Thursday, August 20, 2026
spot_imgspot_img

Top 5 This Week

spot_img

Related Posts

ଭାରତର ରାଜନୀତିରେ ଛାତ୍ର ଆନ୍ଦୋଳନ: କେମିତି ବଦଳିଛି ରାଜ୍ୟ, ଦେଶ ଓ ସରକାର

ଅନେକ ସମୟରେ ସୁପ୍ରିମକୋର୍ଟଙ୍କ ଅନୁଧ୍ୟାନ ତଥା ଟିପ୍ପଣୀ ଭାରତୀୟ ରାଜନୀତିକୁ ପ୍ରଭାବିତ କରି ଆସିଛି। ପ୍ରଶାସନରେ ସଂସ୍କାର ଆଣିବା ଏବଂ ଦେଶର ନାଗରିକଙ୍କ ହିତରେ ସରକାରଙ୍କୁ ପ୍ରେରିତ କରିବା ଦିଗରେ ଏହା ଆଦେଶ ଭଳି କାର୍ଯ୍ୟ କରିଛି। କିନ୍ତୁ ମେ ୧୫, ୨୦୨୬ ଦିନ କୋର୍ଟରୁମ୍‍ ଭିତରେ ସୁପ୍ରିମକୋର୍ଟଙ୍କ ପ୍ରଧାନ ବିଚାରପତି ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତଙ୍କ ଏକ ହାଲୁକା ‘ଅସରପା’ ଟିପ୍ପଣୀ ସାରା ଦେଶରେ ଏକ ନୂଆ ଆନ୍ଦୋଳନକୁ ଜନ୍ମ ଦେଇଥିଲା। ପରବର୍ତ୍ତୀ ସମୟରେ ଏହା ଏତେ ଉଗ୍ର ହୋଇଥିଲା ଯେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରିଥିଲା। ଅବଶ୍ୟ ଏମିତି ଛାତ୍ର-ଯୁବ ଆନ୍ଦୋଳନ କିଛି ନୂଆକଥା ନୁହେଁ, କି ମନ୍ତ୍ରୀଙ୍କ ଇସ୍ତଫା…। ଭାରତର ରାଜନୀତିକ ଇତିହାସରେ କେମିତି ଛାତ୍ର ରାଜନୀତି ସରକାର, ଦେଶ ଓ ରାଜ୍ୟରେ ପରିବର୍ତ୍ତନର ବାହକ ହୋଇଥିଲା …

ମେ‘ ୧୫, ୨୦୨୬- ଭାରତର ପ୍ରଧାନ ବିଚାରପତିଙ୍କ କୋର୍ଟରେ ଏକ ମାମଲା ବିଚାରକୁ ଆସିଥାଏ। ମାମଲାଟି ଥିଲା- ସଞ୍ଜୟ ଦୁବେ ବନାମ ଦିଲ୍ଲୀ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲ। ବିଭିନ୍ନ ହାଇକୋର୍ଟଙ୍କ ଦ୍ୱାରା କୌଣସି ଓକିଲଙ୍କୁ ବରିଷ୍ଠ ଓକିଲ ଭାବେ ନାମିତ କରିବା ସନ୍ଦର୍ଭରେ ପ୍ରଚଳିତ ନିୟମ ବାବଦରେ ଆବେଦନକାରୀ ଏକ ଅଦାଲତ ଅବମାନନା ନୋଟିସ କରିଥିଲେ। ଏଣୁ ଏହା କୌଣସି ଭାବେ ସାଧାରଣ ଜନତାଙ୍କ ପ୍ରସଙ୍ଗ ନଥିଲା। ଏହାର ବିଚାର ସେହିଦିନ ପ୍ରଧାନ ବିଚାରପତି ଶୁଣାଇ ଦେଇଥିଲେ। କିନ୍ତୁ ଏହି ଶୁଣାଣି ସମୟରେ ବିଭିନ୍ନ ପେସାରେ ପ୍ରବେଶ କରୁଥିବା ଜାଲି ଡିଗ୍ରିଧାରୀ ଯୁବକଙ୍କ ଉଦ୍ଦେଶ୍ୟରେ ପ୍ରଧାନ ବିଚାରପତି ଏକ ଶବ୍ଦ ବ୍ୟବହାର କରିଥିଲେ, ଯାହା ଆଜି ଭାରତୀୟ ରାଜନୀତିରେ ହଡ଼କମ୍ପ ସୃଷ୍ଟି କରିଛି। ସଂସଦର ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହକୁ ଅଚଳ କରି ଦେଇଛି; ପ୍ରଧାନମନ୍ତ୍ରୀଙ୍କୁ ବାଧ୍ୟ ହୋଇ ସାମ୍ନାକୁ ଆସିବାକୁ ପଡ଼ିଛି, ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବାକୁ ବେଧ୍ୟ ହୋଇଛନ୍ତି। ଖାଲି ସେତିକି ନୁହେଁ, ବିରୋଧୀ ଦଳ ମଧ୍ୟ ନିଜର ସତ୍ତା ହରାଇବାର ଆଉ ଏକ ନମୁନା ସାମ୍ନାକୁ ଆଣିଛି।
ସେ ଶବ୍ଦଟି କ’ଣ ଥିଲା ଜାଣନ୍ତି? ତାହା ହେଲା ‘ଅସରପା’। ଓକିଲାତି ହେଉ ବା ସାମ୍ବାଦିକତା ଭଳି ମର୍ଯ୍ୟାଦାଜନକ ପେସାରେ ପ୍ରବେଶ କରୁଥିବା ନ୍ୟସ୍ତସ୍ୱାର୍ଥଧାରୀ ସ୍ୱଳ୍ପ ଶିକ୍ଷିତ ଯୁବାବର୍ଗଙ୍କ ପ୍ରବେଶ ଏବଂ ସୋଶାଲ୍‍ ମିଡିଆରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନକୁ ଲକ୍ଷ୍ୟକରି ସେମାନଙ୍କ ଅଯଥା ଯୁକ୍ତି ଓ ଟିପ୍ପଣୀକୁ ସମାଲୋଚନା କରିବା ଏହି ‘ଅସରପା’ ମନ୍ତବ୍ୟର ଉଦ୍ଦେଶ୍ୟ ଥିଲା।
କିନ୍ତୁ ଏହି ଗଠନମୂଳକ ସମାଲୋଚନାଟି ଏକ ବ୍ୟଙ୍ଗ ଆକାରରେ ବିଜୁଳି ବେଗରେ ସୋଶାଲ୍‍ ମିଡିଆରେ ପ୍ରସାରିତ ହେଲା, ଦେଶର ଯୁବକଙ୍କୁ ଆନ୍ଦୋଳିତ କରିଥିଲା। ଏହି ଶବ୍ଦକୁ ନେଇ ଜଣେ ଡିଜିଟାଲ୍‍ କ୍ରିଏଟର ଅଭିଜିତ ଡିପକେ ମେ’ ୧୭ ତାରିଖରେ ଏକ ପାର୍ଟି ଘୋଷଣା କରିଲେ, ଏହାର ନାଁ ରହିଲା ‘କକ୍ରୋଚ ଜନତା ପାର୍ଟି’ ବା ସିଜେପିର କୌଣସି ପଞ୍ଜିକରଣ କରାଯାଇ ନଥିଲା କି ଏଯାଏ ହୋଇ ନାହିଁ। ଏହା ଏକ ସୋଶାଲ୍‍ ମିଡିଆ ପାର୍ଟି। ଏହି ପାର୍ଟି ଗଠନର ଉଦ୍ଦେଶ୍ୟରେ ଯାହା ସୋଶାଲ୍‍ ମିଡିଆ ଆକାଉଣ୍ଟରେ ଲେଖା ଯାଇଛି ତାହା ହେଲା: ଏହା ଏକ ଯୁବକଙ୍କ ରାଜନୀତିକ ସାମ୍ମୁଖ୍ୟ- ଯୁବକଙ୍କ ଦ୍ୱାରା ଏବଂ ଯୁବକମାନଙ୍କ ପାଇଁ…। ବେକାର ଯୁବକ ଯୁବତୀ ଓ ଜେନ୍‍-ଜି ବର୍ଗଙ୍କ ପାଇଁ ଏହା ଏକ ପ୍ଲାଟଫର୍ମ ହେଲା। ଏହାପରେ ସୋଶାଲ୍‍ ମିଡିଆଠୁ ଆରମ୍ଭ କରି ମେନଷ୍ଟ୍ରୀମରେ ଏହି ପ୍ଲାଟଫର୍ମଦ୍ୱାରା ଦିଆଯାଇଥିବା ଟିପ୍ପଣୀ ସ୍ଫୁଲିଙ୍ଗ ଭଳି ବ୍ୟାପିବାକୁ ଲାଗିଲା। ଜଣେ ଓକିଲ ପୁଣିଥରେ ସୁପ୍ରିମକୋର୍ଟରେ ଏ ବିଷୟକୁ ନେଇ ପ୍ରଧାନ ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କରିଲେ। ଯେଉଁଭଳି ଭାବେ ଭାଇରାଲ୍‍ ମିମ୍‍ କଲ୍ଚର ବ୍ୟାପୁଛି ତାହାକୁ ନେଇ ଟିପ୍ପଣୀ ଦେବାକୁ ଅନୁରୋଧ କରିଲେ। କିନ୍ତୁ ଏହାକୁ ଏତେ ଗମ୍ଭୀରତାର ସହ ନ ନେବାକୁ କହିଥିଲେ ସିଜେଆଇ..। ଆଉ ତା’ ପରେ ଯାହା ହେଲା ତାହା ଭାରତର ରାଜନୀତିକ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଲା।
ଜୁନ୍‍ ୨୦ରେ ଏହି ପାର୍ଟିର ‘ସଂସଦ ଘେରାଉ’ ରାଜଧାନୀ ଦିଲ୍ଲୀକୁ ପୂରା ଅଚଳ କରିଦେଲା। ଦେଶର ବିଭିନ୍ନ କୋଣରୁ ଯୁବକ ଓ ଛାତ୍ର ଏକାଠି ହେଲେ। ପୁଲିସ ଲାଠି ଚାର୍ଜ କଲା। ଓ୍ୱାଟର କ୍ୟାନନ, ଲୁହବୁହା ଗ୍ୟାସ ମାଡ଼ କରାଗଲା। କେଉଁଠି କେଉଁଠି ମେଟାଲ ପେଲେଟ୍‍ ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି।

ହେଲେ ଛାତ୍ର ଆନ୍ଦୋଳନ ଥମିବା ବଦଳରେ ବ୍ୟାପିଲା। ଦିଲ୍ଲୀର ଯାତାୟାତ ପ୍ରଭାବିତ ହେଲା, ଇଣ୍ଟରନେଟ କଟାଗଲା…। ସରକାର ଏହି ଆନ୍ଦୋଳନକୁ ପ୍ରଶମିତ କରିବାକୁ ଚାହିଁଲେ। ଆଉ ଶେଷରେ ଜୁଲାଇ ୨୫ ତାରିଖ ଦିନ ଛାତ୍ରଙ୍କ ସମସ୍ତ ଦାବି ମାନିନେଲେ ସରକାର। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଇସ୍ତଫା ଦେଲେ… ଯନ୍ତରମନ୍ତର ଆନ୍ଦୋଳନ ପ୍ରତ୍ୟାହୃତ ହେଲା…। ଖାଲି ସେତିକି ନୁହେଁ ଶିକ୍ଷା ବିଭାଗର ସଚିବ ବି ବଦଳିଲେ। ସରକାର ସଂସ୍କାର ପାଇଁ ନୂଆ କଠୋର ଆଇନ ଆଣିବା ସହ ପ୍ରଶ୍ନପତ୍ର ଲିକ୍କୁ ରୋକିବା ଏବଂ ପରୀକ୍ଷା ବ୍ୟବସ୍ଥାକୁ ଅଧିକ କଠୋର କରିବା ଲାଗି ଏକ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛନ୍ତି। ବିଶିଷ୍ଟ ଟେକ୍ନୋଲୋଜିଷ୍ଟ ନନ୍ଦନ ନିଲେକର୍ଣ୍ଣି ଏହାର ନେତୃତ୍ୱ ନେବେ ବୋଲି ଘୋଷଣା କରାଯାଇଛି। ଖୋଦ ପ୍ରଧାନମନ୍ତ୍ରୀ ସୋଶାଲ୍‍ ମିଡିଆରେ ତିନିଥର ଆସି ଏହି ମାମଲାକୁ ସରକାର ଅତ୍ୟନ୍ତ ପ୍ରାଧାନ୍ୟ ଦେଇଥିବା ପ୍ରକାଶ କରିଛନ୍ତି, ଯାହା ଶିକ୍ଷା ବ୍ୟବସ୍ଥାରେ ଆଉ ଏକ ନୂଆ କ୍ରାନ୍ତି ଆଣିବ ବୋଲି ଆଶା କରାଯାଇପାରେ।

ଏଥିନେଇ ସଂସଦରେ ନୂଆ ଆଇନ ବୁଧବାର ଦିନ ପାରିତ ହୋଇଛି। ୨୦୦୪ ମସିହାର ଆଇନକୁ ଅଧିକ ଶକ୍ତ କରିବା ପାଇଁ ସଂଶୋଧନ କରାଯାଇଛି। ବିରୋଧୀ ଦଳ ଯଦିଓ ଏ ବିଷୟରେ ପ୍ରଶ୍ନ ଉଠାଇଛି କିନ୍ତୁ ଏହି ଶକ୍ତିଶାଳୀ ଆଇନ ଜେନ ଜିଙ୍କ ଆଶା ଓ ଆସ୍ଥାକୁ ଜିତିପାରିବ ବୋଲି ଆଶା କରିଛି। ଏହାଦ୍ୱାରା ଅସାଧୁ ଉପାୟ ଅବଲମ୍ବନକୁ ଏକ ଗମ୍ଭୀର ଅପରାଧ ଭାବେ ଗ୍ରହଣ କରାଯାଇଛି। କଠୋର ଦଣ୍ଡ ବ୍ୟବସ୍ଥା, ଶୀଘ୍ର ବିଚାର କାର୍ଯ୍ୟ ପାଇଁ ସରକାର ନୀତିଗତ ନିଷ୍ପତ୍ତି ନେଇଛନ୍ତି।
ଆନ୍ଦୋଳନକାରୀ ଯେତେବଳେ ସରକାରଙ୍କ ପ୍ରତିନିଧିଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ ସେତେବେଳେ ଏହି ଆନ୍ଦୋଳନ ସଫଳ ହେଲା ବୋଲି କହିଥିଲେ। କାରଣ ମନ୍ତ୍ରୀଙ୍କ ଇସ୍ତଫାଠାରୁ ଆରମ୍ଭ କରି ଛାତ୍ରଙ୍କ ଉପରୁ ସମସ୍ତ ମାମଲା ପ୍ରତ୍ୟାହାର କରିବା ଏବଂ ଆଇନ ଅନୁସାରେ କ୍ଷତିଗ୍ରସ୍ତ ଛାତ୍ରଙ୍କ ପରିବାରକୁ ସହାୟତା ଦେବା ଲାଗି ସରକାର ସହମତି ହେବା ୩୭ ଦିନ ଆନ୍ଦୋଳନର ସୁଫଳ ବୋଲି ସେମାନେ କହିଛନ୍ତି।

କିନ୍ତୁ, ଏହା କ’ଣ ଭାରତ ବର୍ଷର ପ୍ରଥମ ପ୍ରଭାବଶାଳୀ ଛାତ୍ର ଆନ୍ଦୋଳନ? ଉତ୍ତରରେ ଅନେକ ଗୁରୁତ୍ୱପୂର୍ଣ୍ଣ ଛାତ୍ର ଆନ୍ଦୋଳନ ସାମ୍ନାକୁ ଆସେ। ଯେଉଁ ମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି ସେ ମନ୍ତ୍ରୀ ବି ଛାତ୍ର ଆନ୍ଦୋଳନ କରି ଏକଦା ଓଡ଼ିଶା ସରକାରଙ୍କୁ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରିଥିବା ନଜୀର ରହିଛି। ଆସନ୍ତୁ ନଜର ପକାଇବା ଏମିତି କିଛି ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ବାବଦରେ।

ଇସ୍ତଫା ଦେଇଥିଲେ ଓଡ଼ିଶାର ପ୍ରଥମ ମୁଖ୍ୟମନ୍ତ୍ରୀ

ସ୍ୱାଧୀନତା ପରବର୍ତ୍ତୀ ସମୟ କଥା। ବିଭିନ୍ନ ରାଜ୍ୟରେ କଂଗ୍ରେସଦଳ ଅପ୍ରତିଦ୍ୱନ୍ଦ୍ୱୀ ସରକାର ଗଢ଼ିଥାଏ। ଓଡ଼ିଶାରେ ବି ନବକୃଷ୍ଣ ଚୌଧୁରୀଙ୍କ ମୁଖ୍ୟମନ୍ତ୍ରୀତ୍ୱରେ ସରକାର ଗଢ଼ା ହୋଇଥିଲା। ଗାନ୍ଧୀବାଦୀ, ସରଳ ଏବଂ ନିଷ୍ଠାପର ନେତା ଭାବେ ନବକୃଷ୍ଣ ଚୌଧୁରୀ ଓଡ଼ିଶା କଂଗ୍ରେସରେ ଅଦ୍ୱିତୀୟ ଥିଲେ। ଏହି ସମୟରେ ରାଜ୍ୟ ପୁନର୍ଗଠନ କମିଶନ ଓଡ଼ିଆ ଭାଷା କହୁଥିବା ଷଢ଼େଇକଳା ଓ ଖରସୁଆଁ ଅଞ୍ଚଳକୁ ବିହାର ରାଜ୍ୟରେ ଅନ୍ତର୍ଭୁକ୍ତ କରିଦେଇ ବିଜ୍ଞପ୍ତି ପ୍ରକାଶ କରିଲେ।
ଓଡ଼ିଶାର ଛାତ୍ରମାନେ ଏହାକୁ ସହଜରେ ଗ୍ରହଣ କରିଲେ ନାହିଁ। ଆରମ୍ଭ ହେଲା ଛାତ୍ର ଆନ୍ଦୋଳନ। ଜାନୁୟାରୀ ମାସରେ ସାରା ରାଜ୍ୟର କଲେଜ ଓ ୟୁନିଭର୍ସିଟି ଛାତ୍ର ଯୋଗ ଦେଲେ। ଚାହୁଁଚାହୁ ଏହା ଗଣଆନ୍ଦୋଳନରେ ପରିଣତ ହେଲା। କଟକ, ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ବଲପୁର ପ୍ରତିଟି ଅଞ୍ଚଳରେ ଛାତ୍ର ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ବଳ ଉପଯୋଗ କଲେ ସରକାର। ପୁରୀରେ ପୁଲିସ ଗୁଳିରେ ବେଙ୍ଗପାଣିଆ ଓ ଲକ୍ଷ୍ମଣ ବରାଳଙ୍କ ପ୍ରାଣହାନୀ ହେଲା। ସରକାରଙ୍କ ଆଗରେ ଏହା ଏକ ବଡ଼ ବିଫଳତା ହେଲା। ଶେଷରେ ନୈତିକତା ପୃଷ୍ଠଭୂମିରେ ନବକୃଷ୍ଣ ଅକ୍ଟୋବର ମାସରେ ଇସ୍ତଫା ଦେଲେ। ଏକ ସରକାର ବଦଳିଗଲା।

ଜନ୍ମନେଲା ଜନ କଂଗ୍ରେସ

ଓଡ଼ିଶାରେ ଆଉ ଏକ ପ୍ରମୁଖ ଛାତ୍ର ଆନ୍ଦୋଳନ ହୋଇଥିଲା, ୧୯୬୪ ମସିହାରେ। ଏହି ସମୟରେ ଏକ ରେଡିଓ ମରାମତିକୁ କେନ୍ଦ୍ର କରି ଜଣେ ଇଞ୍ଜିନିୟରିଂ ଛାତ୍ର ଓ ଏକ ରେଡିଓ ମରାମତି ଦୋକାନ ମଧ୍ୟରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳ ଉଗ୍ରରୂପ ଧାରଣ କଲେ। ପୁଲିସ କଲେଜ କ୍ୟାମ୍ପସରେ ପ୍ରବେଶ କଲା। ଆଉ ସାରା ରାଜ୍ୟକୁ ବ୍ୟାପିଲା ଆନ୍ଦୋଳନ। ୫୩ ଦିନ ଧରି କଟକ, ଭୁବନେଶ୍ୱର, ସମ୍ବଲପୁରରେ ବ୍ୟାପକ ଛାତ୍ର ଆନ୍ଦୋଳନ ଚର୍ଚ୍ଚା ହେଲା।ଛାତ୍ରମାନେ ବିଧାନସଭା ଭିତରେ ପ୍ରବେଶ କରିଲେ। କଳା ପତକା ଲଗାଇଲେ। ବଦଳରେ ଆନ୍ଦୋଳନକୁ ପ୍ରତିହତ କରିବା ପାଇଁ ପୁଲିସ ଗୁଳି ଚଳାଇବାରୁ ଅନେକଙ୍କ ମୃତ୍ୟୁ ହେଲା। ବିଜୁ ବାବୁଙ୍କ ଗୁରୁତ୍ୱ ମାଟିରେ ମିଶିଗଲା। ବିରେନମିତ୍ରଙ୍କ ସରକାରକୁ ଲୋକେ ଖାତିର କଲେ ନାହିଁ। ଫଳରେ ଗଢ଼ା ହେଲା ଜନ କଂଗ୍ରେସ। ପରବର୍ତ୍ତୀ ସମୟରେ ସରକାର ବଦଳି ମେଣ୍ଟ ସରକାରର ଯୁଗ ଆରମ୍ଭ ହେଲା।

ଓଡ଼ିଶାରେ ଏମିତି ୧୯୮୦ ମସିହା ବନ୍ୟା ସମୟରେ ରିଲିଫ ବଣ୍ଟନକୁ ନେଇ ଛାତ୍ର ଆନ୍ଦୋଳନ ହୋଇଥିଲା। ୧୯୯୦ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରାଗିଂକୁ କେନ୍ଦ୍ରକରି ହୋଇଥିବା ଆନ୍ଦୋଳନ ସରକାରଙ୍କୁ ନୂତନ ରାଗିଂ ନିଷିଦ୍ଧ ଆଇନ ଆଣିବାକୁ ବାଧ୍ୟ କରିଥିଲା। ଖାଲି ଓଡ଼ିଶାରେ ଏପରି ଆନ୍ଦୋଳନ ହୋଇଥିଲା ତାହା ନୁହେଁ, ସାରା ଭାରତବର୍ଷରେ ମଧ୍ୟ ଛାତ୍ର ଆନ୍ଦୋଳନର ପ୍ରଭାବ ସବୁ ରାଜନୀତକି ଦଳ ଅନୁଭବ କରିଛନ୍ତି। ଆଉ ଛାତ୍ର ଆନ୍ଦୋଳନରୁ ଅନେକ ନେତାଙ୍କ ସୃଷ୍ଟି ହୋଇଛି।

ତାମିଲନାଡ଼ୁରେ ଡିଏମକେ

ଆଜି ଦକ୍ଷିଣ ଭାରତୀୟ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୀତିକ ଦଳ ହେଉଛି ଦ୍ରାବିଡ଼ ମୁନ୍ନେତ୍ର କାଜାଗମ୍‍ ବା ଡିଏମକେ। ଏହାର ଜନ୍ମ ମଧ୍ୟ ଛାତ୍ର ଆନ୍ଦୋଳନରୁ ହୋଇଛି। ୧୯୬୩ ମସିହାରେ କେନ୍ଦ୍ର ସରକାର ଆଣିଥିବା ସରକାରୀ ଭାଷା ଆଇନ ୧୯୬୩କୁ ବିରୋଧ କରି ତତ୍କାଳୀନ ତାମିଲନାଡ଼ୁରେ ଆରମ୍ଭ ହୋଇଥିବା ଛାତ୍ର ଆନ୍ଦୋଳନ ଏତେ ପ୍ରଭାବଶାଳୀ ହୋଇଥିଲା ଯେ, କେନ୍ଦ୍ର ସରକାରଙ୍କୁ ଛାତ୍ରଙ୍କ କଥା ମାନିବାକୁ ବାଧ୍ୟ କରିଥିଲା। ଇଂରାଜୀ ଭାଷାର ବ୍ୟବହାରକୁ ଏହା ନିରନ୍ତର ଭାବେ ଆଗକୁ ବଢ଼ାଇଥିଲା।

ଗୁଜରାଟରେ ସରକାର ଭଙ୍ଗ

ଛାତ୍ର ଆନ୍ଦୋଳନ ଏପରି ଉତ୍କଟ ପରିସ୍ଥିତି ସୃଷ୍ଟି କରିଥିଲା ଯେ, ୧୯୭୪ ମସିହାରେ ଗୁଜରାଟରେ ଚିମାଭାଇ ପଟେଲଙ୍କ ସରକାର ଭାଙ୍ଗିଯାଇଥିଲା। ଖାଲି ସେତିକି ନୁହେଁ, ଚିମାଭାଇଙ୍କ ପରେ ଅଧାରୁ ସରକାର ସମ୍ଭାଳିବାକୁ କେହି ନେତା ଆଗଭର ହେଲେ ନାହିଁ, ଆଉ ରାଜ୍ୟରେ ପୁନଃ ନିର୍ବାଚନ ହୋଇଥିଲା। ଏହି ଆନ୍ଦୋଳନ ତେଜିଥିଲା, ଏଲ ଡି ଇଞ୍ଜିନିୟରିଂ କଲେଜ ହଷ୍ଟେଲରେ ଖାଦ୍ୟ ଫି’ ବୃଦ୍ଧିକୁ କେନ୍ଦ୍ରକରି। ଛାତ୍ରମାନେ ଏ ନେଇ ଆନ୍ଦୋଳନ କଲେ ଆଉ ସାଧାରଣ ଲୋକ ଛାତ୍ରଙ୍କୁ ସମର୍ଥନ କଲେ। ଫଳରେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଲେ।

ବିହାରରେରେ ଜେପି

ଗୁଜରାଟ ପ୍ରଭାବ ଭାରତର ଅନ୍ୟ କୋଣରେ ମଧ୍ୟ ପଡ଼ିଲା। ସବୁଠି ସରକାର ସଚେତନ ହେଲେ। କିନ୍ତୁ ବିହାରର ପରିସ୍ଥିତି ଭିନ୍ନ ଥିଲା। ମହାନ କ୍ରାନ୍ତିକାରୀ ନେତା ଜୟପ୍ରକାଶଙ୍କୁ ଏହି ଆନ୍ଦୋଳନ ବେଶ ପରିଚିତ କଲା। ସେ ବିହାରରୁ ଆରମ୍ଭ କଲେ ଶିକ୍ଷା ସଂସ୍କାର ଆନ୍ଦୋଳନ। ଆଉ ତାହା ଦେଶରେ ଏମିତି ବ୍ୟାପିଲେ ଯେ ପରବର୍ତ୍ତୀ ସମୟରେ କଂଗ୍ରେସ ସରକାରଙ୍କୁ ଦେଶରୁ ହଟାଇ ଅଣ କଂଗ୍ରେସ ସରକାର ଆରମ୍ଭର ମୂଳଦୁଆ ପକାଇଥିଲା।

ଆସାମ ଆନ୍ଦୋଳନ

୧୯୭୯ରୁ ୧୯୮୫ ମଧ୍ୟରେ ଛାତ୍ର ଆନ୍ଦୋଳନରୁ ସୃଷ୍ଟି ହୋଇଥିବା ଦଳ ଆସାମରେ ସରକାର ଗଠନ କରିଥିଲା। ଏହା ହେଉଛି ଆସାମ ଗଣପରିଷଦର କାହାଣୀ। ରାଜ୍ୟକୁ ପ୍ରବେଶ କରୁଥିବା ବେଆଇନ ବଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ହିହ୍ନଟ ଏବଂ ବିତାଡ଼ିତ କରିବା ପାଇଁ ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା। ଶେଷରେ କେନ୍ଦ୍ର ସରକାର ଐତିହାସିକ ଆସାମ ଚୁକ୍ତି ୧୯୮୫ ମସିହାରେ ସ୍ୱାକ୍ଷର କରିଥିଲା। ଆସାମ ଗଣପରିଷଦ ପରବର୍ତ୍ତୀ ସମୟରେ ରାଜ୍ୟରେ ସରକାର ଗଢ଼ିଲେ। ଏବେ ବିଜେପି ସରକାରର ଏକ ପ୍ରମୁଖ ଅଂଶୀଦାର ରହିଛି ଏହି ଦଳ।

ମଣ୍ଡଳ କମିଶନ

ଆଜି ଜେନ୍‍-ଜି ଆନ୍ଦୋଳନ କଥା ଆଲୋଚନା ହେଉଛି। କିନ୍ତୁ ୯୦ ଦଶକରେ ସାରା ଦେଶରେ ଯେଉଁ ଛାତ୍ର ଆନ୍ଦୋଳନ ବ୍ୟାପିଥିଲା ତାହା ଥିଲା ମଣ୍ଡଳ କମିଶନ ବିରୋଧରେ ଆନ୍ଦୋଳନ। ଏହି କମିଶନଙ୍କ ଦ୍ୱାରା ଓବିସି ବର୍ଗଙ୍କ ପାଇଁ ପ୍ରସ୍ତାବିତ ୨୭% ଆରକ୍ଷଣ ନିୟମକୁ ଦେଶରେ ଲାଗୁ କରିବାକୁ ଘୋଷଣା କରିଥିଲେ ତତ୍କାଳୀନ ଅଣ କଂଗ୍ରେସ ପ୍ରଧାନମନ୍ତ୍ରୀ ବିଶ୍ୱନାଥ ପ୍ରତାପ ସିଂହ। ସମସ୍ତ ମିଲେନିଆଲଙ୍କ ପାଇଁ ଏହା ଏକ ଅତ୍ୟନ୍ତ ପରିଚିତ ଘଟଣା। ଯାହା ସ୍କୁଲ୍‍, କଲେଜ ଭଳି ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସରକାରୀ କଳକୁ ଅଚଳ କରିଦେଇଥିଲା। ଏହି ଆନ୍ଦୋଳନର ପ୍ରଭାବ ଉତ୍ତର ଭାରତରେ ଅତ୍ୟନ୍ତ ପ୍ରଖର ଥିଲା। ଯାହା ଆଜିବି ଜାତିଭିତ୍ତିକ ରାଜନୀତିର ଏକ କାରକ ହୋଇ ରହିଛି।
ଛାତ୍ର ସମାଜକୁ ସମ୍ମାନ ଦେଇ ନିକଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଏମିତି ଆନ୍ଦୋଳନଗୁଡ଼ିକୁ ଆଉଥରେ ଜୀବନ୍ତ କରୁଛି। ହୁଏତ ଯଦି ସେ ଏଠାରେ ନିଜର ବ୍ୟକ୍ତିଗତ ସ୍ୱାର୍ଥକୁ ଗୁରୁତ୍ୱ ଦେଇଥାଆନ୍ତେ ତେବେ ତାହା ସାରା ଦେଶରେ ଅନ୍ୟ କୌଣସି ବିଭ୍ରାଟ ସୃଷ୍ଟିକରିଥାଆନ୍ତା, ଯାହାକୁ ରୋକି ପାରିଛି ପ୍ରଧାନମନ୍ତ୍ରୀ ମୋଦୀଙ୍କ ବଳିଷ୍ଠ ନେତୃତ୍ୱ ଓ ଯୁବପିଢ଼ିଙ୍କ ସହ ସମ୍ପୃକ୍ତ ହୋଇବାରିବାର କଳା ଦ୍ୱାରା। କିନ୍ତୁ ମୋଦୀଙ୍କ ଏହି ପଦକ୍ଷେପ ଓ ଇନ୍‍ଷ୍ଟା ଲିଙ୍କ କ’ଣ ‘ଅସରପା’ଙ୍କୁ ଦମନ କରିପାରିବ? ଏ ପ୍ରଶ୍ନର ଉତ୍ତର କେବଳ କେବଳ ସମୟ ହିଁ କହିପାରିବ, ନୁହେଁକି?

LEAVE A REPLY

Please enter your comment!
Please enter your name here

Popular Articles