ନବେ ଦଶକର ଭାରତରେ ପ୍ରଥମ ଘରୋଇ ଟିଭି ଚ୍ୟାନେଲ୍ ସ୍ଥାପନ କରି ଟେଲିଭିଜନ ଦୁନିଆରେ ନୂଆ ଇତିହାସ ସୃଷ୍ଟି କରିଥିଲେ ଶିଳ୍ପପତି ତଥା ପୂର୍ବତନ ସାଂସଦ ସୁଭାଷ ଚନ୍ଦ୍ର ଗୋଏଙ୍କା । ହେଲେ ଆଜି ତାଙ୍କର ବିଭିନ୍ନ କମ୍ପାନୀ ଓ ବ୍ୟବସାୟ ବ୍ୟାଙ୍କରୁ ନେଇଥିବା ଋଣ ନ ଶୁଝିପାରିବାକୁ ନେଇ ତାଙ୍କ ବ୍ୟକ୍ତିଗତ ପ୍ରତିଚ୍ଛବିରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଖାଲି ସେତିକି ନୁହେଁ, ସୁଭାଷ ଚଞ୍ଚକତା କରି ଦେବାଳିଆପଣ ଓ ଦେବାଳିଆ ସଂହିତା (ଆଇବିସି)ରୁ ନିଜର ଫାଇଦା ଉଠାଇବାକୁ ଚାହିଁଥିବା ଅଭିଯୋଗ ହୋଇଛି।
ସୁଭାଷ ଚନ୍ଦ୍ର ଗୋଏଙ୍କା ଭାରତୀୟ ଟେଲିଭିଜନ ଏବଂ ବ୍ୟବସାୟିକ ସାମ୍ରାଜ୍ୟରେ ସୁଭାଷ ଚନ୍ଦ୍ରା ଭାବେ ପରିଚିତ। ଏସେଲ୍ ଏବଂ ଜୀ ଗୃପର ସେ ଅଧ୍ୟକ୍ଷ। ଜୀ ଗୃପର ବ୍ୟବସାୟ ବିକାଶ ପାଇଁ ସେ ୨୨ ହଜାର କୋଟି ଟଙ୍କାର ଋଣ ପାଇଁ ବ୍ୟକ୍ତିଗତ ମୁଚାଲିକା ବା ଗ୍ୟାରେଣ୍ଟି ଦେଇଥିଲେ। ଶୁଦ୍ଧ ସରଳ ଭାଷାରେ ବୁଝିବାକୁ ହେଲେ ସେ ନିଜ କମ୍ପାନୀ ଗୁଡ଼ିକର ଋଣ ପାଇଁ ବ୍ୟକ୍ତିଗତ ଜାମିନ ପଡ଼ିଥିଲେ। ଅର୍ଥାତ୍ ଯଦି କୌଣସି ସମୟରେ କମ୍ପାନୀ କ୍ଷତିରେ ପଡ଼େ ତେବେ ନିଜର ସମ୍ପତ୍ତି ବିକି ସେ ବ୍ୟାଙ୍କଗୁଡ଼ିକରୁ ନିଆଯାଇଥିବା ଋଣ ଶୁଝିବେ। ହେଲେ ଏକ ଦଶନ୍ଧି ଭିତରେ ଏ ଗ୍ୟାରେଣ୍ଟି ପ୍ରଶ୍ନ ଅଳିନ୍ଦକୁ ଫେରିଛି। କାରଣ ଋଣ ନେବା ସମୟରେ ବ୍ୟାଙ୍କକୁ ସେ ଦର୍ଶାଇଥିବା ସମ୍ପତ୍ତି ମୂଲ୍ୟ ଏବଂ ଏବେକାର ସମ୍ପତ୍ତି ମୂଲ୍ୟ ଭିତରେ ଆକାଶ ପାତାଳ ଫରକ ସାମ୍ନାକୁ ଆସିଛି। ୨୦୧୭ ମସିହାରେ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ମୂଲ୍ୟ ୪୫ ହଜାର ୮୮୮ କୋଟି ଟଙ୍କା ବୋଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରିପୋର୍ଟରେ ଦର୍ଶାଯାଇଥିଲା। ହେଲେ ୨୦୧୬ ମସିହାରେ ଏହା ୩୯ କୋଟି ୮ ଲକ୍ଷ ଲକ୍ଷ ଏବଂ ଏବେ ଏହା ୩୧ କୋଟି ୭୯ ଲକ୍ଷକୁ ଖସିଥିବା ସେ ଦର୍ଶାଇଛନ୍ତି। ଏପରି ଫରକ ଋଣ ଟଙ୍କାକୁ ନ ଫେରାଇବାର ଏକ ଚକ୍ରାନ୍ତ ବୋଲି ବ୍ୟାଙ୍କଗୁଡ଼ିକ ଅଭିଯୋଗ କରିଛନ୍ତି।
ଇକୋନୋମିକ୍ସ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ, ଅଗଷ୍ଟ ୨୭ ତାରିଖ ଦିନ ସେ ଏହି ଚକ୍ରାନ୍ତରେ ସଫଳତା ହାସଲ କରିଥିବା କୁହାଯାଉଛି। କାରଣ ଏହିଦିନ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ(ଏନ୍ସିଏଲ୍ଟି)ର ଦିଲ୍ଲୀ ଖଣ୍ଡପୀଠ ସୁଭାଷ ଚନ୍ଦ୍ରାଙ୍କ ଦ୍ୱାରା ଦିଆଯାଇଥିବା ‘ହେୟାରକଟ ସେଟେଲମେଣ୍ଟ’ ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହି ପ୍ରସ୍ତାବ ଅନୁସାରେ ହଜାର ହଜାର କୋଟି ଟଙ୍କା ଋଣ ଦେଇଥିବା ଆର୍ଥିକ ସଂସ୍ଥାଗୁଡ଼ିକ ଆଗରେ ଗ୍ୟାରେଣ୍ଟର ପଡ଼ିଥିବା ସୁଭାଷ ଚନ୍ଦ୍ରା ବ୍ୟକ୍ତିଗତ ଭାବେ ମାତ୍ର ୬ କୋଟି ୨୫ ଲକ୍ଷ ଟଙ୍କା ଶୁଝିବେ। ୨୨ ହଜାର କୋଟି ଟଙ୍କାର ଋଣକୁ ଏତିକି ମାତ୍ର ଟଙ୍କାରେ ଶୁଝିବା ଲାଗି ସେ ଦେଇଥିବା ପ୍ରସ୍ତାବକୁ ମଞ୍ଜୁର କରିବା ଭାରତର ଟିକସ ଦାତାଙ୍କ ଅର୍ଥକୁ ଶିଳ୍ପପତିଙ୍କୁ ଟେକି ଦେବାର ଏକ ଛଳନା ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଯେମିତି ବିଭିନ୍ନ ଶିଳ୍ପପତିଙ୍କୁ ବେଲ ଆଉଟ ବଣ୍ଡ, ଗ୍ରାଣ୍ଟ, ଋଣ ଛାଡ଼ ପ୍ରଦାନ କରି ତାଙ୍କ ବୋଝକୁ ହାଲୁକା କରାଯାଉଥିଲା ଏବେ ନୂଆ ଆଇନରେ ମଧ୍ୟ ତାହା କରାଯାଉଥିବା ଅଭିଯୋଗ ହୋଇଛି। ହେଲେ ସୁଭାଷ କହିଛନ୍ତି ଏହି ଋଣ ପରିମାଣ ୨୨ ହଜାର କୋଟି ନୁହେଁ, ସେ ବ୍ୟକ୍ତିଗତ ଭାବେ ୨୫୭୪ କୋଟି ଟଙ୍କା ଋଣ ପାଇଁ ଜାମିନ ପଡ଼ିଥିଲେ ବା ଗ୍ୟାରେଣ୍ଟି ଦେଇଥିଲେ। ଆଉ ନିଜ ସମ୍ପତ୍ତି ଆଧାରରେ ଆଇନ ଅନୁସାରେ ସେ ୬କୋଟି ୨୫ ଲକ୍ଷ ଟଙ୍କା ପ୍ରଦାନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ ଋଣ ଗ୍ରହୀତା କମ୍ପାନୀମାନେ ବ୍ୟାଙ୍କଗୁଡ଼ିକୁ ଅଲଗା ଭାବରେ ୧୪୯୪ କୋଟି ଟଙ୍କା ପରିଶୋଧ କରିବା ଲାଗି ଅନୁମୋଦିତ ପ୍ରସ୍ତାବରେ ଉଲ୍ଲେଖ ରହିଛି। ଏହି ପ୍ରସ୍ତାବକୁ ୮୦.୮ ପ୍ରତିଶତ ଋଣଦାତା ଗ୍ରହଣ କରିଥିବାରୁ ଟ୍ରିବ୍ୟୁନାଲ୍ ଏହା ଉପରେ ମୋହର ଲଗାଇଛନ୍ତି। ବାଣିଜ୍ୟିକ ବୁଦ୍ଧିମତ୍ତାକୁ ଧ୍ୟାନରେ ରଖି ଏପରି ଏକ ନିଷ୍ପତ୍ତି ନିଆଯାଇଛି।
୨୨ ହଜାର କୋଟି ଆସିଲା କେଉଁଠୁ?
ଋଣଦାତାମାନେ ଏନ୍ସିଏଲ୍ଟିଙ୍କ ଆଗରେ ସେମାନଙ୍କ ପାଖରେ ଥିବା ଋଣର ହିସାବ ପ୍ରଦାନ କରିଛନ୍ତି। ଏହି ରିପୋର୍ଟ ଅନୁସାରେ ସୁଭାଷ ଚନ୍ଦ୍ରାଙ୍କ ଦ୍ୱାରା ନିର୍ମିତ ବିଭିନ୍ନ କମ୍ପାନୀଙ୍କୁ ତାଙ୍କ ବ୍ୟକ୍ତିଗତ ମୁଚାଲିକା ବା ଗ୍ୟାରେଣ୍ଟି ବା ଜାମିନ ଆଧାରରେ ୨୨ ହଜାର ୬ କୋଟି ୫୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଋଣଦାତା ବ୍ୟାଙ୍କଗୁଡ଼ିକ ନିଜ ସମ୍ପତ୍ତି ଉଦ୍ଧାର କରିବା ଲାଗି କୋର୍ଟଙ୍କ ଦ୍ୱାରା ନିଯୁକ୍ତ ସମାଧାନ ପ୍ରଫେସନାଲ ବା ଆରପିଙ୍କ ପାଖରେ ଏହି ତଥ୍ୟ ଦାଖଲ କରିଛନ୍ତି। ଆରପି ଏହାକୁ ଯାଞ୍ଚ କରିବା ପରେ ମଧ୍ୟ ସ୍ୱୀକାର କରାଯାଇଛି। ଆଉ ଯେତେବେଳେ ଏନସିଏଲ୍ଟି ବା କୋର୍ଟ ମାତ୍ର ୬ କୋଟି ୨୫ ଲକ୍ଷ ଟଙ୍କାରେ ସୁଭାଷଙ୍କ ଋଣ ବନ୍ଦୋବସ୍ତ ବା ସେଟେଲମେଣ୍ଟ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସେତେବେଳେ ଏହା ଏକ ‘ହେୟାର କଟ’ ସେଟେଲ୍ମେଣ୍ଟ ବୋଲି ଅଭିଯୋଗ ହୋଇଛି। ଟ୍ରିବ୍ୟୁନାଲ୍ଙ୍କ ଏହି ଅନୁମୋଦନକୁ ୯୯.୯୭% ଛାଡ଼ ବୋଲି ଗଣମାଧ୍ୟମରେ କୁହାଯାଇଛି।
ନିଜ ପାଇଁ ନିଜେ ଭୋଟ:
ଅନ୍ୟପକ୍ଷରେ ଆଇବିସି ବା ଦେବାଳିଆପଣ ଆଇନ ଅନୁସାରେ ଶ୍ରୀ ଚନ୍ଦ୍ରାଙ୍କ ଦ୍ୱାରା ଋଣଦାତାଙ୍କ ଆଗରେ ରଖାଯାଇଥିବା ପ୍ରସ୍ତାବ ଲାଗି ଯେଉଁ ଭୋଟ ଗ୍ରହଣ କରାଯାଇଥିଲା ତାହା ସମ୍ପୂର୍ଣ୍ଣ ଭାବେ ପାରିବାରିକ ବୋଲି ବିପକ୍ଷରେ ଭୋଟ ଦେଇଥିବା ବ୍ୟାଙ୍କ ମାନେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ରହିଛନ୍ତି ଏଲ୍ଆଇସି ହାଉସିଂ ଫାଇନାନ୍ସ, ଏଚଡିଏଫସି ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, କାନାରା ବ୍ୟାଙ୍କ, ଆରବିଏଲ୍ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ। ତାଙ୍କ ସମ୍ପତ୍ତି ମୂଲ୍ୟ ହ୍ରାସ ହେବା ପଛରେ ଅଭିସନ୍ଧି ରହିଥିବା ବ୍ୟାଙ୍କଗୁଡ଼ିକ ଅଭିଯୋଗ କରି ଏହାର ଫୋରେନ୍ସିକ ଯାଞ୍ଚ ଦାବି କରିଛନ୍ତି।
ଏଣୁ ତିନି ଜଣିଆ ଖଣ୍ଡପୀଠ ବଦଳରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲ୍ ଏକ ୫ ଜଣିଆ ଖଣ୍ଡପୀଠ କରି ତାଙ୍କ ମାମଲାକୁ ବିଚାର କରିବାକୁ ଆଦେଶ ଦେଇଛନ୍ତି। ଏହି ଖଣ୍ଡପୀଠ ସେପ୍ଟେମ୍ବର ୨୩ ତାରିଖରେ ଶୁଣାଣି ଧାର୍ଯ୍ୟ କରିଛନ୍ତି। ହେଲେ ଏହି ପୁନର୍ବାର ଶୁଣାଣି ବ୍ୟାଙ୍କ ତଥା ଋଣଦାତାଙ୍କୁ ସନ୍ତୁଷ୍ଟ କରିପାରି ନାହିଁ। ସେମାନେ ସୁପ୍ରିମ କୋର୍ଟ ଏବଂ ଜାତୀୟ କମ୍ପାନୀ ଆଇନ ଅପିଲେଟ ଟ୍ରିବ୍ୟୁନାଲ୍ (ଏନ୍ସିଏଲଏଟି)ଙ୍କ ପାଖରେ ସମାନ୍ତରାଳ ଅପିଲ ମଧ୍ୟ କରିଛନ୍ତି। ସୁଭାଷ ଚନ୍ଦ୍ରାଙ୍କ ସମ୍ପତ୍ତି ରିପୋର୍ଟର ଫୋରେନ୍ସିକ ଯାଞ୍ଚ ତଥା ମାଲିକଙ୍କ ଦ୍ୱାରା କରାଯାଉଥିବା ଭୋଟିଂ ବ୍ୟବସ୍ଥାର ଉଚ୍ଛେଦ ପାଇଁ ନିବେଦନ କରିଛନ୍ତି ବ୍ୟାଙ୍କ।
କାହିଁକି ଫୋରେନ୍ସିକ୍ ଯାଞ୍ଚ:
ଜୀ ତଥା ଏସେଲ୍ ଗ୍ରୁପ୍ ଏବଂ ସୁଭାଷଙ୍କ ମାଲିକାନାରେ ଥିବା ଅନ୍ୟ କମ୍ପାନୀଗୁଡ଼ିକର ଋଣ କାରବାର ଏବଂ ଅଧ୍ୟକ୍ଷ ଭାବେ ସୁଭାଷ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟି ମାମଲା ଆଜି ହଠାତ୍ ସୃଷ୍ଟି ହୋଇ ନାହିଁ। ଗଲା ଏକ ଦଶନ୍ଧିରୁ ଅଧିକ ପୁରୁଣା ହେଉଛି ଏହି ମାମଲା। ଏହି ସମୟ ଅବଧିରେ ଶ୍ରୀ ଚନ୍ଦ୍ରାଙ୍କ ପକ୍ଷରୁ ଦିଆଯାଇଥିବା ସମ୍ପତ୍ତିମୂଲ୍ୟ ବିବରଣୀ ତାଳମେଳ ନଖାଇବା ସନ୍ଦେହର ପ୍ରାଥମିକ କାରଣ ହୋଇଛି। ସେହି ସମୟରେ ସୁଭାଷ ନିଜ ସମ୍ପତ୍ତିର ସମୁଦାୟ ମୂଲ୍ୟ ୪୦ ହଜାର କୋଟିରୁ ଅଧିକ ବୋଲି ଉଲ୍ଲେଖ କରିଥିଲେ। କିନ୍ତୁ ୨୦୨୪ରେ ଯେତେବେଳେ ଋଣ ପରିଶୋଧ କରି ନପାରିବାକୁ ନେଇ ଦେବାଳିଆପଣ ଓ ଦେବାଳିଆ ଆଇନ ଅନୁସାରେ ଋଣ ବନ୍ଦୋବସ୍ତ କଥା ଉଠିଲା, ସେତେବେଳେ ସେ ନିଜର ସମୁଦାୟ ସମ୍ପତ୍ତି ମୂଲ୍ୟ ୩୧ କୋଟି ୭୯ ଲକ୍ଷ ବୋଲି ଉଲ୍ଲେଖ କରିଥିଲେ।
ଏକ ଦଶନ୍ଧିର ସମୟ ଭିତରେ ସମ୍ପତ୍ତି ମୂଲ୍ୟ ୯୯.୯ ପ୍ରତିଶତ ହ୍ରାସ ପାଇବା ବ୍ୟାଙ୍କଗୁଡ଼ିକୁ ସନ୍ଦେହରେ ପକାଇଛି। ଏପରିକି ଜାଣି ଶୁଣି ସମ୍ପତ୍ତି ତାଙ୍କ ପରିବାର ଟ୍ରଷ୍ଟ ଏବଂ ବିଦେଶରେ ଥିବା କିଛି ଆକାଉଣ୍ଟକୁ ସ୍ଥାନାନ୍ତର କରାଯାଇଥିବା ସନ୍ଦେହ କରାଯାଇଛି।
ଦେବାଳିଆପଣ ଓ ଦେବାଳିଆ ସଂହିତା (ଆଇବିସି)ର ଭାଗ ୩ ଧାରା ୧୧୪ ଅନୁସାରେ ଏପରି ଅଭିଯୋଗର ଅନୁଧ୍ୟାନ ପାଇଁ ଫୋରେନ୍ସିକ ଅଡିଟ୍ ଆଦେଶ ଦିଆଯାଇପାରିବ କିନ୍ତୁ ଏହା ବାଧ୍ୟତାମୂଳକ ନୁହେଁ। ଏଣୁ ତୃତୀୟ ଏନ୍ସିଏଲ୍ଟି ସଦସ୍ୟ ଜଷ୍ଟିସ ନୀଲେଶ ଶର୍ମା ବ୍ୟାଙ୍କଗୁଡ଼ିକର ଦାବିକୁ ନାକଚ କରିଥିଲେ।
ସମୁଦାୟ କେତେ ଋଣ:
୨୦୧୯ରେ ଯେତେବଳେ ଏସେଲ୍ ଗ୍ରୁପ୍ ସଙ୍କଟକୁ ଆସିଥିଲା ଏବଂ ସମ୍ପତ୍ତି ଓ ଋଣକୁ ନେଇ ତଥ୍ୟ ମେଳ ଖାଉ ନଥିବା ବିଷୟ ସାମ୍ନାକୁ ଆସିଥିଲା, ସେତେବେଳେ କମ୍ପାନୀ ନାଁରେ ବିଭିନ୍ନ ଉତ୍ସରୁ ୪୫ ହଜାର କୋଟି ଟଙ୍କା ଋଣ ରାଶି ରହିଥିଲା। ନିଜର ସମ୍ପତ୍ତି ବିକ୍ରି କରି ଶ୍ରୀ ଚନ୍ଦ୍ରା ପ୍ରାୟ ୪୩ ହଜାର କୋଟି ଟଙ୍କା ପଇଠ କରିଥିବା କହିଛନ୍ତି। ତଥାପି ଶ୍ରୀ ଚନ୍ଦ୍ରାଙ୍କ ବ୍ୟକ୍ତିଗତ ଗ୍ୟାରେଣ୍ଟିରେ ୨୨ ହଜାର ୬ କୋଟି ୫୭ ଲକ୍ଷ ଟଙ୍କାର ଋଣ ରହିଥିବା ଅଭିଯୋଗ ହୋଇଛି। ଯେତେବେଳେ ବିଭିନ୍ନ କମ୍ପାନୀ ନେଇଥିବା ଋଣକୁ ପରିଶୋଧ କରିବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ ସେତେବେଳେ ସେ ବ୍ୟକ୍ତିଗତ ମୁଚାଲିକା ବା ଗ୍ୟାରେଣ୍ଟି ଦେଇଥିଲେ। ଏହିକ୍ରମରେ ୨୫୭୪ କୋଟି ଟଙ୍କାର ବ୍ୟକ୍ତିଗତ ମୁଚାଲିକା ଋଣଦାତାଙ୍କୁ ପ୍ରଦାନ କରାଯାଇଥିଲା।
ଶ୍ରୀ ଚନ୍ଦ୍ରା ଦେଇଥିବା ବୟାନ ଅନୁସାରେ ସେ ଋଣଦାତାଙ୍କଠାରୁ କୌଣସି ଋଣ ନେଇ ନାହାନ୍ତି। ପୁଣି ଅସନ୍ତୁଷ୍ଟ ଋଣଦାତାଙ୍କ ଦ୍ୱାରା ଯେଉଁ ବିଷୟ ଉଠାଯାଉଛି, ତାହା ୨୨ ହଜାର କୋଟି ନୁହେଁ, ବରଂ ୩୯୯୩ କୋଟି। ଏଥିରୁ ୬୨୦ କୋଟି ଏ ଭିତରେ ପ୍ରଦାନ କରାଯାଇଛି। ୧୦୬୩ କୋଟି ଟଙ୍କା ଋଣ ନେଇଥିବା କମ୍ପାନୀଙ୍କ ଦ୍ୱାରା ପ୍ରଦାନ କରାଯିବାକୁ ପ୍ରସ୍ତାବ କରାଯାଇଛି। ଅପରପକ୍ଷେ ଯେଉଁ କମ୍ପାନୀମାନଙ୍କ ପାଇଁ ସେ ଗ୍ୟାରେଣ୍ଟର ପଡ଼ିଥିଲେ ସେଗୁଡ଼ିକ ଏ ଭିତରେ ୪୩ ହଜାର କୋଟି ଟଙ୍କା ଫେରାଇଛନ୍ତି। ଯଦି ଆଉ କିଛି ବଳକା ଋଣ ଟଙ୍କା ଥାଏ ତେବେ ତାହାକୁ ମଧ୍ୟ ସେହି କମ୍ପାନୀମାନେ ପ୍ରଦାନ କରିବେ ବୋଲି ସେ କହିଛନ୍ତି।
ହଜାରେ କୋଟିର ଋଣ- କିଛି ଟଙ୍କାରେ ମୁକ୍ତି:
ଏବେ ଏସେଲ୍ ଗ୍ରୁପ ଅଧ୍ୟକ୍ଷଙ୍କ ବ୍ୟକ୍ତିଗତ ମୁଚାଲିକାରେ ନିଆଯାଇଥିବା ଋଣର ୯୯.୯ ପ୍ରତିଶତ ଛାଡ଼ ବିଷୟକୁ ନେଇ ଚର୍ଚ୍ଚା ହେଉଛି। ହେଲେ ଏହା ପୂର୍ବରୁ ଭାରତରେ ଅନେକ କମ୍ପାନୀଙ୍କୁ ସରକାର ଏପରି ସହାୟତା ପ୍ରଦାନ କରିଛନ୍ତି। ଦେବାଳିଆପଣ ଓ ଦେବାଳିଆ ସଂହିତା ବଳରେ ବ୍ୟସାୟକୁ ଗୁରୁତ୍ୱ ଦିଆଯାଇଛି। ବ୍ୟବସାୟୀଙ୍କ ସକ୍ଷମତାକୁ ଦେଖି ପରିଶୋଧ ବ୍ୟବସ୍ଥା କରାଯାଇଛି। ଏହିକ୍ରମରେ ନିକଟ ଅତୀତରେ ବ୍ୟାପକ ଛାଡ଼ ପାଇଥିବା କିଛି କମ୍ପାନୀଙ୍କ ଭିତରେ ଆଗୁଆ ରହିଛି ଭିଡିଓ କନ୍ ଇଣ୍ଡଷ୍ଟ୍ରୀ। ଏହି କମ୍ପାନୀ ନେଇଥିବା ୬୪ ହଜାର୬୩୮ କୋଟି ଋଣ କୁ ମାତ୍ର ୨୯୬୨ କୋଟି ଟଙ୍କାରେ ସେଟେଲ କରାଯାଇଥିଲା। ଯାହାଦ୍ୱାରା ଋଣଦାତାଙ୍କ ୯୫% କ୍ଷତି ହୋଇଥିଲା। ସେହିପରି ଆଲୋକ ଇଣ୍ଡଷ୍ଟ୍ରୀକୁ ୮୩%, ଇଣ୍ଡ ଭାରତକୁ ୮୨ ପ୍ରତିଶତର ରିହାତି ମିଳିଥିଲା। ଏହି ତାଲିକାରେ ରିଲାଏନ୍ସ ବି ରହିଛି, ଭୂଷଣ ବି ରହିଛି। ଜେଏସ୍ଡବ୍ଲୁ ସମେତ ବଡ଼ ବଡ଼ କମ୍ପାନୀ ଫାଇଦା ପାଇଛନ୍ତି।
ଶେଷ କଥା
ବ୍ୟବସାୟୀଙ୍କ ଭିତରେ ମନୋବୃତ୍ତିକୁ ଦୃଢ଼ କରିବା, ସେମାନଙ୍କ ଦୁର୍ଦ୍ଦିନରେ ସହାୟକ ହୋଇ ଦେଶର ବ୍ୟସାୟିକ ବାତାବରଣକୁ ସୁରକ୍ଷିତ କରିବାର ଲକ୍ଷରେ ଭାରତରେ ଏହି ଦେବାଳିଆପଣ ଓ ଦେବାଳିଆ ବିଧି ଲାଗୁ କରାଯାଇଛି। ଇଂରେଜଙ୍କ ସଭୟରୁ ଲାଗୁ ହୋଇ ଚାଲି ଆସୁଥିବା ଏହି ଆଇନ ବିଭିନ୍ନ ସମୟରେ ପରିବର୍ତ୍ତନ ହୋଇଛି।
ପରିବର୍ତ୍ତିତ ଆଇନରେ ଦେବାଳିଆ ଋଣ ଗ୍ରହୀତା ଓ କ୍ଷତିଗ୍ରସ୍ତ ଋଣଦାତାଙ୍କ ଭିତରେ ସମାଧାନର ରାସ୍ତା କାଢ଼ିତବା ଲାଗି ସିଧାସଳଖ ଉଭୟପକ୍ଷ ଆଲୋଚନା ଓ ବନ୍ଦୋବସ୍ତର ବ୍ୟବସ୍ଥା ରହିଛି। ଏହା ସୁପ୍ରିମ କୋର୍ଟଙ୍କ ଦ୍ୱାରା ଅନୁମୋଦିତ ଏକ ବ୍ୟବସ୍ଥା। ଏଣୁ ଆସନ୍ତା ଦିନରେ କୋର୍ଟ କିପରି ଦେଶର ଏ ଦୁଇ ମେରୁଦଣ୍ଡକୁ ସୁରକ୍ଷା ଦେଉଛନ୍ତି ତାହାକୁ ଅପେକ୍ଷା।






