ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବା ରାଜ୍ୟପାଳ, ଏମାନେ ଭାରତର ସମ୍ବିଧାନ ଅନୁସାରେ ରାଜ୍ୟ ଶାସନର ଗୋଟିଏ ଗୋଟିଏ ଅବିଚ୍ଛେଦ୍ୟ ଓ ଅପରିହାର୍ଯ୍ୟ ଅଙ୍ଗ। ମୁଖ୍ୟମନ୍ତ୍ରୀ ରାଜ୍ୟ ବିଧାନସଭାର ନେତା ଓ ରାଜ୍ୟପାଳ ଏହାର ଅଭିଭାବକ। କିନ୍ତୁ ଓଡ଼ିଶାରେ ବଡ଼ ଅଜବ ପରିସ୍ଥିତି ସୃଷ୍ଟି ହୋଇଛି। ଆଇନ ଅନୁସାରେ ଏହା ସାମ୍ବିଧାନିକ ସଙ୍କଟ ହୋଇ ନପାରେ, କିନ୍ତୁ ଲୋକଙ୍କ ନଜରରେ ଏମାନେ ବି ନିଜ କୁର୍ସି ପାଇଁ ସଂଗ୍ରାମ କରୁଛନ୍ତି, କେନ୍ଦ୍ର ନଜରରେ ଏମାନେ ଗୋଟିଏ ଗୋଟିଏ ଅଲୋଡ଼ା ପାତ୍ର ଅଥବା କାଠ କଣ୍ଢେଇ ମାତ୍ର…!
ଜୁନ ୪, ୨୦୨୪। ଓଡ଼ିଶାର ଅନେକ ଲୋକ ଏକ ରାଜନୀତିକ ପରିବର୍ତ୍ତନକୁ ଦେଖି ବଡ଼ ଖୁସି ହୋଇଗଲେ। ୨୪ ବର୍ଷ ହେଲା ରାଜ୍ୟ ଶାସନରେ ଆସିଥିବା ସ୍ଥାଣୁତା ହଟିବ, ଗଣତନ୍ତ୍ରର ପ୍ରକୃତ ସ୍ୱାଦ ନୂଆ ପିଢ଼ିକୁ ଦେଖିବାକୁ ମିଳିବ ବୋଲି ଚିନ୍ତା କରି ଅନେକ ସ୍ଥାନରେ ଉତ୍ସାହର ଉତ୍ସବ ପାଳନ ହେଲା। ସେତେବେଳେ ଓଡ଼ିଶାର ଭୋଟରଙ୍କୁ ଲୋକସଭାରେ ବି ପରୋକ୍ଷ କୃତଜ୍ଞତା ଜଣାଗଲା। କାରଣ ୨୧ରୁ ୨୦ ଲୋକସଭା ନିର୍ବାଚନ ମଣ୍ଡଳୀରେ ବିଜେପିର ପ୍ରାର୍ଥୀ ସାଂସଦ ହୋଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆସନକୁ ସଶକ୍ତ କରିଥିଲେ। ହେଲେ ଏ କୃତଜ୍ଞତାର ଫଳ ଏପରି ବିପରୀତ ହେଲା ଯେ ଆଜି ଓଡ଼ିଶା କେନ୍ଦ୍ର ପାଇଁ ସମ୍ପୂର୍ଣ୍ଣ ଅଲୋଡ଼ା ହୋଇ ପଡ଼ିଛି। ଏପରିକି ସାମ୍ବିଧାନିକ ପରମ୍ପରା ଅନୁଯାୟୀ କେନ୍ଦ୍ର ସରକାରଙ୍କ ଏଜେଣ୍ଟ ଭାବେ କାର୍ଯ୍ୟରେ ଅବସ୍ଥାପିତ ରାଜ୍ୟପାଳ ବି ନିଜ ପଦବୀରେ ଆସନ୍ତା କାଲି ରହିବେ କି ନା ତାହା ସନ୍ଦେହରେ ରହୁଛି। ଏହାର କାରଣ ହେଉଛି ଓଡ଼ିଶାରେ ଥିବା ଏହି ସାମ୍ବିଧାନିକ ସୁପ୍ରିମୋଙ୍କ କାର୍ଯ୍ୟକାଳ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ସରିଗଲାଣି। ତାଙ୍କର କାର୍ଯ୍ୟକାଳକୁ ରାଷ୍ଟ୍ରପତି ସମ୍ପ୍ରସାରଣ କରିନାହାନ୍ତି। ଯଦିଓ ସମ୍ବିଧାନର ଧାରା ୧୫୬ (୩) ଅନୁସାରେ ନୂଆ ରାଜ୍ୟପାଳ ନ ଆସିବା ଯାଏ ସେ ସମସ୍ତ ସୁବିଧା, ସୁଯୋଗ ଓ କ୍ଷମତା ଉପଭୋଗ କରିପାରିବେ କିନ୍ତୁ ଏହା ଏକ ସ୍ଥାୟୀ ଅଳଙ୍କରଣ ନୁହେଁ।
ଏବେ ରାଜ୍ୟରେ କମ୍ଭମପତି ହରିବାବୁ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଜାନୁୟାରୀ ୩, ୨୦୨୫ ମସିହାରେ ରାଷ୍ଟ୍ରପତିଙ୍କ ପକ୍ଷରୁ ତାଙ୍କୁ ଓଡ଼ିଶାକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ନିଯୁକ୍ତି ଓଡ଼ିଶା ପାଇଁ ହୋଇ ନଥିଲା, ଅର୍ଥାତ୍ ରାଷ୍ଟ୍ରପତିଙ୍କ ପକ୍ଷରୁ ଏ ନେଇ କୌଣସି ୍ୱାରାଣ୍ଟ ବା ବିଜ୍ଞପ୍ତି ପ୍ରକାଶ କରାଯାଇ ନଥିଲା। ଏଣୁ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ଗ୍ରହଣ ତାଙ୍କର ପୂର୍ବ ନିଯୁକ୍ତିର ସମ୍ପ୍ରସାରଣ ହିଁ ଥିଲା। ଅର୍ଥାତ୍ ପୂର୍ବ ନିଯୁକ୍ତିର ୫ ବର୍ଷ ଯେତେବେଳେ ଶେଷ ହେବ ତାହାକୁ ଏଠାରେ ରାଜ୍ୟପାଳଙ୍କ କାର୍ଯ୍ୟକାଳର ଶେଷଦିନ ଭାବେ ଗ୍ରହଣ କରାଯିବ। ଯେହେତୁ ସେ ମିଜୋରାମର ରାଜ୍ୟପାଳ ଭାବେ ଜୁଲାଇ ୧୯, ୨୦୨୧ ମସିହାରେ ନିଯୁକ୍ତ ହୋଇଥିଲେ, ତାଙ୍କର କାର୍ଯ୍ୟକାଳ ସମ୍ବିଧାନର ଧାରା ୧୫୬ ଅନୁସାରେ ଜୁଲାଇ ୧୮, ୨୦୨୬ରେ ଶେଷ ହୋଇଯାଇଛି। ଏହି ଧାରାର ବ୍ୟବସ୍ଥା ଅନୁସାରେ ନୂଆ ରାଜ୍ୟପାଳ ନିଯୁକ୍ତି ନ ହେବା ଯାଏ ସେ ରାଜ୍ୟପାଳ ହୋଇ ରହିପାରିବେ; ଏଣୁ ସେ କାର୍ଯ୍ୟ ତୁଲାଉଛନ୍ତି। ଅର୍ଥାତ୍ ସେ ଏବେ କେବଳ ନାମକୁ ମାତ୍ର ରାଜ୍ୟପାଳ!
ଏହା କୌଣସି ଅସାମ୍ବିଧାନିକ ବ୍ୟବସ୍ଥା ନୁହେଁ, କିନ୍ତୁ ପ୍ରଶ୍ନ ଉଠୁଛି ତିନି ମାସ ହେଲା କେନ୍ଦ୍ର ସରକାର ବିଶେଷ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ରାଜ୍ୟ ପ୍ରତି ଏପରି ଅମନଯୋଗୀ ହୋଇ କାହିଁକି ରହିଛନ୍ତି? ଯେଉଁ ରାଜ୍ୟ ତାଙ୍କୁ ଅପୂର୍ବ ସମର୍ଥନ ପ୍ରଦାନ କରିଥିଲା, ତାଙ୍କୁ ରାଜ୍ୟ ଶାସନ ସହ କେନ୍ଦ୍ରରେ ଶାସନ କରିବାକୁ କ୍ଷମତାର୍ପଣ କରିଥିଲା, ସେ ରାଜ୍ୟକୁ କିପରି ଅଦେଖା ଅନ୍ଧାରରେ ରଖିବାକୁ କେନ୍ଦ୍ର ସରକାର ଭାବି ପାରିଛନ୍ତି? ଓଡ଼ିଶାର ରାଜ୍ୟପାଳଙ୍କ ପଦବୀ କ’ଣ କେନ୍ଦ୍ର ପାଇଁ ଏକ ଅଲୋଡ଼ା ଅଦେଖା, ପରିତ୍ୟକ୍ତ ପଦବୀ…? ଏହି ପ୍ରଶ୍ନ ପଚାରିବା ବେଳେ ରାଜ୍ୟର ରାଜନୀତିକ ପୃଷ୍ଠଭୂମିକୁ ବି ସାମ୍ନାକୁ ଆଣିବାକୁ ପଡ଼ିବ। ଯାହା ପ୍ରମାଣ ଦିଏଯେ, ସତରେ ବିଜେପି ଶାସନରେ ରାଜ୍ୟ କିପରି ଅଲୋଡ଼ା ହୋଇଛି। କେମିତି ସମାନ ଦଳର ସରକାର ଥିବା କେନ୍ଦ୍ର, ରାଜ୍ୟ ରାଜନୀତିକୁ ସମ୍ପୂର୍ଣ୍ଣ ପଙ୍ଗୁ କରିଦେଇପାରେ!
ଡବଲ ଇଞ୍ଜିନରେ ଓଡ଼ିଶା ଅନ୍ଧାର
ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଏହି ବୈମାତୃକ ନୀତି ବା ସାବତ ମା’ର ଆଚରଣ ଗୋଟିଏ ମାତ୍ର ଅଣଦେଖା ସ୍ଥାଣୁତା ବା ଅନ୍ଧକାର ତା ନୁହେଁ, ବରଂ ୨୦୨୪ ପରେ ରାଜ୍ୟରେ ଏପରି ବାରମ୍ବାର ଉଦ୍ୟମ ହୋଇଛି ଯେଉଁଠି ଜାଣିଶୁଣି ରାଜନୀତିକ ଶୂନ୍ୟସ୍ଥାନ ସୃଷ୍ଟି କରାଯାଇଛି, ଓଡ଼ିଶାରେ ରାଜନୀତିକ ଚେତନାକୁ ପଙ୍ଗୁ କରିବାକୁ ଉଦ୍ୟମ ହୋଇଛି। ଅକଳରେ ପଡ଼ିଛି ଭାଲୁ… ପରି ଓଡ଼ିଶାର ଲୋକେ ଏ ଆଚରଣକୁ କେବଳ ସହି ଚାଲିଛନ୍ତି।
ଯେଉଁଦିନ ଏଠାରେ ସରକାର ଚଳାଇବାକୁ ନେତାଙ୍କ ଚୟନ ହୋଇଥିଲା, ସେହି ଦିନକୁ ଏହିକ୍ରମରେ ଆଲୋଚନା କରାଯାଇପାରେ। ସେଦିନ ବିଜେପି କାର୍ଯ୍ୟାଳୟର ବିଧାୟକ ଦଳ ବୈଠକରେ ବିଧାୟକଙ୍କୁ ନେତାଙ୍କ ଚୟନ ପାଇଁ କୌଣସି ଗଣତାନ୍ତ୍ରିକ ପ୍ରକ୍ରିୟା ବ୍ୟବହାର କରାଯାଇ ନଥିଲା, ବରଂ କେନ୍ଦ୍ରୀୟ ନେତାଙ୍କ ନିଷ୍ପତ୍ତିକୁ ପାରିତ କରାଯାଇଥିଲା। ଏହାଦ୍ୱାରା ଦଳରେ ଭୟ ସହ ଶୃଙ୍ଖଳା ରକ୍ଷା ହୋଇପାରିଥାଏ କିନ୍ତୁ ଓଡ଼ିଆ ଅସ୍ମିତା ଓ ବୌଦ୍ଧିକ ବିଚାରକୁ ତଳିତଳାନ୍ତ କରିଦିଆଯାଇଥିବା ଅଭିଯୋଗ ହୁଏ।
ପୁଣି ଯାହା କେବେ ଓଡ଼ିଶା ରାଜନୀତିରେ ହୋଇ ନଥିଲା ସେପରି ଏକ ବ୍ୟବସ୍ଥାକୁ ସୃଷ୍ଟି କରାଯାଇଥିଲା। ଏହି ଅନୁସାରେ ମନ୍ତ୍ରିମଣ୍ଡଳରେ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ରହିଲେ। ଚର୍ଚ୍ଚା ହେଲା ମୁଖ୍ୟମନ୍ତ୍ରୀଙ୍କୁ ନିୟନ୍ତ୍ରଣ କରିବା ପାଇଁ ଏ ଦୁଇଜଣ ରହିଛନ୍ତି। କିନ୍ତୁ ଦଳୀୟ କର୍ମୀ ଓ ଦଳୀୟ ଚାପ ଏତେ ଉପରେ ରହିଲା ଯେ ଏହି ନିର୍ବାଚିତ କ୍ଷମତାପ୍ରାପ୍ତ ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ନିଜ କାମ ପାଇଁ କେବଳ ମୁଖପାତ୍ର ହେଲେ ସିନା ବିଜେଡି ଅମଳର ମନ୍ତ୍ରୀଙ୍କ ଭଳି ହୋଇପାରିଲେ ନାହିଁ।
କର୍ମୀମାନେ ଅଧିକ ଶକ୍ତିଶାଳୀ?
ଆପଣ ଏଥିରୁ ଆଶଙ୍କା କରୁଥିବେ ଯେ ରାଜ୍ୟ ବିଜେପି ବା ଏହାର କର୍ମୀମାନେ ମନ୍ତ୍ରିମଣ୍ଡଳ ଅପେକ୍ଷା ବେଶୀ କ୍ଷମତାଶାଳୀ! କିନ୍ତୁ ତାହା ବି ବାସ୍ତବ ନୁହେଁ। କାରଣ ରାଜ୍ୟ ଶାସନର ଶୀର୍ଷସ୍ତରରରେ ଥିବା ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେଲେ ତାଙ୍କ ପାଇଁ ମନ୍ତ୍ରୀ ପଦଟିଏ ମିଳିବ ବୋଲି ବିଧାୟକମାନେ ଆଶା କରି ବସିଛନ୍ତି। ହେଲେ ଜୁନ୍ ୧୨, ୨୦୨୪ ପରେ ଏହି ମନ୍ତ୍ରିମଣ୍ଡଳରେ କୌଣସି ଅଦଳବଦଳ ହେଉ ନାହିଁ। ଖାଲି ସେତିକି ନୁହେଁ, ଖାଲିପଡ଼ିଥିବା ୬ ପଦବୀକୁ ବି ପୂରଣ କରାଯାଉ ନାହିଁ। ଏ ନେଇ ବାରମ୍ବାର ଗଣମାଧ୍ୟମରେ ଚର୍ଚ୍ଚା ହୋଇଛି, ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ରାଜ୍ୟ ବିଜେପିର ସଭାପତି ବି ବୟାନ ରଖିଛନ୍ତି କିନ୍ତୁ ଫଳ ଫଳୁ ନାହିଁ। ଅର୍ଥାତ୍ ଉପର ମୁଣ୍ଡରୁ ଏଥିଲାଗି ସବୁଜ ସଙ୍କେତ ମିଳୁ ନାହିଁ। ଫଳରେ ମୁଖ୍ୟମନ୍ତ୍ରୀ ବି ନିଜର ପଦ ଓ ଅଧିକାର ବ୍ୟବହାର କରିବାକୁ ଅସମର୍ଥ ହେଉଛନ୍ତି। ଅର୍ଥାତ୍ ସ୍ୱୟଂ ମୁଖ୍ୟମନ୍ତ୍ରୀ ବି ସଖୀ କଣ୍ଢେଇ ପରି ଏକ ରାଜନୀତିକ ପଦାର୍ଥ।

ନେତାଙ୍କ ଦମ୍ଭ ନାହିଁ
କେନ୍ଦ୍ର ସରକାର ଓ ଶାସକ ଦଳର ଆଉ ଏକ ସାବତ ମା ଚରିତ୍ରକୁ ବି ଏଠାରେ ସାମ୍ନାକୁ ଅଣାଯାଉ। ଏହା ହେଲା ରାଜ୍ୟ ସରକାରଙ୍କ ଅଧିନରେ ଚାଲୁଥିବା ନିଗମଗୁଡ଼ିକରେ ଅଧ୍ୟକ୍ଷ ନିଯୁକ୍ତି। ସାଧାରଣ ପରମ୍ପରା ଅନୁସାରେ ଏହି ନିଗମଗୁଡ଼ିକରେ ରାଜନୀତିକ ନେତାମାନେ ନିଯୁକ୍ତ ହୋଇଥାଆନ୍ତି। ଯେଉଁମାନେ ଦଳରେ ବରିଷ୍ଠ ଓ ଓଜନଦାର ନେତା ହୋଇଥାଆନ୍ତି ଏବଂ ନିର୍ବାଚନରେ ପରାଜିତ ହୋଇଥାଆନ୍ତି ସେମାନଙ୍କୁ ସାଧାରଣତଃ ଏଠାରେ ନିଯୁକ୍ତ କରାଯାଏ। ଏମିତି ଅନେକ ନେତା ରାଜ୍ୟରେ ଚାତକ ଭଳି ଅନାଇଛନ୍ତି। ହେଲେ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏ ନେଇ ବି କୌଣସି ନିଷ୍ପତ୍ତି ଆସୁ ନାହିଁ। ସୂଚନା ଅନୁସାରେ କେନ୍ଦ୍ରୀୟ ନେତୃତ୍ୱଙ୍କ ଏ ନେଇ ସବୁଜ ସଙ୍କେତ ମିଳୁ ନାହିଁ।
ଏଥିଯୋଗୁ ରାଜ୍ୟର ୩୨ ସରକାରୀ ନିଗମରୁ ୨୫ରୁ ଅଧିକ ଏବେ ଆଇଏଏସ୍ଙ୍କ ନେତୃତ୍ୱରେ ଚାଲିଛି। ଅର୍ଥାତ୍ ପୂର୍ବ ସରକାର ଯାହା କରୁଥିଲା ତାହାକୁ ଏବେ ଅନୁସରଣ କରାଯାଉଛି। ଯେଉଁ ସରକାରରେ ଅତ୍ୟଧିକ ଅମଲାତାନ୍ତ୍ରିକ ହସ୍ତକ୍ଷେପକୁ ବିରୋଧ କରି ରାଜ୍ୟବାସୀ ମନ ପରିବର୍ତ୍ତନ କରିଥିଲେ, ଏବେ ସେଇ ଢାଞ୍ଚା ଅବିରତ ଚାଲିଛି। ଏହା ପ୍ରାମଣ କରୁଛିଯେ, ଜାତୀୟ ହେଉ ବା ଆଞ୍ଚଳିକ ଦଳ, ଏହାର ନେତାମାନଙ୍କ ଉପରେ ସର୍ବୋଚ୍ଚ ନେତାଙ୍କ ଭରସା ରହୁନାହିଁ। ସେଥିଲାଗି ଅତ୍ୟଧିକ କେନ୍ଦ୍ର ନିର୍ଭରଶୀଳ ହୋଇଛନ୍ତି ଓଡ଼ିଶା ସରକାର। ଏହି ହେତୁ ଓଡ଼ିଶାରେ ଡବଲ ଇଞ୍ଜିନ୍ ନୁହେଁ, ବରଂ କେନ୍ଦ୍ର ଇଞ୍ଜିନଟି କ୍ଷମତାଶାଳୀ ହୋଇ ଶାସନ କରୁଛି।
୨ ଅଧିକାରୀ
ସବୁବେଳେ ଗୋଟିଏ କଥା ରାଜ୍ୟରେ ଆଲୋଚନା ହୁଏ ଯେ, ରାଜ୍ୟ ରାଜନୀତିରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସିଧା ସଳଖ ସମ୍ପର୍କ ରହିଛି। ସବୁକିଛି କାର୍ଯ୍ୟାଳୟର ପରାମର୍ଶ ଅନୁସାରେ ହୁଏ। ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା ପ୍ରତି ସ୍ୱତନ୍ତ୍ର ଆନୁଗତ୍ୟ ରହିଛି। ମାତ୍ର ଏହା କ’ଣ ସତ୍ୟ?
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ବିଜେପିର ଜାତୀୟ କାର୍ଯ୍ୟାଳୟରେ ଓଡ଼ିଶା କଥା ପହଞ୍ଚୁନାହିଁ ତା’ ନୁହେଁ। ପୁଣି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଦୁଇ ବରିଷ୍ଠ ଓଡ଼ିଆ ଅଧିକାରୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛନ୍ତି। ତଥାପି ଓଡ଼ିଆଙ୍କ କଥାର କୌଣସି ମୂଲ୍ୟ ନ ରହିବା ଓଡ଼ିଆ ଅସ୍ମିତା ପ୍ରତି କୁଠାରଘାତ ଛଡ଼ା ଆଉ କିଛି ହୋଇ ନପାରେ! ଏହା ଦୁଇଟି ବିଷୟକୁ ସ୍ପଷ୍ଟ କରୁଛି: ପ୍ରଥମ ହେଉଛି ଏହି ଅଧିକାରୀମାନେ ଓଡ଼ିଶାର କଥାକୁ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବାରେ ଅକ୍ଷମ ହେଉଛନ୍ତି, ଅଥବା ଏହି ଅଧିକାରୀମାନଙ୍କୁ ବିଶ୍ୱାସରେ ନେଇପାରୁ ନାହନ୍ତି ଓଡ଼ିଶାର ନେତା!
ପଙ୍ଗୁ ହେବାର ଆତଙ୍କ
ଓଡ଼ିଶା ଯେ ପୂର୍ବରୁ ଡବଲ ଇଞ୍ଜିନ ଦେଖି ନଥିଲା ତା ନୁହେଁ। ନବୀନଙ୍କ ସରକାରରେ କେତେବେଳେ ପ୍ୟାରୀ ମୋହନ ମହାପାତ୍ର ଆଉ କେତେବେଳେ କାର୍ତ୍ତିକେୟ ପାଣ୍ଡିଆନ୍ଙ୍କୁ ଦ୍ୱିତୀୟ କ୍ଷମତା କେନ୍ଦ୍ର ବୋଲି କୁହାଯାଉଥିଲା। ଫରକ ଏତିକିଥିଲା ଯେ ସେତେବେଳେ ଦୁଇଟିଯାକ ଇଞ୍ଜିନ ଓଡ଼ିଶାରେ ରହୁଥିଲା। ଆଉ ଏବେ ଗୋଟିଏ ଓଡ଼ିଶାରେ, ଆଉ ଗୋଟିଏ ଦିଲ୍ଲୀରେ। ହେଲେ ଗୋଟିଏ କଥା ସମାନ ଯେ ସେତେବେଳେ ନେତାଏ କଥା କହିବାକୁ ଡରୁଥିଲେ, ଆଉ ଆଜି ବି ମୁହଁ ଖୋଲିବାକୁ ଡରୁଛନ୍ତି। ସେତେବେଳେ ନବୀନଙ୍କ ଆଶୀର୍ବାଦ ଚାଲିଯିବାର ଭୟ ଥିଲା ଏବେ ଦଳରେ ପଙ୍ଗୁ ହେବାର ଆତଙ୍କ।
ଯେଉଁ ନେତାମାନେ ପୂର୍ବରୁ ଅନେକ ସାହସ ଜୁଟାଇ ପୂର୍ବ ସରକାରର ମୁଖା ଖୋଲିଥିଲେ ଏବଂ ଆହ୍ୱାନ ଦେଇ ସଫଳତା ପାଇଥିଲେ, ସେମାନଙ୍କ ଅବସ୍ଥାକୁ ଦେଖିଲେ ଏହି ଆତଙ୍କ ସ୍ପଷ୍ଟ ପ୍ରମାଣିତ ହୁଏ। ପ୍ରଥମେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କ କଥା ଆଲୋଚନା କରାଯାଇପାରେ। ରାଜ୍ୟର ଏକମାତ୍ର ନେତା ଭାବେ ଦକ୍ଷିଣ ଓଡ଼ିଶାରେ ସେ ବିଜେଡିକୁ ଖୋଲା ଆହ୍ୱାନ ଦେଇଥିଲେ। ବ୍ୟକ୍ତିଗତ ଓ ସାମାଜିକ ସ୍ତରରେ ଅନେକ ନିର୍ଯାତନା ତାଙ୍କୁ ଭୋଗିବାକୁ ପଡ଼ିଥିଲା। କିନ୍ତୁ ଏହାର ସଫଳତାକୁ ନିଜର କରିଥିଲା ବିଜେପି। ଆଜି କିନ୍ତୁ ସେ ଅଲୋଡ଼ା ପ୍ରାୟ। ସେମିତି କଟକ ସାଂସଦ ଭର୍ତ୍ତୃହରି ମହତାବ, ବୈଜୟନ୍ତ ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ବି ଉଲ୍ଲେଖ କରାଯାଇପାରେ। ରାଜ୍ୟରେ ଜୟ ନାରାୟଣ ମିଶ୍ର, ପ୍ରଶାନ୍ତ ଜଗଦ୍ଦେବ, ଲକ୍ଷ୍ମଣ ବାଗ, ସରୋଜ ପାଢ଼ୀଙ୍କ କଥା କୁହାଯାଇପାରେ।
୨୦୨୪ ନିର୍ବାଚନରେ ବିପୁଳ ସମର୍ଥନ ଦେଇଥିବା ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ବୈମାତୃକ ଅଣଦେଖା ମନୋଭାବ ସ୍ପଷ୍ଟ ହୋଇଛି। ବିଧାୟକ ଦଳ ନେତା ଚୟନଠାରୁ ଆରମ୍ଭ କରି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପର୍ଯ୍ୟନ୍ତ ପ୍ରତ୍ୟେକ ନିଷ୍ପତ୍ତିରେ ସ୍ଥାନୀୟ ନେତୃତ୍ୱଙ୍କୁ ଆଡ଼କରି ଦିଲ୍ଲୀରୁ ନିୟନ୍ତ୍ରଣ କରାଯାଉଛି। ପୂର୍ବ ସରକାର ସମୟରେ ବିଜେଡିର ମୁଖା ଖୋଲି ବିଜେପିକୁ କ୍ଷମତାକୁ ଆଣିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ରାଜ୍ୟର ବରିଷ୍ଠ ନେତାମାନେ ଆଜି ନିଜ ଦଳରେ ହିଁ ଅଲୋଡ଼ା ଓ ସ୍ୱରହୀନ ହୋଇପଡ଼ିଛନ୍ତି।






