Saturday, October 31, 2026
spot_imgspot_img

Top 5 This Week

spot_img

Related Posts

ଫେରିଲା କ୍ୟାମ୍ପସ ନିର୍ବାଚନ: ବିଜେପି ପାଇଁ ଛାତ୍ର ହେବେ କି ସମ୍ପତ୍ତି!

ଦୀର୍ଘ ଦୁଇବର୍ଷର ଶାସନ ପରେ ଓଡ଼ିଶାରେ ବିଜେପି ସରକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଲାଗି ବଳ ଜୁଟାଇପାରିଛନ୍ତି। ଏହାଦ୍ୱାରା ବିଭିନ୍ନ ସମୟରେ ଦଳ ଦେଇଥିବା ପ୍ରତିଶୃତି ପୂରଣ ହୋଇଛି ବୋଲି ଏକ ବାତାବରଣ ପ୍ରସ୍ତୁତ କରାଯାଉଛି। କିନ୍ତୁ ବାସ୍ତବରେ ଏହା ସରକାରୀ ଦଳର ବାହାଦୂରୀ ନା ପରିସ୍ଥିତିଗତ ବାଧ୍ୟବାଧକତା? ଯେଉଁଭଳି ଭାବେ ଜେନ-ଜି ଆନ୍ଦୋଳନ ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ମାତିବାରେ ଲାଗିଛି, ତାହାକୁ ଏହି ସରକାରୀ ନିଷ୍ପତ୍ତି ଦଳକୁ ବଳ ଦେବ କି ନା ଅଧିକ ଦୁର୍ବଳ କରିବ?

କେନ୍ଦ୍ର ସରକାରଙ୍କ ତୃତୀୟ ପାଳିକୁ ଦୁଇବର୍ଷରୁ ଅଧିକ ସମୟ ହେଲାଣି। ଅର୍ଥାତ୍‍ ସରକାରଙ୍କ ହନିମୁନ ପିରିୟଡ଼ ସରିଗଲାଣି। ଏଣିକି ଭୋଟର, ସରକାର ଏବଂ ବିରୋଧୀ ଦଳ ସବୁକିଛି ନିର୍ବାଚନ ମୁହାଁ। ଆଉ କିଛିଦିନ ପରେ ଉତ୍ତରପ୍ରଦେଶ ନିର୍ବାଚନରୁ ଭୋଟରଙ୍କ ହାବଭାବ ପ୍ରାୟତଃ ସ୍ପଷ୍ଟ ହେବ ବୋଲି ଅନୁମାନଦ କରାଯାଉଛି। ଏଣୁ ବିରୋଧି ଦଳ, ପ୍ରେସର ଗ୍ରୁପ ଏବଂ ସରକାରୀ ଦଳ ସମସ୍ତ ଲାଗି ପଡ଼ିଛନ୍ତି କିପରି ଭୋଟରଙ୍କୁ ନିଜ ପକ୍ଷଭୁକ୍ତ କରିବେ ଏବଂ ନିର୍ବାଚନ ପ୍ରକ୍ରିୟାରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଦଖଲ କରିବେ। ଏଥିରେ ଛାତ୍ର ଓ ଯୁବ ଗୋଷ୍ଠୀ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବେ ବୋଲି ଆଶା କରାଯାଉଛି। କାରଣ ଏ ଗୋଷ୍ଠୀ ଅନେକ ସମୟରେ ଦେଶର ନିର୍ବାଚନକୁ ନିୟନ୍ତ୍ରଣ କରନ୍ତି, ମୋଡ଼ ଦିଅନ୍ତି ଏବଂ ପରିବର୍ତ୍ତନର ବାହକ ହୋଇଥାଆନ୍ତି। ଏଣୁ ସେ ପିଢ଼ିକୁ ନିଜର କରିବା ଲାଗି କେନ୍ଦ୍ରରେ ସରକାରୀ ଦଳ ଯୁବ ଅନୁକୂଳ ନୀତି ଆପଣାଉଛି। ରାଜ୍ୟରେ ମଧ୍ୟ ବିଜେପି ସରକାର ଯୁବା ଓ ଛାତ୍ର ବର୍ଗଙ୍କ ପାଖରେ ବିରୋଧୀ ଦଳ ବିରୋଧରେ ଥିବା ଜନମତକୁ ଆହୁରି ଶକ୍ତି କରିବା ଲାଗି ଛାତ୍ର ସଂସଦ ନିର୍ବାଚନକୁ ପୁଣିଥରେ କ୍ୟାମ୍ପସକୁ ଫେରାଇଛନ୍ତି।
ଏହାଦ୍ୱାରା ଦୀର୍ଘ ୮ ବର୍ଷ ଧରି ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ କଲେଜରେ ଛାତ୍ର ସଂସଦ ନିର୍ବାଚନ ନେଇ ଜାରି ରହିଥିବା ଆଶଙ୍କା, ନୀରବତା ଏବଂ ଶୂନ୍ୟତା ଦୂର ହୋଇଛି। ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଓ ଯୁବ ନେତୃତ୍ୱ ନିର୍ମାଣ ଦିଗରେ ଏହାକୁ ଏକ ବଡ଼ ଶୁଭକର ପଦକ୍ଷେପ ବୋଲି କୁହାଯାଉଥିଲେ ହେଁ, ଏହା ପଛର ପ୍ରକୃତ ରାଜନୈତିକ ସମୀକରଣ ବେଶ୍ ଗଭୀର। ପ୍ରଶ୍ନ ଉଠୁଛି— ଏହି କ୍ୟାମ୍ପସ ରାଜନୀତିର ପୁନରୁଦ୍ଧାର ୨୦୨୯ ସାଧାରଣ ନିର୍ବାଚନରେ ଶାସକ ବିଜେପି ପାଇଁ ସବୁଠାରୁ ବଡ଼ ରାଜନୈତିକ ସମ୍ପତ୍ତି ସାବ୍ୟସ୍ତ ହେବ ତ?
ସ୍ୱାଧୀନତା ସଂଗ୍ରାମରୁ ବର୍ତ୍ତମାନର କ୍ୟାମ୍ପସ ରାଜନୀତି
ଭାରତରେ ଛାତ୍ର ରାଜନୀତିର ଇତିହାସ କେବଳ ଭୋଟ୍ ଗ୍ରହଣ ମଧ୍ୟରେ ସୀମିତ ନୁହେଁ; ଏହା ଦେଶର ସ୍ୱାଧୀନତା ଆନ୍ଦୋଳନ ସହ ଓତପ୍ରୋତ ଭାବେ ଜଡ଼ିତ। ‘ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ୍ ଫେଡେରେସନ୍’ ୧୯୩୬ ମସିହାରେ ଗଠିତ ହୋଇ ଛାତ୍ର ସମାଜକୁ ସ୍ୱାଧୀନତା ସଂଗ୍ରାମ ସହ ଯୋଡ଼ିଥିଲା। ପରବର୍ତ୍ତୀ ସମୟରେ ୧୯୭୪ର ‘ଜୟପ୍ରକାଶ ନାରାୟଣ ଆନ୍ଦୋଳନ’ ଏବଂ ଜରୁରୀକାଳୀନ ପରିସ୍ଥିତି ବିରୋଧୀ ଲଢ଼େଇରେ କ୍ୟାମ୍ପସଗୁଡ଼ିକ ହିଁ ଗଣତନ୍ତ୍ରର ମୁଖ୍ୟ ଶାଣିତ ଅସ୍ତ୍ର ପାଲଟିଥିଲେ।
ଛାତ୍ର ସଂସଦ ନିର୍ବାଚନ ହେଉଛି ଗଣତନ୍ତ୍ରର ପ୍ରାଥମିକ ପାଠଶାଳା। ଏହା ଯୁବବର୍ଗଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ନେବାର ଦକ୍ଷତା, ଏବଂ ନାଗରିକ ଦାୟିତ୍ୱବୋଧ ଶିଖାଏ। କ୍ୟାମ୍ପସରେ ନିଜର ଅଧିକାର, ହଷ୍ଟେଲ ସମସ୍ୟା ଓ ଶିକ୍ଷାଗତ ଦାବି ଉପସ୍ଥାପନ କରିବା ପାଇଁ ନିର୍ବାଚିତ ଛାତ୍ର ପ୍ରତିନିଧିମାନେ ବିଶ୍ୱବିଦ୍ୟାଳୟ ପ୍ରଶାସନ ଓ ଛାତ୍ର ସମାଜ ମଧ୍ୟରେ ସେତୁ ଭାବେ କାର୍ଯ୍ୟ କରିଥାନ୍ତି।
ବିଭିନ୍ନ ରାଜ୍ୟର ସମୃଦ୍ଧ ପରମ୍ପରା ଓ କ୍ୟାମ୍ପସ ହିଂସା
ଭାରତର ପ୍ରତ୍ୟେକ ରାଜ୍ୟରେ କ୍ୟାମ୍ପସ ନିର୍ବାଚନର ଏକ ସ୍ୱତନ୍ତ୍ର ପରମ୍ପରା ଓ ବୈଚାରିକ ସଂସ୍କୃତି ରହିଆସିଛି। ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଓ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟରେ ରାତ୍ରୀକାଳୀନ ‘ପ୍ରେସିଡେନ୍ସିଆଲ୍ ଡିବେଟ୍’ ଓ ବୌଦ୍ଧିକ ଆଲୋଚନାର ପରମ୍ପରା ଥିବା ବେଳେ, ପଶ୍ଚିମବଙ୍ଗର ପ୍ରେସିଡେନ୍ସି ଓ ଯାଦବପୁର ବିଶ୍ୱବିଦ୍ୟାଳୟରେ ପ୍ରଗତିଶୀଳ ବାମପନ୍ଥୀ ଏବଂ ଗଣତାନ୍ତ୍ରିକ ତର୍କ-ବିତର୍କର ଏକ ଗୌରବମୟ ଇତିହାସ ଥିଲା। ସେହିପରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଓ ବିହାରର କ୍ୟାମ୍ପସଗୁଡ଼ିକ ଦେଶର ତୁଙ୍ଗ ନେତା ଗଢ଼ିବାର ପ୍ରମୁଖ କେନ୍ଦ୍ର ଥିଲା।
ତେବେ ୧୯୮୦ ଓ ୧୯୯୦ ଦଶକ ପରଠାରୁ ଦଳୀୟ ରାଜନୀତିର ଅତ୍ୟଧିକ ପ୍ରବେଶ, ଅସାମାଜିକ ଗ୍ୟାଙ୍ଗଷ୍ଟରଙ୍କ ପ୍ରଭାବ, ବୋମାମାଡ଼, ରାଜନୈତିକ ହତ୍ୟା ଓ ଆଇନ୍ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବା କାରଣରୁ ଏହି ପବିତ୍ର ପରମ୍ପରା କଳଙ୍କିତ ହୋଇଗଲା। ଫଳରେ ଅନେକ ରାଜ୍ୟ ସରକାର କ୍ୟାମ୍ପସରେ ଶାନ୍ତି ଫେରାଇ ଆଣିବା ପାଇଁ ଛାତ୍ର ନିର୍ବାଚନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ବାଧ୍ୟ ହୋଇଥିଲେ। ଓଡ଼ିଶା ମଧ୍ୟ ଏଥିରୁ ବର୍ତ୍ତି ନଥିଲା।

ଓଡ଼ିଶାରେ ଛାତ୍ର ନିର୍ବାଚନର ଇତିହାସ

ଓଡ଼ିଶାରେ ଛାତ୍ର ରାଜନୀତିର ଆରମ୍ଭ ୧୯୩୦-୪୦ ଦଶକରେ ରେଭେନ୍ସା କଲେଜରୁ ହୋଇଥିବା କୁହାଯାଏ। ସେତେବେଳେ ‘ରେଭେନ୍ସା କଲେଜ ୟୁନିଅନ୍’ ଦେଶାତ୍ମବୋଧ ଓ ସ୍ୱାଧୀନତା ଆନ୍ଦୋଳନର ପ୍ରମୁଖ କେନ୍ଦ୍ର ଥିଲା। ରାଜ୍ୟର ବିଶିଷ୍ଟ ବୁଦ୍ଧିଜୀବୀ ଓ ଛାତ୍ର ନେତାଙ୍କ ଆବିର୍ଭାବ ଏହି କଲେଜ କ୍ୟାମ୍ପସରୁ ହିଁ ଆସୁଥିଲେ।
ତେବେ ସ୍ୱାଧୀନତା ପରବର୍ତ୍ତୀ ସମୟରେ, ଉତ୍କଳ ବିଶ୍ୱବିଦ୍ୟାଳୟ (ବାଣୀବିହାର) ଏବଂ ରେଭେନ୍ସାରେ ଆନୁଷ୍ଠାନିକ ଭାବେ ଛାତ୍ର ସଂସଦ ନିର୍ବାଚନର ପରମ୍ପରା ବ୍ୟାପକ ହୋଇଥିଲା। ବାଣୀବିହାର ଓ ରେଭେନ୍ସା କ୍ୟାମ୍ପସ ଓଡ଼ିଶା ରାଜନୀତିର ନୂଆ ନେତା ଗଢ଼ିବାର ପ୍ରାଥମିକ କାରଖାନାରେ ପରିଣତ ହୋଇଥିଲା। ଏ ପରମ୍ପରାରେ ଅନେକ ନେତା ସୃଷ୍ଟି ହେଲେ। ପରବର୍ତ୍ତୀ ସମୟରେ ସେମାନେ ରାଜ୍ୟ ଓ ଦେଶର ରାଜନୀତିରେ ସୁନାମ ଅର୍ଜନ ମଧ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ରାଜନୀତି ସମେତ ଅନ୍ୟ କ୍ଷେତ୍ରରେ ମଧ୍ୟ ସେମାନେ ନିଜୀର ଦକ୍ଷତା ଓ ନେତୃତ୍ୱ ବିସ୍ତାର କରିଛନ୍ତି।
ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଭାବେ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର କ୍ୟାମ୍ପସ ରାଜନୀତିରେ ନିଜର ଯୁବ ସଂଗଠନର ଏକ ଅପ୍ରତିଦ୍ୱନ୍ଦ୍ୱୀ ଛାପ ଛାଡ଼ିଥିଲେ, ଯାହା ପରବର୍ତ୍ତୀ ସମୟରେ କଂଗ୍ରେସର ପ୍ରମୁଖ ସାଂଗଠନିକ ଚେହେରା ପାଲଟିଥିଲା। ରାଜ୍ୟର ବିଧାୟକ ଭାବରେ ମଧ୍‍ୟ ଅନେକ ସୁନାମ ଅର୍ଜନ କରିଥିଲେ।
ସେହିପରି ତାଳଚେର ଓ ବାଣୀବିହାର କ୍ୟାମ୍ପସରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜର ଛାତ୍ର ରାଜନୀତି ଆରମ୍ଭ କରିଥିବା ଧର୍ମେନ୍ଦ୍ର ପ୍ରଧାନ ଦେଶର ଶିକ୍ଷାମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ଅରୁଣ ସାହୁ ଓ ଚିନ୍ମୟ ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟରୁ ଛାତ୍ର ନେତା ଭାବେ ଉଭା ହୋଇ ସାଂଗଠନିକ ଦକ୍ଷତା ବଳରେ ବିଜୁ ଜନତା ଦଳର ମୁଖ୍ୟ ଆଗଧାଡ଼ିର ନେତା ଓ ମନ୍ତ୍ରୀ ପଦ ସମ୍ଭାଳିଥିଲେ। ଏବେ ରାଜ୍ୟ ମନ୍ତ୍ରୀ ଥିବା ପୃଥ୍ୱୀରାଜ ହରିଚନ୍ଦନଙ୍କ ରାଜନୀତିକ କ୍ୟାରିୟର ମଧ୍ୟ କ୍ୟାମ୍ପସ ରାଜନୀତିରୁ ଆରମ୍ଭ ହୋଇଥିଲା। ଯୁବ ସଂଗଠକ ଭାବେ ଉଭା ହୋଇ ବିଜେପିର ସାଂଗଠନିକ ସ୍ଥିତିକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।

ଦଳୀୟ ପ୍ରଭାବ, କ୍ୟାମ୍ପସ ହିଂସା ଓ ବୋମା ଫୁଟା

ଅନେକ ବର୍ଷ ଧରି ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକର ଅତ୍ୟଧିକ ହସ୍ତକ୍ଷେପ କାରଣରୁ କ୍ୟାମ୍ପସଗୁଡ଼ିକ ନେତୃତ୍ୱ ନିର୍ମାଣ କେନ୍ଦ୍ର ପରିବର୍ତ୍ତେ ହିଂସାର ଆଖଡ଼ାରେ ପରିଣତ ହୋଇଥିଲା। ଏହାର ପ୍ରଭାବରେ ବିଭିନ୍ନ କ୍ୟାମ୍ପସରେ ବୋମାମାଡ଼, ହତ୍ୟା, ମାରଣାସ୍ତ୍ର ଆକ୍ରମଣ, ନିର୍ଯାତନା ପ୍ରଭୃତି ମାମଲା ଦେଖିବାକୁ ମିଳିଲା। ବିଭିନ୍ନ ସମୟରେ ସରକାର ଏହାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହେଲେ। ବିଗତ ବର୍ଷଗୁଡ଼ିକରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଏହି ଉତ୍ତେଜନାକୁ ନିୟନ୍ତ୍ରଣ କରି ନପାରିବାରୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଶୈକ୍ଷିକ ବାତାବରଣ ନଷ୍ଟ ଆଶଙ୍କାରେ ନିର୍ବାଚନ ବନ୍ଦ କରାଯାଇଥିଲା।
୨୦୧୫ରୁ ୨୦୧୭ ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ କାଳରେ ନିର୍ବାଚନ ପୂର୍ବରୁ ହଷ୍ଟେଲଗୁଡ଼ିକରେ ବୋମା ପଡ଼ିବା, କାଚ ବୋତଲ ଓ ଲୁହା ଛଡ଼ରେ ଆକ୍ରମଣ, ଏବଂ ବାହାର ଅସାମାଜିକ ଯୁବକମାନଙ୍କ କ୍ୟାମ୍ପସ ପ୍ରବେଶ ନିୟମିତ ଘଟଣା ପାଲଟିଥିଲା।
ସେହିପରି ଖଲ୍ଲିକୋଟ, ଏଫଏମ୍ ଓ ରେଭେନ୍ସାରେ ଅଶାନ୍ତି ସାରା ରାଜ୍ୟରେ ଏକ ଆତଙ୍କର ବାତାବରଣ ସୃଷ୍ଟି କରିଥିଲା। ବ୍ରହ୍ମପୁରର ଖଲ୍ଲିକୋଟ କଲେଜ ଓ ବାଲେଶ୍ୱରର ଫକୀର ମୋହନ କଲେଜରେ ଗୋଷ୍ଠୀ ସଂଘର୍ଷ, ଗାଡ଼ି ପୋଡ଼ାଜଳା ଏବଂ ନିର୍ବାଚନ ପୂର୍ବରୁ କଲେଜ ସାଇନ୍-ଡାଇ ଘୋଷଣା ହେବା ନତିତିଦିନିଆ ବ୍ୟାପାର ହୋଇପଡ଼ିଥିଲା।
ଗୋଟିଏ ପଟେ ଦଳୀୟ ବ୍ୟାନର ଓ ଅର୍ଥବଳ, ଅନ୍ୟପଟେ ବାହାରିଆ ଗୁଣ୍ଡାମାନଙ୍କ ପ୍ରଭାବ କ୍ୟାମ୍ପସ ଶିକ୍ଷା ପରିବେଶକୁ ସମ୍ପୂର୍ଣ୍ଣ ବିଗାଡ଼ି ଦେଇଥିଲା। ଖାଲି ଓଡ଼ିଶା ନୁହେଁ, ସାରା ଦେଶରେ ଏପରି ଅଶାନ୍ତ କ୍ୟାମ୍ପସ ବୁଦ୍ଧିଜୀବୀ ଓ ଶାସକଙ୍କ ମନକୁ ଆକ୍ରାନ୍ତ କରୁଥିଲା। ଏ ସମସ୍ୟାର ସମାଧାନ ପାଇଁ ସରକାର ଲିଙ୍ଗଡ଼ୋ କମିଶନ ଗଠନ କରିଲେ। ଏହି କମିଶନ ଛାତ୍ର ନିର୍ବାଚନ ସପକ୍ଷରେ ମତ ଦେଇ ଏହାକୁ ଅବାଧ ଓ ନିରପେକ୍ଷ କରିବା ଉପରେ ଯୁକ୍ତି ବାଢ଼ିଲେ ଏବଂ କିଛି ପରାମର୍ଶ ମଧ୍ୟ ଲାଗୁ ଉଦ୍ଦେଶ୍ୟରେ ସରକାରଙ୍କୁ ଦେଲେ।

ଲିଙ୍ଗଡୋ କମିଶନ୍: ନିୟମାବଳୀର ଆହ୍ୱାନ ଓ ବିଫଳତା

ଛାତ୍ର ରାଜନୀତିରେ ଅର୍ଥ ଓ ବାହୁବଳ ରୋକିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୦୬ ମସିହାରେ ଲିଙ୍ଗଡୋ କମିଶନ୍ ର ସୁପାରିଶ ଲାଗୁ କରାଗଲା। ଏଥିରେ ପ୍ରାର୍ଥୀଙ୍କ ପାଇଁ:
୭୫% ପ୍ରତିଶତ ଉପସ୍ଥାନ ବାଧ୍ୟତାମୂଳକ ରହିଲା। ଦ୍ୱିତୀୟରେ ବୟସ ସୀମା ଓ କୌଣସି ଅପରାଧିକ ପୃଷ୍ଠଭୂମି ନଥିବା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାର ସୁଯୋଗ ଦେବାକୁ କୁହାଗଲା। ତୃତୀୟରେ, ନିର୍ବାଚନୀ ଖର୍ଚ୍ଚର ସର୍ବାଧିକ ସୀମା ୫,୦୦୦ ଟଙ୍କା ରଖାଯାଇଥିବା ବେଳେ ରାଜନୈତିକ ଦଳର ବ୍ୟାନର, ପୋଷ୍ଟର ବା ପ୍ରତ୍ୟକ୍ଷ ହସ୍ତକ୍ଷେପ ଉପରେ କଟକଣା ଲଗାଗଲା।
କିନ୍ତୁ ବାସ୍ତବତାରେ ଲିଙ୍ଗଡୋ କମିଶନ୍ ନିୟମାବଳୀ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋିଛି। ଦଳଗୁଡ଼ିକ ଅପ୍ରତ୍ୟକ୍ଷ ଭାବେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ନକଲି ପୋଷ୍ଟର ଓ ଗୁପ୍ତ ପ୍ରଚାର ରୋକିବାରେ ପ୍ରଶାସନ ଅସମର୍ଥ ହୋଇଛି। ଫଳରେ କ୍ୟାମ୍ପସରେ ଶାନ୍ତି ଆଣିବା ସମ୍ଭବ ହୋଇପାରୁ ନାହିଁ।

୨୦୧୪ ପରବର୍ତ୍ତୀ ସ୍ଥିତି ଓ ୨୦୧୮ର ଓଡ଼ିଶା ବ୍ୟାନ୍

୨୦୧୪ ମସିହାରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଗଠନ ହେବା ପରେ ଦେଶର ପ୍ରମୁଖ ବିଶ୍ୱବିଦ୍ୟାଳୟ ଯେପରିକି, ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ, ହିମାଚଳ ପ୍ରଦେଶ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, ଜାମିଆ ମିଲିଆରେ ବ୍ୟାପକ ଛାତ୍ର ଆନ୍ଦୋଳନ ଓ ଉତ୍ତେଜନା ଦେଖାଦେଇଥିଲା। ଏହି ବୈଚାରିକ ସଂଘର୍ଷ ଓ ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅନେକ ରାଜ୍ୟରେ କ୍ୟାମ୍ପସ ନିର୍ବାଚନକୁ ସ୍ଥଗିତ ରଖାଗଲା।
କିଛି ବିଶ୍ୱବିଦ୍ୟାଳୟରୁ ଏହି କଟକଣା ହଟିଛି। କିନ୍ତୁ ୧୨ ବର୍ଷ ଭିତରେ ମଧ୍ୟ ଅନେକ ରାଜ୍ୟରେ ଏହି କଟକଣା ଜାରି ରହିଛି। କର୍ଣ୍ଣାଟକରେ ଏ ପ୍ରତିବନ୍ଧକ ୧୯୮୯ରୁ ଲାଗୁ ହୋଇ ଏଯାଏ ଜାରି ରହିଛି। ଏବଂ ମହାରାଷ୍ଟ୍ର ପରି ଓଡ଼ିଶାରେ ମଧ୍ୟ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ୨୦୧୮ ମସିହାରେ କ୍ୟାମ୍ପସ ହିଂସା ଓ ଆଇନ୍ ଶୃଙ୍ଖଳା ସମସ୍ୟାର ଦୋହାଇ ଦେଇ ଓଡ଼ିଶାର ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକରେ ଛାତ୍ର ସଂସଦ ନିର୍ବାଚନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ। ଏହି କଟକଣାକୁ ଉଠାଇବା ଲାଗି ସରକାରକୁ ଆସିବା ପରେ ବିଜେପି ଉଦ୍ୟମ କରିଥିଲା। କିନ୍ତୁ ତା’ ଭିତରେ ଦୁଇଟି ଶିକ୍ଷାବର୍ଷ ଅତିବାହିତ ହୋଇଗଲେ ବି ବିଜେପି ଏଥିରେ ସମର୍ଥ ହୋଇ ନଥିଲା। ଆଜି ତୃତୀୟ ଶିକ୍ଷାବର୍ଷରେ ବିଜେପି ଏ କଟକଣାକୁ ଉଠାଇଛି। ତାହା ପୁଣି ଅତ୍ୟନ୍ତ ସ୍ୱଳ୍ପ ନୋଟିସରେ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କରାଯାଇଛି। ଏହାକୁ ବିଜେପି ଛାତ୍ରଙ୍କ ହକ୍‍ ସାବ୍ୟସ୍ତ ପାଇଁ ଏକ ଗଣତାନ୍ତ୍ରିକ ଉଦ୍ୟମ େବାଲି ଦଳ କହୁଛି, ପୂର୍ବ ସରକାରଙ୍କ ବିଫଳତାକୁ ଏଥିରେ ବଖାଣୁଛି କିନ୍ତୁ ଏ ଭିତରେ ରହିଛି ୨୦୨୯ରୁ ସ୍ୱପ୍ନ।

ରାଜନୈତିକ ଫାଇଦା ଓ ସମ୍ଭାବ୍ୟ ଆହ୍ୱାନ

୨୦୨୯ ସାଧାରଣ ନିର୍ବାଚନ ବେଳକୁ ପ୍ରଥମଥର ଭୋଟ୍ ଦେବାକୁ ଥିବା ଯୁବବର୍ଗଙ୍କ ଭିତରେ ଏବିଭିପି ମାଧ୍ୟମରେ ସଂଗଠନ ବିସ୍ତାର କରିବା ପାଇଁ ଏହା ଏକ ସୁଯୋଗ େବାଲି ରାଜନୀତିକ ସ୍ତରରେ ଆଲୋଚନା ହେଉଛି। ଏହି ଛାତ୍ରମାନେ ଆସନ୍ତା ନିର୍ବାଚନରେ ଭୋଟର ହେବେ। ସେମାନଙ୍କ ମନରେ ଆସ୍ଥା ଓ ବିଶ୍ୱାସ ସୃଷ୍ଟି ପାଇଁ କ୍ୟାମ୍ପସକୁ ସରକାର ବ୍ୟବହାର କରୁଛନ୍ତି ବୋଲିତ ଅଭିଯୋଗ ହେଉଛି।
କିନ୍ତୁ ଏହାଦ୍ୱାରା ଯଦି ପୁଣି ଥରେ କ୍ୟାମ୍ପସରେ ହିଂସା ଓ ବୋମା ମାଡ଼ ସંସ୍କୃତି ଫେରେ, ତେବେ ଶାସକ ଦଳ ଭାବେ ବିଜେପି ଆଇନ୍ ଶୃଙ୍ଖଳା ନେଇ ସମାଲୋଚିତ ହେବ।
ଏ ଭିତରେ ଆଉ ଏକ ସମୀକରଣ ଯାହା ବିଜେପି ଆଖିରେ ଝଲସୁଛି ତାହା ହେଲା, ବିଜେଡି ଓ କଂଗ୍ରେସର ଦୁର୍ବଳ ଯୁବ ଭିତ୍ତିଭୂମି। ବିଜେପି ନିଜର ଆଗାମୀ ପିଢ଼ିର କ୍ୟାଡର୍ ଓ ନେତା ପ୍ରସ୍ତୁତ ପାଇଁ ଏହାକୁ ଏକ ସୁଯୋଗ ଭାବେ ଗ୍ରହଣ କରୁଛି। କିନ୍ତୁ ସରକାରଙ୍କ ବିରୋଧରେ ଥିବା ବେକାରୀ ଓ ଶିକ୍ଷାଗତ ଅସନ୍ତୋଷକୁ ଆୟୁଧ କରି ବିଜେଡି ଓ କଂଗ୍ରେସର ଛାତ୍ର ସଂଗଠନ କ୍ୟାମ୍ପସରେ ଶାସକ ଦଳ ବିରୋଧୀ ହାୱା ସୃଷ୍ଟି କରିପାରନ୍ତି।
ଅର୍ଥାତ୍‍ ଅକ୍ଟୋବର ୧୫ ପୂର୍ବରୁ ଛାତ୍ରଙ୍କ ଭିତରେ ମାନସ ମନ୍ଥନ ପାଇଁ ଏହା ଏକ ବିଶାଳ ସୁଯୋଗ ଆଣି ଦେଇଛି। ଏହି ଦୃଷ୍ଟିକୋଣରୁ ଦେଖିଲେ କ୍ୟାମ୍ପସ ନିର୍ବାଚନର ପୁନରୁଦ୍ଧାର ଓଡ଼ିଶାର ଗଣତନ୍ତ୍ର ପାଇଁ ନିଶ୍ଚିତ ଭାବେ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହା କେବଳ ରାଜନୈତିକ ଦଳଗୁଡ଼ିକର ଭୋଟବ୍ୟାଙ୍କ ବଢ଼ାଇବାର ମାଧ୍ୟମ ନହୋଇ, କ୍ୟାମ୍ପସଗୁଡ଼ିକରେ ଶାନ୍ତିପୂର୍ଣ୍ଣ ଓ ବୈଚାରିକ ଗଣତନ୍ତ୍ରର ବାତାବରଣ ଫେରାଇ ଆଣିପାରୁଛି କି ନାହିଁ—ତାହା ହିଁ ଦେଖିବାର କଥା। ୨୦୨୯ ପାଇଁ ଓଡ଼ିଶାର ଛାତ୍ର ସମାଜ ବିଜେପି ପାଇଁ ଶ୍ରେଷ୍ଠ ‘ରାଜନୈତିକ ସମ୍ପତ୍ତି’ ପାଲଟୁଛନ୍ତି କି ନାହିଁ, ତାହା ବି ଏହି ନିର୍ବାଚନ ସ୍ପଷ୍ଟ କରିବ।

LEAVE A REPLY

Please enter your comment!
Please enter your name here

Popular Articles