Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ବାଜିରେ ଡିଜି: ରାଜନୀତିକ ଛାଇ ତଳେ ପୁଲିସ ମୁଖିଆ

ସାରା ଭାରତ ସ୍ୱାଧୀନତାର ୮୦ତମ ବର୍ଷକୁ ପାଳନ କରୁଥିଲେ ବି ଆମର ଆଭ୍ୟନ୍ତରୀଣ ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ବଜାୟ ରଖିବାର ଦାୟିତ୍ୱ ବହନ କରୁଥିବା ପୁଲିସ, ସ୍ୱାଧୀନ ହୋଇପାରି ନାହିଁ। କେତେବେଳେ ରାଜନୀତି ଓ ସରକାରର ଚାପରେ ଚେପା ହେଉଛି ତ କେତେବେଳେ ସୋଶାଆଲ ମିଡିଆରେ ଅହେତୁକ ଟ୍ରୋଲର ଶିକାର ହେଉଛି ଆମ ପୁଲିସ ବ୍ୟବସ୍ଥା। ଆମ ରାଜ୍ୟ ଓଡ଼ିଶା କଥା କହିଲେ ତ ଏକ ଅସରନ୍ତି ପୋଥି ହେବ। ମୂଳ କଥାଟି ହେଲା, ଆମ ରାଜ୍ୟ ଏହି ୭୯ ବର୍ଷ ଭିତରେ ଏକ ସ୍ୱତନ୍ତ୍ର ପୁଲିସ ଆଇନ ତିଆରି କରିପାରି ନାହିଁ। ଆଜି ବି ପୁଲିସ ମୁଖିଆ ନିଯୁକ୍ତି ବେଳେ ରାଜନୀତିକ ହସ୍ତକ୍ଷେପ ନହେଲେ ଫାଇଲ ଆଗକୁ ବଢ଼ୁନାହିଁ। ଅର୍ଥାତ୍‍ ଆଜିବି ବାଜିରେ ଲାଗିଛି ଡିଜି ପଦବୀ।

ପୁଲିସ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରିତ ରଖିବା ରାଜ୍ୟମାନଙ୍କର ଏକ ମୌଳିକ ଅଧିକାର। ସମ୍ବିଧାନ ନିର୍ମାତାମାନେ ଏହାକୁ କେନ୍ଦ୍ର ସରକାରଙ୍କ କ୍ଷମତାର ବାହାରେ ରଖିଛନ୍ତି। ହେଲେ ଆଜିକୁ ଦେଶ ସ୍ୱାଧୀନ ହେବାର ୭୯ ବର୍ଷ ବିତିଗଲାଣି ଏବଂ ସ୍ୱତନ୍ତ୍ର ଓଡ଼ିଶା ଗଠନ ହେବାର ଏକ ଶତାବ୍ଦୀରୁ ଅଧିକ ସମୟ ଅତିବାହିତ ହୋଇଗଲାଣି, କିନ୍ତୁ ଓଡ଼ିଶା ନିଜ ପାଇଁ ଏକ ସ୍ୱତନ୍ତ୍ର ପୁଲିସ ଆଇନ ତିଆରି କରିପାରି ନାହିଁ। ବ୍ରିଟିଶ ଔପନିବେଶିକ ଶାସନ ସମୟରୁ ଚାଲିଥିବା ୧୮୬୧ ପୁଲିସ ଆଇନକୁ ଭିତ୍ତିକରି ଆଜି ବି ରାଜ୍ୟରେ ପୁଲିସ ଆଇନ ପରିଚାଳିତ ହେଉଛି। ଦେଶର ୧୮ ରାଜ୍ୟ ଏ ଭିତରେ ନିଜର ସ୍ୱତନ୍ତ୍ର ଆଇନ ଆଣି ନିଜ ଅନୁସାରେ ପୁଲିସ ଆଇନକୁ ଶାଣିତ କରିଛନ୍ତି ହେଲେ ଓଡ଼ିଶାରେ ଡିଜି ପୁଲିସ ନିଯୁକ୍ତିସମୟରେ ସାରା ଦେଶରେ ହୁରି ପଡ଼ୁଛି। ସେ ବିଜେଡିର ଶାସନ ହେଉ ବା ବିଜେପି ଶାସନ, ସବୁବେଳେ ଏଠାରେ ଡିଜି ପୁଲିସ ପଦବୀ ଯେ ନିରପେକ୍ଷ ନୁହେଁ ତାହାର ପ୍ରମାଣ ଦେଉଛି। ଆଜି ରାଜ୍ୟରେ ୩୯ ତମ ଡିଜି ପୁଲିସ ନିଯୁକ୍ତି ପାଇଁ ତର୍ଜମା ଚାଲିଥିବାବେଳେ ଏ ବିଷୟ ସୁପ୍ରିମକୋର୍ଟରେ ପହଞ୍ଚି ଦେଶବାସୀଙ୍କ ଭ୍ରୁକୁଞ୍ଚନ ସୃଷ୍ଟି କରିଛି।
ଏ ଚର୍ଚ୍ଚା ସରକାରଙ୍କ ଅପରିପକ୍ୱତାର ପରିଚୟ ଦେଉଛି କାରଣ ଏହି ପ୍ରକାର ବିବାଦକୁ ସରକାର ଚାହିଁଥିଲେ ବେଶ ଆଗରୁ ଏଡ଼ାଇପାରି ଥାଆନ୍ତେ। ଏ ପ୍ରକାର ପରିସ୍ଥିତି ଯେ ସରକାରରେ ପ୍ରତିଭାସମ୍ପନ୍ନ ଅଧିକାରୀଙ୍କ ଅଭାବକୁ ସାମ୍ନାକୁ ଆଣୁଛି ତାହା କହିବା ଭୁଲ ହେବ, ବରଂ ପ୍ରତିଭାକୁ ପରିଚାଳନା କରିବାରେ ସରକାରୀ ଦଳ ଓ କଳର ବିପର୍ଯ୍ୟୟ କହିଲେ ଅତ୍ୟୁକ୍ତି ହେବ ନାହିଁ।
ଏପରି ଚର୍ଚ୍ଚା ହେବାର ପୃଷ୍ଠିଭୂମି ହେଉଛି ଆସନ୍ତା ୧୬ ତାରିଖରେ ରାଜ୍ୟର ୩୮ତମ ପୁଲିସ ଡିଜି ଓ୍ୱାଇ ବି ଖୁରାନିଆ ଅବସର ନେବେ। ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବାରୁ ନୂଆ ଡିଜିପିଙ୍କୁ ନିଯୁକ୍ତି ଦେବାକୁ ହେବ। ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ଏବଂ ଧାର୍ଯ୍ୟ ନିୟମାବଳୀକୁ ଆଧାର କରି ରାଜ୍ୟ ସରକାର ୧୧ ଜଣ ଯୋଗ୍ୟ ଅଧିକାରୀଙ୍କ ନାଁ କେନ୍ଦ୍ରୀୟ ଲୋକସେବା ଆୟୋଗଙ୍କୁ ଦେଇଛନ୍ତି। ଏହାପରେ ସେହି ୧୧ ଜଣଙ୍କ ଭିତରୁ ୩ ଜଣଙ୍କ ନାଁକୁ ୟୁପିଏସ୍‍ସି ରାଜ୍ୟ ସରକାରଙ୍କୁ ସୁପାରିଶ କରିବା କଥା। ଏହି ସୁପାରିଶ ଆସିବା ପରେ ରାଜ୍ୟ ସରକାର ସେଥିରୁ ତାଙ୍କ ଇଚ୍ଛା ଅନୁସାରେ ଯାହାକୁ ଚାହିଁବେ ତାହାଙ୍କୁ ପୁଲିସ ଡିଜି ଦାୟିତ୍ୱ ଦେବେ। ହେଲେ ତାହା ହୋଇପାରୁ ନାହିଁ। ସରକାରଙ୍କ ପକ୍ଷରୁ ଯେଉଁଭଳି ଭାବରେ ପିଲାଳିଆମି ଦେଖାଇବାକୁ ଚେଷ୍ଟା କରାଯାଇଛି ତାହାକୁ ଦୁର୍ବଳତା ଭାବେ ଅନୁଭବ କରିଛନ୍ତି କିଛି ଚାପଗୋଷ୍ଠୀ। ଆଉ ସେହି ଅନୁସାରେ କୋର୍ଟଙ୍କ ହସ୍ତକ୍ଷେପରେ ସୃଷ୍ଟି ହୋଇଛି ପ୍ରକ୍ରିୟାରେ ଚର୍ଚ୍ଚା। ମାମଲା ଲଢ଼ୁଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ଆଉ ଆବେଦନକାରୀ ହୋଇଛନ୍ତି ବାମପନ୍ଥୀ ନେତା ତଥା ଚିଟ୍‍ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆନ୍ଦୋଳନରତ ଥିବା ଜୟନ୍ତ ଦାସ। ଏ ପ୍ରକାର ସଂଯୋଗ ସ୍ପଷ୍ଟ କରୁଛି ଯେ, ଏହାକୁ ନେଇ ବିରୋଧୀ ଦଳ ଏକ ରାଷ୍ଟ୍ରୀୟ ପ୍ରସଙ୍ଗ କରିବାକୁ ଚାହୁଁଛି। ଆଉ ଏହା କିପରି ରାଜ୍ୟ ପରିଚାଳନା କରିବ ତାହାକୁ ଅପେକ୍ଷା କରାଯାଇଛି।

ଓଡ଼ିଶାରେ ଡିଜି ପୁଲିସ

ରାଜ୍ୟ ପୁଲିସରେ ଡିଜି ପାହ୍ୟା ୧୯୮୫ ମସିହାରେ ଅନ୍ତର୍ଭୁକ୍ତ ହୋଇଥିଲା। ଏହା ପୂର୍ବରୁ ଆଇଜି ବା ଇନ୍‍ପେକ୍ଟର ଜେନେରାଲ ହିଁ ପୁଲିସ ବିଭାଗର ମୁଖ୍ୟ ଭାବେ ପରିଚିତ ହୋଇ ଆସୁଥିଲେ। ରାଜ୍ୟର ପ୍ରଥମ ଡିଜି ଭାବେ ଆଇପିଏସ୍‍ ଅଧିକାରୀ ସୁଧାଂଶୁ ଶେଖର ପାଢ଼ୀ ୧ ବର୍ଷ ୭ ମାସ ସମୟ ଦାୟିତ୍ୱ ନିର୍ବାହ କରିଥିଲେ। ଏହାଙ୍କ ପରେ ପ୍ରାୟ ୨୫ ଜଣ ଅଧିକାରୀ ପୁଲିସ ମୁଖିଆ ପଦବୀ ଅଳଂକୃତ କରିଛନ୍ତି। କିନ୍ତୁ ପ୍ରକାଶ ମିଶ୍ରଙ୍କ ଡିଜି ଥିବା ସମୟରେ ଯେଉଁଭଳି ଭାବେ ଏକ ପୁନଃ ନିର୍ବାଚିତ ସରକାର ତାଙ୍କୁ ପଦବୀରୁ ଚ୍ୟୁତ କରିଥିଲା ତାହା ନେଇ ଅନେକ ଚର୍ଚ୍ଚା ହୋଇଥିଲା। ଏହା ୨୦୧୨ ମସିହା କଥା। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ସରକାର ଗଠନ କରିଥାଏ। ଆପଣମାନେ ଜାଣନ୍ତି ଏହା ଏକ ବଳିଷ୍ଠ ଅମଲାତନ୍ତ୍ରୀଙ୍କ ଗୋଷ୍ଠୀ ଦ୍ୱାରା ପରିଚାଳିତ ହେଉଥିବା ସରକାର ଭାବେ ପରିଚିତ ଥିଲା। ଏହି ସମୟରେ ପ୍ରକାଶଙ୍କୁ ଯୋଗ୍ୟତା ଅନୁସାରେ ଡିଜି ନିଯୁକ୍ତ କରାଯାଇଥିଲା। ଦାୟିତ୍ୱ ନେବାର କିଛି ଦିନ ପରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେଲା। ଆଉ ପ୍ରକାଶ ମିଶ୍ରଙ୍କ କାର୍ଯ୍ୟକଳାପରେ ନିର୍ବାଚନ ମୁହାଁ ବିଜେଡି ଆଦୌ ସୁରକ୍ଷିତ ଅନୁଭବ କରିଲା ନାହିଁ। ପ୍ରକାଶଙ୍କ ଭାଷାରେ ସେ ପୁଲିସର ସ୍ୱଧୀନତାକୁ କ୍ଷୁର୍ଣ୍ଣ କରିବାକୁ ଚାହୁଁ ନଥିଲେ। ଅନେକ ଧରପଗଡ଼ ହୋଇଥିଲା। କିନ୍ତୁ ବିଜୁ ଜନତା ଦଳ ୨୦୧୪ ନିର୍ବାଚନରେ ପୁଣିଥରେ ସରକାରକୁ ଆସିଥିଲା। ଏହା ପ୍ରକାଶଙ୍କ ପାଇଁ ବଡ଼ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଥିଲା। ପ୍ରକାଶଙ୍କୁ ତୁରନ୍ତ ଡିଜି ପଦବୀରୁ ବାହାର କରାଯାଇ ତାଙ୍କୁ ଏକ ଅଣ ପୁଲିସ ଦାୟିତ୍ୱ ଦିଆଯାଇଥିଲା। ତାଙ୍କ ନାଁରେ ପୂର୍ବର ଏକ ଅଭିଯୋଗକୁ ତାଜା କରାଯାଇ ମିଡିଆରେ ଜଣେ ଦୁର୍ନୀତିଗ୍ରସ୍ତ ଅଫିସରର ଚିହ୍ନ ଲଗାଇବାକୁ ଚେଷ୍ଟା କରାଯାଇଥିଲା।
ଏ ନେଇ ସାରା ଦେଶରେ ବଡ଼ ଚର୍ଚ୍ଚା ହୋଇଥିଲା। ହେଲେ କେନ୍ଦ୍ର ସରକାର ଏହିସମୟରେ ତାଙ୍କୁ ସିବିଆଇ ନିର୍ଦ୍ଦେଶକ ଦାୟିତ୍ୱ ଦେବା ପାଇଁ ସ୍ଥିର କଲେ। କିନ୍ତୁ ଏଥିରୁ ବିରତ ରହିବା ଲାଗି ତାଙ୍କ ବିରୋଧରେ ଅନେକ ଅଭିଯାନ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଥିଲା। ଯାହା ଏକ ଚର୍ଚ୍ଚିତ ଅଧ୍ୟାୟ। ଆଜି ସେହି ବ୍ୟକ୍ତି ରାଜ୍ୟ ସରକାରଙ୍କ ପରାମର୍ଶଦାତା। ଅର୍ଥାତ୍‍ ପ୍ରକାଶ ମିଶ୍ରଙ୍କୁ ନବ ନିର୍ବାଚିତ ବିଜେପି ସରକାର ନିଜର ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି। ଏ ଭିତରେ ଦୁଇବର୍ଷରୁ ଅଧିକ ସମୟ କାର୍ଯ୍ୟ ଅତିବାହିତ ହୋଇଛି କିନ୍ତୁ ରାଜ୍ୟ ପୁଲିସରେ ଆସିଥିବା ଏହି ଏଡ଼ାଇ ହୋଇପାରିବା ବିବାଦକୁ ସରକାର ପ୍ରସାରିତ ହେବାଠୁ ରୋକି ପରିନାହାନ୍ତି। ଯାହାଫଳରେ ଆଜି ସାରା ଦେଶରେ ଏ ନେଇ ଓଡ଼ିଶା ଚର୍ଚ୍ଚିତ ହୋଇଛି। ଏହା ତାଙ୍କର ଖାମଖଆଲି ବା ଅପରିପକ୍ୱତା ବୋଲି ବି କୁହାଯାଉଛି।

କ’ଣ ରହିଛି ଡିଜି ନିଯୁକ୍ତି ନିୟମ?

ଡିଜି ପଦବୀକୁ ରାଜନୀତିକ ଚାପରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ୨୦୦୬ ମସିହାରେ ସୁପ୍ରିମକୋର୍ଟ ଏକ ନିର୍ଦ୍ଦେଶାବଳୀ ଦେଇଥିଲେ। ଏହା ଏକ ୭ ସୂତ୍ରୀ ସଂସ୍କାର ପରାମର୍ଶ ଥିଲା, ଯାହାକୁ ରାଜ୍ୟଓ କେନ୍ଦ୍ର ସରକାରଙ୍କୁ ମାନିବାକୁ କୁହାଯାଇଥିଲା। ଏପରିକି ରାଜ୍ୟଗୁଡ଼ିକ ନିଜ ନିଜ ଆଇନ ଏହି ଅନୁସାରେ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ସେପ୍ଟେମ୍ବର ୨୨, ୨୦୦୬ ମସିହାରେ ପ୍ରଦାନ କରାଯାଇଥିବା ଏହି ନିର୍ଦ୍ଦେଶାବଳୀରେ ଥିବା ୭ ସୂତ୍ରୀ ସଂସ୍କାର ଅନୁସାରେ ଜଣେ ଡିଜି ପୁଲିସଙ୍କୁ ନିଯୁକ୍ତି ଦେବାପରେ ସର୍ବନିମ୍ନ ୨ ବର୍ଷ ଯାଏ ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରାଯାଇପାରିବ ନାହିଁ। ଏପରିକି ତାଙ୍କ ଅବସର ତାରିଖ ହୋଇଥିଲେ ମଧ୍ୟ ତାଙ୍କ ଚାକିରିକାଳକୁ ବଢ଼ାଇବାର ବ୍ୟବସ୍ଥା ଏଠାରେ କରାଯାଇଛି। ପୁଣି ଏ ନିଯୁକ୍ତି ମନ ଇଚ୍ଛା ହେବ ନାହିଁ। ବରିଷ୍ଠତା ଭିତ୍ତିରେ ୟୁପିଏସ୍‍ସି ଦେଇଥିବା ତିନୋଟି ନାଁ ଭିତରୁ ଗୋଟିଏ ନାଁକୁ ବାଛିବାକୁ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ଅନୁସାରେ ଏବେ ରାଜ୍ୟ ସରକାର ୧୧ ଜଣ ବରିଷ୍ଠ ଅଧିକାରୀଙ୍କ ନାଁ ୟୁପିଏସ୍‍ସିଙ୍କୁ ସୁପାରିଶ କରିଥିଲେ। ଏହି ୧୧ ଜଣଙ୍କ ଭିତରୁ ୩ ଜଣ ଅଧିକାରୀଙ୍କ ନାଁ ବାଛିବାକୁ ନିର୍ଦ୍ଧାରିତ ପ୍ୟାନେଲ ବୈଠକ ବସିଥିଲା। ଅଗଷ୍ଟ ୭ ତାରିଖରେ ବସିଥିବା ଏହି ବୈଠକରେ କିନ୍ତୁ ରାଜ୍ୟ ସରକାର ତାଲିବା ବଦଳାଇବାକୁ ଚାହିଁଥିବା ଅଭିଯୋଗ ହୋଇଛି। ଏପରିକି ଦୁଇଜଣ ଅଧିକାରୀ ଡିଜି ପାହ୍ୟାରେ ନଥାଇ ତାଙ୍କୁ ପ୍ୟାନେଲ୍‍ ଯୋଡ଼ିବାର ଉଦ୍ୟମ ହୋଇଥିବା କୁହାଯାଇଛି। ଏହାକୁ ନେଇ ଆଇନଗତ ବିବାଦ ହେବାରୁ ପରବର୍ତ୍ତୀ ସମୟରେ ତସେହି ଦୁଇ ଅଧିକାରୀଙ୍କୁ ଡିଜି ପାହ୍ୟାକୁ ମଧ୍ୟ ପଦୋନ୍ନତି ଦିଆଯାଇଛି। ଏହିପରି ବ୍ୟବସ୍ଥାକୁ କେହି କେହି ରାତିଅଧିଆ ନିଷ୍ପତ୍ତି ତଥା ଉଦ୍ଦେଶ୍ୟମୂଳକ ଅଭିସନ୍ଧି ବୋଲି କହିଛନ୍ତି। ଏସବୁ ବିଷୟ ଜଳଜଳ ରାଜନୀତିକ ଚାପକୁ ସାମ୍ନାକୁ ଆଣୁଥିବାରୁ ଏହାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାବଳୀର ଅବମାନନା ବୋଲି ଗ୍ରହଣ କରି ବାଲେଶ୍ୱରରର ଜୟନ୍ତ ଦାସ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୨୦୦୬ ଏହି ନିର୍ଦ୍ଦେବଳୀକୁ ଗ୍ରହଣ କରି ୧୮ ରାଜ୍ୟ ନିଜ ନିଜର ଆଇନ ପ୍ରସ୍ତୁତ କରି ସାରିଛନ୍ତି। କିନ୍ତୁ ଓଡ଼ିଶା ଏଥିରୁ ଏଯାଏ ଇଚ୍ଛାକୃତ ବିରତ ରହିଛି। ୨୦୧୬ ମସିହାରେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ପୁଲିସ ଆଇନ ପ୍ରସ୍ତୁତ କରିଥିଲେ ମଧ୍ୟ ତାହା ରାଜ୍ୟପାଳଙ୍କ ଅନୁମତି ପ୍ରାପ୍ତ କରିପାରି ନାହିଁ। ବିରୋଧୀ ଦଳର ବିନା ଉପସ୍ଥିତିରେ ବିଧାନସଭାରେ ଏହି ଆଇନ ପରିତ କରାଯାଇଥିବାରୁ ତତ୍‍କାଳୀନ ରାଜ୍ୟପାଳ ଏସ୍‍ସି ଜମୀର ଏହି ବିଧେୟକକୁ ପୁଣିଥରେ ବିଚାର ପାଇଁ ଫେରସ୍ତ କରି ନେଇଛନ୍ତି। ଏ ଭିତରେ ବିଜେଡି ସରକାର ଯାଇ ବିଜେପି ଆସିଛି କିନ୍ତୁ ରାଜ୍ୟରେ ନୂଆ ପୁଲିସ ଆଇନ କେବଳ ସ୍ୱପ୍ନ ହୋଇ ରହିଛି। ପୁଣି ଯେଉଁ ପୁଲିସ ଡିଜିଙ୍କ ନିଯୁକ୍ତିକୁ କେନ୍ଦ୍ରକରି ତତକାଳୀନ ବିବାଦୀୟ ସରକାର ଏହି ବିଧେୟକ ଆଣିଥିଲେ ସେ ଏବେ ରାଜ୍ୟ ସରକାରଙ୍କ ପରାମର୍ଶଦାତା ହୋଇ ମଧ୍ୟ ଏ ସମ୍ବନ୍ଧୀୟ ଆଇନ ଆସିପାରି ନାହିଁ। ଅର୍ଥାତ୍‍ ଆମେ ସେହି ଓପନିବେଶିକ ୧୮୬୧ ପୁଲିସ ଆଇନ ଅନୁସାରେ ବ୍ୟବସ୍ଥାକୁ ଶାସନ କରି ଆସୁଛୁ। ଯଦି ନୂଆ ଆଇନ ହୁଏ ତେବେ ରାଜ୍ୟରେ କେଉଁ ନୂଆ ବ୍ୟବସ୍ଥା ସୃଷ୍ଟି ହେବ ଆସନ୍ତୁ ନଜର ପକାଇବା।
(୧) ରାଜ୍ୟ ସୁରକ୍ଷା କମିଶନ
ପୁଲିସ ବ୍ୟବସ୍ଥାକୁ ରାଜନୀତିକ ଚାପରୁ ମୁକ୍ତ କରିବା ଲାଗି ସୁପ୍ରିମକୋର୍ଟ ରାଜ୍ୟମାନଙ୍କୁ ଏକ ସୁରକ୍ଷା କମିଶନ ଗଠନ ଲାଗି ପରାମର୍ଶ ଦେଇଛନ୍ତି। ଏହି କମିଶନରେ ରାଜନେତା, ବିଚାରବିଭାଗୀୟ ଅଧିକାରୀ ଏବଂ ସିଭିଲ ସୋସାଇଟିର ସଦସ୍ୟଙ୍କୁ ଅନ୍ତର୍ଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ରହିଛି। ଏହା ପୁଲିସ ବିଭାଗକୁ ନିୟନ୍ତ୍ରିତ କରିବ। ଏଣୁ ସରକାରଙ୍କ ପ୍ରତ୍ୟକ୍ଷ ଚାପମୁକ୍ତ ହେବ।
(୨) ଡିଜି ନିଯୁକ୍ତି
ପୁଲିସ ଡିଜି ନିଯୁକ୍ତି ଏବଂ ବହିଷ୍କାରକୁ ଏଥିରେ ଧ୍ୟାନ ଦିଆଯାଇଛି। ୟୁପିଏସ୍‍ସିଙ୍କ ପ୍ୟାନେଲକୁ ଏଥିରେ ଗୁରୁତ୍ୱ ଦିଆଯାଇଛି। ପୁଣି ଡିଜି ଥରେ ନିଯୁକ୍ତି ହେଲେ ତାଙ୍କୁ ୨ ବର୍ଷ ଯାଏ କାର୍ଯ୍ୟ କରିବାର ସ୍ୱାଧୀନତା ରହିଛି। ଏହି ନିୟମ ଏବେ ଲାଗୁ ହୋଇଥିଲେ ମଧ୍ୟ ଅନେକ ସମୟରେ ତାହାକୁ ସାଲିସ କରାଯାଉଛି। କାର୍ଯ୍ୟ ନିର୍ବାହୀ ଡିଜି ଭାବେ ନିଜ ନିଜର ଭରସା ଯୋଗ୍ୟ ଅଧିକାରୀଙ୍କୁ ବିନା ଯୋଗ୍ୟତାରେ ମଧ୍ୟ ନିଯୁକ୍ତି ଦିଆଯାଉଛି।
(୩) ଅଧିକାରୀଙ୍କ ସର୍ବନିମ୍ନ କାର୍ଯ୍ୟକାଳ
ଯେଉଁଭଳି ଭାବେ ବଦଳି ନୀତି କାର୍ଯ୍ୟ ହେଉଛି ସେଥିରୁ ବିରତ ରହିବା ଲାଗି ସୁପ୍ରିମ କୋର୍ଟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଏସ୍‍ପି ବା ଥାନାଧିକାରୀଙ୍କ ସର୍ବନିମ୍ନ କାର୍ଯ୍ୟକାଳ ୨ ବର୍ଷ ସ୍ଥିର କରିଛନ୍ତି। ଡିଆଇଜି, ଆଇଜିମାନେ ମଧ୍ୟ ଏମୟ ମଧ୍ୟ ବଦଳି ହୋଇପାରିବେ ନାହିଁ।
(୪) ଆଇନ ଶୃଙ୍ଖଳା ଅଲଗା ତଦନ୍ତ ପ୍ରକ୍ରିୟା ଅଲଗା
ଆଇନ ଶୃଙ୍ଖଳାକୁ ତଦନ୍ତ ପ୍ରକ୍ରିୟାରୁ ବାଦ ଦେବା ପାଇଁ ସୁପ୍ରିମ କୋର୍ଟ ସ୍ୱତନ୍ତ୍ର ବ୍ୟବସ୍ଥା ଆପଣାଇବାକୁ ପରାମର୍ଶ ଦେଇଛନ୍ତି। କିନ୍ତୁ ଏ ବ୍ୟବସ୍ଥା ଏଯାଏ ରାଜ୍ୟରେ କାର୍ଯ୍ୟକାରୀ ହୋଇପାରି ନାହିଁ। ଏଥିପାଇଁ ଅଧିକ ପୁଲିସବଳର ଆବଶ୍ୟକତା ପଡ଼ିବ ବୋଲି ସରକାର ଆଶଙ୍କା କରିଛନ୍ତି।
(୫) ପୁଲିସ ଏଷ୍ଟାବ୍ଲିଶମେଣ୍ଟ ବୋର୍ଡ
ଅନେକ ରାଜ୍ୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଏହି ବ୍ୟବସ୍ଥା ଅନୁସାରେ ଡିଜି ଏବଂ ଅନ୍ୟ ଉଚ୍ଚପଦସ୍ଥ ଅଧିକାରୀଙ୍କ ନେତୃତ୍ୱରେ ଏକ ବୋର୍ଡ ରହିବ। ଏହି ବୋର୍ଡ ଡିଏସ୍‍ପି ତଳ ପାହ୍ୟା ଅଧିକାରୀଙ୍କ ବଦଳିପୋଷ୍ଟିଂ ଏବଂ କର୍ଯ୍ୟ ସମ୍ପର୍କରେ ଅନୁଧ୍ୟାନ କରି ନିଷ୍ପତ୍ତି ନେବ।
(୬)ପୁଲିସ ଅଭିଯୋଗ ପ୍ରାଧିକରଣ
କେବଳ ପୁଲିସ ଯେ ଚାପଗ୍ରସ୍ତ ହେଉଛି ତାହା ନୁହେଁ, ପୁଲିସ ଚାପରେ ମଧ୍ୟ ସାଧାରଣ ଜନତା ଅତିଷ୍ଠ ରହିଛନ୍ତି। ଏଣୁ ଏ ବ୍ୟବସ୍ଥାରେ ସଂସ୍କର ପାଇଁ ସୁପ୍ରିମ କୋର୍ଟ ୨୦୦୬ ମସିହାରେ ଏକ ପୁଲିସ ଅଭିଯୋଗ ପ୍ରାଧିକରଣ ପ୍ରତିଷ୍ଠା ଲାଗି ପରାମର୍ଶ ଦେଇଥିଲା। ଜିଲ୍ଲାସ୍ତରରୁ ଆରମ୍ଭ କରି ରାଜ୍ୟସ୍ତରରେ ଏହାକୁ କାର୍ଯ୍ୟକାରୀ କରିବାର ପରାମର୍ଶ ଦିଆଯାଇଥିଲା।
(୭) ଜାତୀୟ ସୁରକ୍ଷା କମିଶନ
କେବଳ ରାଜ୍ୟ ପୁଲିସ ନୁହେଁ କେନ୍ଦ୍ରୀୟସ୍ତରରେ କାର୍ଯ୍ୟ କରୁଥିବା ପୁଲିସ ବାହିନୀ ଯେମିତି କେନ୍ଦ୍ରୀୟ ସଶସ୍ତ୍ର ପୁଲିସବଳ, ସୀମା ସଚରକ୍ଷା ବଳ, କେନ୍ଦ୍ରୀୟ ସଂରକ୍ଷିତ ପୁଲିସବଳ, ସିବିଆଇକୁ ନିରପେକ୍ଷ ଓ ସ୍ୱାଧୀନ ରଖିବା ଲାଗି ଏହି କମିଶନର ପରାମର୍ଶ ଦେଇଥିଲେ ସୁପ୍ରିମ କୋର୍ଟ। ଏହି ଅନୁସାରେ କେନ୍ଦ୍ର ସରକାର ଜାନୁୟାରୀ ୨, ୨୦୧୭ ମସିହାରେ ଜାତୀୟ ସୁରକ୍ଷା ଆୟୋଗ ଗଠନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଏହାର ଅଧ୍ୟକ୍ଷ ରହିଛନ୍ତି।
ପ୍ରଶ୍ନ ହେଉଛି, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଆଖିରେ ରଖି ରାଜ୍ୟ ସରକାର କ’ଣ ଏକ ସ୍ୱତନ୍ତ୍ର ପୁଲିସ ଆଇନ ଆଣିବା ଉଚିତ ନୁହେଁ? ବିଜେଡି ସମୟରେ ଯେଉଁ ଆଇନକୁ ବିରୋଧ କରୁଥିଲେ ତାହାକୁ ସଂଶୋଧନ କରିବାକୁ କ’ଣ ରାଜ୍ୟ ସରକାରଙ୍କୁ ସମୟ ମିଳୁ ନାହିଁ? ଯେଉଁ ଡିଜିଙ୍କୁ ପ୍ରତ୍ୟାହାରକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା ସେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ କରୁଛନ୍ତି କ’ଣ?

LEAVE A REPLY

Please enter your comment!
Please enter your name here

Popular Articles