Wednesday, August 19, 2026
spot_imgspot_img

Top 5 This Week

spot_img

Related Posts

ପ୍ରଶ୍ନପତ୍ର ଲିକ୍‌ ବିରୋଧରେ ନୂଆ ଆଇନ: କଠୋର ଦଣ୍ଡାଦେଶ ସମସ୍ୟାର ସ୍ଥାୟୀ ସମାଧାନ କି?

ବିଭିନ୍ନ ପ୍ରତିଯୋଗୀତାମୂଳକ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍କୁଦ ରୋକିବା ଲାଗି କେନ୍ଦ୍ର ସରକାର ଏ ସପ୍ତାହରେ ଏକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଲୋକସଭାରେ ପାରିତ କରିଛନ୍ତି। ଏହି ବିଧେୟକର ନାଁ ହେଉଛି ‘ସାଧାରଣ ପରୀକ୍ଷା (ଅସାଧୁ ଉପାୟ ଅବଲମ୍ବନ ନିରୋଧ) ସଂଶୋଧନ ବିଧେୟକ-୨୦୨୬’। ନିକଟ ଅତୀତରେ ବିଭିନ୍ନ ସରକାରୀ ଚାକିରି ଓ ପ୍ରବେଶିକା ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍‌ ଏବଂ ଦୁର୍ନୀତି ଯୋଗୁଁ ଯେଉଁଭାଳି ଭାବେ ଯୁବପିଢ଼ିଙ୍କ ଭବିଷ୍ୟତ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା, ତାହାର ସ୍ଥାୟୀ ସମାଧାନ ଦିଗରେ କେନ୍ଦ୍ର ସରକାର ଏହି ନୂତନ ଆଇନ ପ୍ରଣୟନ କରିଛନ୍ତି। ନୂଆଦିଲ୍ଲୀରେ ହୋଇଥିବା ଛାତ୍ର ଆନ୍ଦୋଳନ ଏବଂ ଏଥିନେଇ ସାରା ଦେଶରେ ସୃଷ୍ଟି ହୋଇଥିବା ଉଦବେଗ ଏହାର ପ୍ରମୁଖ ପୃଷ୍ଠଭୂମି।
ଏ ସମ୍ବନ୍ଧରେ ୨୦୨୪ ମସିହାରେ ସରକାର ଏକ ନୂଆ ଆଇନ ପ୍ରଣୟନ କରିଥିଲେ। ତାହାକୁ ୨୦୨୬ ଆଇନରେ ଅଧିକ କଠୋର କରାଯାଇଛି। ଏହି ସଂଶୋଧନରେ କେବଳ ଦଣ୍ଡାଦେଶକୁ ବୃଦ୍ଧି କରାଯାଇ ନାହିଁ, ବରଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ନ୍ୟାୟ ପ୍ରଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।
ନୂଆ ଆଇନର ପ୍ରମୁଖ ଦିଗ: ଦଣ୍ଡ ଓ ନିୟମର କଠୋରତା
ଏହି ସଂଶୋଧିତ ବିଲ୍‌ରେ ଦଣ୍ଡାଦେଶ ଏବଂ ଜରିମାନାର ପରିମାଣକୁ ଅତ୍ୟନ୍ତ କଠୋର କରାଯାଇଛି, ଯାହା ଦୁର୍ନୀତିଖୋର ଓ ସଂଗଠିତ ଅପରାଧୀଙ୍କ ମନରେ ଭୟ ସୃଷ୍ଟି କରିବ ବୋଲି ଆଶା କରାଯାଇଛି। ଏ ସନ୍ଦର୍ଭରେ ୪ଟି ପ୍ରମୁଖ ବିନ୍ଦୁ ଏଠାରେ ଉଲ୍ଲେଖ କରାଯାଇପାରେ:

ସଂଗଠିତ ଅପରାଧୀଙ୍କ ପାଇଁ କଠୋର ଦଣ୍ଡ:

ପ୍ରଶ୍ନପତ୍ର ଲିକ୍‌ ଚକ୍ରରେ ଜଡ଼ିତ ସଂଗଠିତ ଅପରାଧୀଙ୍କ ପାଇଁ ସର୍ବନିମ୍ନ ୭ ବର୍ଷରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଏବଂ କମ୍‌ରେ ୧୦ କୋଟି ଟଙ୍କାର ଜରିମାନା ସ୍ଥିର କରାଯାଇଛି। ଏହାସହ ଅପରାଧରୁ ଆୟ ସମ୍ପତ୍ତି ବାଜ୍ୟାପ୍ତି କରିବାର ନିୟମ ରହିଛି।

ବ୍ୟକ୍ତିଗତ ଅପରାଧ

କୌଣସି ବ୍ୟକ୍ତି ଅସାଧୁ ଉପାୟରେ ସାହାଯ୍ୟ କଲେ କିମ୍ବା ଲିକ୍‌ରେ ସାମିଲ ହେଲେ ସର୍ବନିମ୍ନ ୫ରୁ ୧୦ ବର୍ଷ ଜେଲ୍ ଏବଂ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ।
ସଂସ୍ଥା ଓ ପରୀକ୍ଷା ସେବା ପ୍ରଦାନକାରୀ:
ପରୀକ୍ଷା ପରିଚାଳନା କରୁଥିବା ସେବା ପ୍ରଦାନକାରୀ ସଂସ୍ଥା ଦୋଷୀ ସାବ୍ୟସ୍ତ ହେଲେ ୫ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ସେମାନଙ୍କୁ ୮ ବର୍ଷ ପାଇଁ କଳାତାଲିକାଭୁକ୍ତ କରାଯିବ।
ସମୟବଦ୍ଧ ତଦନ୍ତ ଓ ବିଚାର:
ଅପରାଧର ତଦନ୍ତ ୨ ମାସ ମଧ୍ୟରେ ଶେଷ କରିବାକୁ ବାଧ୍ୟତାମୂଳକ କରାଯାଇଛି। ପ୍ରତ୍ୟେକ ରାଜ୍ୟରେ ସ୍ୱତନ୍ତ୍ର ଫାଷ୍ଟ-ଟ୍ରାକ୍ କୋର୍ଟ ଗଠନ କରାଯାଇ ୩ ମାସ ମଧ୍ୟରେ ବିଚାର ପ୍ରକ୍ରିୟା ଶେଷ କରିବାକୁ ନିର୍ଦ୍ଦେଶ ରହିଛି।

ଏହି ଆଇନ କେତେ ପ୍ରଭାବଶାଳୀ ହେବ?
ଗୋଟିଏ ପଟେ ଏହି ଆଇନ ଆଇନଗତ କଠୋରତା ଆଣୁଥିବା ବେଳେ ଅନ୍ୟପଟେ କେତେକ ମୌଳିକ ପ୍ରଶ୍ନ ଓ ଆହ୍ୱାନ ମଧ୍ୟ ସମ୍ମୁଖକୁ ଆସୁଛି। ଏସବୁ ପ୍ରଶ୍ନ ବୁଧବାରଦିନ ଲୋକସଭାରେ ବିରୋଧୀ ଦଳ ପକ୍ଷରୁ ମଧ୍ୟ ଉଠାଯାଇଥିଲା। ଏହିପ୍ରଶ୍ନଗୁଡ଼ିକ ଭିତରେ ସବୁଠାରୁ ଆଗରେ ରହିଛି ଆଇନର ଠିକଣା କାର୍ଯ୍ୟକାରୀତା।
ଆମ ଦେଶରେ ପୂର୍ବରୁ ମଧ୍ୟ ଅନେକ କଠୋର ଆଇନ ରହିଛି, ଏପରିକି ଏହା ହେଉଛି ପୂର୍ବରୁ ୨୦୦୪ ମସିହାରେ ଥିବା ଆଇନ। କିନ୍ତୁ ସମସ୍ୟା ହେଉଛି ଏହି କାର୍ଯ୍ୟକାରିତା। ଯଦି ପ୍ରଶାସନିକ ସ୍ତରରେ ସ୍ୱଚ୍ଛତା ନରହେ ଏବଂ ତଦନ୍ତକାରୀ ସଂସ୍ଥାଗୁଡ଼ିକ ନିରପେକ୍ଷ ଭାବେ କାର୍ଯ୍ୟ ନକରନ୍ତି, ତେବେ କେବଳ ଆଇନର କଠୋରତା ଦ୍ୱାରା ଅପରାଧ ରୋକିବା ସମ୍ଭବ ନୁହେଁ।
ସେହିଭଳି ଦ୍ୱିତୀୟ ଗୁରୁତ୍ୱପୂର୍ଣ୍ଣ ଆଶଙ୍କା ହେଉଛି, ଡିଜିଟାଲ୍ ନିରାପତ୍ତା ଓ ବୈଷୟିକ ଆହ୍ୱାନ।
ଆଜିକାଲି ଅଧିକାଂଶ ପ୍ରଶ୍ନପତ୍ର ଲିକ୍‌ ଡିଜିଟାଲ୍ ସେଣ୍ଟର, ସର୍ଭର ହ୍ୟାକିଂ କିମ୍ବା ଟେଲିଗ୍ରାମ୍/ସୋସିଆଲ୍ ମିଡିଆ ମାଧ୍ୟମରେ ହେଉଛି। କେବଳ ଶାରୀରିକ ଗିରୋହଙ୍କୁ ଦଣ୍ଡିତ କରିବା ଯଥେଷ୍ଟ ନୁହେଁ, ପରୀକ୍ଷା ପ୍ରଣାଳୀର ‘ସାଇବର ସିକ୍ୟୁରିଟି ଅଡିଟ୍’କୁ ସୁଦୃଢ଼ କରିବା ଆବଶ୍ୟକ।
ତୃତୀୟରେ ପ୍ରଶାସନିକ ସଂସ୍କାର।
ସରକାରୀ ପରୀକ୍ଷା ପରିଚାଳନା ସଂସ୍ଥା ଯେପରିକି, ଏନଟିଏ, ଚୟନ ଆୟୋଗ, କିମ୍ବା ରାଜ୍ୟ ଚୟନ ଆୟୋଗଗୁଡ଼ିକର ଆଭ୍ୟନ୍ତରୀଣ ଢାଞ୍ଚାରେ ସଂସ୍କାର ଆଣିବା ନିହାତି ଜରୁରୀ। ଅନେକ ସମୟରେ ଆଉଟସୋର୍ସିଂ କମ୍ପାନୀଗୁଡ଼ିକର ଅସାଧୁ କର୍ମଚାରୀଙ୍କ ଯୋଗୁଁ ଏହି ଅସଦ ଉପାୟ ଅବଲମ୍ବନ କରାଯାଉଥିବା ଅଭିଯୋଗ ହୋଇଛି।।
ମୋଟାମୋଟି ଭାବେ ପ୍ରଥମ ଦିନରେ ଏହା କୁହାଯାଇପାରେ ଯେ ବିଗତ ଦିନରେ ଯେଉଁସବୁ ଆନ୍ଦୋଳନ ଏବଂ ଚର୍ଚ୍ଚା ସାରା ଦେଶକୁ ଘେରି ରହିଥିଲା ସେଥିରୁ ମୁକୁଳିବା ଲାଗି ଏହି ବିଧେୟକ ହେଉଛି ସରକାରଙ୍କ ଏକ ଅସ୍ତ୍ର। ଏଥିରେ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ସରକାରଙ୍କ ଏକ ଦୃଢ଼ ପ୍ରଶାସନିକ ଇଚ୍ଛାଶକ୍ତି ଦେଖିବାକୁ ମିଳୁଛି। ହେଲେ ଏହାର କାର୍ଯ୍ୟକାରୀତା ପାଇଁ ଅନେକ ସଂସ୍କାରର ଆବଶ୍ୟକତା ରହିଛି।
ଯଦି ଏହି ଆଇନର ସଠିକ୍ ପାଳନ ସହ ସ୍ୱଚ୍ଛ ପ୍ରଶାସନିକ ବ୍ୟବସ୍ଥା ଓ ସାଇବର ନିରାପତ୍ତାକୁ ଗୁରୁତ୍ୱ ଦିଆଯାଏ, ତେବେ ନିଶ୍ଚିତ ଭାବରେ ଦେଶର ଯୁବବର୍ଗଙ୍କ ମନରେ ପରୀକ୍ଷା ପ୍ରଣାଳୀ ପ୍ରତି ହରାଇଥିବା ବିଶ୍ୱାସ ପୁନରୁଦ୍ଧାର ହୋଇପାରିବ।

LEAVE A REPLY

Please enter your comment!
Please enter your name here

Popular Articles