାଣ ପ୍ରାୟ ୩୨ପ୍ରତିଶତରୁ ଅଧିକ ହେବ। ଠିକ୍ ସେହିପରି ଯଦି ଅଗଷ୍ଟ ୧ରୁ ୨୪ ମଧ୍ୟରେ ହୋଇଥିବା ବର୍ଷା ପରିମାଣକୁ ହିସାବ କରାଯାଏ ତେବେ ଏହା ୧୮.୬ ପ୍ରତିଶତ ଅଧିକ । ସରକାରୀ ହିସାବ ଅନୁସାରେ ଏବର୍ଷ ବନ୍ୟାରେ ପ୍ରାୟ ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯାଇଛି। କିନ୍ତୁ ଏହି ବିପର୍ଯ୍ୟୟ ସମୟରେ ଯାହା ଅଧିକ ଚର୍ଚ୍ଚା ହୋଇଛି ତାହା ହେଲା ଓଡ଼ିଶାର ରାଜନୀତି…।
ଓଡ଼ିଶା ବିଗୁଲ ବ୍ୟୁରୋ
ଏକ ଉପକୂଳିଆ ଜଳବାୟୁ ଏବଂ ନଦୀବହୁଳ ରାଜ୍ୟ ଭାବେ ଓଡ଼ିଶା ଉପକୂଳରେ ଲଘୁଚାପ ଏବଂ ଏହି ଲଘୁଚାପଜନିତ ବର୍ଷା ଏକ ନିୟମିତ କଥା। ଆଉ ଏହାରି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବା, ବଜ୍ରପାତ ଘଟିବା ମଧ୍ୟ ଏକ ପରିଚିତ ବିପଦ ଭାବେ ଗଣାଯାଏ। ଏଥିପାଇଁ ଆମ ବ୍ୟବସ୍ଥା ଅନେକ ଅଭ୍ୟାସ କରିଥାଏ ଏବଂ ଯଥାସମ୍ଭବ ପରିସ୍ଥିତିକୁ ଆୟତ୍ତ କରିବା, ଲୋକଙ୍କୁ ବିପଦ ମୁହଁରୁ ଉଦ୍ଧାର କରିବା ପାଇଁ ପ୍ରସ୍ତୁତ ଥାଏ। ଏହିକ୍ରମରେ ଏବର୍ଷ ରାଜ୍ୟରେ ବନ୍ୟା ଆସିବା କିଛି ନୂଆ କଥା ନୁହେଁ, କି ଏହା ନିକଟରେ ଆସାମ ଅଥବା ନେପାଳରେ ଦେଖାଦେଇଥିବା ବନ୍ୟା ବିତ୍ପାତ ସହ ତୁଳନୀୟ ନୁହେଁ। ତଥାପି ଅଗଷ୍ଟ ଆରମ୍ଭରୁ ଯେଉଁଭଳି ଭାବେ ଲଗାତାର ବର୍ଷା ହୋଇ ଚାଲିଛି ତାହା ପ୍ରଶାସନର ମୁଣ୍ଡ ବିନ୍ଧାର କାରଣ ହୋଇଛି। ଏହି ସମୟରେ ଲୋକଙ୍କୁ ପ୍ରଶାସନିକ ସହାୟତା ଯୋଗାଇବା ପାଇଁ ରାଜନୀତିକ ଦଳ ଓ କଳ ସମ୍ବେଦନଶୀଳ ହେବା ବଦଳରେ ଏକ ପ୍ରଚାରମୁଖୀତନ୍ତ୍ରରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି। ସବୁଠାରୁ ବଡ଼ ବିଡ଼ମ୍ବନା ହୋଇଛି ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ ଏବଂ ଏହାର ପ୍ରଚାର।
ଅବଶ୍ୟ ପୂର୍ବରୁ ୨୪ ବର୍ଷ ଧରି ରାଜ୍ୟରେ ଶାସନ କରିଥିବା ନବୀନ ପଟ୍ଟନାୟକ ବନ୍ୟା ସମୟରେ ପରିସ୍ଥିତି ବିଷୟରେ ଅବଗତ ହେବା ଲାଗି କେବେ ଡଙ୍ଗାରେ ବସି ଲୋକଙ୍କ ପାଖକୁ ଯିବାର ଦେଖିବାକୁ ମିଳି ନଥିଲା। ଆକାଶ ମାର୍ଗରୁ ରାଜ୍ୟ ହେଲିକପ୍ଟର ଜରିଆରେ ସେ ବିଭିନ୍ନ ସମୟରେ ବିପର୍ଯ୍ୟସ୍ତ ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି। କିନ୍ତୁ ସେତେବେଳେ କେନ୍ଦ୍ରୀଭୂତ ପ୍ରଶାସନିକ ବ୍ୟବସ୍ଥା ଦ୍ୱାରା ରାଜ୍ୟରେ ଅଣାଯାଇଥିବା ‘ଶୂନ୍ୟ ମୃତ୍ୟୁ’ ନୀତି ରାଜ୍ୟକୁ ଆନ୍ତର୍ଜାତିକ ସ୍ତରରେ ପ୍ରଶଂସା ଗୋଟାଇବାରେ ସହାୟତା କରିଥିଲା। ଏଥର ଯଦିଓ ସରକାର ଶୂନ୍ୟମୃତ୍ୟୁକୁ ପ୍ରାଧାନ୍ୟ ଦେଇଛନ୍ତି କିନ୍ତୁ କେନ୍ଦ୍ରୀଭୂତ ପ୍ରଶାସନିକ ବ୍ୟବସ୍ଥାକୁ ଭଙ୍ଗାଯାଇଛି। ଶାସନ ବ୍ୟବସ୍ଥାରେ ଏଭଳି ପରିବର୍ତ୍ତନ ସାଧାରଣ ଲୋକଙ୍କ ପାଖରେ ରିଲିଫ ପହଞ୍ଚିବାରେ ବିଳମ୍ବଠାରୁ ଆରମ୍ଭ କରି କ୍ଷୟକ୍ଷତି ଆକଳନରେ ଅନେକ ସମାଲୋଚନାକୁ ସାମ୍ନାକୁ ଆଣିଛି।
ସରକାରୀ ହିସାବ ଅନୁସାରେ ରାଜ୍ୟର ବାଲେଶ୍ୱର, ଭଦ୍ରକ, ମୟୁରଭଞ୍ଜ, ଯାଜପୁର, କେନ୍ଦ୍ରାପଡ଼ା ଓ କେନ୍ଦୁଝର ପ୍ରଭୃତି ଜିଲ୍ଲା ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ସାଢ଼େ ତିନିଲକ୍ଷ ହେକ୍ଟରରୁ ଅଧିକ ଚାଷଜମି, ୧୦ ଲକ୍ଷରୁ ଅଧିକ ସାଧାରଣ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ୪ ଲକ୍ଷ ଲୋକଙ୍କୁ ସମ୍ବେଦନଶୀଳ ଅଞ୍ଚଳରୁ ସୁରକ୍ଷିତ ଆଶ୍ରୟକୁ ଅଣାଯାଇ ‘ଶୂନ୍ୟ ମୃତ୍ୟୁ’କୁ ନିଶ୍ଚିତ କରାଯାଇଛି। ତଥାପି ବନ୍ୟା ଜଳ ଛାଡ଼ିଥିବା ଅଞ୍ଚଳରେ ସାପ କାମୁଡ଼ାରେ କିଛି ଲୋକଙ୍କ ମୃତ୍ୟୁ ଘଟିବା ରାଜ୍ୟରେ ଅପରିଣାମଦର୍ଶୀ ଶାସନକୁ ପ୍ରତିପାଦିତ କରୁଛି।
ମୁଖ୍ୟମନ୍ତ୍ରୀ ଏହି ୬ ଜିଲ୍ଲା ପାଇଁ ୧୦୦୦ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ଅନୁସାରେ ଅଣ ଜଳସେଚିତ ଚାଷଜମିର ଚାଷୀମାନଙ୍କ ପାଇଁ ହେକ୍ଟର ପିଛା ୮ ହଜାର ୫୦୦ ଏବଂ ଜଳ ସେଚିତ ଚାଷଜମିର ଚାଷୀମାନଙ୍କ ପାଇଁ ୧୭ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ। ଖାଲି ସେତିକି ନୁହେଁ, ବିହନ କିଣିବା ଲାଗି ସହାୟତା ପ୍ରଦାନ, ପରିବା ଚାଷୀଙ୍କ ଲାଗି ମିନିକିଟ, ୭୫% କୀଟ ନାଶକ ସବ୍ସିଡି ପ୍ରଦାନ ଲାଗି ବ୍ୟବସ୍ଥା କରାଯାଇଛି। ତଥାପି ଏବର୍ଷର ପରିଚାଳନାକୁ ନେଇ ଗଣମାଧ୍ୟମଠାରୁ ଆରମ୍ଭ କରି ସୋଶାଲ ମିଡିଆରେ ପୂର୍ବ ସରକାରର ପରିଚାଳନାକୁ ତୁଳନା କରାଯାଇଛି। ଆସନ୍ତୁ ଏବିଷୟରେ ସାମ୍ୟକ ନଜର ପକାଇବା:
୧) ନବୀନ ସରକାର ସମୟ ଏକ ଅମଲାତାନ୍ତ୍ରିକ ସରକାର ପରିଚାଳନାର ଶିଖର ଛୁଇଁଥିଲା। ଏପରିକି ୨୦୧୪ ପରବର୍ତ୍ତୀ ସମୟର ବିପର୍ଯ୍ୟୟ ପରିଚାଳନାରେ ଏହା ସ୍ପଷ୍ଟ ଅନୁଭବ କରାଯାଉଥିଲା। ମୁଖ୍ୟମନ୍ତ୍ରୀଙ୍କ ବଦଳରେ ତାଙ୍କ ବ୍ୟକ୍ତିଗତ ସଚିବ ହିଁ ସମସ୍ତ କାର୍ଯ୍ୟକୁ ପରିଚାଳନା କରୁଥିବା ଅଭିଯୋଗ ହେଉଥିଲା। କିନ୍ତୁ ସରକାରୀ ଭାଷାରେ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ମୁଖ୍ୟ ସଚିବଙ୍କଦ୍ୱାରା ଶାସନ କଳ ପରିଚାଳିତ ହେଉଥିଲା। ଯାହା ଏକ ସ୍ୱୟଂକ୍ରିୟ ବ୍ୟବସ୍ଥାରେ ବିପର୍ଯ୍ୟୟକୁ ପରିଚାଳନା କରୁଥିଲା। କିନ୍ତୁ ବର୍ତ୍ତମାନର ସରକାରରେ ଏହି ବ୍ୟବସ୍ଥାର ବିକେନ୍ଦ୍ରୀକରଣ ହୋଇଛି। ଅମଲାତନ୍ତ୍ର ଶାସନର ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇ ନ ରହି ଏହା ନେତା ଓ ଅମଲାଙ୍କ ମିଳିତ ପ୍ରୟାସରେ ପରିଚାଳିତ ହେଉଛି। ଏହି ସମୟରେ ବିଧାୟକ, ଜିଲ୍ଲାପାଳ, ମନ୍ତ୍ରୀମାନେ ପରିସ୍ଥିତିକୁ ଦେଖି ନିଷ୍ପତ୍ତି ନେଉଥିବାର ଏକ ବାର୍ତ୍ତା ପ୍ରଚାର କରାଯାଉଛି।
୨) ଠିକ୍ ସେମିତି ସାଧାରଣ ଲୋକଙ୍କ ସୂଚନା କେବଳ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରୁ ହିଁ ଜାରି କରାଯାଉଥିଲା। ବିଶେଷକରି କ୍ଷେତ୍ର ବିଶେଷ ଉପରେ ନଜର କମ୍ ରହୁଥିଲା। କିନ୍ତୁ ଏବେ ଘଟଣାସ୍ଥଳରୁ ମନ୍ତ୍ରୀ, ବିଧାୟକ ଏବଂ ସରକାରୀ ଅଧିକାରୀ ଗଣମାଧ୍ୟମ, ଡିଜିଟାଲ୍ ମିଡିଆ ବ୍ୟବହାର କରି ପରିସ୍ଥିତି ବିଷୟରେ ସୂଚନା ଦେଉଥିବାର ଦେଖିବାକୁ ମିଳିଛି।
୩) ସେ ସମୟରେ ଆଞ୍ଚଳିକ ଦଳର ସରକାର ଥିବାରୁ ରାଜନୀତିକ ସ୍ତରରେ ଏହା ସ୍ୱାୟତ୍ତ ଥିଲା। ଅଧିକ କ୍ଷମତା ରାଜ୍ୟ ପାଖରେ ରହୁଥିଲା। କିନ୍ତୁ ଏବେ କେନ୍ଦ୍ରୀୟ ଏଜେନ୍ସୀ ଗୁଡ଼ିକର ସମନ୍ୱୟ ଗୁରୁତ୍ୱ ଲାଭ କରିଛି।
ମୋଟାମୋଟି ଭାବେ କହିବାକୁ ଗଲେ ମୋହନ ଚରଣ ମାଝିଙ୍କ ଦ୍ୱାରା ପ୍ରତିନିଧିତ୍ୱ ହେଉଥିବା ଏହି ସରକାର ସମୟରେ କ୍ଷମତାର ବିକେନ୍ଦ୍ରୀକରଣ ହୋଇଛି। ଦାୟିତ୍ୱ ମଧ୍ୟ ବିକେନ୍ଦ୍ରୀକୃତ ହୋଇଛି। ମୌସୁମୀ ଆଗମନ ପୂର୍ବରୁ ନଦୀବନ୍ଧଗୁଡ଼ିକର ମରାମତି କରାଯିବା, ଦୁର୍ବଳ ସ୍ଥାନରେ ସତର୍କତା ଗ୍ରହଣ କରିବା ଭଳି ପରିସ୍ଥିତିକୁ ଗୁରୁତ୍ୱ ଦିଆଯାଇଥିଲା। ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଓଡ୍ରାଫ୍ ବାହିନୀ ଦ୍ୱାରା ବନ୍ୟା ପରିଚାଳନାର ତାଲିମ ଦିଆଯାଇଛି। ଏବଂ ବନ୍ୟ ପରବର୍ତ୍ତୀ ସମୟରେ ଲୋକଙ୍କୁ ଖାଦ୍ୟ ଯୋଗାଣ ଲାଗି ରିଲିଫ ବ୍ୟବସ୍ଥା କରାଯାଇଛି। ପୂର୍ବରୁ ୪୮-୭୨ ଘଣ୍ଟା ପରେ ରିଲିଫ ପହଞ୍ଚୁଥିଲା। ଏବେ କିନ୍ତୁ ବିଭିନ୍ନ ସ୍ଥାନରେ ବନ୍ୟା ପୂର୍ବରୁ ରିଲିଫ ମହଜୁଦ ରଖାଯାଇଛି।
କିନ୍ତୁ ଅନେକ ଲୋକଙ୍କ ପାଖରେ ସରକାରୀ ସହାୟତା ଠିକଣା ସମୟରେ ପହଞ୍ଚିପାରୁ ନାହିଁ। ଏହା ବେଶ୍ ରାଜନୀତିକ ପ୍ରଚାର ପ୍ରସାରରର ଇଭେଣ୍ଟ ଭାବେ ପରିଗଣିତ କରାଯାଇଛି। କ୍ଲବ ଘରେ ଖାଦ୍ୟ ମହଜୁଦ ଥିଲେ ମଧ୍ୟ ସଂଯୋଜନା ଅଭାବରୁ ତାହା ଆବଶ୍ୟକରେ ଥିବା ଲୋକଙ୍କୁ ସହାୟତା ଦେଇପାରୁ ନାହିଁ। ଏହା ଏକ ବଳିଷ୍ଠ ଶାସନ ଲାଗି ନିଶ୍ଚିତ ଭାବେ ସମଲୋଚନାର ବିଷୟ।
ଅପରପକ୍ଷେ ଏହି ସମ୍ବେଦନଶୀଳ ବିଷୟରେ ରାଜ୍ୟର ବିରୋଧୀ ଦଳ କିପରି ନିଜକୁ ପ୍ରସ୍ତୁତ କରିଛି ତାହା ବି ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ବିଷୟ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏ ବିଷୟକୁ ନେଇ ଯେଉଁ କ୍ଷୋଭ ପ୍ରକାଶ କରିଛନ୍ତି ତାହା ଟ୍ୱିଟରରେ ହିଁ ସୀମିତ ରହିଛି। ମୁଖ୍ୟମନ୍ତ୍ରୀ ଥିବା ଭେବଳେ ରାଜ୍ୟ ଖର୍ଚ୍ଚରୁ ବନ୍ୟାଞ୍ଚଳକୁ ଆକାଶମାର୍ଗରୁ ଦେଖୁଥିବା ଏହି ବରିଷ୍ଠ ନେତା ଏବେ ବନ୍ୟା ପ୍ରପୀଡ଼ିତଙ୍କ ଦୁଃଖରେ ସାମିଲ ହେବାକୁ ଉଚିତ ମଣି ନାହାନ୍ତି। ସେହିପରି ବିରୋଧୀ ଦଳର ଉଦୀୟମାନ ନେତ୍ରୀ ସୁଜାତା କାର୍ତ୍ତିକେୟଙ୍କୁ ମଧ୍ୟ ଏହି ଦୁର୍ଦ୍ଦିନରେ ଲୋକଙ୍କ ପାଖରେ ପହଞ୍ଚିବା ଦେଖିବାକୁ ମିଳି ନାହିଁ। ସେ କେବଳ େଗାଟିଏ ଖବରକାଗଜ ଆଲେଖ୍ୟରେ ନିଜର ବିଚାର ପ୍ରକଟ କରିଛନ୍ତି। ଯେଉଁ ଆଲେଖ୍ୟ ତାଙ୍କ ନାଁରେ ପ୍ରକାଶ ପାଇଛି ସେଥିରେ ସକରାତ୍ମକ ପରିଚାଳନାର ପରାମର୍ଶ ବଦଳରେ ରହିଛି ସରକାରଙ୍କୁ ସମାଲୋଚନା କରିବାର କିଛଇ ରାଜନୀତିକ ଉଦ୍ଦେଶ୍ୟ। ଅର୍ଥାତ୍ ବର୍ଷବର୍ଷଧରି ରାଜ୍ୟ ପ୍ରଶାସନରେ ଥିବା ଏହି ମହିଳା ପ୍ରଶାସକ ଯେ ରାଜ୍ୟରେ ବିପତ୍ତିକୁ ଯୁଝୁଥିବା ଲୋକଙ୍କ ପ୍ରତି କେତେ ସମ୍ବେଦନଶୀଳ ତାହା ଜଣାପଡ଼ୁଛି।
ବିଜେଡି ଯେ ଲୋକଙ୍କ ପାଖରେ ପହଞ୍ଚି ନାହିଁ ତାହା କହିବା ଭୁଲ ହେବ। ଯାଜପୁର ଜିଲ୍ଲାରେ ପୂର୍ବତନ ବିଧାୟକ ପ୍ରଣବ ଦାସ ଏବଂ ପୂର୍ବତନ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କୁ ଲୋକଙ୍କ ସହ ତାଙ୍କ ସୁଖ ଦୁଃଖରେ ଠିଆ ହେବାର ମୁହୂର୍ତ୍ତ ବିଭିନ୍ନ ମିଡିିଆରେ ପ୍ରକାଶ ପାଇଛି। ହେଲେ କଂଗ୍ରେସ ଏ କ୍ଷେତ୍ରରେ ଅନେକ ପଛରେ ପଡ଼ି ଯାଇଛି। ରାଜନୀତିକ ଚର୍ଚ୍ଚା ଅନୁସାରେ ବର୍ତ୍ତମାନର ପିସିସି ସଭାପତି ବନ୍ୟା ଅପେକ୍ଷା ରାହୁଲ ଗାନ୍ଧିଙ୍କୁ ଅଧିକ ଗୁରୁତ୍ୱ ଦେଇ ଯୁବ ସଂଯୋଜନାରେ ବ୍ୟସ୍ତ ରହିଛନ୍ତି। ପୁଣି ଉପକୂଳରେ ବନ୍ୟା ପରିସ୍ଥିତିକୁ ସେ ବୁଝିପାରୁନାହାନ୍ତି ବୋଲି ଚର୍ଚ୍ଚା ହେଉଛି!






