ଅରବିନ୍ଦ ମହାପାତ୍ର
ଭୁବନେଶ୍ୱର
ରାଜ୍ୟ ନିର୍ମାଣ ବିଭାଗର ପୁଣି ଏକ କେଳେଙ୍କରୀ ସାମ୍ନାକୁ ଆସିଛି। ଖାଲି ସେତିକି ନୁହେଁ, ଏହି କେଳେଙ୍କାରୀର ଜବାବରେ ସରକାରଙ୍କୁ ତଣ୍ଡ ଗଣିବାକୁ ବି ଆଦେଶ ଆସିଛି। ଏ ତଣ୍ଡ ପରିମାଣ କେତେ ଜାଣନ୍ତି, ସୁଧମୂଳ ମିଶାଇ ୨୬୨ କୋଟି! ଜୁଲାଇ ୩ ତାରିଖ ସୁଦ୍ଧା ଏହି ଅର୍ଥକୁ ଜମା କରିବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ୱର କୋର୍ଟ।
ଜୁନ୍ ୨୦ ତାରିଖର ଏକ ବିଚାର ଆଦେଶରେ କୋର୍ଟ ଓଡ଼ିଶା ସରକାରଙ୍କ ନିର୍ମାଣ ବିଭାଗକୁ ଏଥିରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଖାଲି ସେତିକି ନୁହେଁ, ଠିକାଦାର ସଂସ୍ଥା ଜିଆର ଇନଫ୍ରା ପ୍ରୋଜେକ୍ଟସକୁ ୨୬୨ କୋଟି ଟଙ୍କା ପ୍ରଦାନ ପାଇଁ ଆଦେଶ ସହ ବ୍ୟାଙ୍କ ଖାତା ଜବତ ପାଇଁ ନୋଟିସ ଦେଇଛନ୍ତି। ଅର୍ଥାତ୍ ରାଜ୍ୟ ସରକାରଙ୍କୁ ଜୁଲାଇ ୩ ତାରିଖ ସୁଦ୍ଧା ୨୬୨ କୋଟି ଟଙ୍କାର ତଣ୍ଡ ଗଣିବାକୁ ପଡ଼ିବ।
ପ୍ରଶ୍ନ ଉଠୁଥିବ, କାହିଁକି ଏ ତଣ୍ଡ?
କ’ଣ କରିଥିଲା ରାଜ୍ୟ ନିର୍ମାଣ ବିଭାଗ?
କେଉଁ ପ୍ରକଳ୍ପରେ ହୋଇଥିଲା ଅନିୟମିତତା?
ଆମେ କାହିଁକି ଏହାକୁ ଇଞ୍ଜିନିୟର-ଠିକାଦାର ମଧୁ ଚନ୍ଦ୍ରିକା ବୋଲି କହୁଛୁ?
ଏ ପ୍ରକଳ୍ପ ହେଉଛି ସୁନ୍ଦରଗଡ଼ ଜିଲ୍ଲାର କନିକା ରେଳ ସାଇଡିଂରୁ ବାରାମତୀ ରୋଡ ଦୁଇ ପାଖିଆ ରାସ୍ତା ନିର୍ମାଣ କାର୍ଯ୍ୟ, ଯାହାକୁ ୨୦୧୬ ମସିହାରେ ଜିଆର ଇନ୍ଫ୍ରାକୁ ପ୍ରଦାନ କରାଯାଇଥିଲା। ଏହା ଇପିସି ପ୍ରକଳ୍ପ ରହିଥିଲା ଏବଂ ୨୦୧୯ ସୁଦ୍ଧା ଏ କାର୍ଯ୍ୟ ସରିବାକୁ ନିର୍ଦ୍ଦେଶ ଥିଲା। ଏହି କାର୍ଯ୍ୟ ପାଇଁ ୧୯୯ କୋଟି ୩୬ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବି ପ୍ରଦାନ କରାଯାଇଥିଲା। ଗୁଡ୍ଗାଓଁସ୍ଥିତ ଏହି ଠିକାଦାର କମ୍ପାନୀ ଓଡ଼ିଶାରେ ନିଜେ କାମ ନ କରି ଆଉ ଏକ କମ୍ପାନୀକୁ ଲଗାଇ ଏ କାମ ଶେଷ କରିଛି। ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇଛି। କିନ୍ତୁ ଠିକାଦାରଙ୍କୁ ଅନୁମୋଦିତ ଅର୍ଥ ମିଳି ପାରି ନାହିଁ। ଏହି ଅର୍ଥକୁ ନେଇ ମାମଲା କୋର୍ଟକୁ ଯିବା ପରେ କୋର୍ଟ ନିର୍ମାଣ ବିଭାଗର ଆକାଉଣ୍ଟ ଜବତ ଲାଗି ଆଦେଶ ଦେଇଛନ୍ତି।
କୋର୍ଟଙ୍କ ଏ ଆଦେଶ ପଢ଼ିଲେ ଆପଣ ଭାବୁଥିବେ ଏ ଘଟଣାରେ ଶତ ପ୍ରତିଶତ ଦୋଷୀ ହେଉଛି ରାଜ୍ୟ ନିର୍ମାଣ ବିଭାଗ। କିନ୍ତୁ ବାସ୍ତବରେ ବିଭାଗର ନେତୃତ୍ୱ ନେଉଥିବା ଅଧିକାରୀଙ୍କ ସହ ଠିକାଦାରୀ ସଂସ୍ଥାର ଚୋରା ପୀରତୀ ଏଥିପାଇଁ ଦାୟୀ ବୋଲି ଅଭିଯୋଗ ହେଉଛି। କାରଣ ସେତେବେଳେ ଦାୟିତ୍ୱରେ ଥିବା ସୁପରିଣ୍ଟେଣ୍ଡିଂ ଇଞ୍ଜିନିୟର ନାରାୟଣ ପଟେଲ ଏବଂ ଡିପିଆଇ ରୋଡ- ମନୋରଞ୍ଜନ ମିଶ୍ର ଠିକାଦାରୀ ସଂସ୍ଥା ଦ୍ୱାରା ଉଠାଯାଉଥିବା ପ୍ରଶ୍ନଗୁଡ଼ିକର ସମାଧାନ କରିବାରେ ଜାଣିଶୁଣି ହେଳା କରିଥିବା ଅଭିଯୋଗ ହୋଇଛି। ଏପରିକି ବାରମ୍ବାର ଏପରି ଅଭିଯୋଗ ଆଣି କାମ ବିଳମ୍ବ କରିବାରେ ଏହି ଦୁଇ ଅଧିକାରୀ ସହାୟକ ହେଉଥିବା ଅଭିଯୋଗ ହୋଛି। ଅର୍ଥାତ୍ ଏ ଦୁଇ ଅଧିକାରୀଙ୍କ ଦାୟିତ୍ୱହୀନତା ହୂଏତ ତାଙ୍କୁ ବ୍ୟକ୍ତିଗତ ଫାଇଦା ଦେଇଥାଇପାରେ କିନ୍ତୁ ଏବେ ଅଯଥାରେ ବିଭାଗ କଳୁଷିତ ହୋଇଛି। ବିଭାଗ କୋର୍ଟ ଦ୍ୱାରରେ ଅପଦସ୍ତ ହୋଇଛି।
ପ୍ରଶ୍ନ ସରକାର ଏ ଟଙ୍କା ଆଣିବେ କଉଁଠୁ? କାହିଁକି ନିର୍ଦ୍ଧାରିତ ଅଧିକରୀମାନେ ଅର୍ଥାତ୍ ସେ ସମୟରେ ଦାୟିତ୍ୱରେ ଥିବା ଅଧିକାରୀ ଏଥିପ୍ରତି ଦାୟୀ ହେବେ ନାହିଁ?





