Tuesday, August 18, 2026
spot_imgspot_img

Top 5 This Week

spot_img

Related Posts

ବେକାରୀ, ଛାତ୍ର ଆନ୍ଦୋଳନ, ଦଳୀୟ ଅସନ୍ତୋଷ ଭିତରେ: ଓଡ଼ିଶା ବିଜେପିକୁ ବାଙ୍କିପୁର ଶିକ୍ଷା

ଏ ସପ୍ତାହର ସବୁଠାରୁ ବଡ଼ ଘଟଣାକ୍ରମ, ଯାହା ଖବରର ଶୀର୍ଷକ ହାସଲ କରିବା ସହ ଭାରତର ଗଣତାନ୍ତ୍ରିକ ପଦ୍ଧତ୍ତିରେ ଏକ ନୂଆ ଅଧ୍ୟାୟକୁ ସୂତ୍ରପାତ କରିବାକୁ ଯାଉଛି, ତାହା ହେଲା ବିହାର ବାଙ୍କିପୁର ବିଧାନସଭା ଉପ ନିର୍ବାଚନ। ପୁଣି ଯେଉଁ ରଣନୀତିକାରଙ୍କ ଏଠାରେ ବିଜୟ ହୋଇଛି ସେ ଗତ ସାଧାରଣ ନିର୍ବାଚନରେ ପ୍ରାୟତଃ ଅମାନତ ହରାଇଥିଲେ। ମାତ୍ର ୮ ମାସ ଭିତରେ ଏମିତି କ’ଣ ହେଲା ଯେ, ତାଙ୍କୁ ବିପୁଳ ବିଜୟ ମିଳିଲା? କାହିଁକି ବାଙ୍କିପୁରର ଭୋଟର ନିଜର ମତ ବଦଳାଇଲେ? କାହିଁକି ବିରୋଧୀ ଦଳଭାବେ କଂଗ୍ରେସ, ଏହାର ମେଣ୍ଟ ସହଯୋଗୀମାନେ ଏହି ମତକୁ ନିଜଆଡ଼କୁ ଆକର୍ଷିତ କରିବାରେ ବିଫଳ ହେଲେ? ଏପରି ଅନେକ ପ୍ରଶ୍ନ ଭିତରେ ଗୁରୁତ୍ୱପୂର୍ଣ୍ଣ ଅଧ୍ୟାୟଟି ହେଉଛି ଏ ନିର୍ବାଚନରୁ ଓଡ଼ିଶା ବିଜେପିକୁ ମିଳିଥିବା ଶିକ୍ଷା।

ଆମ ରାଜ୍ୟରେ ଏକାମ୍ର ଯେମିତି ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନରେ ଏକ ଗୁରୁତ୍ୱପୂର୍ଣ୍ଣ ସହରୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଠିକ୍‍ ସେମିତି ବାଙ୍କିପୁର ବିହାରର ପାଟଣା ମ୍ୟୁନିସିପାଲ୍‍ କର୍ପୋରେସନ୍‍ ଅଞ୍ଚଳ ପରିଧିରେ ଆସୁଥିବା ଏକ ମଡର୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ। ଶିକ୍ଷା, ଜୀବନଶୈଳୀ, ରାଜନୀତିକ ଆଭିମୁଖ୍ୟରେ ଏହା ଅନ୍ୟ ନିର୍ବାଚନ ମଣ୍ଡଳୀଗୁଡ଼ିକରୁ ଅଲଗା। ପାରମ୍ପରିକ ଭାବେ ଏହା ଏକ ଅଣ କଂଗ୍ରେସ ନିର୍ବାଚନ ମଣ୍ଡଳୀ ହୋଇଥିଲେ ମଧ୍ୟ ୯୦ ଦଶକରୁ ଏହା ବିଜେପିର ଗଡ଼ ଭାବେ ପରିଚିତ ହୋଇ ଆସୁଛି। ଗଲା ୨୦୨୫ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଏହି ବିଧାନସଭାର ଭୋଟର ବିଜେପି ପ୍ରାର୍ଥୀ ନବୀନ ନିତିନଙ୍କୁ ଆରଜେଡି ପ୍ରାର୍ଥୀଙ୍କ ଅପେକ୍ଷା ୪୨ ହଜାରରୁ ଅଧିକ ଭୋଟ ଦେଇ ବିଜୟୀ କରାଇଥିଲେ। ହେଲେ କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଅନୁସାରେ ନିତିନ ବିଜେପିର ରାଷ୍ଟ୍ରୀୟ ସଭାପତି ଭାବେ ନିର୍ବାଚିତ ହେଲେ, ଆଉ ତାଙ୍କୁ ଦିଲ୍ଲୀରେ ଉପସ୍ଥିତ ରହିବାର ଆବଶ୍ୟକତାକୁ ପୂରଣ କରିବା ଲାଗି ରାଜ୍ୟରୁ ମନ୍ତ୍ରୀ ପଦ ପଦ ତ୍ୟାଗ କରିବାକୁ ପଡ଼ିଲା। ପରବର୍ତ୍ତୀ ସମୟରେ ଦଳ ତାଙ୍କୁ ରାଜ୍ୟସଭାରେ ମଧ୍ୟ ଥଇଥାନ କରିବାରୁ ନିତିନ ମାର୍ଚ୍ଚ ୩୦ ତାରିଖରେ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଯେହେତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁସାରେ ରାଜ୍ୟ ହେଉ ବା କେନ୍ଦ୍ର, କୌଣସି ସ୍ଥାନରେ ଦୁଇଟି ସଦନରେ ସଦସ୍ୟ ରହିବା ବେଆଇନ କାର୍ଯ୍ୟ, ଏଣୁ ତାଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ସମ୍ବିଧାନର ଧାରା ୧୦୧ ଏବଂ ୧୯୦ ଏ ସମ୍ବନ୍ଧରେ ସ୍ପଷ୍ଟ କରିଛି। ଏଥିରେ କୁହାଯାଇଛି କୌଣସି ଭାରତୀୟ ନାଗରିକ ରାଜ୍ୟ ବିଧାନସଭା ହେଉ ବା ସଂସଦର ଦୁଇଟି ଗୃହରେ ଏକା ସମୟରେ ସଦସ୍ୟ ରହିପାରିବେ ନାହିଁ।
ଇସ୍ତଫା ପରେ ସାମ୍ବିଧାନିକ ପରମ୍ପରା ଅନୁସାରେ ଏହି ଆସନରେ ଉପ ନିର୍ବାଚନ ହୋଇଥିଲା। ରାଜ୍ୟରେ ବିଜେପିର ସରକାର, କେନ୍ଦ୍ରରେ ବିଜେପି ସରକାର, ବାଙ୍କିପୁରରେ ବିଜେପିର ଶକ୍ତ ଭୂମିକାକୁ ଦେଖି ଯେ କେହି ଏହି ଉପ ନିର୍ବାଚନରେ ବିଜେପି ହିଁ ବିଜୟୀ ହେବ ବୋଲି ଆଶା କରିଥିଲେ। କିନ୍ତୁ ଫଳ ଓଲଟା ହେଲା। ବିଜେପି ଚିତପଟାଙ୍ଗ ମାରିଲା ଆଉ ନୂଆକରି ଜନ୍ମ ନେଇଥିବା ଏକ ରାଜନୀତିକ ଦଳ ଏଥିରେ ବିଜୟ ଲାଭ କରିଥିଲା। ପୁଣି ଏମିତି ସେମିତି ବିଜୟ ନୁହେଁ, ପ୍ରାୟ ୨୦ ହଜାରରୁ ଅଧିକ ଭୋଟରେ ଜନ କଂଗ୍ରେସର ପ୍ରାର୍ଥୀ ପ୍ରଶାନ୍ତ କିଶୋର ବିଜେପି ପ୍ରାର୍ଥୀ ନିରଜ କୁମାର ସିହ୍ନାଙ୍କୁ ହରାଇଲେ। ଉଭୟ ନିରଜ ଏବଂ ପ୍ରଶାନ୍ତ ଏହି ନିର୍ବାଚନ ମଣ୍ଡଳୀରେ ନୂଆ କରି ନିର୍ବାଚନ ଲଢ଼ୁଥିଲେ। ଉଭୟ ସବର୍ଣ୍ଣ ବର୍ଗର ପ୍ରାର୍ଥୀ ଥିଲେ। (ପୃଷ୍ଠା ୨) କିନ୍ତୁ ଫରକ ଏତିକି ଥିଲା ଯେ, ନିରଜଙ୍କ ଦଳ ବିଜେପି ଏଠାରେ ଗଲା ୩୦ ବର୍ଷ ହେଲା ବିଜୟୀ ହୋଇ ଆସୁଛି। ପୁଣି ଯାହାଙ୍କ ଇସ୍ତଫାରେ ଏ ଆସନ ଖାଲି ହୋଇଥିଲା ସେ ଖୋଦ ଏବେ ବିଜେପିର ରାଷ୍ଟ୍ରୀୟ ସଭାପତି। ଆହୁରି ମଧ୍ୟ ଏବେ ରାଜ୍ୟରେ ବିଜେପି ସରକାର ରହିଛି।
ଅପରପକ୍ଷେ ପ୍ରଶାନ୍ତ କିଶୋର ପେସାରେ ଜଣେ ରାଜନୀତିକ ରଣନୀତିକାର। ୨୦୨୫ ବିହାର ନିର୍ବାଚନରୁ ହିଁ ତାଙ୍କର ରାଜନୀତିକ କ୍ୟାରିୟର ଆରମ୍ଭ। ସେ ଏକ ନୂଆ ପାର୍ଟି ଗଢ଼ି ଗତ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଦେଇଥିଲେ। ଏହି ବାଙ୍କିପୁର ନିର୍ବାଚନ ମଣ୍ଡଳୀରୁ ୨୦୨୫ ନିର୍ବାଚନରେ ତାଙ୍କ ପ୍ରାର୍ଥୀ ବନ୍ଦନା କୁମାରୀ ମାତ୍ର ୪.୯ ପ୍ରତିଶତ ଭୋଟ ହାସଲ କରିପାରିଥିଲେ। ଏବେ ଏମିତି କ’ଣ ହେଲା, ଯେ ରାତାରାତି ବିଜେପି ପାଦତଳୁ ମାଟି ଖସିଗଲା? ଏମିତି କ’ଣ ହେଲା ଯେ, ବିଜେପିର ରାଷ୍ଟ୍ରୀୟ ସଭାପତିଙ୍କ ଗାଁରେ ବି ତାଙ୍କ ଦଳକୁ ଲୋକେ ପ୍ରତ୍ୟାଖ୍ୟାନ କଲେ? ୩ଟି ପ୍ରମୁଖ ବିନ୍ଦୁରେ ଆସନ୍ତୁ ଏ କାରଣଗୁଡ଼ିକୁ ପ୍ରଥମେ ଅନୁଶୀଳନ କରିବା। ଏହାସହ ଓଡ଼ିଶାର ସ୍ଥିତି ସହ ଏହାର ସାମଞ୍ଜସ୍ୟକୁ ମଧ୍ୟ ପରିଧିଭୁକ୍ତ କରିବା।

୧) ଅତ୍ୟଧିକ ଆତ୍ମବିଶ୍ୱାସ

ବାଙ୍କିପୁର ପୃଷ୍ଠଭୂମିରେ ଏବେ ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି। ପ୍ରଶ୍ନ ଉଠିଛି ବିଜେପିରେ ବଢ଼ୁଥିବା କେନ୍ଦ୍ରୀୟ ନେତାଙ୍କ ପ୍ରଭାବ ଏବଂ ଆଞ୍ଚଳିତ ନେତାଙ୍କ ଗୁରୁତ୍ୱ ହ୍ରାସ। ଏହି ନୀତି ଯେ କେବଳ ବିହାରରେ ଦେଖିବାକୁ ମିଳୁଛି ତା ନୁହେଁ, ରାଜନୀତିକ ହିସାବ କିତାବରେ ରୁଚି ରଖୁଥିବା ପ୍ରତିଟି ବ୍ୟକ୍ତି ଏହାକୁ ଅନୁଭବ କରିପାରୁଥିବେ ଯେ ଏହା ଓଡ଼ିଶାରେ ବି ପ୍ରବଳ ମାତ୍ରାରେ ଚାଲିଛି। ମଣିପୁରଠାରୁ ଆରମ୍ଭ କରି ଗୁଜରାଟ, ହରିୟାଣାରୁ ପଶ୍ଚିମବଙ୍ଗ ପ୍ରତିଟି ବିଜେପି ଶାସିତ ରାଜ୍ୟରେ ଦେଖିବାକୁ ମିଳୁଥିବା ଏହି ଅବସ୍ଥା ଏବେ ସ୍ଥାନୀୟ ନେତାଙ୍କ ଅବସ୍ଥିତିକୁ ପ୍ରଶ୍ନ ବନ୍ଧନୀରେ ଆବଦ୍ଧ କରିଛି।
କେଉଁ ରାଜ୍ୟରେ ଉଗ୍ର ସମ୍ଭାବନା ଥିବା ନେତାଙ୍କୁ ଗୌଣ କରିଦିଆଯାଉଛି ତ ଆଉ କେଉଁଠି, ନିଷ୍ଠାର ସହ ନିଜର ରାସ୍ତାକୁ କଣ୍ଟାମୁକ୍ତ କରିଥିବା ନେତାଙ୍କ ରାସ୍ତାରେ ପୁଣି କଣ୍ଟା ବିଛାଇ ଦିଆଯାଉଛି। ଏମିତି ପରିସ୍ଥିତି ଭିତରେ ଲୋକଙ୍କ ଆଗରେ ସେମାନେ ନିର୍ବାଚିତ କରିଥିବା ନେତା ନୁହଁନ୍ତି, କେନ୍ଦ୍ର ମନୋନୀତି କରିଥିବା ନେତାଙ୍କ ଦ୍ୱାରା ହିଁ ଶାସନ ଚାଲୁଛି। କିଛି ସ୍ଥାନରେ ନିଜର ବଳିଷ୍ଠ ନେତୃତ୍ୱ ଯୋଗୁ ରାଜ୍ୟରେ ଏକମାତ୍ର ବିକଳ୍ପ ଭାବେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ସେମାନଙ୍କ ପାଖରେ ଶାସନ ଅଙ୍କୁଶ ରହୁନାହିଁ। ଫଳରେ ରାଜ୍ୟଗୁଡ଼ିକରେ ବିଜେପି ଦୁର୍ବଳ ସରକାର ଗଠନ କରୁଥିବା ଚର୍ଚ୍ଚା ହେଉଛି। ଓଡ଼ିଶାରେ ବି ଏହି ବିଷୟ ଜନତାଙ୍କ ପାଇଁ ପରିତାପର ବିଷୟ ହୋଇଛି।

୨) ସହରୀ ମଧ୍ୟବିତ୍ତ ଭୋଟର

ଯେତେ ଇନଷ୍ଟା ବା ସୋଶାଲ୍‍ ମିଡିଆରେ ଆସିଲେ ବି ବିଜେପି ସହରୀ ମଧ୍ୟବିତ୍ତ ଭୋଟରଙ୍କ ପ୍ରିୟପାତ୍ର ହେବାରେ ଅକ୍ଷମ ହେଉଛି। ଏହାର କାରଣ ପଛରେ ସ୍ଥାନୀୟ ଆବଶ୍ୟକତା ଅଧିକ ଗୁରୁତ୍ୱ ବହନ କରୁଛି। ହେଲେ ବିଜେପି ତଥାକଥିତ ଧର୍ମ, ଜାତିଆଣ ରାଜନୀତିକୁ ଗୁରୁତ୍ୱ ଦେଇ ଆସିଛି।
ବାଙ୍କିପୁରର ରାଜନୀତିକୁ ବିଜେପି ଉଚ୍ଚଜାତି ଭିତ୍ତିକ ଗ୍ରହଣ କରି ପ୍ରାର୍ଥୀ ଚୟନରେ ଅତିଶୟ ଆତ୍ମବିଶ୍ୱାସୀ ହୋଇପଡ଼ିଥିଲା। ଏ ପ୍ରକାର ଚିନ୍ତାଧାରାରେ ଲିପ୍ତ ହୋଇ ବିଜେପି ପକ୍ଷରୁ ପ୍ରଥମେ ଯେଉଁ ପ୍ରାର୍ଥୀଙ୍କୁ ଟିକଟ ଦିଆଯିବ ବୋଲି ଚର୍ଚ୍ଚା କରାଯାଉଥିଲା ଶେଷ ମୁହୂର୍ତ୍ତରେ ତାଙ୍କ ନାମକୁ ବାଦ୍‍ ଦିଆଯାଇଥିଲା। ଜଣେ ମଣ୍ଡଳସ୍ତରର କାର୍ଯ୍ୟକର୍ତ୍ତାଙ୍କୁ ଟିକଟ ଦିଆଯାଇଥିଲା। ଏ ପ୍ରକାର ନୀତି ପୂର୍ବରୁ କଂଗ୍ରେସ ସରକାର ସମୟରେ ଅନେକଥର ଦେଖିବାକୁ ମିଳିଛି। ଏପରିକି ପଶ୍ଚିମବଙ୍ଗରେ ଯେତେବେଳେ ତୃଣମୂଳ କଂଗ୍ରେସ ହେଉ ବା ଓଡ଼ିଶାରେ ବିଜେଡି ଅଥବା ତାମିଲନାଡ଼ୁରେ ଡିଏମକେ କ୍ଷମତାର ଶୀର୍ଷରେ ଥିଲା, ସେତେବେଳେ ଏପରି ଅପରିଚିତ ବା ଚର୍ଚ୍ଚାରେ ନଥିବା ପ୍ରାର୍ଥୀଙ୍କୁ ପ୍ରାର୍ଥୀ କରି ଲୋକସଭା ଏବଂ ବିଧାନସଭାକୁ ପଠାଇଥିଲା। ସେଠାରେ ଯେମିତି ଆଞ୍ଚଳିକ ଦଳଗୁଡ଼ିକୁ ଲୋକେ କ୍ଷମତାଚ୍ୟୁତ କରିଥିଲେ, ଠିକ୍‍ ସେମିତି ବାଙ୍କିପୁରର ସହରୀ ମଧ୍ୟବିତ୍ତ ଭୋଟର ସେମାନଙ୍କ ପାଇଁ ଅଧିକ ଶିକ୍ଷିତ, ସଚେତନ ଏବଂ ତାଙ୍କ ହକ୍‍ ପାଇଁ ଲଢ଼ିବାର କ୍ଷମତା ରଖିଥିବା ପ୍ରଶାନ୍ତଙ୍କୁ ବାଛିଲେ ଆଉ ୩୦ ବର୍ଷର ରାଜନୀତିକ ଲିଗାସୀକୁ ଠୋକର ମାରିବାକୁ ବି ପଛାଇ ନଥିଲେ।

୩) ସରକାର ବିରୋଧୀ ଜନମତ

ଭାରତୀୟ ରାଜନୀତିରେ ସରକାର ବିରୋଧୀ ଜନମତ ଆଉ ପାରମ୍ପରିକ ହୋଇ ରହିନାହିଁ। ଏହା ବିଜେପି ବା କଂଗ୍ରେସର ଛାଇରେ ଲାଳନପାଳନ ହେବାକୁ ପସନ୍ଦ କରୁନାହିଁ। ବରଂ ଏହି ଜନମତ ସାରା ଦେଶରେ ଏକ ବିକଳ୍ପ ରାଜନୀତିକ ଦଳକୁ ଖୋଜୁଛି। ଯନ୍ତର ମନ୍ତର ଏକ ଉଦାହରଣ ହୋଇପାରେ କିନ୍ତୁ ପ୍ରତିଟି ରାଜ୍ୟରେ ଆଞ୍ଚଳିକ ଦଳଗୁଡ଼ିକୁ ଅତୀତରେ ଯେଉଁ ଶକ୍ତି ମିଳିଛି ତାହା ଏହାକୁ ସ୍ପଷ୍ଟ କରୁଛି। ଅର୍ଥାତ୍‍ ଏବେକାର ଯୁବପିଢ଼ି ଯାହାଙ୍କୁ ଜେନ୍‍ ଜି କହି ସୋଶାଲ୍‍ ମିଡିଆରେ ଟ୍ରୋଲ କରାଯାଉଛି, ସେମାନେ କେନ୍ଦ୍ର ଓ ରାଜ୍ୟରେ ଏକ ପ୍ରକାର ଦଳର ସରକାର ଚାହୁଁ ନାହାନ୍ତି। ରାଜ୍ୟ ସ୍ୱାର୍ଥ ପାଇଁ ଅଲଗା ସରକାରର ବିକଳ୍ପ ଖୋଜୁଛନ୍ତି। ସବୁ ସ୍ଥାନରେ ଉତ୍ତରଦାୟୀ ସରକାର ଖୋଜୁଛନ୍ତି ଯୁବପଢ଼ି।
ଏବେ ଆସନ୍ତୁ ନଜର ପକାଇବା ଏହାର ପ୍ରଭାବ କ’ଣ ହେବ? ଏହି ବିଜେପି ବରୋଧୀ ହାଓ୍ୱା କଂଗ୍ରେସକୁ ସହାୟକ ହୋଇପାରିବ କି? ଉତ୍ତର ଅତ୍ୟନ୍ତ ସ୍ପଷ୍ଟ। ବାଙ୍କିପୁର ଏହା ସ୍ପଷ୍ଟ କରୁଛି ଯେ, ବଂଶବାଦ, ପରିବାର ବାଦ ବା ଦଳୀୟ ଲିଗାସୀ, ଯୁବାବର୍ଗଙ୍କ ରାଜନୀତିକ ଭାବନାକୁ ଆଚ୍ଛାଦିତ କରୁନାହିଁ। ଏଠାରେ ବେରୋଜଗାର ଓ ବିକାଶ ପ୍ରମୁଖ ପ୍ରସଙ୍ଗ ପାଲଟିଛି। ୨୦୧୪ରେ ବିଜେପି ଏହି ପ୍ରସଙ୍ଗକୁ ଆହ୍ୱାନ ଭାବେ ଗ୍ରହଣ କରିଥିଲା। କିନ୍ତୁ ଏଥିରେ ଏକଚ୍ଛତ୍ରବାଦର କଳଙ୍କ ଲାଗୁଥିବା ଆଶଙ୍କା କରୁଛି ଯୁବାବର୍ଗ। କେବଳ ବାଙ୍କିପୁରରେ ନୁହେଁ, ମଧ୍ୟପ୍ରଦେଶର ଡାଟିଆର ସ୍ଥିତିକୁ ଦେଖିଲେ ଏହା ସ୍ପଷ୍ଟ ଯେ, ସରକାର ଥାଇ ମଧ୍ୟ ଦଳ ଏବଂ ସରକାରୀ କଳକୁ ଜନତା ନୀରବରେ ପରାସ୍ତ କରିପାରନ୍ତି। ଏଠାରେ ଇଭିଏମ୍‍ ଚୋରି ଆଉ ପ୍ରସଙ୍ଗ ହୋଇ ନପାରେ। ଭଲ ପ୍ରାର୍ଥୀ, ଭଲ ପ୍ରସଙ୍ଗ ହିଁ ଆଗକୁ ନିର୍ବାଚନ ରଣନୀତି ନିର୍ଦ୍ଧାରଣ କରିବ।
ଏଭଳି ପରିସ୍ଥିତିରେ ଓଡ଼ିଶାରେ ବିଜେପି ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି ହୋଇଛି। କାରଣ ଏଠାରେ ବିଜେପିର ଶକ୍ତିଶାଳୀ ନେତାମାନେ ଏବେ କୋଣଠେସା ହୋଇ ପଡ଼ିଛନ୍ତି। କେନ୍ଦ୍ରୀୟ ଚୟନରେ ଏକ ସରକାର ଏଠାରେ ଜନମତଠୁ ଉର୍ଦ୍ଧ୍ୱରେ ରହି ରାଜ ପରିଚାଳନା କରୁଛି, ଯାହାଦ୍ୱାରା ଲୋକେ ବିଜେଡିକୁ ବି ମନେ ପକାଉଛନ୍ତି। ଧର୍ମୀୟ ରାଜନୀତିରେ ବାଣ୍ଟି ହେଉ ନଥିବା ଓଡ଼ିଶାରେ ଏଥିପାଇଁ ସୃଷ୍ଟି ହେଉଥିବା ଉଦ୍ୟମ ବି କାଟ ଖାଉଛି। ଅର୍ଥାତ୍‍ ବାଙ୍କିପୁରକୁ ଏକ ରାଜନୀତିକ ପରୀକ୍ଷଣ ଭାବେ ଗ୍ରହଣ କରି ଓଡ଼ିଶାରେ ନେତାମାନେ ପ୍ରସ୍ତୁତ ହେବା ଆବଶ୍ୟକ। ଯଦି ବିଜେପି ଏହି ଆହ୍ୱାନକୁ ଗ୍ରହଣ କରି ରାଜ୍ୟରେ ବିଳିଷ୍ଠ ନେତୃତ୍ୱକୁ ସୁଯୋଗ ଦେବ ଏବଂ ଅଯଥା କେନ୍ଦ୍ରୀୟ ହସ୍ତକ୍ଷେପଠୁ ଦୂରେଇବ ତେବେ ହୁଏତ ଏହି ଯୁଦ୍ଧରେ ପୁଣିଥରେ ବିଜୟ ହେବ। ନହେଲେ ହୁଏତ ଏହା ବିଜେଡି ବା ବା କଂଗ୍ରେସ ସମର୍ଥିତ ଆଉ ଏକ ଆଞ୍ଚଳିକ ଦଳ ପାଇଁ ସୁଯୋଗ ସୃଷ୍ଟି କରି ୨୦୨୯କୁ ଅଧିକ ରୋଚକ କରିବ…।

LEAVE A REPLY

Please enter your comment!
Please enter your name here

Popular Articles