Monday, August 17, 2026
spot_imgspot_img

Top 5 This Week

spot_img

Related Posts

ସମ୍ପାଦକୀୟ: ପାଉଁଶ ତଳର ନିଆଁ

ଏ ସପ୍ତାହର ପ୍ରମୁଖ ଘଟଣାବଳୀ ତଥା ଚର୍ଚ୍ଚିତ ବିଷୟ ହେଉଛି ‘କକ୍ରୋଚ ଜନତା ପାର୍ଟି’ର ଆନ୍ଦୋଳନ ପ୍ରତ୍ୟାହାର ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା। କିନ୍ତୁ ଯେଉଁ ବିଷୟଟି ପାଉଁଶ ତଳର ନିଆଁ ହୋଇ ଡରାଉଛି ତାହା ହେଲା ବିଜେପିକୁ ଆମଦାନୀ ହୋଇଥିବା କିଛି ନେତାଙ୍କ ପରପିଢ଼ି। ଯେଉଁମାନେ ବିଦେଶରୁ ନିଜର ଗ୍ରାଜୁଏସନ୍‍ ତଥା ପୋଷ୍ଟ ଗ୍ରାଜୁଏସନ୍‍ ସାରି ଦେଶକୁ ଫେରିଥିଲେ ମଧ୍ୟ ନିଜର ବାପା-ମା’ଙ୍କୁ ବି ଅଡ଼ୁଆରେ ପକାଇବାକୁ ଭୁଲି ନାହାନ୍ତି।

ଆମେ ସମସ୍ତେ ଭଲ ଭାବେ ଜାଣୁ ଯେ ବିଜେପି ହେଉଛି ଏକ କ୍ୟାଡର ଭିତ୍ତିକ ଦଳ ଏବଂ ନିର୍ଦ୍ଦିଷ୍ଟ ଆଦର୍ଶ ଦ୍ୱାରା ଏହା ପିଢ଼ିପରେ ପିଢ଼ି ନେତା ସୃଷ୍ଟି କରିଥାଏ। କିନ୍ତୁ ଅନେକ ସମୟରେ ରାଜନୀତିକ ଫାଇଦା ଓ ଆବଶ୍ୟକତାକୁ ଦେଖି ଏହି ଦଳ ଅନ୍ୟ ଦଳରୁ ଏବଂ ଅନ୍ୟ ବର୍ଗରୁ ନେତା ଆମଦାନୀ କରେ, ସିଧାସଳଖ ତାଙ୍କୁ ସଂସଦ ଏବଂ ବିଧାନସଭାକୁ ଯିବାକୁ ବି ଟିକେଟ ଦିଏ। ନିଜର ଫାଇଦା ପାଇଁ ଆସିଥିବା ଏହି ନେତାମାନେ ଦଳରେ ବର୍ଷବର୍ଷ ଧରି କର୍ମୀ ହୋଇ ରହିଥିବା ନେତାଙ୍କୁ ଖାତିର ନ କରିବା ସ୍ୱଭାବିକ। ଓଡ଼ିଶାରେ ଏ କଥା ଅନେକ ସମୟରେ ଦେଖାଯାଇଛି। ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ କ୍ଷେତ୍ରରେ ଏହା ସ୍ପଷ୍ଟ ପରିଲକ୍ଷିତ। କାରଣ ସାଂସଦ ହେବା ଦିନଠାରୁ ସେ ଦଳ ବାହାରେ ଏକ ଅଲଗା ଗୋଷ୍ଠୀ କରି ନିଜ ଅନୁସାରେ ଦଳୀୟ କାର୍ଯ୍ୟକୁ ପରିଚାଳନା କରୁଥିବା ଅଭିଯୋଗ ହୁଏ। ଏପରିକି ବାହାର ରାଜ୍ୟରୁ କିଛି ବ୍ୟକ୍ତି ବିଶେଷ, ତାଙ୍କ କାର୍ଯ୍ୟ ଓ କାର୍ଯ୍ୟାଳୟରେ ପ୍ରାଧାନ୍ୟ ଜମାଇଥିବା ବି ଦେଖିବାକୁ ମିଳେ। ଅନେକ ସମୟରେ ଅପରାଜିତା ଏବଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭିତରେ ଥିବା ଅନ୍ତର୍ଦ୍ୱନ୍ଦ୍ୱ ମଧ୍ୟ ଏହି କାର୍ଯ୍ୟକ୍ରମରେ ରାଜନୀତିକ ସମୀକ୍ଷକମାନେ ଚିହ୍ନଟ କରିଛନ୍ତି। ଏବେ କିନ୍ତୁ ଏ ଅନ୍ତର୍ଦ୍ୱନ୍ଦ୍ୱ ଆହୁରି ସ୍ପଷ୍ଟ ହୋଇଛି ଯେତେବେଳେ କେନ୍ଦ୍ର ସରକାରଙ୍କ ବିରୋଧରେ ଚାଲିଥିବା ଛାତ୍ର ଆନ୍ଦୋଳନକୁ ଅପରାଜିତାଙ୍କ ଝିଅ ସମର୍ଥନ କରିଛନ୍ତି। ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ହେଉଛନ୍ତି ଅର୍ଚ୍ଚିତା ସଚିନ ରାହାର। ବିଦେଶରୁ ଏମ୍ବିପଏ ପାଠପଢ଼ା ସାରି ଫେରିବା ପରେ ନିକଟରେ ବରମୁଣ୍ଡା ପଡ଼ିଆରେ ହୋଇଥିବା ଆଡ଼ମ୍ବରପୂର୍ଣ୍ଣ ବିବାହ ଚର୍ଚ୍ଚା ଭିତରକୁ ଆସିଥିଲା। ଏବେ ସେ ନିଜ ପରିବାର ସହ ଦିଲ୍ଲୀରେ ରହୁଛନ୍ତି। ଏହା ଠିକ ଯେ ପ୍ରତି ବ୍ୟକ୍ତି ବିଶେଷଙ୍କ ନିଜସ୍ୱ ବାକ୍‍ ସ୍ୱାଧୀନତା ରହିଛି। ଏଣୁ ସେ ନିଜ ଇନ୍ଷ୍ଟା ଗ୍ରାମ ପୋଷ୍ଟରେ ‘ଜୟ ହିନ୍ଦ, ବ୍ୟାପକ ଛାତ୍ର ଆନ୍ଦୋଳନ ଭିତରେ ଧର୍ମେନ୍ଦ୍ର ପ୍ରଧାନ ଇସ୍ତଫା ଦେଇଛନ୍ତି’ ବୋଲି ଲେଖିଛନ୍ତି। ଏହାସହ ଅନ୍ୟ ଏକ ପୋଷ୍ଟରେ ତାଙ୍କୁ ଧର୍ମେନ୍ଦ୍ର ପ୍ରଧାନଙ୍କ ପିଏ ଏହି ପୋଷ୍ଟକୁ ଉଠାଇଦେବାକୁ ତାଙ୍କ ମା’ ସାଂସଦ ଅପରାଜିତାଙ୍କ ଉପରେ ଚାପ ପକାଉଥିବା କହିଛନ୍ତି। ଏ ନେଇ ତାଙ୍କ ହ୍ୱାଟ୍ସଆପ ଚ୍ୟାଟ ବି ଭାଇରାଲ ହୋଇଛି। ପରେ ଯଦିଓ ଅପରାଜିତାଙ୍କ କହିବା ଅନୁସାରେ ଅର୍ଚ୍ଚିତା ଏହି ପୋଷ୍ଟକୁ ଡିଲିଟ କରିଛନ୍ତି କିନ୍ତୁ ବିଜେପିର ଆଦର୍ଶ ଯେ ତାଙ୍କ ପର ପିଢ଼ିକୁ ସ୍ଥାନାନ୍ତର କରିବାରେ ଅପରାଜିତା ଅକ୍ଷମ ହୋଇଛନ୍ତି ତାହା ସ୍ପଷ୍ଟ ହେଉଛି। ଅର୍ଥାତ୍‍ ଦୁଇଥର ଟିକଟ ଦେଇ ବିଜେପି ଅପରାଜିତାଙ୍କ ବ୍ୟକ୍ତିଗତ ସ୍ୱାର୍ଥକୁ ସିନା ସାଧନ କରିବାରେ ସହାୟକ ହୋଇଛି, ହେଲେ ଦଳକୁ ଫାଇଦା ମିଳି ନାହିଁ।
ଏହି ଇମ୍ପୋର୍ଟେଡ୍‍ ନେତାଙ୍କ ଅମାନିଆ ଦାୟାଦଙ୍କ କଥା କହିବା ବେଳେ ଆଉ ଦୁଇଜଣ ନେତାଙ୍କ ନାଁ ବି ସାମ୍ନାକୁ ଆସେ ଯେଉଁମାନେ ଯନ୍ତର ମନ୍ତର ଆନ୍ଦୋଳନ ସମୟରେ ‘ସିଜେପି’କୁ ସମର୍ଥନ କରିଥିଲେ। ସେମାନଙ୍କ ଭିତରୁ ଜଣେ ହେଉଛନ୍ତି ଉତ୍ତରପ୍ରଦେଶର ବିଜେପି ନେତା ବିକ୍ରମ ସିଂହ ଏବଂ ଆସାମ ସରକାରରେ ମନ୍ତ୍ରୀ ଥିବା କେଶବ ମହନ୍ତ।
ପ୍ରଥମ ପିଢ଼ିର ନେତା ବିକ୍ରମ ୨୦୧୪ରେ ବିଜେପି ଯୋଗ ଦେବା ପରେ ସିଧା ବିଧାନସଭା ଟିକଟ ପାଇଥିଲେ। ଦୁଇଥର ବିଜେପିରୁ ବିଧାୟକ ରହିବା ପରେ ୨୦୨୨ରେ ସେ ପରାଜିତ ହୋଇଥିଲେ। ମିଡିଆ ରିପୋର୍ଟ ଅନୁସାରେ ସେ ଏବେବି ବିଜେପିର ସକ୍ରିୟ କର୍ମୀ ରହିଛନ୍ତି। ତାଙ୍କ ଝିଅ ଯଶଶ୍ୱିନୀ ଲଣ୍ଡନ ସ୍କୁଲ୍‍ ଅଫ୍‍ ଇକୋନୋମିକ୍ସରୁ ଏମ୍ଏରସ୍ସି ପାସ୍‍ କରିଛନ୍ତି। ଅର୍ଥାତ୍ ଅର୍ଚ୍ଚିତାଙ୍କ ଭଳି ସେ ବି ବିଦେଶରୁ ଡିଗ୍ରୀ ହାସଲ କରିଛନ୍ତି। ଏହି ଆନ୍ଦୋଳନ ସମୟରେ ସେ ଲଗାତାର ସୋଶାଲ୍‍ ମିଡିଆରେ ସିଜେପିକୁ ସମର୍ଥନ କରିବା ସହ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି। ହେଲେ ତାଙ୍କ ପିତାଙ୍କ ପକ୍ଷରୁ ଏ ବିଷୟରେ କୌଣସି ବିବୃତ୍ତି ଗଣମାଧ୍ୟମକୁ ଦିଆଯାଇ ନାହିଁ।
ତୃତୀୟ ଉଦାହରଣ ଯାହା ଅନେକ ଚର୍ଚ୍ଚା ସୃଷ୍ଟି କରିଥିଲା ତାହା ହେଲେ ଆସାମ ସରକାରରେ ମନ୍ତ୍ରୀ ଥିବା କେଶବ ମହନ୍ତଙ୍କ ଝିଅ ଦିବିଶା। ସ୍ନାତକ ସମୟରୁ ଲଣ୍ଡନରେ ପାଠ ପଢ଼ିଥିବା ଦିବିଶା ଇଂଲଣ୍ଡରୁ ତିନୋଟି ମାଷ୍ଟର୍ସ ଡିଗ୍ରୀ ବି ହାସଲ କରିଛନ୍ତି। ଅନ୍ୟ ଦୁଇ ଝିଅଙ୍କ ଭଳି ସେ ସୋଶାଲ୍‍ ମିଡିଆରେ ସୀମିତ ନ ରହି ପୂରା ଯନ୍ତର ମନ୍ତରରେ ଆନ୍ଦୋଳନକାରୀଙ୍କ ସହ ଏକାଠି ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ। ଆଉ ଏ ଭିଡିଓ ଭାଇରାଲ୍‍ ହୋଇଥିଲା। କେଶବ ହେଉଛନ୍ତି ବିଜେପିର ସହଯୋଗୀ ଦଳ ଆସାମ ଗଣ ପରିଷଦର ସଦସ୍ୟ। ଅନେକ ବର୍ଷ ହେଲା ବିଜେପିର ସହଯୋଗୀ ଦଳ ଭାବେ ଏହା ପରିଚିତ ରହିଛି। କିନ୍ତୁ ବିଦିଶାଙ୍କ ଏହି ରାଜନୀତିକ ଅଂଶଗ୍ରହଣ ଏବେ ଉଭୟ ମେଣ୍ଟ ଓ କେଶବଙ୍କୁ ଆଉଥରେ ଭାବିବାକୁ ସୁଯୋଗ ଦେଇଛି।
ଏବେ ତ ଆନ୍ଦୋଳନ ସରିଛି, ଆଉ ପ୍ରଧାନମନ୍ତ୍ରୀ ମୋଦୀ ସ୍ୱୟଂ ଦାୟିତ୍ୱ ନେଇ ସଂସ୍କାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହା କେତେ ସଫଳ ହେବ ତାହା ତ ସମୟ କହିବ କିନ୍ତୁ ଏହି ପାଉଁଶ ତଳର ନିଆଁକୁ କିପରି ଆୟତ୍ତ କରିବ ବିଜେପି?

LEAVE A REPLY

Please enter your comment!
Please enter your name here

Popular Articles