Tuesday, October 6, 2026
spot_imgspot_img

Top 5 This Week

spot_img

Related Posts

ସିନେମା ପ୍ରମାଣପତ୍ର ପାଇଁ ନୂଆ ନିୟମ ଜାରି କଲା ସିବିଏଫ୍‍ସି :   ହିଂସା, ନିଶାଦ୍ରବ୍ୟର ବ୍ୟବହାର ଏବଂ ଶିଶୁ ନିର୍ଯାତନା ଉପରେ ଲାଗିଲା କଟକଣା

ବଦଳିଛି ସିନେମା ପ୍ରମାଣନ ନିୟମାବଳୀ। ସାଧାରଣ ଲୋକଙ୍କ ପାଖରେ ସେନ୍ସର ବୋର୍ଡ ଭାବେ ପରିଚିତ ସିବିଏଫ୍‍ସି ଏବେ ନୂଆ ନିର୍ଦ୍ଦେଶାବଳୀରେ କାର୍ଯ୍ୟ କରିବ। ବଦଳୁଥିବା ସମୟ ସହ ତାଳ ଦେଇ ଏପରି ଏକ ନିୟମାବଳୀର ଆବଶ୍ୟକତା ଥିଲା ବୋଲି ଅନେକ ମତ ଦେଉଥିବା ବେଳେ ଏହା ସ୍ୱାଧୀନତାକୁ କ୍ଷୁର୍ଣ୍ଣ କରିବ ବୋଲି ମଧ୍ୟ ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୬ ତାରିଖରେ ସିବିଏଫ୍‍ସି ପାଇଁ ଜାରି ହୋଇଥିବା ନିର୍ଦ୍ଦେଶାବଳୀକୁ ନେଇ ଏହି ରିପୋର୍ଟ।

ନୂଆଦିଲ୍ଲୀ: କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କେନ୍ଦ୍ରୀୟ ଫିଲ୍ମ ପ୍ରମାଣନ ବୋର୍ଡ (ସିବିଏଫ୍‍ସି) ପାଇଁ ଏକ ବ୍ୟାପକ ସଂଶୋଧିତ ନିର୍ଦ୍ଦେଶାବଳୀ ଆନୁଷ୍ଠାନିକ ଭାବେ ଜାରି କରାଯାଇଛି। ସିନେମାଟୋଗ୍ରାଫ୍ ଆକ୍ଟ- ୧୯୫୨ ଅଧୀନରେ  ସେପ୍ଟେମ୍ବର ୧୬ ତାରିଖରେ ଜାରି କରାଯାଇଥିବା ଏହି ବିଜ୍ଞପ୍ତି, ୧୯୯୧ ମସିହା ଡିସେମ୍ବର ମାସର ପୁରୁଣା ନିୟମାବଳୀକୁ ବାତିଲ କରିଛି। ଭାରତରେ ଚଳଚ୍ଚିତ୍ରଗୁଡ଼ିକର ସାର୍ବଜନୀନ ପ୍ରଦର୍ଶନ ପାଇଁ ଉଦ୍ଦିଷ୍ଟ ଯାଞ୍ଚ ପ୍ରକ୍ରିୟାକୁ ଏହା ଏକ ନୂଆ ରୂପ ଦେବ। ଏଣିକି ଏହି ଆଧାରରେ ନୂତନ ସିନେମାଗୁଡ଼ିକୁ ସର୍ବସାଧାରଣ ପ୍ରଦର୍ଶନ ଲାଗି ପ୍ରମାଣପତ୍ର ପ୍ରଦାନ କରାଯିବ।

ଏହି ଅପଡେଟ୍ ହୋଇଥିବା ନିର୍ଦ୍ଦେଶାବଳୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଳାତ୍ମକ ଅଭିବ୍ୟକ୍ତି ଏବଂ ସାମାଜିକ ଉତ୍ତରଦାୟିତ୍ୱ ମଧ୍ୟରେ ସନ୍ତୁଳନ ରକ୍ଷା କରିବା। ଏଥିସହ ହିଂସା, ନିଶାଦ୍ରବ୍ୟର ବ୍ୟବହାର ଏବଂ ଅଶ୍ଳୀଳତାର ପ୍ରଦର୍ଶନ ଉପରେ ଏହି ନୂଆ ନିର୍ଦ୍ଦେଶାବଳୀ କଡ଼ା କଟକଣା ଲଗାଇଛି। ଶିଶୁ ସୁରକ୍ଷା ଓ ସାମାଜିକ ସୌହାର୍ଦ୍ଦ୍ୟ ଉପରେ ବିଶେଷ ଗୁରୁତ୍ୱ ଦେଇଛି ନୂତନ ନିର୍ଦ୍ଦେଶାବଳୀ।

ଏଣୁ କୌଣସି ସୁନେମା ପାଇଁ ପ୍ରମାଣନପତ୍ର ଆବେଦନପୂର୍ବରୁ ନୂତନ ମାର୍ଗଦର୍ଶିକାକୁ ଭଲ ଭାବେ ପଢ଼ିବା ସହ କେଉଁ ଢାଞ୍ଚାରେ ପ୍ରମାଣନ କରାଯାଏ ତାହାକୁ ବୁଝିବା ଲାଗି ସିବିଏଫ୍‍ସିର ଅଧ୍ୟକ୍ଷ ଶଶି ଶେଖର ଭେମପତି ଜଣାଇଛନ୍ତି। ଏହି ନିର୍ଦ୍ଦେଶାବଳୀକୁ ସମସ୍ତ ଫିଲ୍ମ ସଂଗଠନ ଏବଂ ନେତୃବୃନ୍ଦଙ୍କ ସଚେତନତା ଉଦ୍ଦେଶ୍ୟରେ ନିଜ ନିଜ ସ୍ତରରେ ବ୍ୟାପକ ପ୍ରସାର କରିବାକୁ ସେ ଏକ ସୋଶାଲ ମିଡିଆ ପୋଷ୍ଟରେ ଆଶା କରିଛନ୍ତି।

ସନ୍ତୁଳନ ରକ୍ଷା: ଫିଲ୍ମ ପ୍ରମାଣପତ୍ରର ଉଦ୍ଦେଶ୍ୟ

ବିଜ୍ଞପ୍ତି ଅନୁଯାୟୀ, ଫିଲ୍ମ ପ୍ରମାଣପତ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସୃଜନଶୀଳ ସ୍ୱାଧୀନତାକୁ ଅନାବଶ୍ୟକ ଭାବେ ନରୋକି, ସିନେମାକୁ ସମାଜର ମୂଲ୍ୟବୋଧ ଏବଂ ମାନଦଣ୍ଡ ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱବାନ ରଖିବା। ଏଥିରେ ଉଲ୍ଲେଖ କରାଯାଇଛି ଯେ ପ୍ରମାଣପତ୍ର ପ୍ରକ୍ରିୟା ସାମାଜିକ ପରିବର୍ତ୍ତନ ସହ ତାଳ ଦେଇ ଚାଲିବା ଉଚିତ, ଯାହାଦ୍ୱାରା ଦର୍ଶକଙ୍କୁ ଉଚ୍ଚ କଳାତ୍ମକ ତଥା ସ୍ୱଚ୍ଛ ଓ ସୁସ୍ଥ ମନୋରଞ୍ଜନ ମିଳିପାରିବ।

ତଥାପି, ଅନେକ ସମ୍ବେଦନଶୀଳ ବିଷୟବସ୍ତୁ ଉପରେ କଠୋର କଟକଣା ପାଳନ କରିବାକୁ ସିବିଏଫ୍‍ସିକୁ ନିର୍ଦ୍ଦେଶ ଦିଆଯାଇଛି।

  • ହିଂସା ଏବଂ ଅପରାଧ ଉପରେ କଟକଣା: ନୂତନ ନିୟମ ଅନୁଯାୟୀ ସିନେମାରେ ଅପରାଧିକ କାର୍ଯ୍ୟକଳାପ, ଅପରାଧର ଶୈଳୀ ଏବଂ ହିଂସାକୁ ପ୍ରଶଂସା କିମ୍ବା ଯୁକ୍ତିଯୁକ୍ତ ଦର୍ଶାଯାଇପାରିବ ନାହିଁ। ଅନାବଶ୍ୟକ, ଭୟାନକ କିମ୍ବା ସମ୍ବେଦନହୀନ କରୁଥିବା ହିଂସାତ୍ମକ ଦୃଶ୍ୟକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି।
  • ଶିଶୁ ଏବଂ ସଂବେଦନଶୀଳ ବର୍ଗଙ୍କ ସୁରକ୍ଷା: ନାବାଳକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ନିଆଯାଇଛି। ଫିଲ୍ମରେ ଶିଶୁମାନଙ୍କୁ ହିଂସାର ଶିକାର, ଅପରାଧୀ କିମ୍ବା ହିଂସାର ବାଧ୍ୟତାମୂଳକ ସାକ୍ଷୀ ଭାବରେ ଦେଖାଯାଇପାରିବ ନାହିଁ, କିମ୍ବା ଶିଶୁ ନିର୍ଯାତନା ଦର୍ଶାଯାଇପାରିବ ନାହିଁ। ଏହାବ୍ୟତୀତ ଶାରୀରିକ କିମ୍ବା ମାନସିକ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଅପମାନିତ ଅବା ଉପହାସ କରିବା ଏବଂ ପଶୁମାନଙ୍କ ପ୍ରତି ଅନାବଶ୍ୟକ ନିଷ୍ଠୁରତା ଦେଖାଇବା ନିଷେଧ କରାଯାଇଛି।
  • ମଦ୍ୟପାନ, ଧୂମପାନ ଓ ନିଶାଦ୍ରବ୍ୟ: ମଦ୍ୟପାନ, ଧୂମପାନ କିମ୍ବା ତମାଖୁ ସେବନକୁ ଉତ୍ସାହିତ, ଯୁକ୍ତିଯୁକ୍ତ କିମ୍ବା ଆକର୍ଷଣୀୟ ଭାବେ ଦେଖାଉଥିବା ଦୃଶ୍ୟକୁ ନିଷିଦ୍ଧ କରାଯାଇଛି। ବେଆଇନ ନିଶାଦ୍ରବ୍ୟର ପ୍ରଦର୍ଶନ ସମୟରେ ବାଧ୍ୟତାମୂଳକ ଭାବେ ଏହି ବୈଧାନିକ ସାବଧାନତା ଚେତାବନୀ ଦେଖାଇବାକୁ ପଡ଼ିବ: “ବେଆଇନ ନିଶାଦ୍ରବ୍ୟ ସ୍ୱାସ୍ଥ୍ୟ ନଷ୍ଟ କରେ ଏବଂ ଜେଲଦଣ୍ଡକୁ ନିଶ୍ଚିତ କରାଏ। ନିଶାଦ୍ରବ୍ୟକୁ ନା କହନ୍ତୁ।”
  • ନାରୀ ସମ୍ମାନ ଓ ଅଶ୍ଳୀଳତା: ଅଶ୍ଳୀଳତା, ନିମ୍ନରୁଚିସମ୍ପନ୍ନ ଦ୍ୱିଅର୍ଥବୋଧକ ଶବ୍ଦ ପ୍ରଯୁଜ୍ୟ ନୁହେଁ। ମହିଳାମାନଙ୍କୁ ଅପମାନିତ କରୁଥିବା ଦୃଶ୍ୟ କିମ୍ବା ଯୌନ ହିଂସା (ବଳାତ୍କାର, ଯୌନ ନିର୍ଯାତନା) କୁ ଏଡ଼ାଇବାକୁ ପଡ଼ିବ। ଯଦି କାହାଣୀ ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ ହୋଇଥାଏ, ତେବେ କୌଣସି ସ୍ପଷ୍ଟ ବିବରଣୀ ନଦେଇ ଯଥାସମ୍ଭବ ସର୍ବନିମ୍ନ ପ୍ରଦର୍ଶନ ରହିବ।
  • ରାଷ୍ଟ୍ରୀୟ ସୁରକ୍ଷା ଓ ସାମାଜିକ ସୌହାର୍ଦ୍ଦ୍ୟ: ସାମ୍ପ୍ରଦାୟିକତା, କୁସଂସ୍କାର, ବିଜ୍ଞାନ-ବିରୋଧୀ କିମ୍ବା ଦେଶବିରୋଧୀ ମନୋଭାବକୁ ପ୍ରୋତ୍ସାହିତ କରୁଥିବା ବିଷୟବସ୍ତୁ ଉପରେ ରୋକ୍ ଲଗାଯାଇଛି। ଭାରତର ସାର୍ବଭୌମତ୍ୱ, ଅଖଣ୍ଡତା, ରାଜ୍ୟ ନିରାପତ୍ତା, ଶାନ୍ତିଶୃଙ୍ଖଳା କିମ୍ବା ବିଦେଶୀ ରାଷ୍ଟ୍ର ସହ ବନ୍ଧୁତାପୂର୍ଣ୍ଣ ସମ୍ପର୍କକୁ ବିପନ୍ନ କରୁଥିବା ଦୃଶ୍ୟ କିମ୍ବା ଶବ୍ଦ ଉପରେ କଡ଼ା କଟକଣା ରହିବ। ବ୍ୟକ୍ତିଗତ ମାନହାନି, ଆଦାଲତ ଅବମାନନା ଏବଂ ଜାତୀୟ ପ୍ରତୀକର ଅସମ୍ମାନଜନକ ବ୍ୟବହାରକୁ ମଧ୍ୟ ବାରଣ କରାଯାଇଛି।

ସାମଗ୍ରିକ ମୂଲ୍ୟାଙ୍କନ

ବୋର୍ଡକୁ କୌଣସି ଫିଲ୍ମର କେବଳ ଗୋଟିଏ କିଛି ଦୃଶ୍ୟ ନୁହେଁ, ବରଂ ଫିଲ୍ମର ସାମଗ୍ରିକ ପ୍ରଭାବ ଆଧାରରେ ମୂଲ୍ୟାଙ୍କନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିନେମାରେ ଦେଖାଯାଇଥିବା ସମୟସୀମା ଏବଂ ସମସାମୟିକ ସାମାଜିକ ମାନଦଣ୍ଡକୁ ଧ୍ୟାନରେ ରଖି ନିଷ୍ପତ୍ତି ନିଆଯିବ।

ଏହି ସମସ୍ତ ମାନଦଣ୍ଡ ପୂରଣ କରୁଥାଇ ଛୋଟପିଲାଙ୍କ ପାଇଁ ଅନୁପଯୁକ୍ତ ଫିଲ୍ମଗୁଡ଼ିକୁ କେବଳ ‘ପ୍ରାପ୍ତବୟସ୍କ’  ଶ୍ରେଣୀଭୁକ୍ତ କରାଯିବ। ସେହିପରି ଅପ୍ରତିବନ୍ଧିତ ସାର୍ବଜନୀନ ପ୍ରଦର୍ଶନ ପାଇଁ ଫିଲ୍ମଗୁଡ଼ିକ ସମ୍ପୂର୍ଣ୍ଣ ପରିବାର ଏବଂ ଶିଶୁମାନେ ଏକାଠି ବସି ଦେଖିବା ଉପଯୋଗୀ ହୋଇଥିବା ଆବଶ୍ୟକ।

କିନ୍ତୁ ଯଦି କୌଣସି ଅପ୍ରତିବନ୍ଧିତ ଫିଲ୍ମ ବା ସିନେମାର କଣ୍ଟେଣ୍ଟକୁ ସମ୍ମାନ ଦେଇ ବୋର୍ଡ ଅନୁଭବ କରନ୍ତି ଯେ ସମ୍ପୃକ୍ତ ସିନେମାକୁ କୌଣସି ବୟସ ବର୍ଗର ପିଲାମାନେ ଦେଖିବା ଲାଗି ସେମାନଙ୍କ ପିତାମାତା ସତର୍କ ରହିବା ଆବଶ୍ୟକ, ତେବେ ସମ୍ପୃକ୍ତ ସିନମାକୁ ଅପ୍ରତିବନ୍ଧିତ ପ୍ରଦର୍ଶନ ଲାଗି ଉନ୍ମୁକ୍ତ କରାଯିବ କିନ୍ତୁ ସେଥିରେ ନିମ୍ନ ରେଟିଂ ଉଲ୍ଲେଖ ରହିବ।

  • U/A 7+: ୭ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ; ୭ ବର୍ଷରୁ କମ୍ ଶିଶୁଙ୍କ ପାଇଁ ପିତା-ମାତାଙ୍କ ମାର୍ଗଦର୍ଶନ ଆବଶ୍ୟକ।
  • U/A 13+: ୧୩ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ; ୧୩ ବର୍ଷରୁ କମ୍ ଶିଶୁଙ୍କ ପାଇଁ ପିତା-ମାତାଙ୍କ ମାର୍ଗଦର୍ଶନ ଆବଶ୍ୟକ।
  • U/A 16+: ୧୬ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ଶିଶୁଙ୍କ ପାଇଁ ଉପଯୁକ୍ତ; ୧୬ ବର୍ଷରୁ କମ୍ ଶିଶୁଙ୍କ ପାଇଁ ପିତା-ମାତାଙ୍କ ମାର୍ଗଦର୍ଶନ ଆବଶ୍ୟକ।

ଏହା ବ୍ୟତୀତ, ନିର୍ଦ୍ଦିଷ୍ଟ ପେଷା କିମ୍ବା ବର୍ଗର ବ୍ୟକ୍ତିବିଶେଷଙ୍କ ପାଇଁ ତିଆରି ହୋଇଥିବା ଫିଲ୍ମଗୁଡ଼ିକୁ ସ୍ୱତନ୍ତ୍ର ଦର୍ଶକ ବର୍ଗରେ ରଖାଯିବ। ବୋର୍ଡକୁ ଚଳଚ୍ଚିତ୍ରର ନାମ (ଶୀର୍ଷକ) ଗୁଡ଼ିକୁ ମଧ୍ୟ କଡ଼ାକଡ଼ି ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି, ଯେପରି ସେଗୁଡ଼ିକ ଉତ୍ତେଜକ, ଅଶ୍ଳୀଳ କିମ୍ବା ନିୟମ ବିରୋଧୀ ଶୀର୍ଷକ ନହେବ।

LEAVE A REPLY

Please enter your comment!
Please enter your name here

Popular Articles