ଜୀତ ପଟ୍ଟନାୟକ
ବାତ୍ୟା ଆନ୍ଧ୍ରରେ ପ୍ରଳୟ କରୁଥିବା ବେଳେ ଓଡ଼ିଶାରେ କୋହଲା ପାଗ । ରାଜଧାନୀରେ ପ୍ରବଳ ଧୂଳି ଗରମରୁ ସାମାନ୍ୟ ନିସ୍ତାର ମିଳିଥିବା ବେଳେ ମଞ୍ଚେଶ୍ୱରରେ ପାତ୍ର ବାବୁ ଚା’ ଦୋକାନ ଆଗରେ ଭିଡ଼ ଜମିଥାଏ । ଚା’ ଦୋକାନରେ ଅସଲ ତାତି କିରୋସିନି ଗରମ ଚା ତସଲାରୁ ନ ବାହାରୁ ଚଙ୍ଗୁ, ମଙ୍ଗୁ ଆଉ ଫେକୁ ଲାଲ୍ଙ୍କ ଠାରୁ ବାହାରୁ ଥିଲା ।
ଚଙ୍ଗୁ ତାର ପାଞ୍ଚ ଟଙ୍କିଆ ବିସ୍କୁଟ୍କୁ ଚା’ ଗ୍ଲାସ୍ ଉପରେ ଠକ୍ ଠକ୍ କରି ବାଡ଼ଉଥିଲା। ମଙ୍ଗୁ ନିଜ ଅଧା ଚା’ ଗ୍ଲାସକୁ ଏମିତି କାନ୍ଦ କାନ୍ଦ ହୋଇ ଚାହିଁ ରହିଥିଲା, ଯେମିତି କେହି ଜଣେ ତାର ସଞ୍ଚିତ ଟଙ୍କା ଲୁଟି ନେଇଛି। ଆଉ ଖାନଦାନି ପୁରୁଣା ସଫାରି ସୁଟ୍ ପିନ୍ଧିଥିବା ଫେକୁ ଲାଲ୍ ତାର ମଟର ସାଇକେଲକୁ ଆଗ ହେଡ୍ ଲାଇଟ୍ରେ ଖୋସିଥିବା କନା ବିଣ୍ଡାକୁ କାଢ଼ି ପୋଛିବାରେ ବ୍ୟସ୍ତ ।
ଏତିକି ବେଳେ ଚଙ୍ଗୁ ବଡ ପାଟିରେ ଚିଲେଇକି କହିଲା ଶ‘ ବିସ୍କୁଟାକୁ ବି ଛୋଟ କରିଦେଲ। “ଛଅ ମାସ ତଳେ ଏଇ ବିସ୍କୁଟ୍ ଧାରରେ ବାରଟା ଗାର ଥିଲା। ମୁଁ ନିଜେ ଗଣିଛି। ଆଉ ଆଜି? ଦଶଟା ଗାର। ବ୍ୟାସାର୍ଦ୍ଧ ବି ତିନି ମିଲିମିଟର କମିଗଲାଣି। ରେଟ୍ ସମାନ ରଖି ଶ’ ବିସ୍କୁଟ୍କୁ ସାନ କରି ଦେଇଛନ୍ତି । ମଙ୍ଗୁ କହିଲା ସାଙ୍ଗ ଏହା ସିଧା ଡକାୟତି । ଆଖିରେ ଆଙ୍ଗୁଠି ଗେଞ୍ଜିକି ଟଙ୍କା ନେଉଛନ୍ତି । ଆଉ କହୁଛନ୍ତି ବେଟର୍ ଦିନ ଆସିଲା ବୋଲି ।
ପୁଣି ମଙ୍ଗୁ କିହା“ତୁ ଅଟା- ସୁଜି-ମଇଦା ପାଇଁ କାନ୍ଦୁଛୁ,” “ୟୁନିଟ୍-ୱାନ୍ ପଛ ପରିବା ମାର୍କେଟ୍କୁ ଟିକେ ଯାଇକି ଦେଖିବୁ ଯା। କାଲି ମୁଁ ଗୋଟେ କିଲୋ ପୋଟଳ ମାଗିଲି। ମାତ୍ର ଦୁଇ କିଲୋ। ବେପାରୀଟା ମତେ ଉପରୁ ତଳ ଯାଏଁ ଚାହିଁଲା, ଆଉ ପଚାରିଲା ହୋମ୍ ଲୋନ୍ ଆପ୍ରୁଭ୍ ହେଇଛି କି ନାହିଁ। କହିଲା, ‘ବାବୁ, ଖାଲି ଦେଖିବାକୁ ଆସିଛ ଯଦି ପୋଟଳ ଚିପାଚିପି କରନି।’ ଶେଷରେ ଅଧା ବନ୍ଧାକୋବି ଧରି ଘରକୁ ଫେରିଲି ଆଉ ସ୍ତ୍ରୀ ଆଗରେ ହାତ ଯୋଡ଼ି ଠିଆ ହେଲି।”
ପାତ୍ର ବାବୁ ତେରଛା ଷ୍ଟିଲ୍ ବାଲା ଥର୍ମଫ୍ଲାସର ବଡ ଭାଇ କେଟିଲିରୁ ଗୁଜୁରାତି ମିଶା କ୍ଷୀର ଚା’, ତିନିଟା ଛୋଟ ଗ୍ଲାସ୍କୁ ଢାଳି ତାଚ୍ଛଲ୍ୟ କରି କହିଲା, “ହଇଓ ବାବୁମାନେ, ପାଟିତୁଣ୍ଡ ବନ୍ଦ କରନ୍ତୁ। ଅଦା କିଲୋ ଦୁଇ ଶହ ଟଙ୍କା ଛୁଇଁଲାଣି। ଚା’ରେ ଯଦି ଅଧିକ ଚିନି ଦରକାର, ପଚାଶ ପଇସା ଅଲଗା ଦିଅନ୍ତୁ, ନହେଲେ ମିଠା ମିଠା ବୋଲି କହି ଆଖୁ କୁ ମନେ ପକେଇ କାମ ଚଳାନ୍ତୁ।”
ଫେକୁ ଲାଲ୍ ଶେଷରେ ତାର ଚା’ ଗ୍ଲାସ୍କୁ ସିମେଣ୍ଟ ବେଞ୍ଚ ଉପରେ ଶବ୍ଦ କରି ରଖି ଗଳା ଖଙ୍କାରି ଗୋଟେ ଲମ୍ବା କାଶଟେ ମାରିଲା । କହିଲା “ତୁମ ଦୁଇଜଣଙ୍କର ଅର୍ଥନୀତି ବୁଝିବା ଶକ୍ତି ପୂରା ପଙ୍କଚର୍ ହୋଇଯାଇଛି । ଖାଲି ଫ୍ଲାଟ୍ ଚକାରେ ଗାଡି ଗଡ଼ଉଛ । “ତୁମେ ଭାବୁଛ ମହଙ୍ଗା ମାଡ଼ ଗୋଟେ ସମସ୍ୟା? ତୁମେ ଭାବୁଛ ବଜାର ଦର ଆପେ ଆପେ ବଢ଼ୁଛି? ମୂର୍ଖ ସବୁ। ଏସବୁ ଗୋଟେ ରଣନୀତି। ଗତ ମଙ୍ଗଳବାର ଦିନ ମୁଁ ବିଜୁ ପଟ୍ଟନାୟକ ଏୟାରପୋର୍ଟର ଭିଆଇପି ଲାଉଞ୍ଜ୍ରେ ବସିଥିଲି”। ମଙ୍ଗୁ ଚିହିଁକି ଉଠିଲା କହିଲା ଫେକୁ ଆଉ ଫିଙ୍ଗି ନା । ତୁ ତ ମାଷ୍ଟର କ୍ୟାଣ୍ଟିନ୍ ଛକରେ ମୋ ବସ୍କୁ ଅପେକ୍ଷା କରିଥିଲୁ। ମୁଁ ବାଇକ୍ରେ ଆସିଥିବା ବେଳେ ଦେଖିଲି। ତୋ ପାଖରେ ହେଲେମେଟ୍ ନଥିଲା ବୋଲି ମୁଁ ବି ମୁହଁ ଲୁଚେଇକି, ବୁଲେଇକି ଗଳି ରାସ୍ତାରେ ପଳେଇ ଆସିଲି ।
“—ଆଉ ସେଠି କିଏ ଆସି ପହଞ୍ଚିଲେ ଜାଣିଛ?” ମଙ୍ଗୁ କଥାକୁ ଖାତିର ନକରି ଫେକୁ ଆଗକୁ ବଢ଼ିଲା। “ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା। ସେ ମତେ ଦେଖିଲେ, ୨୦୧୮ ବାରବାଟୀ ମ୍ୟାଚ୍ରୁ ଚିହ୍ନି ପକାଇଲେ, ମୋ ପାଖରେ ବସି କହିଲେ, ‘ଫେକୁ ବାବୁ, ଲୋକେ ବିଲାତି ଦର ବଢ଼ିଲା ବୋଲି ବହୁତ କାନ୍ଦୁଛନ୍ତି। ଆମେ କ’ଣ କରିବା?’ ମୁଁ ତାଙ୍କୁ କହିଲି, ହାକିମ ବାବୁ, ବିଲାତି କିଲୋ ତିନି ଶହ ଟଙ୍କା କରିଦିଅନ୍ତୁ।”
ଚଙ୍ଗୁର ଚା’ ମିଶା ବିସ୍କୁଟ୍ ତଣ୍ଟିରେ ଲାଗିଯିବା ଉପରେ ହେଲା। “ତୁ ତାଙ୍କୁ ବିଲାତି ଆହୁରି ମହଙ୍ଗା କରିବାକୁ କହିଲୁ?”
“ମୁଣ୍ଡ ଖଟାଅ ଚଙ୍ଗୁ, ମୁଣ୍ଡ ଖଟାଅ।” କପାଳରେ ଆଙ୍ଗୁଠି ବାଡ଼େଇ ଫେକୁ କହିଲା। “ବିଲାତି ଶସ୍ତା ଥିଲେ ତୁମେ କ’ଣ କର? ଦୁଇ କିଲୋ କିଣି ଆଣି ଖଟା ବନାଅ, ଆଉ ଅଧା ଫ୍ରିଜ୍ ପଛପଟେ ସଢ଼ିବାକୁ ଛାଡ଼ିଦିଅ। ଖାଦ୍ୟ ନଷ୍ଟ। କିନ୍ତୁ ବିଲାତି ଯେତେବେଳେ ତିନି ଶହ ଟଙ୍କା ହେବ, ମଣିଷ ଠିକ୍ ଗୋଟିଏ ବିଲାତି କିଣିବ। ତାକୁ ନେଇ ଠାକୁର ଘରେ ରଖିବ। ସର୍ଜିକାଲ୍ ବ୍ଲେଡ୍ରେ କାଟିବ। ତରକାରୀଠାରୁ ଦୂରରେ ରଖି ତାକୁ ଖାଲି ଦେଖେଇଦେବ, ଯେମିତି ବିକିରଣ (ରେଡିଏସନ୍) ଜରିଆରେ ବାସ୍ନା ପଶିଯିବ। ଫଳାଫଳ କ’ଣ ହେବ? ଖାଦ୍ୟ ଟିକିଏ ବି ନଷ୍ଟ ହେବନି, ଜିଡିପି ଦୁଇଗୁଣା ହେବ, ଆଉ ଲୋକଙ୍କ ଚରିତ୍ର ବି ସୁଧୁରିବ।”
“ଆଉ ଶୋରିଷ ତେଲ?” ଥଟ୍ଟା କରି ମଙ୍ଗୁ ପଚାରିଲା। “ଅଧ ଲିଟର ସୋରିଷ ତେଲ ପାଇଁ ବି ସୁନା ଦର ନେବାକୁ ପରାମର୍ଶ ଦେଇଥିଲୁ କି?”
ଫେକୁ ଗମ୍ଭୀର ହୋଇ କହିଲା “ସେଇଟା ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ କରିବାକୁ ପଡିବ,” । “ବେଶୀ ତେଲ ଖାଇଲେ କୋଲେଷ୍ଟ୍ରଲ ବଢ଼େ। ତେଲ ଛଣା ଜିନିଷର ଦର ବଢ଼େଇ ସରକାର ଗୋଟେ ପ୍ରକାର ତମକୁ ମାଗଣାରେ ସ୍ୱାସ୍ଥ୍ୟବାନ୍ କରୁଛନ୍ତି । ଆରେ, ଆଜି ସକାଳେ ପଟିଆର ଜଣେ ବଡ଼ ବିଲ୍ଡର ମତେ ଫୋନ୍ କରିଥିଲା। ସେ କୁଆଡ଼େ ବିନା ରୋଷେଇ ଘରେ ୱାନ୍-ବିଏଚ୍କେ ଫ୍ଲାଟ୍ ବିକିବାକୁ ଚାହୁଁଛି। କାହିଁକି? କାରଣ ଘରେ ରନ୍ଧାବଢ଼ା କରିବା ଏବେ ଗଲ୍ଫ ଖେଳିବା ଭଳି ଏକ ଅମୀରୀ ସଉକ ହୋଇଗଲାଣି। ସେ କହିଲା, ‘ଫେକୁ ଭାଇ, ଆମେ ଖାଲି ଦୁଇ ପ୍ୟାକେଟ୍ ନୁଡୁଲ୍ସ୍ ଆଉ କେଟିଲି ରଖିବା ପାଇଁ ଗୋଟେ ଛୋଟ ସେଲ୍ଫ୍ ବନେଇଦେବୁ।’”





