ଜୀତ ପଟ୍ଟନାୟକ
ଆଜି ସଞ୍ଜ ବେଳାଟା ଭାରି ଉଦାସିଆ, ପାତ୍ର ବାବୁ ଚା ଦୋକାନରେ ଏଇ ବେଳାରେ ସବୁଦିନ ପରି ଚଙ୍ଗୁ, ମଙ୍ଗୁ ଆଉ ଫେକୁଲାଲ୍ ଚା’ ଆସର ଜମାଇଥିଲେ । ହେଲେ ଆଜି ଆସର ଜମାଣିଆ ନଥିଲା ଟିକେ ଫିକା ଥିଲା । ଫେକୁଲାଲ୍ ନିଜ ମୋବାଇଲ୍କୁ ଏମିତି ଚାହିଁ ରହିଥିଲେ ଯେମିତି କିଛି ବଡ଼ ବିପଦ ମାଡ଼ି ଆସିଛି।
ହଠାତ୍ ଫେକୁଲାଲ୍ ମାନେ ଆମ ଫକୁ ଭାଇକୁ ଆମେ ଶରଧାରେ ଫେକୁ ଲାଲ ଡାକୁ , ତାକୁ ବି ଏ ଡାକଟା ଭଲ ଲାଗେ । ହଲେ ହଠାତ୍ ମୋବାଇଲ୍ ଦେଖି ସେ ଚମକି ପଡି ଚିଲେଇଲେ, ”ଆରେ, ତମେ ଦୁଇଜଣ ଶୁଣିଲଣି କି ନାଇଁ?” ହାତରେ ଫୋନ୍ ହଲାଇ ଛାନିଆ ହୋଇ କହିଲେ। “ଖବର ଆସୁଛି ଯେ ସରକାର ଏବେ ପ୍ରତି ୟୁପିଆଇ କାରବାର ଉପରେ ଚାର୍ଜ ବସେଇବାକୁ ଯାଉଛନ୍ତି! ମାଗଣାରେ ଚା-ସିଙ୍ଗଡ଼ା ଖାଇ ପଇସା ପଠେଇବା ଦିନ ସରିଲା!”
କୋରୋନା କି କରୋନା କେହି କେହି କରୁଣା ବି କୁହନ୍ତି କାରଣ ଏହାର କରୁଣାରେ ଭ୍ୟାକସିନ୍ ବାଲା ସହ ଅନେକ ଅନ୍ଲାଇନ୍ ଭିଡିଓ କରୁଥିବା ଲୋକ ଏବେ ଲକ୍ଷପତି କୋଟି ପତି ହୋଇଗଲେଣି। ଆଉ ଏହି କରୋନା ଏବଂ ନୋଟବନ୍ଦୀ କୃପାରେ ବଜାରରୁ ଖୁଚୁରା, ରେଜା ଓ ଚିଲର ଉଭାନ୍ ହୋଇଛି। ଲୋକଙ୍କ ପକେଟରେ କି ପର୍ସରେ ବି ବେଶି ଟଙ୍କା ପଇସା ରହୁନି । ମୋବାଇଲ୍ ରହିଲେ ଚଳି ଯାଉଛି । ଗାଁ ଗଣ୍ଡାରେ ଯେଉଁଠି ନେଟୱର୍କ ଅଛି ସେଠି ୟୁପିଆଇ ଚାଲୁଛି । କେତେକଙ୍କ ପାଇଁ ଏହା ବରଦାନ ପାଲଟିଯାଇଥିଲା । ଆଗରୁ ସରକାର ଜାଣି ପାରୁ ନଥିଲେ କିଏ କେତେ ରୋଜଗାର କରୁଛି। ସେଥିପାଇଁ ସେଲ୍ସ ଟ୍ୟାକ୍ସ ଓ ଇନକମ୍ ଟ୍ୟାକ୍ସ କମ୍ ମିଳୁଥିଲା । ଏବେ ୟୁପିଆଇ ଯୋଗୁଁ ସବୁ ଜଣା ପଡୁଛି । ହେଲେ ହଠାତ୍ ଏହି ଟ୍ୟାକ୍ସ କଥାଟା କାହିଁକି ସରକାରଙ୍କ ମୁଣ୍ଡକୁ ଜୁଟିଲା? କେଉଁ ବଡ଼ ଟିଭି କମ୍ପାନୀ ବେପାରୀ ମାଲିକଙ୍କ ୨୨ହଜାର କୋଟି ଋଣ ମାଫ୍ କରିଥିବା ସରକାର ଏବେ ୟୁପିଆଇକୁ କାହିଁକି ଟଙ୍କା ନେବେ? ନେବାର ଅଛି ତ ଇନକମ୍ ଟ୍ୟାକ୍ସ ନିଅ , ସେଲ୍ଟ ଟ୍ୟାକ୍ସ ନିଅ! ଏବେ ଗଣ୍ଡା ଗଣ୍ଡା ୟୁପିଆଇ ପେମେଣ୍ଟ ପ୍ଲାଟଫର୍ମ । ସେମାନେ ବି ରିଚାର୍ଜ ବେଳେ ଅଧିକା ଟଙ୍କା ଚାର୍ଜ କଲେଣି। ଏବେ ନିର୍ଦ୍ଦିଷ୍ଟ ଟଙ୍କାରୁ ଅଧିକ ପେମେଣ୍ଟ ଦୋକାନୀକୁ କଲେ ଦୋକାନୀ ଭାଗକୁ ୦.୪ ମାନେ ଦୁଇ ହଜାର ଟଙ୍କାରୁ ଅଧିକ ପେମେଣ୍ଟ କଲେ ଟଙ୍କା ଦୋକାନୀ ଦେବେ , ଗ୍ରାହକ ନୁହଁ । ହେଲେ ଚାପ ଗ୍ରାହକ ଉପରେ ପଡିବ। ଦୋକାନୀ କୋଉ ବାଟରେ ଗ୍ରାହକଠାରୁ ଏହାକୁ ନିଶ୍ଚୟ ଆଦାୟ କରିବେ ।
ମଙ୍ଗୁ ବିସ୍କୁଟ ଚୋବାଉ ଚୋବାଉ ଅଟକିଗଲେ। କହିଲେ “ଆରେ କ’ଣ ବାଜେ କଥା କହୁଛରେ ଫେକୁଲାଲ୍? ୟୁପିଆଇ ତ ସବୁବେଳେ ମାଗଣା, ଡିଜିଟାଲ୍ ଇଣ୍ଡିଆର ମୂଳ ଉଦ୍ଦେଶ୍ୟ ତ ସେଇଆ! ଏଇ ଚା’ ବାଲା ପାଖରେ ବି ଆଉ ଖୁଚୁରା ପଇସା ରହୁନି; ମୁଁ ନୋଟ୍ କାଢ଼ିଲେ ସେ ଏମିତି ଚାହୁଁଛି ଯେମିତି ଭୂତ ଦେଖିଦେଲା।”
ଚଙ୍ଗୁ ଚଷମାଟା ସଜାଡ଼ି ପଣ୍ଡିତଙ୍କ ପରି କହିଲା, “ଦେଖ ମଙ୍ଗୁ, ନିଆଁ ନ ଲାଗିଲେ ଧୂଆଁ ବାହାରେନି। ମୁଁ ବି କୋଉଠି ପଢ଼ିଥିଲି ଯେ ଏତେ ଲକ୍ଷ ଲକ୍ଷ ଛୋଟ ଛୋଟ ଟ୍ରାଞ୍ଜାକ୍ସନ୍ ସମ୍ଭାଳିବାକୁ ବ୍ୟାଙ୍କଗୁଡ଼ାଙ୍କର ବହୁତ ଖର୍ଚ୍ଚ ହେଉଛି। ତେଣୁ ସେମାନେ ୱାଲେଟ୍ କିମ୍ବା ମର୍ଚାଣ୍ଟ ଉପରେ ଟିକେ ସୁବିଧା ଶୁଳ୍କ ଲଗେଇବା ଆଶ୍ଚର୍ଯ୍ୟ କଥା ନୁହେଁ। ଏ ଦୁନିଆରେ କିଛି ବି ଜିନିଷ ସବୁଦିନ ପାଇଁ ମାଗଣା ମିଳେନି।”
ନିଜ କଥାରେ ବଳ ପାଇ ଫେକୁଲାଲ୍ ଜୋର୍ରେ ମୁଣ୍ଡ ଟୁଙ୍ଗାରିଲା। “ଠିକ୍ କଥା! ମୋ ମାମୁଁଙ୍କ ଶଳା ବ୍ୟାଙ୍କରେ କାମ କରୁଛନ୍ତି, ସେ କହୁଥିଲେ ଖୁବ୍ ଶୀଘ୍ର ଏକ୍ସଟ୍ରା ଦେବାକୁ ପଡ଼ିବ। ପୁଣି ସେଇ ଖୁଚୁରା ପଇସା ଖୋଜିବା ଆଉ ଫଟା ମନିପର୍ସ ଧରି ବୁଲିବା ଦିନ ଫେରିଆସିବ!”
ମଙ୍ଗୁ ହାତ ବାନ୍ଧି ସନ୍ଦେହରେ କହିଲା, “ଆରେ ତମେ ଦୁଇଜଣ ଟିକେ ଶାନ୍ତ ହୁଅ ତ! ପ୍ରତି ଛଅ ମାସରେ ୟୁପିଆଇ ଉପରେ ଚାର୍ଜ ଲାଗିବ ବୋଲି ଏମିତି ଗୁଜବ ଉଠେ ଲୋକଙ୍କୁ ଡରେଇବା ପାଇଁ। କଳାଧନ ରୋକିବାକୁ ଆରବିଆଇ ନିଜେ ଡିଜିଟାଲ୍ ପେମେଣ୍ଟକୁ ବଢ଼ାଉଛି। ସାଧାରଣ ଲୋକଙ୍କ ଉପରେ ଟ୍ୟାକ୍ସ ଲଗାଇ ସେମାନେ ନିଜ ଗୋଡ଼ରେ ନିଜେ କୁରାଢ଼ି କାହିଁକି ମାରିବେ?”
“ଡାଇରେକ୍ଟ ବ୍ୟାଙ୍କ-ଟୁ-ବ୍ୟାଙ୍କ ଟ୍ରାନ୍ସଫର୍ ଉପରେ ବୋଧେ ଚାର୍ଜ ଲାଗିବନି,” ଚଙ୍ଗୁ ଟିକେ ଚିନ୍ତା କରି କହିଲା। “ହୋଇପାରେ ଖାଲି ପ୍ରିପେଡ୍ ୱାଲେଟ୍ କିମ୍ବା ବଡ଼ ଧରଣର ଦୋକାନୀ କାରବାର ଉପରେ ହିଁ ଲାଗିପାରେ। ସରକାର ସବୁବେଳେ ସାଧାରଣ ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚକୁ ସୁରକ୍ଷା ଦିଅନ୍ତି।”
ଫେକୁଲାଲ୍ ଲମ୍ବା ନିଃଶ୍ୱାସ ମାରି ମୋବାଇଲ୍କୁ ଚାହିଁଲା। “ତୋ କଥା ଯେମିତି ସତ ହେଉ ଚଙ୍ଗୁ। ତଥାପି ମୁଁ ରିସ୍କ ନେବାକୁ ଚାହୁଁନି, ଆଜି ହିଁ ୱାଲେଟ୍ ଖାଲି କରି ବ୍ୟାଙ୍କରୁ କିଛି କ୍ୟାଶ୍ ଉଠାଇ ନେବି। ଆଗୁଆ ସାବଧାନ ରହିବା ଭଲ!”






