ଅନଲାଇନ୍ ସପିଂରେ ‘୬୦% ରିହାତି’ ଦେଖି ଆପଣ ଲୋଭ ସମ୍ଭାଳି ନପାରି କିଣାକିଣି କରୁଛନ୍ତି କି? କିନ୍ତୁ ପରେ ପସ୍ତଉଛନ୍ତି କି ରିହାତିରେ କିଣିଥିବା ଜିନିଷ ବଜାରରେ ବି ସେତିକି ଦାମରେ ମିଳୁଛି ? କିମ୍ବା ନିଜ ପସନ୍ଦର ଜିନିଷ ଖୋଜିବା ବେଳେ ଅପ୍ରାସଙ୍ଗିକ ଓ ଦାମୀ ସାମଗ୍ରୀ ପ୍ରଥମେ ଦେଖାଯାଉଛି? ଏଭଳି ଅଭ୍ୟାସ ଉପରେ ରୋକ୍ ଲଗାଇବା ସହ ଅନଲାଇନ୍ କ୍ରୟକୁ ଅଧିକ ସ୍ୱଚ୍ଛ କରିବା ପାଇଁ କେନ୍ଦ୍ର ସରକାର ନୂଆ ନିୟମ ଆଣିଛନ୍ତି। ଉପଭୋକ୍ତା ବ୍ୟାପାର ବିଭାଗ ଉପଭୋକ୍ତା ସୁରକ୍ଷା (ଇ-କମର୍ସ) ନିୟମ, ୨୦୨୦ରେ ସଂଶୋଧନ କରିଛି। ଏହି ନୂଆ ନିୟମ ୨୦୨୭ ଜାନୁଆରୀ ୧ରୁ ଲାଗୁ ହେବ। ଏହି ସଂଶୋଧନର ଲକ୍ଷ୍ୟ ହେଉଛି ଅନଲାଇନ୍ ସପିଂରେ ମୂଲ୍ୟ, ସର୍ଚ୍ଚ ଫଳାଫଳ, ବିଜ୍ଞାପନ, ଉତ୍ପାଦ ସୂଚନା, ଅଭିଯୋଗ ଓ ଉପଭୋକ୍ତା ତଥ୍ୟ ବ୍ୟବହାରକୁ ଅଧିକ ସ୍ୱଚ୍ଛ ଓ ଦାୟିତ୍ୱଶୀଳ କରିବା।
ଆସନ୍ତୁ ଜାଣିବା ନୂଆବର୍ଷରୁ କିପରି ବଦଳିବ ଅନଲାଇନ ସପିଂ…
ପ୍ରକୃତ ପୁରୁଣା ଦାମ ଦେଖାଇବାକୁ ପଡ଼ିବ: କୌଣସି ସାମଗ୍ରୀର ଦାମ କମାଇ ବିକ୍ରି କରାଯାଉଥିଲେ, ପ୍ଲାଟଫର୍ମକୁ ରିହାତି ଦାମ ସହ ପୂର୍ବ ଦାମ ମଧ୍ୟ ଦେଖାଇବାକୁ ହେବ। ଏହାର ଅର୍ଥ ହେଉଛି ଡିସକାଉଣ୍ଟ ଘୋଷଣାର ପୂର୍ବରୁ ୩୦ ଦିନ ମଧ୍ୟରେ ଉତ୍ପାଦଟି ଯେଉଁ ସର୍ବନିମ୍ନ ଦାମରେ ବିକ୍ରି ହୋଇଥିଲା, ସେହି ଦାମକୁ ଆଧାର କରାଯିବ।
ସର୍ଚ୍ଚ ରେଜଲ୍ଟରେ ହେରଫେର ନାହିଁ: ଉପଭୋକ୍ତାଙ୍କ ସର୍ଚ୍ଚ ସହିତ ଅସମ୍ପର୍କିତ କିମ୍ବା ବିଭ୍ରାନ୍ତିକର ଭାବେ ଫଳାଫଳକୁ ଉପରକୁ ଦେଖାଇବା ଯାଇପାରିବ ନାହିଁ।
ପ୍ରାୟୋଜିତ ଉତ୍ପାଦ ସ୍ପଷ୍ଟ ଭାବେ ଚିହ୍ନିତ ହେବ: ଟଙ୍କା ଦେଇ ଉପରେ ପ୍ରଦର୍ଶିତ କରାଯାଉଥିବା ବିଜ୍ଞାପନ ବା ପ୍ରାୟୋଜିତ ଉତ୍ପାଦକୁ ସ୍ପଷ୍ଟ ଭାବେ ଚିହ୍ନିତ କରିବାକୁ ପଡ଼ିବ।
ଅଭିଯୋଗର କପି ମିଳିବ: ଅଭିଯୋଗ ଅଧିକାରୀଙ୍କ ନିକଟରେ ଦିଆଯାଇଥିବା ଅଭିଯୋଗର ଏକ କପି ଉପଭୋକ୍ତାଙ୍କୁ ଦେବାକୁ ହେବ।
ଜାତୀୟ ଉପଭୋକ୍ତା ହେଲ୍ପଲାଇନ୍ ସହ ସଂଯୋଗ: ପ୍ରତ୍ୟେକ ଇ-କମର୍ସ ସଂସ୍ଥାକୁ ନ୍ୟାସନାଲ୍ କନ୍ଜ୍ୟୁମର୍ ହେଲ୍ପଲାଇନ୍ (NCH)ର କନଭର୍ଜେନ୍ସ ପ୍ରକ୍ରିୟାରେ ସହଭାଗୀ ହେବାକୁ ପଡ଼ିବ। ୨୦୨୫ରେ NCH ୧୭,୭୧,୬୨୨ଟି ଅଭିଯୋଗ ପାଇଥିବା ବେଳେ ଏଥିରୁ ୫,୧୧,୧୯୬ଟି ବା ପ୍ରାୟ ୨୯% ଇ-କମର୍ସ ସମ୍ପର୍କିତ ଥିଲା।
ଉତ୍ପାଦ ଓ ବିକ୍ରେତା ସମ୍ପର୍କିତ ସୂଚନା: ବେଷ୍ଟ-ବିଫୋର୍/ୟୁଜ୍-ବିଫୋର୍ ତାରିଖ, ରିଟର୍ନ ଓ ରିଫଣ୍ଡ ନିୟମ, ୱାରେଣ୍ଟି, ଡେଲିଭରି ଓ ପେମେଣ୍ଟ ସମ୍ପର୍କିତ ତଥ୍ୟ ଦେବାକୁ ହେବ।
ଅନାବଶ୍ୟକ ଫି ଓ ଆମଦାନି ତଥ୍ୟ: ଇ-କମର୍ସ ପ୍ଲାଟଫର୍ମ ସହ ଅସମ୍ପର୍କିତ ସେବା ପାଇଁ ବଣ୍ଡଲ୍ ଫି ଆଦାୟ କରିପାରିବେ ନାହିଁ। ତେବେ ଲୟାଲଟି ବା ମେମ୍ବରସିପ୍ ପ୍ରୋଗ୍ରାମ୍ ସମ୍ପର୍କିତ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ଏଥିରୁ ବାଦ ପଡ଼ିବ। ଆମଦାନି ହୋଇଥିବା ସାମଗ୍ରୀ ପାଇଁ ଆମଦାନିକାରୀଙ୍କ ନାମ ଓ ବିବରଣୀ ସହ ଦେଶର ନାମ ମଧ୍ୟ ପ୍ରକାଶ କରିବାକୁ ହେବ।
ଉପଭୋକ୍ତା ତଥ୍ୟ ବ୍ୟବହାରରେ ନିୟନ୍ତ୍ରଣ: ନିର୍ଦ୍ଦିଷ୍ଟ ବ୍ୟବହାର ପାଇଁ ଉପଭୋକ୍ତାଙ୍କ ତଥ୍ୟ ନେବା ବା ବ୍ୟବହାର କରିବାକୁ ତାଙ୍କର ସ୍ପଷ୍ଟ ସମ୍ମତି ଆବଶ୍ୟକ ହେବ।
ଏସବୁ ନୂଆ ନିୟମ ଇ-ସପିଂ ପ୍ରିୟ ଗ୍ରାହକଙ୍କୁ ଅଧିକ ସଶକ୍ତ କରିବ କିମ୍ବା କମ୍ପାନିମାନେ ଏହାର କୌଣସି ନା କୌଣସି ଗଳାବାଟ ବାହାର କରି ଗ୍ରାହକଙ୍କୁ ପୂର୍ବବତ୍ ବୋକା ବନେଇଚାଲିବେ ତାହା ସମୟ କହିବ।






