ଭାରତୀୟ ଗଣତନ୍ତ୍ରର ପ୍ରାଣକେନ୍ଦ୍ର ହେଉଛି ସଂସଦ। ଆଉ ଏହି ଅନୁଷ୍ଠାନରେ ଯାହାର ଯେତେ ସଂଖ୍ୟା, ଯେତେ ବଡ଼ ସ୍ୱର ସେ ସେତିକି ଚର୍ଚ୍ଚିତ ଏବଂ ତାଙ୍କ ଭୋଟର ସେତିକି ଫାଇଦାରେ ରହିଥାନ୍ତି। ହେଲେ ଗଲା ଦୁଇଟି ସଂସଦୀୟ କାଳକୁ ତୁଳନା କଲେ ଏବେକାର ଲୋକସଭା ଅର୍ଥାତ୍ ଅଷ୍ଟାଦଶ ଲୋକସଭାରେ ଓଡ଼ିଶାର ସ୍ୱର ନିଷ୍ପ୍ରଭ ହୋଇଛି। ଏହି ଲୋକସଭାରେ ୨୧ରୁ ୨୦ ଆସନରେ ବିଜେପିର ସାଂସଦମାନେ ନିର୍ବାଚିତ ହୋଇ ରାଜ୍ୟକୁ ପ୍ରତିନିଧିତ୍ୱ କରୁଛନ୍ତି, କିନ୍ତୁ ଲୋକସଭାର ଆଲୋଚନା ସମୟରେ ପାଟି ଖୋଲୁ ନାହାନ୍ତି। ଏପରିକି ଅନେକ ସମୟରେ ସାଂସଦମାନେ ଆଲୋଚନା ଓ ଭୋଟିଂ ସମୟରେ ବି ଉପସ୍ଥିତ ରହୁ ନଥିବା ବି ଲକ୍ଷ୍ୟ କରାଯାଉଛି।
ପଞ୍ଚମରୁ ୧୦ମ ସ୍ଥାନକୁ ଖସିଛି ରାଜ୍ୟ
ସାଧାରଣ ନର୍ବାଚନ ପରେ ୨୦୨୪ ମସିହା ଜୁନ୍ ମାସରୁ ଗଠନ ହୋଇଥିବା ଏହି ଅଷ୍ଟାଦଶ ଲୋକସଭାରେ ୫୪୩ ଜଣ ସଦସ୍ୟ ରହିଛନ୍ତି। ଏଥିରୁ ଓଡ଼ିଶାର ଭାଗ ହେଉଛି ୨୧। ଜନସଂଖ୍ୟା ଭିତ୍ତିରେ ପ୍ରତି ନାଗରିକଙ୍କୁ ସମାନ ପ୍ରତିନିଧିତ୍ୱର ଅଧିକାର ଦେବାକୁ ଯାଇ ସ୍ଥିର ହୋଇଥିବା ଫର୍ମୁଲା ଅନୁସାରେ ଏହି ସଂଖ୍ୟା ନିର୍ଦ୍ଧାରିତ। ଆଉ ଏହି ସଂଖ୍ୟାରୁ ବିଜେପି ସାଂସଦଙ୍କ ସଂଖ୍ୟା ହେଉଛି ୨୦। ମାତ୍ର ଜଣେ ସାଂସଦ କଂଗ୍ରେସରୁ ଥିବା ବେଳେ ବିଜେଡି ଘର ସମ୍ପୂର୍ଣ୍ଣ ଶୂନ ପଡ଼ିଛି। ଗତ ଲୋକସଭା ସମୟରେ ବିଜେଡିରୁ ୧୨ ଜଣ ସାଂସଦ ଏହି ଗୃହର ସଦସ୍ୟ ରହିଥିଲେ। ଅର୍ଥାତ୍ ରାଜ୍ୟର ଜନତା ଏଥର ରାଜ୍ୟପାଇଁ ଶୁଭକର ବୋଲି ଆଶା କରି ପ୍ରାୟ ପ୍ରତିଟି ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରତିନିଧିଙ୍କୁ ଭୋଟ ଦେଇ ଲୋକସଭାକୁ ପଠାଇଛନ୍ତି। ଏ ଭିତରେ ୨ ବର୍ଷରୁ ଅଧିକ ସମୟ ବିତିଛି। ୭ଥର ଏହି ଲୋକସଭାର ଅଧିବେଶନ ବି ବସିଛି। ଆସନ୍ତା ୨୦ ତାରିଖରୁ ଅଷ୍ଟାଦଶ ଲୋକସଭାର ଅଷ୍ଟମ ଅଧିବେଶନ ଯାହା ବର୍ଷାକାଳୀନ ଅଧିବେଶନ ଭାବେ ଜଣାଶୁଣା ତାହା ବସିବାକୁ ଯାଉଛି।
କିନ୍ତୁ ଗଲା ୭ଟିଯାକ ଅଧିବେଶନରେ ଓଡ଼ିଶାରୁ ପ୍ରତିନିଧି ହୋଇଥିବା ସାଂସଦଙ୍କ ଅଂଶଗ୍ରହଣ ହାର କେମିତି? ଏ ବିଷୟକୁ ଅନୁଶୀଳନ କରିବା ବେଳେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି ତାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ତଳକୁ ହୋଇଯିବ। କାରଣ ସମୁଦାୟ ଆଲୋଚନା ହୋଇଥିବା ୪୮୯ ଘଣ୍ଟା ୬ ମିନିଟ ସମୟରୁ ଓଡ଼ିଶାର ସାଂସଦମାନେ ମାତ୍ର ୧୩ ଘଣ୍ଟା ୪୪ ମିନିଟ କହିଛନ୍ତି। ଲୋକସଭା ପକ୍ଷରୁ ଏହାର ଓ୍ୱେବସାଇଟରେ ଉଲ୍ଲେଖ କରାଯାଇଥିବା ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ଅର୍ଥାତ ହାରାହାରି ଭାଗିଦାରୀ ହେଉଛି ମାତ୍ର ୨.୮୧ ପ୍ରତିଶତ। ସମୁଦାୟ ଦେଶରେ ଅନ୍ୟ ରାଜ୍ୟମାନଙ୍କ ଅଂଶଗ୍ରହଣ ହାରକୁ ତୁଳନା କଲେ ଆମ ରାଜ୍ୟର ସ୍ଥାନ ୧୦ମରେ ରହିଛି। ଏହା ଉପରେ ଉତ୍ତରପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ତାମିଲନାଡ଼ୁ, ରାଜସ୍ଥାନ, ଆନ୍ଧ୍ରପ୍ରଦେଶ, କେରଳ ପ୍ରଭୃତି ରାଜ୍ୟ ରହିଛନ୍ତି। ସପ୍ତଦଶ ଲୋକସଭାରେ ଓଡ଼ିଶାର ଅଂଶଗ୍ରହଣ ସ୍ଥାନ ସାରା ଦେଶରେ ତୃତୀୟ ଥିଲା। ସେତେବେଳେ ବିହାର ଓ ଆନ୍ଧ୍ର ପ୍ରଦେଶ ଆମ ରାଜ୍ୟର ସାଂସଦମାନଙ୍କଠାରୁ ଅଧିକଥର କହିଥିଲେ। ଅର୍ଥାତ୍ ସଂଖ୍ୟା କମ୍ ଥିଲେ ମଧ୍ୟ ସ୍ୱର ବଡ଼ ପ୍ରଖର ଥିଲା।
ଆଗରେ ଭର୍ତ୍ତୃହରି ପଛରେ ଜୁଏଲ
ପୁଣି ସାଂସଦଙ୍କ ଅନୁସାରେ ଯଦି ଅଂଶ ଗ୍ରହଣକୁ ଲକ୍ଷ୍ୟ କରିବା ତେବେ ସର୍ବାଗ୍ରେ ରହିଛନ୍ତି ଭର୍ତ୍ତୃହରି ମହତାବ। ସେ ୫୭ଥର ଭିନ୍ନ ଭିନ୍ନ ଆଲୋଚନାରେ ଅଂଶ ଗ୍ରହଣ କରି ନିଜର ମତ ଜାହିର କରିଛନ୍ତି। ପୂର୍ବ ଲୋକସଭାରେ, ଯେତେବଳେ ସେ ବିଜେଡିରୁ ପ୍ରତିନିଧିତ୍ୱ କରୁଥିଲେ ସେତେବଳେ ମଧ୍ୟ ସର୍ବାଧିକଥର ଅଂଶଗ୍ରହଣ କରିଥିଲେ। ତାଙ୍କ ତଳକୁ ଏହି ଲୋକସଭାରେ ଦୁଇ ନମ୍ବରରେ ଅଛନ୍ତି ନବାଗତା ମାଳବିକା ଦେବୀ, କଳାହାଣ୍ଡିର ସାଂସଦ। ତାଙ୍କ ପରେ ପ୍ରଦୀପ ପୁରୋହିତ, ସଙ୍ଗୀତାକୁମାରୀ ସିଂହ ଦେଓ, ସମ୍ବିତ ପାତ୍ର, ସପ୍ତଗିରି ଉଲାକା ପ୍ରଭୃତିଙ୍କ ନାଁ ରହିଛି। ସବୁଠାରୁ କମ୍ ଅଂଶଗ୍ରହଣ ତାଲିକାରେ ରହିଛନ୍ତି ମନ୍ତ୍ରୀ ଜୁଏଲ ଓରାମ। ସେ ମାତ୍ର ଥରୁଟିଏ ଲୋକସଭାରେ କହିଛନ୍ତି। ଅନେକ ଅଭିଜ୍ଞତାଧାରୀ ଏହି ସାଂସଦ ବୋଧହୁଏ ମନ୍ତ୍ରୀ ହେବା ହେତୁ ସମୟ ପାଇ ନାହାନ୍ତି! ହେଲେ ଆଉ ଜଣେ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଚଳିତ ଲୋକସଭାରେ ୫ଥର ନିଜର ମତ ରଖି ପାରିଛନ୍ତି। ଯଦି ଲୋକସଭାରେ ସ୍ୱରଉତ୍ତୋଳନକୁ ଏକ ପ୍ରାଥମିକ କର୍ତ୍ତବ୍ୟ ଭାବେ ଗ୍ରହଣ କରାଯାଏ ତେବେ ଭର୍ତ୍ତୃହରି ଆଗରେ ରହିଛନ୍ତି। କିନ୍ତୁ ବିଡ଼ମ୍ବନା ଯେ ସେ ମନ୍ତ୍ରୀ ପଦଟିଏ ଏଯାଏ ପାଇପାରି ନାହାନ୍ତି।
ସମୁଦାୟ ଭାବେ କହିବାକୁ ଗଲେ ଲୋକସଭାରେ ହେଉଥିବା ପ୍ରାୟ ୨୬ ପ୍ରକାର ଆଲୋଚନା ସମୟରେ ଓଡ଼ିଶାର ୨୧ ଜଣ ସାଂସଦ ୪୧୦ ଥର ଅଂଶ ଗ୍ରହଣ କରିଛନ୍ତି। ଯାହାର ସମୁଦାୟ ସମୟ ହେଉଛି ୧୩ ଘଣ୍ଟା ୪୪ ମିନିଟ ୧୫ ସେକେଣ୍ଡ।
ପ୍ରଶ୍ନ ହେଉଛି ଏହି ପରିସଂଖ୍ୟାନ ସୂଚାଉଛି କ’ଣ? କାହିଁକି ଏହା ଆଲୋଚନାର ବିଷୟ?
କାରଣ ହେଉଛି ରାଜ୍ୟରୁ ପ୍ରଥମଥର ପାଇଁ ୨୦ ଜଣ ସାଂସଦ ବିଜେପିରୁ ନିର୍ବାଚିତ ହୋଇଛନ୍ତି, ଯେଉଁ ଦଳ ଏବେ ଉଭୟ ରାଜ୍ୟ ଓ କେନ୍ଦ୍ରରେ ସରକାରରେ ରହିଛି। ଆଉ ଗଲା ଦୁଇଟି ଲୋକସଭାର ପରିସଂଖ୍ୟାନରୁ ଏହା ସ୍ପଷ୍ଟ ହେଉଛି ଯେ ଏହି ସାଂସଦମାନେ ପୂର୍ବାପେକ୍ଷା ରାଜ୍ୟବାସୀଙ୍କ ପକ୍ଷରୁ କମ୍ ସ୍ୱର ଉତ୍ତୋଳନ କରୁଛନ୍ତି।
ଗତ ଲୋକସଭା ଯାହା ୨୦୧୯ରୁ ୨୦୨୪ ଯାଏ ଚାଲିଥିଲା, ସେତେବେଳେ ସମୁଦାୟ ୫ ବର୍ଷ ଭିତରେ ଓଡ଼ିଶା ସାଂସଦଙ୍କ ଅଂଶଗ୍ରହଣ ହାର ୫.୨୯% ଥିଲା। ଏବେ ତାହା ୨.୮୧%କୁ ଖସିଛି, କାହିଁକି? ଏହା ସାଂସଦମାନଙ୍କ ନିହଲ ପଣିଆକୁ ଦର୍ଶାଉଛି ନା ତାଙ୍କୁ କହିବାକୁ ସୁଯୋଗ ମିଳୁ ନାହିଁ?
ବିଜେପି ଶାସନାଧୀନ ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଆଗରେ କେହି କେହି ଯୁକ୍ତି ବାଢ଼ନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ରରେ ତ ତାଙ୍କ ସରକାର ରହିଛି, ସେମାନେ କହିବେ କ’ଣ? କିନ୍ତୁ ଦେଶର ଅନେକ ପ୍ରାନ୍ତରେ ବିଜେପିର ସରକାର ରହିଛି। ଉତ୍ତର ପ୍ରଦେଶରେ ଗଲା ୯ ବର୍ଷ ହେଲା ବିଜେପି ଶାସନ କରୁଛି। କିନ୍ତୁ ଏହି ରାଜ୍ୟର ସାଂସଦମାନଙ୍କ ଲୋକସଭାରେ ଅଂଶଗ୍ରହଣ ହାର ସର୍ବାଧିକ। ପ୍ରାୟ ୮୪ ଘଣ୍ଟା ଆଲୋଚନାରେ ଅଂଶ ଗ୍ରହଣ କରି ଏହାର ସାଂସଦମାନେ ଦେଶର ଅନ୍ୟ ସାଂସଦଙ୍କ ତୁଳନାରେ ସବୁଠାରୁ ଅଧିକ ମତ ପୋଷଣ କରିଛନ୍ତି। ସେଥିଲାଗି ଉତ୍ତରପ୍ରଦେଶ ସାଂସଦଙ୍କ ଅଂଶଗ୍ରହଣ ହାର ୧୭ ପ୍ରତିଶତରୁ ଅଧିକ ରହିଛି।
ସେହିପରି ମହାରାଷ୍ଟ୍ରରେ ବିଜେପି ସରକାର ରହି ଆସିଛି କିନ୍ତୁ ଏଠାରେ ସାଂସଦଙ୍କ ଅଂଶଗ୍ରହଣ ହାର ୧୦.୭୨ ପ୍ରତିଶତ ଏବଂ ଏହା ସାରା ଦେଶରେ ଦ୍ୱିତୀୟ। ତୃତୀୟ ସ୍ଥାନରେ ବିହାର ରହିଛି, ଯାହା ପୂର୍ବ ଲୋକସଭାରେ ଅର୍ଥାତ୍ ୨୦୧୯ରୁ ୨୦୨୪ ମଧ୍ୟରେ ସର୍ବାଧିକ ଅଂଶଗ୍ରହଣ କରି ରେକର୍ଡ ସ୍ଥାପନ କରିଥିଲା।
ହେଲେ ଆମ ପ୍ରତିନିଧିଙ୍କ ଏପରି ନୀରବ ରହିବାର କାରଣ କ’ଣ ହୋଇପାରେ? ଏମାନେ ଯେ ଅନ୍ୟମାନଙ୍କଠାରୁ କମ୍ ଦରମା ଓ ସୁବିଧା ସୁଯୋଗ ପାଆନ୍ତି ତାହା ନୁହେଁ। ସାଂସଦ ଭାବେ ବର୍ଷକୁ ରାଜକୋଷରୁ ତାଙ୍କ ପିଛା ୪୩ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଏ। ଏହାସହ ଅନ୍ୟ ରାଜ୍ୟ ସୁବିଧା ସୁଯୋଗ ରହିଛି, ତାହାକୁ ଏଡ଼ାଯାଇ ନପାରେ। ଏଣୁ କାରଣ ସାଂସଦମାନଙ୍କ ଅତ୍ୟଧିକ ଆତ୍ମବିଶ୍ୱାସ ହୋଇପାରେ ବା ଆତ୍ମ ଗର୍ବ ଅବାପୁଣି ଅହଙ୍କାର, ଯାହା ସେମାନଙ୍କୁ ଆଲୋଚନାରେ ଅଂଶଗ୍ରହଣ କରିବାଠୁ ରୋକୁଥାଇପାରେ! ଏହା ନହେଲେ ସାଂସଦମାନଙ୍କ ଲୋକସମ୍ପର୍କ, ଗବେଷଣା ଏବଂ ଆଗ୍ରହ କମିଥାଇପାରେ। ଏସବୁ ଭିତରେ କେଉଁଟି କାରଣ ଆପଣ ଅନୁମାନ କରନ୍ତୁ…।





