ବିଜେଡି ରାଜନୀତିରେ ଏବେ ଏକ ବଡ଼ ସାଙ୍ଗଠନିକ ଝଡ଼ ସୃଷ୍ଟି ହେବାର ସୁଯୋଗ ସୃଷ୍ଟି ହୋଇଛି, ଯାହାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ। ବିଧିବଦ୍ଧ ଭାବେ ବିଜୁ ଜନତା ଦଳରେ ସାମିଲ ହେବା ପରେ ଦଳର ସାଙ୍ଗଠନିକ ମୁଖ୍ୟାଳୟ ‘ଶଙ୍ଖ ଭବନ’ର ପାଣିପାଗ ସମ୍ପୂର୍ଣ୍ଣ ବଦଳିଯାଇଛି। ସୁଜାତା ଏବେ ଶଙ୍ଖ ଭବନରୁ ଦଳୀୟ କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଏକ ସ୍ୱତନ୍ତ୍ର ‘ଦରବାର’ ଆରମ୍ଭ କରିଛନ୍ତି, ଯେଉଁଠାକୁ ଦଳର ତୁଙ୍ଗ ନେତାମାନେ ନିୟମିତ ଧାଡ଼ି ଲଗାଉଛନ୍ତି। ଏହି କ୍ରମରେ ଦଳର ଦୁଇ ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମା ଏବଂ ପ୍ରତାପ ଜେନା ସୁଜାତାଙ୍କ ଅତି ନିକଟତର ହେବା ପାଇଁ ଜୋରଦାର୍ ଚେଷ୍ଟା ଚଳାଇଛନ୍ତି, ଯାହା ଦଳ ଭିତରେ କ୍ଷମତା କେନ୍ଦ୍ରୀକରଣର ଏକ ନୂଆ ସମୀକରଣ ସୃଷ୍ଟି କରିଛି। କିନ୍ତୁ ସୁଜାତା ସମ୍ପୂର୍ଣ୍ଣ ଭାବେ ଦଳର ଚାବିକାଠି ହାତକୁ ନେବା ପୂର୍ବରୁ ହିଁ ତାଙ୍କ ଆଗରେ ପାହାଡ଼ ସଦୃଶ ସମସ୍ୟା ଉଭା ହୋଇଛି, ଯାହା ବିଜେଡିର ଭବିଷ୍ୟତକୁ ଏକାଧିକ ପ୍ରଶ୍ନବାଚୀ ଘେରକୁ ଠେଲି ଦେଇଛି।
ସୁଜାତାଙ୍କ ଏହି କ୍ଷମତା ଆରୋହଣ ସମୟରେ ହିଁ କଟକ ବିଜେଡିର ଅତି ଦୁଇ ପ୍ରଭାବଶାଳୀ ଚେହେରା ଦେବାଶିଷ ସାମନ୍ତରାୟ ଏବଂ ପ୍ରଭାତ ବିଶ୍ୱାଳ ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ଏହି ଦୁଇ ନେତାଙ୍କ ବିଜେଡି ତ୍ୟାଗ କଟକ ଜିଲ୍ଲା ରାଜନୀତିରେ ଦଳକୁ ସମ୍ପୂର୍ଣ୍ଣ ନେତୃତ୍ୱ ଶୂନ୍ୟ କରିଦେଇଛି। ଗତ ୨୦୨୪ ସାଧାରଣ ନିର୍ବାଚନରେ କଟକ ଜିଲ୍ଲାରୁ ବିଜେଡି ଅତି ଗୁରୁତ୍ୱପୂର୍ଣ୍ଣ ୪ଟି ବିଧାନସଭା ଆସନ ହରାଇ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଏଭଳି ସ୍ଥିତିରେ ପ୍ରଭାତ ଓ ଦେବାଶିଷଙ୍କ ଭଳି ସଂଗଠକ ବିଜେପିକୁ ଚାଲିଯିବା ପରେ ସେଠାରେ ଦଳୀୟ କର୍ମୀମାନେ ହତାଶ ହୋଇପଡ଼ିଛନ୍ତି। ଯେଉଁଭଳି ଭାବେ ଗତ ନିର୍ବାଚନରେ ବିଜେଡିର ପାରମ୍ପରିକ ଗଡ଼ ଗଞ୍ଜାମ ଜିଲ୍ଲାରୁ ଦଳ ସମ୍ପୂର୍ଣ୍ଣ ଧୂଳିସାତ ହୋଇ ମାତ୍ର ଗୋଟିଏ ଆସନରେ ସୀମିତ ରହିଗଲା, ଠିକ୍ ସେହିପରି ଆଗାମୀ ଦିନରେ କଟକ ଜିଲ୍ଲାରୁ ମଧ୍ୟ ବିଜେଡି ସମ୍ପୂର୍ଣ୍ଣ ସଫା ହୋଇଯିବାର ଆଶଙ୍କା ଘନୀଭୂତ ହେବାରେ ଲାଗିଛି। କାରଣ ଗତ ନିର୍ବାଚନରେ କଟକ ଜିଲ୍ଲାରୁ ଅଧାରୁ ଅଧିକ ଆସନ ବିଜେଡି ହାତରୁ ଖସି ଯାଇଛି।
ଏହି ସାଙ୍ଗଠନିକ ସଙ୍କଟ ଭିତରେ ସୁଜାତା କାର୍ତ୍ତିକେୟନଙ୍କ ଆଗରେ ଅନେକ ଜଟିଳ ଆହ୍ୱାନ ରହିଛି, ଯାହାକୁ ସଜାଡ଼ିବା ତାଙ୍କ ପାଇଁ ଏକ ଦୁରୂହ ବ୍ୟାପାର। ପ୍ରଥମତଃ, ଦଳ ପାଇଁ ବର୍ଷ ବର୍ଷ ଧରି ଝାଳ ବୁହାଇଥିବା ପୁରୁଣା ଓ ବରିଷ୍ଠ ନେତାମାନେ ଜଣେ ପୂର୍ବତନ ପ୍ରଶାସକଙ୍କ ଅଧୀନରେ କାମ କରିବାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଦ୍ୱିତୀୟତଃ, ବିରୋଧୀ ବିଜେପି ଏବେ ବି ସୁଜାତାଙ୍କ ସ୍ୱାମୀ ଭି.କେ. ପାଣ୍ଡିଆନଙ୍କ ପ୍ରସଙ୍ଗକୁ ନେଇ ‘ଓଡ଼ିଆ ଅସ୍ମିତା’ର ନାରା ଦେଉଥିବା ବେଳେ, ସୁଜାତା ସାମ୍ନାକୁ ଆସିବା ପରେ ବିଜେପିକୁ ପୁଣି ଥରେ ବିଜେଡି ବିରୋଧରେ ବାହାରିଆ ଓ ପ୍ରଶାସନିକ ଏକଛତ୍ରବାଦର ଅଭିଯୋଗ ଆଣିବାକୁ ସୁଯୋଗ ମିଳିଯାଇଛି। ତୃତୀୟତଃ, ତୃଣମୂଳ ସ୍ତରର କର୍ମୀଙ୍କ ଅସନ୍ତୋଷକୁ ପ୍ରଶମିତ କରି ବିଜେପିର ଆକ୍ରମଣାତ୍ମକ ରଣନୀତିକୁ ପ୍ରତିହତ କରିବା ଏବଂ ବିଜେଡିର ଗଡ଼କୁ ସୁରକ୍ଷିତ ରଖିବା ସୁଜାତାଙ୍କ ପାଇଁ ସବୁଠାରୁ ବଡ଼ ଅଗ୍ନିପରୀକ୍ଷା ସାଜିଛି।
ଭବିଷ୍ୟତ ବିଜେଡି ରାଜନୀତିରେ ସୁଜାତାଙ୍କ ନେତୃତ୍ୱ ପ୍ରତି ନିଜ ଦଳ ଭିତରୁ ହିଁ ବଡ଼ ଧରଣର ଭୟ ରହିଛି। ବିଶେଷ କରି ସଞ୍ଜୟ ଦାସବର୍ମା ଓ ପ୍ରତାପ ଜେନାଙ୍କଭଳି ହେଭିୱେଟ୍ ନେତାମାନେ ଏବେ ସୁଜାତାଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରୁଥିଲେ ମଧ୍ୟ ସେମାନଙ୍କର ନିଜସ୍ୱ ରାଜନୈତିକ ଆକାଂକ୍ଷା ବହୁତ ଅଧିକ। ଏହି ନେତାମାନଙ୍କର ଉପକୂଳ ଓଡ଼ିଶାରେ ଏକ ବଡ଼ ସାଙ୍ଗଠନିକ ବେସ୍ ରହିଛି ଏବଂ ସେମାନେ କେବେ ବି ଦୀର୍ଘ ଦିନ ଧରି ନିଜ କ୍ଷମତାକୁ ଅନ୍ୟ ହାତରେ ସମର୍ପଣ କରିବାକୁ ଚାହିଁବେ ନାହିଁ। ଯଦି ସୁଜାତାଙ୍କ କୌଣସି ସାଙ୍ଗଠନିକ ନିଷ୍ପତ୍ତି ସେମାନଙ୍କ ବ୍ୟକ୍ତିଗତ ପ୍ରଭାବକୁ କ୍ଷୁଣ୍ଣ କରେ, ତେବେ ସେମାନେ ନୀରବରେ କିମ୍ବା ସିଧାସଳଖ ବିଦ୍ରୋହ କରି ସୁଜାତାଙ୍କ ରାଜନୈତିକ କ୍ୟାରିୟରକୁ ସଙ୍କଟରେ ପକାଇ ପାରନ୍ତି। ଏହା ବ୍ୟତୀତ ଅରୁଣ ସାହୁ ଏବଂ ବବି ଦାସଙ୍କ ଭଳି ତୁଙ୍ଗ ନେତାମାନେ ମଧ୍ୟ ଭିତରେ ଭିତରେ ସୁଜାତାଙ୍କ ଏହି ‘ଦରବାର’ ସଂସ୍କୃତିକୁ ସହଜରେ ହଜମ କରିପାରୁ ନାହାନ୍ତି, ଯାହା ଆଗାମୀ ଦିନରେ ବିଜେଡି ଭିତରେ ଏକ ବଡ଼ ଧରଣର ଗୋଷ୍ଠୀ କନ୍ଦଳର ରୂପ ନେଇପାରେ।
ଦରବାରରେ ବ୍ୟସ୍ତ ସୁଜାତା: ସୁଯୋଗ ଅପେକ୍ଷାରେ ନେତା





