ସେପ୍ଟେମ୍ବର ୮, ୨୦୨୬। ପଶ୍ଚିମବଙ୍ଗ ସୀମାନ୍ତ ଓଡ଼ିଶାର ଉଦୟପୁର-ତାଳସାରୀ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ଥିବା ଜଙ୍ଗଲରେ ଏକା ସଙ୍ଗେ ୫ ଜଣ ଶିଶୁ ଓରାଙ୍ଗଉଟାନଙ୍କୁ ଠାବ କରାଗଲା। ସେ ଦିନଠାରୁ ଏ ବିଷୟ ସାରା ବିଶ୍ୱରେ ଓଡ଼ିଶାକୁ ଚର୍ଚ୍ଚିତ କରିଚାଲିଛି। ଉଦ୍ଧାର କରାଯିବା ସମୟରେ ଏହି ନିରୀହ ଓରାଙ୍ଗଉଟାନଙ୍କ କେହି ଅଭିଭାବକ ନଥିଲେ। ପରିତ୍ୟକ୍ତ ଅବସ୍ଥାରେ ଏହି ଭୋକିଲା ବିଦେଶୀ ଯନ୍ତୁଙ୍କୁ କିଛି ଖାଦ୍ୟ ଦେଇ ନିଜର କରି ନେଇଥିଲା ବନ୍ୟ ବିଭାଗ। ଏହା ଏକ ସଂଗଠିତ ଅପରାଧର ମଧ୍ୟବର୍ତ୍ତୀ ପ୍ଲଟ ବୋଲି ବନ ବିଭାଗ ସନ୍ଦେହ କରୁଛିି। ପ୍ରଶ୍ନ ଉଠୁଛି ଏ କାହାଣୀର ସତ କେଉଁଠି ଲୁଚିଛି?
ଆପଣଙ୍କ ମନେ ଥିବ, ଅମୁଲ ମାଚୋ ଅନ୍ତଃବସ୍ତ୍ରର ସେଇ ଲୋକପ୍ରିୟ ବିଜ୍ଞାପନ ‘ୟୋ ତୋ ବଡ଼ା ଟଇଁ ହୈ!’। ୨୦୦୮ ମସିହାରେ ଏହି ବିଜ୍ଞାପନକୁ ଟିଭି ପର୍ଦ୍ଦାରେ ଉନ୍ମୋଚନ କରାଯାଇଥିଲା। ଏହା ପୂର୍ବରୁ ଅଭିନେତ୍ରୀ ସାନା ଖାନ୍ଙ୍କୁ ନେଇ ନିର୍ମିତ ବିଜ୍ଞାପନକୁ ଅତ୍ୟନ୍ତ ଅଶାଳୀନ ବୋଲି କହି ତାହା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଆଉ ଏହାର ଜବାବରେ ବିଦେଶରେ ଶୁଟିଂ କରାଯାଇଥିଲା ସମାନ ଟ୍ୟାଗରେ ଆଉ ଏକ ବିଜ୍ଞାପନ, ଯେଉଁଠାରେ ଏକ ଓରାଙ୍ଗଉଟାନ୍କୁ ସାନା ଖାନଙ୍କ ସହ ଅଭିନୟ କରିଥିବା ଦେଖିବାକୁ ମିଳିଲା। ଏଥିରେ ଓରାଙ୍ଗଉଟାନ କିପରି ମଣିଷକୁ ଅବିଳମ୍ବେ ନକଲ କରିପାରେ ତାହା ଜଣାପଡ଼ିଥିଲା। ଆଜି ବି ପ୍ରାୟ ଦୁଇ ଦଶନ୍ଧି ପରେ ଏହା ଅନେକଙ୍କ ପାଇଁ ଉଦାହରଣ ହୋଇ ରହିଛି। ଇଣ୍ଟରନେଟରେ ଏହା ଏବେ ବି ଏକ ସେନସେସନାଲ ଓ ଟ୍ରେଣ୍ଡିଂ ବିଜ୍ଞାପନ ଭାବେ ପରିଚିତ। ଏହା ପରେ ମିଣ୍ଟୋସ୍ ଆଲପେନ୍ଲିବେ ଏବଂ ବ୍ଲୁଷ୍ଟାର ଏସିର ଏକ ବିଜ୍ଞାପନରେ ମଧ୍ୟ ଓରାଙ୍ଗଉଟାନକୁ ଦେଖିବାକୁ ମିଳିଥିଲା, କିନ୍ତୁ ସିଜିଆଇ ବା କମ୍ପ୍ୟୁଟର ନିର୍ମିତ ଗ୍ରାଫିକ୍ସ ମାଧ୍ୟମରେ।
ଏ କଥାସବୁକୁ ଆଜି ମନେ ପକାଇବାର ଉଦ୍ଦେଶ୍ୟ ହେଉଛି, ମଣିଷକୁ ଅବିଳମ୍ବେ ନକଲ କରିପାରୁଥିବା ଏହି ବଣୁଆ ଜୀବଟିର ଚୋରା ଚାଲାଣ ଏବଂ ଓଡ଼ିଶାର ପବିତ୍ର ଭୂମିକୁ ଏଥିପାଇଁ ବ୍ୟବହାର ପ୍ରସଙ୍ଗ। ସେପ୍ଟେମ୍ବର ୮ ତାରିଖ ଦିନ ଓଡ଼ିଶା ଉପକୂଳରେ ଏମିତି ଗୋଟିଏ କି ଦୁଇଟି ନୁହେଁ ୫ଟି ଶିଶୁ ଓରାଙ୍ଗଉଟାନ୍କୁ ଜୀବନ ସହ ସଂଗ୍ରାମ କରୁଥିବାର ଭିଡିଓ ଯେତେବଳେ ଦେଖିବାକୁ ମିଳିଲା ସାରା ଦେଶ ତଥା ବିଦେଶୀ ମିଡିଆର ତାହା କଣ୍ଟେଣ୍ଟ ହୋଇଗଲା। ଇଣ୍ଡୋନେସିଆରେ ଦେଖାଯାଉଥିବା ଏହି ବନ୍ୟପ୍ରାଣୀ ଓଡ଼ିଶାର ବାଲେଶ୍ୱର ଉପକୂଳରେ ଥିବା ବିଚିତ୍ରପୁରକୁ ଆସିଲା କେମିତି? କିଏ ଆଣିଲା? ଏହା ଚୋରା ଚାଲାଣ କି ନୁହେଁ? କିଏ ଏହି ଚାଲାଣର ମାଷ୍ଟର ମାଇଣ୍ଡ? ସର୍ବୋପରି ଓଡ଼ିଶାର ବନ୍ୟ, ଓ ସୁରକ୍ଷା କର୍ମଚାରୀଙ୍କ ଭିତରୁ କେହି ଏଥିରେ ସାମିଏ ନୁହଁନ୍ତି ତ? ଏମିତି ଅନେକ ପ୍ରଶ୍ନ…
ଏ ପ୍ରଶ୍ନଗୁଡ଼ିକ ସୃଷ୍ଟି ହେବା ପଛରେ ଅନେକ କାରଣ ରହିଛି। ପ୍ରଥମତଃ, ଏହି ପ୍ରକାର ବନ୍ୟପ୍ରାଣୀ କେବଳ ଇଣ୍ଡୋନେସିଆର ଜାଭା, ସୁମାତ୍ରା ଦ୍ୱୀପରେ ଦେଖିବାକୁ ମିଳନ୍ତି। ଭାରତୀୟ ଭୂମି ଏମାନଙ୍କ ରହିବାର ସ୍ଥାନ ନୁହେଁ। କିନ୍ତୁ ଗଲା କିଛି ବର୍ଷ ହେଲା ଏହିପରି ଯନ୍ତୁଙ୍କୁ ଭାରତର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳୁଛି। ଆଉ ସେହିସବୁ ଘଟଣାକୁ ଅନୁସନ୍ଧାନ କରିବା ବେଳେ ଜଣାପଡ଼ୁଛି ଯେ, ବନ୍ୟଯନ୍ତୁ ମାଫିଆମାନେ ଏଥିଲାଗି ନିଜ ଦେଶର ଆଇନକୁ ଧୂଳି ଦେବା ସହ ଥାଇଲାଣ୍ଡ, ମିଆଁମାର, ବାଂଲାଦେଶର ସୁରକ୍ଷା ବ୍ୟବସ୍ଥାକୁ ସହଜରେ ପାର କରି ଭାରତର ମଣିପୁର, ମିଜୋରାମ, ଆସାମକୁ ଲାଗିଥିବା ସୀମାରେ ପହଞ୍ଚିଥାଆନ୍ତି। ଏହି ସବୁ ସ୍ଥାନାନ୍ତରଣ ସଡ଼କପଥରେ ହୋଇଥାଏ। ଆଉ ଏହାପରେ ଆରମ୍ଭ ହୁଏ ବିଦେଶକୁ ଯାତ୍ରା। ଯେତେବେଳେ ଏହି ସୀମାନ୍ତରେ ଏହି ବନ୍ୟପ୍ରାଣୀଙ୍କୁ ଆମ ଆଇନର ରକ୍ଷକମାନେ ଧରି ଥାଆନ୍ତି ସେତେବଳେ ଏହା ହୋଇଥାଏ ଜାତୀୟ ଆନ୍ତର୍ଜାତିକ ନ୍ୟୁଜ। ଯାହା ଗଲା ୮ ତାରିଖରେ ହୋଇଛି ଆଉ ପୂର୍ବରୁ ମଧ୍ୟ ୪ ଥର ଭାରତୀୟ ମିଡିଆରେ ସ୍ଥାନ ପାଇଛି।
ନଭେମ୍ବର ୨୦୨୪ରେ ଏମିତି ଏକ ନ୍ୟୁଜ୍ ବେଶ୍ ଚର୍ଚ୍ଚିତ ହୋଇଥିଲା ଯେତେବଳେ ମୁମ୍ବାଇର ଏକ ଆବାସିକ ଫ୍ଲାଟରେ ଗୋଟିଏ ଓରାଙ୍ଗଓଟାନ ଉଦ୍ଧାର କରାଯାଇଥିଲା। ବନ ବିଭାଗ ତାହାକୁ ବନତାରା ଚିଡ଼ିଆଖାନାକୁ ସ୍ଥାନାନ୍ତରଣ କରିଥିଲେ। ଏବେ ଏହା ସୁସ୍ଥ ରହିଛି। ସେହିପରି, ଅକ୍ଟୋବର ୨୦୨୩ରେ ଗୋଟିଏ ଶିଶୁ ଓରାଙ୍ଗଓଟାନକୁ ମିଜୋରାମର ଆଇଜଲ ନିକଟବର୍ତ୍ତୀ ସେଲିଂ ଜଗାଁରୁ ଉଦ୍ଧାର କରାଯାଇଥିଲା। ରାଜ୍ୟ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏବେ ରାଜ୍ୟ ଚିଡ଼ିଆ ଖାନାରେ ଏହା ରହିଛି ଏବଂ ସୁସ୍ଥ ରହିଛି।
୨୦୨୨ ମସିହାରେ, ଆସାମ- ମିଜୋରାମ ସୀମାନ୍ତବର୍ତ୍ତୀ ଅଞ୍ଚଳ କାଚରଠାରେ ୨ଟି ଓରାଙ୍ଗଉଟାନଙ୍କୁ ଉଦ୍ଧାର କରାଯାଇଥିଲା। ସୀମାନ୍ତ ଅଞ୍ଚଳରେ ଧରା ପଡ଼ିବା ପରେ ଏହାକୁ ଆସାମ ରାଜ୍ୟ ଚିଡିଆଖାନାକୁ ସ୍ଥାନାନ୍ତରଣ କରାଯାଇଛି। ଉଭୟ ଏବେ ଜୀବୀତ ରହିଥିବା ଖବର ରହିଛି।।
ସବୁ ସମୟରେ ଏହି ଜୀବକୁ ଭାରତ ଭୂମିକୁ ଆଣୁଥିବା ଲୋକଙ୍କୁ ପୁଲିସ ଚିହ୍ନଟ କରିଛି। ଏବଂ ଏହାକୁ ଚୋରା ଚାଲାଣ ବୋଲି ସ୍ୱୀକାର କରିଛି। କିନ୍ତୁ ଏହା ପଛର ମାଷ୍ଟର ମାଇଣ୍ଡଙ୍କୁ ଏବେ ଖୋଜି ବାହାର କରିବାରେ ବିଫଳ ରହିଛି ପୁଲିସ।
କିନ୍ତୁ ଏତିକିରେ ସୀମିତ ନାହିଁ ଏହି ଚୋରା ଚାଲାଣର କାହାଣୀ। ଆମ ଦେଶର ପୁଲିସ ଯେ, ମାଫିଆଙ୍କ ଜାଲରେ ପଡ଼ି ଲୋଭ ବଚସ୍କର ପାଲଟିଛି ତାହା ବି ଏଠାରେ କୁହାଯାଇପାରେ। ଚେନ୍ନାଇର ରେଡ ହିଲ୍ସ ଚେକ୍ ପଏଣ୍ଟ- ୮ ଓରାଙ୍ଗଓଟାନ। କିନ୍ତୁ ଲାଞ୍ଚ ନେଇ ପୁଲିସ ଏହି ଚାଲାଣକାରୀଙ୍କ ଗାଡ଼ିକୁ ଛାଡ଼ିଦେବା ଦ୍ୱାରା ସେମାନେ ଖସିଗଲେ।
ଏହା ଫେବୃୟାରୀ ୨୪, ୨୦୨୪ ମସିହା କଥା। ତାମିଲନାଡ଼ୁ ରେଡ୍ ହିଲ୍ସ ନିକଟରେ ଏମିତି ଏକ ଘଟଣା ଘଟିଥିଲା। ଏହି ସମୟରେ ମାଫିଆମାନେ ୮ଜଣ ଓରାଙ୍ଗଉଟାନଙ୍କୁ ଚାଲାଣ କରୁଥିବା ବେଳେ ପୁଲିସ ତାଙ୍କୁ ଧରିଥିଲା। କିନ୍ତୁ ମାଫିଆଙ୍କ କବଳରେ ପଡ଼ି ଲାଞ୍ଚ ନେଇ ସେମାନଙ୍କୁ ଛାଡ଼ି ଦେଇଥିଲେ। ଏହି ଅଭିଯେହାଗରେ ପୁଲିସ ପକ୍ଷରୁ ଏହି ପୁଲିୁସ ଅଧିକାରୀଙ୍କ ବିରୋଧରେ ମାମଲା କରାଯାଇ ସେମାନଙ୍କୁ ଗିରଫ କରାଯାଇଥିଲା। ଏହାର ୧୫ ଦିନ ପୂର୍ବରୁ ଚେନ୍ନାଇ ନକଟସ୍ଥ ଯାନବାହାନ ଯାଞ୍ଚ ସ୍ଥଳରେ ଏହିପରି ଗାଡ଼ିକୁ ପୁଲିସ ଛାଡ଼ି ଦେଇଥିଲା। ଏହାପରେ ସେ ଓରାଙ୍ଗ ଉଟାନ କୁଆଡ଼େ ଗଲେ ତାହାର କୌଣସି ଠିକଣା ନାହିଁ।
ବିଶ୍ୱ ବଜାରରେ ଓରାଙ୍ଗଉଟାଙ୍ଗ ଚାହିଦା:
ଓରାଙ୍ଗଉଟାନ ଏକ ବିରଳ ବନ୍ୟପ୍ରାଣୀ। ଏମାନଙ୍କ ପାଖରେ ମଣିଷସହ ସାମଞ୍ଜସ୍ୟ ଥିବା ୯୭ ପ୍ରତିଶତ ଡିଏନ୍ଏ ରହିଛି। ଏଣୁ ଏମାନେ ମଣିଷ ଭଳି ବ୍ୟବହାର କରନ୍ତି, ସହଜରେ ମଣିଷକୁ ନକଲ କରନ୍ତି। ଯାହା ଶିଖାଯାଏ ତାହାକୁ ଶିଖି ସେହିପରି ଆଚରଣ କରିଥାନ୍ତି। ଆମେ ଏହାକୁ ପୋଷା ବୋଲି କହୁ। ଏଣୁ ଅନେକ ସମୟରେ ବିତ୍ତଶାଳୀ, ପ୍ରଭାବଶାଳୀ ବ୍ୟକ୍ତିମାନେ ନିଜର ଷ୍ଟାଟସ୍ ସିମ୍ବଲ ଭାବେ ଏହିପରି ବନ୍ୟପ୍ରାଣୀ ପାଳନ କରିଥାନ୍ତି। ବିଶେଷକରି ଯୁକ୍ତରାଷ୍ଟ୍ର ଆମେରିକାରେ ଏହିଭଳି ଦେଖିବାକୁ ମିଳେ। ଏପରିକି ଆମେରିକୀୟ ବଜାରରେ ଏହାର ମୂଲ୍ୟ ୪୫ଲକ୍ଷ ପାଖାପାଖି ପହଞ୍ଚୋ ବୋଲି ଓଡ଼ିଶାରୁ ଓରାଙ୍ଗଉଟାନ ଜବତ ପରେ ଜଣେ ପୂର୍ବତନ ପିସିସିଏଫ୍ଙ୍କ ସୂଚନାରୁ ଏହା ଆଲୋଚନା ହେଉଛି।
ଖାଲି ଷ୍ଟାଟସ୍ ସିମ୍ବଲ ନୁହେଁ, ଏହି ବନ୍ୟଯନ୍ତୁଙ୍କ ମେଡିକାଲ୍ ପରୀକ୍ଷଣରେ ମଧ୍ୟ ଅନେକ ଉପାଦେୟତା ରହିଛି। ନୂଆ ଉଦ୍ଭାବନ ଟେତ୍ରରେ ପରୀକ୍ଷଣ ପାଇଁ ମଧ୍ୟ ଏମାନଙ୍କୁ ବ୍ୟବହାର କରାଯାଏ। ତାଛଡ଼ା ଏମାନଙ୍କ ଚମଡ଼ାକୁ ମଧ୍ୟ ବ୍ୟବହାର କରାଯାଇଥାଏ।
ଯେହେତୁ ଏହି ବନ୍ୟଯନ୍ତୁ ନକଲ କରିପାରେ ଏବଂ ମଣିଷ ଭଳି ଅଭିନୟ କରିପାରେ ଏମାନଙ୍କୁ ଦେଖିବା ପାଇଁ ଦର୍ଣକ ଆସିଥାଆନ୍ତି। ଅର୍ଥାତ୍ ଆମୋଦପ୍ରମୋଦ କ୍ଷେତ୍ରରେ ଏମାନଙ୍କ ବ୍ୟବହାର ରହିଛି। ସର୍କସକ୍ଷେତ୍ରରେ ଏମାନଙ୍କ ବ୍ୟବହାର କରାଯାଇଥାଏ। ଏହାବାଦ୍ କିଛି ଅଞ୍ଚଳରେ ଏହି ପ୍ରକାର ଯନ୍ତୁଙ୍କ ମାଂସକୁ ମଧ୍ୟ ଖାଦ୍ୟ ଭାବେ ବ୍ୟବହାର କରାଯାଇଥାଏ। ଏହାକୁ ବୁଶ୍ ମିଟ୍ ବୋଲି କହନ୍ତି। ଏବଂ ସେଥିଲାଗି ଏମାନଙ୍କୁ ହତ୍ୟା କରାଯାଇଥାଏ।
‘ବିପଦସଙ୍କୁଳ ପ୍ରଜାତିର ଆନ୍ତର୍ଜାତିକ ବାଣିଜ୍ୟ ସମ୍ମିଳନୀ’ (ସାଇଟ୍ସ) ପକ୍ଷରୁ ଏସବୁ ପ୍ରମୁଖ କାରଣକୁ ଚିହ୍ନଟ କରାଯାଇଛି, ଯେଉଁଥିପାଇଁ ଏତେ ବିଶାଳ ବନ୍ୟଯନ୍ତୁଙ୍କ ଚୋରା ଚାଲାଣ, ବେଆଇନ ଅତ୍ୟା କରାଯାଇଥାଏ। ଏପରିକି ସାଇଟ୍ସ ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ବର୍ଷକୁ ପ୍ରାୟ ୨ରୁ ୩ ହଜାର ଓରାଙ୍ଗଉଟାନଙ୍କୁ ହତ୍ୟା କରାଯାଇଥାଏ। ବିଶ୍ୱ ବନ୍ୟଯନ୍ତୁ ସୁରକ୍ଷା ସଂସ୍ଥାନ ଅନୁସାରେ ଦିନକୁ ୮ରୁ ୯ଜଣ ଓରାଙ୍ଗଓଟାନଙ୍କୁ ଶିକାରୀ ହାତରେ ପ୍ରାଣ ହରାଇଥାଆନ୍ତି। ବିଶେଷକରି ଏହି ଶିକାରୀମାନେ ମା’ ଓରାଙ୍ଗଉଟାନଙ୍କୁ ହିଁ ଶିକାର କରିଥାନ୍ତି। ଏହାର କାରଣ ପଛରେ ରହିଛି ମା ଓରାଙ୍ଗଉଟାନଙ୍କ ଶିଶୁଙ୍କୁ ସୁରକ୍ଷା ଦେବାର ପ୍ରବୃତ୍ତି ଓ ଶକ୍ତି। ଶିଶୁ ଓରାଙ୍ଗଉଟାନ ଜନ୍ମ ହେବାର ୭ରୁ ୮ ବର୍ଷ ଯାଏ ମା’ ପାଖରେ ହିଁ ରହିଥାଏ। ମା’ ସେମାନଙ୍କୁ ସୁରକ୍ଷା ଦେବା ସହ ଜଙ୍ଗଲର ଖାଦ୍ୟ ପଦାର୍ଥ ବାବଦରେ ଜଣାଇଥାଏ। ମା’ ଥିବା ଯାଏ ଏହି ଶିଶୁଙ୍କୁ କେହି ଅଲଗା କରିପାନ୍ତ ନାହିଁ। ଆଉ ଶିଶୁଟି ଯେତେବେଳେ ଯୁବକ ରୂପ ନିଏ ସେତେବେଳେ ଏହାକୁ ପାଳନ କରିବା ସମ୍ଭବପର ହୋଇନଥାଏ। କାରଣ ଏମାନଙ୍କ ବଳ ବହୁତ ଅଧିକ ହୋଇଥାଏ। ଏଣୁ ମା’କୁ ହତ୍ୟା କରି ଶିଶୁଙ୍କୁ ଚାଲାଣ କରାଯାଇଥାଏ ବା ତାଙ୍କୁ ମଣିଷ ଅନୁସାରେ ନକଲ କରିବାକୁ ତାଲିମ ଦିଆଯାଇଥାଏ।
କିନ୍ତୁ ଓଡ଼ିଶାର ବାଲେଶ୍ୱର ଉପକୂଳକୁ କାହିଁକି ଏହି ଅପରାଧର ଏକ ପ୍ଲଟ ଭାବେ ଗ୍ରହଣ କରାଯାଇଥିଲା? ଏହା ପୂର୍ବରୁ କେବେ ଏପରି ହୋଇ ନବାଘ ଛାଲ, ହାତୀ ଦାନ୍ତ ଚୋରା ଚାଲାଣରୁ ଏହି ନେଟୱର୍କ ସାମ୍ନାକୁ ଆସିଥିଲା। କିନ୍ତୁ ପରବର୍ତ୍ତୀ ସମୟରେ କଇଁଚ, କୁମ୍ଭୀର ଛାଲ, ହରିଣ ସିଂହ, ଛାଲର ଚୋରା ଚାଲାଣରେ ଓଡ଼ିଶାର ମାଫିଆମାନଙ୍କ ସମ୍ପୃକ୍ତି ଏବଂ ଓଡ଼ିଶା ଜଙ୍ଗଲରେ ଅଣ ଓଡ଼ିଆ ଶିକାରୀଙ୍କ ପ୍ରବେଶ ଅନେକଥର ସାମ୍ନାକୁ ଆସିଛି। ହେଲେ ଓରାଙ୍ଗଉଟାନ ଚାଲାଣରେ ସମ୍ପୃକ୍ତ ଆନ୍ତର୍ଜାତିକ ସ୍ତରରେ ଓଡ଼ିଶା ସାମିଲ ହେବା ଏହା ପ୍ରଥମ ଉଦାହରଣ ହୋଇଛି। ଏହାର ବିସ୍ତାରିତ ହାଇଓ୍ୱେ ନେଟୱର୍କରେ ଏହା ଏକ ନୂଆ ଆହ୍ୱାନ ହୋଇଛି। ବେଳହୁଁ ସତର୍କ ନହେଲେ ଏହା ରାଜ୍ୟକୁ ବିଶ୍ୱରେ ଅପମାନିତ, ନିଷେଧ ଏପରି ଏକ ଅପରାଧିକ ନେଟୱର୍କରେସାମିଲ କରାଇ ନିନ୍ଦିତ କରିଦେବ!
ଯେହେତୁ ଏପ୍ରକାର ବନ୍ୟପ୍ରାଣୀ ଥରେ ପ୍ରସବ ଅବସ୍ଥାକୁ ଆସିବା ଲାଗି ୭ରୁ ୮ ବର୍ଷ ଲାଗିଥାଏ ଏବଂ ମା’ ଓରାଙ୍ଗଉଟାନକୁ ଶିକାର କରାଯାଇଥାଏ, ଏ ପ୍ରକାର ବନ୍ୟଯନ୍ତୁଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି। ବିଶ୍ୱ ବନ୍ୟଯନ୍ତୁ ପାଣ୍ଠି ଅନୁସାରେ, ଏବେ ବୋର୍ଣ୍ଣିଓ ଓ ସୁମାତ୍ରାରେ ମାତ୍ର ୧ଲକ୍ଷ ୪ ହଜାର ଓରାଙ୍ଗଉଟାନ ରହିଛନ୍ତି। ଯାହାଙ୍କ ସଂଖ୍ୟା ୨ ଲକ୍ଷ ୩୦ ହଜାର ଥିଲା। ଏପରି ଚାଲିଲେ ଏହା ଆସନ୍ତା ଦିନମାନଙ୍କରେ ବିଲୋପର କାରଣ ହୋଇପାରେ! ଆଉ ଓଡ଼ିଶା ଏହି କାରଣ ପଛରେ ବି ନିଜ ନାଁକୁ ଇତିହାସରେ ଉଲ୍ଲେଖ କର ପାରେ.. ଆମେ କେହିଁ ଏପରି ଏକ ବଦନାମ ନେବାକୁ ଚାହୁଁ ନାହୁଁ ଏଣୁ ଏଣୁ ଆମ ପୁଲିସ, ସୁରକ୍ଷା ବ୍ୟବସ୍ଥା ଏପରି ବ୍ୟକ୍ତିଙ୍କ ପ୍ରତି କଡ଼ା ଆଭିମୁଖ୍ୟ ନେଇ ଏହି ନେଟୱର୍କର ସୂତ୍ର ବାହାର କରିବା ଆବଶ୍ୟକ।
ଆନ୍ତର୍ଜାତିକ ବଜାର: ବାଘ ଛାଲରୁ ଓରାଙ୍ଗଉଟାନ

ବେଆଇନ ଡ୍ରଗ୍ସ କାରବାର ପରେ ବନ୍ୟଜନ୍ତୁ ଚାଲାଣକୁ ବିଶ୍ୱସ୍ତରରେ ସବୁଠାରୁ ବଡ଼ ସଂଗଠିତ ଅପରାଧ ବଜାର ଭାବେ ଗ୍ରହଣ କରାଯାଏ। ଇଣ୍ଟରପୋଲ ଏବଂ ଗ୍ଲୋବାଲ ଏନଭିରନମେଣ୍ଟ ଫାସିଲିଟି ( ଜିଇଏଫ୍)ର ଆକଳନ ଅନୁସାରେ ଏହି କଳାବଜାର କାରବାର ବର୍ଷକୁ ୭ ବିଲିୟନ ଡଲାରରୁ ୨୩ ବିଲିୟନ ଡଲାର ହୋଇଥାଏ। କିଛି ନିରପେକ୍ଷ ଗବେଷଣାରୁ ଏହା ମଧ୍ୟ ଜଣାଯାଏ ଯେ ଏହି କାରବାର ବାର୍ଷିକ ୪୦ ବିଲିୟନ ଡଲାରରେ ବି ପହଞ୍ଚିଥାଏ। ସଂଗଠିତ ଅପରାଧ ନେଟୱର୍କ, ବିଶ୍ୱ ସ୍ତରରେ ଶାସନ ଓ ସରକାରଗୁଡ଼ିକର ସହଯୋଗ ଏବଂ ଅବାଧ ଆଇନ ଉଲ୍ଲଂଘନ ଏହି ପ୍ରକାର କାରବାରକୁ ପ୍ରୋତ୍ସାହିତ କରିଥାଏ।
ଆକାଶବାଣୀ ନ୍ୟୁଜ୍ର ସୂଚନା ଅନୁସାରେ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (ଡିଆର୍ଆଇ) ପକ୍ଷରୁ ଏକ ସର୍ବଭାରତୀୟ ଚଢ଼ାଉ କ୍ରମରେ ୧୩ଜଣ ମାଫିଆଙ୍କୁ ଗିରଫ କରାଯାଇଛି। ୨ଟି କଲରାପତରିଆ ବାଘଛାଲ, ୧୮୦ଟି ଷ୍ଟାର ଜୀଅନ୍ତା ଷ୍ଟାର କଇଁଚ, ବାଘ ହାଡ଼, ବଜ୍ରକାପ୍ତା କାତି ପ୍ରଭୃତି ଜବତ କରାଯାଇଛି।
ଜୁଲାଇ ୨୦୨୬ରେ ଏମିତି ଏକ ବଡ଼ ଧରଣର ଚଢ଼ାଉ ଦ୍ୱାରା ସିବିଆଇ ଏବଂ ଡିଆର୍ଆଇ ଏକ ଆନ୍ତର୍ଜାତିକ ସିଣ୍ଡିକେଟକୁ ଉନ୍ମୋଚନ କରିଛନ୍ତି, ଯେଉଁମାନେ ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ କାର୍ଯ୍ୟ କରୁଥିଲେ। ୬ ଜଣଙ୍କୁ ଏହି ଅଭିଯାନରେ ଗିରଫ କରାଯାଇଥିଲା। ୫୩ଟି ବନ୍ୟଯନ୍ତୁଙ୍କୁ ଏହିକ୍ରମରେ ଉଦ୍ଧାର କରାଯାଇଥିଲା। ଏଥିରେ ତାରକା କଇଁଚ, ଇଜିପ୍ଟ ଶାଗୁଣା, ଶାର୍କ ପକ୍ଷୀ, ଭଲ୍ଲୁକ ବିରାଡ଼ି, ଦକ୍ଷିଣ ଆଫ୍ରିକାର ସ୍ଲୋ ଲୋରିସ ଭଳି ଯନ୍ତୁ ସାମିଲ। ପଶ୍ଚିମବଙ୍ଗ ଦେଇ ଏହି ବିରଳ ଯନ୍ତୁଙ୍କୁ ବିଭିନ୍ନ ମେଟ୍ରୋ ସହରରେ ବ୍ୟବସାୟ ବଢ଼ାଇବା ଲାଗି ଉଦ୍ଦିଷ୍ଟ ଥିଲା। ଏହି ଯନ୍ତୁଙ୍କୁ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଦେଇ ଚାଲାଣ କରାଯାଇଥିବା ଆଶଙ୍କା।
ଏପ୍ରିଲ ୨୦୨୫: ମ୍ୟାମାର ସୀମାରେ ଚଢ଼ାଉ କରାଯାଇ ଆସାମ ରାଇଫଲ ଏବଂ ମିଜୋରାମ ପୁଲିସ ଦ୍ୱାରା ୧.୩୧ କୋଟି ମୂଲ୍ୟର ବିରଳ ବନ୍ୟପ୍ରାଣୀ ଉଦ୍ଧାର କରାଯାଇଛି। ଏଥିରେ ୨୪ଟି ଆଫ୍ରିକୀୟ କଇଁଚ, ୩ପାଣ୍ଟାନମାରାସ ଏବଂ ଏକ ବର୍ମା ପାଇଥନ ଉଦ୍ଧାର କରାଯାଇଥିଲା।
ମାର୍ଚ୍ଚ ୨୦୨୫: ବେଙ୍ଗାଳୁରୁ ବିମାନବନ୍ଦରରୁ ମାଲେସିଆ ଯୌାଉଥିବା ବିମାନରୁ ବିରଳ ବନ୍ୟପ୍ରାଣୀ ଉଦ୍ଧାର। ଏଥିରେ ୪ ସିଆମଙ୍ଗ, ୨ଟି ମାକାଉ, ସାମିଲ ଥିଲା।







ବଢିଆ ଲାଗିଲା, ତଥ୍ୟ, ଯୁକ୍ତି ଓ ନିରପେକ୍ଷ।