Saturday, October 31, 2026
spot_imgspot_img

Top 5 This Week

spot_img

Related Posts

ସିନେମା ବିଶ୍ୱ: ସୀତା ବିବାହ, ଓଡ଼ିଆ ଜାତି ପାଇଁମୁକୁଟ ବିହୀନ ଗୌରବ

ଯେ କୌଣସି କାର୍ଯ୍ୟର ଆରମ୍ଭ ଅନେକ କଠିନ, କଷ୍ଟଦାୟକ ଓ ବିବାଦୀୟ ହୋଇଥାଏ I ସେ ଭାସ୍କୋଡାଗାମାଙ୍କ ପୃଥିବୀ ପରିକ୍ରମା ହେଉ, କି ଫ୍ରେଞ୍ଚ ରିଭଲଉସନ ହେଉ, ଭାରତର ସ୍ୱାଧୀନତା ସଂଗ୍ରାମ ହେଉ ଅବା ଇସ୍ରୋର ମହାକାଶ ଯାତ୍ରା; ଅଥବା ଆମ ସମୟରେ ଚଳଚ୍ଚିତ୍ରର ବିକାଶ…। ଏ ସବୁଥିରେ ରହିଛି ଦୃଢ଼ ନିଷ୍ଠା ଓ ଏକାଗ୍ରତା।
ଆମେ ସ୍ତମ୍ଭରେ ଆଲୋଚନା କରିବା ଆମର ସମୃଦ୍ଧ ବିଶ୍ୱ, ଭାରତୀୟ ବିଶେଷକରି ଓଡ଼ିଆ ସିନେମାର ସୂର୍ଣ୍ଣିମ ଇତିହାସ ବାବଦରେ। ଏହା ଏମିତି ଏକ ବିଷୟ ଯାହା ଆଜି ବି ଚଳନ୍ତିକା।
ପ୍ରଥମରୁ ଆମର ମହାନ ସିନେମା ସୀତା ବିବାହକୁ ମନେ ପକାଇବା ଆମର କର୍ତ୍ତବ୍ୟ ଓ ଏ ଦୃଷ୍ଟିକୋଣରୁ ଏହା ପ୍ରଯୁଜ୍ୟ ମଧ୍ୟ। ଓଡ଼ିଆ ଭାଷାକୁ ଭିତ୍ତିକରି ଯେତେବେଳେ ସାରା ରାଜ୍ୟରେ ଅସ୍ମିତା ଜାଗ୍ରତ ହେଉଥିଲା, ଆମେ ଆମ ଭାଷା, ସଂସ୍କୃତି ଦୃଷ୍ଟିରୁ ଏକ େବାଲି କହିବୁଲିବାକୁ ଗର୍ବ ଅନୁଭବ କରୁଥିଲୁ ଆଉ ତାହାକୁ ହକ୍‍ ବୋଲି କହି ଇଂରେଜଙ୍କଠାରୁ ନିଜର ସ୍ୱତନ୍ତ୍ର ରାଜ୍ୟ ହାସଲ କରିଲୁ, ସେହି ସମୟରେ ‘ସୀତା ବିବାହ’ ଆମକୁ ଏକ ନୂଆ ଦୁନିଆକୁ ନେବାପାଇଁ ବାଟ ଦେଖାଇଲା। ସେ ଦୁନିଆ ଦିଲା ପର୍ଦ୍ଦା ଉପରେ ଅଭିନୟର ଦୁନିଆ। ଆଲୁଅ, ଅଭିନୟ ଆଉ କ୍ୟାମେରାର ଦୁନିଆ…।
ଏହା ୧୯୩୬ ମସିହା ଏପ୍ରିଲ ମାସ ୨୮ ତାରିଖ କଥା। ସାରା ରାଜ୍ୟ ସ୍ୱତନ୍ତ୍ର ରାଜ୍ୟ ପାଇଥିବାରୁ ହସ ଉଲ୍ଲାସ ପାଳନ କରୁଥାଏ। ବଙ୍ଗ-ବିହାରଠାରୁ ଅଲଗା ହୋଇ ସୃଷ୍ଟି ହୋଇଥିବା ଓଡ଼ିଶା ପ୍ରଦେଶ ପାଇଁ ସ୍ୱତନ୍ତ୍ର ଅଫିସର ନିଯୁକ୍ତି ହୋଇଥାଆନ୍ତି। ରାଜ୍ୟ ମଧୁବାବୁ, ଆଚାର୍ଯ୍ୟ ହରିହର, କୃପାସିନ୍ଧୁଙ୍କ ଭଳି ନେତାଙ୍କ ମାର୍ଗ ଦର୍ଶନରେ ନିର୍ବାଚନ ଲାଗି ପ୍ରସ୍ତୁତ ହେଉଥାଏ।
ଏହି ସମୟରେ ପୁରୀର ଲକ୍ଷ୍ମୀ ଟକିଜରେ ଓଡ଼ିଶାର ପ୍ରଥମ ସିନେମା “ସୀତା ବିବାହ” ମୁକ୍ତିଲାଭ କରିଥିଲା I ଲୋକମାନେ ଆଚମ୍ବିତ ହୋଇଯାଇଥିଲେ। ଯେଉଁ ନାଟକକୁ ସେମାନେ ରଂଗମଂଚରେ ସିଧାସଳଖ ଦେଖୁଥିଲେ, ତାହା ଏକ ବଡ଼ ଅନ୍ଧାର ଘର ଭିତରେ ଧଳା ପରଦା ଉପରେ ଦେଖିବାକୁ ପାଇଲେ।
ଭାରତୀୟ ସିନେମାର ଜନ୍ମଦାତା ଦାଦା ସାହେବ ଫାଲକେଙ୍କ ଦ୍ୱାରା ୧୯୧୩ ମସିହାରେ ନିର୍ମିତ ପୌରାଣିକ ଚଳଚିତ୍ର ରାଜା ହରିଶ୍ଚନ୍ଦ୍ର ମୁକ୍ତିଲାଭ କରିବାର ମାତ୍ର ୨୩ ବର୍ଷ ପରେ ମୋହନ ସୁନ୍ଦର ଗୋସ୍ୱାମୀ ଓଡ଼ିଶାରେ ସୀତା ବିବାହ ନିର୍ମାଣ କରିବାରେ ସକ୍ଷମ ହୋଇପାରିଥିଲେ I ସେହି ପ୍ରଥମ ଓଡ଼ିଆ ସିନେମାର ଜନ୍ମଦାତାଙ୍କ ନିକଟରେ ଆମେ ଚିର ନମସ୍ୟ।
ହେଲେ ବିଡ଼ମ୍ବନାର ବିଷୟ ଯେ, ଏହାର କିଛି ବି ଅବଶେଷ ଆଜି ମହଜୁଦ ନାହିଁI ଏହା ସ୍ୱୀକାର କରିବାକୁ ପଡ଼ିବ ଯେ ଆମେ ତାକୁ ସାଇତି ରଖି ପାରିନାହୁଁI ଆମର ପ୍ରଥମ ଓଡ଼ିଆ ସିନେମା “ସୀତା ବିବାହ” ର ପ୍ରିଣ୍ଟ ନାହିଁ, ସେ ବିଷୟରେ ବିବରଣୀ ବା ସମୀକ୍ଷା ଛପା ଯାଇଥିବା ପତ୍ରିକା ନାହିଁ, ଫୋଟୋ ପୋଷ୍ଟର କିଛି ଚିହ୍ନବର୍ଣ୍ଣ ନାହିଁ…।
ଯେତେବେଳେ ଭାରତର ଅନେକ ପ୍ରଦେଶ ନିଜ ଭାଷାରେ ସିନେମା ତିଆରି ପାଇଁ ସଂଗ୍ରାମ କରୁଥିଲେ ଆମେ ଏପରି ଏକ ସିନେମା ନିର୍ମାଣ କରି ଆମର ସମୃଦ୍ଧି, ଉତ୍ସର୍ଗତା ଏବଂ ଆଭିଜାତ୍ୟକୁ ପ୍ରଦର୍ଶନ କରିଥିଲୁ। ଏହା ଆମର ସଂସ୍କୃତି, ସଭ୍ୟତା ଓ ଐତିହ୍ୟର ଜୀବନ୍ତ ଇତିହାସ ଲେଖିବାକୁ ସୁଯୋଗ ଦେଇଥିଲା। କିନ୍ତୁ ସମୟ ଆମକୁ ସାଙ୍ଗ ହେଲା ନାହିଁ…। ମରୁଡ଼ି, ଭୋକ, ଲୁଣ୍ଠନ ଭିତରେ ଆମେ ଅନ୍ନ ପାଇଁ ହାହାକାର କରିବା ଆରମ୍ଭ କରିଲୁ..। ବୋଧ ହୁଏ ତାହା ସୀତା ବିବାହର ‘‍ନେଗେଟିଭ’କୁ ସଂରକ୍ଷଣ କରିବାକୁ ଭୁଲିଗଲା…।
ଚଳଚିତ୍ର ଯେକୌଣସି ଜାତିର ସଂସ୍କୃତି, ସଭ୍ୟତା, ଐତିହ୍ୟର ଜୀବନ୍ତ ଇତିହାସ। ଭାଷା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ସିନେମା ମାଧ୍ୟମରେ ପରବର୍ତ୍ତୀ ପିଢ଼ି ଯୁଗ ଯୁଗ ଧରି ମନେରଖନ୍ତିI ସେଥିପାଇଁ କୁହାଯାଏ Cinema is the mirror of the society.
ଓଡ଼ିଶାର ପରମ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଅପାର କରୁଣାରୁ ଶ୍ରୀକ୍ଷେତ୍ର ପୁରୀରେ ଓଡିଶାର କଳା, ସାହିତ୍ୟ, ସଂସ୍କୃତି, ନୃତ୍ୟ, ସଂଗୀତ ଉପରେ ଗଢି ଉଠିଥିବା ଓଡ଼ିଆ ସିନେମା ଆଜି ଓଡିଶାବାସୀଙ୍କୁ ମନୋରଞ୍ଜନ ଦେବାକୁ ସକ୍ଷମ ହୋଇ ପାରିଛି। ଆମ ଓଡ଼ିଆ ଚଳଚିତ୍ରର ଅତୀତର ଗତି ଓ ବର୍ତମାନର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କଲେ ଅନୁଭବ ହୁଏ, ଏହା ବହୁ ବାଧାବିଘ୍ନକୁ ଅତିକ୍ରମ କରି ଆଜି ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ପହଞ୍ଚିପାରିଛି। ଥରେ ଭାବନ୍ତୁ ଓଡ଼ିଆ ସିନେମାର ସ୍ରଷ୍ଠା ସେହି ଯୋଗଜନ୍ମା ପ୍ରଭୁପାଦ ମୋହନ ସୁନ୍ଦର ଦେବ ଗୋସ୍ୱାମୀଙ୍କ କଥା, ଯିଏ ଆମ ଦେଶ ସ୍ୱାଧୀନତା ପାଇଵା ପୂର୍ବରୁ ଓଡ଼ିଆ ଭାଷାରେ ଏକ ସିନେମା ନିର୍ମାଣ କରିବାର ଦୁଃସାହସ କରିଥିଲେ।
ଇଂରେଜ ଶାସନ ସମୟରେ ଓଡିଶା ଭଳି ଏକ ପଛୁଆ ରାଜ୍ୟରେ ସିନେମା ନିର୍ମାଣ ପାଇଁ କୌଣସି ପ୍ରକାରର ଭିତ୍ତିଭୂମି ନଥିବା ସତ୍ତ୍ୱେ କଲିକତା ସହରକୁ ଯାଇ ସେଠାରେ ଚଳଚିତ୍ର ନିର୍ମାଣ କରିଥିଲେ। ଟ୍ରେନ ଯୋଗେ ଫିଲ୍ମ ପ୍ରିଣ୍ଟକୁ ପୁରୀ ଆଣି ରେଳ ଷ୍ଟେସନରୁ ଶଗଡ଼ ଗାଡ଼ିରେ ଲଦି ଘରକୁ ଆଣିଥିଲେ ।
ବଡ଼ ଆଶ୍ଚର୍ଯ୍ୟକର ଥିଲା ତାହାର ନିର୍ମାଣ। ନା ସେତେବଳେ ଆମ ପାଖରେ କ୍ୟାମେରା ଥିଲା, ନା ଅଭିଜ୍ଞତା.. କେମିତି ହୋଇଥିଲା ତା ନିର୍ମାଣ? ଉତ୍କୃଣ୍ଠା ସୃଷ୍ଟି କରୁଛି ନା? ପରବର୍ତ୍ତୀ ଅଧ୍ୟାୟରେ ‘ସୀତା ବିବାହ’ର ନିର୍ମାଣ ସମୟରେ ଘଟିଥିବା ସେମିତି କିଛି ରୋମାଞ୍ଚକର କଥା କହିବି…।
(ଫିଲ୍ମ ରେଷ୍ଟୋରେସନ୍‍ ଏକ୍ସପର୍ଟ)

LEAVE A REPLY

Please enter your comment!
Please enter your name here

Popular Articles