
ଓଡ଼ିଶାରେ ଭାରତୀୟ ଜନତା ପାର୍ଟି (ବିଜେପି) ସରକାରକୁ ଆସିବା ପରେ ଦଳ ଭିତରେ କ୍ଷମତା ଏବଂ ପ୍ରଭାବ ବିସ୍ତାରକୁ ନେଇ ଯେଉଁ ଅନ୍ତର୍ଦ୍ବନ୍ଦ୍ବ ଆରମ୍ଭ ହୋଇଥିଲା, ତାହା ଏବେ ଖୋଲାଖୋଲି ରାଜନୈତିକ ବିସ୍ଫୋରଣର ରୂପ ନେଇଛି। ବିଶେଷକରି ପଶ୍ଚିମ ଓଡ଼ିଶାର ଦୁଇ ପ୍ରଭାବଶାଳୀ ନେତା କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଏବଂ ରାଜ୍ୟସଭା ସାଂସଦ ଦିଲୀପ ରାୟଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି। ରାଉରକେଲା ଓ ସୁନ୍ଦରଗଡ଼ର ମାଟିରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ଭୁବନେଶ୍ୱରସ୍ଥିତ ଦଳୀୟ ମୁଖ୍ୟାଳୟରେ ପହଞ୍ଚିଛି।
ଏହି ସମଗ୍ର ଘଟଣାର ସୂତ୍ରପାତ ହୋଇଥିଲା ସୁନ୍ଦରଗଡ଼ ଏବଂ ରାଉରକେଲାର ରାଜନୈତିକ ସମୀକରଣକୁ କେନ୍ଦ୍ରକରି। ଜୁଏଲ ଓରାମଙ୍କ ଘନିଷ୍ଠ ସହଯୋଗୀ ତଥା ସ୍ଥାନୀୟ ନେତୃତ୍ୱଙ୍କୁ ନେଇ ସୃଷ୍ଟି ହୋଇଥିବା ବିବାଦ କ୍ରମଶଃ ବ୍ୟକ୍ତିଗତ ଆକ୍ରୋଶ ଆଡ଼କୁ ଗତି କରିଥିଲା। ରାଜନୈତିକ କରିଡ଼ରରେ ଚର୍ଚ୍ଚା ହେଉଛି ଯେ, ଦିଲୀପ ରାୟ ଯେତେବେଳେ ପୁଣିଥରେ ରାଜ୍ୟ ତଥା ଜାତୀୟ ରାଜନୀତିରେ ନିଜର ପୂର୍ବ ପ୍ରଭାବ ଫେରିପାଇବା ପାଇଁ ଜୋରଦାର ପ୍ରୟାସ ଚଳାଇଛନ୍ତି, ଠିକ୍ ସେହି ସମୟରେ ପଶ୍ଚିମ ଓଡ଼ିଶାର ଆଦିବାସୀ ଭୋଟ୍ ବ୍ୟାଙ୍କ ଏବଂ ସଂଗଠନ ଉପରେ ନିଜର ଏକଛତ୍ରବାଦ ଜାହିର କରିଆସିଥିବା ଜୁଏଲ ଓରାମ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି।
ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦିଲୀପ ରାୟଙ୍କ ସମର୍ଥକ ଏବଂ ତାଙ୍କୁ ସମର୍ଥନ କରୁଥିବା ଗୋଷ୍ଠୀ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା କିମ୍ବା ଦଳ ଭିତରେ ବଡ଼ ପଦବୀ ହାତେଇବା ପାଇଁ ଭିତରେ ଭିତରେ ଗୋଟି ଚାଳନା କରୁଛନ୍ତି। ଆଉ ଏହାରି ପଛରେ ଜୁଏଲ ଓରାମଙ୍କ ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିବାର ଏକ ସୁଚିନ୍ତିତ ଯୋଜନା ରହିଥିବା ଅଭିଯୋଗ ହୋଇଛି। ଜୁଏଲ ନିଜେ ଗଣମାଧ୍ୟମ ସାମ୍ନାରେ ଏହା ସ୍ପଷ୍ଟ କରିଛନ୍ତି ଯେ, କେତେକ ବ୍ୟକ୍ତି ପଇସାପତ୍ର ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଏବଂ ତାଙ୍କୁ କେନ୍ଦ୍ରୀମନ୍ତ୍ରୀ ପଦରୁ ହଟାଇ ସେହି ସ୍ଥାନରେ ନିଜେ ସ୍ଥାନ ପାଇବାକୁ କଳବଳ ଓ କୌଶଳ ପ୍ରୟୋଗ କରୁଛନ୍ତି।
ସ୍ଥାନୀୟ ରାଜନୀତିରେ ନିଜର ସାମ୍ରାଜ୍ୟ ଧୂଳିସାତ୍ ହେଉଥିବା ଦେଖି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଆଉ ସହ୍ୟ କରିପାରି ନଥିଲେ। ସେ ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସମ୍ମୁଖରେ ସର୍ବସାଧାରଣରେ ବିସ୍ଫୋରକ ବୟାନ ଦେଇଛନ୍ତି। ଭୀଷଣ ଭାବେ ରାଗି ଯାଇ ଜୁଏଲ କହିଥିଲେ ଯେ, ସେ ଏହି ଦଳକୁ ନିଜର ଝାଳ ଓ ରକ୍ତ ଦେଇ ତିଆରି କରିଛନ୍ତି। କିଛି ଲୋକ ତାଙ୍କର ପ୍ରତିଷ୍ଠା ନଷ୍ଟ କରିବାକୁ ଚାହୁଁଛନ୍ତି, ସେ ହେଉଛନ୍ତି ଜଣେ ଆଦିବାସୀ ନେତା, କାହାରିକୁ ଛାଡ଼ିବେ ନାହିଁ, ଏପରିକି ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ବ୍ୟକ୍ତି ବିଶେଷଙ୍କ ହାତ କାଟିଦେବେ ଓ ଜାଳି ପୋଡ଼ି ଧ୍ୱଂସ କରିଦେବେ ବୋଲି ମଧ୍ୟ ସେ ଧମକ ଦେଇଛନ୍ତି। ଆହୁରି ମଧ୍ୟ
ଏତିକିରେ ଚୁପ ନରହି ଜୁଏଲ ସିଧାସଳଖ ଭାବେ ଖୋଲା ଚାଲେଞ୍ଜ ଦେଇ କହିଥିଲେ ଯେ, ଯେଉଁମାନେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି, ସେମାନେ ସାମ୍ନାକୁ ଆସନ୍ତୁ ଏବଂ ନିର୍ବାଚନରେ ଲଢ଼ି ଜିତି ଦେଖାନ୍ତୁ। ତାଙ୍କର ଏହି କଡ଼ା ଚେତାବନୀ ଏବଂ ଆକ୍ରମଣାତ୍ମକ ଭଙ୍ଗୀ ସ୍ପଷ୍ଟ ଭାବେ ଦିଲୀପ ରାୟ ଏବଂ ତାଙ୍କ ଗୋଷ୍ଠୀଙ୍କ ଉଦ୍ଦେଶ୍ୟରେ ବୋଲି ବୁଝାପଡୁଛି।
କେବଳ ଗଣମାଧ୍ୟମରେ ବୟାନବାଜି କରି ଜୁଏଲ ଓରାମ ଚୁପ୍ ବସି ନଥିଲେ, ବରଂ ସେ ଏହି ସମଗ୍ର ବିଷୟକୁ ନେଇ ଦଳୀୟ ଫୋରମ୍ରେ ଆନୁଷ୍ଠାନିକ ଭାବେ ଅଭିଯୋଗ କରିଛନ୍ତି। ସେ ରାଜ୍ୟ ବିଜେପି ସାଙ୍ଗଠନିକ ସଂପାଦକ ମାନସ ମହାନ୍ତିଙ୍କୁ ଭେଟି ସମସ୍ତ ଘଟଣା ଓ ସମ୍ପୃକ୍ତ ବ୍ୟକ୍ତି ବିଶେଷଙ୍କ କାର୍ଯ୍ୟକଳାପ ବାବଦରେ ସମସ୍ତ ତଥ୍ୟ ପ୍ରଦାନ କରିଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଜଣେ ବରିଷ୍ଠ କେନ୍ଦ୍ରମନ୍ତ୍ରୀଙ୍କୁ ଅପଦସ୍ଥ କରିବା ପାଇଁ କିଭଳି ଭିତରେ ଭିତରେ ଷଡ଼ଯନ୍ତ୍ର ଚାଲିଛି, ସେ ସମ୍ପର୍କରେ ଲିଖିତ ଅଭିଯୋଗ କରାଯାଇଥିବା କଥା ଜଣା ପଡ଼ିଛି। ଆବଶ୍ୟକ ପଡ଼ିଲେ ଏହି ମାମଲାକୁ ଦଳର ଜାତୀୟ ନେତୃତ୍ୱ ତଥା ଦିଲ୍ଲୀର ହାଇକମାଣ୍ଡଙ୍କ ନିକଟରେ ମଧ୍ୟ ଦୃଢ଼ ଭାବରେ ଉପସ୍ଥାପନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
ଏହି ଘଟଣା ସାମ୍ନାକୁ ଆସିବା ପରେ ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ ମଧ୍ୟ ଚିନ୍ତାରେ ପଡ଼ିଛନ୍ତି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଜୁଏଲ ଓରାମ ଦଳୀୟ ଫୋରମ୍ରେ ଯେଉଁ ଅଭିଯୋଗ ଆଣିଛନ୍ତି, ଦଳ ତାହାକୁ ଯାଞ୍ଚ କରିବ। ଦଳ କ୍ଷମତାରେ ଥାଇ ମଧ୍ୟ ଦୁଇ ବରିଷ୍ଠ ନେତାଙ୍କ ଏପରି ଖୋଲାଖୋଲି କନ୍ଦଳ ଦଳୀୟ ପ୍ରତିଷ୍ଠାକୁ କ୍ଷୁର୍ଣ୍ଣ କରିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଅନ୍ୟ ପକ୍ଷରେ ଜୁଏଲଙ୍କ ସମର୍ଥକଙ୍କ କହିବା ଅନୁଯାୟୀ ରାଜସଭା ସାଂସଦ ଦିଲୀପ ରାୟ କାଳେ ନିର୍ଦ୍ଧିଷ୍ଟ କିଛି ଗଣମାଧ୍ୟମ ଓ ଡିଜିଟାଲ ମିଡ଼ିଆ ଦ୍ୱାରା କେନ୍ଦ୍ରମନ୍ତ୍ରୀଙ୍କ ଚରିତ୍ର ସଂହାର କରିବାକୁ ପଛାଇ ନାହାଁନ୍ତି।
ଏହି ବିବାଦ କେବଳ ଦୁଇ ବ୍ୟକ୍ତିବିଶେଷଙ୍କ ଭିତରେ ଆଉ ସୀମିତ ରହିନାହିଁ,ବରଂ ଏହା ଓଡ଼ିଶା ବିଜେପିର ଭବିଷ୍ୟତ ଓ ସଂଗଠନର ଆଭ୍ୟନ୍ତରୀଣ ସ୍ଥିତିକୁ ନେଇ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବିଜେପି ଯେତେବେଳେ ରାଜ୍ୟରେ ନିଜର ସରକାର ଚଳାଉଛି ଏବଂ ସଂଗଠନକୁ ଅଧିକ ମଜବୁତ କରିବାକୁ ଚେଷ୍ଟା କରୁଛି, ଠିକ୍ ସେହି ସମୟରେ ପଶ୍ଚିମ ଓଡ଼ିଶାର ଏହି ଶୀର୍ଷ ନେତାମାନଙ୍କ ମଧ୍ୟରେ କ୍ଷମତା ଅକ୍ତିଆର ପାଇଁ ଚାଲିଥିବା ଟଣାଓଟରା ଦଳକୁ ଭିତରୁ ଦୁର୍ବଳ କରିଦେବା ନେଇ ଆଶଙ୍କା ପ୍ରକାଶ ପାଇଛି। ଦିଲୀପ ରାୟଙ୍କ ପ୍ରଭାବ ଏବଂ ଜୁଏଲ ଓରାମଙ୍କ ପାରମ୍ପରିକ ଆଦିବାସୀ ଭୋଟ୍ ବ୍ୟାଙ୍କ—ଏହି ଦୁଇଟି ମାଧ୍ୟମରେ ବିଜେପି ପଶ୍ଚିମ ଓଡ଼ିଶାରେ ନିଜର ମୂଳଦୁଆ ମଜବୁତ କରିଥିଲା। କିନ୍ତୁ ଆଜି ସେହି ମୂଳଦୁଆରେ ଫାଟ ସୃଷ୍ଟି ହେବା ଦଳୀୟ କର୍ମୀଙ୍କୁ ମଧ୍ୟ ନିରାଶ କରିଛି।
ଆଗାମୀ ଦିନରେ ରାଜ୍ୟ ଓ କେନ୍ଦ୍ରୀୟ ନେତୃତ୍ୱ ଏହି ଆଭ୍ୟନ୍ତରୀଣ ବିବାଦକୁ କିପରି ସମାଧାନ କରୁଛନ୍ତି ଏବଂ ଦୁଇ କ୍ଷମତାଶାଳୀ ନେତାଙ୍କୁ ବୁଝାଇବାରେ କେତେ ଦୂର ସଫଳ ହେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଯଦି ଏହି ବିବାଦକୁ ସମୟ ଥାଉ ଥାଉ ଦଳ ନବୁଝିଲା, ତେବେ ଓଡ଼ିଶା ବିଜେପିକୁ ଏହାର ଏକ ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ।ଏପରିକି ପଶ୍ଚିମ ଓଡ଼ିଶାରୁ ଆରମ୍ଭ ହୋଇଥିବା ଏହି ଦଳୀୟ କନ୍ଦଳ ଆଗାମୀ ସମୟରେ ଅନ୍ୟ ଅଞ୍ଚଳର ନେତା ମାନଙ୍କ ମଧ୍ୟରେ ଥିବା ବିବାଦକୁ ମଧ୍ୟ ଆସୁଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆହୁରି ଅଧିକ ବଢ଼ାଇ ଦେବାର ସମ୍ଭାବନାକୁ ଏଡ଼ାଇ ଦେଇ ହେବ ନାହିଁ।






