ଲାଲ୍ କିଲ୍ଲାରୁ ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ ଦେଉଥିବା ଅଭିଭାଷଣ ରାଷ୍ଟ୍ରପାଇଁ ଏକ ଐତିହ୍ୟ ହୋଇ ରହିଥାଏ। ସେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ସ୍ୱାଧୀନତା ପରବର୍ତ୍ତୀ ପ୍ରଥମ ଅଭିଭାଷଣ ହେଉ ବା ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିବା ୮୦ତମ ଅଭିଭାଷଣ। ଏ ସମସ୍ତ ଅଭିଭାଷଣ ଦେଶର ସାମ୍ପ୍ରତିକ ପରିସ୍ଥିତି, ସମସ୍ୟାରୁ ମୁକୁଳିବା ପାଇଁ ସରକାରଙ୍କ ଯୋଜନା ଏବଂ ନାଗରିକଙ୍କୁ ଅଭିପ୍ରେତ କରିବା ଲାଗି କିଛି ମହାନ ଶବ୍ଦର ସଂଯୋଜନା କରିଥାଆନ୍ତି। ଏହିକ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ନିଜର ୭୫ ମିନିଟର ଲମ୍ବା ଅଭିଭାଷଣରେ ବିଭିନ୍ନ ବିନ୍ଦୁକୁ ଅନୁଭବ କରାଇଛନ୍ତି। ୨୦୪୭ ସୁଦ୍ଧା ବିକଶିତ ଭାରତର ଲକ୍ଷ୍ୟ ହାସଲ ଲାଗି ସରକାରଙ୍କ ଯୋଜନା ବିଷୟରେ ସରକାରଙ୍କ ଯୋଜନାକୁ ସାମ୍ନାକୁ ଆଣିଛନ୍ତି। ‘ଶକ୍ତିର ସପ୍ତଧାରା’ ନାଁରେ ୭ଟି ମୂଳ ବିନ୍ଦୁକୁ ସେ ଯୋଡ଼ିବାକୁ ଚାହିଁଛନ୍ତି। ନିର୍ମାଣ, କୃଷି, ସେମି କଣ୍ଡକ୍ଟର, ଯୋଗାଯୋଗ, ପ୍ରତିରକ୍ଷା ନିର୍ମାଣ, ସାମୁଦ୍ରିକ ଅର୍ଥନୀତି ଏବଂ ବୈଶ୍ୱିକ ବ୍ରାଣ୍ଡକୁ ପ୍ରଶସ୍ତ କରିବାର ଲକ୍ଷ୍ୟ ପୋଷଣ କରିଛନ୍ତି। ଏହା ସହ ଯୁବ ପିଢ଼ିଙ୍କ ପାଇଁ ଏଆଇ ତାଲିମର ଗୁରୁତ୍ୱକୁ ଅନୁଭବ କରି ଆସନ୍ତା ୧ ବର୍ଷ ଭିତରେ ୧ େକାଟି ଯୁବକଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ ଦେବା ପାଇଁ ଆହ୍ୱାନ ଦେଇଛନ୍ତି। ଏହାସହ ସିଭିଲ ସର୍ଭିସ୍ କ୍ଷେତ୍ରରେ ସାଧାରଣ ଶ୍ରେଣୀର ଯୁବକଙ୍କୁ ଉତ୍ସାହିତ କରିବା ଲାଗି ଏକ ସ୍ୱତନ୍ତ୍ର ମାଗଣା କୋଚିଂ ନେଟଓ୍ୱର୍କ ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି। ଏହା ଛାତ୍ରଛାତ୍ରୀଙ୍କୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବାକୁ ଆତ୍ମବିଶ୍ୱାସ ବଢ଼ାଇବ। କୃଷି କ୍ଷେତ୍ରରେ ଅର୍ଗାନିକ ତଥା ରସାୟନମୁକ୍ତ ଚାଷ ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ। କିନ୍ତୁ ଯାହା ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଛଇ, ତାହା ହେଲା ପ୍ରଧାନମନ୍ତ୍ରୀଙ୍କ ମୁହଁରୁ ବାହାରିଥିବା ସେହି ଶବ୍ଦ ‘ଦିମାଗୀ ନକ୍ସଲ’।
ଏ ଶବ୍ଦଟି ନକ୍ସଲବାଦ ପ୍ରଚାର ପ୍ରସାର କରୁଥିବା ବୁଦ୍ଧିଜୀବୀଙ୍କୁ ଆକ୍ଷେପ କରି ପ୍ରୟୋଗ କରାଯାଇଛି। ଏ ବିଷୟରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ମଧ୍ୟ ସ୍ପଷ୍ଟୀ କରଣ ରଖିଛନ୍ତି। କିନ୍ତୁ ଏହା ଦେଶରେ ନକ୍ସଲବାଦ ଚିନ୍ତାଧାରାରେ ବିଶ୍ୱାସୀ ବୁଦ୍ଧିଜୀବୀଙ୍କୁ ଯେତିକି ଆକ୍ରାନ୍ତ କରି ନାହିଁ, ତାଠୁ ଅଧିକ ବିରୋଧୀ ଦଳକୁ ଆକ୍ରାନ୍ତ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ, ଜୟରାମ ରମେଶ, ଶଶି ଥରୁର, ସଚିନ ପାଇଲଟ, ଡି ରାଜାଙ୍କ ଭଳି ଏହାକୁ ସମାଲୋଚନା କରିଛନ୍ତି। ନିଜକୁ ଜଣେ ଦିମାଗୀ ନକ୍ସଲର ପରିଚୟ ଦେବା ଗୌରବର ବିଷୟ ବୋଲି କହିବା ସହ ପ୍ରଧାନମନ୍ତ୍ରୀ ଯେଉଁ ଭଳି ଭାବେ ଦିମାଗୀ ନକ୍ସଲଙ୍କୁ ମୂଳପୋଛ କରିବା କଥା କହୁଛନ୍ତି ତାହା ବିରୋଧୀ ଦଳକୁ ଉତ୍ଖାତ କରି ଏକଛତ୍ରବାଦକୁ ପ୍ରୋତ୍ସାହନ ଦେବା କଥା ବୋଲି କହିଛନ୍ତି। ଅନ୍ୟମାନେ ମଧ୍ୟ ଏହିପରି ବୟାନ ରଖି ନିଜକୁ ‘ଦିମାଗୀ ନକ୍ସଲ’ ପରିଚୟ ଦେବାକୁ ଉଚିତ ମନେ କରିଛନ୍ତି।
ପ୍ରଶ୍ନ ଉଠୁଛି ଏହା ଏକ ରାଜନୀତିକ ପ୍ରତୀକାତ୍ମକ ଶବ୍ଦ ପ୍ରୟୋଗ କି? ନକ୍ସଲବାଦ ଆମ ବିକାଶ ପ୍ରକ୍ରିୟାରେ ଅନ୍ତରାୟ ସୃଷ୍ଟି କରୁଛି ନା ନାହିଁ? ଯଦି ବିକାଶ ପ୍ରକ୍ରିୟାରେ ବାଧକ ହେଉଥିବା ଏକ ମତବାଦକୁ ମୂଳୋତ୍ପାଟନ କରିବା ଲାଗି ସରକାର ପ୍ରତିବଦ୍ଧ ହୁଏ ତେବେ ତାହାକୁ ବିରୋଧ କରିବା କେତେ ଯୁକ୍ତିଯୁକ୍ତ? ଅପରପକ୍ଷେ ଏହା ପୂର୍ବରୁ ଶାସନରେ ଥିବା ନେତାମାନଙ୍କ ଦ୍ୱାରା ବ୍ୟବହୃତ ‘ଅର୍ବାନ ନକ୍ସଲ’ ଏବଂ ‘ଆନ୍ଦୋଳନଜୀବୀ’ ଶବ୍ଦ ମଧ୍ୟ ଅନେକ ଚର୍ଚ୍ଚା ସୃଷ୍ତଟି କରିଥିଲା। ସେହିପରି ଟୁକୁଡ଼େ ଟୁକୁଡ଼େ ଗ୍ୟାଙ୍ଗ୍ ରାଷ୍ଟ୍ର ବିରୋଧରେ ହେଉଥିବା ଷଡ଼ଯନ୍ତ୍ରକୁ ଲକ୍ଷ୍ୟ କରି ମଧ୍ୟ ପ୍ରୟୋଗ କରାଯାଇଥିଲା। ଏବେ ପ୍ରଧାନମନ୍ତ୍ରୀଙ୍କ ଏପରି ଏକ ଶବ୍ଦ ପ୍ରୟୋଗ କ’ଣ ବାସ୍ତବରେ ନକ୍ସଲବାଦର ସମର୍ଥକଙ୍କୁ ସତର୍କ କରାଇପାରିବ? ତାଙ୍କ ବିରୋଧରେ ଜନମତ ସୃଷ୍ଟି କରିପାରିବ? ନା ଏହା ବିରୋଧୀ ଦଳର ଏକ ଅସ୍ତ୍ର ହୋଇ ସରକାରଙ୍କୁ ଡରାଇବ?
ସମ୍ପାଦକୀୟ: ଦିମାଗୀ ନକ୍ସଲ





