ପୁଣିଥରେ ଆମେରିକା ଭାରତକୁ ପରୋକ୍ଷ ଟାରିଫ୍ ଧମକ ଦେଇଛି। ଋଷଠୁ ଅଶୋଧିତ ତୈଳ କିଣାକୁ ନେଇ ନାରାଜ ପୋଷଣ କରିବା ସହ ୧୦୦ ପ୍ରତିଶତ ଟାରିଫ ଲଗାଇବା ଧମକ ଦେଇଛି। ଖାଲି ସେତିକି ନୁହେଁ, ଏହାକୁ ନେଇ ଏକ ଆଇନ ଆମେରିକୀୟ କଂଗ୍ରେସରେ ପାରିତ ହୋଇଛି। ଦୁଇଟିଯାକ ଗୃହରେ ଏହି ବିଧେୟକ ପାରିତ ହେବା ପରେ ଏକେ ରାଷ୍ଟ୍ରପତିଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି। ରାଷ୍ଟ୍ରପତି ଟ୍ରମ୍ପ ଏହାକୁ ଅନୁମୋଦନ କରିଲେ ଏହା ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କର ଭଲ ବନ୍ଧୁ ଟ୍ରମ୍ପଙ୍କ ଭାରତ ପାଇ ଉପହାର ହେବ। ଆଉ ଏହି ଉପହାର ବଦଳରେ ଭାରତକୁ ଅନେକ ସମସ୍ୟା ବି ସମ୍ମୁଖୀନ କରିବାକୁ ପଡ଼ିବ।
କେବଳ ଭାରତ ନୁହେଁ, ଆମେରିକା ସଂସଦରେ ପାରିତ ହୋଇଥିବା ‘ଲିଣ୍ଡସେ ଓ. ଗ୍ରାହାମ ସାଙ୍କସନିଂ ରୁଷିଆ ଆଣ୍ଡ ଇରାନ ଆକ୍ଟ-୨୦୨୬’ ରୁଷର ତେଲ ବ୍ୟବସାୟ ଓ ରୋଜଗାରକୁ ବନ୍ଦ କରିବା ଲକ୍ଷ୍ୟ ରଖିଛି। ଏହା ଅଧୀନରେ, ରୁଷଠାରୁ ସବୁଠାରୁ ଅଧିକ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କିଣୁଥିବା ଶୀର୍ଷ ୫ଟି ଦେଶରୁ ଆମେରିକାକୁ ଆସୁଥିବା ସାମଗ୍ରୀ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ (ଟ୍ୟାରିଫ୍) ଲଗାଇବାକୁ ଆମେରିକା ରାଷ୍ଟ୍ରପତିଙ୍କୁ କ୍ଷମତା ଦିଆଯାଇଛି। ଏହି ୫ଟି ଦେଶ ମଧ୍ୟରେ ଭାରତ ସହିତ ଚୀନ୍, ସ୍ଲୋଭାକିଆ, ହଙ୍ଗେରୀ ଓ ଆଜରବାଇଜାନ୍ ସାମିଲ ଅଛନ୍ତି।
ଏହି ନୂତନ ବିଧେୟକ ପାରିତ ହେବା ନେଇ ଭାରତର ବୈଦେଶିକ ବ୍ୟାପାର ବିଭାଗ ନିଜର ପ୍ରତିକ୍ରିୟା ପ୍ରକାଶ କରିଛି। ଦେଶର ସୁରକ୍ଷା ସର୍ବପ୍ରଥମ େବାଲି ଏଥିରେ କୁହାଯାଇଛି। ଭାରତର ତେଲ କିଣିବା ନୀତି ସମ୍ପୂର୍ଣ୍ଣ ଭାବେ ନିଜ ଜାତୀୟ ସ୍ୱାର୍ଥ ଓ ନିଜ ଦେଶର ଆବଶ୍ୟକତା ଉପରେ ଆଧାରିତ ବୋଲି କହିଛି ଏମ୍ଇଏ।
“୧୪୦ କୋଟି ନାଗରିକଙ୍କ ଶକ୍ତି ସୁରକ୍ଷା ଓ ପ୍ରାଥମିକତାକୁ ଆଖିଆଗରେ ରଖି ଭାରତ ତେଲ ଆମଦାନୀ କରୁଛି” ବୋଲି ଏହି ପ୍ରତିକ୍ରିୟାରେ କୁହାଯାଇଛି। ମନ୍ତ୍ରଣାଳୟ ଦର୍ଶାଇଛି ଯେ, ଭାରତ ରୁଷଠାରୁ ଶସ୍ତାରେ ତେଲ କିଣୁଥିବାରୁ ହିଁ ବିଶ୍ୱ ବଜାରରେ ତେଲ ଦର ନିୟନ୍ତ୍ରଣରେ ରହିଛି, ନହେଲେ ତେଲ ଦର ବହୁତ ବଢ଼ିଯାଇଥାନ୍ତା। ନିଜର ଆର୍ଥିକ ଓ ବ୍ୟାପାରିକ ସ୍ୱାର୍ଥକୁ ସୁରକ୍ଷିତ ରଖିବା ପାଇଁ ଭାରତ ସବୁ ପଦକ୍ଷେପ ନେବ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଆମେରିକା ସହ ଆଲୋଚନା ଜାରି ରଖିବ ବୋଲି ସ୍ପଷ୍ଟ କରିଛି।

ଯଦି ଆମେରିକାର ରାଷ୍ଟ୍ରପତି ଭାରତ ସହ ସମ୍ପର୍କକୁ ରକ୍ଷା ଅପେକ୍ଷା ଋଷ ଉପରେ କଟକଣାକୁ ଅଧିକ ଧ୍ୟାନ ଦେଇ ଏହି ଆଇନକୁ ଭାରତ ପାଇଁ ଲାଗୁ କରନ୍ତି ତେବେ ଏହାର ପ୍ରଭାବ ଭାରତ ଉପରେ ପଡ଼ିବ। ବିଶେଷ କରି ଭାରତର ଚାଲୁ ଖାତା ନିଅଣ୍ଟ ପଡ଼ିବା ସହ ଦେଶ ଭିତରେ ମହଙ୍ଗା ମାଡ଼ ଆହୁରି କଠୋର ହେବ।
ଅର୍ଥାତ୍ ଭାରତୀୟ ଅର୍ଥନୀତି ପାଇଁ ଏହି ଆମେରିକୀୟ କଟକଣା ଏକ ବଡ଼ ଚ୍ୟାଲେଞ୍ଜ ଆଣିଦେଇଛି। କାରଣ ଋଷ ଭାରତକୁ ଶସ୍ତାରେ ଅଶୋଧିତ ତୈଳ ଯୋଗାଉଛି। ଏଣୁ ଭାରତ ଋଷଠାରୁ ନିଜ ଆବଶ୍ୟକତାର ୩୦ ପ୍ରତିଶତ ଅଶୋଧିତ ତୈଳ ଆମଦାନୀ କରୁଛି। ଚଳିତ ଆର୍ଥିକ ବର୍ଷରେ ଭାରତ ଋଷଠାରୁ ପ୍ରାୟ ୪୦.୮ ବିଲିୟନ ଡଲାର ମୂଲ୍ୟର ଅଶୋଧିତ ତୈଳ କ୍ରୟ କରିଛି। ଏହାଦ୍ୱାରା ବିଦେଶରେ ଚାଲିଥିବା ତୈଳ ବଜାରର ଉତ୍ଥାନ ପତନ ସତ୍ତ୍ୱେ ଭାରତ ଘରୋଇ ବଜାରରେ ତୈଳ ଦରକୁ ପ୍ରାୟତଃ ନିୟନ୍ତ୍ରଣରେ ରଖିପାରିଛି। ଯଦି ଏହା ନହୁଏ ତେବେ ଦେଶରେ ପରିବହନ ବ୍ୟବସ୍ଥା ପ୍ରଭାବିତ ହେବ। ଆଉ ଏହି ପରିବହନ ବ୍ୟବସ୍ଥା ସାଧାରଣ ଲୋକଙ୍କ ଖାଦ୍ୟଠାରୁ ଆରମ୍ଭ କରି ଦେଶର ମୁଦ୍ରାସ୍ଫୀତି ଉପରେ ବ୍ୟାପକ ପ୍ରଭାବ ପକାଇବ।
ଗୋଟିଏ ପଟେ ଦେଶ ଭିତରେ ଦରଦାମ ନିୟନ୍ତ୍ରଣ ଓ ଅନ୍ୟପଟେ ରପ୍ତାନି ବ୍ୟବସାୟକୁ ବଞ୍ଚାଇବା ପାଇଁ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଯଦି ଆମେରିକାର କଟକଣାରୁ ବଞ୍ଚିବା ପାଇଁ ଭାରତ ରୁଷଠାରୁ ତେଲ କିଣିବା ବନ୍ଦ କରେ, ତେବେ ମଧ୍ୟପ୍ରାଚ୍ୟ (ଆରବ ଦେଶ)ରୁ ଅଧିକ ଦରରେ ତେଲ କିଣିବାକୁ ପଡ଼ିବ। ଏହାଦ୍ୱାରା ଭାରତର ବାର୍ଷିକ ତେଲ ଖର୍ଚ୍ଚ ୬ ରୁ ୯ ବିଲିୟନ ଡଲାର ବଢ଼ିଯିବ। ଅର୍ଥଶାସ୍ତ୍ରୀଙ୍କ ଅନୁସାରେ, ତେଲ ଦର ବଢ଼ିଲେ ଭାରତର ଚାଲୁ ଖାତା ନିଅଣ୍ଟ ପରିମାଣ ବଢ଼ିବ ଏବଂ ଭାରତୀୟ ଟଙ୍କାର ମୂଲ୍ୟ ହ୍ରାସ ପାଇବ।
ଅନ୍ୟପଟେ, ଯଦି ଭାରତ ରୁଷଠାରୁ ତେଲ କିଣିବା ଜାରି ରଖେ ଏବଂ ଆମେରିକା ୧୦୦% ଶୁଳ୍କ ଲଗାଏ, ତେବେ ଆମେରିକାକୁ ଯାଉଥିବା ଭାରତୀୟ ସାମଗ୍ରୀ (ଯେପରିକି ଲୁଗାପଟା, ଔଷଧ, ହୀରା-ଗହଣା ଓ ଇଞ୍ଜିନିୟରିଂ ସାମଗ୍ରୀ) ବହୁତ ମହଙ୍ଗା ହୋଇଯିବ, ଯାହା ଭାରତର ରପ୍ତାନି ବ୍ୟବସାୟକୁ ଗୁରୁତର ଭାବେ ପ୍ରଭାବିତ କରିବ।
ସଂକ୍ଷେପରେ କହିଲେ ଏହି ନୂଆ ଆଇନ ଭାରତ ଓ ଆମେରିକା ମଧ୍ୟରେ ଥିବା ବାଣିଜ୍ୟିକ ସମ୍ପର୍କକୁ ପୁଣି ଥରେ ସଙ୍କଟ ଭିତରକୁ ଠେଲି ଦେଇଛି। ୨୦୨୬ ପ୍ରାରମ୍ଭରେ ଦୁଇ ଦେଶ ଆଲୋଚନା କରି ଶୁଳ୍କକୁ ୧୮ ପ୍ରତିଶତକୁ କମାଇଥିଲେ, ମାତ୍ର ଏହି ନୂଆ କଟକଣା ସେହି ବୁଝାମଣାକୁ ବିଗାଡ଼ିବା ଭଳି ପରିସ୍ଥିତି ସୃଷ୍ଟି କରିଛି।
ଯଦିଓ ଏହି ଆଇନରେ ଆମେରିକା ରାଷ୍ଟ୍ରପତିଙ୍କୁ ନିଜ ସହଯୋଗୀ ଦେଶମାନଙ୍କ ପାଇଁ କୋହଳ ନୀତି ଆପଣାଇବାର କ୍ଷମତା ଦିଆଯାଇଛି, ତଥାପି ଏହି ଅନିଶ୍ଚିତତା ଭାରତର କୂଟନୈତିକ ନୀତି ପାଇଁ ଏକ ବଡ଼ ପରୀକ୍ଷା ସାବ୍ୟସ୍ତ ହେବ। ଗୋଟିଏ ପଟେ ରୁଷ ସହ ପ୍ରତିରକ୍ଷା ଓ ତେଲ ସମ୍ପର୍କ ଏବଂ ଅନ୍ୟପଟେ ଆମେରିକା ସହ ବାଣିଜ୍ୟିକ ସମ୍ପର୍କକୁ ସନ୍ତୁଳିତ ରଖିବା ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ।






