Saturday, October 31, 2026
spot_imgspot_img

Top 5 This Week

spot_img

Related Posts

ଚୌକିର ନିଶା: ପବିତ୍ର ବାବୁଙ୍କୁ ଚାପୁଡ଼ା ମାରିଲେ ବିଜୁବାବୁ

ଜବାହର ଲାଲଙ୍କ ଦେହାନ୍ତ ପରେ ଓଡ଼ିଶା କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଆହୁରି ବଢ଼ିଗଲା। ମୁଖ୍ୟମନ୍ତ୍ରୀ ବୀରେନ ମିତ୍ରଙ୍କୁ ଖଣି କମ୍ପାନୀ ସିରାଜ୍ଜୁଦ୍ଦିନ ଦେଢ଼ ଲକ୍ଷ ଟଙ୍କା ଚାନ୍ଦା ଆକାରରେ ଦେବା ବିଭ୍ରାଟ ସୃଷ୍ଟି କରିଥିଲା। ଏଇଠି ବିଜୁବାବୁଙ୍କ ଗୁଣ୍ଡାଗିରିର ଆଉ ଏକ ଉଦାହରଣ ବି ସାମ୍ନାକୁ ଚାଲିଆସେ। ବିଜୁବାବୁ କିପରି କଂଗ୍ରେସ ଭବନରେ ଓଡ଼ିଶାର ଜଣେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିଥିଲେ ତାହା ଚର୍ଚ୍ଚାର ବିଷୟ ହେଲା। ଖାଲି ସେତିକି ନୁହେଁ, ଏହି ଅଭିଯୋଗ ଏତେ ସାଂଘାତିକ ହେଲା ଯେ ସାରା ଭାରତର ବିଭିନ୍ନ ଖବରକାଗଜ ଏହି ଖବରକୁ ପ୍ରକାଶିତ କରିଲେ। ଦିଲ୍ଲୀରୁ ନେତା ଓ ମନ୍ତ୍ରୀ ଆସିଲେ ଅଭିଯୋଗ ତଦନ୍ତ କରିବାକୁ। ଆଉ ତା ପରେ ମୁଖ୍ୟମନ୍ତ୍ରୀ ବି ବଦଳିଲେ। ଏ ବିଷୟକୁ ଆଜିର ଅଧ୍ୟାୟରେ କହିବି, ପଢ଼ୁଥାଆନ୍ତୁ ଓଡ଼ିଶା ରାଜନୀତିର ଚର୍ଚ୍ଚିତ ଅଧ୍ୟାୟ ‘ ଚୌକିର ନିଶା’।
ଆଜି ପଞ୍ଚଦଶ ଅଧ୍ୟାୟରେ ରହିଛି ବିଜୁବାବୁଙ୍କ ଦାଦାଗିରି ପ୍ରସଙ୍ଗ। ଏହାକୁ ଆପଣ ଗୁଣ୍ଡାଗିରି ବି କହିପାରନ୍ତି। ଏହା ୧୯୬୪ ମସିହା ଅଗଷ୍ଟ ମାସ ୨୩ ତାରିଖ କଥା। ସେତେବେଳେ ପ୍ରଦେଶ କଂଗ୍ରେସର ସଭାପତି ଥାଆନ୍ତି ବିଜୟାନନ୍ଦ ପାଣି। ଆଉ ରାଜ୍ୟର ମୁଖ୍ୟମନ୍ତ୍ରୀ ଥାଆନ୍ତି ବୀରେନ ମିତ୍ର। ଖଣି କମ୍ପାନୀ ସିରାଜଜ୍ଜୁଦ୍ଦିନକୁ ଅହେତୁକ ଫାଇଦା ଦେବାକୁ ଯାଇ ତା’ଠାରୁ ଦେଢ଼ ଲକ୍ଷ ଟଙ୍କା ଚାନ୍ଦା ନେଇଛନ୍ତି େବାଲି ଯେଉଁ ଅଭିଯୋଗ ଆସିଛି ତାହାର ଶୁଣାଣି ପାଇଁ କଂଗ୍ରେସ ପକ୍ଷରୁ ଏକ ବୈଠକ ଡକାଗଲା। ଏ ବୈଠକର ପୃଷ୍ଠଭୂମିରେ ଥିଲା ବୀରେନଙ୍କ ବିରୋଧୀ ଗୋଷ୍ଠିର ଅଭିଯୋଗ। ଖାଲି ଚାନ୍ଦା କାରବାର ନୁହେଁ, ଶାସନରେ ପ୍ରବେଶ କରୁଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ନେଇ କେନ୍ଦ୍ରୀୟ କଂଗ୍ରେସ କମିଟିକୁ ଯେଉଁ ଅଭିଯୋଗ ପଯଞ୍ଚିଥିଲା ସେ ବାବଦରେ ବିଜୟାନନ୍ଦ ପାଣିବାବୁ ସବିଶେଷ ଆଲୋଚନା ପାଇଁ ଏହି ବୈଠକ ଡକାଇଥିଲେ।
ବୈଠକ ସନ୍ଧ୍ୟା ୭ଟା ବେଳକୁ ଆୟୋଜନ କରାଯାଇଥାଏ। ମହତାବଙ୍କ ଗୋଷ୍ଠୀର ପବିତ୍ର ମୋହନ ପ୍ରଧାନ ଏବଂ ବନମାଳୀ ପଟ୍ଟନାୟକ ଯୋଗ ଦେଇଥାଆନ୍ତି। ଏମାନେ ବେଶ୍‍ ପୁରୁଖା ଓ ମାନ୍ୟଗଣ୍ୟ ନେତା। ପବିତ୍ରବାବୁ ତ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ବି ତୁଲାଇଛନ୍ତି। ଏହାବାଦ ଦୁହେଁ ରାଜ୍ୟର ମନ୍ତ୍ରୀ ଭାବେ ରାଜ୍ୟକୁ ଦିଗ୍‍ଦର୍ଶନ ଦେଇଛନ୍ତି। କିନ୍ତୁ ଆଜି ଯେଉଁକ୍ରମରେ ବୈଠକ ଡକାଯାଇଛି ତାହା ବିଜୁବାବୁଙ୍କ ଗୋଷ୍ଠୀର ଚରିତ୍ର ସଂହାର ପାଇଁ ଉଦ୍ଦିଷ୍ଟ। ଯେଉଁଭଳି ଭାବେ ବିଜୁ-ବୀରନ୍‍ ମେଣ୍ଟ ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାର ପ୍ରସାର କରୁଛନ୍ତି ତାହାକୁ ସାମ୍ନାକୁ ଆଣିବା ପାଇଁ ଏ ଦୁହେଁ ଏକାଠି ହୋଇଛନ୍ତି।
ଏ ଦୁଇ ନେତାଙ୍କୁ ହରେକୃଷ୍ଣ ମହତାବଙ୍କ ଗୋଷ୍ଠୀର ବୋଲି କୁହାଯାଏ। ଏମାନେ ବିଜୁ-ବୀରେନ୍‍ ଗୋଷ୍ଠୀର ଘୋର ବିରୋଧୀ। ଏଣୁ ଆଜି ଯେଉଁ ଆଲୋଚନା ହେଉଛି ତାହା ଏହି ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ଜାତୀୟ କଂଗ୍ରେସକୁ ଦିଆଯାଇଥିବା ଅଭିଯୋଗ ହେତୁ ଚାଲିଛି ବୋଲି କୁହାଗଲା।
ଢେର ସମୟ ଆଲୋଚନା ହେଲା। କିନ୍ତୁ ଏସବୁ ଅଭିଯୋଗ ଭିତ୍ତିହୀନ ଓ ବିଜୁଙ୍କ ଗୋଷ୍ଠୀକୁ ବଦନାମ କରିବାକୁ ଦିଆଯାଉଛି ବୋଲି ବିଜୁ ବାବୁ କହିଲେ। ଏହାକୁ ଅନ୍ୟମାନେ ସମର୍ଥନ କଲେ। ଖାଲି ସେତିକି ନୁହେଁ ପବିତ୍ରବାବୁ ଏସବୁ କେନ୍ଦ୍ରକୁ କହିଥିବା ସେ ଜୋର କରି ଅଭିଯୋଗ କଲେ। ଆଉ, ଏସବୁ ଭୁଲ ଅଭିଯୋଗ ଏବଂ ଏଥିପାଇଁ ପବିତ୍ରବାବୁ କ୍ଷମା ମାଗି ଦିଲ୍ଲୀ ହାଇକମାଣ୍ଡଙ୍କୁ ଜଣାଇବାକୁ ସେ ଦାବି କଲେ। ଏହାକୁ ଉପସ୍ଥିତ ଅନ୍ୟମାନେ ସମର୍ଥନ କଲେ। ଖାଲି ସମର୍ଥନ ନୁହେଁ ବିଭିନ୍ନ ପ୍ରକାର ଭାଷାରେ ଗାଳି ଗୁଲଜ ଚାଲିଲା। ନାରାବାଜୀ ହେଲା। ଏହି ସମୟରେ ଭୀତତ୍ରସ୍ତ ହୋଇଗଲେ ପବିତ୍ରବାବୁ ଏବଂ ବନମାଳୀ ବାବୁ। ସେମାନେ ଜାଣିଲେ ଯେ ଯାହା ବି କହିବେ ତାହା ବୁମେରାଂ ହେବ। ତାଙ୍କ ଉପରକୁ ମାଡ଼ ହୋଇ ଫେରିବ। ଏଣୁ ଚୁପ୍‍ ହୋଇ କେବଳ ସବୁ ମୁଣ୍ଡ ପୋତି ଶୁଣିଲେ। ଏହାପରେ ପବିତ୍ରବାବୁ କହିଲେ, ଆଜି ଯେଉଁ ଆଲୋଚନା ପାଇଁ ସଭା ଡକା ଯାଇଛି ସେଥିରେ ସମସ୍ତେ ବିଜୁବାବୁଙ୍କ ସମର୍ଥକ। ଆମର କେହି ସମର୍ଥକ ନାହାନ୍ତି। ଏଣୁ ସେ ଯାହା କହିବେ ତାହା ତାଙ୍କ ଉପରେ ନକରାତ୍ମକ ପ୍ରଭାବ ପକାଇବ। ଏଣୁ ସେ ଦିଲ୍ଲୀ କମାଣ୍ଡଙ୍କ ପାଖରେ ହିଁ ଉତ୍ତର ରଖିବେ। ଯେଉଁ ପ୍ରମାଣ ଦେବା କଥା ସେଠାରେ ଦେବେ। ଆଜିର ବୈଠକରେ ସେ କହିଛି କହିବେ ନାହିଁ।
ହେଲେ ବୈଠକ ସରିଲା ନାହିଁ। ବରଂ ଅଧିକ ସଂଗଠିତ ହେଲା। ବିଜୁବାବୁ ସମାଧାନ ସ୍ୱରୂପ ଏକ କାଗଜରେ କିଛି ପ୍ରିଣ୍ଟ କରି ଆଣିଲେ। ଡକ୍ଟର ଉଦ୍ଧବ ଚରଣ ନାୟକ ନିଜର ପୁସ୍ତକ ଓଡ଼ିଶା ରାଜନୀତିର ଇତିହାସରେ ଏ ସନ୍ଦର୍ଭରେ ବିଶେଷ ଉଲ୍ଲେଖ କରିଛନ୍ତି।
ସେ ଲେଖିଛନ୍ତି,… ବିଜୁବାବୁ ଏକ ଟେଲିଗ୍ରାମ ଡ୍ରାଫ୍ଟ ପବିତ୍ରବାବୁଙ୍କୁ ଦେଖାଇ କହିଲେ ଏହା କେନ୍ଦ୍ର କମିଟିକୁ ପଠାଯିବ। ଆପଣ ଏଥିରେ ଦସ୍ତଖତ କରନ୍ତୁ।’
ସେଥିରେ ଅଭିଯୋଗ ଅଭିସନ୍ଧିମୂଳକ େବାଲି ଲେଖଥିଲା। ଯାହାକୁ ସେ ହରେକୃଷ୍ଣ ମହତାବଙ୍କ କହିବା ଅନୁସାରେ ଲେଖିଛନ୍ତି ବୋଲି କହି ସେଥିରେ ଦସ୍ତଖତ କରିବାକୁ ବାଧ୍ୟ କରିଲେ। ‘ମୁଁ ଯେଉଁ ଆପତ୍ତି ଅଭିଯୋଗ କରିଥିଲି, ତାହା ଡକ୍ଟର ମହତାବ ଆଦିଙ୍କ ପ୍ରରୋଚନାରେ କହିଥିଲି। ଅଭିଯୋଗଗୁଡ଼ିକ ମିଥ୍ୟା। ଏଣୁ ମୁଁ କ୍ଷମା ମାଗିବା ସଙ୍ଗେ ସଙ୍ଗେ ଅଭିଯୋଗଗୁଡ଼ିକୁ ପ୍ରତ୍ୟାହାର କରି ନେଉଛି।’’
ପବିତ୍ରବାବୁ କିନ୍ତୁ ନିଜ ଆଦର୍ଶରେ ବନ୍ଧା। ସେ ଏହାକୁ ତୁରନ୍ତ ପ୍ରତ୍ୟାଖ୍ୟାନ କରିଲେ। ଦସ୍ତଖତ କରିବେ ନାହିଁ ବୋଲି କହିଲେ। ଆଉ ଏହାପରେ ଆରମ୍ଭ ହୋଇଗଲା ଖଣ୍ଡଯୁଦ୍ଧ।
ବିଜୁ ଚେୟାର ଉପରୁ ଉଠି ପବିତ୍ରବାଙ୍କୁ ଉପରକୁ ଲମ୍ଫ ଦେଲେ। ତାଙ୍କୁ ଟାଣି ଏକ ଶକ୍ତ ଚାପୁଡ଼ା ମାରିଲେ। ତାଙ୍କ ଶାର୍ଟ ଚିରି ପକାଇଲେ। ବିଚରା ପବିତ୍ର ବାବୁ ଓ ବନମାଳୀ ବାବୁ ବଡ଼ ଧର୍ମ ସଙ୍କଟରେ ପଡ଼ିଲେ। କିନ୍ତୁ ନିଜ ଜୀବନ ବଞ୍ଚାଇ ସେଠାରୁ ଖସି ପଳାଇ ଆସିବାକୁ ଚାହିଁଲେ।
ରାତି ପ୍ରାୟ ସାଢ଼େ ୧୦ଟା ହେବ। ବନମାଳୀ ବାବୁ ବଡ଼ କାଏଦାରେ ପବିତ୍ରବାବୁଙ୍କୁ ଗାଡ଼ିରେ ବସାଇ ନେଇ ଆସିଲେ। ଭିତରେ ହେଉଥିବା ଚିତ୍କାର ବାବଦରେ ଡ୍ରାଇଭର ବି ଜାଣି ସାରିଥିଲେ। ଏଣୁ ଖବର ସେ କହିବା ପୂର୍ବରୁ ବିଜୁଳି ବେଗରେ ବ୍ୟାପି ଯାଇଥିଲା। ବନମଳୀବାବୁ ଓ ପବିତ୍ରବାବୁ ପରେ ଏ ବିଷୟକୁ ସୁରେନ୍ଦ୍ର ପଟ୍ଟନାୟକଙ୍କ ମାଧ୍ୟମରେ କେନ୍ଦ୍ର କମିଟିକୁ ଜଣାଇଦେଲେ।
କମିଟି ଏହାକୁ ବଡ଼ ଗମ୍ଭୀରତାର ସହ ନେଲା। କେନ୍ଦ୍ରରୁ ଛଅ ଜଣ ମନ୍ତ୍ରୀଙ୍କୁ ନେଇ ଏକ କମିଟି କରି ତାହାଙ୍କୁ ଘଟଣାକୁ ତଦନ୍ତ କରିବା ଲାଗି ପଠାଇଲେ। ସେମାନେ ତଦନ୍ତ କରି କେନ୍ଦ୍ରୀୟ କମିଟିକୁ ଜଣାଇବା ପୂର୍ବରୁ ଓଡ଼ିଶାରେ ଏକ ଛାତ୍ର ଆନ୍ଦୋଳନ ହେଲା। ଆଜି ଯେମିତି ଛାତ୍ର ଆନ୍ଦୋଳନ ସେମିତି ନୁହେଁ, ଏହା ସମ୍ପୂର୍ଣ୍ଣ ଭାବେ ଛାତ୍ରଙ୍କ ପ୍ରସଙ୍ଗକୁ ନେଇ ଥିଲା। ଏହା ଅକସ୍ମାତ ଏକ ଘଟଣାରୁ ଆରମ୍ଭ ହୋଇଥିଲା। ପରେ ସାରା ରାଜ୍ୟକୁ ଆକ୍ରାେନ୍ତ କରିଥିଲା। ଏହି ରୋଗରେ ସରକାର ବି ଆକ୍ରାନ୍ତ ହେଲେ। ବଡ଼ ବିକଳ ପରିସ୍ଥିତି ହେଲା। ରାଜ୍ୟରେ ଶାସନ ବଦଳିବା ପଛରେ ଏମିତି ଅନେକ କାହାଣୀ ରହିଛି। ଆର ଥରକୁ ଛାତ୍ର ଆନ୍ଦୋଳନ ବିଷୟରେ ଉଲ୍ଲେଖ କରିବି..।

LEAVE A REPLY

Please enter your comment!
Please enter your name here

Popular Articles