Wednesday, August 19, 2026
spot_imgspot_img

Top 5 This Week

spot_img

Related Posts

ଅଗଡ଼ମ ବଗଡ଼ମ: ଆନ୍ଦୋଳନରୁ ନେତା ବାହାରନ୍ତି, ଫଳ ନୁହେଁ

ଧନଞ୍ଜୟ ଦାସ

କକ୍ରୋଚ୍ କ୍ରାନ୍ତି ସରିଛି! କକ୍ରୋଚ୍ ମାନେ ଏବେ ଯନ୍ତରମନ୍ତରରୁ ବାହାରି ଯାଇଛନ୍ତି, ଏବଂ ଭାରତ ଆନ୍ନା ଆନ୍ଦୋଳନ ପରେ ଆଉ ଗୋଟିଏ ଆନ୍ଦୋଳନ ଦେଖିଛି। ଏମିତି ଗୋଟିଏ ଆନ୍ଦୋଳନ,ଯାହାର ପ୍ରଭାବରେ ବିଜେପିର ଜଣେ ମନ୍ତ୍ରୀ ୧୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ଇସ୍ତଫା ଦେଇଛନ୍ତି। କକ୍ରୋଚ୍ କ୍ରାନ୍ତିର ଏହା ଗୋଟିଏ ବଡ଼ ସଫଳତା ନିଶ୍ଚୟ। କାରଣ ମୋଦି ସରକାର କାହା ଚାପରେ କାମ କରେ ନାହିଁ ବୋଲି ଏକ ମିଥ୍ ଥିଲା, ଏହା ଦ୍ୱାରା ଭାଙ୍ଗିଯାଇଛି। କିନ୍ତୁ ମିଲିୟନ ଡଲାରର ପ୍ରଶ୍ନ ହେଉଛି, ଏହି ଆନ୍ଦୋଳନ ସତରେ ଗୋଟିଏ ବଡ଼ ଆନ୍ଦୋଳନ ଥିଲା ନା ଏହା ଦ୍ୱାରା ପ୍ରକୃତରେ କିଛି ପରିବର୍ତ୍ତନ ହେବ ନା ଏହା ଆନ୍ଦୋଳନ ଲମ୍ବା ତାଲିକାରେ ଆଉ ଗୋଟିଏ ଫୁଟ୍ ନୋଟ୍ ପାଲଟିବ?

ଆନ୍ଦୋଳନରୁ ନିମ୍ବୁଡ଼ା ବି ବାହାରେ ନାହିଁ:

ଯନ୍ତରମନ୍ତରରେ ଭୀଷଣ ଭିଡ଼ ଥିଲା। ଦେଶର ପ୍ରତ୍ୟକ ଭାଗରୁ କକ୍ରୋଚ୍ ସେଠାକୁ ଯାଇଥିଲେ। ସେହିଭଳି ଗୋଟିଏ କକ୍ରୋଚ୍ କପୁଲ ଏବେ ଇନଷ୍ଟାରେ ଭାଇରାଲ ହେଉଛନ୍ତି। ବିହାରରୁ ଯାଇଥିବା, ଜଣେ ଯୁବ କ୍ରକୋଚଙ୍କ ମୁଣ୍ଡ ପୋଲିସ ଲାଠି ମାଡ଼ରେ ଫାଟି ଯାଇଥିଲା। ତାଙ୍କ ସେବା କରିଥିଲେ ଜଣେ ମାଦା କକ୍ରୋଚ। ସେବାରୁ ପ୍ରେମ ହେଲା, ପ୍ରେମରୁ ବିବାହ। ତ ଇନଷ୍ଟାଗ୍ରାମ୍ ହିସାବରେ କକ୍ରୋଚ କ୍ରାନ୍ତିରୁ ଦୁଇ ଜଣ ଏକାଠି ହୋଇଛନ୍ତି। କକ୍ରୋଚ୍ କ୍ରାନ୍ତିର ତତ୍କାଳିକ ପ୍ରଭାବରେ ଯଦି ଧର୍ମେନ୍ଦ୍ର ବାବୁଙ୍କ ଇସ୍ତଫା ଆସିବ, ସେମିତି ଦୁଇ କକ୍ରୋଚଙ୍କ ଶୁଭ ବିବାହ ମଧ୍ୟ। କିନ୍ତୁ ପ୍ରଶ୍ନ ହେଉଛି,ଏହି କ୍ରାନ୍ତିସବୁରୁ କ’ଣ ବାହାରେ? ସେଇ ଲୋକଙ୍କୁ କ’ଣ ମିଳେ, ଯେଉଁମାନେ ପରିବର୍ତ୍ତନ ଆସିବ ବୋଲି ବେଜାଏ ସ୍ୱପ୍ନ ଦେଖିନିଅନ୍ତି। କିନ୍ତୁ ଶେଷରେ ତାହା ମୁଙ୍ଗେରିଲାଲଙ୍କ ହାସିନ ସପନେ ଭଳି ଭାଙ୍ଗିଯାଏ। ଆନ୍ନା ଆନ୍ଦୋଳନ କାଳରେ ବାପା ମା’ଙ୍କ କୋଳରେ ବସି ତ୍ରିରଙ୍ଗା ହଲାଉଥିବା ୫କିମ୍ବା ୬ବର୍ଷର ପିଲା ଏବେ ପ୍ରଥମଥରର ଭୋଟର ହୋଇ ସାରିବଣି। କିନ୍ତୁ ଦେଶରୁ ଦୁର୍ନିତୀ ହଟିଛି କି? ଉତ୍ତର ହେଉଛି ନିମ୍ବୁଡ଼ା..ନିମ୍ବୁଡ଼ା। କିଛି ହଟିନି। ଏବେ ଶହେ ଦୁଇଶହ କୋଟିର କଳାଧନ ଜବତ ହେଲେ ବି ଲୋକ ଆଶ୍ଚର୍ଯ୍ୟ ହେଉନାହାନ୍ତି। ବରଂ ଟଙ୍କା ନେଇ ଯଦି କିଏ କାମ କରିଦେଉଛି, ତେବେ ତାକୁ ସାଧୁ ବୋଲି ଗ୍ରହଣ କରାଯାଉଛି। କୁହାଯାଉଛି, ଟଙ୍କା ନେଉ ପଛେ କାମ ତ କରୁଛି! ତେବେ ଆନ୍ନା ଆନ୍ଦୋଳନରୁ କଣ ବାହାରିଥିଲା…? ସେଠାରୁ ବାହାରିଥିଲେ ଦଳେ ଆମ୍ ଆଦମୀ। ଯେଉଁମାନେ କିଛି ଦିନ ପରେ ଖାସ୍ ହୋଇଗଲେ। ନେତା ପାଲଟିଗଲେ। ମୁଖ୍ୟମନ୍ତ୍ରୀ ହେଲେ। ଆମ୍ ଆଦମୀଙ୍କ କଥା କହୁ କହୁ ନିଜ ପାଇଁ ଶୀସ ମହଲ ବନାଇଲେ।

ଲେମ୍ବୁ ମିଳେନି କିନ୍ତୁ ନେତା ମିଳନ୍ତି:

ଫରାସୀ ବିପ୍ଲବ ପରେ ଜଣେ କେହି କହିଥିଲେ, ’ବିପ୍ଲବ ତାହାର ସନ୍ତାନସନ୍ତତିଙ୍କୁ ଖାଇଯାଏ’। ଏହା ସତ କିନ୍ତୁ ପୁରା ସତ ନୁହେଁ। କାରଣ ବିପ୍ଲବ ବା ଆନ୍ଦୋଳନରୁ କୌଣସି ଫଳ ମିଳୁ ନ ମିଳୁ, ସାଧାରଣ ଲୋକଙ୍କୁ ନିମ୍ବୁଡ଼ା ବା ଲେମ୍ବୁ ନ ମିଳୁ ପଛେ କିନ୍ତୁ ସେମାନଙ୍କୁ ମହାନ କ୍ରାନ୍ତିକାରୀ ନେତା ମିଳନ୍ତି। ଯେମିତି ଋଷରେ ହୋଇଥିଲା। ଋଷର ଲାଲ୍ ବିପ୍ଲବ ପରେ ଋଷରୁ ଦୁର୍ନିତୀ, ଶୋଷଣ ହଟିନଥିଲା। କେବଳ ଚେହେରା ବଦଳି ଥିଲେ। ଜାର୍ ଓ ତାଙ୍କ ଚେଲା ଚାମୁଣ୍ଡାଙ୍କ ପରେ ଆଉ ଦଳେ ଆସିଥିଲେ, ଯେଉଁମାନେ ଜାର ଶାସନଠାରୁ ଅଧିକ ଦମନଲୀଳାରେ ବିଶ୍ୱାସ କରୁଥିଲେ। ଫରକ କେବଳ ଏତିକି ଥିଲା ପଛରେ ଯେଉଁମାନେ ଆସିଲେ, ସେମାନେ ଗୋଟିଏ ଆଦର୍ଶବାଦର ଚାଦର ଘୋଡ଼େଇ ହୋଇଥିଲେ ଓ ମତବାଦର ଅଫିମ ବାଣ୍ଟୁଥିଲେ। ଜାରଙ୍କ ବଦଳରେ ଆସିଲେ ଲେନିନ୍, ଷ୍ଟାଲିନ। ଚୀନରେ ରାଜାଙ୍କ ବଦଳରେ ଆସିଲେ ମାଓ। ଭାରତରେ ଜୟପ୍ରକାଶ ନାରାୟଣଙ୍କ ସଂପୂର୍ଣ୍ଣ କ୍ରାନ୍ତିର ଫଳାଫଳ କ’ଣ ଥିଲା ? ସଂପୂର୍ଣ୍ଣ କ୍ରାନ୍ତିରୁ ଜନ୍ମ ନେଇଥିଲା ଗୋଟିଏ ଅସଂପୂର୍ଣ୍ଣ ରାଜନୈତିକ ମେଣ୍ଟ, ଯାହା ମାତ୍ର ବର୍ଷ କେଇଟାରେ ଭାଙ୍ଗି ଯାଇଥିଲା। ଆଉ ଏହା ସହିତ ଭାଙ୍ଗି ଯାଇଥିଲା ‘ମୁଙ୍ଗେରିଲାଲାର ହସିନ୍ ସପନେ’।
କିନ୍ତୁ ଏହି ଆନ୍ଦୋଳନରୁ କିଛି ବାହାରି ନଥିଲା ବୋଲି କହିବା ବି ପୁରାପୁରି ଠିକ୍ ନୁହେଁ। କାରଣ ଏଥିରୁ ବାହାରିଥିଲେ ଲାଲୁ ଯାଦବଙ୍କ ଭଳି ଦଳିତ ନେତା। ଯିଏ ଆଗକୁ ଯାଇ ଶାହାବୁଦ୍ଦିନଙ୍କ ଭଳି ଦଳିତ, ନିଷ୍ପେସିତ ମୁସଲମାନ ମାଫିଆକୁ ରାଜନୀତିର ଆଗ ଧାଡ଼ିକୁ ଆଣି ସାମାଜିକ କ୍ରାନ୍ତି ଆଣିଥିଲେ।

କେବଳ ଏଲିଟ୍ ବଦଳନ୍ତି

ସଂପୂର୍ଣ୍ଣ କ୍ରାନ୍ତି ହେଉ କି ଆନ୍ନା ଆନ୍ଦୋଲନ କିମ୍ବା କକ୍ରୋଚ୍ କ୍ରାନ୍ତି । ସବୁ କ୍ରାନ୍ତିର ଲକ୍ଷ୍ୟ ହୋଇଥାଏ କ୍ଷମତା ଦଖଲ। ଆଉ ସବୁ କ୍ରାନ୍ତିର ଶେଷରେ କ୍ଷମତା ଗୋଟିଏ ଏଲିଟ୍ ବର୍ଗ ବା ସମ୍ଭ୍ରାନ୍ତ ବର୍ଗ ହାତରୁ ଆଉ ଗୋଟିଏ ବର୍ଗ ହାତକୁ ଯାଇଥାଏ। ଯେଉଁମାନେ ନୂଆ ଏଲିଟ୍ ହୁଅନ୍ତି। କିମ୍ବା ଏମିତି ହୋଇପାରେ,ରାଜନୀତିର ଅର୍ଗଳିରେ ଅପ୍ରାସଙ୍ଗିକ ହୋଇ ପଡ଼ିଥିବା ଏଲିଟ୍,ଆନ୍ଦୋଳନକୁ ଅସ୍ତ୍ର କରି ପୁଣି କ୍ଷମତାକୁ ଫେରନ୍ତି। ମୁଳ କଥା ହେଉଛି, ଏଭଳି ଆନ୍ଦୋଳନରୁ ଏଲିଟ୍ ହିଁ ଜନ୍ମ ହୁଅନ୍ତି। ଆଉ ସାଧାରଣ ଲୋକଙ୍କୁ ଲେମ୍ବୁ ମିଳେ କିମ୍ବା ମିଳେ ନାହିଁ। ନଗଦ ଉଦାହରଣ ହେଉଛନ୍ତି ଆରବର ଦେଶ ସମୁହ। ବସନ୍ତ ବିପ୍ଲବ ଭଳି ରୋମାଣ୍ଟିକ ଶବ୍ଦର ଆଡମ୍ବର ଭିତରେ ସତ ହେଉଛି ଇରାକ ହେଉ କି ସିରିଆ,କ୍ଷମତା ଜଣେ ଏଲିଟ୍ ହାତରୁ ଯାଇ ଆଉ ଜଣଙ୍କ ହାତରେ ପଡ଼ିଛି। ଏଠି କେଉଁ ଏଲିଟ୍‍ ସୃଷ୍ଟି ହେବେ ..?

LEAVE A REPLY

Please enter your comment!
Please enter your name here

Popular Articles