Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ନବୀନ ବାବୁ ଲେଖିବେ କି?

Editorial: Issue-1, Vol-1; 03 JULY 2026

ସମ୍ପୂର୍ଣ୍ଣ ଭାରତବର୍ଷରେ ଓଡ଼ିଶାର ରାଜନୀତି ଏକ ବିପରୀତ ଦିଗରେ ପ୍ରବାହିତ ସ୍ରୋତ ପରି। ସ୍ୱାଧୀନତା ପୂର୍ବରୁ ଓ ପରବର୍ତ୍ତୀ ସମୟରେ ଏହା ପରିଲକ୍ଷିତ ହୋଇ ଆସିଛି। ଇତିହାସ ପୃଷ୍ଠାକୁ ଦେଖିଲେ, ସାରା ଭାରତ ଯେତେବେଳେ ମୋଗଲ ଶାସନରେ ଥରହର ହେଉଥିଲା ସେତେବେଳେ ଓଡ଼ିଶା ହିନ୍ଦୁ ରାଜାଙ୍କ ବୀରତା ଦେଖୁଥିଲା। ଯେତେବେଳେ ଦେଶ ହିନ୍ଦୁ ମନ୍ଦିରଗୁଡ଼ିକ ଅଣ ହିନ୍ଦୁ ହେବା ଦେଖୁଥିଲା ଓଡ଼ିଶା ସେତେବେଳେ ନିଜ କୂଳ ଦେବତାଙ୍କୁ ଗୋପନ ରଖି ଶତ୍ରୁକୁ ବାରମ୍ବାର ଚକମା ଦେଉଥିଲା। ପୁଣି ଯେତେବେଳେ ଦେଶ ଇଂରେଜମାନଙ୍କ ବଶତା ସ୍ୱୀକାର କରୁଥିଲା ଓଡ଼ିଶାର ପାଇକମାନେ ମେଳି କରି ତାଙ୍କ ଅସ୍ତିତ୍ୱକୁ ପ୍ରଶ୍ନ କରୁଥିଲେ।
ସ୍ୱଧୀନତା ପରେ ଗଡ଼ଜାତ ରାଜ୍ୟଗୁଡ଼ିକର ଅସ୍ତିତ୍ୱ ଓ ଭୂମିକାକୁ ନେଇ ଆନ୍ଦୋଳନ, ଚର୍ଚ୍ଚା ଓ ତୋଷାମଦି ଚାଲୁଥିବା ବେଳେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଗଡ଼ଜାତକୁ ନିଶ୍ଚିହ୍ନ କରି ଗୋଟିଏ ରାଜ୍ୟ – ଗୋଟିଏ ଶାସନର ମୂଳଦୁଆ ପକାଇଥିଲା। ଆଉ ସମ୍ବିଧାନ ପ୍ରଣୟନ ପରେ ହୋଇଥିବା ନିର୍ବାଚନରେ ସାରା ଦେଶ ଯେତେବେଳେ କଂଗ୍ରେସକୁ ସରକାର ଗଠନ ପାଇଁ ମତ ଦେଉଥିଲା, ଓଡ଼ିଶାରେ ପ୍ରଦେଶିକ ସରକାର ଗଠନ କରିବା କଂଗ୍ରେସ ପକ୍ଷରେ ଅସମ୍ଭବ ହୋଇଥିଲା। ଏଣୁ ସ୍ୱାଧୀନ ସଦସ୍ୟଙ୍କ ସମର୍ଥନ ନେବାକୁ ବାଧ୍ୟ ହୋଇଥିଲା। ସେତେବଳେ ଏକ କଠୋର ସମୟ ଦେଇ କଂଗ୍ରେସ ସରକାର ଗତି କରିଥିଲା। ହେଲେ ତତ୍‍କାଳୀନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ କେବେ ଏ ବିଷୟକୁ ଲେଖି ତାଙ୍କ ଦାୟାଦଙ୍କ ପାଇଁ ଛାଡ଼ି ଯାଇ ନାହାନ୍ତି। ନିଜର ପ୍ରଚାର କରିବେ ନାହିଁ ବୋଲି ସେ ଏହି ଆତ୍ମଜୀବନୀ ଲେଖାରୁ ବୋଧ ହୁଏ ଦୂରରେ ରହୁଥିଲେ ଏହି ଋଷି ପ୍ରତୀମ ଅଗ୍ରଜ। କିନ୍ତୁ ଏହି ଧାରା ସେଠି ଅଟକି ରହିଲା ନାହିଁ। ପିଢ଼ିପରେ ପିଢ଼ି ଓଡ଼ିଶା ରାଜନୀତିକୁ ଇତିହାସ ପୃଷ୍ଠାରେ ସାଇତି ରଖିବା ପାଇଁ ଅନେକ ମୁଖ୍ୟମନ୍ତ୍ରୀଙ୍କ ଅନାଗ୍ରହ ଦେଖିବାକୁ ମିଳିଛି।
୧୯୫୨ ପରଠାରୁ ଆଜି ଯାଏ ରାଜ୍ୟ ଆମର ୧୬ଥର ନିର୍ବାଚନ ଦେଖିଛି। ଏହି ସମୟରେ ଭିନ୍ନ ଭିନ୍ନ ପ୍ରକାର ସରକାର ଗଠନ ହୋଇଛି। କେତେବେଳେ ସମ୍ପୂର୍ଣ୍ଣ କଂଗ୍ରେସ ତ ଆଉ କେତେବେଳେ ମେଣ୍ଟ ସରକାର ପୁଣି କେତେବେଳେ ସ୍ୱାଧୀନ ବିଧାୟକମାନେ ସରକାରର ସ୍ଥାୟୀତ୍ୱ ପାଇଁ ଅବିଚ୍ଛିନ୍ନ ହୋଇଛନ୍ତି। ଏହି ସମୟରେ ଯେଉଁ ୧୫ ଜଣ ମୁଖ୍ୟମନ୍ତ୍ରୀ ହୋଇଛନ୍ତି, ସେମାନଙ୍କ ଭିତରୁ ସବୁଠାରୁ ଅଧିକ ସମୟ ମୁଖ୍ୟମନ୍ତ୍ରୀ ରହିଥିବା ବ୍ୟକ୍ତି ହେଉଛନ୍ତି ନବୀନ ପଟ୍ଟନାୟକ। ଆଜି ସେ ବିରୋଧୀ ଦଳର ନେତା। କିନ୍ତୁ ଓଡ଼ିଶା ରାଜନୀତିରେ ଅନେକ ପରିଚିତ ବ୍ୟକ୍ତି। ରାଜନୀତିରେ ଯୋଗ ଦେବା ଦିନଠାରୁ କେନ୍ଦ୍ରରେ ମନ୍ତ୍ରୀ ଓ ପରେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ରହିଥିବା ଏହି ଭାଗ୍ୟଶାଳୀ ରାଜନେତା ଜୀବନରେ କେବେ ଛାତ୍ର ବା ଯୁବ ରାଜନୀତିରେ ଯୋଗ ଦେଇ ନାହାନ୍ତି। ଭଲ ଓଡ଼ିଆ କହି ପାରନ୍ତି ନାହିଁ। ତଥାପି ସେ ଓଡ଼ିଶାର ଜଣେ ପ୍ରିୟ ନେତା।
ଏବେ କ୍ଷମତାରେ ନଥିଲେ ମଧ୍ୟ ତାଙ୍କର ଧାଡ଼ିକିଆ ସେଶାଲ୍‍ ମିଡିଆ ବାର୍ତ୍ତା ଗଣମାଧ୍ୟମରେ ବେଶ୍‍ ଚର୍ଚ୍ଚା ହୁଏ। ସେ ଜଣେ ବିଖ୍ୟାତ ଲେଖକ ବୋଲି ଚାର୍ଚ୍ଚା ହୁଏ ହେଲେ ଓଡ଼ିଶା ରଜାନୀତି ବା ତାଙ୍କ ସମ୍ପର୍କରେ ସେ କେବେ କେଉଁଠି କିଛି ଲେଖି ନାହାନ୍ତି। ଅବଶ୍ୟ ତାଙ୍କ ବିଷୟରେ କିଛି ଲେଖକ ନିଜର ମତାମତକୁ ଧରି ଲେଖିଛନ୍ତି ଓ ତାହାକୁ ପ୍ରକାଶ କରିଛନ୍ତି। କିନ୍ତୁ ନବୀନ ନିଜେ କେବେ ଆତ୍ମ ଜୀବନୀ ନିଜ ଦ୍ୱାରା ବା ଅନ୍ୟ କାହାଦ୍ୱାରା ଲେଖି ନାହାନ୍ତି।
ଏବେ ନିକଟରେ ରାଜ୍ୟରେ ଏକଦା ମନ୍ତ୍ରୀ ଥିବା ନିରଞ୍ଜନ ପଟ୍ଟନାୟକ ନିଜ ଆତ୍ମଜୀବନୀ ଲେଖି ଓଡ଼ିଶା ରାଜନୀତିର ତତ୍‍କାଳୀନ ବିଷୟକୁ ସାମ୍ନାକୁ ଆଣିଛନ୍ତି, ଯାହା ପରବର୍ତ୍ତୀ ପିଢ଼ିର ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ। ଏହି ଦିଗରେ ନବୀନ ପ୍ରେରିତ ହେବେକି?

LEAVE A REPLY

Please enter your comment!
Please enter your name here

Popular Articles