Tuesday, September 1, 2026
spot_imgspot_img

Top 5 This Week

spot_img

Related Posts

ମୁଖ୍ୟମନ୍ତ୍ରୀଙ୍କ ଅଫିସର ସେହି ୪ ଅଧିକାରୀ ଯାହାଙ୍କ ପାଇଁ ଅପଦସ୍ତ ରାଜ୍ୟ ସରକାର

ଗଲା କିଛିଦିନ ହେଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ବଡ଼ ଚର୍ଚ୍ଚିତ ହୋଇ ଆସୁଛି। ଆଉ ଏ ଚର୍ଚ୍ଚାର ମୁଖ୍ୟ କେନ୍ଦ୍ର ହେଉଛି ପୁଲିସ ମହା ନିର୍ଦ୍ଦେଶକଙ୍କ ନିଯୁକ୍ତି ପ୍ରକ୍ରିୟା। କାରଣ ଡିଜି ପୁଲିସ ଯେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଗୋଟିଏ ପିଆଦା ତାହା ଏ ପ୍ରକ୍ରିୟାରୁ ସ୍ପଷ୍ଟ ବାରି ହୋଇପଡ଼ୁଥିବା ଅଭିଯୋଗ ହେଉଛି। ମୁଖମନ୍ତ୍ରୀ ଏଥିପାଇଁ କେତେ ଦାୟୀ ବା ନୁହେଁ ତାହା ଆଲୋଚନା କରିବା ପୂର୍ବରୁ ତାଙ୍କ ସରକାରୀ କାର୍ଯ୍ୟାଳୟର ୫ ଅଧିକାରୀଙ୍କ ଅଭିଜ୍ଞତା ଓ ଷଡ଼ଯନ୍ତ୍ର ବିଷୟକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚା ହେଉଛି।
ଆପଣଙ୍କ ମନେଥିବ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଗଲା ୧୬ ତାରିଖରେ ଅବସର ନେଇଛନ୍ତି। ନିୟମ ଅନୁସାରେ ତାଙ୍କଠାରୁ ଜଣେ ପୂର୍ଣ୍ଣ କାଳୀନ ଡିଜି ପୁଲିସ କ୍ଷମତା ଗ୍ରହଣ କରିବା କଥା। କିନ୍ତୁ ତାହା ହୋଇପାରି ନାହିଁ। ବରଂ ସବୁ ଯୋଗ୍ୟ ଅଧିକାରୀଙ୍କୁ ପଛରେ ପକାଇ ଚର୍ଚ୍ଚାରେ ନଥିବା ଜଣେ ଅଧିକାରୀ ହୋଇଛନ୍ତି କାର୍ଯ୍ୟ ନିର୍ବାହୀ ପୁଲିସ ଡିଜି।ଏହା ରାଜ୍ୟ ସରକାରଙ୍କ ଏକ ପରିଚିତ ଅପାରଗତାକୁ ପ୍ରମାଣିତ କରିଛି।
ତେବେ ଏମିତି ଅକଳରେ କାହିଁକି ପଡ଼ିଲେ ରାଜ୍ୟ ସରକାର? ଜୁନ ୧୨, ୨୦୨୪ ପରେ ରାଜ୍ୟରେ ଲୋକଙ୍କ ସରକାର ଗଠନ କରିଛନ୍ତି ବୋଲି ବିଜେପି ପ୍ରଚାର କରିଥିଲା। ହେଲେ ଦୁଇ ବର୍ଷ ପରେ ଯେତେବେଳେ ଡିଜି ପଦବୀରେ ଜଣେ ଅଧିକାରୀଙ୍କ ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କୁ ଟଣାଯାଉଛି ଏହା ପ୍ରମାଣିତ କରୁଛି ଯେ, ପରିସ୍ଥିତି କିଛି ବଦଳି ନାହିଁ। ଅର୍ଥାତ୍‍, ଯଥା ପରଂ ତଥା ପୂର୍ବଂ।
ତେବେ ଏଭଳି ଅବସ୍ଥା ପାଇଁ ଯେଉଁ ଅଧିକାରୀଙ୍କ ନାଁ ଚର୍ଚ୍ଚାକୁ ଆସୁଛି ସେଥିରେ ଅଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରର ୪ ଜଣ ବରିଷ୍ଠ ଅଧିକାରୀ। ଆସନ୍ତୁ ସେମାନଙ୍କ ବାବଦରେ ଏଠାରେ ସାମ୍ୟକ ସୂଚନା ରଖିବା।
ପ୍ରଥମେ, ପ୍ରକାଶ ମିଶ୍ର। ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା। କ୍ୟାବିନେଟ ପାହ୍ୟାର ଅଧିକାରୀ। ରାଜ୍ୟର ପୂର୍ବତନ ଡିଜି ପୁଲିସ। ଜାତୀୟ ସ୍ତରରେ ପୁଲିସ ବିଭାଗର ପ୍ରଶାସନ କ୍ଷେତ୍ରରେ ଅନେକ ଅଭିଜ୍ଞତା ସେ ହାସଲ କରିଛନ୍ତି। ବିଜେଡି ସରକାର ସମୟରେ ତାଙ୍କୁ ଯେଉଁଭଳି ଭାବେ ଡିଜି ପୁଲିସ ପଦବୀରୁ ଅପସାରିତ କରାଗଲା ତାହା ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରେ ବେଶ୍‍ ଚର୍ଚ୍ଚାର ବାତାବରଣ ସୃଷ୍ଟି କରିଥିଲା। ଅର୍ଥାତ୍‍ ସୁପ୍ରିମକୋର୍ଟଙ୍କ ଦ୍ୱାରା ଡିଜିପି ନିଯୁକ୍ତିକୁ ନେଇ ଧାର୍ଯ୍ୟ ପରାମର୍ଶ ବାବଦରେ ସେ ଭଲ ଭାବେ ଜାଣନ୍ତି। କିନ୍ତୁ ରାଜ୍ୟରେ ଡିଜିପି ନିଯୁକ୍ତିକୁ ନେଇ ସେ ଉଚିତ ପଦକ୍ଷେପ ଗ୍ରହଣ କରିପାରି ନଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଏବେ ଅନେକ ସମାଲୋଚନାର ଶିକାର ହେବାକୁ ପଡ଼ିଛି। କୁହାଯାଉଛି, ନିଜର ପକ୍ଷପାତିତା ତଥା ଜଣେ ନିର୍ଦ୍ଦିଷ୍ଟ ଅଧିକାରୀଙ୍କ ପ୍ରତି ତାଙ୍କର ମନ ଢଳିବା ଦ୍ୱାରା ଏହି ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଛି। ଏହି ଅଧିକାରୀ ଜଣକ ହେଉଛନ୍ତି ସଞ୍ଜୀବ ପଣ୍ଡା, ଯାହାଙ୍କୁ ନିକଟରେ ଡିଜି ପଦବୀକୁ ପଦୋନ୍ନତି ଦିଆଯାଇଛି। ଶ୍ରୀ ମିଶ୍ର ଯେତେବେଳେ ଡିଜି ପୁଲିସ ଥିଲେ ସେହି ସମୟରେ ଶ୍ରୀ ପଣ୍ଡା ପର୍ସନେଲ୍‍ ଆଇଜି ଭାବେ ଅଖଣ୍ଡ କ୍ଷମତାର ଅଧିକାରୀ ଥିଲେ।
ଅନ୍ୟଜଣେ ଗୁରୁତ୍ୱପୂର୍ଣ୍ଣ ଅଧିକାରୀ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଅତିରିକ୍ତ ମୁଖ୍ୟ ସଚିବ ଶାଶ୍ୱତ ମିଶ୍ର। ଶ୍ରୀ ମିଶ୍ର ପୂର୍ବରୁ ଗୃହ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅନେକ ଦକ୍ଷତାର ଅଧିକାରୀ। ହେଲେ ଡିଜି ନିଯୁକ୍ତି ସମୟରେ ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଉଚିତ ପରାମର୍ଶ ସେ ଦେଇପାରିଲେ ନାହିଁ ତାହା ଚର୍ଚ୍ଚାର ବିଷୟ। ଯଦି ସେ ଉଚିତ ପରାମର୍ଶ ଦେଇଥାଆନ୍ତେ ତେବେ ୟୁପିଏସସିର ଡିଜି ଚୟନ ବୈଠକ ବେଳେ ରାଜ୍ୟ ସରକାରଙ୍କୁ ଏତେ ସମାଲୋଚନାର ଶିକାର ହେବାକୁ ପଡ଼ି ନଥାଆନ୍ତା। ଯଦି ଶ୍ରୀ ମଶ୍ର ଏନେଇ ଉଚିତ ପରାମର୍ଶ ଦେଇଛନ୍ତି ଏବଂ ସମସ୍ତ ଆଇନ ବ୍ୟବସ୍ଥାକୁ ମୁଖ୍ୟମନ୍ତ୍ରୀଙ୍କୁ ବୁଝାଇଛନ୍ତି ଏବଂ ତାଙ୍କ କଥାକୁ ମୁଖ୍ୟମନ୍ତ୍ରୀ ଗ୍ରହଣ କରିନାହାନ୍ତି ତେବେ ତାହା ସ୍ପଷ୍ଟ କରୁଛି ଯେ ସେ ଆଉ ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱସ୍ତ ପରିଧିରେ ନାହାନ୍ତି!
ମୁଖ୍ୟମନ୍ତ୍ରୀଙ୍କ ଗୁଡ୍ବୁକ୍ ଥିବା ଅନ୍ୟ ଜଣେ ଅଧିକାରୀ ହେଉଛନ୍ତିି ୨୦୦୬ ମସିହା ଆଇଏଏସ୍‍ ମନୋଜ ସାହୁ। କେନ୍ଦ୍ରରେ ଅବସ୍ଥାପିତ ଏହି ଅଧିକାରୀଙ୍କୁ ଖୋଦ୍‍ ମୁଖ୍ୟମନ୍ତ୍ରୀ ଡକାଇ ରାଜ୍ୟରେ ନିଯୁକ୍ତି ଦେଇଛନ୍ତି। ସେ ଭାରତର ନିର୍ବାଚନ କମିଶନରେ କାର୍ଯ୍ୟ କରିଛନ୍ତି। ଏଣୁ ୟୁପିଏସସି ନିୟମାବଳୀ ବାବଦରେ ସେ ନିଶ୍ଚିତ ଭାବେ ସ୍ପଷ୍ଟ ଥିବେ ବୋଲି ଆଶା କରାଯାଏ। ହେଲେ ଯେଉଁ ଘଟଣା ଘଟି ରାଜ୍ୟ ଅପମାନ ଭିତରେ ସଢ଼ୁଛି ତାହା ସମସ୍ତଙ୍କୁ ଚକିତ କରୁଛି।
ଏହି କାର୍ଯ୍ୟାଳୟର ୧୬ ଅଧିକାରୀଙ୍କ ଭିତରେ ଆଉ ଜଣେ ଅଧିକାରୀଙ୍କ ନାଁ ଏ ବାବଦରେ ବଡ଼ ଚର୍ଚ୍ଚା ହୁଏ। ସେ ହେଉଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଖାସ୍‍ ତଥା ଓଏସଡି ପ୍ରସନ୍ନ କୁମାର ଷଡ଼ଙ୍ଗୀ। ଅବସରପ୍ରାପ୍ତ ଓଏଏସ୍‍ ଶ୍ରୀ ଷଡ଼ଙ୍ଗୀଙ୍କ ପାଇଁ ଏହା ଏକ ରିଟାୟାର୍ଡମେଣ୍ଟ ବେନିଫିଟ ପ୍ଲାନ୍‍। ହେଲେ ଡିଜି ନିଯୁକ୍ତି ସମ୍ବନ୍ଧରେ ଫାଇଲ ପ୍ରସ୍ତୁତି ବେଳେ ସେ କିପରି ସହାୟକ ହୋଇପାରିଲେ ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଫିସର ଏହି ୪ ଅଧିକାରୀଙ୍କ ବ୍ୟତୀତ ମୁଖ୍ୟସଚିବ ଅନୁ ଗର୍ଗଙ୍କ ପାରିଲାପଣିଆ ମଧ୍ୟ ଏ ସମ୍ପର୍କରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀମତୀ ଗର୍ଗ ଜଣେ ବରିଷ୍ଠ ଆଇଏଏସ୍‍ ଅଧିକାରୀ। ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମେତ କେନ୍ଦ୍ର ସରକାରଙ୍କଠାରେ ସେ କାର୍ଯ୍ୟ କରିଛନ୍ତି। ବହୁ ଅଭିଜ୍ଞତା ରକ୍ଷା କରିଥିବା ଏହି ଅଧିକାରୀଙ୍କୁ ନିଶ୍ଚିତ ଭାବେ ୟୁପିଏସସି ନିଯୁକ୍ତି ପ୍ରକ୍ରିୟା ବାବଦରେ ଜଣାଥିବ। ହେଲେ ସେ କିପରି ମୁଖ୍ୟମନ୍ତ୍ରୀଙ୍କୁ ଉଚିତ ପରାମର୍ଶ ଦେବାରେ ବିଫଳ ହେଲେ? ପୁଣି ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ସେ ୟୁପିଏସସି କମିଟିର ସଦସ୍ୟ ହୋଇଥିଲେ ମଧ୍ୟ ତାଙ୍କର ଜ୍ଞାନ କିପରି ଠିକଣା ସମୟରେ ଉଭେଇ ଗଲା ତାହା ଚର୍ଚ୍ଚାର ବିଷୟ।
ଏସବୁ ଅଭିଜ୍ଞତା ଓ କାର୍ଯ୍ୟ ଦକ୍ଷତା ତଥା ଅଧିକାରୀମାନଙ୍କ ପୂର୍ବ ରେକର୍ଡକୁ ଅନୁଧ୍ୟାନ କଲେ ଗୋଟିଏ ବିଷୟ ସ୍ପଷ୍ଟ ହୁଏ ଯେ ଅଧିକାରୀମାନେ ଜାଣିଶୁଣି ରାଜ୍ୟକୁ ବଦନାମ କରିବାକୁ ଚାହିଁଛନ୍ତି। ନହେଲେ ଏହି ଅଧିକାରୀଙ୍କ ଭିତରେ ଆଦୌ ତାଳମେଳ ନାହିଁ। ଏପରି ଏକ ମେଳହୀନ କାର୍ଯ୍ୟାଳୟ କିପରି ମୁଖ୍ୟମନ୍ତ୍ରୀଙ୍କୁ ଠିକଣା ପରାମର୍ଶ ଦେବ? ଏ ପ୍ରଶ୍ନ ଯେତିକି ଆଲୋଚନା ହେଉ ନାହିଁ ତା’ଠୁ ଅଧିକ ସମ୍ବେଦନଶୀଳ ହେଉଛି, ଯଦି ନିଜ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ଶୃଙ୍ଖଳିତ କରିପାରୁ ନାହାନ୍ତି ତେବେ ରାଜ୍ୟକୁ କିପରି ଆଗକୁ ନେବେ?

LEAVE A REPLY

Please enter your comment!
Please enter your name here

Popular Articles