Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ଏଆଇ ଆତଙ୍କ: ବଦଳିଯିବକି ବିଶ୍ୱ ସମୀକରଣ

ସମଗ୍ର ବିଶ୍ୱ ଆଜି ଏକ ନୂଆ ପ୍ରକାରର ଆଶଙ୍କା ମଧ୍ୟରେ ଗତି କରୁଛି। ଏହା କୌଣସି ପ୍ରାକୃତିକ ବିପର୍ଯ୍ୟୟ ନୁହେଁ କିମ୍ବା କୌଣସି ଦୃଶ୍ୟମାନ ଯୁଦ୍ଧ ନୁହେଁ, ବରଂ ମଣିଷ ଦ୍ୱାରା ତିଆରି କରାଯାଇଥିବା ଅଦୃଶ୍ୟ ମସ୍ତିଷ୍କ—’ଫ୍ରଣ୍ଟିଅର୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ’ ବା ଅତି-ଉନ୍ନତ କୃତ୍ରିମ ବୁଦ୍ଧିମତ୍ତା। ଟେକ୍ନୋଲୋଜି ସୁପର ପାଓ୍ୱାର ଆମେରିକାଠାରୁ ଆରମ୍ଭ କରି ଚୀନ, ଜାପାନ, କୋରିଆ, ଋଷ ପ୍ରଭୃତି ଦେଶ ଏଥିରେ ପୀଡ଼ିତ। ଭାରତ ବା ବର୍ତ୍ତିବ କେମିତି!

ଗତ କିଛି ବର୍ଷ ମଧ୍ୟରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଆମର ଦୈନନ୍ଦିନ ଜୀବନରେ ଗଭୀର ଭାବରେ ପ୍ରବେଶ କରିସାରିଛି। ଆମ ମୋବାଇଲ୍ ଫୋନ୍, ବ୍ୟାଙ୍କିଙ୍ଗ୍ ସେବା, ଶିକ୍ଷା, ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହାର ବ୍ୟବହାର ବଢ଼ିଚାଲିଛି। କିନ୍ତୁ ଆଜି ଯେଉଁ ‘ଫ୍ରଣ୍ଟିଅର୍ ଏଆଇ’ ବିଷୟରେ ଆଲୋଚନା ହେଉଛି, ତାହା କେବଳ ସାଧାରଣ କମ୍ପ୍ୟୁଟର ପ୍ରୋଗ୍ରାମ ନୁହେଁ। ଏହା ହେଉଛି ଏପରି ଏକ ବୈଷୟିକ ବ୍ୟବସ୍ଥା ଯାହା ମଣିଷ ଭଳି ଚିନ୍ତା କରିବା, ନିଜେ ନିଷ୍ପତ୍ତି ନେବା ଏବଂ ନିଜର ଭୁଲ୍ ସୁଧାରିବା କ୍ଷମତା ରଖୁଛି। ଏହାକୁ ଆମେରିକା ଆଉ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ନୁହେଁ, ବରଂ ସୁପର ଇଣ୍ଟେଲିଜେନ୍ସ ବୋଲି ନାଁ ଦେଇଛି।
ବୈଜ୍ଞାନିକ ଓ ପ୍ରଯୁକ୍ତି ବିଶେଷଜ୍ଞମାନଙ୍କ ମତରେ, ଏହି ସୁପର-ଇଣ୍ଟେଲିଜେଣ୍ଟ୍ କମ୍ପ୍ୟୁଟରଗୁଡ଼ିକ ଏତେ ଦ୍ରୁତ ଗତିରେ ବିକଶିତ ହେଉଛନ୍ତି ଯେ ସେମାନଙ୍କୁ ନିୟନ୍ତ୍ରଣ କରିବାର କ୍ଷମତା ମଣିଷ ହରାଇବାରେ ଲାଗିଛି। ଯଦି ଏହି ଯନ୍ତ୍ରଗୁଡ଼ିକୁ ସଠିକ୍ ଦିଗଦର୍ଶନ ଏବଂ କଡ଼ା ନିୟମ ଭିତରେ ରଖାଯାଇ ନପାରିବ, ତେବେ ସେଗୁଡ଼ିକ ମାନବ ସଭ୍ୟତା ପାଇଁ ଏକ ବଡ଼ ସଙ୍କଟ ସୃଷ୍ଟି କରିପାରନ୍ତି।
ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ଚେତାବନୀ କୌଣସି ବାହାର ଲୋକ ନୁହଁନ୍ତି, ବରଂ ଏହି ଏଆଇ ପ୍ରଯୁକ୍ତି ସୃଷ୍ଟି କରିଥିବା ବିଶିଷ୍ଟ ଗବେଷକ ଓ ବୈଜ୍ଞାନିକମାନେ ଦେଉଛନ୍ତି। ଏଆଇର ଜନକ କୁହାଯାଉଥିବା ଜେଫ୍ରି ହିଣ୍ଟନ୍ ଏବଂ ଓପନ୍-ଏଆଇର ପ୍ରମୁଖ ଗବେଷକମାନେ ନିଜ ନିଜ ପଦବୀରୁ ଇସ୍ତଫା ଦେଇ ଜନସାଧାରଣଙ୍କୁ ସଚେତନ କରୁଛନ୍ତି ଯେ, ନିୟନ୍ତ୍ରଣହୀନ ଏଆଇ ବିଶ୍ୱ ପାଇଁ ମାରାତ୍ମକ ହୋଇପାରେ।
ଏହି ମାରାତ୍ମକ ଟେକ୍ନୋଲୋଜିର ନିୟନ୍ତ୍ରଣ ପାଇଁ ସାରା ବିଶ୍ୱ ଚିନ୍ତିତ ଆଉ ସବୁଠାରୁ ବେଶୀ ଚିନ୍ତିତ ଯୁକ୍ତରାଷ୍ଟ୍ର ଆମେରିକା। ଯେଉଁଭଳି ଭାବେ ଏହି ଦେଶରେ ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଏଆଇର ବିକାଶ କରାଯାଉଛି ତାହା ଦେଶର ଟେକ୍ନୋକ୍ରାଟଙ୍କୁ ମଧ୍ୟ ସଙ୍କଟ ଭିତରକୁ ନେଇ ଆସିଛି। ସେଥିଲାଗି ଆମେରିକା ରାଷ୍ଟ୍ରପତି ଭବନ ‘ହ୍ୱାଇଟ ହାଉସ’ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେମାନେ ପରସ୍ପର ଭିତରେ ଏକ ଚୁକ୍ତି କରିବାକୁ ବାଧ୍ୟ ହୋଇଛନ୍ତି। ଖୁବ୍‍ କମ୍‍ ଦିନ ମଧ୍ୟରେ ଏହି ଟେକ୍ନୋଲୋଜି ଯେମିତି ସଙ୍କଟ ସୃଷ୍ଟି କରିଛି ତାହାକୁ ନିୟନ୍ତ୍ରଣ କରା ନଗଲେ ତାହା ଆଗାମୀ ଦିନରେ ସାରା ବିଶ୍ୱ କ’ଣ ମାନବ ସଭ୍ୟତାକୁ ଧ୍ୱଂସ ମୁହଁକୁ ଟାଣି ନେଇପାରେ।
ଏହି ଚୁକ୍ତି ଅନୁସାରେ ପ୍ରତିଟି ଗବେଷଣା ଏଣିକି ନିୟମରେ ବନ୍ଧା ହେବ। ପ୍ରତିଟି ମଡେଲକୁ ଆଭ୍ୟନ୍ତରୀଣ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା ସ୍ଥାପନ କରାଯିବ। ଯେପରି ଏହି ମଡେଲ ଅଜାଣତରେ କୌଣସି ବୈଷୟିକ ବ୍ୟବସ୍ଥାକୁ ଉଲ୍ଲଂଘନ କରି ଅନୁପ୍ରବେଶ (ହ୍ୟାକ୍‍) ନକରିବ ତାହାକୁ ତର୍ଜମା କରିବା ପାଇଁ ଏହି ଆଭ୍ୟନ୍ତରୀଣ ବ୍ୟବସ୍ଥା କାର୍ଯ୍ୟ କରିବ। ବିଶେଷକରି ସାଇବର ସିକ୍ୟୁରିଟି, ବାୟୋ ସିକ୍ୟୁରିଟି ଏବଂ ରସାୟନିକ ଭୟ ଥିବା ସ୍ଥାନରେ ସୁପର ଇଣ୍ଟେଲିଜେନ୍ସ ମଡେଲ ମୁତ୍ତୟନ ବେଳେ ଏଥିପ୍ରତି ଧ୍ୟାନ ରଖିବେ ସମ୍ପୃକ୍ତ କମ୍ପାନୀ। ଯଦି କୌଣସି ଅଘଟଣ ଘଟେ ତେବେ ତାହାକୁ ନିୟନ୍ତ୍ରଣ, ତଦାରଖ, ଏବଂ ଚିହ୍ନଟ ଲାଗି ସମ୍ପୃକ୍ତ ଆଭ୍ୟନ୍ତରୀଣ କମିଟି କ୍ଷମତାପନ୍ନ ହେବ। ଏହାବାଦ୍‍ ଏହି କାର୍ଯ୍ୟ ପାଇଁ ସମ୍ପୃକ୍ତ କମ୍ପାନୀ ଏକ ବାହ୍ୟ ମନିଟରିଂ କମ୍ପାନୀ ସହ ମଧ୍ୟ ସହଯୋଗରେ ରହିବେ। ଏହି ବାହ୍ୟ କମ୍ପାନୀ ସମ୍ପୃକ୍ତ ବ୍ୟବସ୍ଥାକୁ ନିୟମିତ ଯାଞ୍ଚ କରିବା ସହ ସମସ୍ତ ହ୍ୟାକିଂ ଜାଣିଶୁଣି କରାଯାଉଥିବା ନିଶ୍ଚିତ କରିବେ। ଖାଲି ସେତିକି ନୁହେଁ ଏହି ଆଭ୍ୟନ୍ତରୀଣ ଓ ବାହ୍ୟ କମିଟି ଭିତରା ତାଳମେଳ ରକ୍ଷା କରିବାକୁ କମ୍ପାନୀ ପକ୍ଷରୁ ଉଚ୍ଚପଦାଧିକାରୀଙ୍କୁ ନେଇ ଏକ ସ୍ୱଧୀନ କମିଟି ଗଠନ କରାଯିବ। ସେମାନେ ଏହି ପ୍ରକ୍ରିୟାରେ ସମନ୍ୱୟ ରକ୍ଷା କରିବା ସହ ବିପଦର ଚିହ୍ନଟ ଓ ସମାଧାନ କରିବେ।
ମାନବ ସଭ୍ୟତାର ସୁରକ୍ଷା ପାଇଁ ସମସ୍ତ ବିଶେଷ କମ୍ପାନୀ ଏକାଠି ହେବା ଏ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟର ଆରମ୍ଭକୁ ସୂଚୀତ କରୁଛି। ଏହି ଚୁକ୍ତିର ସାରାଂଶକୁ ଆଇନରେ ପରିଣତ କରି ତୁରନ୍ତ ଲାଗୁ କରିବାକୁ ମଧ୍ୟ ଆମେରିକା ସରକାର ପଦକ୍ଷେପ ନେବେ ବୋଲି ଏହି ଚୁକ୍ତିରେ ଦର୍ଶାଯାଇଛି। ୩୦ ସେପ୍ଟେମ୍ବର ଦିନ ଏହାକୁ ହ୍ୱାଇଟ୍‍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପସ୍ଥିତିରେ ବିଶ୍ୱର ୬ ଜଣ ବିଶିଷ୍ଟ କମ୍ପାନୀର ସିଇଓ ସ୍ୱାକ୍ଷର କରିଛନ୍ତି। ଏହି ସିଇଓଙ୍କ ଭିତରେ ଗୁଗଲ ପକ୍ଷରୁ ସୁନ୍ଦର ପିଚାଇ, ଆନ୍ଥ୍ରୋପିକ ପକ୍ଷରୁ ଡାରିଓ ଆମଦୋଇ, ମେଟା ପକ୍ଷରୁ ମାର୍କ ଜୁକରବର୍ଗ, ଓପନ ଏଆଇର ଗ୍ରେଗ ବ୍ରୋକମ୍ୟାନ, ଏକ୍ସ ଏଆଇ ପକ୍ଷରୁ ଏଲନ ମସ୍କ ଏବଂ ଏନ୍‍ଭିଡିଆ ପ୍ରତିନିଧି ଜେନସେନ ହୁଆଙ୍ଗ।

ଅନିୟନ୍ତ୍ରିତ ଏଆଇ କାହିଁକି ଭୟଙ୍କର?

ଆଜିର ବିଶ୍ୱରେ ଆମେ ଦେଖୁଛୁ ଯେ ପ୍ରଯୁକ୍ତିବିଦ୍ୟା କେବଳ ଗୋଟିଏ ଦେଶରେ ସୀମିତ ହୋଇ ରହୁନାହିଁ। ଆମେରିକାର ସିଲିକନ୍ ଭ୍ୟାଲିଠାରୁ ଆରମ୍ଭ କରି ଚୀନ୍, ୟୁରୋପ, ଏବଂ ଜାପାନ ପର୍ଯ୍ୟନ୍ତ ସବୁଠି ଏଆଇକୁ ନେଇ ଏକ କଠୋର ପ୍ରତିଯୋଗିତା ଚାଲିଛି। ପ୍ରତିଟି ପ୍ରଯୁକ୍ତି କମ୍ପାନୀ ନିଜକୁ ସର୍ବାଗ୍ରେ ରଖିବାକୁ ଚେଷ୍ଟା କରୁଛନ୍ତି।
ଏହି ଦୌଡ଼ରେ ସୁରକ୍ଷା ଅପେକ୍ଷା ବେଗକୁ ଅଧିକ ପ୍ରାଧାନ୍ୟ ଦିଆଯାଉଛି, ଯାହା ସମଗ୍ର ମାନବଜାତି ପାଇଁ ସମସ୍ୟା ସୃଷ୍ଟି କରୁଛି। ଏହିକ୍ରମରେ କମ୍ପାନୀଗୁଡ଼ିକ ନିଜର ବଜାର ଦଖଲ କରିବା ପାଇଁ ଏଆଇ ମଡେଲଗୁଡ଼ିକୁ ସମ୍ପୂର୍ଣ୍ଣ ସୁରକ୍ଷିତ ନକରି ଶୀଘ୍ର ବଜାରକୁ ଛାଡ଼ିଦେଉଛନ୍ତି। ଫଳରେ ସମ୍ପୂର୍ଣ୍ଣ ମାନବ ସମାଜ ଭୟ ଆଡ଼କୁ ଗତି କରୁଛି। ଏଥିନେଇ ଯେଉଁ ବିପତ୍ତିଗୁଡ଼ିକୁ ଆଶଙ୍କା କରାଯାଉଛି ସେଥିରେ ପ୍ରଥମ ରହିଛି ସାଇବର୍ ଆକ୍ରମଣ। ଏଆଇ ନିଜେ ସାଇବର ଆକ୍ରମଣ କରି ବ୍ୟାଙ୍କିଙ୍ଗ୍, ବିଜୁଳି ସରବରାହ, ଏବଂ ସରକାରୀ ତଥ୍ୟକୁ ଅଚଳ କରିଦେଇପାରେ। ସେହିପରି ଡିପ ଫେକ ବା ମିଥ୍ୟା ସୂଚନାର ପ୍ରସାର ମଧ୍ୟ କୌଣସି ନେତା, ସାଧାରଣ ନାଗରିକ କିମ୍ବା ପ୍ରସିଦ୍ଧ ବ୍ୟକ୍ତିଙ୍କ ନକଲି ଭିଡିଓ ଓ ସ୍ୱର ସେକେଣ୍ଡକ ମଧ୍ୟରେ ତିଆରି କରି ଦଙ୍ଗା, ସାମାଜିକ ବିଭାଜନ, କିମ୍ବା ନିର୍ବାଚନକୁ ପ୍ରଭାବିତ କରାଯାଇପାରେ।
ଖାଲି ସାଇବର ଆକ୍ରମଣ ନୁହେଁ, ଅସାଧୁ ଲୋକ କିମ୍ବା ଆତଙ୍କବାଦୀ ସଂଗଠନଗୁଡ଼ିକ ଏଆଇର ବ୍ୟବହାର କରି ମାରାତ୍ମକ ଭାଇରସ୍ କିମ୍ବା ଜୈବିକ ଅସ୍ତ୍ର ତିଆରି କରିବାର ସହଜ ଉପାୟ ପାଇପାରିବେ। ଆଉ ଏହା ହେଲେ ସାରା ବିଶ୍ୱ ଅନିୟନ୍ତ୍ରିତ ହୋଇଯିବାର ଆଶଙ୍କା ରହିଛି।

ଅତୀତର ଶିକ୍ଷା: ମିଳିତ ଜାତିସଂଘ ଓ ବିଶ୍ୱ ସମୁଦାୟର ସଫଳତା

ଅବଶ୍ୟ ଗତ ୩୦ ତାରିଖରେ ସ୍ୱକ୍ଷର ହୋଇଥିବା ହ୍ୱାଇଟ ହାଉସ ଚୁକ୍ତି ଯେ ଏପରି ଏକ ଆନ୍ତର୍ଜାତିକ ବିପଦରୁ ବିଶ୍ୱକୁ ରକ୍ଷା କରିବା ଲାଗି ପ୍ରଥମ ପ୍ରୟାସ ହୋଇପାରେ କିନ୍ତୁ, ଆମକୁ ମନେରଖିବାକୁ ହେବ ଯେ ମାନବ ସଭ୍ୟତା ପୂର୍ବରୁ ମଧ୍ୟ ଏହିପରି ଅନେକ ମହାସଙ୍କଟର ସାମ୍ନା କରିଛି। ଯେତେବେଳେ ବିଶ୍ୱ ସମୁଦାୟ ଏକାଠି ହୋଇ ନିୟମ ପ୍ରଣୟନ କରିଛନ୍ତି, ସେତେବେଳେ ବଡ଼ ବଡ଼ ବିପଦକୁ ଏଡ଼ାଯାଇ ପାରିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆଣବିକ ଅସ୍ତ୍ରସସ୍ତ୍ରର ବିକାଶ ସମଗ୍ର ପୃଥିବୀକୁ ଧ୍ୱଂସ କରିବାର ଭୟ ସୃଷ୍ଟି କରିଥିଲା। କିନ୍ତୁ ଆମେରିକା, ରୁଷିଆ, ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ‘ଆଣବିକ ଅପ୍ରସାରଣ ଚୁକ୍ତି’ ସ୍ୱାକ୍ଷର କଲେ। ମିଳିତ ଜାତିସଂଘର ଆନ୍ତର୍ଜାତିକ ଆଣବିକ ଉର୍ଜା ଏଜେନ୍ସି ଗଠନ କରାଗଲା, ଯାହା ଆଜି ପର୍ଯ୍ୟନ୍ତ ଆଣବିକ ଅସ୍ତ୍ରର ବ୍ୟବହାରକୁ ରୋକିବାରେ ସଫଳ ହୋଇଛି।
ସେହିପରି, ୧୯୮୦ ଦଶକରେ ସୂର୍ଯ୍ୟଙ୍କ ଅଲ୍ଟ୍ରାଭାୟୋଲେଟ୍ ରଶ୍ମିରୁ ଆମକୁ ରକ୍ଷା କରୁଥିବା ଓଜୋନ୍ ସ୍ତର କ୍ଷୟ ହେବାକୁ ଲାଗିଥିଲା। ସମଗ୍ର ବିଶ୍ୱ ମିଳିମିଶି ‘ମଣ୍ଟ୍ରିଅଲ୍ ପ୍ରୋଟୋକଲ୍’ ପ୍ରଣୟନ କଲେ ଏବଂ କ୍ଷତିକାରକ କେମିକାଲ୍ସ ବ୍ୟବହାର ବନ୍ଦ କଲେ। ଆଜି ଓଜୋନ୍ ସ୍ତର ପୁନର୍ବାର ସୁସ୍ଥ ହେବାରେ ଲାଗିଛି।
ଜୈବିକ ଅସ୍ତ୍ର ଉପରେ କଟକଣା ମଧ୍ୟ ଏହିକ୍ରମରେ ଉଲ୍ଲେଖ କରାଯାଇପାରେ। ଜୈବିକ ଭାଇରସ୍ କିମ୍ବା ବିଷାକ୍ତ କେମିକାଲ୍ ଦ୍ୱାରା ଯୁଦ୍ଧ କରିବାକୁ ବିଶ୍ୱ ସ୍ତରରେ ବେଆଇନ ଘୋଷଣା କରାଯାଇଛି।
ଯଦି ମାନବଜାତି ଆଣବିକ ବୋମା ଏବଂ ଓଜୋନ୍ କ୍ଷୟକୁ ଏକାଠି ହୋଇ ରୋକିପାରିଛି, ତେବେ ସଠିକ୍ ନିୟମ ଏବଂ ନୀତି ମାଧ୍ୟମରେ ଏଆଇ ଭୟକୁ ମଧ୍ୟ ରୋକାଯାଇପାରିବ। ମିଳିତ ଜାତିସଂଘ ବର୍ତ୍ତମାନ ‘ଜାତିସଂଘ ବୈଶ୍ୱିକଡିଜିଟାଲ୍‍ ଚୁକ୍ତି’ ଏବଂ ଆନ୍ତର୍ଜାତୀୟ ଏଆଇ ସୁରକ୍ଷା ପରିଷଦ ଗଠନ କରିବା ପାଇଁ ପଦକ୍ଷେପ ନେଉଛି।

ଭାରତ ଉପରେ ଏହାର ପ୍ରଭାବ

ଏଆଇ କ୍ରାନ୍ତିରୁ ଭାରତ ପୃଥକ ହୋଇ ରହିପାରିବ ନାହିଁ। ୧୪୦ କୋଟି ଜନସଂଖ୍ୟାବିଶିଷ୍ଟ ଭାରତ ପାଇଁ ଏହି ପ୍ରଯୁକ୍ତି ଗୋଟିଏ ପଟେ ସୁଯୋଗ ଆଣିଥିବା ବେଳେ ଅନ୍ୟପଟେ ବଡ଼ ଆହ୍ୱାନ ଛିଡ଼ା କରିଛି।
ଭାରତର ଆଇଟି କ୍ଷେତ୍ର, ବିପିଓ ଏବଂ ସଫ୍ଟୱେର୍ କୋଡିଂ କ୍ଷେତ୍ରରେ ଲକ୍ଷ ଲକ୍ଷ ଯୁବକଯୁବତୀ କାର୍ଯ୍ୟରତ। ଏଆଇ ଆସିବା ଦ୍ୱାରା ପ୍ରାରମ୍ଭିକ ପଦବୀଗୁଡ଼ିକ ସହଜରେ ଅଟୋମେଟେଡ୍ ହୋଇଯାଉଛି। ଯଦି ଯୁବପିଢ଼ି ଶୀଘ୍ର ନୂଆ କୌଶଳ ନଶିଖିବେ, ତେବେ ବେକାରୀ ସମସ୍ୟା ବଢ଼ିପାରେ।

ଭାରତରେ ମୋବାଇଲ୍ ସଂଯୋଗ ଏବଂ ସସ୍ତା ଇଣ୍ଟରନେଟ୍ ଯୋଗୁଁ ସୋସିଆଲ୍ ମିଡିଆର ବ୍ୟବହାର ବହୁତ ଅଧିକ। ନକଲି ଭିଡିଓ, ଜାଲ୍ ଫଟୋ ଏବଂ ଗୁଜବ ଶୀଘ୍ର ପ୍ରସାରିତ ହୋଇ ସାମ୍ପ୍ରଦାୟିକ ଅଶାନ୍ତି କିମ୍ବା ନିର୍ବାଚନୀ ପ୍ରକ୍ରିୟାକୁ ପ୍ରଭାବିତ କରିବାର ଆଶଙ୍କା ରହିଛି।

ଆମର ୟୁପିଆଇ, ଆଧାର, ଏବଂ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଏଆଇ-ଆଧାରିତ ସାଇବର ଆକ୍ରମଣର ଶିକାର ହେବାର ସମ୍ଭାବନା ରହିଛି। ଏଣୁ ଆଇ ଭୟର ସାମ୍ନା କରିବା ପାଇଁ ଭାରତ କେବଳ ଦର୍ଶକ ହୋଇ ରହିପାରିବ ନାହିଁ। ଭାରତକୁ ଏକ ସନ୍ତୁଳିତ, ଦୂରଦୃଷ୍ଟିସମ୍ପନ୍ନ ଏବଂ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ହେବ। ଏଥିରେ କଠୋର ନିୟମାବଳୀ, ଭିତ୍ତିଭୂମିର ବିକାଶ, ଯୁବପିଢ଼ିଙ୍କୁ ତାଲିମର ଆବଶ୍ୟକତା ରହିଛି। ଆମେରିକା କିମ୍ବା ଚୀନ୍‌ର କମ୍ପାନୀଗୁଡ଼ିକ ଉପରେ ସମ୍ପୂର୍ଣ୍ଣ ନିର୍ଭର ନହୋଇ ନିଜର ସାର୍ବଭୌମ ଏଆଇ “ଇଣ୍ଡିଆଏଆଇ ମିଶନ’’କୁ ଅଧିକ ମଜବୁତ୍ କରିବାକୁ ହେବ। ଆମ ନିଜ ଭାଷା, ସଂସ୍କୃତି ଏବଂ ସୁରକ୍ଷା ଆବଶ୍ୟକତାକୁ ନଜରରେ ରଖି ସୁରକ୍ଷିତ ଏଆଇ ତିଆରି କରିବାକୁ ହେବ।
ଡିପଫେକ୍ ଏବଂ ସାଇବର ଅପରାଧକୁ ରୋକିବା ପାଇଁ କଠୋର ଆଇନଗତ ବ୍ୟବସ୍ଥା ଏବଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ସୁରକ୍ଷା କମିଶନ ଗଠନ କରାଯିବା ଆବଶ୍ୟକ।
ସ୍କୁଲ ଓ କଲେଜ ସ୍ତରରୁ ଏଆଇ, ଡାଟା ସାଇନ୍ସ, ଏବଂ ସାଇବର ସୁରକ୍ଷା ପାଠ୍ୟକ୍ରମ ଯୋଗ କରିବା ସହ ଆଗାମୀ ଦିନର ଚାକିରି ପାଇଁ ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବାକୁ ହେବ। ଭାରତ ମିଳିତ ଜାତିସଂଘ ଏବଂ ଜି-୨୦ (G20) ଭଳି ମଞ୍ଚରେ ବିକାଶଶୀଳ ଦେଶଗୁଡ଼ିକର ସ୍ୱର ହେବା ଉଚିତ୍। ଏଆଇ ସୁରକ୍ଷା ଯେପରି କେବଳ ଧନୀ ଦେଶମାନଙ୍କ ହାତରେ ସୀମିତ ନରହେ, ସେଥିପାଇଁ ଭାରତ ନେତୃତ୍ୱ ନେବା ଦରକାର।
ପ୍ରଯୁକ୍ତିବିଦ୍ୟା ଆମର ଭୃତ୍ୟ କି ମାଲିକ ନୁହେଁ। ଏଆଇ ମାନବଜାତିର କଲ୍ୟାଣ ପାଇଁ ଉଦ୍ଦିଷ୍ଟ ହେବା ଉଚିତ୍, ତାହାର ବିନାଶ ପାଇଁ ନୁହେଁ। ଅତୀତରେ ଯେପରି ମାନବ ସଭ୍ୟତା ବିଭିନ୍ନ ବିପଦକୁ ନିଜର ଏକତା, ବୁଦ୍ଧିମତ୍ତା, ଏବଂ ନିୟମାନୁବର୍ତ୍ତିତା ଦ୍ୱାରା ହରାଇଛି; ଆଜି ‘ଏଆଇ ଭୟ’ କୁ ଦୂର କରିବା ପାଇଁ ସମଗ୍ର ବିଶ୍ୱ ଏବଂ ଭାରତକୁ ଏକାଠି ହୋଇ କାର୍ଯ୍ୟ କରିବାକୁ ହେବ।

ବିନାଶ ଆଶଙ୍କା କରିଥିବା ଟପ୍‍ ସିଇଓ

ଅତ୍ୟାଧୁନିକ କୃତ୍ରିମ ବୁଦ୍ଧିମତ୍ତାର ବିକାଶରେ ବ୍ୟସ୍ତ ଥିବା ‘ଓପନ ଏଆଇ’ର ସିଇଓ ଡାରିଓ ଆମଦୋଇ ଏବଂ ସାମ ଅଲ୍ଟମ୍ୟାନ ନିକଟରେ ସାରା ବିଶ୍ୱକୁ ଚେତାବନୀ ଦେଇଛନ୍ତି। ତାଙ୍କ ମତରେ ଅନିୟନ୍ତ୍ରିତ କୃତ୍ରିମ ବୁଦ୍ଧିମତ୍ତାର ବିକାଶ ସାମାଜିକ ବିଧ୍ୱଂସର କାରଣ ହୋଇପାରେ। ତାଙ୍କର ଏହି ମତକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚାର ଏକ ନୂଆ ସ୍ତର ସୃଷ୍ଟି ହୋଇଛି। ସେ ଯେ ଏ ବାବଦରେ ଏପରି ମନ୍ତବ୍ୟ ଦେଇଥିବା ପ୍ରଥମ ବ୍ୟକ୍ତି ତାହା ନୁହେଁ, ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ ଗେଟ୍ସ, ନୋବେଲ ପୁରସ୍କାର ବିଜେତା ୟୋଶୁଆ ବେଞ୍ଜିଓ ମଧ୍ୟ ସମାନ ଚେତାବନୀ ଦେଇଛନ୍ତି। ଏହା ଶାସନ ବ୍ୟବସ୍ଥାକୁ ଟକ୍କର ଦେବାକୁ ଯାଉଥିବା ସେ କହିଛନ୍ତି।

ଖାଲି ମତମନ୍ତବ୍ୟରେ ଏହି ଚର୍ଚ୍ଚା ସୀମିତ ନାହିଁ। କୃତ୍ରିମ ବୁଦ୍ଧିମତ୍ତାର ଗଡ ଫାଦର ବୋଲି କୁହାଯାଉଥିବା ଜେଫରୀ ହିଣ୍ଟନ ମଧ୍ୟ ସମାନ ମନ୍ତବ୍ୟ ଦେଇଛନ୍ତି। ୨୦୨୩ ମସିହାରେ ସେ ଏ ବିଷୟରେ ବିଶ୍ୱକୁ ଚେତାବନୀ ଦେଇଥିଲେ। କିନ୍ତୁ ବିଶ୍ୱ ଏହାକୁ ଶୁଣି ନଥିଲା। ସେତେବଳେ ସେ ଗୁଗଲର ଉପସଭାପତି ପଦବୀରେ କାର୍ଯ୍ୟ କରୁଥିଲେ ଏବଂ ନିଜ ଦ୍ୱାରା କିଛି ଅଘଟଣ ଯେମତି ନ ହେବ ସେଥିଲାଗି ସେ ନିଜ ପଦବୀରୁ ଇସ୍ତଫା ମଧ୍ୟ ଦେଇଥିଲେ।

ଏହାଙ୍କ ପରେ ୨୦୨୪ ମସିହାରେ ଓପନ ଏଆଇ ସହ ପ୍ରତିଷ୍ଠାତା ତଥା ମୁଖ୍ୟ ବୈଜ୍ଞାନିକ ଇଲ୍ୟା ସୁତସ୍କେଭର ଏବଂ ଜନ୍‍ ଲେଇକେ ମଧ୍ୟ ନିଜ ପଦବୀରୁ ଇସ୍ତଫା ଦେଇ ଏହାର ଗମ୍ଭୀରତାକୁ ପ୍ରକାଶ କରିବାକୁ ଚାହିଁଥିଲେ। ଚକମକିଆ ଉତ୍ପାଦ ଆଗରେ ଆଇନ, ନିୟମ ଏବଂ ସର୍ତ୍ତସବୁ କ୍ଷୀଣ ହୋଇଯାଉଥିବା ସେ କହିଛନ୍ତି।
ଏହିଭଳି ଭୟକୁ ଆଶଙ୍କା କରି ଗତ ସେପ୍ଟେମ୍ବର ମାସରେ ଆନ୍ଥ୍ରୋପିକ ଗବେଷକ ଜାକବ୍‍ କକ୍ସନ ଏବଂ ଗୁଗଲ ଡିପ ମାଇଣ୍ଡ ନିରାପତ୍ତା ଗବେଷକ ବିଲାଲ ଚୁଗତାଇ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Popular Articles