ସଞ୍ଜ ନଇଁ ଆସୁଥିଲା। ପାତ୍ରବାବୁ ଚାହା ଦୋକାନ ଆଗରେ ପଡ଼ିଥିବା ଭଙ୍ଗା ସମେଣ୍ଟର ବେଞ୍ଚ ଉପରେ ଚଙ୍ଗୁ, ମଙ୍ଗୁ ଆଉ ଫେକୁଲାଲ ବସିଥିଲେ। କାଚ ଗ୍ଲାସ ଚାହାରୁ ଧୂଆଁ ଉଠୁଥିବା ଗରମ ଚାହା ବାସ୍ନା ଚାରିଆଡ଼େ ମହକୁଥିଲା ସତ, ହେଲେ ଚଙ୍ଗୁର ମନ ଭିତରେ ଜଳୁଥିବା ଅସନ୍ତୋଷର ନିଆଁ ଆଗରେ ଟକ ମକ ଫୁଟୁଥିବା ଚାହାର ଉଷୁମ କିଛି ନଥିଲା ।
ଚଙ୍ଗୁ ନିଜ ବିସ୍କୁଟ୍ଟିକୁ ଦୁଃଖି ମନରେ ଚାହା ଭିତରେ ବୁଡ଼ାଇ ଗଭୀର ନିଶ୍ୱାସ ଛାଡ଼ି କହିଲା, “ଭୁବନେଶ୍ୱର ସହରରେ କୋଡିଏ ବର୍ଷ ବିତିଗଲା। ଅଫିସର ଅସରନ୍ତି ବୈଠକ, କାମ ନିଶାରେ ଅନିଦ୍ରା ରାତି ଆଉ ମନ ନଥାଇ ବି ଅଧିକାରୀଙ୍କ ହଁ ରେ ହଁ ମିଳାଇବା— ଏଇଆ ତ ଚାଲିଥିଲା ଜୀବନ। କିନ୍ତୁ ଆଜି କମ୍ପାନୀର ବଡ଼ବାବୁ ଚିଠି ପଠାଇ କହିଛନ୍ତି, ଦେଶ-ବିଦେଶର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି, ତେଣୁ ସମସ୍ତେ ସତର୍କ ରହିବାକୁ ପଡ଼ିବ। ଏହାର ପ୍ରକୃତ ଅର୍ଥ କ’ଣ ଜାଣିଛ?
ନିଜ ଚଷମା କାଚକୁ ସଳଖ କରି ମଙ୍ଗୁ ପଚାରିଲା, “କ’ଣ ଭାଇ, କିଛି ବୋନସ୍ ମିଳିଲା କି?”
ହଁ, ପାର୍ବଣ ଋତୁ, ଦଶରା ବେଳେ, କଂଗ୍ରାଚୁଲେସନ୍, ତମର ତ ମିଳିବ ହେଲେ ଆମର କିଛି ନାହିଁ। ଚଙ୍ଗୁ ମୁଣ୍ଡରେ ହାତ ଦେଇ କହିଲା, “ଶୀତ ଦିନେ ଘିଅ ଜମାଟ ବାନ୍ଧିଗଲା ଭଳି ଦରମା ବୃଦ୍ଧିଟା ଅଟକି ରହିଗଲା। ଗୋଟିଏ ବି ଟଙ୍କା ବଢ଼ିବ ନାହିଁ।
“ବଜାର ଦର ଆକାଶଛୁଆଁ, ହେଲେ ଆମ ଆୟ ସେଇଠି ଠିଆ”।
ଆଉ ନୂଆ ଚାକିରି?
ସେ ବାଟଟା ସମ୍ପୂର୍ଣ୍ଣ ବନ୍ଦ। କାଲି ଯଦି ଜଣେ କାମ ଛାଡ଼ି ଚାଲିଯାଏ, ନୂଆ ଲୋକ ବାହାରୁ ଆସିବେ ନାହିଁ; ତା’ ବଦଳରେ ତା’ କାମ ବୋଝ ଆମ କାନ୍ଧରେ ଲଦି ଦିଆଯିବ।”
ମଙ୍ଗୁ ଗମ୍ଭୀର ହୋଇ ମୁଣ୍ଡ ହଲାଇ କହିଲା, “ଆମ ଆଡ଼େ ବି ଏକା ଅବସ୍ଥା। ମୋ ମାଉସୀ ପୁଅ ଭଲ କଲେଜରୁ ଇଞ୍ଜିନିୟରିଂ ପାସ୍ କଲା, କୋଡିଂ ବି ଭଲ ଜାଣିଛି। କିନ୍ତୁ ହାତରେ ନିଯୁକ୍ତି ପତ୍ର ଥିଲେ ବି କମ୍ପାନୀ କାମରେ ଯୋଗ ଦେବା ତାରିଖ ଗଡ଼େଇ ଚାଲିଛି। କରୋନା ପରେ ବଡ଼ ବଡ଼ କମ୍ପାନୀମାନେ ହାଟରୁ ପରିବା କିଣିଲା ଭଳି ଗଦା ଗଦା ପିଲାଙ୍କୁ ଚାକିରି ଦେଇଥିଲେ। ଏବେ ବୋଝ ସମ୍ଭାଳି ନପାରି ନୂଆ ନିଯୁକ୍ତିରେ ତାଲା ପକାଇ ଦେଇଛନ୍ତି।”
ଏତିକି ପାଟିରେ ଖଡ଼ିକା ଖୁଞ୍ଚୁଥିବା ଫେକୁଲାଲ ଖାମଖିଆଲି ଭାବେ ହସି ଉଠିଲା। ସେ କହିଲା, “ଆରେ, ତୁମେ ଦୁଇଜଣ ଦଶ ଟଙ୍କିଆ ଚାହା ପିଇ ଏମିତି ପିଲାଙ୍କ ଭଳି କାନ୍ଦୁଛ କାହିଁକି? ବଡ଼ କଥା ବୁଝିବାକୁ ତୁମ ମୁଣ୍ଡରେ ବୁଦ୍ଧି ନାହିଁ। ଦରମା ନ ବଢ଼ିବା କିମ୍ବା ନୂଆ ପିଲା ନ ରଖିବା କୌଣସି ଅଭାବ ଅନଟନ ନୁହେଁ, ଏହା ହେଉଛି କମ୍ପାନୀମାନଙ୍କର ଏକ ବଡ଼ କୌଶଳ ।”
ଚଙ୍ଗୁ ବିରକ୍ତ ହୋଇ କହିଲା, “ଫେକୁଲାଲ, ତୁମ କୌଶଳ କଥା ଶୁଣି ଘରମାଲିକ ଘରଭଡ଼ା ଛାଡ଼ କରିଦେବ ନାହିଁ। ପହିଲାରେ ତାକୁ ପୂରା ଟଙ୍କା ଦରକାର।”
ଫେକୁଲାଲ ହାତ ହଲାଇ କହିଲା, “ଆରେ ଶୁଣ । ଆମ ନୂଆ ବ୍ୟବସାୟ ଜଗତରେ ଏହାକୁ ‘ଖର୍ଚ୍ଚକାଟ ଓ କାର୍ଯ୍ୟଦକ୍ଷତା’ ବୋଲି କୁହାଯାଏ। ଦିନ ଥିଲା, ଟିକିଏ କମ୍ପ୍ୟୁଟର ଚଳାଇ ଜାଣିଲେ ବହୁତ ଟଙ୍କା ମିଳୁଥିଲା। ଏବେ କୃତ୍ରିମ ବୁଦ୍ଧିମତା ବା ଏଆଇ ଆସିଗଲାଣି। ଯେଉଁ କାମ ଦଶ ଜଣ ଲୋକ କରୁଥିଲେ, ତାହା ଗୋଟିଏ କମ୍ପ୍ୟୁଟର କିଛି ସେକେଣ୍ଡରେ କରିପାରୁଛି। ତେଣୁ କମ୍ପାନୀଗୁଡ଼ିକ କାମ ଚଳାଇବା ପାଇଁ ଅଧିକ ଖର୍ଚ୍ଚ କାହିଁକି କରିବେ? ଗୋଟିଏ ଲୋକକୁ ରଖ ତା ଠୁ କାମ ଆଦାୟ କର , ସେ ନାକରେ ପାଣି ପିଇବା ପର୍ଯ୍ୟନ୍ତ ।“
ମଙ୍ଗୁ ତୁରନ୍ତ ପ୍ରତିବାଦ କରି କହିଲା, “ଏସବୁ କେବଳ ବାହାନା, ଫେକୁଲାଲ। ପ୍ରକୃତ କାରଣ ହେଉଛି ବିଦେଶୀ ବଜାରରେ ମାନ୍ଦାବସ୍ଥା। ଆମେରିକା ଆଉ ୟୁରୋପର ବଡ଼ ବଡ଼ ବ୍ୟାଙ୍କ ଓ କମ୍ପାନୀଗୁଡ଼ିକ ଏବେ ଟେକ୍ନୋଲୋଜି ବାବଦରେ ଖର୍ଚ୍ଚ କମାଇ ଦେଇଛନ୍ତି। ସେମାନଙ୍କ ଠାରୁ କାମ ମିଳିବା କମିଗଲେ, ଏଠି ଭାରତର କମ୍ପାନୀଗୁଡ଼ିକ କର୍ମଚାରୀଙ୍କୁ ଅଧିକ ଦରମା ଦେବେ କେଉଁଠୁ? ଗୋଟିଏ ପଟେ ନୂଆ ଚାକିରି ନାହିଁ, ଅନ୍ୟପଟେ କାମ ହରାଇବା ଭୟରେ ଲୋକେ ପୁରୁଣା ଚାକିରି ଛାଡ଼ି ପାରୁନାହାନ୍ତି।”
ଚଙ୍ଗୁ କହିଲା, “ସତ କଥା। ଆଉ ଏହାର ପ୍ରଭାବ କେବଳ ଆମ ଭଳି ଚାକିରିଆଙ୍କ ଉପରେ ପଡ଼ୁନାହିଁ। ଦରମା ନ ବଢ଼ିଲେ ଲୋକେ ଖର୍ଚ୍ଚ କମାଇବେ। ବଜାରରେ କାର୍ କିଣିବା, ଘର ତିଆରି କରିବା କିମ୍ବା ହୋଟେଲରେ ଖାଇବା କମିଯିବ। ପରିଣାମରେ ଛୋଟ ଦୋକାନୀ, ଅଟୋବାଲାଙ୍କ ଠାରୁ ଆରମ୍ଭ କରି ସମସ୍ତଙ୍କ ବେପାର ମାନ୍ଦା ପଡ଼ିବ।”
ଏ କଥା ଶୁଣି ଫେକୁଲାଲ କିଛି ସମୟ ନିରବ ରହିଗଲା। ସେ ଚଙ୍ଗୁର ଶୁଖିଲା ମୁହଁକୁ ଚାହିଁ ଟିକିଏ ଧୀର ସ୍ୱରରେ କହିଲା, “ହଉ ଯାହା ହେଉ, ଭାଗ୍ୟ ଭଲ ଯେ ପାତ୍ରବାବୁ ଏପର୍ଯ୍ୟନ୍ତ ଚାହା ଦର ବଢ଼ାଇ ନାହିଁ।”
ଏତିକି ବେଳେ ଦୋକାନ ଭିତରେ କେଟିଲି ପୋଛୁ ପୋଛୁ ପାତ୍ରବାବୁ ପାଟି କରି କହିଲା, “ଆଜ୍ଞା, ଆସନ୍ତା ସୋମବାର ଠାରୁ ଚାହା କପ୍ ପିଛା ଆଉ ଦୁଇ ଟଙ୍କା ବଢ଼ିବ। କ୍ଷୀର ଆଉ ଚିନି ଦର ଆକାଶ ଛୁଇଁଲାଣି, ମୁଁ କେମିତି କ୍ଷତି ସହିବି?”
ଚଙ୍ଗୁ ନିଜ ଶେଷ ଢୋକ ଚାହା ପିଇ ହସି ହସି କହିଲା, “ଦେଖିଲ ତ ଫେକୁଲାଲ।ସହରର ବଡ଼ ବଡ଼ କମ୍ପାନୀରେ ଦରମା ଅଟକି ରହିଛି ପଛେ, ଗାଁ ଦାଣ୍ଡର ମହଙ୍ଗା ମାଡ଼ କିନ୍ତୁ ଆଗକୁ ଆଗକୁ ଦୌଡ଼ୁଛି।” ଭୁବନେଶ୍ୱର ରାସ୍ତାଘାଟ ଚକାଚକ ହୋଇଛି ହେଲେ ସେ ପୁରୁଣା ମହକ ଆଉ ନାହିଁ, ମାଳ ମାଳ ଆଲୁଅ ଭିତରେ ଅନେକ ଆତ୍ମୀୟତା ହଜିଯାଇଛି।
ଖଟି: ମନର ଜ୍ୱାଳା ଆଗରେ ଚା’ର ଗରମ ବା କେତେ!






